Unknown

 

 

 

 

 

 

 

 

 

ପଶ୍ଚିମ ପଥିକ

ଡକ୍ଟର ମାୟାଧର ମାନସିଂହ

 

ପ୍ରଥମ ସଂସ୍କରଣର

ଭୂମିକା

 

ସେକ୍‍ସପିୟରଙ୍କ ଜନ୍ମସ୍ଥାନ ଓ ଗୋଟିଏ ଇଂରେଜ କୃଷକର ଖମାରରେ ମୁଁ ଯାହା ଯାହା ଦେଖିଥିଲି , ତାହା ପ୍ରସିଦ୍ଧ ଇଂରେଜୀ ମାସିକପତ୍ର ‘ମଡ଼ର୍ଣ୍ଣରିଭ୍ୟୁ’ରେ ପ୍ରକାଶିତ ହୋଇଥିଲା । ମୋର ଇଚ୍ଛା ଥିଲା, ସେ ଦୁଇଟିର ଓଡ଼ିଆ ଅନୁବାଦ ଏଇ ପୁସ୍ତକରେ ସନ୍ନିବେଶିତ କରିଥାନ୍ତି । କିନ୍ତୁ ମୋ ନିକଟରେ ସେ ଲେଖାଗୁଡ଼ିକର ନକଲ ନ ଥିବାରୁ, ତାହା କରି ପାରିଲି ନାହିଁ । ପରେ ସୁବିଧା ହେଲେ ଯୋଡ଼ି ଦିଆ ହୋଇପାରେ ।

 

ଏ ବହିର ପ୍ରଥମ ପାଞ୍ଚଟି ଅଧ୍ୟାୟା ‘ନବଭାରତ’ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଷଷ୍ଠ ଅଧ୍ୟାୟଟି (ନେପ୍‍ଲ୍‍ସ୍)ର ହାତଲେଖାଟି ‘ନବଭାରତ’ର କର୍ତ୍ତୁପକ୍ଷଙ୍କ ଦାୟିତ୍ୱଶୂନ୍ୟତା ଯୋଗୁଁ ହଜିଗଲା । ସେଥି ସଙ୍ଗେ କେତେକ ସୁନ୍ଦର ଛବି ମଧ୍ୟ । ତା’ପରେ ଲେଖା ବନ୍ଦ ଥିଲା, ଏହି ଦୀର୍ଘ ପାଞ୍ଚବର୍ଷ । ପ୍ରକାଶକଙ୍କ ଅନୁରୋଧରେ ଇତସ୍ତତଃ ବିକ୍ଷିପ୍ତ ସାମଗ୍ରୀମାନଙ୍କୁ ଯୋଡ଼ାଯୋଡ଼ି କରି ଏ ଆକାରରେ ବହି ବାହାର କରିବାକୁ ହୋଇଛି ।

 

ଅନେକେ ପ୍ରଶ୍ନ କରିଥାନ୍ତି, ଆପଣ, ବର୍ଣ୍ଣଡ଼୍‍ଶ’ଙ୍କୁ ଭେଟିଛନ୍ତି ? ଆପଣ ତ ସିଗାରେଟ୍ ବା ମଦ୍ୟପାନ କରନ୍ତି ନାହିଁ, ବିଲାତ କାହିଁକି ଯାଇଥିଲେ ? ଅମୁକ ଲୋକ ଏ ପ୍ରକାର ଡିଗ୍ରି ଆଣିଲା, ଆପଣ ଆଣିଲେ ନି ? ମୁଁ କି ଉଦ୍ଦେଶ୍ୟରେ ଓ କି ଅବସ୍ଥାରେ ବିଦେଶ ଯାଇଥିଲି, ତାହା ଏହି ପୁସ୍ତକରେ ବର୍ଣ୍ଣିତ ଅଛି । ଉପରଲିଖିତ ସିଦ୍ଧିଗୁଡ଼ିକ ମଧ୍ୟ ମୋ ପକ୍ଷରେ ଲୋଭନୀୟ ବା କ୍ଳେଶସାଧ୍ୟ ନ ଥିଲା । ‘ସାହେବ’ ହେବାକୁ ବସିଲେ ବିଲାତି ଯିବାର କୌଣସି ଦରକାର ନାହିଁ । ଜଣେ ଓଡ଼ିଆ ଜମିଦାର ଓଡ଼ିଶାର ଘୋର ମଫସଲ ଅଞ୍ଚଳରେ ରହି ମଧ୍ୟ ପ୍ରତିଦିନ ଯେଉଁ ପାଣି ପିଅନ୍ତି, ତାହା ଫ୍ରାନ୍‍ସ ବା ସେଇପରି କୌଣସି ଇଉରୋପୀୟ ଦେଶରୁ ଅଣାନ୍ତି । କିନ୍ତୁ ସେ ବମ୍ବେ ଆରପଟ ମାଡ଼ି ନାହାନ୍ତି ।

 

ଯେଉଁ ଇଂଲାଣ୍ଡର ବର୍ଣ୍ଣନା ଏଥିରେ ଅଛି, ଗତ ପାଞ୍ଚବର୍ଷ ଭିତରେ ତା’ ଉପରେ ଏକ ଅଶ୍ରୁତପୂର୍ବ ଧ୍ୱଂସ ଲୀଳାର ଅଭିନୟ ଚାଲି ଯାଇଛି । ଖବରକାଗଜକୁ ପଢ଼େଁ ଯେ, ଇଂରେଜ ଜାତିର ଏଥିଯୋଗୁଁ ଏକ ଆଧ୍ୟାତ୍ମିକ ପରିବର୍ତ୍ତନ ଘଟିଯାଇଛି । ଧନୀ-ଦରିଦ୍ରର ଭେଦ ଆଉରି ଅନେକ କମିଯାଇଛି । ତାହେଲେ ଜାତିଭାବରେ ଇଂରେଜର ଚରିତ୍ର ଆହୁରି ମଧୁରତର ଓ ବିସ୍ମୟକର ହୋଇ ଉଠିବ ବୋଲି ମୋର ବିଶ୍ୱାସ । ଇଂଲାଣ୍ଡ ଓ ଭାରତର ମିଳନ ବିଧାତୃ-ପ୍ରେରିତ ବୋଲି ମୁଁ ବିଶ୍ୱାସ କରେ । ଇଂରେଜର ନାଗରିକ ସ୍ୱାଧୀନତା ସଙ୍ଗେ ଭାରତର ଆଧ୍ୟାତ୍ମିକ ପିପାସାର ମିଳନ ହେଲେହିଁ ଜଗତରେ ଶାନ୍ତି ଆସିବ । ଏଇ ମିଳନର ଶୁଭଶଙ୍ଖଧ୍ୱନି ମହାମାନବର ମିଳନ ପ୍ରାଙ୍ଗଣରେ ବାଜିଉଠୁ । ଇତି ।

 

ମାୟାଧର ମାନସିଂହ

 

ଦ୍ୱିତୀୟ ସଂସ୍କରଣର ଭୂମିକା

 

ଏହା ଭିତରେ ଭାରତ ସ୍ୱାଧୀନ ହୋଇଛି ଓ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛି । କଂଗ୍ରେସ ଭାରତର ଶାସନ ଚାରିବର୍ଷ ଚଳେଇଲା ପରେ, ଅନେକେ ସ୍ୱାଧୀନତା ପାଇଲା ପରେ, ଯେଉଁ ସ୍ୱର୍ଗ-ରାଜ୍ୟ ଆଶା କରିଥିଲେ ତାହା ନ ପାଇ ଅତ୍ୟନ୍ତ ନିରାଶ ଓ ତିକ୍ତ ହୋଇ ଉଠିଛନ୍ତି । କିନ୍ତୁ ଇଂରେଜୀରେ ଗୋଟିଏ କଥା ଅଛି, ‘ଗୋଟିଏ ଜାତି ସେଇ ପ୍ରକାର ଶାସନହିଁ ପାଏ, ଯାହା ପାଇବା ପାଇଁ ସେ ସେହି ପରିମାଣରେ ଯୋଗ୍ୟ ।’ ମାଟି ଗୁଣରେ ଶସ୍ୟ । କେବଳ କଂଗ୍ରେସ ନେତାଙ୍କୁ ଗାଳିଦେଲେ ଫଳ କିଛି ନାହିଁ । ଆମେ ଇଂରେଜଙ୍କୁ ଏଇପରି ଗାଳି ଦେଉଥିଲୁ । ଅସଲ କଥା ହେଉଛି ଜାତୀୟ ଚରିତ୍ର । ତାହା ଯେ ପର୍ଯ୍ୟନ୍ତ ଠିକ୍ ବାଟରେ ଗଢ଼ା ନ ହୋଇଛି, ଯେଉଁଦଳ ଶାସନାସନରେ ବସନ୍ତୁ ବିଶେଷ ପରିବର୍ତ୍ତନର ଆଶା ବିଡ଼ମ୍ବନା ମାତ୍ର । ସମଗ୍ର ଜାତିଟା ତ ପଙ୍ଗୁ ଓ କଳୁଷିତ,ଆଉ ମନ୍ତ୍ରୀ, ନେତା, ଏମ୍, ଏଲ୍, ଏ, ହାକିମମାନେ ହଠାତ୍ କିମିତି ଉତ୍ତମ ପୁରୁଷ ହୋଇ ଉଠିବେ ? ମୋର ପାଠକମାନଙ୍କୁ ଅନୁରୋଧ ଏଇ ପୁସ୍ତକ ପଢ଼ିଲା ବେଳେ ସେମାନେ ଆମ ଜାତୀୟ ଚରିତ୍ରର ଅଭାବ ନେଇ ମୁଁ ଯାହା ଯେଉଁଠି ଲେଖିଛି ଏ ବହିରେ, ତାହା ପ୍ରତି ବିଶେଷ ନଜର ଦେବେ । ସେତକ ନ କଲେ ଉପନ୍ୟାସ ପରି ଏ ବହିକି ପଢ଼ିଯିବାରେ କିଛି ଲାଭ ନାହିଁ ବୋଲି ମୁଁ ମନେ କରିବି । ଇତି ।

 

ସମ୍ବଲପୁର

ତା ୯।୧୧। ୫୧

ମାୟାଧର ମାନସିଂହ

 

କୃତଜ୍ଞତା ଜ୍ଞାପନ

 

କହିରଖେଁ ଯେ ଡକ୍‍ଟର ବସନ୍ତକୁମାର ବେହୁରାଙ୍କ ସହାୟତା ବିନା ଏ ପୁସ୍ତକ ଆଦୌ ପ୍ରକାଶିତ ହୋଇପାରି ନଥାନ୍ତା । ଏଥିରେ ଥିବା ପତ୍ରଗୁଡ଼ିକ ତାଙ୍କର ଅପାଙ୍କ ନିକଟକୁ ଲେଖାଯାଇଥିଲା । ସେ ପତ୍ରଗୁଡ଼ିକରେ ଏତେ ବ୍ୟକ୍ତିଗତ କଥା ଥିଲା ଯେ ତାକୁ କେବେ ପ୍ରକାଶ କରିବାର କଳ୍ପନା ପତ୍ର ଲେଖକର ମନରେ କେବେ ଉଠି ନ ଥିଲା । ଚପଳ ଚିତ୍ତ ସେତେବେଳେ କିଶୋର ବସନ୍ତକୁମାର କିନ୍ତୁ ଅପାଙ୍କ ବାକ୍‍ସରୁ- ଏ ଚିଠି ସବୁ ଚୋରି କରି ସାଇତି ରଖିଲେ ଏବଂ ବାରମ୍ବାର ସେ ଗୁଡ଼ିକ ଏକାଠି ପ୍ରକାଶ କରିବାକୁ କହିଲେ । ବହୁବର୍ଷ ପରେ ଷ୍ଟୁଡ଼େଣ୍ଟସ୍ ଷ୍ଟୋରର ଅନୁରୋଧରେ ଯେତେବେଳେ ବହିଟି ପ୍ରକୃତରେ ପୂର୍ଣ୍ଣାଙ୍ଗ କରିବାକୁ ବସିଲି, ବସନ୍ତକୁମାରଙ୍କ ଚୌର୍ଯ୍ୟ ଓ ଧୈର୍ଯ୍ୟ ପ୍ରତି ବାରମ୍ବାର କୃତଜ୍ଞ ନ ହୋଇ ରହି ପାରିଲି ନାହିଁ । ପ୍ରକାଶିତ ଅନେକ ପତ୍ର ସେ ସ୍ୱୟଂ ନକଲ କରି ଦେଇଥିଲେ ।

 

ବସନ୍ତ ଓ ତାଙ୍କ ଅପାଙ୍କ ପ୍ରତି ଏଥିପାଇଁ କୃତଜ୍ଞ । ଏମାନଙ୍କଠାରେ ଲେଖକ କିନ୍ତୁ ଏତେ ଭାବରେ କୃତଜ୍ଞ ଯେ, ଏହି କଥାଟି କେବଳ କହି ଚାଲ ବଜାୟ ରଖୁଛି ବୋଲି ଅଭିଯୋଗ ଶୁଣିବାର ଭୟ ମୋର ଥିଲା, ତେଣୁ ନୀରବ ଥିଲି, କିନ୍ତୁ ଦେଖୁଛି ସେହି ନୀରବତା ଦ୍ୱାରା ମୁଁ ଘୋରତର ଅପରାଧ, ଅକୃତଜ୍ଞତା ଓ ଅସୌଜନ୍ୟରେ ଭାଗୀ ହେବାକୁ ଯାଉଛି । ଇତି ।

 

-ମାନସିଂହ

 

ସୂଚୀପତ୍ର

 

୧.

ଯାତ୍ରାରମ୍ଭ

୨.

ଜାପାନୀ ଜାତି

୩.

ଯାତ୍ରା ଓ ଯାତ୍ରୀ

୪.

ଘାଟେ ଘାଟେ (କଲମ୍ବୋ, ଏଡ଼େନ୍, ଲୋହିତ ସାଗର ଓ ସୁଏଜ କେନାଲ ।)

୫.

ଘାଟେ ଘାଟେ (ପୋର୍ଟ ସୟେଦ୍, ଭୂମଧ୍ୟ ସାଗର ଓ ମେସିନୀ ପ୍ରଣାଳୀ)

୬.

ଘାଟେ ଘାଟେ (ନେପ୍‍ଲସ୍)

୭.

ଶେଷ କ୍ରୋଶ (ମାର୍ସେଲିସ୍, ଜିବ୍ରାଲ୍ ଟର, ଲଣ୍ଡନ, ଏଡ଼ିନ୍‍ବରା)

୮.

ପତ୍ରାବଳୀ (ଏଡ଼ିନ୍‍ବରାରେ ପ୍ରାଥମିକ ଜୀବନ)

 

(କ)

ଡକ୍‍ଟର ଲଡ଼୍‍ଲାମ୍‍ଙ୍କ ଘରେ ସାର୍ବଜନୀନ କ୍ଳବ୍

 

(ଖ)

ବିଲାତରେ ଶିଶୁ ଓ ପୋଷ୍ୟପୁତ୍ର ସଂଘ

 

(ଗ)

ସାହେବୀ ଖାଦ୍ୟ ସଙ୍ଗେ ପ୍ରଥମ ପରିଚୟ-ବିଲାତରେ ଭାରତ ସମ୍ବନ୍ଧରେ ଅଜ୍ଞତା

 

(ଘ)

ବିଲାତରେ ଶିଶୁ ଓ ଯୀଶୁ

 

(ଙ)

ନଗର ସଭ୍ୟତାର ହଳାହଳ । ଇଂଲାଣ୍ଡର ଶନିବାର ଓ ରବିବାର । ଡେଲୀ ମେଲ୍‍ର ଅଣ୍ଡିର କାନ୍‍ଭାଷିଣୀ

 

(ଚ)

ଇଂଲାଣ୍ଡରେ ଶୀତକାଳ । ଇଂରେଜ ବାଳିକାର କରୁଣ କାହାଣୀ

 

(ଛ)

ସନ୍ତାନ ଦାୟିତ୍ୱ ଓ ଜନ୍ମ ନିରୋଧ । ଏ ଦେଶର ହୋଟେଲ୍ ବାଲା

 

(ଜ)

ନବବର୍ଷର ସମ୍ବର୍ଦ୍ଧନା

 

(ଝ)

ଶ୍ୱେତାଙ୍ଗର ଆତ୍ମନିର୍ଭରତା

 

(ଙ)

ଶୈରିନ୍ଧ୍ରୀ ନିସ୍‍ବେଟ୍

 

(ଟ)

ସ୍ୱଦେଶର ଅଧମ ପ୍ରତିନିଧିତ୍ୱ

 

(ଠ)

ଶିଖ୍ ବୁଲାବିକାମାନଙ୍କର ଆତ୍ମୀୟତା ଓ ଆତିଥ୍ୟ

 

(ଡ)

ସେକ୍‍ସପିୟରଙ୍କ ଜନ୍ମସ୍ଥାନକୁ ଯାତ୍ରା

 

(ଣ)

ଶ୍ୱେତାଙ୍ଗର ଛୁଟୀ ଭୋଗ । ରେଲ ଗାଡ଼ିରେ ଠେଲାପେଲା । ଇଂଲାଣ୍ଡରେ ମେଳା ଓ ଖଳାଘର

 

(ତ)

ନର୍ସରୀ ସ୍କୁଲ୍ । ଇଂରେଜ ନାଗରିକତାର ଏନ୍ତୁଡ଼ିଶାଳ

 

(ଥ)

ଶ୍ୱେତନାରୀର ସ୍ୱାସ୍ଥ୍ୟ ଚର୍ଚ୍ଚା । ଇଂରେଜ ମହିଳାର ବ୍ୟାୟାମପ୍ରିୟତା

 

(ଦ)

ଇଂଲାଣ୍ଡର ଦରିଦ୍ର ପଲ୍ଲୀ । ପ୍ରେତ ସମିତି

 

(ଧ)

ଇଂଲାଣ୍ଡରେ ଶୀତାନ୍ତ । ଶକୁନ୍ତଳା ଅଭିନୟ

 

(ନ)

ଇଂଲାଣ୍ଡରେ ଥିଓସଫିକାଲ୍ ସୋସାଇଟୀ । ଏ ଦେଶର ବନ୍ଧୁ ନିମନ୍ତ୍ରଣ

 

(ପ)

ବିଦେଶରେ ସ୍ୱଦେଶ ସେବାର ସ୍ୱପ୍ନ

 

(ଫ)

ଜଣେ ଇଂରେଜ କୃଷକର ଖମାର କ୍ଷେତ୍ରରେ

୯.

ଲେଉଟାଣି

୧୦.

ଆମେ ଓ ଇଂରେଜ

•••

 

ଯାତ୍ରାରମ୍ଭ

 

ପୁରୁଷର ଆଶ୍ରୟ ପାଇଁ ନାରୀ ଯେଉଁ ନୀଡ଼ ରଚନା କରେ ତାରି ନାମ ଘର । ସେହି ଆଶ୍ରୟର ଏରୁଣ୍ଡି ଡେଇଁଲେଇ ପ୍ରବାସ ଆରମ୍ଭ ଏବଂ ତା’ପରେ ପୁରୁଷ ନିଃସଙ୍ଗ ନିରାଶ୍ରିତ ହୋଇ ବିରାଟ ପୃଥିବୀର ସାଧାରଣ ରାଜପଥରେ ଠିଆହୁଏ । ମହାକବି କାଳିଦାସଙ୍କ କବିତା ଏହିପରି ଗୃହ-ନିର୍ଗତ ପ୍ରବାସୀ ପଥିକମାନଙ୍କର ଓ ଗୃହସ୍ଥା ବିରହିଣୀ ପଥିକ-ବଧୂମାନଙ୍କର ଅନ୍ତର୍ବ୍ୟଥାରେ ସ୍ଥାନେ ସ୍ଥାନେ କରୁଣ ହୋଇ ଉଠିଛି । ଦେଶ ଓ କାଳ, ପଥିକ ଓ ତା’ର ପ୍ରିୟଜନମାନଙ୍କ ଭିତରେ ଯେଉଁ ବିଚ୍ଛେଦ ଘଟାଏ, ତାହା ମହାକବି ନିଜ ପ୍ରାଣରେ ଅନୁଭବ କରିଥିବେ । ନଚେତ୍ ତାଙ୍କ ବୀଣାତାରକୁ ପଥିକ-ବଧୂର ବିଳାପ ବାରମ୍ବାର ଆଘାତ କରନ୍ତା କାହିଁକି ?

 

୧୯୩୭ ଅଗଷ୍ଟ ମାସ ୨୦ ତାରିଖରେ ଉଜ୍ଜ୍ୱଳ ପ୍ରଭାତରେ ମୋତେ ପ୍ରବାସ କରିବାକୁ ହେବାରୁ ମୋର ପରିଚିତ-ପଥିକବେଦନା ନୂତନ କରି ମୋତେ ଅନୁଭବ କରିବାକୁ ହେଲା । ସେଦିନ ସକାଳେ ବିଜୟନଗର ଷ୍ଟେସନରେ ରେଳଗାଡ଼ି ମୋର ପ୍ରିୟଜନମାନଙ୍କୁ ମୋର ଦୃଷ୍ଟିର ଅନ୍ତରାଳକୁ ଧୀରେ ଧୀରେ ବୋହି ନେବାର ମୁଁ ଦେଖି ଦେଖି ପ୍ଳାଟଫର୍ମର କୌଣସି ଅଂଶରେ ଠିଆହୋଇଥାଏ । ସେମାନେ କ୍ରମେ ଅଦୃଶ୍ୟ ହେଲେ; ମୁଁ ମୋର ରୁଦ୍ଧ ବେଦନା ଧରି କୁଣ୍ଠିତ ଚିତ୍ତରେ ପ୍ରବାସ-ଯାତ୍ରା ଆରମ୍ଭ କଲି ।

 

ମାଡ଼୍ରାସ ଡାକଗାଡ଼ି ଦିନ ଗୋଟାକବେଳେ ବିଜୟନଗରରେ ପହଞ୍ଚିବାର କଥା । ଆହୁରି ତିନି ଘଣ୍ଟା ଖଣ୍ଡେ ଅପେକ୍ଷା କରିବାକୁ ପଡ଼ିବ । ସେଠାରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟ୍ରଙ୍କ ସଙ୍ଗେ ପରିଚିତ ହୋଇ ସ୍ନାନର ବନ୍ଦୋବସ୍ତ କଲି ଓ ତା’ପରେ ଭୀଷଣ କ୍ଷୁଧାରେ ଷ୍ଟେସନର ହୋଟେଲରେ ଖାଦ୍ୟ ପାଇଁ ଅନାଇଁ ରହିଲି । ପ୍ରାୟ ବାରଟା ବେଳେ ଭୋଜନ-ପତ୍ରରେ ଯାହା ଖାଦ୍ୟରୂପେ ପାଇଲି, ତାହା ଲୁଣ-ଲଙ୍କାର ସମାହାର । କୌଣସି ରୂପେ ଗଳାଧଃକରଣ କରି ବାହାରକୁ ଆସି ଗାଡ଼ିକି ଅପେକ୍ଷା କରି ରହିଲି ।

 

ବାଟରେ କଲମ୍ବୋ ପର୍ଯ୍ୟନ୍ତ ମତେ ଆହୁରି ଦୁଇ ଥର ଖଣ୍ଡେ ଏହି ମାଡ଼୍ରାସୀ ଖାଦ୍ୟ ଖାଇବାକୁ ପଡ଼ିଲା । ବିଜୟନଗରଠାରୁ ରମ୍ଭା ଯାଏ ଯିବା ଆସିବା କରିବାରେ ବରହମ୍‍ପୁରଠାରେ ମତେ ଦୁଇ ଥର ଏହି ଖାଦ୍ୟ ସଙ୍ଗେ ପରିଚିତ ହେବାକୁ ପଡ଼ିଛି । ମୁଁ ଆଗରୁ ଶୁଣିଥିଲି ଯେ, ତେଲଙ୍ଗାମାନେ ଖାଦ୍ୟ-ପେୟ ବଡ଼ ଶସ୍ତାରେ କରିନିଅନ୍ତି । ଦରିଦ୍ର ଓଡ଼ିଆ ପକ୍ଷରେ ଶସ୍ତାରେ ଭଲ ଖାଦ୍ୟ କିପରି ଜୁଟା ଯାଇପାରେ, ତାହା ଜାଣିବା ସ୍ୱାଭାବିକ । ତେଣୁ ମୁଁ ଏହି ମାଡ଼୍ରାସୀ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ମୋର କ୍ଷୁଧା ଓ କୌତୂହଳ ଉଭୟକୁ ଶାନ୍ତ କରୁଥିଲି । ମାଡ଼୍ରାସୀ ଖାଦ୍ୟ ସମ୍ବନ୍ଧରେ ଓଡ଼ିଆମାନଙ୍କର କେତେଟା କଥା ଜାଣି ରଖିବା ଉଚିତ । ଆମ ଦେଶର ଗୃହସ୍ଥ ଓ ଗୃହିଣୀମାନଙ୍କର ଧାରଣା ନାହିଁ ଯେ, ଖାଦ୍ୟ ଜାତିର ଚରିତ୍ର ଉପରେ କ୍ରିୟା କରେ । ଆମ୍ଭମାନଙ୍କ ଘରେ ବଳଦ ପାଇଁ କୁଳୁଚି ରନ୍ଧା ହେଲା ପରି ଗୁଡ଼ାଏ ରନ୍ଧାହୁଏ ଓ ଭୋଜନ ମଧ୍ୟ ସେହି ଶ୍ରେଣୀର ହୁଏ । ଅନ୍ୟ ପକ୍ଷରେ ବଡ଼ ଲୋକଙ୍କ ଘରେ ରନ୍ଧନ ଏପରି ଏକ ଜଟିଳ ପ୍ରଣାଳୀରେ ପରିଣତ ହୁଏ ଯେଉଁଥିରେ ଶ୍ରମ ଓ ଅର୍ଥର ପ୍ରଚୁର ବ୍ୟୟ ହୁଏ; କିନ୍ତୁ ଖାଦ୍ୟରୁ ତା’ର ପ୍ରାଣ ଲୟପ୍ରାପ୍ତ ହୁଏ । ପ୍ରାଚୀନ ଚୀନା-ନାରୀମାନଙ୍କର ପାଦ-ଯୁଗଳ ଲୁହାର ଯୋତାରେ ଖର୍ବ ହୋଇ ଚୀନା-କବିମାନଙ୍କ ଚକ୍ଷୁରେ ପଙ୍କଜ ପରି ଦେଖାଗଲେ କ’ଣ ହେବ, ସେ ପାଦରେ ତ ଚାଲିବାର ଶକ୍ତି ନ ଥାଏ । ଖାଦ୍ୟ ସଙ୍ଗେ ଜାତୀୟ ଚରିତ୍ରର ସମ୍ପର୍କ ଏଠାକୁ ଆସି ଆହୁରି ଅଧିକ ଭାବରେ ମୁଁ ବୁଝୁଛି । କିନ୍ତୁ ଏଠାରେ କଥା ପରେ କହିବି ।

 

ତେଲଙ୍ଗା ଖାଦ୍ୟରେ ପାଚେଡ଼ି, ଚାରୁ ଓ ଚହ୍ଲା ବିଶିଷ୍ଟ ଜିନିଷ । ପାଚେଡ଼ି ଚଟଣୀ ମାତ୍ର । ଆମ୍ଭେମାନେ କ୍ୱଚିତ୍ ଚଟଣୀ ବ୍ୟବହାର କରୁ । କିନ୍ତୁ ଚଟଣୀ ତେଲଙ୍ଗା ଖାଦ୍ୟର ଚିର ସହଚର । ଏହା ରୁଚିକର ଓ ବ୍ୟୟସଂକୋଚକ । କାରଣ ଶାକ୍‍ଶବ୍‍ଜି, ମାଛ ମାଂସ ଅଭାବରେ କେବଳ ପାଚେଡ଼ି ଘେନି ଭାତ ଖାଇ ହୋଇଯିବ । ତୈଲଙ୍ଗ ଗୃହିଣୀ ପାଚେଡ଼ିନିପୁଣା ଓ ଏହାର ଉପାଦାନ ସବୁ ତୈଲିଙ୍ଗ ଗୃହର ସାଇତା ଜିନିଷ ବୋଲି ମୁଁ ଶୁଣେ । ଓଡ଼ିଆ ଗୃହିଣୀମାନେ ବଡ଼ି ସଙ୍ଗେ ପାଚେଡ଼ିରେ ମଧ୍ୟ ନିପୁଣତା ଲାଭ କରିବା ଉଚିତ ।

 

ଚହ୍ଲା ବା ଘୋଳ ଦହିର ଆଦର ଜଗତର ସର୍ବତ୍ର ଓ ପୃଥିବୀର ସବୁପ୍ରକାର ଚିକିତ୍ସାଶାସ୍ନ୍ର ଏହାର ବ୍ୟବହାର ପାଇଁ ମୁକ୍ତ-କଣ୍ଠ । ଗଞ୍ଜାମ ଅଞ୍ଚଳର ଓଡ଼ିଆ ଗ୍ରାମମାନଙ୍କରେ ଏହାର ବେଶ୍ ପ୍ରଚାର । ମୁଁ ଉତ୍ତର ଓଡ଼ିଶା କଥା ଜାଣେନାହିଁ । କିନ୍ତୁ ତେଲଙ୍ଗାମାନଙ୍କ ପରି ଆମ୍ଭର ମଧ୍ୟ ଏହା ଜାତୀୟ ଖାଦ୍ୟ ହେବା ଉଚିତ୍ । ଏହା ଶସ୍ତା ଓ ସ୍ୱାସ୍ଥ୍ୟକର । ଦୁଧର କିଛି ଅପକାରିତା ଅଛି; ମାତ୍ର ଏହାର କୌଣସି ଅପକାରିତା ନାହିଁ ବୋଲି ଆୟୁର୍ବେଦ କହେ ।

 

ପ୍ରାୟ ଦୁଇ ବର୍ଷ ତଳେ ମୁଁ ଇଂରାଜୀ ‘ହରିଜନ’ ପତ୍ରିକା ନିୟମିତ ଭାବରେ ପଢ଼ିବାକୁ ପାଉଥିଲି । ମୁଁ ଯେଉଁ ସମୟରେ ପଢ଼ୁଥିଲି, ସେ ସମୟରେ ମହାତ୍ମା ଗାନ୍ଧି ତେନ୍ତୁଳି ଉପରେ ପରୀକ୍ଷା ଚଳାଇଥାନ୍ତି । ତେନ୍ତୁଳି ପାଣି ଯେ ମ୍ୟାଲେରିଆ ରୋଗର ଏକ ପ୍ରତିଷେଧକ, ଏ ସତ୍ୟ ଗାନ୍ଧିଜୀ ତାଙ୍କ ପରୀକ୍ଷାର ଫଳ ସ୍ୱରୂପ ସେହି ପତ୍ରିକାରେ ପ୍ରକାଶ କରିଥିଲେ । ତେନ୍ତୁଳି ମଧ୍ୟ ଏକ ଶସ୍ତା ଜିନିଷ । ଓଡ଼ିଶା ପରି ମ୍ୟାଲେରିଆ ପୀଡ଼ିତ ଦେଶରେ ତେଣୁ ଚାରୁପାଣିର ବନ୍ୟା ହେବା ଉଚିତ୍ । ହୁଏତ ଏ ବନ୍ୟା ବୈତରଣୀ ବା ମହାନଦୀ ବନ୍ୟାଠାରୁ ଶୁଭତର ଫଳ ଦେଇପାରେ । ତୈଲଙ୍ଗ ଦେଶରେ ମ୍ୟାଲେରିଆର ପ୍ରକୋପ ନାହିଁ । ଏହା ଚହ୍ଲା ଓ ଚାରୁର ଫଳ ବୋଲି ମୁଁ ଶୁଣେ-। ବାଟରେ ଯେତେ ତେଲଙ୍ଗା ଯାତ୍ରୀ ଦେଖିଲି, ସେମାନେ ବେଶ୍ ହୃଷ୍ଟପୁଷ୍ଟ । ବିଶେଷତଃ ତୈଲଙ୍ଗା ରମଣୀମାନଙ୍କର ରମଣୀୟ ସ୍ୱାସ୍ଥ୍ୟ ଓଡ଼ିଶାର ସୀମନ୍ତିନୀମାନଙ୍କର ବିଚାର କରିବାର କଥା-। ବିଜୟନଗର ଡେଇଁଲେ କି ପୁରୁଷ, କି ସ୍ତ୍ରୀ ସମସ୍ତଙ୍କର ପ୍ରଚୁର ଚିକ୍‍କଣ କୃଷ୍ଣକେଶରାଜି ଆଖିରେ ଧରାପଡ଼େ । ମାଡ଼୍ରାସୀମାନେ ଓଡ଼ିଆମାନଙ୍କ ଅପେକ୍ଷା ବେଶ୍ ଚଟ୍‍ପଟ୍ ଓ ଫୂର୍ତ୍ତି ଜାତି ।

 

ଏସବୁର ମୂଳରେ ଖାଦ୍ୟର ସମ୍ବନ୍ଧ ନିଶ୍ଚୟ ଥିବ । କାରଣ ଓଡ଼ିଶା ମାନ୍ଦ୍ରାଜ ଭିତରେ ଭୌଗୋଳିକ ପ୍ରଭେଦ ବିଶେଷ କିଛି ନୁହେଁ; କିନ୍ତୁ ଐତିହାସିକ ଓ ଜାତୀୟ ପ୍ରଭେଦ ବିଶେଷ । କୋଣାର୍କକୁ ବାଦ୍‍ଦେଲେ ଆନ୍ଧ୍ରମାନଙ୍କର ଐତିହାସିକ ଗୌରବ ସଙ୍ଗେ ଆମର ତୁଳନୀୟ ଗୌରବ ଅଛି ବୋଲି ମୋର ମନେ ହେଉ ନାହିଁ । ଆନ୍ଧ୍ର ସୀମନ୍ତିନୀମାନଙ୍କର ବସନ ଓ ଭୂଷଣର ପରିପାଟୀ ଓ ପ୍ରସାଧନର ଉତ୍କର୍ଷତା ମାନିବାକୁ ହେବ । ବଞ୍ଚିବାଟାକୁ ସୁନ୍ଦର ଓ ସୁଖମୟ କରିବା ସଭ୍ୟତାର ବିଶିଷ୍ଟ ଚିହ୍ନ । ବସନଭୂଷଣ, ଭୋଜନ ପ୍ରଭୃତି ବଞ୍ଚିବାର ଏକ ଏକ ଅଂଶ । ଏସବୁ ଦିଗରେ ଆମ୍ଭମାନଙ୍କର ପରିବର୍ତ୍ତନ ଦରକାର । ଯଦି ଆମର ପ୍ରତିବେଶୀ ଏ ଦିଗରେ କିଛି ଶିକ୍ଷା ଦେଇପାରନ୍ତି, ତେବେ ତାହା ଆନନ୍ଦରେ ଗ୍ରହଣ କରିବାର କଥା ।

 

ଭାରତବର୍ଷରେ ତୃତୀୟ ଶ୍ରେଣୀ ରେଳଯାତ୍ରୀର ଅନୁଭୂତି, ମନୁଷ୍ୟର କଠୋର ଜୀବନ-ସଂଗ୍ରାମର ଏକ କ୍ଷୀଣ ପ୍ରତିବିମ୍ବ । ଯେଉଁ କକ୍ଷରେ ୯ ଜଣ ବସିବାର କଥା, ସେଠି ୧୯ ଜଣ ଭର୍ତ୍ତି ହେବେ । ସାଙ୍ଗରେ ଗାଡ଼ିଏ ଗାଡ଼ିଏ ଜିନିଷ । ଫଳରେ ମନୁଷ୍ୟ ଓ ଜିନିଷର ପ୍ରଭେଦ ରହେ ନାହିଁ-ମଣିଷ ଓ ଜିନିଷ-ଜିନିଷ ଓ ମଣିଷ । ସ୍ଥାଣୁରେ ପରିଣତ ହୁଏ, ଗାଡ଼ି ତାକୁ ବିଦ୍ୟୁତ୍ ଗତିରେ ବୋହୁଥାଉ ପଛେ । ବିଜୟନଗରଠାରୁ ମାଡ଼୍ରାସ ଓ ମାଡ଼୍ରାସଠାରୁ ତ୍ରିଚିନାପଲ୍ଲୀ ଷ୍ଟେସନ ପର୍ଯ୍ୟନ୍ତ-ମତେ ଏହି ପ୍ରକାର ଅନୁଭୂତି ଦେଇ କାଳ କାଟିବାକୁ ପଡ଼ିଥିଲା ।

 

ସେଇ ଭିତରେ ଅବଶ୍ୟ ପରିଚୟ ପୁଣି ହୁଏ-ଠିଆ ହେବାରୁ ବସିବା ଓ ବସିବାରୁ ଶୋଇବାର ବନ୍ଦୋବସ୍ତ ପୁଣି ସେଇ ଭିତରେ କରିବାକୁ ହୁଏ । ମନୁଷ୍ୟ ନାମକ ଜୀବ ନିଜକୁ ପାରିପାର୍ଶ୍ୱିକ ଅବସ୍ଥା ସଙ୍ଗେ ମିଶାଇ ନେଇପାରେ ବୋଲି ଏ ଯାଏ ଏ ଜଗତରେ ତିଷ୍ଠି ପାରିଛି ଏହାହିଁ ବୈଜ୍ଞାନିକମାନଙ୍କ ମତ । ମନୁଷ୍ୟର ସେହି ଗୁଣ ଭାରତର ତୃତୀୟ ଶ୍ରେଣୀ ଗାଡ଼ିରେ ବେଶ୍ କାମ ଦିଏ ।

 

ମାଡ଼୍ରାସର ଜଣେ ଯୁବକ ମୋ ଆଗରେ ବସିଥିଲେ । ଆଇ. ଏ. ପାଶ୍ କରିଛନ୍ତି; କିନ୍ତୁ ସୁନା ରୂପାର ବ୍ୟବସାୟ କରନ୍ତି । ମାଡ଼୍ରାସ କଲିକତା ପ୍ରଭୃତି ସହରରେ ଦୋକାନ । ଅତି ଭଦ୍ର, ସୁନ୍ଦର ଦ୍ରାବିଡ଼ୀୟ ଚେହେରା, ଭାଲଦେଶରେ ଗୋରଚନା ଚିତା । ତାଙ୍କର ବାମରେ, ଗାଡ଼ିର ଗୋଟିଏ କଣରେ ଜଣେ ବୃଦ୍ଧ । ସେ ହାଇଦ୍ରାବାଦ ରେଲଓୟେର ଇଞ୍ଜିନ୍ ଡ୍ରାଇଭର ଥିଲେ-ଛଅ ହଜାର ଟଙ୍କାର ବିଦାକୀ ସହିତ ପେନସନ୍ ପାଉଛନ୍ତି । ବାଟଯାକ ସେ ଇଞ୍ଜିନ ଡ୍ରାଇଭରମାନଙ୍କ କଥା କହୁଥାନ୍ତି । ଭାରତବର୍ଷର ଘୋର ଗ୍ରୀଷ୍ମକାଳରେ ଏହି ଶ୍ରେଣୀର ଲୋକେ ଜଳନ୍ତା ନିଆଁ ପାଖେ କିମିତି କାମ କରନ୍ତି, ତା’ର ବର୍ଣ୍ଣନା କରି ନିଜ ଅର୍ଜନର ଯଥାର୍ଥତା ସେ ବର୍ଣ୍ଣନା କରୁଥାନ୍ତି । ମୋର ପଛପଟେ ଦିଲ୍ଲୀର ଏକ ଶିକ୍ଷିତ ମାରବାରି ବଣିକ ସପରିବାର ତୀର୍ଥଯାତ୍ରାରେ ବାହାରିଛନ୍ତି । ସେ ମାଡ଼୍ରାସ ବାଟେ ରାମେଶ୍ୱର ଯିବେ । ସାଙ୍ଗରେ ଗୋଟିଏ ଶିଶୁ; କିନ୍ତୁ ସାଥି ସାଥି ବର୍ଣ୍ଣମାଳା ଅଛି; ଅବସର ପାଇଲେ ସେଇ ଗାଡ଼ି ଭିତରେ ଶିଶୁର ବର୍ଣ୍ଣ ପରିଚୟ ହୋଇଯିବା ଲାଗି ଚେଷ୍ଟା । ବି. ଏ. ଯାଏ ପାଠ-ଅଥଚ ଦିଲ୍ଲୀରେ ଦୋକାନ କରିଛନ୍ତି । କେତେ ଟଙ୍କା ଜମା କରିଛ ପଚାରିଲେ-“ଈଶ୍ୱର ଯାହା ଦେଇଛନ୍ତି, ମୁଁ ତା’ର ରକ୍ଷକ ମାତ୍ର” ବୋଲି ଉତ୍ତର ଦେଲେ । ମୁଁ ବିଲାତ ଯାତ୍ରା କରୁଥିବାର ଶୁଣି ସମୁଦ୍ରପୀଡ଼ାରୁ ରକ୍ଷା ପାଇବା ଲାଗି ଗୋଟେ ଔଷଧ ବତେଇ ଦେଲେ । ଯଦିବା ସମୁଦ୍ରପୀଡ଼ାର କୌଣସି ଔଷଧ ନାହିଁ ଏବଂ ସେ ଭଦ୍ରଲୋକଙ୍କର ଔଷଧ ବି କିଛି କାର୍ଯ୍ୟରେ ଆସିଲା ନାହିଁ, ତଥାପି ତାଙ୍କର ସଦିଚ୍ଛା ପାଇଁ ମୁଁ କୃତଜ୍ଞ । ଧନୀ ଓ ଶିକ୍ଷିତ ହୋଇ ମଧ୍ୟ ତାଙ୍କର ସାଧାରଣ ବ୍ୟବହାର ମୋର ମନ ମନକୁ ଭାରି ଘେନିଲା । ଶିକ୍ଷିତ ହୋଇ ମଧ୍ୟ ଭାରତବର୍ଷର ଅନ୍ୟ ଅଞ୍ଚଳର ଲୋକେ ବ୍ୟବସାୟକୁ ଧରିଲେଣି । ଓଡ଼ିଶାରେ କିନ୍ତୁ ଚାକିରୀର ମୋହ ଆହୁରି ଦିନାକେତେ ଚାଲିବ ।

 

ତୃତୀୟ ଶ୍ରେଣୀର ଏହି ସଙ୍ଗ ମଧ୍ୟରେ ରାତି କଟେଇ ସକାଳ ୮ଟା ବେଳେ ମାଡ଼୍ରାସ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିଲି । ଭବାନୀପାଟଣାଠାରୁ ମାଡ଼୍ରାସରେ ଥିବା କୌଣସି ଓଡ଼ିଆ ଭଦ୍ରଲୋକଙ୍କର ଠିକଣା ଓ ପରିଚୟ ପତ୍ର ମୁଁ ଆଣିଥାଏ । କିନ୍ତୁ କାଳେ ତାଙ୍କୁ ପାଇ ନ ପାରେ, ମାଡ଼୍ରାସୀ ଯୁବକବଣିକ ମୋତେ ତାଙ୍କର ଠିକଣା ଦେଇ ଓଡ଼ିଆ ଭଦ୍ରଲୋକଙ୍କୁ ନ ପାଇଲେ ତାଙ୍କ ଘରକୁ ଯିବାକୁ କହି ରଖିଥିଲେ । ଷ୍ଟେସନରେ ଓହ୍ଲାଇ ମୋର ଜିନିଷ ଓଜନ ହେବା ଭିତରେ ସେ ଯେ କୁଆଡ଼େ ଗଲେ, ମୁଁ ଆଉ ତାଙ୍କୁ ପାଇଲି ନାହିଁ । ବାଧ୍ୟହୋଇ ଏକାକୀ ଝଟ୍‍କାକରି ଓଡ଼ିଆଭଦ୍ରଲୋକଙ୍କ ଘର ବହୁତ କଷ୍ଟରେ ଖୋଜି ଆଶ୍ରୟ ନେବାକୁ ହେଲା । ବାଟରେ ଝଟ୍‍କାବାଲା ମୋ ସାଙ୍ଗେ ଇଂରାଜୀରେ କଥା ହେଉଥାଏ । ଅବଶ୍ୟ ସେ ଇଂରାଜୀରେ ସାମାନ୍ୟ କେତେଟା ବାକ୍ୟ ଜାଣିଛି ମାତ୍ର । କିନ୍ତୁ ମାଡ଼୍ରାସରେ ଇଂରାଜୀ ଭାଷାର ପ୍ରଚଳନ ବହୁତ ବେଶି । କଲମ୍ବୋର ଯେଉଁ ହୋଟେଲରେ ଥିଲି, ସେଠି ତାମିଲ ଦରବାନ୍ ସବୁ ଅଛନ୍ତି । ମୋ ସାଲାରେ ଯେଉଁ ଟୋକାଟି ଥାଏ, ସେ ବେଶ୍ ଇଂରାଜୀ କହୁଥାଏ ।

 

ମାଡ଼୍ରାସରେ ମୁଁ ଦିନେ ମାତ୍ର ଥିଲି । Thomas Cook ଅଫିସରୁ ଟିକଟ ସଂଗ୍ରହ ଓ ଅନ୍ୟାନ୍ୟ କେତେକ ଜିନିଷ କିଣାକିଣି କରିବା ପାଇଁ ଏଠାରେ ଓହ୍ଲାଇଥିଲି । ମାଡ଼୍ରାସ ଜନଗହଳ ସହର ନୁହେଁ । ମଧୁର ଜ୍ୟୋତ୍ସ୍ନାଚକିତ ମାଡ଼୍ରାସର ସେହି ସୁପ୍ରସିଦ୍ଧ ବେଳାଭୂମିରେ ସେ ଦିନ କେତେ ଘଣ୍ଟା ବସି ବସି କଟେଇଥିଲି । ସମୁଦ୍ରର ବେଳାଭୂମି ତ ମୋର ପିଲାଦିନର ଧୂଳିଶେଯ । କାରଣ ଆମ ଘରଠାରୁ ମାତ୍ର ଅର୍ଦ୍ଧକ୍ରୋଶ ଦୂରରେ ମହୋଦଧିର ଫେନଚୂଡ଼ ସହସ୍ର ଲହରୀ ଅହୋରାତ୍ର ଦିଗନ୍ତ-ଲମ୍ବୀ ବେଳାଭୂମିରେ ଫଣା ପିଟନ୍ତି । ଦିବସର କୋଳାହଳ, ସଂଧ୍ୟାଗମ ସଙ୍ଗେ ସଙ୍ଗେ ଶାନ୍ତ ହୁଅନ୍ତେ ଆମ ଗ୍ରାମ ଦାଣ୍ଡକୁ ମହୋଦଧି ଓ ବେଳାଭୂମିର ସଶବ୍ଦ ବିଶ୍ରମ୍ଭାଳାପ ସାରା ରାତ୍ରି ଶୁଭେ । ବେଳାଭୂମିର ସ୍ୱର୍ଣ୍ଣଶର୍ଯ୍ୟା ଉପରେ ଆମ୍ବ, ପୋଲାଙ୍ଗ, ଝାମୁ ପ୍ରଭୃତି ବନସ୍ପତିର ସଚ୍ଛାୟ ଉପବନମାଳାରେ ଗ୍ରୀଷ୍ମକାଳର ସ୍ୱିନ୍ନ ଦେହରେ ସୈନ୍ଧବ ବାୟୁର ମଧୁର ସ୍ପର୍ଶ ମୋର ଅତି ପରିଚିତ ଅନୁଭୂତି । ତେଣୁ ମାଡ଼୍ରାସର ବେଳାଭୂମିରେ ମୁଁ ଚମତ୍କୃତ ହେବାର କଥାନୁହେ । କିନ୍ତୁ ମହାକବିଙ୍କ ଶ୍ଳୋକର ଅଂଶ ପରିବର୍ତ୍ତନ କରି “ଜୋତ୍ସ୍ନାଲୋକେ ଭବତି ସୁଖୀନୋଽପ୍ୟଥାବୃତ୍ତି ଚେତଃ, କଣ୍ଠାଶ୍ଳେଷଗ୍ରଣୟିନି ଜନେ କିଂ ପୁନଃ ଦୂରସଂସ୍ଥେ” ଗାଇଲେ ମୋର ସେହି ମାଡ଼୍ରାସ ବେଳାର ଜୋତ୍ସ୍ନା ଭୋଗର ଅନୁଭୂତି ବର୍ଣ୍ଣିତ ହେବ ।

 

ମୁଁ ଯେଉଁ ଦିନ ମାଡ଼୍ରାସରେ ଥିଲି, ସେଦିନ ମାଡ଼୍ରାସକୁ ସେଠାର କ୍ୟାଥଲିକ୍ ସଂପ୍ରଦାୟର ନୂତନ ବିଶପ୍ ଆସୁଥାନ୍ତି । ତାଙ୍କୁ ସଂବର୍ଦ୍ଧନା କରିବା ପାଇଁ ଯେଉଁ ବିରାଟ ଶୋଭାଯାତ୍ରା ହୋଇଥିଲା, ତାହା ଦେଖିବାର ମୁଁ ସୁଯୋଗ ପାଇଥିଲି । ବ୍ୟାଣ୍ଡ୍ ବାଜୁଥାଏ, ପଂକ୍ତିବଦ୍ଧ ହୋଇ ଖ୍ରୀଷ୍ଟିୟାନ୍ ବାଳକ ବାଳିକା, ତରୁଣ ଭଗିନୀବୃନ୍ଦ ଓ ପୁରୋହିତବୃନ୍ଦ ପଛକୁ ପଛ ଚାଲିଥାନ୍ତି । ସଭା ଶେଷରେ ବିଶପ୍-ତାଙ୍କ ମସ୍ତକରେ ସ୍ୱର୍ଣ୍ଣ ମୁକୁଟ, ଉପରେ ଚନ୍ଦ୍ରାତପ, ପୁରୋହିତ ଚାରି ଜଣ ଚାରି ପଟେ ଟେକି ଧରିଛନ୍ତି; ଆଗରେ ଜଣେ ସ୍ୱର୍ଣ୍ଣଗଦା ଧରି ଚାଲିଥାଆନ୍ତି । ଏ’ତ ରାଜାଡ଼ମ୍ବର ! ଯୀଶୁଖ୍ରୀଷ୍ଟ ଦରିଦ୍ର ବଢ଼େଇ ଘରେ ଜନ୍ମ ହୋଇଥିଲେ ଓ ଦରିଦ୍ର ଜୀବନ ଯାପନ କରିଥିଲେ । ତାଙ୍କ ଧର୍ମର ପ୍ରତିଭୂ ସୁନାର ମୁକୁଟ ପିନ୍ଧି ରାଜାଡ଼ମ୍ବରରେ ଉଠିବା ବସିବା, ଧର୍ମର ବ୍ୟଭିଚାର । ଅବଶ୍ୟ ଏ ପ୍ରକାର ଅଭିନୟ ଜନସାଧାରଣଙ୍କ ମାନସିକତା ଉପରେ ଭାରି କାର୍ଯ୍ୟ କରେ । ହିନ୍ଦୁ ଧର୍ମର ଯାନିଯାତ୍ରା ଓ ପ୍ରତିମାକୁ ଘେନି ଶୋଭାଯାତ୍ରା କରିବାର ମୂଳରେ ପହି ମନଃସ୍ତତ୍ୱ ରହିଚି । କିନ୍ତୁ କ୍ୟାଥଲିକ୍ ଖ୍ରୀଷ୍ଟିଆନ ହିନ୍ଦୁକୁ ବର୍ବର ଭାବେ-କାରଣ ସେ ଧର୍ମର ଲୋକଙ୍କର ସାମ୍ରାଜ୍ୟ ଅଛି, ତୋପ ବୋମା ଅଛି, ହିନ୍ଦୁର ସେସବୁ ନାହିଁ । ଏ ଯୁଗର ଏଇଟା ସବୁଠୁ ବଡ଼ ଅପରାଧ ।

 

ଓଡ଼ିଆ ଭଦ୍ରଲୋକ ଅଗଷ୍ଟ ୨୨ ତାରିଖ ରାତିରେ ମତେ ଏଗ୍‍ମୋର୍ ଷ୍ଟେସନନ୍‍ଠାରେ ଛାଡ଼ି ଦେଇ ଗଲେ । ତାଙ୍କର ଅତିଥିସତ୍କାର ଲାଗି ମୁଁ ଅତ୍ୟନ୍ତ କୃତଜ୍ଞ ।

 

ମାଡ଼୍ରାସରେ ଟମାସ୍ କୁକ୍ ଅଫିସରେ ଶୁଣିଲି ଯେ, ମଣ୍ଡପମ୍ ନାମକ ଷ୍ଟେସନଠାରେ ସମସ୍ତ ସିଂହଳଗାମୀ ଯାତ୍ରୀଙ୍କର ପରୀକ୍ଷା ହୁଏ । ଏହା ସିଂହଳ ସରକାରଙ୍କ ପକ୍ଷରୁ ହୁଏ । ଅନେକ ସମୟରେ ଅନେକ ଯାତ୍ରୀଙ୍କୁ ଅଟକେଇ ରଖାଯାଏ । ଦ୍ୱିତୀୟ ଶ୍ରେଣୀ ଓ ପ୍ରଥମ ଶ୍ରେଣୀ ଯାତ୍ରୀମାନଙ୍କ ପ୍ରତି ଅବଶ୍ୟ କିଏ ଭିନ୍ନ ବ୍ୟବହାର ହୁଏ । ତେଣୁ ମୋର ଅନ୍ତତଃ ଦ୍ୱିତୀୟ ଶ୍ରେଣୀରେ ଯିବା ଉଚିତ । ସେମାନଙ୍କର ଉପଦେଶ ଅନୁଯାୟୀ ତହିଁ ଆରଦିନ ସକାଳେ କ୍ରିଚିନାପଲ୍ଲୀ ଷ୍ଟେସନରେ ମୁଁ ତୃତୀୟ ଶ୍ରେଣୀର ଟିକଟକୁ ବଦଳେଇ ଦ୍ୱିତୀୟ ଶ୍ରେଣୀର କଲି । ‘ମାଡ଼୍ରାସ ସାଉଥ୍ ମରହଟ୍ଟା ରେଲବାଇ’ର ମଧ୍ୟମ ଶ୍ରେଣୀ ନାହିଁ । ଦ୍ୱିତୀୟ ଶ୍ରେଣୀ,B. N. R.ର ଦ୍ୱିତୀୟ ଶ୍ରେଣୀଠାରୁ ଶସ୍ତା ଓ ଅଧିକତର ସ୍ୱାଚ୍ଛନ୍ଦ୍ୟଦାୟକ ।

 

ମାନମଦୁରାଇ ନାମକ ଷ୍ଟେସନରେ କଲମ୍ବୋରେ ଟମାସ୍ କୁକ୍ ଅଫିସରେ କାମକରୁଥିବା ଜଣେ ମାଡ଼୍ରାସୀ ଭଦ୍ରଲୋକ ବି ମୋ କାମରାକୁ ଆସିଲେ । ସେ ତାମିଲ୍ । ପରେ ବୁଝିଲି, କଲମ୍ବୋ ଟମାସ୍ କୁକ୍ ଅଫିସର ସେ ହେଡ଼ ଆକାଉଣ୍ଟାଣ୍ଟ । ବେଶ୍ ବଡ଼ ଚାକିରୀ; କିନ୍ତୁ ମସ୍ତକରେ ଚୁଟୀ । ଚାରିପାଖେ ମସ୍ତକର ଯେଉଁ କେଶାଂଶ, ସେଥିରେ ମାସେ ହେଲା ଖିଅର ହୋଇ ନ ଥିବା ଟାଆଁସା ରୂଢ଼ । ଏଣେ କୋଟପ୍ୟାଣ୍ଟ ପୋଷାକ । ବ୍ୟକ୍ତିଗତ ବେଶଭୂଷାରେ ଅନେକ ତେଲେଙ୍ଗା ଓ ତାମିଲ ଶିକ୍ଷିତ ହେଲେ ମଧ୍ୟ ପ୍ରାଚୀନତାକୁ ଜଳାଞ୍ଜଳି ନ ଦେଇ ଏ ପ୍ରକାର ଅସାମଞ୍ଜସ୍ୟକୁ ନେଇ କିପରି ଚଳନ୍ତି, ମୁଁ ଆଶ୍ଚର୍ଯ୍ୟ ହୁଏ । କାରଣ ଏକେ ତ ଚଳନ୍ତି ପ୍ରଥାରୁ ଅଲଗା ହୋଇ ରହି ପାରିବା ଖୁବ୍ ସାହସ ଦରକାର କରେ; ପୁଣି ନିଜର ସ୍ୱାତନ୍ତ୍ର୍ୟ ପାଇଁ ଯେଉଁମାନେ ବ୍ୟକ୍ତିଗତ ଚେହେରାକୁ ବି ଖୁଣ୍ କରିବାକୁ କୁଣ୍ଠିତ ନୁହନ୍ତି, ସେମାନଙ୍କର ସାହସ ଆହୁରି ବେଶି । ଦ୍ରାବିଡ଼ମାନଙ୍କର ଆତ୍ମପ୍ରତ୍ୟୟ ଆମ୍ଭମାନଙ୍କଠାରୁ ଅଧିକ ନିଶ୍ଚୟ । ଆତ୍ମପ୍ରତ୍ୟୟ ଆତ୍ମପ୍ରତିଷ୍ଠାର ମୂଳପତ୍ତନ । ଆମେମାନେ ତିନିଶ ବର୍ଷର ଦୁଃଖ ଦାରିଦ୍ର୍ୟରେ ଏ ଆତ୍ମ-ପ୍ରତ୍ୟୟକୁ ଏକାବେଳକେ ହରେଇଛୁ । ଆମେ ନିଜର ଗୌରବ ନିଜେ ଜାଣୁନା । ନିଜର ଯାହା ଭଲ, ତାକୁ ଥଟ୍ଟା କରୁ ଓ ପରର ଥଟ୍ଟାକୁ ଡରି ଡରି ଖାଉ, ବସୁ, ଉଠୁ, କଥା କହୁ । ଏଥିରେ ଆମର ଜାତୀୟ ସ୍ୱାତନ୍ତ୍ର୍ୟ କିପରି ବିକଶିତ ହେବ ?

 

ସମଗ୍ର କରମଣ୍ଡଳ ବେଳାର ପ୍ରାକୃତିକ ଚେହେରା ଉତ୍କଳୀୟ ନିମ୍ନଭୂମିର ଏକ କ୍ରମମାତ୍ର-। ଦିଗନ୍ତବ୍ୟାପୀ ଶସ୍ୟ-ଶାମଳ ସମତଳ । ଦରିଦ୍ର କୃଷକର ବ୍ୟକ୍ତିଗତ କ୍ଷୁଦ୍ର ଅଧିକାର, ସେହି ଅସୀମ ଉପରେ ହିଡ଼ର ଛୋଟ ସୀମା ଟାଣି ତାକୁ ରେଖାୟିତ କରିଛି । ନିକଟରେ ଓ ଦୂରରେ ଏ ପାଖେ ଓ ସେ ପାଖେ ଛୋଟ ଛୋଟ ଗ୍ରାମ, ଯେଉଁଠି ବସତି ଓ ପ୍ରକୃତି ଏପରି ଘନାଲିଙ୍ଗନରେ ଆବଦ୍ଧ ଯେ, କିଏ କାର ସୀମାକୁ ମାଡ଼ି ଆସିଛି ବାରି ହେଉ ନାହିଁ । ଗ୍ରାମର ସୀମାରେ ପ୍ରାକୃତିକ ଜଳାଧାର । କଇଁ, ପଦ୍ମରେ ତା’ର ଆକାଶ ତାରକିତ ଓ ଜଳାସ୍ତରଣରେ ତାର ବକ୍ଷ ଆବୃତ । ଜଳତୋଠରେ ଚକିତନୟନା ସୀମନ୍ତିନୀଗଣ । ବିଲରେ କର୍ଷଣରତ କୃଷୀଜୀବୀ-ମାଟି ଉପରେ ତାର ଆଖି; ସେ ଆଖି କେବଳ ସେଇ ମାଟି, ସେଇ ବଳଦ ଓ ସେଇ ମାଟିର ଶସ୍ୟ ସଙ୍ଗେ ପରିଚିତ । ଓଡ଼ିଶାର ସମତଳ ଦେଶର ଏହି ପରିଚିତ ଦୃଶ୍ୟ, ସମସ୍ତ କରମଣ୍ଡଳ ପଥରେ ପୁନରାବୃତ୍ତି ହେଲା ମାତ୍ର । ମୋର ଦକ୍ଷିଣପାର୍ଶ୍ୱରେ ପୂର୍ବଘାଟ ପର୍ବତମାଳାର ନୀଳ ପ୍ରାଚୀର । ତା’ର ଚୂଡ଼ା, କଣ୍ଠ ଓ କଟୀଦେଶରେ ଶରତ ମେଘର ଶୁଭ୍ର ବପ୍ରକ୍ରୀଡ଼ା; ବାମଭାଗରେ କେବେ କେବେ ଦେଖାଯିବା ସ୍ୱର୍ଣ୍ଣ ବେଳାଭୂମିରେ ଝାଉଁବନର ଧୂମ୍ର-ଶ୍ରୀ; ଉଭୟପାର୍ଶ୍ୱରେ ନାରିକେଳ ଓ ତାଳର ଘଞ୍ଚ ସମାବେଶ-ଏହି ଦୃଶ୍ୟମାନଙ୍କ ମଧ୍ୟରେ ମୁଁ ସମଗ୍ର ମାଡ଼୍ରାସ ଅତିକ୍ରମ କଲି । ଉତ୍କଳ ଓ ବଙ୍ଗଳାର ତରଙ୍ଗାୟିତ ଧାନ୍ୟଶସ୍ୟ ପରିବର୍ତ୍ତରେ ଏ ଅଞ୍ଚଳରେ ଅବଶ୍ୟ ମାଣ୍ଡିଆର ଦଣ୍ଡାୟମାନ ଚେହେରା ଆଖିରେ ପଡ଼େ । ଚାଉଳ ଖାଦ୍ୟ ତ ଓଡ଼ିଆକୁ ଧାନଗଛ ପରି ନରମ ଓ ନମ୍ର କରି ପକାଏ । ମାଣ୍ଡିଆ ମନୁଷ୍ୟକୁ ମାଣ୍ଡିଆ ରଖିବାର କଥା । ଏହା ମାଡ଼୍ରାସର ଡାକ୍ତର ଅକ୍‍ରୟଡ଼ ଜୋରଦେଇ କହିଛନ୍ତି; ଓଡ଼ିଆମାନେ ସେ କଥାଟାକୁ ନିଜର ଅବଧାନକୁ ଆଣିବା ଉଚିତ ।

 

ରାମନାଦ ଜିଲାର ରୁକ୍ଷ ମରୁଭୂମି ଦେଇ ଦୀର୍ଘ ଅପରାହ୍ନ କଟେଇଲା ପରେ ମଣ୍ଡପମ୍ ଷ୍ଟେସନରେ ଗାଡ଼ି ପହଞ୍ଚିଲା । ଏହିଠାରେ ସିଲୋନ୍ ସରକାରଙ୍କ ଡାକ୍ତର ଆସି ଆମମାନଙ୍କୁ ତଦାରଖ୍ କଲେ । ଡାକ୍ତର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ କାମରାକୁ ନିଜେ ଆସନ୍ତି । କିନ୍ତୁ ତୃତୀୟ ଶ୍ରେଣୀ ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲେଇ ସିଲୋନ ସରକାରୀ ଅଫିସକୁ ଯିବାକୁ ହୁଓ । ତଦାରଖି ବେଶ୍ କଡ଼ା ଧରଣର । କାରଣ ଆମ କାମରାରେ ଦୁଇ ଜଣ ଉଠିଥିବା ଦ୍ୱିତୀୟ ଶ୍ରେଣୀ ଯାତ୍ରୀ ମଧ୍ୟ ସେଦିନ ଅଟକି ରହିବେ । ସେମାନେ ଦ୍ୱିତୀୟ ଶ୍ରେଣୀରେ ଉଠିଥିଲେ କେବଳ ତଦାରଖିରୁ ରକ୍ଷା ପାଇବାକୁ । ତେବେ ଭାଗ୍ୟ ଖରାପ ! ଆମକୁ ମଧ୍ୟ ଗାଡ଼ି ଛାଡ଼ି ସିଲୋନୀ ଅଫିସରେ ନିଜର ପରିଚୟ ଦେଇ ଆସିବାକୁ ହୋଇଥିଲା । କିନ୍ତୁ ପାଖରେ ସାଧାରଣ ଡାକ୍ତରୀ ସାଟିଫିକେଟ୍ ଦେଖି ଓ ବିଲାତ ଯିବାର ସମ୍ବାଦ ଶୁଣି ସେମାନେ କିଛି କହିଲେ ନାହିଁ ।

 

ମଣ୍ଡପମ୍ ଷ୍ଟେସନର ପ୍ଳାଟଫର୍ମ ପାର ହେଉ ନ ହେଉଣୁ ନୟନାଭିରାମ ରୂପ ଦୃଷ୍ଟିର ଅତିଥି ହେଲା । ଆମେମାନେ ଯେ, ଦକ୍ଷିଣସମୁଦ୍ରର ଏତେ ନିକଟ ହେଲୁଣି, ତା’ର କୌଣସି ସୂଚନା ନ ଥିଲା । ଗାଡ଼ି ହଠାତ୍ ଗୋଟିଏ କ୍ଷୁଦ୍ର ସିକତାମୟ ଅନ୍ତରୀପ ମଧ୍ୟଦେଇ ଚାଲିବାକୁ ଲାଗିଲା ଏବଂ ଆମମାନଙ୍କ ଉଭୟ ପାର୍ଶ୍ୱରେ ନୀଳ ଜଳଧିର ପ୍ରଶାନ୍ତ ବିସ୍ତାର ଉଦ୍ଭାସିତ ହୋଇ ଉଠିଲା । ବେଳାଭୂମିରେ ଠିଆହୋଇ ସମୁଦ୍ର ଆଡ଼କୁ ଅନାଇଲେ ତାର ଅସୀମତ୍ୱହିଁ ଆମମାନଙ୍କର ଅନୁଭୂତି ଉପରେ ବାରମ୍ବାର ଆଘାତ କରେ । ସେ ଅନୁଭୂତି ଆମମାନଙ୍କର ପରିଚିତ; କିନ୍ତୁ ବାଲୁକାର ନୈସର୍ଗିକ ସେତୁ ଉପରେ ଗତିକରି, ଯେତେବେଳେ ବାରାନିଧିକୁ ମୋର ଏ ପଟେ ସେ ପଟେ ଶାନ୍ତଭାବରେ ପଡ଼ି ରହିବାର ଦେଖିଲି, ପଶୁରାଜକୁ ସର୍କସରେ ଦେଖିବାର ଆନନ୍ଦ ପାଇଲି । ଦୁର୍ବାର ଅନନ୍ତ-ଜଳନିଧି ତା’ ଉପରେ ପ୍ରକୃତି ଏପରି ଭାଗ-ରେଖା ବସେଇ ଦେଇଛି ଯେ, ମୋ ପରି ଦୁର୍ବଳ ମଧ୍ୟ ତା’ଉପରେ ଗତିକରି ତା’ର ଶାନ୍ତ ରୂପ ଦେଖିପାରିଲା । ଜଳ ଘୋର ନୀଳବର୍ଣ୍ଣ । ସାମାନ୍ୟତମ ଲହରୀ ସୁଦ୍ଧା ନାହିଁ; ସ୍ୱର୍ଣ୍ଣକାନ୍ତ ସିକତା ସୀମାରେ ଶାନ୍ତ ଜଳରାଶିର ଆଲିଙ୍ଗନ ଅପୂର୍ବ ସୁନ୍ଦର ଦେଖାଯାଉଥାଏ । ବେଳାଭୂମିର ସ୍ଥାନେ ସ୍ଥାନେ ପ୍ରସ୍ତରମାଳା, ଯେଉଁଠାରେ ଶାନ୍ତବାରି କଠୋର ଆଲିଙ୍ଗନ ପାଇ ଟିକିଏ କ୍ଷୁବ୍‍ଧ ହୋଇ ଉଠୁଛି ।

 

ଏହି ଅନ୍ତରୀପ ପ୍ରାୟ ୧୦ । ୧୫ ମାଇଲ ଲମ୍ବ । ମଝିରେ ମଝିରେ ଜନବସତି ଅଛି । ଶୁଷ୍କରୁଷ ମରୁଭୂମି ପରେ ପରେ ବଟ, ନାରିକେଳର ଘନାଶ୍ଳେଷ ଭିତରେ ମନୁଷ୍ୟର କୁଟୀରମାଳା ମନୁଷ୍ୟ କିପରି ପ୍ରକୃତିକୁ ସବୁ ଅବସ୍ଥାରେ କାର୍ଯ୍ୟରେ ଲଗେଇବାକୁ ପ୍ରସ୍ତୁତ, ତାହା ଘୋଷଣା କରେ-। ମଣ୍ଡପମ୍ ପରେ ଏହି ଅନ୍ତରୀପରେ ଦୁଇଟା ଷ୍ଟେସନ୍ । ଗୋଟିଏ ରାମେଶ୍ୱର ଓ ଶେଷ ଷ୍ଟେସନ୍ ଧନୁଷ୍କୋଟୀ ।

 

କିଛିଦୂର ଗଲା ପରେ ରାମେଶ୍ୱର ଷ୍ଟେସନ ପଡ଼ିଲା । କେତେ ଜଣ ଯାତ୍ରୀ ସେଠି ଓହ୍ଲେଇଲେ ।

 

ଟିକିଏ ଦୂରରେ; ପ୍ରାୟ ସମୁଦ୍ରର ଠିକ୍ କୂଳରେ, ଚାରିଆଡ଼ର ବୃକ୍ଷହୀନ ବାଲୁକାବିସ୍ତାର ମଧ୍ୟରେ ରାମେଶ୍ୱର ମନ୍ଦିର ଦଣ୍ଡାୟମାନ୍ । ମୁଁ ନୀରବରେ ହାତ ଯୋଡ଼ି ସେହି ମନ୍ଦିର ଆଡ଼କୁ ଉଦ୍ଦେଶ୍ୟ କରି ପ୍ରଣାମ କଲି । କଥିତ ଅଛି, ରାମଚନ୍ଦ୍ର, ଆଜି ଯେଉଁଠାରେ ମନ୍ଦିର ଠିଆହୋଇଛି, ସେଠାରେ ଦେବାରାଧନା କରିଥିଲେ ଏବଂ ଆଉ ଟିକିଏ ଦୂରରେ ଧନୁ ପୂଜାକରି,ସ୍ଥାନଟିକୁ ଧନୁଷ୍କୋଟୀ ନାମରେ ଅମର କରି ଯାଇ ଅଛନ୍ତି । ରାମେଶ୍ୱର ମନ୍ଦିରଆଡ଼କୁ ଅନାଇଁ ଅନାଇଁ ମୋର ସ୍ମୃତିମହାକବି ବାଲ୍ମୀକିଙ୍କର କଳ୍ପନା-ସ୍ତରରେ ପ୍ରବେଶ କଲା । ପୁରୁଷୋତ୍ତମ ରାମଚନ୍ଦ୍ର ପିତାଙ୍କର ସତ୍ୟ ରକ୍ଷା କରିବାକୁ ଆସି, ପରମାସୁନ୍ଦରୀ ଓ ପରମାସାଧ୍ୱୀ ପତ୍ନୀକୁ ହରାଇ, ଏହି ବେଳାଭୂମିରେ ବିରହ-ବିଦଗ୍‍ଧ ହୋଇ, ଜଳଧିର ଅପର ପାର୍ଶ୍ୱରେ ଥିବା ଦ୍ୱୀପ-ରାଜ୍ୟ ଆଡ଼କୁ ସତୃଷ୍ଣ ନେତ୍ରରେ ଅନାଇଁ ଅନାଇଁ ବିଚ୍ଛେଦର ପଞ୍ଚରଭେଦୀ ନିଃଶ୍ୱାସ ଓ ଗଭୀର ଅଶ୍ରୁ ତ୍ୟାଗ କରିଥିବେ ! ଏହି ବାୟୁରେ ତାଙ୍କର ନିଃଶ୍ୱାସ ମିଶିଥିବ; ଏହି ସିନ୍ଧୁଜଳରେ ତାଙ୍କର ତପ୍ତ ଅଶ୍ରୁ ମିଳିଯାଇଥିବ; ଏହି ବାଲୁକାରେ ସେହି ପରମ ପ୍ରେମିକ-ପରମ ପୁରୁଷଙ୍କର ପବିତ୍ର ପଦଚିହ୍ନରାଜି ଅଙ୍କିତ ହୋଇଥିବ ! ସହସ୍ର ସହସ୍ର ବର୍ଷବ୍ୟାପୀ କାଳ ସେ ପଦଚିହ୍ନ ଏ ବାଲୁକାରୁ ପୋଛି ପାରି ନାହିଁ । ବିରାଟ ଭାରତବର୍ଷର ଚାରି କୋଣରୁ କୋଟି କୋଟି ନରନାରୀ ସହସ୍ର ସହସ୍ର ବର୍ଷ ଧରି ଏହି ବାଲୁକାରେ ସେହି ମହାମାନବର ପଦଚିହ୍ନକୁ ଖୋଜି ତାର ସ୍ପର୍ଶକୁ ମୁଣ୍ଡରେ ଦେବାକୁ ଧାଇଁଛନ୍ତି । ମନୁଷ୍ୟ ହୃଦୟର ଗଭୀର ଅନୁଭୂତିକୁ ମହାକାଳ ବରାବର ନମସ୍କାର କରି ଆସିଛି । ଶତ ଶତ ସାମ୍ରାଜ୍ୟ ଲୁପ୍ତ ହୋଇଛି । ସେସବୁର ନାମଗନ୍ଧ ଆଜି ନାହିଁ । କିନ୍ତୁ ଯମୁନା କୂଳରେ ଗୋଟିଏ କ୍ଷୁଦ୍ର କୁଟୀରର ଅଶିକ୍ଷିତା ଗ୍ରାମ୍ୟ-ବଧୂ ରାଧାର ବିରହ ଲୋତକ ମହାକାଳ ସାଇତି ରଖିଛି । ଘୋର ଅରଣ୍ୟରେ ରାଜପୁତ୍ର ଗୌତମ ସମଗ୍ର ମାନବଜାତିର ଦୁଃଖ ପାଇଁ ଯାହା ଆବିଷ୍କାର କଲେ, କାଳ ଆଜି ତାକୁ ବିଶ୍ୱବ୍ୟାପୀ କରିଛି । ଖ୍ରୀଷ୍ଟ ମନୁଷ୍ୟ ପାଇଁ ଯେଉଁ ବେଦନା ଅନୁଭବ କରିଥିଲେ, ସେ ବେଦନା ଏ ଯାଏ କୋଟି କୋଟି ପ୍ରାଣରେ ଜୀବନ୍ତ ରହିଛି । ପୁରୁଷୋତ୍ତମ ସତ୍ୟସନ୍ଧ ରାମଚନ୍ଦ୍ର ବିରହଦଗ୍‍ଧ ହୋଇ ଯେଉଁ ବାଲୁକାରେ ବିଚରଣ କରିଥିଲେ, ମହାକାଳ ସେ ସ୍ଥାନକୁ ସ୍ମୃତିପୂତ କରି ରଖିଛି ।

 

ଧନୁଷ୍କୋଟୀ ଷ୍ଟେସନ ଠିକ୍ ସମୁଦ୍ରକୂଳେ-ଅନ୍ତରୀପର ଶେଷ ବିନ୍ଦୁରେ । ଏହି ଶେଷ ଭୂମି ସିଂହଳ ଆଡ଼କୁ ଭାରତର ନିକଟତମ ଭୂମି । ଏହି ଅନ୍ତରୀପ ଦକ୍ଷିଣ-ସମୁଦ୍ର ଭିତରକୁ ପଶିଯାଇ ସିଂହଳ ଓ ଭାରତବର୍ଷ ଭିତରେ ମାନ୍ନାର ଉପସାଗର ଓ ପକ୍ ପ୍ରଣାଳୀ ସୃଷ୍ଟି କରିଛି । ରେଳପାଇଁ ପାଣି ଭିତରେ ଯାଏଁ ଲୁହାର ମଞ୍ଚା ହୋଇଛି । ଆମ୍ଭେମାନେ ଗାଡ଼ିରୁ ଓହ୍ଲାଇ ଜାହାଜ ସମ୍ମୁଖରେ ଦଣ୍ଡାୟମାନ ହେଲୁଁ ।

 

ସାମାନ୍ୟ ବୋଟ୍ ମାତ୍ର ଏ ଜାହାଜ । ପ୍ରତିଦିନ ସିଂହଳ ଓ ଭାରତବର୍ଷ ଭିତରେ ଯିବା ଆସିବା କରେ । ଜଳଯାତ୍ରା ମାତ୍ର ଦୁଇ ଘଣ୍ଟା ଲାଗେ । ମୁଁ ବୋଟରେ ଉଠିଲା ମାତ୍ରେ ଲାବଣ୍ୟବତୀର ଗୋଟେ ପଂକ୍ତି ମୋର ବାରମ୍ବାର ମନକୁ ଆସିଲା-“ବହିତ୍ର ଲାଗିଲା ଯାଇଁ ସିଂହଳ ଦ୍ୱୀପରେ ।” ଭଞ୍ଜଙ୍କ ମାନସୀ ପ୍ରତିମା ଲାବଣ୍ୟବତୀ ସିଂହଳ ରାଜକୁମାରୀ ଓ ନାୟକ ଚନ୍ଦ୍ର ଭାନୁ ଲାବଣ୍ୟବତୀକି ପାଇବା ଲାଗି ଏହି ସିଂହଳ ଦ୍ୱୀପକୁ ବୋଇତରେ ବସି ଆସିଥିଲେ । ଚନ୍ଦ୍ରଭାନୁର ବୋଇତ ସିଂହଳ ଦ୍ୱୀପରେ ଲାଗିବା କଥା ପଢ଼ିଥିଲି କେବେ-ଆଜି ମୁଁ ସେହି ସିଂହଳ ଦ୍ୱୀପ ଆଡ଼କୁ ଯାଉଛି । ମନ ମୋର ଆନନ୍ଦ ଉଦ୍‍ବେଗରେ କ୍ଷୁବ୍‍ଧ ହେବା ସ୍ୱାଭାବିକ । ସିଂହଳ ଦ୍ୱୀପ ସଙ୍ଗେ ପ୍ରାଚୀନ କଳିଙ୍ଗର ସାହିତ୍ୟିକ ସମ୍ବନ୍ଧ ଛଡ଼ା ଐତିହାସିକ ସମ୍ବନ୍ଧ ମଧ୍ୟ ଅଛି । ଯେଉଁ ବିଜୟ ସିଂହ ଏହି ଦ୍ୱୀପ ଅଧିକାର କରି ଦ୍ୱୀପଟିକୁ ନିଜର ନାମ ଦେଇ ଯାଇଅଛନ୍ତି, ସେ କଳିଙ୍ଗ ରାଜକୁମାରୀକୁ ବିବାହ କରିଥିଲେ । ଜଣେ କଳିଙ୍ଗ ରାଜକନ୍ୟା ବ୍ରାହ୍ମଣ୍ୟ ଧର୍ମର ଅତ୍ୟାଚାରରୁ ବୁଦ୍ଧଙ୍କର ପବିତ୍ର ଦନ୍ତକୁ ରକ୍ଷା କରିବା ପାଇଁ, ଦନ୍ତପୁରରୁ ସେହି ପବିତ୍ର ବସ୍ତୁଟିକୁ କବରୀରେ ଲୁଚାଇ, ନାନା ଦେଶ, ନାନା ଅରଣ୍ୟ, ନାନା ନଦୀ ପାରହୋଇ ସିଂହଳରେ ରଖି ଆସିଥିଲେ । ଅବଶ୍ୟ ଏ ସବୁକଥା ସାଧାରଣ ସିଂହଳୀ ବା ସାଧାରଣ ଓଡ଼ିଆ ମନରେ ରଖିନାହାନ୍ତି । ଏସବୁ ପୋଥିର କଥା; ସାଧାରଣ ଓଡ଼ିଆ ସିଂହଳ ଦେଶ କେଉଁଠି କହି ପାରିବେ ନାହିଁ, ସାଧାରଣ ସିଂହଳୀ ଓଡ଼ିଶାର ନାମ ଜାଣେ ନାହିଁ ।

 

ଡାହାଣ ପାର୍ଶ୍ୱରେ ରାମ-ନିର୍ମିତ ସେତୁବନ୍ଧ ଦୂର ଚକ୍ରବାଳ ଉପରେ ଅସ୍ପଷ୍ଟ ଭାବରେ ଦେଖାଯାଉଥାଏ । କ୍ରମେ ବୋଇତ ଗତି କରିବାକୁ ଲାଗିଲା । ଲହରୀହୀନ ନୀଳ ଜଳରାଶି ଉପରେ ଏହି ନୌ-ଯାତ୍ରା ମୋତେ ଚିଲିକାର ନୌକାଯାତ୍ରା ସ୍ମରଣ କରାଇ ଦେଉଥାଏ । ଯାତ୍ରୀ ମାନଙ୍କ ଭିତରେ ଦୁଇଟି ଶ୍ୱେତାଙ୍ଗ ଦେଖିଲି । ସେମାନେ ବିଲାତ ଫେରୁଛନ୍ତି । ମୁଁ ବିଲାତ ଯାଉଥିବାର କିମିତି ଶୁଣି, ସେମାନେ ମୋତେ ପଚାରିବାକୁ ଲାଗିଲେ । ସାହେବଟି ମୋଟା ଓ ଠୁରା-। ସାହେବାଣୀ ତାଠୁ ଆହୁରି ମୋଟା ଓ ଆହୁରି ଲମ୍ବା । ମୁଁ ଜାପାନୀ ଜାହାଜରେ ତୃତୀୟ ଶ୍ରେଣୀରେ ଯିବାର ଶୁଣି ସାହେବ ଥଟ୍ଟା ବରିବାକୁ ଲାଗିଲା । ସେ ଦୁହେ ଛ’ଶ ଲେଖାଏଁ ବାରଶହ ଟଙ୍କା ଭଡ଼ା ଦେଇଛନ୍ତି-ସେହି ଅନୁପାତରେ କିମିତି ସ୍ୱାଚ୍ଛନ୍ଦ୍ୟ ପାଇବେ, ସାହେବ ଚା’ ପାନ କରୁଥାଏ ଓ କହୁଥାଏ । ମୋତେ ଶେଷରେ କହିଲା-“ଜାପାନୀ ଜାହାଜ ! ଓ ଡୁବ୍ ଯାଏଗା, ଓ ନୀଚେ ଯାଏଗା ! You wi।। never reach Edinburgh” ଅର୍ଥାତ୍ ତୁମେ କେତେ ଏଡ଼ିନ୍‍ବରାରେ ପହଞ୍ଚିପାରିବ ନାହିଁ ! ବାଟରେ ବୁଡ଼ି ମରିବ । ସାହେବ ସାହେବାଣୀ କଲିକତାରୁ ଫେରିଥାନ୍ତି । ହିନ୍ଦି ଜାଣିଛନ୍ତି । ମୁଁ ସେମାନଙ୍କ ସଙ୍ଗେ ବିଲାତ ସମ୍ବନ୍ଧରେ କିଛି କଥା ହୋଇଥାନ୍ତି । କିନ୍ତୁ ଏ ପ୍ରକାର ଗୁଣ୍ଡା ରକମର ଦେଖି ସେମାନଙ୍କଠୁଁ ଦୂରରେ ରହିବାକୁ ଚେଷ୍ଟା କଲି ।

 

ଜାହାଜ ଯେତେବେଳେ ସିଂହଳର ବେଳାଭୂମି ଚୁମ୍ବନ କଲା, ସେତେବେଳେ ରାତ୍ରି । ଅପୂର୍ଣ୍ଣଚନ୍ଦ୍ର ନାରିକେଳକୁଞ୍ଜର ଅନ୍ତରାଳରେ ରହି ବେଳାଭୂମିକୁ ରହସ୍ୟମୟ ଆଲୋକ-ଅନ୍ଧକାରରେ ଆବୃତ କରି ରଖିଥିଲେ । ବ୍ୟସ୍ତରେ ଜାହାଜରୁ ଅବତରଣ କରି ଅପେକ୍ଷା କରିଥିବା କଲମ୍ବୋଗାମୀ ଟ୍ରେନକୁ ଧରିବାକୁ ହେଲା । ଗାଡ଼ି ଛାଡ଼ିବା ପୂର୍ବରୁ କିଞ୍ଚିତ୍ ଆହାର କରି ମୁଁ ଶର୍ଯ୍ୟା ଗ୍ରହଣ କଲି ।

 

ଖୁବ୍ ପ୍ରତ୍ୟୁଷରୁ ଉଠି ବାତାୟନ ଦେଇ ସିଂହଳ ପ୍ରକୃତିକୁ ଦେଖିବାକୁ ଲାଗିଲି । ସିଂହଳ ନାରିକେଳର ବଣ । ଭାରତବର୍ଷରେ ନାରିକେଳ ରୋପିତ ବୃକ୍ଷ, କିନ୍ତୁ ସିଂହଳରେ ନାରିକେଳ ସ୍ୱଚ୍ଛନ୍ଦ ଜାତ ବନ ଥିଲା ପରି ଦେଖାଗଲା । ଯେଉଁ ଆଡ଼କୁ ଅନାଅ ଓ ଯହିଁ ପାଅ, ନାରିକେଳର ଘଞ୍ଚ ସମାବେଶ । ମଝିରେ ମଝିରେ ସାମାନ୍ୟ କ୍ଷେତ-ନାରିକେଳର ବୃକ୍ଷଶ୍ରେଣୀ ସେହି କ୍ଷେତକୁ ଚାରି ଆଡ଼ୁ ଘେରି ରହିଛନ୍ତି । ଜନବସତି ମଧ୍ୟ ସିଂହଳରେ ବିରଳ । ଭାରତବର୍ଷର ଶ୍ରେଣୀବନ୍ଧ କୁଟୀରମାଳା ଏଠାରେ ଦେଖିଲି ନାହିଁ । ନାରିକେଳକୁଞ୍ଜ ମଧ୍ୟରେ ଏଠି ଗୋଟେ ଘର, ତାର ପ୍ରତିବେଶୀ ଆଉ କେତେ ଦୂରରେ-ଆଉ ଗୋଟିଏ କୁଞ୍ଜ ମଧ୍ୟରେ । ପରେ ସିଂହଳୀ ଛାତ୍ରମାନଙ୍କଠାରୁ ଶୁଣିଲି ଯେ, ସିଂହଳର ଜନବସତି ପ୍ରାୟ ସେହିପରି । କିନ୍ତୁ ଘରଗୁଡ଼ିକ ସଦୃଶ୍ୟ ଓ ତାର ଚାରିପାଖ ବେଶ୍ ପରିଷ୍କୃତ ଓ ପରିପାଟିଯୁକ୍ତ ।

 

ସକାଳ ପ୍ରାୟ ଆଠଟା ବେଳେ କଲମ୍ବୋରେ ପହଞ୍ଚିଲି । କଲମ୍ବୋ ସାର୍ବଜନୀନ ସହର । ପୃଥିବୀର ସବୁ ଜାତିର ଲୋକେ ଏଠି ରହନ୍ତି । ପୂର୍ବ ଓ ପଶ୍ଚିମ ମହାଦେଶ ଗାମୀ ଜାହାଜମାନଙ୍କର ଏହା ବିଶ୍ରାମ ସ୍ଥଳ । ସାଜସଜ୍ଜାରେ ଏହା ଏକ ଇଉରୋପୀୟ ସହର ପରି । ତେଣୁ ଏଠାରେ ରହିବାର ଖର୍ଚ୍ଚ ଖୁବ୍ ବେଶି । ମୁଁ ଯେଉଁ ହୋଟେଲରେ ଥିଲି, ସେଠି ଦିନକୁ ଆଠ ଟଙ୍କା କରି ଦେବାକୁ ପଡ଼େ-ସେ ପୁଣି ଭାରତୀୟ ହୋଟେଲ । କଲମ୍ବୋରେ ମୁଁ ଦୁଇଦିନ ଥିଲି । କଲମ୍ବୋ ସିଲୋନୀ ସହର ନୁହେଁ-ଏହା ସାର୍ବଜାତିକ ନଗରୀ । ତଥାପି ରାସ୍ତାରେ ପୂରି ଘୂରି ସିଲୋନୀ ନାରୀ ଓ ପୁରୁଷଙ୍କୁ ଦେଖିବାର ଓ ସେମାନଙ୍କର ଢାଁଚା ସମ୍ୱନ୍ଧେ କିଛି ଜାଣିବାର ସୁବିଧା ପାଇଲି । ସିଲୋନୀ ରମଣୀର ସ୍ୱାସ୍ଥ୍ୟ ଅତ୍ୟନ୍ତ ଲୋଭନୀୟ । ତା’ର ସମୃଦ୍ଧ ଚିକୁରର କବରୀ ପରମ ମଞ୍ଜୁଳ । ସିଲୋନ୍‍ରେ ନାରୀ ଗୃହମୁକ୍ତା । ବାହାରର ମୁକ୍ତ ପବନ, ମୁକ୍ତ ଆକାଶ ଓ ସ୍ୱଚ୍ଛନ୍ଦ ଶ୍ରମ ଓ ବିହାର ବୋଧହୁଏ ସିଲୋନୀ ନାରୀକୁ ନିଖୁଣ ସ୍ୱାସ୍ଥ୍ୟ ଦିଏ । ଆଉ ତା’ର ପ୍ରଚୁର କେଶ-ପାଶ ବୋଧହୁଏ ସୁଲଭ ନାରିକେଳ ତୈଳର ଗୁଣା ବର୍ମା ସ୍ତ୍ରୀମାନଙ୍କ ପରି ସିଲୋନୀ-ସୁନ୍ଦରୀ ତଳେ ଲୁଙ୍ଗି (ସାରଂ) ଓ ଉପରେ ଯାକେଟ୍ ବ୍ୟବହାର କରେ । ମସ୍ତକ ମୁକ୍ତ-ତା’ର ମଞ୍ଜୁଳ କେଶଜାଲ ମସ୍ତକର ଶ୍ରେଷ୍ଠ ଆବରଣ ଓ ଆଭରଣ । ଶିକ୍ଷିତା ସିଲୋନୀ ନାରୀମାନେ ବର୍ତ୍ତମାନ ଶାଢ଼ୀ ପିନ୍ଧିବା ଆରମ୍ଭ କରିଛନ୍ତି-। ଭାରତୀୟ ଶାଢ଼ୀ, ସିଲୋନୀ ସୁଲୋଚନାମାନଙ୍କର ପୁଞ୍ଜୀଭୂତ ରୂପ-ସମ୍ପଦକୁ କିପରି ତରଙ୍ଗାୟିତ ଓ ଲାଳାୟିତ କରୁଛି, ତା’ ମୁଁ ଠାଏ ଠାଏ ଦେଖିଛି ।

 

ସିଲୋନୀ ପୁରୁଷ କୌଣସି ପ୍ରଶଂସାର ଯୋଗ୍ୟ ନୁହେଁ । ଯେଉଁମାନେ ଶିକ୍ଷିତ, ସେମାନେ ଏକାବେଳେ ନିଜସ୍ୱ ହରେଇ ସାହେବୀ ଅନୁକରଣରେ ପରିଣତ ହୋଇଛନ୍ତି । ସିଲୋନୀମାନଙ୍କର ନିଜର ସ୍ୱତନ୍ତ୍ର ସଂସ୍କୃତି ବିଶେଷ ନାହିଁ-ଯାହା ବା ଭାରତବର୍ଷରୁ ସେମାନେ ନେଇଥିଲେ, ସେତକ ସମ୍ବନ୍ଧରେ ସେମାନେ ଅତ୍ୟନ୍ତ ଉଦାସୀନ । ସିଲୋନ୍ ଯେ ତା’ର ସ୍ୱତନ୍ତ୍ର ବିକାଶ ଦ୍ୱାରା ବିଶ୍ୱସଭ୍ୟତାକୁ କିଛି ଦାନ କରିବ, ଏ କଳ୍ପନା ମଧ୍ୟ କୌଣସି ସିଲୋନୀ ମୁଣ୍ଡରେ ପଶିନି । ବ୍ରିଟିଶ ଶାସନରେ ସିଲୋନୀମାନେ ବେଶ୍ ସନ୍ତୁଷ୍ଟ । ଶାସନ ବିଦେଶୀ ହୋଇପାରେ; କିନ୍ତୁ ଜାତୀୟ ସଭ୍ୟତାଟା ବିଦେଶୀ ହେବାର କୌଣସି କାରଣ ନାହିଁ । ଭାରତବର୍ଷର ବଡ଼ ଗୌରବ ଏହି ଯେ, ସାତଶ ବର୍ଷର ପରାଧୀନତା ସତ୍ତ୍ୱେ ସେ ତାର ସ୍ୱତନ୍ତ୍ର ସଂସ୍କୃତି ହରେଇ ନାହିଁ; ସମସ୍ତ ନିଷ୍ପେଷଣ ଓ ଅତ୍ୟାଚାର ସତ୍ତ୍ୱେ ରବୀନ୍ଦ୍ରନାଥଙ୍କ କବିତାରେ; ଗାନ୍ଧୀଙ୍କ ସତ୍ୟସାଧନାରେ ଓ ରାମକୃଷ୍ଣଙ୍କ ଯୋଗାନୁଭୂତିରେ ତାହା ଜଗତକୁ ବାରମ୍ବାର ନୂତନ ସନ୍ଦେଶ, ନୂତନ ଜୀବନଧାରା ଦେଖେଇ ଦେଉଛି । ସିଲୋନ୍ ଅବଶ୍ୟ ଭାରତବର୍ଷ ତୁଳନାରେ କ୍ଷୁଦ୍ର । କିନ୍ତୁ ଆୟାର୍ଲାଣ୍ଡ ତାର ସ୍ୱତନ୍ତ୍ର ସଭ୍ୟତା ଓ ସଂସ୍କୃତିକୁ ରକ୍ଷା କଲାବେଳେ ସିଲୋନ୍ ସେଥିପ୍ରତି ଉଦାସୀନ ହେବାର କୌଣସି କାରଣ ନାହିଁ । ଜାହାଜରେ ପରେ ସିଲୋନୀ ଛାତ୍ରମାନଙ୍କୁ ଭେଟିଥିଲି । ସେମାନଙ୍କର ଦେଶାତ୍ମବୋଧ ଆଦୌ ନାହିଁ- ସେମାନେ ସେ କଥାଟା ଆଦୌ ଦରକାର କରନ୍ତି ନାହିଁ ।

 

ବ୍ରିଟିଶ ଶାସନରେ ସିଲୋନ୍‍ର ଯେଉଁ ଉନ୍ନତି ହୋଇଛି, ସେଥିପାଇଁ ସିଲୋନୀମାନେ ଇଂରେଜଙ୍କ ପ୍ରତି କୃତଜ୍ଞ ହେବାର କଥା । ରବର, ନାରିକେଳ, ଚା ଦେଇ ସିଲୋନୀମାନେ ବେଶ୍ ରୋଜଗାର କରନ୍ତି । ସିଲୋନରେ ଭୂମିକର ନାହିଁ; ଆୟକର, ବାଣିଜ୍ୟ-ଶୁଳ୍କ, ସିଟାମ୍ ପ୍ରଭୃତି ଦେଇ ଏହି ଛୋଟ ଦ୍ୱୀପର ଆୟ ପ୍ରାୟ ୮ କୋଟି ଟଙ୍କାର ଉପର; ଲୋକସଂଖ୍ୟା ମୋଟେ ୫୩ ଲକ୍ଷ । ଦେଶରେ ଦାରିଦ୍ର୍ୟ ନାହିଁ କହିଲେ ଚଳେ । ପେଟ ଓ ପିଠିର ଅଭାବ ଜଗତର ସବୁ ବିପ୍ଳବର ମୂଳରେ । ସିଲୋନୀମାନଙ୍କର ସେ ଅଭାବ ନାହିଁ; ତେଣୁ ସେମାନେ କୌଣସି ପରିବର୍ତ୍ତନ ଦରକାର ନ କରିବା ସ୍ୱାଭାବିକ । ସିଲୋନ୍‍ରେ ବହୁତ ଭାରତୀୟ । ବିଶେଷତଃ ତାମିଲନାଦ୍ ଓ ସିଂହଳ ଭିତରେ ବହୁ ଶତାବ୍ଦୀ ଧରି ଯୁଦ୍ଧ ବିଗ୍ରହ ଚାଲିଥିଲା । ସିଂହଳ କେତେ କାଳ ତାମିଲ ରାଜାମାନଙ୍କର ଅଧୀନରେ ମଧ୍ୟ ଥିଲା । ତାମିଲମାନେ ବୁଦ୍ଧିମାନ୍ ଜାତି ଓ କଠୋର ପରିଶ୍ରମ କରିପାରନ୍ତି । ସିଲୋନୀମାନେ ଏମାନଙ୍କ ସଙ୍ଗେ ପାରି ଉଠୁନାହାନ୍ତି । ତେଣୁ ସିଲୋନୀମାନେ ଭାରତୀୟମାନଙ୍କୁ ସିଂହଳରୁ ବାହାର, କରିବାର ଆଉ ପୂରାଇ ନ ଦେବାର ବା ରାଜନୈତିକ ଅଧିକାର ନ ଦେବାର ଚେଷ୍ଟାରେ ଅଛନ୍ତି । ତା’ ଛଡ଼ା ସିଲୋନ୍‍ରେ ଖ୍ରୀଷ୍ଟୀୟାନ୍ ସମ୍ପ୍ରଦାୟ ଏକ ସ୍ୱତନ୍ତ୍ର ଦଳ । ଏହିପରି ତ୍ରିକୋଣଯୁଦ୍ଧରେ ସିଂହଳର ରାଜନୈତିକ ବାୟୁମଣ୍ଡଳ ସବୁବେଳେ ସରଗମ ।

 

ସିଂହଳୀମାନେ ସିଂହଳକୁ ଲଙ୍କା କହନ୍ତି-ଆମେ ଓଡ଼ିଶାକୁ ସ୍ନେହରେ ଉତ୍କଳ କହିଲା ପରି-। ଏଠି ଯେ ସୀତା-ହରଣ ଓ ରାମ-ରାବଣ ଯୁଦ୍ଧ ହୋଇଥିଲା, ତାହା ସିଲୋନୀମାନେ ଜାଣନ୍ତି-। କିନ୍ତୁ ରାବଣର ରାଜଧାନୀ କେଉଁଠି ଥିଲା, ପଚାରିବାରେ କେହି କହିପାରିଲେ ନାହିଁ ।

 

ମହାରାଜ ଅଶୋକଙ୍କର ପ୍ରିୟପୁତ୍ର ମହେନ୍ଦ୍ର ଓ ପ୍ରିୟକନ୍ୟା ସଂଘମିତ୍ରା ଏହି ଲଙ୍କା ଦ୍ୱୀପରେ ବୌଦ୍ଧଧର୍ମର ପ୍ରଚାର ପାଇଁ ରାଜପ୍ରାସାଦର ସମସ୍ତ ସୁଖ ଓ ରାଜା-ରାଣୀ ହେବାର ସମସ୍ତ ସ୍ୱପ୍ନ ପରିତ୍ୟାଗ କରି, ଏହି ଦ୍ୱୀପର ଗିରିକୁହାମାନଙ୍କରେ ରୁକ୍ଷ, ହରିଦ୍ରା ବସ୍ତ୍ର ଓ ଭିକ୍ଷାଲବ୍‍ଧ ଅନ୍ନରେ ଶେଷ ଜୀବନ କଟେଇଥିଲେ । ସେମାନଙ୍କର ସ୍ମୃତି ସିଲୋନ୍‍ରେ ଏ ଯାଏ ଜୀବନ୍ତ ରହିଛି । କଲମ୍ବୋର ରାସ୍ତାରେ ଭ୍ରାମ୍ୟମାଣ ହରିଦ୍ରବସନ, ମୁଣ୍ଡିତ-ମସ୍ତକ ବୌଦ୍ଧସନ୍ୟାସୀମାନଙ୍କୁ ମୁଁ ପ୍ରଥମେ ଏହିଠାରେ ଦେଖିଲି ।

 

ରାଜପୁତ୍ର ଗୌତମ, ମନୁଷ୍ୟକୁ ଦୁଃଖରୁ ଉଦ୍ଧାର କରିବା ଲାଗି କଠୋର ତପଶ୍ଚରଣ ପରେ, ଏହିପରି ଦୀନବେଶରେ ନଗ୍ନ ପଦରେ ଉତ୍ତର ଭାରତର ନଗରୁ ନଗରେ, ଗ୍ରାମୁ ଗ୍ରାମେ ବୁଲି ବୁଲି ପ୍ରେମ ଓ ଅହିଂସାର ଆତ୍ମ-ପ୍ରତ୍ୟୟ ଓ ଆତ୍ମ-ସାଧନାର ମହାସତ୍ୟ ପ୍ରଚାର କରିଥିଲେ । ହତଭାଗ୍ୟ ଭାରତବର୍ଷ ସେ ସତ୍ୟକୁ ପଶୁବଳି, ଜାତିଭେଦ, କୁସଂସ୍କାର ଓ କାଳ୍ପନିକ ଦେବତାମାନଙ୍କ ସାଡ଼ମ୍ବର ଆରାଧନାରେ ଦେଶରୁ ଚିରକାଳ ପାଇଁ ବାହାର କରି ଦେଇଛି । ହରିଦ୍ର ବସନ ମୁଣ୍ଡିତମସ୍ତକ ଏହି ସନ୍ୟାସୀମାନେ ଶାକ୍ୟସିଂହଙ୍କର ସେହି ସତ୍ୟାଲୋକକୁ ଦେଶ ଦେଶରେ ଏ ପର୍ଯ୍ୟନ୍ତ ପ୍ରଜ୍ୱଳିତ କରି ରଖିଛନ୍ତି । ସେଥିଲାଗି କଲମ୍ବୋର ରାସ୍ତାରେ ଠିଆହୋଇ ଏହି ସନ୍ୟାସୀମାନଙ୍କର ଯିବା ଆସିବା, ପରମ କୌତୂହଳରେ ମୁଁ ବାରମ୍ବାର ନିରୀକ୍ଷଣ କରିଥିଲି ।

Image

 

ଜାପାନୀ ଜାତି

 

ଜାହାଜ ଅଗଷ୍ଟ ୨୫ ତାରିଖ ଦିନବେଳେ ଛାଡ଼ିବା କଥା । କିନ୍ତୁ ଜାହାଜ ଡେରିରେ ପହଞ୍ଚିଲା ପ୍ରାୟ ସନ୍ଧ୍ୟାବେଳେ ଏବଂ ଟମାସ୍ କୁକ୍ ଅଫିସରୁ ଜାଣିଲି ଯେ ଜାହାଜ ୨୬ ତାରିଖ ଦିନ ବାରଟା ବେଳେ ବନ୍ଦର ଛାଡ଼ିବ । ମୁଁ ଅକାରଣ ବ୍ୟସ୍ତହୋଇ ୨୫ ତାରିଖ ରାତିରେଇ ହୋଟେଲ ଛାଡ଼ି ଜାହାଜ ଧରିବାକୁ ବାହାରି ପଡ଼ିଲି ।

 

ସେହି ରାତିରେ କଲମ୍ବୋ ବମ୍ବରର ଜେଟୀରେ ମୁଁ ଜୀବନରେ ପ୍ରଥମେ ଜାପାନୀ ଲୋକ ଦେଖିଲି । ଦଳେ ଜାପାନୀ, ଜାହାଜରୁ ବୋଟ୍‍ରେ ଚଢ଼ି ସହରକୁ ଆସୁଥିଲେ । ସେମାନେ ଆମ୍ଭମାନଙ୍କର ପାଖ ଦେଇ ଚାଲିଗଲେ । ମୁଁ ସେମାନଙ୍କୁ ଅନେଇଁ ରହିଲି ସେମାନେ ଅଦୃଶ୍ୟ ହେଲାଯାଏଁ । ଭିନ୍ନ ଭିନ୍ନ ତରଙ୍ଗ ମନୁଷ୍ୟ ତ ଭାରତବର୍ଷରେ ହିଁ ଦେଖିବାକୁ ମିଳେ; କିନ୍ତୁ ଭିନ୍ନ ଆକୃତିର ମନୁଷ୍ୟ ଏହି ପ୍ରଥମ ଦେଖା । ତେଣୁ କୌତୂହଳ ହେବା ସ୍ୱାଭାବିକ । ତା’ ଛଡ଼ା ଜାପାନୀ ବୋଲି କୌତୁହଳ ବେଶି ହେବା ସ୍ୱାଭାବିକ । ଗାଈଗୋଠରେ ଆଗେ ମାରଣା ଗାଈକି ଚିହ୍ନି ରଖିବା କଥା ନା !

 

ମୁଁ ଜାପାନୀ ଜାହାଜରେ ଟିକଟ କାଟିଲା ବେଳୁ ଭାବିଥାଏ ଯେ ଜାପାନୀ ସ୍ତ୍ରୀପୁରୁଷଙ୍କୁ ଦେଖିବି, ତାଙ୍କ ଦେଶର କଥା ପଚାରିବି, ତାଙ୍କର ଚାଲିଚଳନ ବୁଝିରଖିବି । ଗତ ଶତାବ୍ଦୀର ଶେଷ ଦଶକଠାରୁ ଏ ଯାଏଁ ଜାପାନ, ଏସିଆର ଏକମାତ୍ର ଜାତି ଯାହାବୁ ୟୁରୋପର ବଳଦୃପ୍ତ ଦୁର୍ଦ୍ଧର୍ଷ ଗୋରା ହାତ ଟେକେ । ଭାରତବର୍ଷରେ ଇଂରେଜ, ଗାନ୍ଧିଜୀଙ୍କ ପରି ମହାମାନବଙ୍କୁ ମଧ୍ୟ ଅକୁଣ୍ଠିତ ଚିତ୍ତରେ ଜେଲରେ ଭର୍ତ୍ତି କରିପାରେ; କିନ୍ତୁ ସେହି ଇଂରେଜ ସାମାନ୍ୟତମ ଜାପାନୀକୁ ଟିପ ଛୁଇଁବାକୁ ଭୟ କରିବ । ଏ ପ୍ରଭେଦର କାରଣ ଏହା ନୁହେଁ ଯେ ଭାରତବର୍ଷୀୟ ଜାପାନୀ ଅପେକ୍ଷା ନିମ୍ନତର ଜୀବ । ପ୍ରଭେଦ ଏହି ଯେ ଜାପାନ ସ୍ୱାଧିନ; ଜାପାନର ସାମାନ୍ୟତମ ପ୍ରଜା ଅପମାନିତ ହେଲେ ଜାପାନ ବୋମା-ଟର୍ପେଡ଼ୋର ପ୍ରଳୟଙ୍କର ଗର୍ଜନରେ ତା’ର ଉତ୍ତର ଦେବ । ନିରସ୍ତ୍ର ପରଶାସିତ ଭାରତବର୍ଷର ସେ ସୌଭାଗ୍ୟ ନାହିଁ; ତେଣୁ ପରାଧୀନ ଦେଶର ମୋ ପରି ଲୋକ ପକ୍ଷରେ ଏକ ଏସିଆର ଏହି ଗୌରବଦୀପ୍ତ ଜାପାନୀ ଜାତିର ଲୋକେ ମୋର କୌତୂହଳ ଉଦ୍ଦୀପ୍ତ କରିବା ଆଶ୍ଚର୍ଯ୍ୟ କ’ଣ ?

 

ମୁଁ ଜାହାଜ ଧରିବାର ମାସକ ପୂର୍ବରୁ ଚୀନ-ଜାପାନ ଯୁଦ୍ଧ ଆରମ୍ଭ ହୋଇ ଯାଇଥାଏ । ଭାରତବର୍ଷରେ ଥିଲାବେଳେ ତ ଜଗତର ଅନ୍ୟ କୋଟି କୋଟି ଲୋକଙ୍କ ପରି ମୋର ସହାନୁଭୂତି ଚୀନ ପକ୍ଷରେ । ଜାପାନୀ ଜାହାଜରେ ବସିବା ପରେ ସେହି ସହାନୁଭୂତି ଗାଢ଼ତର ହୋଇଥିଲା ଏବଂ ଆମେ ଯେତେ ଭାରତୀୟ ଛାତ୍ର ଥାଉ, ସମସ୍ତେ ଜାପାନର ପରାଜୟ କଥା କିମିତି ଶୁଣିବୁ, ସେଥିପାଇଁ ସବୁବେଳେ ଉଦ୍‍ବିଗ୍ନ ହୋଇଥାଉଁ । କିନ୍ତୁ ଆମ ଇଚ୍ଛାର ଠିକ୍ ବିପରୀତ ଘଟୁଥାଏ; ଜାହାଜରେ ଥାଇ ଆମେ ଜାଣିବାକୁ ପାଇଲୁ ଯେ ଜାପାନ ଚୀନର ଚାହାର ପ୍ରଦେଶ ଦଖଲ କରି ନେଲା । ସେ ଦିନ ସେ ଖବରରେ ବଡ଼ ହତାଶ ହେଲୁ ଆମେ ।

 

ଜଗତର ସଭ୍ୟତାକୁ ଜାପାନୀମାନଙ୍କର କୌଣସି ବିଶିଷ୍ଟ ଦାନ ନାହିଁ । କାବ୍ୟ କବିତାରେ ବା ଧର୍ମ-ବିଜ୍ଞାନରେ ଜାପାନ କୌଣସି ନୂତନ ସତ୍ୟ ପୃଥିବୀକୁ ଦେଇ ନାହିଁ । ତାର ସାହିତ୍ୟ ଓ ସଂସ୍କୃତି ଚୀନ୍‍ଠାରୁ ଧାର ଓ ଧର୍ମ ଭାରତବର୍ଷଠାରୁ, ଆଉ ବର୍ତ୍ତମାନର ବୋମା-ଟର୍ପେଡ଼ୋ ୟୁରୋପର ଗୋରାମାନଙ୍କଠୁଁ ଶିକ୍ଷା । ଅନାବାଦି ଜମିରେ ଫସଲ ଭଲ ହୁଏ; ଯେଉଁ ଜାତି ବା ବ୍ୟକ୍ତିର ମୌଳିକତା ନାହିଁ ସେମାନେ ହୁଏତ ପରର ଶିକ୍ଷା, ସଭ୍ୟତା ଚଟ୍ କରି ଧରି ପାରନ୍ତି । ଅନ୍ତତଃ ଜାପାନ ପକ୍ଷରେ ଏହାହିଁ ଘଟିଛି । ଜାପାନର ଶିକ୍ଷା, ଶାସନ, ବିଚାର, ସନ୍ଧି, ବିଗ୍ରହ ପ୍ରଭୃତି ସମସ୍ତ ଜାତୀୟ ଅନୁଷ୍ଠାନ ପାଶ୍ଚାତ୍ୟ ଆଦର୍ଶରେ ପ୍ରତିଷ୍ଠିତ । ଜାପାନୀ ମସ୍ତିଷ୍କ ଛଡ଼ା ଏ ସବୁରେ ଜାପାନୀ ଜିନିଷ ଆଉ କିଛି ନାହିଁ । କିନ୍ତୁ ପଶ୍ଚିମରୁ ଧାର ଆଣିଲେ କଣ ହେବ, ଏ ସବୁରେ ଜାପାନ ଯେ ଗୁରୁକୁ ଦକ୍ଷିଣା ଦେବା ଉପରେ; ଏଥିରେ ଜାପାନୀ ବୁଦ୍ଧି ଓ ଜାତୀୟ ଶକ୍ତିର ପ୍ରଖରତା ମାନିବାକୁ ହେବ । ଧୃର୍ତ୍ତତାରେ ଜାପାନୀମାନଙ୍କୁ କୌଣସି ଶ୍ୱେତ ଜାତି ବି ପାରିବ ନାହିଁ । ବସ୍ତୁତଃ ଧୂର୍ତ୍ତତା, ଅସାଧୁତା ପ୍ରଭୃତି ଜାପାନୀ ନୀତିଶାସ୍ତ୍ରରେ ଦୋଷ ରୂପେ ଗଣା ହୁଏ ନାହିଁ । ଜାତି ପ୍ରତି ଅନୁରକ୍ତି ଏସବୁର ଉପରେ । * ଜାତି ବା ଷ୍ଟେଟ୍‍ର ମହିମା ବଜାୟ ରଖିବା ପାଇଁ ଜାପାନୀ ଯେକୌଣସି ପାପ କରିପାରେ । ଜାପାନର ବାଣିଜ୍ୟ ଓ ରାଜନୀତିରେ ଏହି କୁତ୍ସିତ ଆଦର୍ଶ ଜାଜ୍ଜ୍ୱଲ୍ୟମାନ । ଜାପାନର ଠକେଇ ମାଲ କେଉଁ ଭାରତବାସୀକି ଅଜଣା ? ବର୍ତ୍ତମାନର ଚୀନ ଯୁଦ୍ଧରେ ଜାପାନର ଅମାନୁଷିକ ରାଷ୍ଟ୍ର-ନୀତି ସମଗ୍ର ସଭ୍ୟଜଗତକୁ ଆତଙ୍କିତ କରିଛି । ଯେହେତୁ ଚୀନର ବିଶ୍ୱବିଦ୍ୟାଳୟ ମାନଙ୍କରେ ନୂତନ ଚୀନର ନବ ଜୀବନ ବିକଶିତ ହୋଇ ଉଠୁଛି ଏବଂ ସେହି ନୂତନ ଜୀବନ ଜାପାନୀ ଲାଳସାର ଅନ୍ତରାୟ; ତେଣୁ ଜାପାନର ବୋମା ପ୍ରଥମେ ଉତ୍ତର-ଚୀନର ସମସ୍ତ ବିଶ୍ୱବିଦ୍ୟାଳୟ ନଷ୍ଟ କରିଛି । ଯେଉଁଠି ବୋମା ନଷ୍ଟ କରି ପାରି ନାହିଁ, ସେଠି ପେଟ୍ରୋଲ ଦେଇ ପୋଡ଼ି ଦିଆଯାଇଛି । ମନୁଷ୍ୟର ତାର ପ୍ରତିବେଶୀ ପ୍ରତି ବ୍ୟବହାର ଏହାଠାରୁ ଜଘନ୍ୟ ହୋଇ ନ ପାରେ । ରୁଷ-ଜାପାନ ଯୁଦ୍ଧରେ, ଯୁଦ୍ଧ ଘୋଷଣା କରିବା ପୂର୍ବରୁ ରୁଷ ରଣତରୀକୁ ଅତର୍କିତ ଭାବରେ ଜାପାନ ଆକ୍ରମଣ କରି ଧ୍ୱଂସ କରିଥିଲା ।

 

*

The value of human conduct being gauged by its utility and subserviency to the well being of theState, man is viewed as the instrument of an organized body and hence patriotism and loyalty head the list of virtues. They stand higher than such common place virtues as honesty or kindness-Modern Japan, P.237

 

 

 

By Inaze Nitolee (ଲେଖକ ଜାପାନୀ)

 

ଆମର କଥାରେ ଅଛି, “ଚୋରଠୁଁ ବିଧେ ପାଇଲେ ବି ଲାଭ ।” ଜାପାନର ନିନ୍ଦାବାଦ କଲାବେଳେ ଆମକୁ ଏଇ କଥାଟା ଅନ୍ତତଃ ସ୍ମରଣ କରିବାକୁ ହେବ ଯେ, କ୍ଷୁଦ୍ର ଜାପାନ ସ୍ୱାଧୀନ ଓ ଆମର ବିରାଟ ଭାରତବର୍ଷ ପରପଦାନତ; ମାତ୍ର ସତୁରି ବର୍ଷଭିତରେ ଜାପାନ ନିଜକୁ ଯେପରି ଭାବରେ ଗଢ଼ିନେଇଛି ତାହା ଆଶ୍ଚର୍ଯ୍ୟଜନକ; ପରନ୍ତୁ ତାହା ଅନୁକରଣୀୟ । ସାପ ପ୍ରତି ବର୍ଷ କାତି ଛାଡ଼େ ବୋଲି ବୋଧହୁଏ ସାପର ଦେହ ଏତେ ମସୃଣ ଥାଏ । ନୂତନ ଚର୍ମ ସାପ ଦେହକୁ କେବଳ ସୁନ୍ଦର କରେ ନାହିଁ; ତାର ସରୀସୃପତ୍ୱ ମଧ୍ୟ ବଢ଼ାଏ । ଆମେ ଭାରତୀୟ: ଆମର ବୈଦିକ କାଳର ପୁରୁଣା ଖୋଳ ଭିତରେ ପଡ଼ି ରହିବାକୁ କେବଳ ସୁଖକର ମଣୁନା ତାହା ନୁହେ, ଆମେ ମନେ କରୁ ଯେ ଏହା ସୁନ୍ଦର; ପୁଣି ଏହା ନିରାପଦ । ଏହି ମୂର୍ଖତାର ପୁରସ୍କାର ଆମେ ପଦେ ପଦେ ପାଉଛୁ । ଜାପାନ ଅବସ୍ଥାର ପରିବର୍ତ୍ତନ ଦେଖି ଖୋଳ ବଦଳେଇବାର ଶିଖିଛି, ସେଥିପାଇଁ ଜାତୀୟ ପ୍ରତିଯୋଗିତାରେ ସେ ସବୁବେଳେ ଆଗରେ । ମୋ ଜାତିର ସଭ୍ୟତା ଇତିହାସ ସୁଦ୍ଧା କହିପାରୁ ନାହିଁ, କାରଣ କବିଙ୍କ ଭାଷାରେ, ପ୍ରଥମ ପ୍ରଭାତ ଉଦୟ ତବ ଗଗନେ’ । ମୋ ଦେଶରେ ମାନବ-ସଭ୍ୟତାର ପ୍ରଥମ ପ୍ରଭାତ ହେଲାବେଳେ, ହୁଏ ତ ସମସ୍ତ ଜଗତ ନିଦ୍ରିତ ଥିଲା; କିନ୍ତୁ ଆଜି ? ଆଜି ଯେ ଅନ୍ୟ ସମସ୍ତେ ଜାଗ୍ରତ ହୋଇ ଆମର ବହୁ ଆଗରେ; ଆମେ ଏତେ ପଛରେ ପଡ଼ିଛୁ ଯେ, ଆମର ନିଜର ଜାହାଜ ନାହିଁ ଯେ, ମତେ ଜାପାନୀ ଜାହାଜରେ ଆସିବାକୁ ହେଲା । ଜାପାନୀ ଜାହାଜରେ ଚଢ଼ିଲା ବେଳେ ମୋର ଏହି କଥାଟା ବରାବର ମନରେ ହେଉଥାଏ; କିନ୍ତୁ ବର୍ତ୍ତମାନ ଅବସ୍ଥା ଯେପରି ଆମର ଜାପାନୀମାଙ୍କଠୁଁ ବି ଅନେକ କଥା ଶିଖିବାର ଅଛି । ଉଦ୍ଧବ ଚିଲ, ଅଜଗର ପ୍ରଭୃତି ଗୁରୁଙ୍କଠୁଁ ବିଜ୍ଞାନ ଲାଭ କରିଥିଲେ । ନବ ଜାଗ୍ରତ ଭାରତବର୍ଷ ଏହି ସଂକଳ୍ପ କରିବା ଉଚିତ ଯେ, ଜଗତରେ ଯେଉଁଠି ଯାହା ଶିଖିବାର ଅଛି, ତାହା ଆମର ସଂପୂର୍ଣ୍ଣ ନିଜସ୍ୱ କରିବାକୁ ହେବ । ଆଜି ତା ବାହୁବଳରେ ଶକ୍ତି ନାହିଁ; ଶକ୍ତି ମନୁଷ୍ୟର ମୁଣ୍ଡରେ । ଭାରତୀୟ ମସ୍ତକକୁ ଜଗତର ସକଳ ପ୍ରକାର ଜ୍ଞାନର ଭଣ୍ଡାର କରିବାକୁ ହେବ । ନ ହେଲେ ତ ଅନ୍ୟମାନଙ୍କ ସହ ପ୍ରତିଯୋଗିତାରେ ପାରି ଉଠିବା ଆଜି ବଡ଼ କଠିନ ବ୍ୟାପାର । ଜାପାନ ଗତ ଶତାବ୍ଦୀରେ ଏହି ପ୍ରତିଜ୍ଞାଧରି ଉଠିଥିଲା । * ଆଜି ସେ ତାର ଫଳ ପାଉଛି । ଆମର ଦୁଇଶ ବର୍ଷର ଶିକ୍ଷା ଆମକୁ କେବଳ ଚାକିରୀ ଯୋଗାଇ କୃତାର୍ଥ କରିଛି ।

 

*

The aim of education was conceived in a liberal spirit-‘‘knowledge shall be sought throughout the world’’-Modern Japan-Inaze Nitolee P. 118.

 

ଜାହାଜରେ ଜାପାନୀପୁରୁଷ ସ୍ତ୍ରୀ ସମସ୍ତେ ଓୟୁରୋପୀୟ ପୋଷାକ ବ୍ୟବହାର କରୁଥାନ୍ତି । ବେଳେ ବେଳେ ମାତ୍ର କାମରୁ ବିଶ୍ରାମ ନେଲେ ପୁରୁଷ ବା ସ୍ତ୍ରୀ ଜାପାନୀ-ପୋଷାକ ପିନ୍ଧନ୍ତି । ଜାପାନୀ ପୋଷାକ ‘କିମୋନୋ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ୟୁରୋପୀୟ ପୋଷାକ ଅପେକ୍ଷା ସୁନ୍ଦର ଦେଖାଯାଏ, ମୁଁ ଦିନେ ଜଣେ ଜାପାନୀ ଅଫିସରଙ୍କୁ ପଚାରିଲି, “ତମ ପୋଷାକ ଏତେ ସୁନ୍ଦର; ତମେ ଏ ୟୁରୋପୀୟ ପୋଷାକ ପିନ୍ଧିଛ କାହିଁକି ?” ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା, “ୟୁରୋପୀୟ ପୋଷାକ ଆମ ପୋଷାକ ଅପେକ୍ଷା ଶସ୍ତା । ତେଣୁ ସାଧାରଣ କାମ ପାଇଁ ଆମେ ୟୁରୋପୀୟ ପୋଷାକ ଗ୍ରହଣ କରିଛୁ; କେବଳ ସାମୟିକ ବ୍ୟବହାର ପାଇଁ ଆମ ଜାତୀୟ ପୋଷାକ ଗୋଟେ ଗୋଟେ କରି ରଖିଥାଉଁ ।” ଏ ପ୍ରକାର ସାଂସାରିକ ବୁଦ୍ଧି ଭାରତୀୟଙ୍କର ଜୀବନରେ କାର୍ଯ୍ୟ କରୁନାହିଁ; ତେଣୁ ଆମେ ପ୍ରାଚୀନ ଖୋଳ ଭିତରେ ପଡ଼ି ରହିଛୁଁ ।

 

ଜାହାଜ ମାର୍ସେଲ୍ ଠାରୁ ଜିବ୍ରାଲ୍‍ଟର ଭିତରେ ଯାଉଥିଲା ବେଳେ ମୁଁ ଦିନେ କାପ୍‍ଟେନ ସଙ୍ଗେ ଦେଖାକରି ଜାପାନ ସମ୍ବନ୍ଧରେ କଥାବାର୍ତ୍ତା ହୋଇଥିଲି । ମୁଁ ପଚାରିଲି, “ଜାପାନର ଏ ଅଦ୍ଭୁତ ଅଭ୍ୟୁଦୟର କିଛି ରହସ୍ୟ ତୁମେ ଜାଣ ?” “ନା, ମୁଁ କହିପାରିବି ନାହିଁ, କହିବା ବଡ଼ କଠିନ-।” “ସତୁରି ବର୍ଷ ପୂର୍ବେ ଜାପାନକୁ କେହି ଜାଣି ନ ଥିଲେ; ଜାପାନ ଅସଭ୍ୟ ଥିଲା ।” “ନା ନା, ଜାପାନକୁ କେହି ନ ଜାଣିଲେ କଣ ହେବ, ଜାପାନ ନିଜକୁ ଜାଣିଥିଲା; ଜାପାନ ବହୁ ପୂର୍ବରୁ ସଭ୍ୟ-।” “ମୁଁ ମନେ କରୁଛି, ତମର ଶିକ୍ଷା-ପ୍ରଣାଳୀ ତମର ଅଭ୍ୟୁଦୟର ମୂଳରେ ।” “ହେଇପାରେ”-। “ମତେ ତମର ଶିକ୍ଷାପଦ୍ଧତି ଟିକିଏ ବୁଝେଇ ଦେବ କି ?” କାପ୍‍ଟେନ୍ କାଗଜ ପେନସିଲ କାଢ଼ି ମତେ ବୁଝେଇବାକୁ ଲାଗିଲେ । କାପ୍‍ଟେନ୍‍ଙ୍କୁ କଥା ଓ ପରେ ମୋର ପଢ଼ାରୁ ମୁଁ ଜାପାନୀ ଶିକ୍ଷା-ପଦ୍ଧତି ସମ୍ବନ୍ଧରେ ଯାହା ଜାଣିଛି, ମୋଟରେ ତାହା କହିବି ।

 

ଛ’ ବର୍ଷ ବୟସରେ ଜାପାନୀ ବାଳକ ବାଳିକା ବିଦ୍ୟାରମ୍ଭ କରନ୍ତି; ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ ଓ ପ୍ରାୟ ଛଅ ବର୍ଷ ନିଏ । ଜାପାନୀ ଭାଷାର ଲିଖନ-ପଠନ ଛଡ଼ା ପ୍ରାଥମିକ ବିଦ୍ୟାଳୟରେ ଗଣିତ, ଜାପାନର ଇତିହାସ, ଜାପାନ ଓ ପୃଥିବୀର ଭୂଗୋଳ, ସଙ୍ଗୀତ, ଚିତ୍ରାଙ୍କନ, ପଦାର୍ଥ-ବିଦ୍ୟା (Physics)ଓ ରସାୟନ ବିଦ୍ୟା (Chemistry) ବି ପଢ଼ାହୁଏ । ଆମର ଶିକ୍ଷା ବିଭାଗୀୟ କର୍ତ୍ତୃ ପକ୍ଷଗଣଙ୍କ ଅବଧାନକୁ ଆଣିବାକୁ ଏଥିରେ ବିଷୟ ଅଛି । ମୁଁ ପ୍ରଥମେ ବିଶ୍ୱାସ କରି ପାରିଲି ନାହିଁ ଯେ, ପଦାର୍ଥବିଦ୍ୟା ଓ ରସାୟନ ବିଦ୍ୟା ପ୍ରାଇମେରୀ ସ୍କୁଲରେ କିପରି ପଢ଼ାହେଉଛି; କିନ୍ତୁ କାପ୍‍ଟେନ୍ କହିଲେ ଯେ ଏହା ପ୍ରାଥମିକ ଧରଣର । ଯେଉଁ ଧରଣର ହେଉ, ମାତୃଭାଷାରେ ଶିକ୍ଷା ଦିଆ ହେଉଥିବାରୁ ଯେ କେବଳ ଏହା ସମ୍ଭବ ହେଉଛି, ଏଥିରେ ତ ସନ୍ଦେହ ନାହିଁ । ଭାରତବର୍ଷରେ ଏସବୁ ବିଷୟର ପାଖ ପଶିବାକୁ ଯୁବକମାନଙ୍କୁ ଅସାଧ୍ୟ ସାଧନ କରିବାକୁ ହୁଏ । ହାୟରେ ପ୍ରଭେଦ ! ପ୍ରାଥମିକ ବିଦ୍ୟାଳୟମାନଙ୍କରେ ସଙ୍ଗୀତଶିକ୍ଷା ମଧ୍ୟ ବିଚାର କରିବାର କଥା । ଆମର ପ୍ରାଚୀନ ଚାଟଶାଳୀମାନଙ୍କରେ ଛାନ୍ଦ, ଚୌପଦୀ ଗାଇବାର ଅବକାଶ ଥିଲା । ସେହି ସୂତ୍ରରେ ଗ୍ରାମମାନଙ୍କରେ ବାୟୁମଣ୍ଡଳ ସଙ୍ଗୀତମୁଖର ହୋଇ ଉଠୁଥିଲା । ବର୍ତ୍ତମାନର ଗଦ୍ୟମୟ ଶିକ୍ଷା ଜାତିକୁ ନିରାନନ୍ଦ କରି ପକାଉଛି । ଏ ଦିଗରେ ଦୃଷ୍ଟି ଦେଲେ କର୍ତ୍ତୃପକ୍ଷ ଦେଶର ଉପକାର କରନ୍ତେ ।

 

ବାରବର୍ଷ ବୟସରେ ଜାପାନୀ ବାଳକ ‘ମଧ୍ୟ-ବିଦ୍ୟାଳୟ’କୁ ଆସେ । ଏଠି ଦୁଇ ଧରଣର ଶିକ୍ଷା-ନିଜର ରୁଚି ନେଇ । ଯେଉଁମାନେ ଉଚ୍ଚତର ଶିକ୍ଷା ପାଇଁ ଯିବେ, ତାଙ୍କ ପାଇଁ ଅଲଗା ବନ୍ଦୋବସ୍ତ । ଆଉ ଯେଉଁମାନେ କୌଣସି ଶିଳ୍ପଶିକ୍ଷା କରି ଜୀବିକା ନିର୍ବାହର ତୁରନ୍ତ ବନ୍ଦୋବସ୍ତ ଚାହାନ୍ତି, ତାଙ୍କ ପାଇଁ ଅଲଗା । ଏ ଶିକ୍ଷା ପ୍ରାୟ ପାଞ୍ଚ ବର୍ଷ ଲାଗେ; ତେଣୁ ଯେଉଁମାନେ ଶୀଘ୍ର ଜୀବିକା ଅର୍ଜନ କରିବାକୁ ଚାହାନ୍ତି, ସେମାନେ ସତର ବର୍ଷ ହେଲା ବେଳକୁ ସେଥିପାଇଁ ପ୍ରସ୍ତୁତ ହୋଇ ଯାଇଥିବେ । ଭାରତବର୍ଷରେ ଶିକ୍ଷାପ୍ରଣାଳୀ କେତେ ବର୍ଷ ବୟସରେ ଯୁବକକୁ ଜୀବନ ଲାଗି ପ୍ରସ୍ତୁତ କରାଏ ?

 

ଯେଉଁମାନେ ଉଚ୍ଚତର ଶିକ୍ଷା ଚାହାନ୍ତି, ସେମାନେ ଇଂରେଜୀ, ମାଥ୍‍ମେଟିକ୍‍ସ୍‍, ଉଚ୍ଚତର ଭୂଗୋଳ ଓ ଇତିହାସ, ନୀତି ଓ ଦର୍ଶନ, ଉଚ୍ଚତର ଫିଜିକ୍‍ସ ଓ କେମେଷ୍ଟ୍ରି, ପ୍ରକୃତିବିଦ୍ୟା ପ୍ରଭୃତି ପଢ଼ିବାର ଏହି ମଧ୍ୟବିଦ୍ୟାଳୟରେ ବନ୍ଦୋବସ୍ତ ହୁଏ । ଆମର ମଧ୍ୟ-ବିଦ୍ୟାଳୟର ପାଠ୍ୟ-ତାଲିକା ସହିତ ଏ ମଧ୍ୟ-ବିଦ୍ୟାଳୟର ପାଠ-ତାଲିକା ତୁଳନା କରି କର୍ତ୍ତୃପକ୍ଷ ପ୍ରଭେଦ ଦେଖିବେ କି ? ଏହି ମଧ୍ୟ-ବିଦ୍ୟାଳୟରେ ଯେଉଁମାନେ କେବଳ ଟେକନିକାଲ୍‍କୁ ଯାଆନ୍ତି, ସେମାନଙ୍କୁ କେବଳ ଇଂରେଜୀ ଶିଖେଇ ଦେବାର ଭିନ୍ନ ବନ୍ଦୋବସ୍ତ ଅଛି ।

 

ମୁଁ କାପ୍‍ଟେନ୍‍କୁ ପଚାରିଲି, “ତମର ଟେକ୍‍ନିକାଲ୍ ଶିକ୍ଷା କେଉଁ ଭାଷାରେ ହୁଏ ?” କାପଟେନ୍ ଉତ୍ତର କଲେ, ‘ଜାପାନୀ ଭାଷାରେ’ । ମୁଁ “ପଚାରିଲି, ତେବେ ପାରିଭାଷିକ ଶବ୍ଦ ସବୁ କଣ ଅନୁବାଦ କରି ନେଇଛି ?” ସେ କହିଲେ, ‘ନା, ଅନେକ ଟେକ୍‍ନିକାଲ, ଟର୍ମ୍ ଆମେ ସେଇମିତି ରଖିଛୁ । ଜାପାନୀ ଭାଷାରେ ଶିକ୍ଷା ଦିଆହୁଏ; କିନ୍ତୁ ଶବ୍ଦଗୁଡ଼ାକ ଇଂରେଜୀ ।’ “ତମର କିଛି ଅସୁବିଧା ହୁଏ କି ?” ସେ କହିଲେ, ‘ନା’ ।

 

କାପ୍‍ଟେନ୍ ନିଜେ ମିଡ଼ଲ୍ ସ୍କୁଲରୁ ପାଶ କରି ନୌ-ବିଦ୍ୟାଳୟକୁ ଯାଇଥିଲେ ଓ ସେଠି ପାଶ୍ କରି ଜାହାଜରେ ଚାକିରୀ ଗ୍ରହଣ କରିଥିଲେ । ତଳୁ ଉଠି ଉଠି ଏବେ କାପ୍‍ଟେନ୍ ହୋଇଛନ୍ତି-

 

ସତର ବର୍ଷରେ ଜାପାନୀ ଯୁବକ ହାଇସ୍କୁଲରେ ପ୍ରବେଶ କରେ । ଏଠି ବି ଦୁଇଧରଣର ଶିକ୍ଷା । ଗୋଟିଏ ଶିକ୍ଷା ଯୁବକକୁ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତୁତ କରାଏ; ଆଉ ଏକ ଶିକ୍ଷା ଆଇନ ଓ ଡାକ୍ତରୀ ପ୍ରଭୃତି ବିଶିଷ୍ଟ ଶିକ୍ଷା ଦିଏ । ଏ ଶିକ୍ଷା ପ୍ରାୟ ଚାରି ବର୍ଷ ଖଣ୍ଡେ ଲାଗେ । ଏହି ହାଇ ସ୍କୁଲରୁ ପାଶ୍ କଲେ ହିଁ ଜାପାନରେ ଯୁବକମାନେ ଭିନ୍ନ ଭିନ୍ନ ସରକାରୀ ବିଭାଗରେ ଚାକିରୀ ପାଆନ୍ତି-ଆମର ବି. ଏ. ପାଶ କଲେ ଯେପରି ।

 

ଜାପାନୀ ଲୋକଙ୍କର ସଂଖ୍ୟା ପ୍ରାୟ ସାତ କୋଟି । ସବୁ ପ୍ରକାର ଶିକ୍ଷା ପାଇଁ ଜାପାନରେ ପ୍ରାୟ ସାଢ଼େ ୭୧ (ଏକସ୍ତରି) କୋଟି ଟଙ୍କା ଖର୍ଚ୍ଚ ହୁଏ । ଏ ହିସାବରେ ଓଡ଼ିଆ ଜାତିର ଶିକ୍ଷା ପାଇଁ ଦଶ କୋଟି ଟଙ୍କା ଖର୍ଚ୍ଚ ହେବାର କଥା । କିନ୍ତୁ ବ୍ରିଟିଶ ଓଡ଼ିଶାର ଆୟ ପୂରା ଦୁଇ କୋଟି ବି ନୁହେଁ । ଜାପାନ ସରକାର ତାଙ୍କ ଆୟର ଶତକଡ଼ା ପନ୍ଦର ଭାଗ ଶିକ୍ଷାପାଇଁ ବ୍ୟୟ କରନ୍ତି; ଭାରତବର୍ଷରେ ଅନୁପାତ କଣ ମୁଁ ଜାଣେ ନାହିଁ । ସର୍ବବ୍ୟାପ୍ତ ଶିକ୍ଷା ପ୍ରଚାର ଫଳରେ ଜାପାନର ଆଜି ନିରକ୍ଷର କେହି ନାହାନ୍ତି । ଆଉ ଲୋକଙ୍କର ପଢ଼ିବାର ସ୍ପୃହା ଏତେ ବଢ଼ିଛି ଯେ, ଗୋଟେ ଗୋଟେ ଜାପାନୀ ଖବରକାଗଜର କାଟତି ୨୦ ଠାରୁ ୩୦ ଲକ୍ଷ ପର୍ଯ୍ୟନ୍ତ ଉଠୁଛି । ଗୋଟେ ଗୋଟେ ଖବରକାଗଜର ନିଜର ଜାହାଜ, ତାର ଲାଇନ ଓ ବ୍ୟୋମଯାନ ସବୁ ଅଛି । ଭାରତବର୍ଷରେ ଖବରକାଗଜର ସବୁଠୁ ବଡ଼ କାଟ୍‍ତି ବୋଧହୁଏ ମାତ୍ର ପଚାଶ ହଜାର । ଦରିଦ୍ର ଓଡ଼ିଶାର କଥା ଏଠି ପକେଇବା କାହିଁକି ?

 

ଜାପାନର ଶିକ୍ଷା ସର୍ବବ୍ୟାପ୍ତ ଯେପରି, ସେହିପରି ଗଭୀର ମଧ୍ୟ । ଜାପାନରେ ପରୀକ୍ଷାରେ ପାଶ କରିବା ଏକ କଠିନ ବ୍ୟାପାର । ପ୍ରତିସ୍କୁଲରେ ପିଲା ନିଆଯାଏ ପ୍ରତିଯୋଗିତାମୂଳକ ପରୀକ୍ଷା ଦ୍ୱାରା । ହାଇସ୍କୁଲକୁ ଯେଉଁମାନେ ନାଁ ଲେଖିବା ପାଇଁ ଆସନ୍ତି, ସେମାନଙ୍କ ଭିତରୁ ମୋଟେ ଶତକଡ଼ା ଦଶ ଜଣକୁ ନିଆଯାଏ । ଫଳରେ ଶିକ୍ଷିତ ଜାପାନୀର ମସ୍ତିଷ୍କ ଏପରି ଗଢ଼ା ହୁଏ ଯେ, ଜଗତର ଯେ କୌଣସି ସମସ୍ୟାର ସମ୍ମୁଖୀନ ହେବା ପାଇଁ ସେ ଭୟ କରେ ନା । ଆଜି ଯେ ସେ ଦୁର୍ଦ୍ଧର୍ଷ, ତାର ମୂଳରେ ଏହି ପ୍ରକୃଷ୍ଟ ଶିକ୍ଷା-ସାଧନା । ଆମେରିକାରୁ ପ୍ରକାଶିତ Geographica। Magazine ପୃଥିବୀ-ପ୍ରସିଦ୍ଧ ପତ୍ରିକା । ଏଠି ଜଣେ ଇଂରେଜ ଭଦ୍ରଲୋକ ଠୁଁ ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି ଯେ,ସେ ମାଗାଜିନ୍‍ର ଫଟୋ ବିଭାଗରେ ଜଣେ ଜାପାନୀ ହିଁ ସର୍ବମୟ କର୍ତ୍ତା । ଆଜିକାଲି ତ କୃତିତ୍ୱର ଯୁଗ; ଜାପାନୀ ତାର କୃତିତ୍ୱର ଏହି ବୋମା, ବାଣିଜ୍ୟ ବିଜୟ-ସବୁଠି ଦେଖେଇ ଦେଉଛି ।

 

ଏ ସବୁରେ ଭାରତବର୍ଷର ଜାପାନଠୁଁ ଅନେକ କଥା ଶିଖିବାର ଅଛି । ଅନ୍ୟ ଦିଗରେ ମଧ୍ୟ ଜାପାନ ଆମକୁ ଶିକ୍ଷା ଦେବାର କଥା । ଜୀବନକୁ ସୁନ୍ଦର, ସୁଖମୟ ଉପଭୋଗ୍ୟ କିପରି କରାଯାଇପାରେ, ତା ଜାପାନହିଁ ଜାଣେ । ଜାପାନୀ ପରି ସୌନ୍ଦର୍ଯ୍ୟପ୍ରିୟ ଜାତି ଜଗତରେ ଦ୍ୱିତୀୟ ନାହିଁ । ଜାହାଜରେ ଜଣେ ଇଟାଲୀୟ ଲିଖିତ ଜାପାନୀ ଉପନ୍ୟାସ ମୁଁ ପଢ଼ିବାକୁ ପାଇଥିଲି । ସେଥିରେ ଜାପାନୀ ଜୀବନର ବର୍ଣ୍ଣନ ଅତ୍ୟନ୍ତ ମନୋରମ । ପଢ଼ି ମନେ ହେଲା ଜାପାନୀ ନରନାରୀ ଯେପରି ବର୍ଣ୍ଣ-ବିଳାସ ପ୍ରଜାପତି-ଜୀବନକୁ ବର୍ଣ୍ଣ-ଗନ୍ଧମୟ ଉଦ୍ୟାନରେ ପରିଣତ କରି ସେଇଥିରେ କାଳଯାପନ କରିବା ତାଙ୍କର ବିଳାସ । ତାଙ୍କର ବେଶ ତ ବର୍ଣ୍ଣ-ବିଭବମୟ, ସୁନ୍ଦର ଓ ସ୍ୱାଚ୍ଛନ୍ଦ୍ୟଯୁକ୍ତ-। ତାଙ୍କର ଖାଦ୍ୟ, ସ୍ନାନ, ସାମାଜିକ ରୀତିନୀତି ସବୁଥିରେ ଏପରି ସୂକ୍ଷ୍ମ ବିଚାର କାର୍ଯ୍ୟ କରିଛି ଯେ, ତାର ଫଳରେ ସେମାନଙ୍କର ଜୀବନ ଆନନ୍ଦମୟ ହୋଇ ଉଠୁଛି । ଆମେ ଖାଇବା ଜାଗାରେ ଯାହା ଖାଇ ନ ପାରୁ ତାହା ଚୋବେଇ ଚୋବେଇ ପାଟିରୁ କାଢ଼ି ସେଇଠି ପକାଉ । ଏଇଟା ବଡ଼ କୁତ୍ସିତ ପ୍ରଥା । ଜାପାନୀର ରୂପ-ପାୟୀଚକ୍ଷୁ ଏ ଦୃଶ୍ୟ ସହ୍ୟ କରି ପାରେ ନାହିଁ । ଜାପାନୀ ଖାଦ୍ୟ ଏପରି ଭାବରେ ତିଆରି ଯେ, ସେଥିରେ ଆଉ ଚୋବେଇ ପକେଇବାର କିଛି ନ ଥିବ-ସବୁଟା ଖାଦ୍ୟ । ଜାପାନୀ ବଡ଼ ପରିଷ୍କୃତ ପରିଚ୍ଛନ୍ନ ଜାତି । ମଇଳା ସେମାନେ ସହି ପାରିବେ ନାହିଁ । ସେଥିପାଇଁ ସେ ନଗ୍ନ ସ୍ନାନର ପକ୍ଷପାତୀ ଓ ନଗ୍ନତାକୁ ସେମାନେ ଏପରି ସ୍ୱାଭାବିକ କଥା ବୋଲି ଧରି ନିଅନ୍ତି ଯେ ଅନେକ ସ୍ଥାନରେ ନାରୀ ପୁରୁଷ ଏକତ୍ର ନଗ୍ନ ହୋଇ ସ୍ନାନ କରନ୍ତି । ପରିଦର୍ଶକମାନଙ୍କର ମତ ଏହି ଯେ, ଏକାଠି ସ୍ନାନ କଲେ ମଧ୍ୟ ଏପରି ଅବସ୍ଥାରେ ଜାପାନୀ ନରନାରୀ ମନରେ କୌଣସି ବିକାର ଆସେ ନି ଏବଂ କୌଣସି ନାରୀ ପ୍ରତି ଏପରି ଅବସ୍ଥାରେ ଚାହିଁବା ବା କୁତ୍ସିତ ସଙ୍କେତ ଦେବା ଜାପାନରେ କେହି ଦେଖନ୍ତି ନାହିଁ । ମୋ ମତରେ ଭାରତବର୍ଷରେ ଏ ଅବସ୍ଥା ଆଣିବା ଉଚିତ । ସାମାଜିକ ସଂସ୍କାର ଆମକୁ ଏପରି ଗଢ଼ି ଆଣୁଛି ଯେ ଆମେ ସ୍ୱାଭାବିକ ଅବସ୍ଥାକୁ ଅସ୍ୱାଭାବିକ ମନେ କରୁ । ଜାହାଜରେ ମୁଁ ଜାପାନୀ ପୁରୁଷମାନଙ୍କୁ ନଗ୍ନ ହୋଇ ଗାଧୋଇବାର ଦେଖିଛି । ଆମକୁ ତ ସଂକୋଚ ଲାଗିବାର କଥା । ସେମାନେ କିନ୍ତୁ ନିଃସଂକୋଚ । ଅନେକ ସମୟରେ ଅନେକ ଜାପାନୀଙ୍କୁ କେବଳ ଖଣ୍ଡେ କୌପୀନ ମାରି ନଗ୍ନ ଦେହରେ ଚଲାବୁଲା କରିବାର ଦେଖିଛି-

 

ଜାପାନୀମାନେ ରାତିରେ ସ୍ନାନ କରନ୍ତି । ଦିବସର ସମସ୍ତ ଜଞ୍ଜାଳ ଶେଷ କରି ଶରୀରର ଦିନଯାକର କ୍ଳେଦ ପରିଷ୍କାର କରି ଦିନର ଶେଷ ବିଶ୍ରାମ ନେବା ମୋ ମତରେ ଖୁବ୍ ଯୁକ୍ତିଯୁକ୍ତ ବ୍ୟବସ୍ଥା । ଜାହାଜରେ ଦେଖିଛି, ଖୁବ୍ ସକାଳୁ ଉଠି ଜାପାନୀ ଶ୍ରମିକ ଓ କର୍ମଚାରୀ କାମରେ ଲାଗିଯାନ୍ତି-କିନ୍ତୁ ମୁହଁକୁ ଅନେଇଲେ ମନେହୁଏ ଯେପରି ଏହିକ୍ଷଣି ସ୍ନାନ ପ୍ରସାଧନ ସାରିଛନ୍ତି । କିନ୍ତୁ ପରେ ବୁଝିଛି ଏଇଟା ରାତ୍ରିସ୍ନାନର ଫଳ । ଆମର ସକାଳୁ ଉଠି ପ୍ରାତଃକୃତ୍ୟ କରୁ କରୁ କଚେରୀ ଘଣ୍ଟା ବାଜିଯାଏ । କେଉଁ କାମ କେତେବେଳେ ଓ କିପରି କଲେ ସମୟ ବଞ୍ଚିବ ଓ ସବୁପ୍ରକାର ସୁବିଧା ହେବ, ଆମର ଜୀବନ-ପ୍ରଣାଳୀରେ ସେ ବିଚାର ନାହିଁ ।

 

ଜାପାନରେ ଫୁଲ ସଜାଇ ଶିଖିବା ପାଇଁ ସ୍କୁଲ ଅଛି । ଜାପାନୀ ମାଳୀ ଜଗତରେ ଶ୍ରେଷ୍ଠ ମାଳୀ । ତା’ ବଗିଚାରେ ଯେତେ ଫୁଲ ଫୁଟେ, ଆଉ କେଉଁଠି ଫୁଟେ ନାହିଁ । ସେ ଋତୁ-ଭେଦରେ ବଗିଚାକୁ ଏପରି ସଜାଏ ଯେ, ବର୍ଷର ସବୁ ଋତୁରେ ବଗିଚା ପୁଷ୍ପମୟ ଥିବ । ତା’ର ଉଦ୍ୟାନ ରଚନା ପଛରେ ଜାପାନୀ ରୂପ-ତତ୍ତ୍ୱର ଶତ ଶତ ବର୍ଷର ଇତିହାସ ରହିଛି । ଜୀବନର ଜଞ୍ଜାଳରୁ ପ୍ରକୃତି ମନୁଷ୍ୟ-ଆତ୍ମାକୁ କିପରି ଶାନ୍ତି ଦେଇପାରେ, ଜାପାନୀ ଉଦ୍ୟାନ ସେହି ଉଦ୍ଦେଶ୍ୟ ନେଇ ତିଆରି । ଜାପାନୀ ଉଦ୍ୟାନ ନଦୀ-ପର୍ବତ-ବନ-ବେଳା-ସମନ୍ୱିତ ଅନନ୍ତ ପ୍ରକୃତିର ଗୋଟିଏ ଗୋଟିଏ ଛୋଟ ପ୍ରତିବିମ୍ବ । ଜାପାନୀର ଗୃହ-ରଚନା ମଧ୍ୟ ସେହିପରି ସୌନ୍ଦର୍ଯ୍ୟ ଓ ସ୍ୱାଚ୍ଛନ୍ଧ୍ୟର ସମାହାର ।

 

ଜାପାନୀ ସାମାଜିକ ଜୀବନରେ ରୂପଭୋଗ-କାମନା ଗୈଷା ସମ୍ପ୍ରଦାୟରେ ବିକାଶ ଲାଭ କରିଛି । ଭାରତବର୍ଷରେ ନୃତ୍ୟ-ଗୀତ ପ୍ରଭୃତି ରୂପକଳା, ବାରାଙ୍ଗନାମାନଙ୍କ ସହିତ ଜଡ଼ିତ; କିନ୍ତୁ ଗୈଷା ନୃତ୍ୟଗୀତରେ ଜୀବିକାର୍ଚ୍ଚନ କଲେ ହେଁ ସେ ବାରଙ୍ଗନା ନୁହେଁ । ନୃତ୍ୟ-ଗୀତାଦି କଳା ନିର୍ଦ୍ଦୋଷ ଭାବରେ ଯେ ଉପଭୋଗ କରାଯାଇପାରେ, ତା’ ଆମର ଧାରଣା ନାହିଁ । କିନ୍ତୁ ଜାପାନୀ ଆନନ୍ଦ ଉପଭୋଗ ସଙ୍ଗେ ଜାତିକୁ ସଂଯତ ରଖିବା ଲାଗି ଗୈଷା ସୃଷ୍ଟି କଲେହେଁ ତାକୁ ବେଶ୍ୟା କରି ନାହିଁ । ଗୈଷା ତିନି ପ୍ରକାର । କେବଳ ନିମ୍ନତମ ଗୈଷା ବାରବନିତା । ଉଚ୍ଚତମ ଗୈଷାର ଆଦର୍ଶ ଏହି ଯେ ତାର ଶରୀରକୁ କୌଣସି ପୁରୁଷର ସ୍ପର୍ଶଦ୍ୱାରା କଳଙ୍କିତ କରିବ ନାହିଁ । ଏମାନଙ୍କୁ ନୃତ୍ୟଗୀତରେ ଶିକ୍ଷା ଦେବା ପାଇଁ ଜାପାନର ସର୍ବତ୍ର ଉଚ୍ଚ ଦରର ବିଦ୍ୟାନୁଷ୍ଠାନ ଅଛି ଏବଂ ଶିକ୍ଷା ମଧ୍ୟ ବହୁବର୍ଷ ବ୍ୟାପୀ । ଅନେକ ଗରିବ ଘରର କନ୍ୟା ମା’ବାପାଙ୍କୁ ସାହାଯ୍ୟ ଦେବାପାଇଁ ଗୈଷା ହୁଅନ୍ତି । ପରେ ପଇସା ହେଲେ ପୁଣି ଘରକୁ ଫେରିଆସି ବିଭାଚୁଡ଼ା କରନ୍ତି । ଏଥିରୁ ଜାପାନର ସାମାଜିକ ଉଦାରତା ସହଜରେ ବୁଝାପଡ଼େ । ଯେକୌଣସି ମଜ୍‍ଲିସ୍‍ରେ ଜାପାନର ଗୈଷାମାନଙ୍କର ନୃତ୍ୟ-ଗୀତ ଏକ ଶ୍ରେଷ୍ଠ ଅଂଶ । ହୋଟେଲ, ଚା ଦୋକାନ ପ୍ରଭୃତି ଗୈଷା ଯୋଗାନ୍ତି । କିନ୍ତୁ ନୃତ୍ୟଗୀତ ଦେଇ ଆନନ୍ଦ ଦେଲେ ମଧ୍ୟ ଗୈଷା ନିଜର ଇଜ୍ଜତ ନିଜର ହାତରେ ରଖେ ।

 

ଭାରତବର୍ଷରେ ଜୀବନକୁ ଉପଭୋଗ୍ୟ କରିବାର ଏପରି ଅନୁଷ୍ଠାନ ସବୁ ନାହିଁ । ସେଥିପାଇଁ ଆମର ଜୀବନ ନିରାନନ୍ଦମୟ । ତେଣୁ ଆମର ବୁଦ୍ଧିମାନ ଲୋକେ ଜୀବନରେ ବୀତସ୍ପୃହ ହୋଇ ସନ୍ନ୍ୟାସ ଆଚରଣ କରନ୍ତି ଓ ଜାତି ଆଗରେ ସନ୍ନ୍ୟାସ ଆଦର୍ଶ ଥୋଇ ଯାଇଛନ୍ତି । ବୁଦ୍ଧିକି ଶାଣିତ କରି ଜଗତର ସକଳ ଜ୍ଞାନ ଓ ଇନ୍ଦ୍ରିୟମାନଙ୍କୁ ଜାଗ୍ରତ କରାଇ ଜଗତର ସକଳ ଆନନ୍ଦକୁ ନିଜସ୍ୱ କରିବା ମନୁଷ୍ୟର ଆଦର୍ଶ ନ ହେବ କାହିଁକି, ମୁଁ ବୁଝି ପାରୁନାହିଁ । ଜଗତରେ ରୂପ, ରସ, ଶବ୍ଦ, ଗନ୍ଧ ପୂରିରହିଛି । ସେସବୁକୁ ଆହରଣ କରିନେବା ପାଇଁ ବିଧାତା ଆମକୁ ଏକାଧିକ ଇନ୍ଦ୍ରିୟ ଦେଇଛି । ବିଶିଷ୍ଟ ଇନ୍ଦ୍ରିୟ ସହିତ ବିଶିଷ୍ଟ ବିଷୟର ସମ୍ପର୍କ ମିଳନ; ତେଣୁ ଅତ୍ୟନ୍ତ ସ୍ୱାଭାବିକ କଥା; କିନ୍ତୁ ଭାରତବର୍ଷରେ ଏସବୁରେ ଆତଙ୍କ ଉଠେ । ଫଳରେ ଆମେ ବହୁ ଯୁଗ ଧରି ଆମର ଇନ୍ଦ୍ରିୟବାତାୟନ ସବୁ ରୁଦ୍ଧ କରିବାକୁ ଶିଖିଛୁ ମାତ୍ର ଏବଂ ଯୁଗଯୁଗର ଅସ୍ୱାଭାବିକ ତାଡ଼ନା ଫଳରେ ଆମର ଇନ୍ଦ୍ରିୟସବୁ ସେମାନଙ୍କର ସ୍ୱାଭାବିକ ସୂକ୍ଷ୍ମ ପ୍ରକୃତି ହରାଇ ବସିଛନ୍ତି । ଆମେ ଘର ଦାଣ୍ଡ ନୋଂରା କରୁ; କାରଣ ଆମ ଆଖି ସୌନ୍ଦର୍ଯ୍ୟ ଦେଖି ଶିଖି ନାହିଁ । ଆମେ ପଚା ଦୁର୍ଗନ୍ଧ ଭିତରେ ପଡ଼ି ରହୁ, କାରଣ ଆମ ନାସିକା ସୁବାସର ମୂଲ୍ୟ ବୁଝିବାକୁ ଜାଣି ନାହିଁ । ଇନ୍ଦ୍ରିୟମାନଙ୍କର ଅତି ଭୋଗ ମନୁଷ୍ୟକୁ ଦୁଃଖ ଦେଇପାରେ । ସେଥିରେ ଆତଙ୍କିତ ହେବାର କାରଣ ଅଛି । କିନ୍ତୁ ଇନ୍ଦ୍ରିୟମାନଙ୍କର ସ୍ୱାଭାବିକ କ୍ଷୁଧା ନଷ୍ଟ କରିବାରେ ଲାଭ ହେବାଟା ଘୋର ସନ୍ଦେହଜନକ । ଜୀବନ ରୂପମୟ, ରସମୟ, ମଧୁର ଗନ୍ଧମୟ ଓ ମଧୁର ଶବ୍ଦମୟ ହେବାରେ ମୁଁ କୌଣସି ପାପ ଦେଖୁ ନାହିଁ; ବରଂ ଜୀବନର ପୂର୍ଣ୍ଣତା ଏହିଠାରେ । ଜୀବନକୁ ପରିପୂର୍ଣ୍ଣ ଉପଭୋଗ ଦେବା ସଭ୍ୟତାର ଶ୍ରେଷ୍ଠ ଚିହ୍ନ । ଏ ଦିଗରେ ଆମର ସଭ୍ୟତା ଅପୂର୍ଣ୍ଣ ରହିଛି । ତରୁଣ ଭାରତବର୍ଷ ନିଜ ସମ୍ମୁଖରେ ନୂତନ ଆଦର୍ଶ ରଖି ଯାତ୍ରା ଆରମ୍ଭ କରିବା ମୋର ନୀତି । ଆମର ନୂତନ ଜାତି ଯେ ନୂତନ ଭାବରେ ଗଢ଼ା ହେବ, ତା କେବଳ ରାଜନୈତିକ ମୁକ୍ତି ଦେଇ ନୁହେଁ; ଜାତିର ସକଳ ଅବରୁଦ୍ଧ ଇନ୍ଦ୍ରିୟ ଦ୍ୱାରା ଆମ୍ଭମାନଙ୍କୁ ଖୋଲି ଦେବାକୁ ହେବ ଏବଂ ଆମ୍ଭମାନଙ୍କୁ ଦେଖିବାକୁ ହେବ ଯେ, ସେହି ବାତାୟନ ଦେଇ ଜାତି ପ୍ରଚୁର ଆନନ୍ଦ ଓ ଆଲୋକ ପାଏ ।

 

ଇତିମଧ୍ୟରେ ଜାପାନର ଅତ୍ୟାଚାରରେ ଚୀନ ଧ୍ୱଂସ ହେବା ଉପରେ; କିନ୍ତୁ ଏ ଧ୍ୱଂସଲୀଳାରେ ଜାପାନ ତ ଏକା ଅପରାଧୀ ନୁହେଁ । ତା’ର ଗୁରୁଦେବ ସବୁ ଯେଉଁ ଆଦର୍ଶ ଦେଖେଇଛନ୍ତି, ସେ ତ ତା ପାଳନ କରିବ ? ନ ହେଲେ ଗୁରୁଙ୍କ ଉପଯୁକ୍ତ ଦକ୍ଷିଣା ଦେବ କିମିତି ? ଆଶ୍ଚର୍ଯ୍ୟର କଥା, ବିଲାତରେ ଜାପାନୀ ଛାତ୍ର ଗୋଟିଏ ବୋଲି ଏ ପର୍ଯ୍ୟନ୍ତ ଦେଖିନାହିଁ । ସେମାନେ ତାଙ୍କ ଦେଶରେ ସବୁ କରି ନେଲେଣି । ବର୍ତ୍ତମାନ ଏଠି ଓ ୟୁରୋପର ଅନ୍ୟ ଦେଶମାନଙ୍କରେ ଚୀନା ଛାତ୍ରଛାତ୍ରୀ ବହୁତ । ଥରେ ଏଡ଼ିନ୍‍ବରା ବିଶ୍ୱବିଦ୍ୟାଳୟର ଗୋଟିଏ କୋଣରେ ମୁଁ ବସିଛି; ଏହି ସମୟରେ ଯୋଡ଼ିଏ ଚୀନା ଛାତ୍ର-ଛାତ୍ରୀ ସେଠାକୁ ଆସି ବେଞ୍ଚରେ ବସିଲେ ଓ ଗୋଟିଏ ଚୀନା ଖବରକାଗଜ ପଢ଼ିବାକୁ ଲାଗିଲେ । ମୁଁ ସେମାନଙ୍କୁ ଭାରତବର୍ଷରେ ଜାପାନୀ ଜିନିଷର ବୟକଟ୍ କଥା କହିଲି ଓ ତାଙ୍କୁ ପଚାରିଲି, “ତମେ କ’ଣ ଜୟ କରିବ ବୋଲି ଆଶା କର ?” ଛାତ୍ରଟି ପଢ଼ୁଥାଏ; କିନ୍ତୁ ଛାତ୍ରୀ ଉତ୍ତର କଲା, ‘ନିଶ୍ଚୟ !’ “ଜାପାନୀମାନଙ୍କର ଅସ୍ତ୍ରଶସ୍ତ୍ର ଯେ ତମର ନାହିଁ ?” ସେହି ତରୁଣୀ ପୁଣି ଉତ୍ତର ଦେଲା, “ଆମର ତାଙ୍କ ଅପେକ୍ଷା ଭଲ ।” ସେ ଚୀନା-ତରୁଣୀର ସେ ତେଜୋଦୀପ୍ତ ମୁଖମଣ୍ଡଳ ଓ-ଗର୍ବ ସ୍ଫୀତ ଉତ୍ତର ମୁଁ ଭୁଲି ପାରିବି ନାହିଁ । ଯେଉଁ ଜାତିର ନାରୀ ଏପରି ଜାଗ୍ରତ, ସେ ଜାତିକି ଜଗତପାକର ବୋମା ଦମନ କରି ପାରିବ ନାହିଁ ।

Image

 

ଯାତ୍ରା ଓ ଯାତ୍ରୀ

 

ଦିନ ବାରଟା ବେଳେ ଜାହାଜ ଯାତ୍ରାରମ୍ଭର ସଂକେତଧ୍ୱନି ଦେଲା ଏବଂ କ୍ଷୁଦ୍ର ଜାପାନୀ ଜାହାଜ ‘କାଶୀମାମାରୁ’ ଲଙ୍ଗର ଉତ୍ତୋଳନ କରି ଗତିଶୀଳ ହେବାକୁ ଆରମ୍ଭ କଲା । କଲମ୍ବୋ ବନ୍ଦର ପାଚେରୀ ଘେରା ସମୁଦ୍ର ଭିତରକୁ ପ୍ରାୟ ଦେଢ଼ ମାଇଲ ଯାଏ ପାଚେରୀ ବୁଲି ଗୋଟିଏ ମଣ୍ଡଳ ରଚନା କରିଛି; ତାହାହିଁ ବନ୍ଦର । ଏଥିରେ ସମୁଦ୍ର ପାଣି ସ୍ଥିର ଥାଏ । ମଣ୍ଡଳର ମଝିରେ ଜାହାଜମାନଙ୍କର ଆଗମ ନିର୍ଗମ ଲାଗି ଉନ୍ମୁକ୍ତ ଦ୍ୱାର ଅଛି । ମଣ୍ଡଳର ବାହାରେ ଭାରତ ମହାସାଗରର ମୌସୁମୀ-ସଂଚାଳିତ ଦୁର୍ବାର ତରଙ୍ଗରାଜି ସେହି ପ୍ରାଚୀର ଉପରେ ପିଟି ଦେଉଥାନ୍ତି-। ପୃଥିବୀର ଆଲିଙ୍ଗନରୁ ସେମାନଙ୍କୁ ଦୂରରେ ରଖିଥିବାରୁ ତା ଉପରେ ଯେପରି ସେମାନଙ୍କର ବିଶେଷ କ୍ରୋଧ ।

 

ଯେମିତି ପାଚେରୀ ଡେଇଁଛି, ସମୁଦ୍ରର କ୍ଷୁବ୍‍ଧ ବଂଧୁର ବକ୍ଷରେ ପଡ଼ି ଜାହାଜ ଭୟଙ୍କର ଭାବରେ ଆନ୍ଦୋଳିତ ହେବାକୁ ଲାଗିଲା । ମୁଁ କୌଣସି କର୍ମରେ ଜାହାଜର ଉପର ମହଲାକୁ ଯାଇଥିଲି । ଉପର ମହଲାର ଡେକ୍‍ରେଲିଂକି ଧରି ଚାରିଆଡ଼ର ଦୃଶ୍ୟ ଦେଖିବାକୁ କିଛିକ୍ଷଣ ଚେଷ୍ଟା କଲି । ଜାହାଜ ଭୀଷଣ ଭାବରେ ଉଠ-ପଡ଼ ହେବାର ଦେଖି ପ୍ରଭଞ୍ଜନର ବେଗ ସହି ନ ପାରି ମୁଁ ଟଳି ଟଳି ତଳରୁ ଚାଲିଆସି ଶଯ୍ୟାର ଆଶ୍ରୟ ନେଲି । ଶଯ୍ୟାଗ୍ରହଣ କଲେ ମଧ୍ୟ ବିପଦରୁ ରକ୍ଷା ନାହିଁ । କାରଣ ଜାହାଜର ଆନ୍ଦୋଳନ ହେଲେଇ ସମୁଦ୍ର-ପୀଡ଼ା ଆରମ୍ଭ ହୁଏ । ମୁଁ ସମୁଦ୍ର-ପୀଡ଼ାର କଥା ଶୁଣିଥିଲି ବା ପଢ଼ିଥିଲି, ଚିଲିକାରେ ସାମାନ୍ୟ ମୃଦୁଭାବରେ ଅନୁଭବ କରିଥିଲି ମଧ୍ୟ; କିନ୍ତୁ ଏହି ପୀଡ଼ାର ବିଭୀଷିକା ବର୍ତ୍ତମାନ ପରିପୂର୍ଣ୍ଣଭାବରେ ଅଙ୍ଗେ ନିଭେଇବାକୁ ହେଲା ।

 

କଲମ୍ବୋଠାରୁ ଯାତ୍ରା ଆରମ୍ଭ କଲେ ଏଡ଼େନ୍ ଆମର ଦ୍ୱିତୀୟ ବନ୍ଦର । ସେଠାରେ ପହଞ୍ଚିବାକୁ ଆମକୁ ବର୍ତ୍ତମାନ ପ୍ରାୟ ସପ୍ତାହେ ଲାଗିବ । ବାଟରେ କେବଳ ଅନନ୍ତ ନୀଳଜଳଧି, ଦିକ୍‍ଚକ୍ରରେଖା ଯାର ଚିର ପରିବର୍ତ୍ତମାନ ସୀମା । ସାତ ଦିନ ସୂର୍ଯ୍ୟ ଉଇଁବେ ଓ ବୁଡ଼ିବେ; ଆମେ କିନ୍ତୁ ବରୁଣର ଏକବର୍ଣ୍ଣୀ ରାଜ୍ୟରେ ବିଷ୍ଣୁ ପ୍ରଳୟ-ଜଳରେ ବଟପତ୍ରରେ ଭାସିଲା ପରି କେବଳ ଭାସୁଥିବୁ । ଏଇ ପ୍ରଥମ ସମୁଦ୍ର ଯାତ୍ରା । ତେଣୁ ପ୍ରଥମ କରି ଏକାଦିକ୍ରମେ ସାତ ଦିନ ଅନବଚ୍ଛିନ୍ନ ଭାବରେ ସମୁଦ୍ର ଉପରେ ଭାସିବାକୁ ପଡ଼ିବାରୁ ହୃଦୟ ଦବିବାକୁ ଲାଗିଲା । ମନୁଷ୍ୟ ଜଳ, ସ୍ଥଳ, ବାୟୁ ସବୁ ଜୟ କରିଛି ସତ; କିନ୍ତୁ ସେ ସ୍ଥଳ ଛଡ଼ା ପ୍ରକୃତିର ଅନ୍ୟ କୌଣସି ଅଂଶକୁ ବିଶ୍ୱାସ କରିବାକୁ ଶିଖି ନାହିଁ । ଜଳ, ବାୟୁ ପ୍ରଭୃତି ଏ ଯାଏ ମନୁଷ୍ୟର ଶତ୍ରୁ । ଏକେ ତ ମନୁଷ୍ୟ ଯେଉଁ ସ୍ଥିର ନିରାପଦ ଆଶ୍ରୟ ଟିକକ ଲୋଡ଼େ, ତା ଏମାନେ ଦେଇପାରନ୍ତି ନାହିଁ; ତା ଛଡ଼ା ମନୁଷ୍ୟକୁ ଆପନ୍ନ କରିବାକୁ ଜଳବାୟୁ ପ୍ରଭୃତି ପ୍ରକୃତିର ଏକ ଏକ ପରମ ଅସ୍ତ୍ର । ମନୁଷ୍ୟ ଆଜି ଏମାନଙ୍କ କାନମୋଡ଼ି କାମ ଆଦାୟ କରିଛି ମାତ୍ର । ଧରଣୀର ଅବହେଳିତ ମାଟିରେ ମନୁଷ୍ୟ ଯେଉଁ ବନ୍ଧୁତା, ଯେଉଁ ଆଶ୍ରୟ ପାଏ, ରତ୍ନାକରଙ୍କର ବିରାଟ ରାଜ୍ୟରେ ସେ ବନ୍ଧୁତା ମିଳେନାହିଁ; ବରଂ ମନୁଷ୍ୟ ପ୍ରକୃତିର କିପରି ଅନାକାଙ୍ଣିତ ତାହା ସମୁଦ୍ର-ପୀଡ଼ା ହିଁ ସୂଚନା କରେ । ପ୍ରଥମ ସମୁଦ୍ର-ଯାତ୍ରାର ପ୍ରଥମ ଚ୍ଛେଦରେ ସପ୍ତାହବ୍ୟାପୀ ସମୁଦ୍ର ପୀଡ଼ା ମତେ ବିକଳ କରିଦେଲା ।

 

ସମୁଦ୍ର-ପୀଡ଼ା କ’ଣ ତାହା ବୁଝେଇ ହେବ ନାହିଁ । ୟାକୁ ବୁଝିବାକୁ ହେଲେ ଅନୁଭବ କରିବାକୁ ହେବ । ଜାହାଜ ଏପରି ଭାବରେ ଆନ୍ଦୋଳିତ ହୁଏ ଯେ, ପାଦ ସ୍ଥିର ରହେନାହିଁ-ଟଳମଳ ଟଳମଳ ହୋଇ ଚାଲିବାକୁ ହୁଏ । ସମସ୍ତ ଶରୀର ଝାଙ୍କି ହେଲା ପରି ବୋଧହୁଏ; ମସ୍ତିଷ୍କ ବୁଲେଇ ହେଲା ପରି ଲାଗେ । ପେଟ ଓ ହୃତ୍‍ପିଣ୍ଡ ଏପରି ଆକ୍ରାନ୍ତ ହୁଏ ଯେ, ମନେ ହେବ ଯେପରି ଭିତରର ଅନ୍ତଶିରୀ ସବୁ କିଏ ଛିଣ୍ଡେଇ ଦୂହୁଁଛି । କାହାର କାହାର ଭୟଙ୍କର ବାନ୍ତି ହୁଏ । ମୋର ବାନ୍ତି ହୋଇନାହିଁ; କିନ୍ତୁ ସେଥିଲାଗି ପୀଡ଼ା ମୁଁ କମ୍ ଭୋଗ କରି ନାହିଁ । ପୀଡ଼ା ଯେମିତି ଆରମ୍ଭ ହେଲା, ଖାଇବାକୁ ଇଚ୍ଛା ହେଲା ନାହିଁ ଏବଂ ଉପବାସ କାଳେ ପୀଡ଼ାର ଉପଶମ ଆଣିବ ଭାବି ମୁଁ କଲମ୍ବୋ ଛାଡ଼ିବାର ଦିନକ ପରେ ଖାଡ଼ା ଉପବାସ ରହି କେବଳ ଶେଯରେ ଶୋଇ ରହିଲି । ପୀଡ଼ା କମିବାରୁ ନୁହେଁ; ଏଡ଼େନ୍ ଯାଏଁ ଶେଯରେ ଆଖିବୁଜି କୌଣସିମତେ ପଡ଼ିଥାଏ ଏବଂ ଛାଡ଼ି ଆସିଥିବା ଗୃହର ସୁଖ ସବୁ ମନେ ପକାଉଥାଏଁ । ଭାବୁଥାଏ, ଏଇତ ପ୍ରବାସର ଆରମ୍ଭ ହେଲା-ହାୟରେ ! ରୋଗଶୋକରେ ଏପରି ଆଶ୍ରୟହୀନ ହୋଇ ପଡ଼ି ରହିଲେ କିଏ ପଚାରିବ ଆଉ ? ନାରୀର କୋମଳ କରପଲ୍ଲବର ସ୍ନେହ-ରଞ୍ଜିତ ମୃଦୁଘର୍ଷଣ କପାଳପଟରେ ଆଉ ପାଇବି ସତେ ! ପ୍ରିୟଜନର ପରିଚିତ କଣ୍ଠସ୍ୱରର ‘କିପରି ଲାଗୁଛି’ ‘କ’ଣ ଦେବି’, ‘କ’ଣ ଖାଇବ’, ‘ଭଲ ହୋଇଯିବ’ ପ୍ରଭୃତି ଆଶ୍ୱାସବାଣୀ, ମୃଣାଳ-ଭୁଜର କାଚ ସଂଚାଳନ ସଙ୍ଗେ ମିଳିତ ହୋଇ ମୋର ରୋଗ-ବ୍ୟାକୁଳ ପ୍ରାଣକୁ ଏହି ପ୍ରବାସରେ ଆଉ ବୋଧ ଦେବ ! ମନେ ହେଉଥାଏ, ଯେପରି ସେ ନରକ-ଯନ୍ତ୍ରଣାର ଶେଷ ନାହିଁ । ପୀଡ଼ା ଯେତେବେଳେ ତୀବ୍ର ବୋଧହୁଏ, ହତାଶ ହୋଇ ବେଳେ ବେଳେ ଅଶ୍ରୁତ୍ୟାଗ କରିଛି ମଧ୍ୟ । ସମୁଦ୍ର ସ୍ଥିର ହେଲା; କିନ୍ତୁ ଆଉ ପୀଡ଼ା ନାହିଁ । ଫେର୍ ଆନ୍ଦୋଳନ ଆରମ୍ଭ ହେଲେ ପୀଡ଼ାର ଆରମ୍ଭ । ଏହିପରି ଆରବ ସାଗରରେ ଭୂମଧ୍ୟସାଗରର ପ୍ରଥମ ଅଂଶରେ ଏବଂ ଆଟ୍‍ଲାଣ୍ଟିକ ମହାସାଗର ସାଇବେରୀୟ ଉପକୂଳରେ ଆମ୍ଭମାନଙ୍କୁ ତିନି ଥର ଏହି ସମୁଦ୍ର-ପୀଡ଼ାରେ ବ୍ୟସ୍ତ ହେବାକୁ ପଡ଼ିଥିଲା । ଜାହାଜ ଟିକିଏ ଦୋହଲିବାକୁ ଆରମ୍ଭ କଲେ ମୁଁ ଡେକ୍ ଛାଡ଼ି, ତଳେ ଶେଯ ଧରି ସ୍ଥିର ହୋଇ ଶୋଇପଡ଼େ । ପୁଣି ଯାଇ ସମୁଦ୍ର ସ୍ଥିର ହେବାର ଜାଣିଲେ ଉପରକୁ ଆସେ । ଜାହାଜର ଆନ୍ଦୋଳନ ଓ ଶାନ୍ତ ଗତି ସଙ୍ଗେ ମୋର ଏଇ ପ୍ରକାର ସମ୍ପର୍କ ରଖି ମୋର ସାଙ୍ଗମାନେ ମୋତେ ଜାହାଜର ବେରୋମିଟର ନାମ ଦେଲେ ।

 

ଜାହାଜରେ ସିଲୋନର ତିନି ଚାରି ଜଣ ଛାତ୍ର, ପଞ୍ଜାବରୁ ଜଣେ ଛାତ୍ର ଓ ଜଣେ ଶିକ୍ଷିତ ଯୁବକ ବ୍ୟବସାୟୀ ମୋ ସାଥିରେ ଉଠିଲେ । ଏମାନେ ସମସ୍ତେ ତୃତୀୟ ଶ୍ରେଣୀର । କିନ୍ତୁ ଏହି ଶ୍ରେଣୀର ଦଳେ ଭାରତୀୟ ବୁଲାବିକା ବି ଉଠିଛନ୍ତି; ସଂଖ୍ୟା ପ୍ରାୟ ବାର, ଚଉଦ । ପଞ୍ଜାବ ଓ ଉତ୍ତର-ପଶ୍ଚିମ ପ୍ରଦେଶ ଏମାନଙ୍କ ଘର । ଏମାନଙ୍କ ଭିତରୁ, ଜଣେ ଦିଜଣ ମାତ୍ର ଇଂରେଜୀରେ ଭଙ୍ଗା ଭଙ୍ଗା କଥା କହିପାରନ୍ତି । ବାକୀତକ ବିଲ୍‍କୁଲ ଇଂରେଜୀ ଜାଣନ୍ତି ନାହିଁ । ମଇଳାବେଶ, ଅପରିଷ୍କାର ଅଭ୍ୟାସ ସବୁ । ଏପରି ଲୋକ ସବୁ ଯେ ବିଲାତ ଆସନ୍ତି, ଏ ଧାରଣା ଆମ ଦେଶରେ ଅନେକଙ୍କର ନାହିଁ । କିନ୍ତୁ ବିଲାତ ଆସି ଦେଖୁଛି, ଏଠି ଏମିତି ବଡ଼ ସହର ନାହିଁ, ଯେଉଁଠିକି ଏହି ଧରଣର ଭାରତୀୟ ବୁଲାବିକା ନାହାନ୍ତି । ଏମାନେ ଡଣ୍ଡି, ଗ୍ଳାସ୍‍ଗୋ ପ୍ରଭୃତି ସହରରୁ କପଡ଼ା ପ୍ରଭୃତି ମୋଟା ଦରରେ କିଣି ପୋଷାକ ବନେଇ ଦିଅନ୍ତି ଓ ତାକୁ ଖୁଚୁରା ଦରରେ ଗାଁ ଗଣ୍ଡା ସହରତଳି ବୁଲି ବିକନ୍ତି । ଏଥିରେ ବେଶ୍ ଦି’ପଇସା ପା’ନ୍ତି ମଧ୍ୟ । ମୁଁ ଏଠାକୁ ଆସିଲାପରେ ବାଟ ଘାଟରେ ଏମାନଙ୍କ ଭିତରୁ କେତେ ଜଣଙ୍କୁ ଦେଖିଛି । ଥରେ ନିଉକାସଲ୍ ରେ ଥିବା ଏମାନଙ୍କର ବସାଘରକୁ ବି ଯାଇଛି । ଯାତ୍ରାରେ ବାହାରିବା ସାଇବ ପରି କୌଣସିମତେ ପୋଷାକ ପିନ୍ଧିବା ଶିଖିଛନ୍ତି ସତ; କିନ୍ତୁ ଭାରତବର୍ଷର ନୋଂରା ଅଭ୍ୟାସଯାକ ସାଙ୍ଗରେ ଆଣିଛନ୍ତି ଓ ସାଇତି ରଖିଛନ୍ତି-। ଗୋଟେ ବଖରାରେ ଚାରି ଜଣ ଲେଖେଁ ରହିବେ, ସେଇଠି ରୋଷେଇ, ସେଇଠି ଲୁଗାପଟା ପେଡ଼ି ପେଟରା, ମଇଦା ମାଂସ-ଠିକ୍ ଭାରତବର୍ଷ ପରି । ଜାହାଜରେ ମୁଁ ଓ ପଞ୍ଜାବର ଶିକ୍ଷିତ ଯାତ୍ରୀ ଦୁଇ ଜଣ ଯେଉଁ କେବିନ୍‍ରେ ଥିଲୁଁ, ଏମାନେ ବି ସେଇଠି ଉଠିଥିଲେ । ସାଙ୍ଗରେ ଲମ୍ବ ନଳୀବାଲା ଗୋଟେ ହୁକ୍‍କା ଆଣିଥାନ୍ତି । କେବିନ୍ ଭିତରକୁ ଯେତେବେଳେ ପଶିବ, ପଞ୍ଝାକଯାକ ବୃତ୍ତାକାରରେ ବସି, ହୁକ୍‍କାକୁ କେନ୍ଦ୍ରରେ ଥୋଇ, ପାଳିକରି ହୁକ୍‍କା ଟାଣୁଥିବେ । ଘରଯାକ ଧୂଆଁ । ପଶି ହୁଏ ନାହିଁ କି ରହି ହୁଏ ନାହିଁ; କହିଲେ ବି ଶୁଣିବେ ନାହିଁ । ଭାରତବର୍ଷରେ ଏହି ଶ୍ରେଣୀର ଲୋକଙ୍କୁ ଏ ଅବସ୍ଥାରେ କିଛି ଉପଦେଶ ଦେଲେ ବରାବର ତ ଉତ୍ତର ଶୁଣିବ-“କାହିଁ କି ହୋ, ଆମେ କଣ ଭଡ଼ା ଦେଇନୁ ? ତମେ କଣ ଏକୁଟିଆ କୁମ୍ପାନୀକୁ ପଇସା ଦେଇଛ ?” ଏମାନଙ୍କର ବି ସେଇ ମନୋଭାବ ! ଦିନେ ଡେକ୍ ଉପରେ ଶୋଇଛୁଁ ମୋ ପାଖରେ ଏହି ଦଳର ଗୋଟେ ଭେଣ୍ଡା ଶୋଇ ପିକା ଖାଇବାକୁ ଲାଗିଲା । ଧୂମ୍ର-ପାନର ଅସୁବିଧା, ପାଖରେ ବସିଥିବା ଲୋକ ହିଁ ସହେ । ମୁଁ ଧୂଆଁରେ ଅସ୍ଥିର ହୋଇ ତାକୁ କହିଲି, ସେ ଅନ୍ୟ ଆଡ଼େ ଧୂଆଁ ଛାଡ଼ୁ । ସେ ମୂର୍ଖୋଚିତ ଉତ୍ତର କଲା-‘ତମ ନାକ କାଟି ପକାଉ ନା !’ ଅବସ୍ଥା ଏପରି ହେଲା ଯେ, ଯାତ୍ରାର ଅଧିକାଂଶ ଦିନ ମୁଁ ମୋ କବିନ୍‍ରେ ନ ରହି, ଅନ୍ୟତ୍ର ଯାଇ ଶୁଆ ବସା କଲି ।

 

ଜାହାଜ ଯେଉଁ ଦିନ କଲମ୍ବୋ ଛାଡ଼ିଲା; ସେ ଦିନ ସକାଳେ ସିଲୋନୀ ଛାତ୍ରମାନେ ଆମ ସାଥିରେ ମିଶିଲେ ! ସେମାନଙ୍କୁ ଛାଡ଼ିବାକୁ ତାଙ୍କ ଭାଇବନ୍ଧୁ ସବୁ ଆସିଥିଲେ । ତାଙ୍କ ଭିତରୁ ଜଣେ ମତେ ଦେଖି କହି ଉଠିଲା- ‘ଏଇ ଯେ ! କାଲି ଯେ ରାସ୍ତାରେ ତମ ସାଥିରେ ଦେଖା ହୋଇଥିଲା ।’ ମୁଁ ସେ ଲୋକକୁ ଆଦୌ ଦେଖିନାହିଁ । ମୁଁ ଆଶ୍ଚର୍ଯ୍ୟ ହେଲି । ସେ ପୁଣି କହିଲା- ‘ଚିହ୍ନି ପାରୁରାହଁ ? ତମେ ବୋଧହୁଏ ତମ ବାଳ ଓ ଦାଢ଼ି କାଟି ପକେଇଛ ।’ ମୁଁ ଆଶ୍ଚର୍ଯ୍ୟ ହେଲି । ଲୋକଟି ନିରାଶ ହୋଇ ଫେରିଗଲା । ପ୍ରାୟ ଦିନେ ଦୁଇ ଦିନ ପରେ ଏ ରହସ୍ୟ ଧରାପଡ଼ିଲା । ଏଇ ବୁଲାବିକା ଦଳରେ ଦୁଇ ଜଣ ଶିଖ୍ ଅଛନ୍ତି । କିନ୍ତୁ କଲମ୍ବୋରେ ଜାହାଜ ଧରିବା ପୂର୍ବରୁ ସେମାନେ ତାଙ୍କର ସ୍ୱାଭାବିକ ଦାଢ଼ି ଓ କେଶକୁ ନିଷ୍କାସନ କରି ଆସିଛନ୍ତି । ସେ ଭଦ୍ରଲୋକ ସେମାନଙ୍କୁ ଦାଢ଼ି ଥିବାବେଳେ ଦେଖି, ମତେ ଜାହାଜରେ ଦେଖି ବାଉଳା ହେଲେ । ବଡ଼ ଆଶ୍ଚର୍ଯ୍ୟର କଥା ଯେ, ଅଶିକ୍ଷିତ ହେଲେହେଁ ହିନ୍ଦୁ, ମୁସଲମାନ, ଶିଖ୍-ସମସ୍ତେ ଏହି ଦଳରେ ପରମ ପ୍ରୀତିରେ ବସା ଉଠା କରୁଥିଲେ । ଏମାନଙ୍କୁ ଦେଖି କେହି କହିବ ନାହିଁ ଯେ ହିନ୍ଦୁ, ମୁସଲମାନ, ଭିତରେ ଅହି-ନକୁଳ ସମ୍ବନ୍ଧ । ମତେ ଜଣେ ଜାପାନୀ କର୍ମଚାରୀ ଭାରତବର୍ଷର ହିନ୍ଦୁ ମୁସଲମାନ କଳିକଥା ପଚାରିବାରୁ ମୁଁ ଏଇମାନଙ୍କୁ ଦେଖେଇ କହିଲି, ‘ଯେଉଁଠି ହିନ୍ଦୁ ମୁସଲମାନ କଳି କରୁଛନ୍ତି, ସେଠି ସଇତାନ ମନ୍ତ୍ର ପଢ଼ୁଛି । କଳି ଲଗାଇବାର ଲୋକ ଯଦି କେହି ଥାଏ, ତେବେ ଅଶିକ୍ଷିତ ଜନସଂଘକୁ ମତେଇଦେବା ନିତାନ୍ତ ସହଜ କଥା ।’

 

ଏମାନେ ଗରିବ । ଯାତ୍ରାର ଖର୍ଚ୍ଚ ଜଣେ ଦଲାଲ୍‍ ଠାରୁ ଧାର କରି ଆଣିଛନ୍ତି । ସମସ୍ତେ ମିଶି ଦଲାଲ୍‍କୁ ଖର୍ଚ୍ଚପତ୍ର ଦେଇ ତାକୁ କଲମ୍ବୋଯାଏଁ ସାଥିରେ ଧରି ଆସିଥିଲେ । କଲମ୍ବୋ ବନ୍ଦରରେ ଯାତ୍ରାରମ୍ଭ ଦିନ ବ୍ରେକ୍‍ଫାଷ୍ଟ ବେଳେ ଆମ୍ଭେମାନେ ସମସ୍ତେ ବସି ଖାଉଛୁ-ଜଣେ ଲୋକ ଲୁଙ୍ଗି ଓ ପଞ୍ଜାବୀ ପିନ୍ଧିଛି; ପଞ୍ଜାବୀର ବୋତାମ ଫିଟା; ଛାତିର ଗୋଟିଏ ତ୍ରିକୋଣାକାର ଭୂମି ବାହାରକୁ ଦିଶୁଛି-ଆମର ଟେବୁଲ ଚାରିପାଖେ ଘୂରି ଘୂରି ଉଚ୍ଚ ସ୍ୱରରେ ସେହି ଦଳର ଲୋକଙ୍କୁ ଡାକି ଡାକି ‘ମଚ୍ଛି ଖାଓ’, ‘ଅଣ୍ଡା ଖାଓ’, ‘ରୋଟୀ ଖାଓ’, ‘ଆଚ୍ଛାତର୍ ସେ ଖାଓ’ ଇତ୍ୟାଦି କହି କହି ସେମାନଙ୍କୁ ଉତ୍ସାହିତ କରୁଛି । କି ଲଜ୍ଜାର କଥା ! ଲୋକଟା ଏମିତି ବ୍ୟବହାର କରୁଛି ଯେ ଜାପାନୀମାନେ ଭାବିବେ ଯେପରି କି ଏ ଭାରତୀୟମାନଙ୍କୁ ଏ ସବୁ ଖାଇବାକୁ ମିଳେନାହିଁ, ବର୍ତ୍ତମାନ ଯୋଗ ପଡ଼ିଛି, ଯେତେ ଖାଇବ ଖାଅ । ପରେ ଶୁଣିଲି, ସେହି ଲୋକଟା ଦଲାଲ୍ । ଜାହାଜ ଛାଡ଼ିବା ପୂର୍ବରୁ ସେ ଅନ୍ତର୍ହିତ ହୋଇଥିଲା ।

 

ଏହି ଦଳକୁ ସମୂହଭାବରେ ମୁଁ ‘ଗାଙ୍ଗ୍’ (Gang) ନାମ ଦେଇଥିଲି । ସମସ୍ତେ ସେହି ନାମରେ ସେମାନଙ୍କ ସମ୍ବନ୍ଧରେ କଥା କହିବାକୁ ଆରମ୍ଭ କଲେ । ସେମାନଙ୍କର ରୂପ ଭେକ, ଚାଲି ଚଳଣ ଦେଖି ସେମାନଙ୍କୁ ‘ଗାଙ୍ଗ୍’ ନ କହି ରହି ହେବ ନାହିଁ । ସେମାନଙ୍କର ବା ଦୋଷ କ’ଣ ? ଭାରତବର୍ଷରେ ବାହାରର ଭେକ ପ୍ରତି ବଡ଼ ଅନାସ୍ଥା । ତେଣୁ ଭାରତବର୍ଷର ଜଗତର ଅନ୍ୟ ସମସ୍ତ ଜନତାଠାରୁ ଅତ୍ୟନ୍ତ ଦୈନ୍ୟଗ୍ରସ୍ତ ଓ ଅସଂସ୍କୃତ ଦିଶେ । ଅଙ୍ଗାଚ୍ଛାଦନ ବା ବେଶବିନ୍ୟାସରେ ପୁଣି ଆମ୍ଭମାନଙ୍କର କୌଣସି ସାମଞ୍ଜସ୍ୟ ବି ନାହିଁ । ଜଣେ ଚୁଟୀ ରଖେ ତ, ଆଉ ଜଣେ ମୁଣ୍ଡକୁ ଏକାବେଳକେ ଚାଞ୍ଛେ; କେତେକ ନିଶ-ଦାଢ଼ି ରଖନ୍ତି, କେତେକ ଦାଢ଼ି ରଖି ନିଶ ରଖନ୍ତି ନାହିଁ; କେତେକ ନିଶ ରଖିବେ ତ ଦାଢ଼ି ରଖିବେ ନାହିଁ, ଆଉ କେତେକ ଏକାବେଳକେ ଚିକ୍କଣ ମୁଖ । କେତେକର ପଗଡ଼ି, କେତେକର ଗାନ୍ଧି-ଟୋପି, କେତେକ ଖାଲି ମୁଣ୍ଡ । କା’ର ଦେହରେ ପଞ୍ଜାବୀ, କା’ର କୁର୍ତ୍ତା ଓ କୋଟ, କା’ର ଲମ୍ବା କୋଟ୍; କା’ର ଦେହରେ କିଛି ନାହିଁ । ଚର୍ମର ବର୍ଣ୍ଣ ବି ବିଭିନ୍ନ । ଏ ସମସ୍ତ ମିଶ୍ରଣ ହେଲେ କୌଣସି ଭାରତୀୟ ଜନ-ସମବାୟ ଗୋଟିଏ ଦେଶର ଲୋକ ବୋଲି କେହି କହିବନାହିଁ । ବେଶ-ବିନ୍ୟାସରେ ପ୍ରାୟ ଅନାସ୍ଥା ଯୋଗୁଁ ଭାରତୀୟ ପୁରୁଷ ଜନତା ଆଖିକି କେବଳ ପ୍ରାଣୀ-ସଙ୍ଘ ପରି ଦିଶେ; ଜନ-ସଙ୍ଘ ପରି ନୁହେ । ବୋଟ୍‍ରେ ଜାପାନୀମାନଙ୍କୁ ଦେଖୁଥାଉଁ-। ଅଧିକାଂଶର ମୁଖର ଆକୃତି ବିଭଙ୍ଗ । କେତେକ ପୁରାଣର ଦୈତ୍ୟମାନଙ୍କର କଥା ବି ସ୍ମରଣ କରାଉଥାନ୍ତି । କିନ୍ତୁ ପୋଷାକପତ୍ରର ସାମଞ୍ଜସ୍ୟ ଓ ତହିଁରେ ସ୍ନେହ ଯୋଗୁଁ ସେମାନଙ୍କର ଜନତା ଯତ୍ନକର୍ତ୍ତିତ ବୃକ୍ଷ-କୁଞ୍ଜ ପରି ଦେଖାଯାଏ । ଜନତାର ଯେ ଗୋଟେ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ଅଛି, ତା’ ଏ ଦେଶକୁ ଆସି ଆହୁରି ବିଶେଷ ଭାବରେ ଅନୁଭୂତ ହେଉଛି । ଏ ଦେଶରେ ଯେଉଁ ସହରକୁ ଯାଅ, ଦେଖିବ ସହସ୍ର ସହସ୍ର ପୁରୁଷର ଏକ ପୋଷାକ, ସହସ୍ର ସହସ୍ର ନାରୀମାନଙ୍କର ଏକ ପୋଷାକ । ଫଳରେ ଯେଉଁଠାରେ ବା ଯେତେବେଳେ ଏମାନେ ଜମା ହୁଅନ୍ତି, ଏଠାରେ ଜନ-ମେଳନ ଯତ୍ନବର୍ଦ୍ଧିତ ଏକ-ବୃକ୍ଷର ବନାଂଶ ପରି ମନେ ହୁଏ-ତା’ ତୁଳନାରେ ଭାରତୀୟ ଜନତା ଅନାବନା ଗଛର ଜଙ୍ଗଲ ।

 

ଏ ଦେଶକୁ ଆସି ମୁଁ ଦେଖୁଛି ଯେ ସାହେବ ଆଉ ଭାରତୀୟର ମୁଖାକୃତିରେ କିଛି ହେଲେ ପାର୍ଥକ୍ୟ ନାହିଁ-ପ୍ରଭେଦ ଯାହା ବର୍ଣ୍ଣର । ପ୍ରସ୍ଥ ଓ ଉଚ୍ଚତାରେ ମଧ୍ୟ ବିଶେଷ ପାର୍ଥକ୍ୟ ଦେଖୁନାହିଁ; କିନ୍ତୁ କେବଳ ପୋଷାକ, ଶ୍ୱେତାଙ୍ଗ ପୁରୁଷକୁ ଗୋଟେ ପ୍ରକାର ବ୍ୟକ୍ତିତ୍ୱ ଦାନକରେ, ଯାହା ଭାରତୀୟ ପୁରୁଷର ନାହିଁ । ମୋର ଇଚ୍ଛା ନବଜାଗ୍ରତ ଭାରତ ଏ ଦିଗରେ ଚିନ୍ତା କରିବା ଉଚିତ । ତୁର୍କୀ ଓ ଜାପାନୀ ଇଉରୋପୀୟ ପୋଷାକ ଗ୍ରହଣ କରି ସେମାନଙ୍କର ଜାତୀୟତାକୁ କୌଣସି ପ୍ରକାରେ ଖର୍ବ କରି ନାହାନ୍ତି । ପଶ୍ଚିମର ଆଦର୍ଶରେ ଆମ୍ଭମାନଙ୍କର ପୁରୁଷ ପୋଷାକରେ ଏହିପରି କିଛି ପରିବର୍ତ୍ତନ ହେଲେ ଆମ୍ଭମାନଙ୍କର ଲଜ୍ଜାର କଥା କିଛି ନାହିଁ । ଏ ଦେଶର ଲୋକେ ଭାରତବର୍ଷର ପାଇଜାମାକୁ ରାତ୍ରିବାସ ରୂପେ ଗ୍ରହଣ କରିଛନ୍ତି । ଆମେ ତାଙ୍କଠୁଁ କିଛି ଗ୍ରହଣ କଲେ ଆମର ଅପମାନ ହେବ କାହିଁକି ? ଭାରତୀୟ ନାରୀର ଅଙ୍ଗାଚ୍ଛାଦନ ଏତେ ମନୋହର ଯେ, ଏ ଦେଶରେ ତା’ର ଭୂରି ଭୂରି ପ୍ରଶଂସା । ତାକୁ ଛାଡ଼ି ଆମର ଯେଉଁମାନେ ମେମ୍‍ସାହେବ ସାଜିବାକୁ ଚେଷ୍ଟା କରନ୍ତି, ସେମାନେ ମୂର୍ଖ ନିଶ୍ଚୟ । ପଞ୍ଜାବୀ ପଗଡ଼ି ମଧ୍ୟ ସେହିପରି ମନୋରମ ଉଷ୍ଣୀଷ । ଏହିପରି ଭାରତବର୍ଷର ଯାହା ସୁନ୍ଦର ଓ ପ୍ରୟୋଜନୀୟ ତା’ ରଖି ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ଉଚିତ ଓ ସମଗ୍ର ଦେଶର ଅଙ୍ଗାଚ୍ଛାଦନରେ ଏକ ସାମଞ୍ଜସ୍ୟ ଆଣିବା ମଧ୍ୟ ଦରକାର ।

 

କିନ୍ତୁ ମୁର୍ଖୋଚିତ ବ୍ୟବହାର କଲେ ହେଁ ଓ ନୋଂରା ଅଭ୍ୟାସ ଥିଲେ ହେଁ ଆମ୍ଭେମାନେ ନିଜ ଦେଶର ଲୋକେ ବୋଲି ଏହି ଗ୍ୟାଙ୍ଗ୍ ପ୍ରତି ସର୍ବପ୍ରକାର ଭଦ୍ରୋଚିତ କର୍ତ୍ତବ୍ୟ କରୁଥିଲୁଁ । ଜନୈକ ପଞ୍ଜାବୀ ଶିକ୍ଷିତ ଯାତ୍ରୀ ପ୍ରଥମେ ଆପତ୍ତି କରିଥିଲେ ଯେ, ‘ଆମେ ସେମାନଙ୍କଠୁଁ ଅଲଗା ରହିବା’ । ମୁଁ ତାର ପ୍ରତିବାଦ କରିଥିଲି । ମୁଁ କହିଲି, ‘ଜାପାନୀମାନେ ଯେପରି ଜାଣିବେ ନାହିଁ ଯେ, ଅଶିକ୍ଷିତ ବୋଲି ଆମେ ସେମାନଙ୍କୁ ଘୃଣା କରୁଛୁ ବା ଆମ ଭିତରେ ଏମିତି ଭେଦାଭେଦ ଅଛି ।’ ସେ ପ୍ରସ୍ତାବ ତେଣୁ ବନ୍ଦ ହେଲା ଏବଂ ସେହି ଭଦ୍ରବନ୍ଧୁ ‘ଗ୍ୟାଙ୍ଗ୍’ର ବିଶେଷ ସେବା କରିବାକୁ ଲାଗିଲେ । ଆମେମାନେ ସମସ୍ତେ ଏକତ୍ର ଖାଉଥାଉ ଓ ଉଠାବସା କରୁଥାଉ । ଏକାଠି ଖାଇଲା ବେଳେ ମୁଁ ସେମାନଙ୍କୁ ଦେଖି ଥରେ ଥରେ ଭାବେ, ‘ଏମାନଙ୍କ ଦୈନ୍ୟ-ଗ୍ରସ୍ତ ଅବସ୍ଥା ପାଇଁ ଏମାନେ ତ ଆଦୌ ଦାୟୀ ନୁହନ୍ତି । ଏହି ଶ୍ରେଣୀର ଅନ୍ୟ ଦେଶୀୟ ଲୋକମାନଙ୍କଠୁଁ ଏମାନେ ଯେ ବୁଦ୍ଧି ବା ସାହାସରେ ନ୍ୟୂନତର, ତା ମୁଁ ମାନିବାକୁ ପ୍ରସ୍ତୁତ ନୁହେ । ପ୍ରଭେଦ ଏହି ଯେ, ଅନ୍ୟ ଦେଶରେ ମନୁଷ୍ୟ ବିଧାତା ଯେଉଁ କଞ୍ଚାମାଲ ଦେଇ ଏ ଜଗତକୁ ପଠାଇ ଥାଏ, ସେ ଦେଶର ସରକାର ସେ କଞ୍ଚାମାଲ କିମିତି ପ୍ରକୃଷ୍ଟ ଭାବରେ କାମରେ ଲାଗିବ ତା ଦେଖନ୍ତି; କିନ୍ତୁ ଭାରତ-ବର୍ଷରେ ସେଥିଲାଗି କାହାର ମୁଣ୍ଡବ୍ୟଥା ହୁଏ ନାହିଁ । ଏହି ବୁଲାବିକାମାନଙ୍କ ଜୀବନରେ କି ସମ୍ଭାବ୍ୟତା ଥିଲା, କିଏ କହିବ ! କିନ୍ତୁ ସେମାନଙ୍କର ମସ୍ତିଷ୍କର ବାତାୟନ ଖୋଲିବାକୁ କେହି ତ ଚେଷ୍ଟା କରିନାହିଁ ! ତାର ଛାତିର ସାହସ, ଡେଣାର ବଳ, ଆଙ୍ଗୁଠିର କରାମତି ପରୀକ୍ଷା କରିବାକୁ ତାକୁ କେହି ସୁଯୋଗ ତ ଦେଇନାହିଁ । ମୋ ଦେଶର ଜନସାଧାରଣର ଅପୂର୍ବ ସମ୍ଭାବ୍ୟତା ଏହିପରି ଶତ ଶତ ବର୍ଷ ଧରି ଆପେ ଆପେ ନଷ୍ଟ ହୋଇ ଯାଇଛି । ମୋ ଦେଶ ସ୍ୱାଧୀନ ହୋଇଥିଲେ, ଏମାନେ ବୁଲାବିକା ନ ହୋଇ ଭଦ୍ର ବଣିକ ହୋଇଥାନ୍ତେ; କିଏ ବା ସୈନିକ, କିଏ ବା ନାବିକ ହୋଇଥାନ୍ତା । ଏଇତ ଜାପାନୀମାନଙ୍କୁ ଦେଖୁଛି । ସେମାନେ ସମସ୍ତେ ଶିକ୍ଷିତ, ସମସ୍ତେ ପରିଷ୍କୃତ, ଭଦ୍ର, ସୁବେଶ । ମୋ ଦେଶର ଏମାନଙ୍କୁ ଶିକ୍ଷା ଦେଇଥିଲେ, ଏମାନେ କ’ଣ ସେଇମିତି ହୋଇ ନ ଥାନ୍ତେ ? ଯେ କୌଣସି ଷଣ୍ଢକୁ ସଜେଇଲେ ସେ ତ ବାସୁଆ ବଳଦ ହେବ; ସେଥିଲାଗି କ୍ଷଣଜନ୍ମା ହେବା ତ ଦରକାର ନାହିଁ । ସବୁ ଜାତିର ଜନସାଧାରଣ ସଭ୍ୟ, ଭଦ୍ର ଓ ସଂସ୍କୃତ ହେଲେ; ଆମରି ଦେଶର ଜନତା କେବଳ ଦୀନହୀନ, ପତିତ ହୋଇ ପଡ଼ିରହିଲେ । ରବୀନ୍ଦ୍ର ନାଥଙ୍କର ସେହି ମର୍ମ୍ମ ଭେଦୀ ବାଣୀ ମନେ ପଡ଼େ- ‘ଦିନ ଆଗତ ଐ, ଭାରତ ତବୁ କୈ, ସେ କି ରହିଲ ନିନ୍ଦିତ ହୟେ ସବ ଜନ ପଶ୍ଚାତେ !’

 

ଏହି ବୁଲାବିକାମାନେ କିପରି ଦୀନହୀନ, ତା ଗୋଟିଏ ଘଟଣାରୁ ବୁଝାପଡ଼ିବ । କ୍ରମେ ଆମେ କଥାବାର୍ତ୍ତାରୁ ବୁଝିଲୁ ଯେ, ଏମାନେ ପ୍ରତ୍ୟେକେ ସେମାନଙ୍କର ପାସପୋର୍ଟ ଲାଗି ପ୍ରାୟ ତିନିଶ ଟଙ୍କା ଲେଖେଁ ଲାଞ୍ଚ ଦେଇଛନ୍ତି । ଭାରତବର୍ଷର ସରକାରୀ ଅଫିସମାନଙ୍କରେ ଦରିଦ୍ରଅଶିକ୍ଷିତ ପ୍ରଜାସାଧାରଣଙ୍କର ଅବସ୍ଥା ଏଇଥିରୁ ସହଜେ ଜଣାପଡ଼ିବ । ଆମେମାନେ ଯେତେବେଳେ କହିଲୁ ଯେ ପାସପୋର୍ଟ ପାଇଁ ଆମକୁ ଡାକ ଖର୍ଚ୍ଚ ଛଡ଼ା ଅନ୍ୟ କିଛି ପଡ଼ିନାହିଁ, ଏମାନେ ଆଦୌ ବିଶ୍ୱାସ କଲେ ନାହିଁ । ମତେ ଜଣେ କହିଲା, ‘ହଁ ତମ ମୁହଁକୁ ଦେଖି ମାହାଳିଆ ଦେଇଥିବ;’ ଏବଂ ସେମାନଙ୍କର ଦୃଢ଼ ବିଶ୍ୱାସ ଯେ ତିନିଶ ଟଙ୍କା ଲେଖେଁ ଦେଇ ସେମାନେ ଯେ ପାସପୋଟ୍‍ଟିମାନ ପାଇଛନ୍ତି, ତାହା ସେମାନଙ୍କର ଚାଲାକି ଯୋଗୁଁ କେବଳ ।

 

ଓଡ଼ିଆ ଶ୍ରମିକ କଲିକତା-ରେଙ୍ଗୁନ ଗଲା ପରି ପଶ୍ଚିମ ଭାରତୀୟ ବା ପଞ୍ଜାବୀ ଶ୍ରମିକ ଆଫ୍ରିକା ବା ୟୁରୋପ ଯାଏ । ଓଡ଼ିଆ ଶ୍ରମିକ ନୋଳି ମାଳି ପିନ୍ଧି ବିଦେଶରୁ ଫେରି ମାସକ ପରେ ତାକୁ ବନ୍ଧା ପକାଏ । ଏମାନଙ୍କର ମଧ୍ୟ ସେହି ଦଶା ଶୁଣିଲି । ତଥାପି ଏମାନଙ୍କର ଗର୍ବ, ଅହଙ୍କାର, ମୂର୍ଖତା ବଡ଼ ବିରକ୍ତ ଲାଗିଥିଲା ସମୟେ ସମୟେ । ହାୟ ରେ, ଯେଉଁ ଦେଶ ବା ଶାସନ ଏମାନଙ୍କୁ ଏଇପରି ବଣମଣିଷ ପରି କରି ରଖିଛି, ସେ ସିନା ଏଥିଲାଗି ଦାୟୀ !

 

ପଞ୍ଜାବର ଦୁଇ ଜଣ ଯାତ୍ରୀଙ୍କ ମଧ୍ୟରୁ ବ୍ୟବସାୟୀ ଯୁବକଙ୍କର ନାମ ଚମନଲାଲ । ଭଦ୍ର ଓ ଧନୀ ଘରର ପିଲା । ଆମେରିକା ପ୍ରଭୃତି ବ୍ୟବସାୟ ଦେଶରେ ବୁଲି ଆସିଛନ୍ତି । ବର୍ତ୍ତମାନ ବି ବ୍ୟବସାୟ ସୂତ୍ରରେ ବିଲାତି ଯାଉଛନ୍ତି । ବିବାହ ନ କରି ଅର୍ଜିତ ଧନ କୌଣସି ଜନସେବାରେ ବ୍ୟୟ କରିବା ତାଙ୍କର ସଙ୍କଳ୍ପ । ବାଟଯାକ ସେ ଆମର ବହୁତ କାମ କରି ଦେଇଥିଲେ । ମୁଁ ଓଡ଼ିଶାର ଏଇମିତି କେତୋଟି ଯୁବକ ଦେଖିବାକୁ ଚାହେଁ ।

 

ପଞ୍ଜାବର ଆର ଜଣକ ଜଣେ କଲେଜ ଲେକ୍‍ଚରର ବିଲାତି-ଡିଗ୍ରୀ ପାଇଁ ଯାଉଛନ୍ତି । ବାପା ତାଙ୍କର ଗୋଟେ କଲେଜର ଭାଇସ୍-ପ୍ରିନ୍‍ସିପାଲ । ଦିନେ ମୁଁ ତାଙ୍କୁ ପଚାରିଲି, “ତମେ ତ ଲେକ୍‍ଚରର, ତମ ବାପା ତ ଭଲ ଚାକିରୀ କରିଚନ୍ତି, ତମେ ଜାପାନୀ ଜାହାଜର ତୃତୀୟ ଶ୍ରେଣୀରେ କାହିଁକି ଆସିଲ ?” ସେ ବଡ଼ କରୁଣ କାହାଣୀ କହିବାକୁ ଲାଗିଲେ-‘ଭାଇ, ଆମେ ଏଗାର ଭାଇ । ବାପା ବୋଉ, ଚାକର ଚାକରାଣୀ ମିଶି ଦୈନିକ ତିରିଶ ଖୋରାକ ଦରକାର । ଯୋତା କିଣା ହେଲେ ଏଗାର ହଳ ଯୋତା, ପୋଷାକ କିଣା ହେଲେ ଏଗାରଟା ପୋଷାକ, ସେମାନଙ୍କର ଶିକ୍ଷା, ହେନ, ତେନ-ଟଙ୍କା ଆସିବ କୁଆଡ଼ୁ ? ମୁଁ ବଡ଼ପୁଅ । ବାପାଙ୍କ ଅନ୍ତେ ସମଗ୍ର ପରିବାରର ଭାର ମୋ ଉପରେ ପଡ଼ିବ ।’ ମୁଁ ବାପାଙ୍କୁ ବେଳେ ବେଳେ ସଂକେତ ଦିଏ; ଏଡ଼େ ବଡ଼ ପରିବାର କାହିଁକି କଲେ ସେ ! ବାପା କହନ୍ତି-“ଆଚ୍ଛା, ଏମାନଙ୍କ ଭିତରୁ ତୁ କାହାର ମରଣ ଚାହୁଁ କହ ?”

 

ବଡ଼ କରୁଣ ଅବସ୍ଥା ନିଶ୍ଚୟ । ଯେଉଁମାନେ ପରିବାର ଆରମ୍ଭ କରିବା ଉପରେ, ସେମାନଙ୍କର ଏଥିରୁ ଶିକ୍ଷା କରିବାର ଅଛି ବୋଧହୁଏ ।

 

ଜାହାଜର ଫାଷ୍ଟ ଓ ସେକେଣ୍ଡ କ୍ଲାସରେ ଅନେକ ଶ୍ୱେତାଙ୍ଗ ଯାତ୍ରୀ, ଜାପାନୀ ଯାତ୍ରୀ ମଧ୍ୟ ଅଛନ୍ତି । ଏମାନେ ତୃତୀୟ ଶ୍ରେଣୀ ଯାତ୍ରୀମାନଙ୍କର ସଙ୍ଗେ ଆଦୌ ମିଶନ୍ତି ନାହିଁ । ଗୋଟେ ଯୋଡ଼େ ଶ୍ୱେତାଙ୍ଗ ଦମ୍ପତିର ଦୁଇ ତିନୋଟି ଶିଶୁ ବେଳେ ବେଳେ ତୃତୀୟ ଶ୍ରେଣୀର ଡେକ ଉପରେ ଆସି ଖେଳା ବୁଲା କରନ୍ତି; କିନ୍ତୁ ସମସ୍ତ ଶ୍ୱେତାଙ୍ଗ ସଂପ୍ରଦାୟର ବ୍ୟବହାର ଆମମାନଙ୍କ ପ୍ରତି ଘୃଣାବ୍ୟଞ୍ଜକ ଛଡ଼ା ଆଉ କିଛି ନୁହେଁ ।

 

ଆମମାନଙ୍କ ଭିତରେ ଜଣେ ଦରିଦ୍ର ଶ୍ୱେତାଙ୍ଗ ତରୁଣ ବି ଅଛି, ତା’ର ଜୀବନ-ଇତିହାସ ଓ ଚରିତ୍ର କୌତୂହଳକର । ସେ ଭାରତବର୍ଷ ବାଟେ ସିଙ୍ଗାପୁର ପର୍ଯ୍ୟନ୍ତ ସାଇକଲରେ ଯାଇଥିଲା । ସେଠି କୌଣସି କ୍ରମେ ତାର ସମସ୍ତ ପୁଞ୍ଜି ହରେଇଲା । ପୁଲିସ ତାକୁ ତୃତୀୟ ଶ୍ରେଣୀର ଟିକଟ କଟେଇ ଦେଶକୁ ଫେରେଇ ଦେବାର ବନ୍ଦୋବସ୍ତ କରିଦେଲେ । ଖଣ୍ଡିଏ ହାଫ୍-ପ୍ୟାଣ୍ଟ ଓ ଖଣ୍ଡିଏ ହାଫ୍-ସାଟ ଛଡ଼ା ତାର ଦ୍ୱିତୀୟ ବସ୍ତ୍ର ନାହିଁ । ହାତରେ କେତୋଟି ସିଲିଂ ମାତ୍ର ସମ୍ବଳ । କିନ୍ତୁ ତାର ଚରିତ୍ରର ବଳ ଏପରି ଯେ, ସେ କାହାକୁ ହେଲେ ନିଜର ଦୈନ୍ୟ ଦେଖେଇବାକୁ ଚାହେଁନାହିଁ । ଆମ୍ଭମାନଙ୍କ ମଧ୍ୟରୁ ଏକାଧିକ ଲୋକ ତାକୁ ପୋଷାକ ଦେବାକୁ ଯାଚିଲେ, ସେ ନାହିଁ କଲା । ସେ କାହାକୁ କଥା କହେନାହିଁ । ଚୁପ୍‍ଟି କରି ଡେକ୍‍ର ଗୋଟେ ପାଖରେ ବସିଥାଏ । ଶ୍ୱେତାଙ୍ଗମାନଙ୍କ ସଙ୍ଗରେ ବି ମିଶେ ନାହିଁ । ଭୂମଧ୍ୟସାଗରକୁ ଜାହାଜ ପହଞ୍ଚିଲା ପରେ ବିଶେଷ ଶୀତ ଆରମ୍ଭ ହେଲା-। ସମସ୍ତେ ଶୀତବସ୍ତ୍ର ବ୍ୟବହାର କରିବାକୁ ଆରମ୍ଭ କଲେ । ସେ କିନ୍ତୁ ସେହି ଚିରା ହାଫ୍-ପ୍ୟାଣ୍ଟ୍‍ରେ ତୃତୀୟ ଶ୍ରେଣୀରେ ଖୋଲା ଡେକ୍‍ରେ ଜାଡ଼ ସହି ବସିଥାଏ । ଶୀତ ବେଶୀ ହେଲେ ବେଳେ ବେଳେ ଦେହ ହାତ ନିଜେ ନିଜେ ଘଷି ହୁଏ । ଏ ପ୍ରକାର ଚରିତ୍ର ଭାରତ ବର୍ଷରେ ବିରଳ ବୋଧହୁଏ । ଶ୍ୱେତଚର୍ମ ଯେ କାହିଁକି କୃଷ୍ଣ ଓ ପାଣ୍ଡୁର ଚର୍ମଉପରେ କ୍ଷମତା ବିସ୍ତାର କରିଛି, ତାର ପ୍ରଥମ ପରିଚୟ ଏହିଠାରୁ ପାଇଲୁଁ । ଲଣ୍ଡନରେ ସେ ଯୁବକ ସେହି ଚିରା ହାଫ୍-ପ୍ୟାଣ୍ଟ ଓ କାମିଜ୍ ପିନ୍ଧି ଜାହାଜରୁ ବାହାରି ଲଣ୍ଡନର ବିରାଟ ଜନତାରେ ମିଶିଗଲେ । ଜାହାଜରେ ଆମେ ତାଙ୍କୁ କହୁଥାଉ-Mysterious mariner ବା ରହସ୍ୟମୟ ନୌଯାତ୍ରୀ ।

 

ଏହି ପ୍ରକାର ସହଯାତ୍ରୀମାନଙ୍କର ସଙ୍ଗମେଳରେ ଦିନ ପରେ ଦିନ କଟିବାକୁ ଲାଗିଲା । ଦିନ ପରେ ଦିନ କେବଳ ଜଳ ଜଳ ଜଳ, ଉପରେ ନୀଳ ଆକାଶ, ତଳେ ନୀଳ ଜଳ-ବିରାଟ ବିସ୍ତାର ମଧ୍ୟରେ ଆମର କ୍ଷୁଦ୍ର ନୌକା ଭାସମାନ । ବେଳେ ବେଳେ ଦୂର ଚକ୍ରବାଳରେ ଆଫ୍ରିକା ବା ଅନ୍ୟାଭିମୁଖୀ ବାଷ୍ପୀୟ ପୋତ ବିରାଟ ତିମିଙ୍ଗିଳ ପରି ଭାସି ଉଠି କିଛି କ୍ଷଣ ପରେ ଲୀନ ହୋଇଯାଏ । ଆମେମାନେ ସେସବୁକୁ କୌତୂହଳ ସହକାରେ ନିରୀକ୍ଷଣ କରି ରହୁଁ ।

Image

 

ଘାଟେ ଘାଟେ

 

କଲମ୍ବୋ ଛାଡ଼ିବାର ଛ’ ଦିନ ପରେ ଅପରାହ୍ନରେ ଆମ୍ଭେମାନେ ସ୍ଥଳ ଦେଖିବାକୁ ପାଇଲୁ । ଡେକ୍ ଉପରୁ ଆରବର ଉପକୂଳ ପର୍ବତମାଳା ଦିଗ୍‍ବଳୟ ଉପରେ ଧୂମ୍ରବର୍ଣ୍ଣ ମେଘରେଖା ପରି ହଠାତ୍ ଦୃଷ୍ଟିକୁ ଆଗତ ହେଲା । ଅତ୍ୟନ୍ତ କୌତୂହଳରେ ଡେକ୍ ଉପରେ ଠିଆ ରହି କ୍ରମନିକଟାଗତ ଉପକୂଳ ଭୂମିର କ୍ରମପ୍ରସ୍ଫୁଟିତ ଆକୃତି ଅନେକ ବେଳଯାଏ ଦେଖିବାକୁ ଲାଗିଲୁଁ । ଜାହାଜ ବର୍ତ୍ତମାନ ଏଡ଼େନ୍ ଉପସାଗରରେ । ଆରବସାଗରର ଉନ୍ମୁକ୍ତ ବକ୍ଷ ଛାଡ଼ି ଆମ୍ଭେମାନେ ବର୍ତ୍ତମାନ ଯେଉଁ ସାଗରାଂଶରେ ଭାସୁଛୁ, ତାହା ତିନି ଦିଗରେ ସ୍ଥଳଭାଗ ଦ୍ୱାରା ସୀମାୟିତ । ତେଣୁ ସମୁଦ୍ରଜଳ ବର୍ତ୍ତମାନ ଶାନ୍ତି । ସମୁଦ୍ର-ପୀଡ଼ା ନାହିଁ । ଆମ୍ଭେମାନେ ଛ’ ଦିନର ମରଣସମ ପୀଡ଼ାରୁ ଉଠି ଆଜି ମସ୍ତିଷ୍କର ପୂର୍ବ ସ୍ଥିରତା ଅନୁଭବ କରି ଟିକିଏ ଆଶ୍ୱସ୍ତ ଓ ଖୁସି ଅଛୁ ।

 

କ୍ରମେ ଏଡ଼େନ୍‍ର ରୁକ୍ଷ, କଠୋର ଗିରିପୁଞ୍ଜ ଅସ୍ତରାଗରଞ୍ଜିତ ବ୍ୟୋମ-ପିଠିକାରେ ପରିଷ୍କାର ଭାବରେ ଦେଖାଗଲା । ଏଡ଼େନ୍‍ରେ ଓହ୍ଲାଇ ସହର ବୁଲି ଆସିବୁ ବୋଲି ଆମ୍ଭେମାନେ ପୋଷାକ ପିନ୍ଧିବାକୁ କୋଠରୀକୁ ଚାଲିଗଲୁଁ । ପୁଣି ଡେକ୍ ଉପରକୁ ଆସିଲା ବେଳକୁ ସନ୍ଧ୍ୟାର ଅନ୍ଧକାର ଜଳସ୍ଥଳ ଚାରି ଆଡ଼କୁ ଆବୃତ କରି ଦେଇଥିଲା । ଜାହାଜ ବନ୍ଦରରୁ ପ୍ରାୟ ଅର୍ଦ୍ଧକ୍ରୋଶ ଦୂରରେ ସ୍ଥିର ରହି ଆପଣାକୁ ବିଶ୍ରାମ ଦେବାରେ ଓ ସମଗ୍ର ଯାତ୍ରାରେ ଜମାୟିତ ଆପଣା ଶରୀରର ସମସ୍ତ ମଳ ମୂତ୍ର ନିକାଶ କରିବାରେ ଲାଗିଗଲାଣି । ଜାହାଜର ଚତୁର୍ଦ୍ଦିଗରେ କୃଷ୍ଣା ରଜନୀର ଅନ୍ଧକାର ତଳେ ଅଗାଧ ବାରିଧି ଘୋର କୃଷ୍ଣତରଙ୍ଗ- ମାଳା ଶତ ଶତ କୃଷ୍ଣ ଅଜଗର ପରି ପରେ ପରେ ଭାସି ବୁଲୁଛନ୍ତି । ଦୂରରେ ସମଗ୍ର ବନ୍ଦର ବହୁକ୍ରୋଶ ଧରି ବିଦ୍ୟୁତ୍ ଆଲୋକର ରୋଶ୍‍ନିରେ ସମୁଜ୍ଜ୍ୱଳ ।

 

ଛୋଟ ମଟର ବୋଟ୍‍ରେ ବସି ଆମ୍ଭେମାନେ ଯେତେବେଳେ ଏଡ଼େନ୍‍ର ପାଷାଣୀ ବେଳାରେ ଓହ୍ଲାଇ କଠିନ ଭୂଇଁରେ ପାଦ ପକେଇ ପୁଣି ଚାଲିଲୁ, ବହୁ ଦିନର ସମୁଦ୍ର-ଭାସଣ ପରେ ମୋତେ ତାହା କୌତୁକକର ଲାଗିଲା । ପାଦ ଟଳ ଟଳ ହେବାର ନାହିଁ-ଆମେମାନେ ବର୍ତ୍ତମାନ ଆମର ପରମକଲ୍ୟାଣମୟୀ ଧାତ୍ରୀ ମାଟି ଉପରେ । ଏଠି ନିର୍ଭୟରେ ମଣିଷ ଚାଲବୁଲ କରିପାରିବ, ପଡ଼ିବାର ଭୟ ନାହିଁ । ପଡ଼ିଲେ ସେହି ମାଟି ପୁଣି ଉଠିବାରେ ସାହାଯ୍ୟ କରିବ । ତରଳ ପ୍ରକୃତିରେ ମଣିଷ ଖସିପଡ଼ିଲେ ତାର ଉଠିବା କଥା ତେଣିକି ଥାଉ ସେ ଯେ ସଦ୍ୟ ସଦ୍ୟ ଅନ୍ୟ ଜୀବନ ଖାଦ୍ୟ ହେବ । ମଣିଷ ଏଇସବୁ ପାଇଁ ମାଟିର ଆଶ୍ରୟ ଲୋଡ଼େ; ସବୁବେଳେ ତା’ର ପୁରାତନ ଧୂଳି ଧୂସର କୋଳକୁ ଫେରି ଆସିବାକୁ ମନକରେ- ସେ ଯେ ମାତୃକୋଳ ପରି ନିର୍ଭୟ ଓ ନିର୍ଭରର ସ୍ଥାନ ।

 

ଏଡ଼େନ୍ କେବଳ ପାହାଡ଼, କେବଳ ରୁକ୍ଷ କଠିନ ଦୁର୍ବିନୀତ ପଥରର ପାହାଡ଼; କିନ୍ତୁ ଶ୍ୱେତାଙ୍ଗର ନିହାଣ, ମୁଗୁର ସେ ପାହାଡ଼କୁ ଚୂନା କରିଚି; ତା’ର ମୁଷ୍ଟ୍ୟାଘାତରେ ପଥର ବୋଲ ମାନି ଶିଖିଛି । ତେଣୁ ଏଡ଼େନ୍, - ଜନହୀନ, ବୃଷ୍ଟିହୀନ, ରୁକ୍ଷ, କଠିନ ପ୍ରସ୍ତରମୟ ଏଡ଼େନ୍ ଆଜି ବେଶ୍ ସମୃଦ୍ଧ ନଗର । କଠିନ ପଥର ଉପରେ ସୁନ୍ଦର ଉପବନ ସୃଷ୍ଟି ହୋଇଛି । ସୁନ୍ଦର ରାସ୍ତା, ସୁନ୍ଦର ହର୍ମ୍ୟରାଜି ଭେଦି କରି ସର୍ବତର ତଳୁ ଉପରକୁ ଏଣେ ତେଣେ ନାନା ଦିଗରେ ଗତି କରି ଚାଲିଛି । ମୁଁ ବିଦ୍ୟୁତାଲୋକିତ ଏଡ଼େନ୍ ନଗରର ରାସ୍ତା ରାସ୍ତାରେ ଘୂରି ବୁଲିଲା ବେଳେ କେବଳ ଏଇ କଥାହିଁ ଭାବୁଥାଏ ଯେ, ଏହି ଦିନେ ଅବହେଳିତ, ମାନବବାସର ଅଯୋଗ୍ୟ ରୁକ୍ଷ ପାର୍ବତ୍ୟମାଳା, ଇଂରେଜର ହାତ ବାଜି ଆଜି କଣ ହୋଇଛି ! ବିଜ୍ଞାନ, ମଲା ପଥରରୁ ବିଳାସ ଓ ବିଭବ ସୃଷ୍ଟି କରିଛି । ଅବହେଳିତା ଏଡ଼େନ୍ ବେଳା ଆଜି ଯୌବନପ୍ରାପ୍ତ ବିଳାସିନୀ ପରି ପୂର୍ବ ଓ ପଶ୍ଚିମ ଏହି ରାସ୍ତା ଉପରେ ତାର ଭବନ ରଚନା କରି, ପୃଥିବୀର ସବୁ ଦେଶର ନାଗରିକମାନଙ୍କୁ ଆତିଥ୍ୟ ଆପ୍ୟାୟନ ଦାନ କରୁଛି ।

 

ଏଡ଼େନ୍ ଆରବ ମରୁଭୂମିର ପ୍ରାନ୍ତଦେଶରେ । ଭୟଙ୍କର ଗରମ ଜାଗା-କ୍ୱଚିତ୍ ବର୍ଷା ହୁଏ । ଆମେମାନେ ରାତିରେ ଓହ୍ଲେଇଥିବାରୁ ସେଠାରେ ଗରମ ସହିବାରୁ ରକ୍ଷା ପାଇଥିଲୁ । ଗରମ ଯୋଗୁ ଏଡ଼େନ୍‍ର ନାଗରିକମାନେ ଖୋଲା ରାସ୍ତାରେ ଉନ୍ମୁକ୍ତ ଆକାଶ ତଳେ ଟେବୁଲ ଚୌକି ପକାଇ ମଉଜ ମଜଲିସ୍ କରନ୍ତି । ଏଠାର ଅଧିକାଂଶ ବାସିନ୍ଦା ଆରବୀୟ; ଅନେକ ଭାରତୀୟ ବି ଅଛନ୍ତି । ବଜାର ଭିତରେ ଘୂରି ବୁଲିଲା ବେଳେ ମୁଁ ଏଇଠି ପ୍ରଥମେ ଆଫ୍ରିକୀୟ କୃଷ୍ଣ ମନୁଷ୍ୟ ଦେଖିବାକୁ ପାଇଲି । ଭାରତବର୍ଷରେ ତ କୃଷ୍ଣଚର୍ମ ଲୋକର ଅଭାବ ନାହିଁ । କିନ୍ତୁ ଭାରତୀୟ ଚିକ୍‍କଣ କଳା ଓ ମୁଖର ନିଖୁଣ ଗଠନ କୃଷ୍ଣଚର୍ମକୁ ମଧ୍ୟ ମନୋରମ ରୂପ ଦାନ କରେ । ଆଫ୍ରିକୀୟମାନଙ୍କର ମୁଖର ଗଠନ ଅଲଗା, ବାଳ କୁଞ୍ଚିତ ଓ କର୍କଶ, ଚର୍ମର ବର୍ଣ୍ଣ ହୁଏତ ପାଉଁଶିଆ କଳା, ନ ହେଲେ ଘୋର କଳା, ଦାନ୍ତ ମଲ୍ଲିଫୁଲ ପରି ଶୁଭ୍ର ଓ ସୁନ୍ଦର । ଏଡ଼େନ୍ ଆଫ୍ରିକାର ନିକଟ ହେବାରୁ ଅନେକ ଆଫ୍ରିକୀୟ ଏଠି ଜୀବିକା ପାଇଁ ଜମା ହୁଅନ୍ତି । ଇଟାଲୀର ଆକ୍ରମଣରୁ ରକ୍ଷା ପାଇବା ଲାଗି ଅନେକ ଆବିସିନିଆର ଏଡ଼େନ୍‍କୁ ପଳାଇ ଆସିଥିବାର ଶୁଣିଲି । ଆମ ସାଥିରେ ଦୁଇ ତିନୋଟି ସୁମାଲି ଟୋକା କୌତୂହଳରେ ସାଙ୍ଗ ଧରିଥାନ୍ତି । ସେମାନେ ଯେତେବେଳେ ହସନ୍ତି, ସେମାନଙ୍କର ଅଘଟଣ ମୁଖମଣ୍ଡଳରେ ମୁଁ ଲାବଣ୍ୟ ଦେଖିବାକୁ ପାଉଥାଏଁ ।

 

ରାତି ହୋଇଥିବାରୁ ଏଡ଼େନ୍‍ର ଦୁର୍ଗ ପ୍ରଭୃତି ଦେଖିବାକୁ ଯାଇପାରିଲୁ ନାହିଁ । ଏଣେ ଆମର ଭାରତୀୟ ଗ୍ୟାଙ୍ଗ୍ ମଧ୍ୟ ବଜାର ବଜାର ବୁଲି ଜାହାଜରେ ରୁଟୀ ବନେଇବା ମଇଦା କିଣିବାରେ ଲାଗିଲେ । ଆମର ଚିମନଲାଲ ତାଙ୍କର ଦଳପତି ସାଜିଲେ । ଲେକ୍‍ଚରର ବାସ୍ତି ଓ ମୁଁ ସେମାନଙ୍କ ପଛରେ ଘୂରି ଘୂରି ଗପ କରି କରି ଯାଉ ଯାଉ ଜଣେ ଭାରତୀୟ ମୁସଲମାନ ଦୋକାନୀ ଆମ୍ଭମାନଙ୍କୁ ଭାରତୀୟ ଦେଖି ବଡ଼ ଆଗ୍ରହ କଲା । ତାର ବାପ ଏଡ଼େନ୍‍କୁ କାରବାର କରି ଆସିଥିଲା । ସେ ସେଇଠି ଜନ୍ମ ହୋଇଛି । ଏଡ଼େନ୍ ତାର ବର୍ତ୍ତମାନ ଘର । କିନ୍ତୁ ଜନ୍ମଭୂମିର ମାୟା ସେ ଛାଡ଼ି ପାରି ନାହିଁ । ଘୂରି ଘୂରି ଭୟଙ୍କର ତୃଷା ହେବାରୁ ବାସ୍ତି ଓ ମୁଁ ତାର ଘରୁ ଜଳ ପାନକରି ଆଶ୍ୱସ୍ତ ହେଲୁ । ବିରାଟ କୂଅମାନଙ୍କରୁ ପାଣି ତୋଳି ସମଗ୍ର ଏଡ଼େନ୍‍ର ଜଳ ସରବରାହ କିପରି ହେଉଛି, ତା ତାଠାରୁ ଶୁଣିଲୁ କେବଳ-ଦେଖିପାରିଲୁ ନାହିଁ ।

 

ରାତି ନଅଟା ବେଳେ ଜାହାଜକୁ ଫେରିଲୁ । ଜାପାନୀ ଲାଇନର ପ୍ରାୟ ସବୁ ଜାହାଜ ମାଲ ଓ ମନୁଷ୍ୟ ଦୁଇକୁ ଏକାଠି ବୁହନ୍ତି । ଆମେମାନେ ଫେରିଲା ବେଳକୁ ତୃତୀୟ ଶ୍ରେଣୀର ଡେକ୍ ଉପରୁ ପଟା ସବୁ କାଢ଼ି ନିଆହୋଇ ଭିତରୁ ମାଲ ସବୁ କ୍ରେନ୍ ସାହାଯ୍ୟରେ କଢ଼ା ହୋଇ ଜାହାଜର ଦୁଇ କରର ଛୋଟ ଛୋଟ ବୋଟ୍ ଉପରେ ଥୋଇ ଦିଆହୋଇଛି । କ୍ରେନ୍‍ର ଚକ୍ର-ଘୂର୍ଣ୍ଣନରେ ଏତେ ଶବ୍ଦ ହେଉଛି ଯେ ଶୋଇବା ଅସମ୍ଭବ । ଡେକ୍ ଖୋଲା ହୋଇଥିବାରୁ ଶୋଇବାର ଜାଗା ବି ନାହିଁ । ତଳେ ତୃତୀୟ ଶ୍ରେଣୀର ବଖରାଗୁଡ଼ାକ ଭୟଙ୍କର ଗରମ । ବାଧ୍ୟ ହୋଇ ରାତି ବାରଟା ପର୍ଯ୍ୟନ୍ତ-ଯେତେବେଳେ ଜାହାଜ ଛାଡ଼ିଲା, ସେତେବେଳଯାଏ ଏଣେ ତେଣେ ବୁଲି କଟେଇବାକୁ ଲାଗିଲୁ ।

 

ତହିଁ ଆରଦିନ ପ୍ରଭାତରେ ନିଦ୍ରାଭଙ୍ଗ ହେଲା ବେଳକୁ ଆମ୍ଭେମାନେ ବାବେଲ ମାଣ୍ଡେବ ପ୍ରଣାଳୀ ପାର ହୋଇ ଲୋହିତ ସାଗରରେ ପଡ଼ିଛୁ । ଲୋହିତ ସାଗରର ଏହି ଅଂଶ ଅତ୍ୟନ୍ତ ସଂକୀର୍ଣ୍ଣ । ଦୁଇ ପାଖରେ କୂଳଭୂମି ପ୍ରାୟ ଦେଖାଯାଏ-ବିଶେଷତଃ ଆରବ କୂଳ । ଆମ୍ଭମାନଙ୍କର ଡାହାଣ ପଟେ, ଅର୍ଥାତ୍ ଆରବ କୂଳରେ ଅନେକ ପ୍ରସ୍ତରମୟ ଦ୍ୱୀପମାଳା; ଜନବସତିହୀନ, ରୁକ୍ଷ-କାନ୍ତ, ଗୋଟେ ବତୀଘର । ସେନାନିବାସ ପରି କେବଳ କେତେକ ସାଧାଘର ଦେଖିବାକୁ ପାଇଲୁ । ଆମେମାନେ ମନେକଲୁ ଏସବୁ ପେରିମ୍ ଦ୍ୱୀପମାଳା ।

 

ଲୋହିତ ସାଗର ପାରି ହେବାକୁ ଆମ୍ଭମାନଙ୍କୁ ଚାରି ଦିନ ଲାଗିଲା । ଆମମାନଙ୍କର ସମସ୍ତ ଜଳଯାତ୍ରା ଭିତରେ ଲୋହିତ ସାଗରର ଦିନଗୁଡ଼ିକ ସବୁଠାରୁ ଅତ୍ୟନ୍ତ ସୁଖଦାୟକ ହୋଇଥିଲା । ଜଳ ଏକାବେଳକେ ଶାନ୍ତ ଯେପରି ଗାଁ ପୋଖରୀର ପାଣି-ତାର ଯାହା କିଛି ତରଙ୍ଗ କେବଳ ଗ୍ରାମ୍ୟବଧୁର ପାଣି-କଳସୀର ଆଘାତ ଯୋଗୁଁ । ଏହି ଶାନ୍ତ ଉଦାର ଜଳରାଶି ଉପରେ ଭାସୁ ଭାସୁ, ବେଳେ ବେଳେ ଯେତେବେଳେ ଦୁଇକୂଳର ପର୍ବତମାଳା ଦୃଷ୍ଟି ପଥରେ ଭାସିଉଠେ, ସେତେବେଳେ ଚିଲିକାର ଦୃଶ୍ୟ ମୋର ବରାବର ମନେ ପଡ଼ୁଥାଏ । ଚିଲିକାର ସ୍ମୃତିକୁ ପରିପୂର୍ଣ୍ଣ କରିବାକୁ ବେଳେ ବେଳେ ସାମୁଦ୍ରିକ ଗଲ ପକ୍ଷୀର ଦଳ ଲୋହିତ ସାଗରର ତରଙ୍ଗମାଳାରେ ଦୋଳି ଦୋଳି ସନ୍ତରଣ କରିବାର, ଜଳାସ୍ତରଣ ଉପରେ ଉଠିବାର, ବେଳେ ବେଳେ ଜାହାଜର ମାସ୍ତଲ ଉପରକୁ ଆସି ବସିବାର ଦୃଶ୍ୟ ମଧ୍ୟ ଆମ ଭାଗ୍ୟରେ ଘଟିଥିଲା । ବେଳେ ବେଳେ ଜାହାଜରେ ଦୁଇ ପାଖରେ କ୍ରୋଶ କ୍ରୋଶ ଧରି ବିରାଟ କୃଷ୍ଣକାୟ ପରପାଇସ୍ ମାଛର ପିଲା ଖେଳି ଖେଳି ପହଁରୁଥିବାର ଦେଖି ରାଧାନାଥଙ୍କର “କଳା ମୁଣ୍ଡ ଜଳେ ଛଟକେ ଦେଖାଇ, ବୁଲଇ ମଗର ଏଣେ ତେଣେ ଧାଇଁ” ମନେ ପଡ଼ୁଥାଏ । ଲୋହିତ ସାଗରରେ ସନ୍ଧ୍ୟାର ଅନ୍ଧକାର ମାଡ଼ି ଆସୁଥିଲା ବେଳେ, ଦୁଇ କୂଳର କ୍ରମ-ଅସ୍ପଷ୍ଟଭୂତ ପର୍ବତମାଳ, ଉପରର ନୀଳଆକାଶ, ତରଳ, ନୀଳ-ଜଳ-ବିତାନ ଏସବୁ ମିଶି ଚିଲିକାରେ ସନ୍ଧ୍ୟାଗମର ଛବି ମନେ ପକାଇ ମୋର ହୃଦୟକୁ ଦେଶର ସ୍ମୃତିରେ ତରଳ କରି ଦେଉଥିଲେ ।

 

ବେଳେବେଳେ ରାତ୍ରି ଆଗମରେ ଅନନ୍ତ ସାଗର ମଧ୍ୟରେ ବତୀଘର ଦେଖିବାକୁ ପାଉଥାଉଁ । ଘୋର କୃଷ୍ଣ ରଜନୀର ଅନ୍ଧକାର ଆବରଣ ଭେଦ କରି ଶତ ଶତ କ୍ରୋଶବ୍ୟାପୀ କୃଷ୍ଣସାଗରର ତରଙ୍ଗ ଲୀଳା ଭିତରେ ଏକାକୀ ଠିଆ ରହି ସମୁଦ୍ର ଯାତ୍ରୀକୁ ଆଲୋକ ଦେଖାଉଥିବା ଏହି ବତୀଘରର ଛବି ମୁଁ ଭୁଲି ପାରିବି ନାହିଁ । ହୁଏତ ପାଞ୍ଚ ମାଇଲ ଆଗରୁ ଆମେମାନେ ତାକୁ ଦେଖିବାକୁ ପାଉଁ-ତାକୁ ଅତିକ୍ରମ କରି ପାଞ୍ଚ ମାଇଲ ଗଲାଯାଏଁ ସେ ଆମର ଆଖିକି ଦିଶୁଥାଏ । ମୁଁ ଡେକ୍ ଉପରେ ଠିଆ ରହି ବତୀଘରର ଆଲୋକ ଦେଖୁଥାଏ । ମୋର ମନରେ ପ୍ରଶ୍ନ ଉଠୁଥାଏ, କିଏ ସେ ବତୀଘରରେ ଅଛି ? ଅସୀମ ସମୁଦ୍ର-ପଥର ଏକ ପ୍ରାନ୍ତରେ ଠିଆ ରହି ଯାତ୍ରୀମାନଙ୍କୁ ଏହି ଅନ୍ଧକାର ରାତ୍ରିରେ ଆଲୋକ ଦେଖାଉଛି,- ଆମେମାନେ ତ ପାର ହୋଇଗଲୁଁ; ଆମପରି ସମସ୍ତେ ତ ଯାଉଥିବେ ଓ ଆସୁଥିବେ; ଜନବସତିର ବହୁ ଦୂରରେ ଅନନ୍ତ ସାଗର ଭିତରେ ଖଣ୍ଡେ ପଥର ଉପରେ ଠିଆ ରହି ସେ ମନୁଷ୍ୟଟି କି ପ୍ରକାର ଜୀବନ ଯାପନ କରୁଥିବ । ଏକ ରାତ୍ରି ସେଠାରେ ରହି ଉଦାର ବାରିଧିର ଭୀଷଣ ନିର୍ଜନତା, ଜନହୀନ ପରିତ୍ୟକ୍ତ ଦ୍ୱୀପର ଉପଭୋଗ୍ୟ ନିସଙ୍ଗତା ଉପଭୋଗ ସଙ୍ଗେ ସଙ୍ଗେ ବୋଇତମାନଙ୍କର ଯିବା ଆସିବା ଥରେ ଦେଖନ୍ତି କି ।

 

ଲୋହିତ ସାଗରରେ ଭୟଙ୍କର ଗରମ ହୁଏ ବୋଲି ଶୁଣିଥିଲି । ଗରମ ହେଲା ସତ, କିନ୍ତୁ ଚାରିଦିନ ଯାକ ବେଶ୍ ପବନ ହେଉଥାଏ । ଆମେମାନେ ତୃତୀୟ ଶ୍ରେଣୀ ଡେକ୍‍ର କାନଭାସ୍ ତଳେ ଦିନ ରାତି ବେଶ୍ ମଉଜରେ କଟେଇଥିଲୁ । ଏ ସମସ୍ତ ମଜା ଭିତରେ ମୁଁ ଅବଶ୍ୟ ଭୁଲି ନ ଥିଲି ଯେ, ଆମେମାନେ ବର୍ତ୍ତମାନ ଦୁଇଟି ବିରାଟ ମହାଦେଶକୁ ଦୁଇ ପାଖରେ ରଖି ଗତି କରୁଛୁଁ- । ଡାହାଣ ପଟେ ମାନବିକ ସଭ୍ୟତାର ମାତୃଭୂମି ଏସିୟା, ବାମପଟେ କୃଷ୍ଣ ମହାଦେଶ ଆଫ୍ରିକା, ଏକପଟେ ଆରବ, ଆରପଟେ ଇଜିପଟ୍ । ଏଇ ଆରବର ମରୁଭୂମିରେ ମହମ୍ମଦ ଜନ୍ମ ହୋଇ କେବଳ ଯେ ଅସଭ୍ୟ, ଦୁର୍ଦ୍ଦାନ୍ତ ଆରବ ଜାତିକୁ ଏକତ୍ରିତ ଓ ସଭ୍ୟ କଲେ ତାହା ନୁହେଁ ଜଗତକୁ ଏକ ମହାନ୍ ସତ୍ୟ ଓ ମନୋହର ସଂସ୍କୃତି ଦାନ କରି ମାନବର ଇତିହାସକୁ ନୂତନ ଭାବରେ ଗଢ଼ିଦେଇ ଗଲେ ଏବଂ ଆମ୍ଭେମାନେ ଯେତେବେଳେ ମନେ କରୁ ଯେ, ଏହି ମହମ୍ମଦଙ୍କର ସାମାନ୍ୟ ଅକ୍ଷର ଜ୍ଞାନ ମଧ୍ୟ ନ ଥିଲା, ସେତେବେଳେ ତାଙ୍କୁ ପ୍ରଫେଟ୍, ପୟଗମ୍ବର, ରସୁଲ ବୋଲି ମସ୍ତକ ନତ କରି ନମସ୍କାର ନ କରି ଚାରା କାହିଁ ?

 

ଆମର ବାମପଟେ ସୋମାଲୀଲାନ୍ଦ ଆବିସିନିୟା, ଇଜିପ୍‍ଟ ପ୍ରଭୃତି ନାନା ମିଶ୍ରିତ ସ୍ମୃତି ମୋ ମନରେ ଜାଗ୍ରତ କରିଥିଲେ । ଆବିସିନିୟାର ଦେହରେ ମୁସୋଲିନୀର କୁନ୍ତାଘାତ କେବଳ ଆବିସିନିୟାକୁ ବ୍ୟଥିତ କରି ନାହିଁ ସେ ବ୍ୟଥା ତ ସମଗ୍ର ଧରିତ୍ରୀର, ସମଗ୍ର ମାନବ ଜାତିର । ଆଫ୍ରିକା ଆଡ଼କୁ ଅନାଇ ଅନାଇ ସେ ବ୍ୟଥା ମୁଁ ଅନୁଭବ କରିଥିଲି, ସହସ୍ର ସହସ୍ର ବର୍ଷର ଇତିହାସ ଭେଦ କରି ମିଶରର ଗୌରବ-ମଣ୍ଡିତ ସାମ୍ରାଜ୍ୟଗାଥା ମଧ୍ୟ ମନେ ପଡ଼ିଲା । ସମଗ୍ର ଇହୁଦୀ ଜାତିକୁ ଇଜିପ୍‍ଟର ଫେରାଓ ଦାସ କରି ରଖିଥିଲେ । ବହୁବର୍ଷର ଅତ୍ୟାଚାର ପରେ ସେମାନଙ୍କର ନେତା ମଜେସ୍ ସେମାନଙ୍କୁ ଏକତ୍ର କରି ଏଇ ଲୋହିତ ସାଗର ବାଟେ ପାଲେଷ୍ଟାଇନ୍‍କୁ ନେଇଆସି ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିଥିଲେ ଓ ସଭ୍ୟ ସଂସ୍କୃତ କରିଥିଲେ । ଦକ୍ଷିଣ ଆଫ୍ରିକାର ଅତ୍ୟାଚାରିତ ଭାରତୀୟମାନଙ୍କ ନେତା ହୋଇ ଗାନ୍ଧିଜୀଙ୍କର ସତ୍ୟାଗ୍ରହୀ ବାହିନୀର ପରିଚାଳନାରେ ମଜେସ୍ ଓ ଇହୁଦୀମାନଙ୍କର ଇତିହାସ ପୁନରାବୃତ୍ତି ହୋଇଛି ବୋଲି ମୁଁ ମନେକରେ ?

 

ଏହିପରି ଐତିହାସିକ ଜଳରାଶି ଉପରେ ଭାସି ଭାସି ଆମ୍ଭେମାନେ ସୁଏଜ୍ ବନ୍ଦରରେ ପହଞ୍ଚିଲୁଁ । ଲୋହିତ ସାଗରର ଏ ଅଂଶ ମଧ୍ୟ ସଂକୀର୍ଣ୍ଣ । ଦୁଇକୂଳ ପରିଷ୍କାର ଦେଖାଯାଉଛି । ଆଫ୍ରିକା ପଟେ ରୁକ୍ଷ, ଟାଙ୍ଗର ଉତ୍ତୁଙ୍ଗ ପର୍ବତ ପ୍ରାଚୀର ସମୁଦ୍ରର କୂଳେ କୂଳେ ବହୁଦୂର ଯାଏ ମାଡ଼ି ଚାଲିଛି । କ୍ରମେ ଆମ୍ଭେମାନେ ସୁଏଜ୍ ଉପସାଗରର କ୍ରମ-ସଂକୀର୍ଣ୍ଣ ମୁଣ୍ଡି ଆଡ଼କୁ ଗତି କରି ସୁଏଜ୍ ନାଳରେ ପ୍ରବେଶ କଲୁ । ସୁଏଜ୍ ବନ୍ଦରରେ ଜାହାଜ ଅଳ୍ପ ସମୟ ମାତ୍ର ରହେ । ଏଠୁ ଦଳେ ଯାତ୍ରୀ କାଇରୋ ଓ ପିରାମିଡ଼୍ ଦେଖିବା ପାଇଁ ଓହ୍ଲାଇ ଗଲେ, ସେମାନେ ପୋର୍ଟ ସଏଦରେ ଜାହାଜରେ ପୁଣି ଚଢ଼ିବେ ।

 

ସୁଏଜ୍ କେନାଲରେ ଦୃଶ୍ୟପଟ ପରିବର୍ତ୍ତିତ ହେଲା । ବାମପଟର ପାହାଡ଼-ପ୍ରାଚୀର ପଛରେ ରହିଲାଣି । ବର୍ତ୍ତମାନ ଦୁଇକରରେ ଧୂ ଧୂ ବାଲି ଦିଗ୍‍ବଳୟ ପର୍ଯ୍ୟନ୍ତ ଦୁଇ ଦିଗରେ ମାଡ଼ି ଚାଲିଚି । ପ୍ରଖର ସୂର୍ଯ୍ୟକର ହେମକାନ୍ତ ବାଲୁକାରାଶି ଉପରେ ପତିତ ହୋଇ ଏପରି ତୀବ୍ରଭାବରେ ପ୍ରତିଫଳିତ ହେଉଛି ଯେ, ଆଖି ସେ ବାଲି ଉପରେ ରଖି ହେଉନି । ଆମ ଘରତ ସମୁଦ୍ର ବେଳାରେ-। ଦୀର୍ଘ ସମୁଦ୍ର କୂଳ ବ୍ୟାପୀ ରଙ୍ଗା ବାଲିର ବନମାନଙ୍କରେ ବାଲି ହରିଣ ପଛରେ ଗୋଡ଼େଇବାର, ଗୁଡ଼ିକଙ୍କର କଣ୍ଟକିତ ଫୁଲ ଉଡ଼େଇ ଖେଳିବାର, କଇଁସାରି ଲଟା ଛିଣ୍ଡାଇବାର ଓ ବାଲି ଆଖୁ ବୋଲି ଗୋଟିଏ ପ୍ରକାର ମୋଟା ଘାସକୁ ଚୋବାଇବାର ବାଲ୍ୟ ଅନୁଭୂତି ମୋର ପ୍ରାଣର ପରମ ସାଇତା ଧନ । କିନ୍ତୁ ବର୍ତ୍ତମାନ ଯେଉଁ ବାଲି ଦେଖୁଛି ଏ ମରୁ ବାଲି-ଗୋଟିଏ ଦୂର୍ବାସୁଦ୍ଧା ତହିଁରେ ନାହିଁ କୌଣସି ଜୀବର ଦେଖା ନାହିଁ । ଯେଉଁ ସମୁଦ୍ର ଛାଡ଼ି ଆସିଛି ତାର ଦୂର୍ବାର ତରଙ୍ଗମାଳା ପରି ଏଇ ମରୁ-ସମୁଦ୍ରର ବାଲୁକା-ତରଙ୍ଗ ଦୂର୍ବାର ପ୍ରସାରରେ ଦିଗ୍‍ବଳୟ ପର୍ଯ୍ୟନ୍ତ ମାଡ଼ି ଚାଲିଛି । ଦିଗ୍‍ବଳୟର ଆରପଟେ ଆକାଶର ଶେଷଯାଏ ପୁଣି ଯେ ଏହି ବାଲୁକା, ତାହା ମୁଁ ସହଜରେ ଅନୁମାନ କରି ପାରିଲି । ଏକ ତାହାହେଲେ ମରୁଭୂମି ! କିନ୍ତୁ ପ୍ରକୃତି ମରୁଭୂମିକୁ ମଧ୍ୟ ଏକ ପ୍ରକାର ସୌନ୍ଦର୍ଯ୍ୟ ଯେ ଦେଇଛି, ତାହା ଯା’ର ଆଖି ଥିବ ସେ ଦେଖି ପାରିବ । ପ୍ରାଣକୁ ଚମତ୍କାରିତା ଯୋଗାଇବା ସୌନ୍ଦର୍ଯ୍ୟର ଏକ ଅଂଶ । ମହାନଦୀର ପଙ୍କିଳ ଜଳମୟୀ ବନ୍ୟାର ସୌନ୍ଦର୍ଯ୍ୟ ତାର ଭୀଷଣତାରୁ ଆସେ । ଯୋଗୀର ଅକିଂଚନତା ପରି ଏହି ମରୁବାଲିର ରୁକ୍ଷତାରେ ଏକପ୍ରକାର ମର୍ଯ୍ୟାଦା ଅଛି । ଯେଉଁ ଦାରିଦ୍ର୍ୟରେ ବ୍ୟକ୍ତିତ୍ୱ ଫୁଟି ବାହାରେ, ତା ପଦତଳେ ଧନ ମୁଣ୍ଡ ନୁଆଁଏ । ମରୁ ଭୂମି ନିଜର ରୁକ୍ଷ ନିଷ୍ଠୁର ପ୍ରସାର ଘେନି ନିଜେ ସନ୍ତୁଷ୍ଟ ହୋଇ ଯେ ପଡ଼ି ରହିଚି, ସେଇଥିରେ ତାର ସ୍ୱତନ୍ତ୍ର ମାଧୁରୀ ଫୁଟି ଉଠୁଚି ।

 

ବଣର ଦନ୍ତାହାତୀ ପଲ ଛାଡ଼ି ଖେଦାରେ ପଶିଲା ପରି ସମୁଦ୍ର ଜଳ ତାର ଅସୀମ ତରଙ୍ଗ ଲୀଳାକୁ ପଛରେ ରଖି ବର୍ତ୍ତମାନ ସୁଏଜ ନାଳର କ୍ଷୁଦ୍ର ସୀମା ଭିତରେ ପଶିଚି । ସୁଏଜ ନାଳ ଆମର ତାଳଦଣ୍ଡା କେନାଲର ହୁଏତ ଦୋହରା । ଜଳ ମନୋରମ ନୀଳ-ଯେପରି ତରଳ ଆକାଶ । ଦୁଇପାଖର ସ୍ୱର୍ଣ୍ଣ ବାଲୁକା-ବିସ୍ତାର ଭିତରେ ଏଇ ନୀଳ ଜଳରେଖା ଭାରତୀୟ ବରବର୍ଣ୍ଣିନୀମାନଙ୍କର ସ୍ୱର୍ଣ୍ଣ ପୃଷ୍ଠରେ କୃଷ୍ଣ-ବେଣୀର ଦୃଶ୍ୟ ମନେ ପକାଉଥିଲା । ବାମ ପାଖର ବାଲୁକା ରାଶି ଉପରେ ନୂତନ ଭାବରେ ଉଦ୍ଭିଦ ରୋପଣର ବ୍ୟବସ୍ଥା ଚାଲିଛି । ସ୍ଥାନେ ସ୍ଥାନେ ସେ ଚେଷ୍ଟା ସଫଳ ମଧ୍ୟ ହେଉଛି । ନାଳର ବାମ ଦିଗରେ କିଛିଦୂର ଛଡ଼ା ଛଡ଼ାରେ ସୁନ୍ଦର ବଙ୍ଗଳା ଘର ସବୁ-ବୋଧହୁଏ ନାଳ କର୍ମଚାରୀ ମାନଙ୍କ ଘର । ସେଇ ଘରଟିମାନଙ୍କର ଚାରିଦିଗରେ ସୁନ୍ଦର ଛୋଟ ଉପବନ ରଚିତ ହୋଇଅଛି । ମନିଷର ହାତ ମଲା ମରୁବାଲିରେ ବି କିପରି ସୌନ୍ଦର୍ଯ୍ୟ ସୃଷ୍ଟି କରିପାରେ ତା ମୁଁ ଦେଖି ମୁଗ୍‍ଧ ହେଉଥାଏ ଏବଂ ଭାବୁଥାଏ ଭାରତବର୍ଷରେ ଆମେ ଜିଅନ୍ତା ପ୍ରକୃତିକୁ ଅବହେଳା ଓ ମୂର୍ଖ ତାରେ କିପରି ଶ୍ରୀହୀନ କରି ପଶୁ ପରି ବଞ୍ଚିଛୁଁ ।
 

ସୁଏଜ କେନାଲ ଏତେ ଛୋଟ ଯେ, ଦୁଇପାଖର ସବୁ କଥା ଦେଖା ଯାଉଥାଏ । ଆମର ଡାହାଣ ପାଖେ ଅନେକ ଲୋକ ରାସ୍ତା ତିଆରିରେ ଲାଗିଥିବାର ଦେଖିଲି । ବାମ ପାଖେ ଅନେକ ଦୂରଯାଏ ଏକ ରେଲ ଲାଇନ୍ ଚାଲିଛି-ବୋଧହୁଏ କାଏରୋ ଯାଏ । ତା ଛଡ଼ା, ସୁନ୍ଦର ସଡ଼କ, କେନାଲ୍‍ର ଦି କୂଳରୁ ବାହାରି ଦୂର ବାଲୁକାରେ ମିଶିଯିବାର ଦେଖିଲି । ରେଲଗାଡ଼ି ଓ ମଟର ଯିବା ଆସିବା କରିବା ମଧ୍ୟ ଦେଖିଲି ।

 

ସୁଏଜ୍ କେନାଲ ଏକାବେଳେକେ ସବୁଟା ଖୋଳା ହୋଇନାହିଁ, ମଝିରେ ଥିବା ଦୁଇ ତିନିଟି ଛୋଟ ବଡ଼ ହ୍ରଦ ସହିତ ଏହି କେନାଲ ମିଶିଛି ମାତ୍ର । ଦିବା ଅବସାନ ପୂର୍ବରୁ ଆମ୍ଭମାନଙ୍କ ଜାହାଜ ପ୍ରଥମ ହ୍ରଦରେ ପଡ଼ିଥିଲା । ସେ ହ୍ରଦ ଏତେ ବଡ଼ ଯେ ତା’ର କୂଳ ଦେଖାଯାଉ ନ ଥାଏ ।

Image

 

Unknown

ଘାଟେ ଘାଟେ

(ପୋର୍ଟ ସଏଦ୍, ଭୂମଧ୍ୟସାଗର, ମେସିନା ପ୍ରଣାଳୀ)

 

ସେପ୍‍ଟେମ୍ବର ଆଠ ତାରିଖ ସକାଳେ ତଳୁ ଡେକ୍ ଉପରକୁ ଆସିଲା ବେଳକୁ ନୂତନ ଓ କୌତୁକକର ଦୃଶ୍ୟ ଆଖିରେ ପଡ଼ିଲା । ଜାହାଜ ରାତି ରାତି ସୁଏଜ୍ କେନାଲ ପାର ହୋଇ ପୋର୍ଟ ସଏଦ୍‍ରେ ପହଞ୍ଚିଛି । ସମଗ୍ର ପୋର୍ଟ ସଏଦ୍ ଆମର ସମ୍ମୁଖରେ ବେଳା ଦେହରେ ପ୍ରସାରିତ । ନଗରର ସୀମାଠାରୁ ଆମେ ମୋଟେ ଦୁଇଶ ହାତ ତଫାତରେ, ସେ ତଫାତ୍ ପୁଣି ଗୋଟିଏ ଭାସମାନ ସେତୁଦ୍ୱାରା କଟେଇ ଦିଆଯାଇଛି । ତେଣୁ ମନେ ହେଲା ଆମେ ଯେପରି ଆମର ଗାଡ଼ିକୁ ଟିକିଏ ଦୂରରେ ଠିଆ କରେଇ କୌଣସି ବିରାଟ ନଗରର ଉପକଣ୍ଠ ଦୃଶ୍ୟ ଦେଖି ମୁଗ୍‍ଧ ହେଉଛୁ । ଏଣେ ସମଗ୍ର ଉପସାଗର ଧରି ନାନା ବୋଇତ ମଝାଲ ମାଡ଼ି ରହିଛନ୍ତି । ଯେଉଁ ଆଡ଼କୁ ଅନେଇବ କେବଳ ଜାହାଜ । ଆମ ଜାହାଜର ଏ ପାଖେ ସେ ପାଖେ ଛୋଟ ଛୋଟ ପାଲଟଣା ନାଆ ଭାସି ବୁଲୁଛନ୍ତି । କୁତ୍ସିତ କଦାକାର ବାଷ୍ପୀୟ ପୋତମାଳା ଭିତରେ ସେଗୁଡ଼ିକର ଯା-ଆସ କେବଳ ମାନବ ଇତିହାସର ଏକ ପ୍ରାଚୀନ ଅଧ୍ୟାୟର କଥା ନୁହେ, ଦୃପ୍ତଚାରିଣୀ ନବଯୁଗର ନାରୀ ପାଖରେ ପ୍ରାଚୀନା ଲଜ୍ଜାନମ୍ରା ଗୃହବଧୂର ଶଙ୍କାସଙ୍କୋଚମୟ ଶ୍ରୀଯୁକ୍ତ ଗତିକୁ ମଧ୍ୟ ବାରମ୍ବାର ମନେ ପକାଉଥିଲେ । ଏହି ସ-ପାଲ ନୌକା ଗୁଡ଼ିକରେ ମିଶରୀ ବୁଲାବିକା ସବୁ ନାନାପ୍ରକାର ଜିନିସର ପସରା ମେଲେଇ, ଉଚ୍ଚସ୍ୱରରେ ଜାହାଜର ଯାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରୁଥାନ୍ତି । ଏଣେ ପ୍ରାୟ ତିନିଶ-ଚାରିଶ ମିଶରୀ କୁଲୀ ମହା କୋଳାହଳ କରି ଆମର ଜାହାଜରେ କୋଇଲା ବୋଝେଇ କରିବାରେ ଲାଗିଛନ୍ତି । କୋଇଲା ଗୁଣ୍ଡରେ ସେମାନଙ୍କର ସମଗ୍ର ଦେହ କୃଷ୍ଣାୟିତ-ମତେ ବାଲ୍ମୀକିଙ୍କର ବାନର ସେନାମାନଙ୍କ କଥା ମନେ ପ୍ରକାର ଦେଲା । କିନ୍ତୁ ସକଳ କୁତ୍ସିତ ପାରିପାର୍ଶ୍ୱିକତା ଭିତରେ ପରିଶ୍ରମ ଓ ପାରିଶ୍ରମିକର ଆନନ୍ଦ ମନୁଷ୍ୟକୁ କିପରି ଫୂର୍ତ୍ତି ଦେଇପାରେ ମୁଁ ସେମାନଙ୍କର ସୁଖବ୍ୟଞ୍ଜକ କୁହାଟ କୋଳାହଳରୁ ବୁଝି ପାରୁଥିଲି ।

 

ପ୍ରାତଃକୃତ୍ୟ ସାରି ଆମ୍ଭେମାନେ ସହର ବୁଲି ବାହାରି ପଡ଼ିଲୁଁ । ଜାହାଜରୁ ସହରକୁ ଓ ସହରରୁ ଜାହାଜକୁ ଯିବା ଆସିବା ଘରୁ ଦାଣ୍ଡ ଓ ଦାଣ୍ଡରୁ ଘର ପରି ଅତ୍ୟନ୍ତ ଅନାୟାସସାଧ୍ୟ ହେବାରୁ ଆମେ ବାରମ୍ବାର ଯିବା ଆସିବା କରିବାକୁ ଲାଗିଲୁ । ପ୍ରଥମ ଥର ଗଲୁ, ସହରର କେତେଟା ରାସ୍ତା ଘୂରି ଆସିଲୁ । ଫେରି ଆସି ସମୁଦ୍ରର ଗାନ୍ଥିନୀ- ବନ୍ଧା ବେଳା ଧାରେ ଧାରେ ଯାଇ ଶେଷ ପ୍ରାନ୍ତରେ ଅବସ୍ଥିତ ଲେସେପସ୍ ସ୍ମୃତିସ୍ତମ୍ଭ ନିକଟରେ ପହଞ୍ଚିଲୁ । ଏହି ଲେସେପସ୍, ଫରାସୀ ଇଞ୍ଜିନିୟର ଓ ୟାଙ୍କରି ତତ୍ତ୍ୱାବଧାନରେ ସୁଏଜ କେନାଲ ଖୋଳା ହୋଇଥିଲା । ତାଙ୍କରି ସ୍ମୃତିର ଯୋଗ୍ୟ ପୂଜା ଲାଗି ଏସିଆ ଓ ୟୁରୋପର ଏହି ଦୋସନ୍ଧିରେ ଏବଂ ସୁଏଜ ନାଳର ମୁଣ୍ଡ ଉପରେ ତାଙ୍କର ଏହି ବିରାଟ ପ୍ରତିମୂର୍ତ୍ତି ଠିଆ କରା ହୋଇଛି । ପ୍ରତିମୂର୍ତ୍ତିରେ ଲେସେପସ୍‍ଙ୍କର ଡାହାଣ ହାତ ଏସିୟା ଆଡ଼କୁ ଲମ୍ବିତ ହୋଇ ୟୁରୋପବାସୀମାନଙ୍କୁ ପ୍ରାଚ୍ୟଭୂମିକୁ ବାଟ ଦେଖାଇ ଦେଉଛି । କିନ୍ତୁ ମୋର ମନେ ହେଲା ଲେସେପସ୍ ଯେଉଁ ବାଟ ଦେଖେଇଛନ୍ତି, ସେ ବାଟ ପାଣ୍ଡୁର ଓ କୁଷ୍ଣଜାତିମାନଙ୍କର ଅଶ୍ରୁ, ରକ୍ତ, ହାହାକାରରେ ଉତ୍ତପ୍ତ । ଏ ବାଟ କଟା ନ ହୋଇଥିଲେ ସ୍ୱାଧୀନ ଆବିସିନିଆ ଇଟାଲୀର ତରଳ ଅଗ୍ନି ଓ ବିଷବାଷ୍ପରେ ପୋଡ଼ି ହୋଇ ମରି ନଥାନ୍ତା । ୟୁରୋପ ଏକ ପ୍ରକାଣ୍ଡ ସ୍ପଞ୍ଜ୍ ପରି ସମଗ୍ର ପୃଥିବୀର ଜୀବନ ରସ ଟାଣି ଟାଣି ନିଜକୁ ଏତେ ମୋଟା କରିବାରେ ଏହି ବାଟ ପ୍ରଧାନ ନାଡ଼ିର କାର୍ଯ୍ୟ କରିଛି । ଏ ବାଟ ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଳନର ସୁବିଧା କରିଛି ବୋଲି କହିବା ଡାହା ମିଛ କହିବା ସଙ୍ଗେ ସମାନ । ବାଘ ଛେଳି ହରିଣକୁ ନିଜର ନଖାଲିଙ୍ଗନ ଦେଲେ ସେଇଟାକୁ ଯଦି ସେମାନଙ୍କର ମିଳନ କୁହାଯାଏ, ତେବେ ସେଇ ଅର୍ଥରେ ସୁଏଜ ନାଳ କାଟି ଲେସେପସ୍, ୟୁରୋପ ଓ ପ୍ରାଚ୍ୟ ଭୂଖଣ୍ଡର ମିଳନ ଘଟେଇଛନ୍ତି ।

 

ଏହି ସ୍ତମ୍ଭରୁ ଫେରି ପୁଣି ସହର ବୁଲିବାକୁ ଗଲୁଁ । ଆମର ଗ୍ୟାଙ୍ଗ୍ ଏଡ଼େନ୍ ପରି ଏଠି ବି ସଉଦା କରିବାରେ ଲାଗିଲେ । ସେମାନଙ୍କ ସଉଦା ଯାଇ ସହରର ମିଶରୀ ବଜାରମାନଙ୍କରେ ମିଳିବ । ଆମ୍ଭେମାନେ ନାନା ରାସ୍ତା ଘୂରି ଘୂରି ସେଇ ବଜାର ଆଡ଼କୁ ଗଲୁଁ । ପୋର୍ଟ ସଏଦ୍ ୟୁରୋପ ଓ ଏସିଆର ମିଶ୍ରଣ-ଭୂମି । ସହରଟି ନୂଆଗଢ଼ା । ପ୍ରଶସ୍ତ ରାସ୍ତା ଓ ପ୍ରକାଣ୍ଡ ପ୍ରକାଣ୍ଡ ଅଟ୍ଟାଳିକା ଏହାର ୟୁରୋପୀୟ ସମ୍ପର୍କ ଯେପରି ସୂଚନା କରେ, ଅପର ପକ୍ଷରେ ମିଶରୀ ବଜାରମାନଙ୍କର ସଂକୀର୍ଣ୍ଣତା ଓ ଜନାକୀର୍ଣ୍ଣତା ଏହାର ଏସିଆତ୍ୱ ଚିହ୍ନେଇ ଦିଏ । ନୂତନ ରାସ୍ତାମାନଙ୍କରେ ଯାଉ ଯାଉ ଏହିଠି ପ୍ରଥମେ ୟୁରୋପୀୟ ଧରଣର ବଡ଼ ବଡ଼ ରେସ୍ତରାଂ ଦେଖିବାକୁ ପାଇଲୁ । ଗୋଟିଏ ରେସ୍ତରାଂର ସମ୍ମୁଖରେ ଦଳେ ଶ୍ୱେତାଙ୍ଗିନୀ ଅର୍କେଷ୍ଟ୍ର ବାଦନରତ ଥିବାର ଦେଖିଲୁ । ନାରୀ ଓ ସଙ୍ଗୀତ ଦେଇ ଗରାଖମାନଙ୍କୁ ମଦ ବୋତଲ ଓ ମାଂସ ଥାଳି ପାଖକୁ ଟାଣିବା ବଡ଼ ଉଦର କଳ୍ପନା ନିଶ୍ଚୟ ।

 

ଆମ୍ଭମାନଙ୍କର ଆସିବାର ଅଳ୍ପ ପୂର୍ବେ ମିଶର ସ୍ୱାଧୀନ ହୋଇ ତା’ର ସ୍ୱତନ୍ତ୍ର ରାଜା ପାଇଥାଏ । ବଜାର ଭିତରେ ବୁଲୁ ବୁଲୁ କୌଣସି ସ୍ଥାନରେ ଜଣେ ମିଶରୀ ମୋ ସାଙ୍ଗେ ଭାରତବର୍ଷ ସମ୍ବନ୍ଧରେ କଥା ହେଲା । ସେ ଗାନ୍ଧି ଓ କଂଗ୍ରେସ କଥା ପଚାରିଲା । ମୁଁ ଯାହା କହିବାର ତାହା କହିଲି । ସେ ବଳେ ବଳେ କହିଲା, “ଆମେ ବର୍ତ୍ତମାନ ଆମର ନିଜର ରାଜା ପାଇଛୁ । ଆମ ଦେଶ ସ୍ୱାଧୀନ । ରାଜାଙ୍କୁ କଥା ପଦକରେ ଆମେ ପ୍ରାଣ ଦେବାକୁ ପ୍ରସ୍ତୁତ ।” ମୁଁ ନୀରବରେ ତାର ଉଚ୍ଛ୍ୱାସ ଶୁଣିଲି ଓ ନିଜକୁ ଜିଜ୍ଞାସା କଲି, ଭାରତବର୍ଷ ସମ୍ବନ୍ଧରେ ଆମ୍ଭେମାନେ କେବେ ଏମିତି କହି ପାରିବା ?

 

ଏଠାରେ ଲୋକେ ଏ ଦେଶକୁ ମିଶର କହନ୍ତି, ଆମେ ଇଣ୍ଡିଆକୁ ଭାରତବର୍ଷ କହିଲା ପରି । ଆଫ୍ରିକାରେ ଥିବାରୁ ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କର ଧାରଣା ଯେ ମିଶରୀ ଜାତି ବୋଧହୁଏ କୃଷ୍ଣକାୟ । ପୋର୍ଟ ସଏଦ୍‍ର ରାସ୍ତାମାନଙ୍କରେ ବୁଲିଲା ବେଳେ ଏହି ଧାରଣା କେବଳ ଯେ ମନରୁ ଖସିଗଲା ତାହା ନୁହେଁ, ତାର ସ୍ଥାନରେ ସୁଖକର ଆଶ୍ଚର୍ଯ୍ୟଭାବକୁ ରଖି ଦେଇଗଲା । ଆଫ୍ରିକାର ଉତ୍ତର ସୀମାନ୍ତ ଭୂମଧ୍ୟସାଗରର ନିକଟ ଥିବାରୁ ଏହି ଭୂଭାଗ ଭୂମଧ୍ୟ ସାଗରୀୟ ଜଳବାୟୁ ପାଏ । ଫଳରେ ଏହି ସମଗ୍ର ଅଞ୍ଚଳରେ ପ୍ରକୃତି ପରି ମନୁଷ୍ୟ ମଧ୍ୟ ପରମରୂପ- ସମ୍ପନ୍ନ । ମିଶରୀ ପୁରୁଷ ଓ ନାରୀ ଏହି ସୌଭାଗ୍ୟର ଦାୟାଦ । ସାଧାରଣ ମିଶରୀ ପୁରୁଷ ଉଚ୍ଚ, ପୃଷ୍ଟାଙ୍ଗ ଓ ଗୌରାଙ୍ଗ । ସାଧାରଣ ମିଶରୀ ନାରୀ ଗୌରୀ ଓ ରୂପବତୀ । ୟୁରୋପୀୟମାନଙ୍କ ଚମଡ଼ା ପରି ଏମାନଙ୍କର ଚର୍ମ ଶେତା ନୁହେ । ୟୁରୋପ ଓ ଏସିଆର ମଧୁର ମିଶ୍ରଣ ରୂପେ ଏମାନେ ମନୋହର ଚମ୍ପକ ଗୌରବର୍ଣ୍ଣ ପାଇଛନ୍ତି । କୌଣସି କୌଣସି ମିଶରିଣୀର କେଶଜାଲ କାଞ୍ଚନ-ପ୍ରଭ ଓ ଆଖି ଆକାଶ ପରି ନୀଳ । ଅନେକ ମିଶରୀ ପୁରୁଷ, ନାରୀ ଆଧୁନିକା ହେବାରୁ ୟୁରୋପୀୟ ପୋଷାକ ଗ୍ରହଣ କରିଛନ୍ତି । ସେ ପୋଷାକରେ ମିଶରୀକୁ ୟୁରୋପୀୟ ବୋଲି ଭ୍ରମ ହେବା ସ୍ୱାଭାବିକ । ଏଡ଼ିନ୍‍ବରାରେ ଜଣେ ମିଶରୀ ଗ୍ରନ୍ତ୍ର ମତେ ତାଙ୍କ ମଟରରେ ସ୍ଥାନ ଦେଇଥିଲେ । ପ୍ରଥମେ ମୁଁ ତାଙ୍କୁ ଇଂରେଜ ବୋଲି ଭାବିଥିଲି; କେବଳ କଥାବାର୍ତ୍ତାରୁ ଜାଣିଲି ଯେ ସେ ମିଶରୀ । ମୁଁ ଏ ଯାଏଁ ମିଶରୀଣୀମାନଙ୍କର ଅଙ୍ଗର ମଧୁରତା ଅନ୍ୟତ୍ର ଦେଖିନାହିଁ । କେଶଜାଲ ରୁମାଲରେ ଆଚ୍ଛାଦନ କରି କଞ୍ଚନପ୍ରଭ ଯୁଗ୍ମବେଣୀକୁ ବକ୍ଷରେ ଦୋଳାୟିତ କରି ଏମାନଙ୍କୁ ଯିବା ଆସିବାର ଦେଖି ଦେଖି ମୁଁ ଆରବ୍ୟ ରଜନୀର ରୂପ-ପୁରୀକୁ ଚାଲିଯାଇଥିଲି ।

 

ଦିନ ବାରଟାରେ ବୋଧହୁଏ ଜାହାଜ ପୋର୍ଟ ସଏଦ୍‍ ଛାଡ଼ିଲା । ବର୍ତ୍ତମାନ ଆମେ ଭୂମଧ୍ୟ ସାଗରରେ । ଯାହାହେଉ ଇଉରୋପର ସୀମା ତରେ ତ ପହଞ୍ଚିଲେଣି-ଏହି ଭାବନାରେ ମନକୁ ସାନ୍ତ୍ୱନା ଦେଇ ଜଳପାତ୍ରାର କଷ୍ଟକୁ ଲଘୁ କରିବାକୁ ଚେଷ୍ଚା କଲୁ । ପ୍ରଥମ ଦିନଯାକ ଭୂମଧ୍ୟ ସାଗରର ଜଳ ଗୋଳିଆ ଗୋଳିଆ ଦିଶୁଥାଏ-ଖୁବ୍ ସମ୍ଭବତଃ ନୀଳନଦୀର ପଙ୍କିଳ ଜଳରାଶିର ମିଶ୍ରଣ ଯୋଗୁ । ପ୍ରଥମ କେତେ ଶହ ମାଇଲ ପୁଣି ସମୁଦ୍ରପୀଡ଼ା ବି ଟିକେ ଟିକେ ହେଲା; କିନ୍ତୁ ଆରବସାଗର ପରି ନୁହେଁ ।

 

ଆମର ପରବର୍ତ୍ତୀ ବନ୍ଦର ନେପ୍‍ଲସ୍, ପ୍ରାୟ ଚାରି ଦିନର ବାଟ । ପ୍ରଥମ ଦିନ ପରେ ଭୂମଧ୍ୟସାଗର ଘୋର ନୀଳବର୍ଣ୍ଣ ପାଲଟିଲା । ଜଳସେତେ କ୍ଷୁବ୍‍ଧ ନ ଥିବାରୁ ଆମ୍ଭେମାନେ ଅନେକ ସମୟରେ ଡେକ୍ ଉପରେ ଠିଆ ହୋଇ କାଳେ କେଉଁ ଦିଗରେ ଦ୍ୱୀପ ବା ପର୍ବତମାଳା ବା ଜନ ବସତିର ଅନ୍ୟ କିଛି ଚିହ୍ନ ଦେଖା ପଡ଼ିବ, ଏଇ ଅପେକ୍ଷାରେ ଥାଉ । କିନ୍ତୁ କେବଳ ଜଳ, ଜଳ-ଜଳ । ଦିନେ ରାତିରେ ଡେକ୍ ଉପରେ ବୁଲି ବୁଲି ଅନନ୍ତସାଗର ଉପରେ ଚନ୍ଦ୍ରର ଉଦୟାସ୍ତ ଦେଖିବାକୁ ପାଇଥିଲୁ । ଅପୂର୍ଣ୍ଣଚନ୍ଦ୍ର ସୁନାର ବୋଇତ ପରି ସମୁଦ୍ରର ଶେଷରେ ଧୀରେ ଧୀରେ ତଳକୁ ଖସି ଖସି ଅସ୍ତ ହେବାର ଦୃଶ୍ୟ ମୁଁ ଭୁଲିବି ନାହିଁ ।

 

ଏଇ ଭିତରେ ଦିନେ ଜଣେ ଜର୍ମାନ୍ ଛାତ୍ର ସଙ୍ଗେ ମୋ ପରିଚୟ ହେଲା । ସେ ମେଡ଼ିକାଲ ଛାତ୍ର । ବେରୀ ବେରୀ ରୋଗ ସମ୍ବନ୍ଧରେ ଅନୁସନ୍ଧାନ କରିବାକୁ ଜାଭା ଯାଇଥିଲା । ସେଠୁ ଫେରୁଛି । ଘରକୁ ଯାଇ ଏଇ ସମ୍ବନ୍ଧରେ ଅନୁଶୀଳନ ଦେଖାଇଲେ ସେ ତା’ର ଡିଗ୍ରୀ ଓ ଚାକିରୀ ଉଭୟ ପାଇବ । ବଡ଼ ସୁଦର୍ଶନ ତରୁଣ-ଦିନେ ସେ ତା’ର ଫାଷ୍ଟ କ୍ଳାସ କାବିନରୁ ଓହ୍ଲାଇ ଆମର ଗ୍ୟାଙ୍ଗ ରୋଟୀ ଚିୟାର କରୁଥିବା ଦେଖି ତୃତୀୟ ଶ୍ରେଣୀ ଡେକ୍‍କୁ ଆସିଲା । ମଇଦାକୁ ଦେଖି ସେ ପଚାରିଲା, “ଏ କ’ଣ ଟାପିଓକା ? ଏ ରୁଟୀ କିମିତି ତୟାର କର ?” ଏଇ ପ୍ରଶ୍ନର ଉତ୍ତର ଦେବା ଛଳରେ ତା’ର ମୋର ପରିଚୟ ହେଲା । ଆଉ ଦିନେ ମୁଁ ଫାଷ୍ଟକ୍ଳାସ ଡେକ୍‍ରେ ବୁଲୁ ବୁଲୁ ତାକୁ ଦେଖି ତା ସାଙ୍ଗେ ଜର୍ମାନୀ ବିଷୟରେ ଅନେକ କଥାବାର୍ତ୍ତା ହେଲି । ସେ ଅନେକ ମଜାର କଥା କହିଲା । ତେଣୁ ତାର ବର୍ଣ୍ଣନା ଦେବି ।

 

ବୁଝିଲି, ସେ ନାଟ୍‍ସୀ ନୁହେଁ, କିନ୍ତୁ ନାଟ୍‍ସୀମାନଙ୍କ ପରି ତା’ର ଚିନ୍ତା । ହିଟ୍‍ଲର ଜୁ’ମାନଙ୍କୁ ତଡ଼ିବାଟା ସେ ପସନ୍ଦ କରେ ନାହିଁ, କାରଣ ସବୁ ଜୁ’ ଖରାପ ନୁହନ୍ତି । କିନ୍ତୁ ତାଙ୍କର ଫ୍ୟୁରହେର (ନେତା) ଯାହା କହିବେ: ତାହା ସେମାନେ ମାନିବେ । ଜାତି ତା’ ଦରକାର କରେ । ନାଟ୍‍ସୀମାନେ ଶ୍ରମିକମାନଙ୍କର ଶତ୍ରୁ ନୁହନ୍ତି । ଜର୍ମାନୀରେ ସବୁ ଶ୍ରେଣୀର ଲୋକଙ୍କର ପ୍ରୟୋଜନ ଅଛି । ବୁଦ୍ଧିଜୀବୀ ଓ ଶ୍ରମଜୀବୀ ଉଭୟେ ସେଠି ସମାନ ଦୃଷ୍ଟି ପାଉଛନ୍ତି । ହିଟ୍‍ଲରଙ୍କ ‘ଜାତୀୟ ସାମ୍ୟବାଦ’ ସମଗ୍ର ଜାତିର ପ୍ରତୀକ, କୌଣସି ଗୋଟିଏ ଶ୍ରେଣୀର ନୁହେଁ । ମୁଁ ପଚାରିଲି, “ଜର୍ମାନୀରେ ବେକାର ସମସ୍ୟା କିମିତି ବର୍ତ୍ତମାନ ?” ସେ କହିଲା, “ବର୍ତ୍ତମାନ ଏ ସମସ୍ୟା ବହୁତ କମିଛି ଓ କ୍ରମେ କମୁଛି । ହିଟ୍‍ଲରଙ୍କ ଶାସନ ନୂତନ କାରଖାନା, ସଡ଼କ, କଳ ପ୍ରଭୃତି ଆରମ୍ଭ କରି ଜଙ୍ଗଲ ଜଳାଭୂମି ସଫା କରି ଲକ୍ଷ ଲକ୍ଷ ଲୋକଙ୍କୁ କାମ ଦେଇଛି । ସେମାନେ ଆଶା କରୁଛନ୍ତି ଯେ ତାଙ୍କର ଇଞ୍ଜିନ୍, ମଟର ପ୍ରଭୃତି ସମଗ୍ର ପୃଥିବୀରେ କାଟ୍‍ତି ପାଇବ ଓ ସେଥିରୁ ଅଜସ୍ର ଟଙ୍କା ସେମାନଙ୍କ ହାତକୁ ଆସିବ ।” ମୁଁ କହିଲି, “ବର୍ତ୍ତମାନ ତ ସବୁ ସଭ୍ୟ ଦେଶ ଏଇ ଚେଷ୍ଟାରେ ଲାଗିଛନ୍ତି-ତମେ କିମିତି ବଜାର ଯାକ ମାଡ଼ି ବସିବ ବୋଲି ଭାବୁଛ ?” ସେ କହିଲା, “ଦେଖ, ତମେ ଇଣ୍ଡିୟାରେ ନୀଳ ବିକ୍ରୀ କରୁଥିଲ । ଜର୍ମାନୀ ରାସାୟନିକ ନୀଳ ବାହାର କରି ସେ ବାଣିଜ୍ୟକୁ ମାଟି କରି ଦେଲା । ରାସାୟନିକ ପଦାର୍ଥ ପ୍ରାକୃତିକ ପଦାର୍ଥ ଅପେକ୍ଷା ଶସ୍ତା । ଆମେ ପବନରୁ ନାଇଟ୍ରୋଜେନ୍, କୋଇଲାରୁ ପେନ୍‍ସିଲ ଓ ରବର, କାଠରୁ ଲୁଗା ବାହାର କରୁଛୁ । ଏସବୁ ବଡ଼ ଶସ୍ତା, ଅନ୍ତତଃ ଅନ୍ୟ ଦେଶର ଏଇ ଜିନିଷ ସବୁଠୁ ଏସବୁ ଅଧିକ ଶସ୍ତା । ଆବିଷ୍କାର କରିବାର ଶକ୍ତି ଜର୍ମାନ୍ ଜାତିର ଶ୍ରେଷ୍ଠ ସମ୍ପଦ । ତା’ ନ ହେଲେ ଆମେ ଆମଠୁ ଦଶଗୁଣ ବଳୀୟାର ଶତ୍ରୁଙ୍କ ସଙ୍ଗେ ଦୀର୍ଘ ଚାରି ବର୍ଷ କାଳ କିମିତି ଲଢ଼େଇ କଲୁ ? ଆମର ଲୁହା ନ ଥିଲା କି ତମ୍ବା ନ ଥିଲା, ଆମେ ତାହା ରାସାୟନିକ ପ୍ରକ୍ରିୟାରେ ତୟାର କଲୁ । ଆମର ଯେତେ ସମସ୍ୟା, ତାକୁ ସମାଧାନ କରିବା ପାଇଁ ଆମର ମସ୍ତିଷ୍କ ଅଛି ।” ଏ କଥା କହିଲାବେଳେ ସେ ଯେଉଁ ଧଳା ହାଫ୍‍ପ୍ୟାଣ୍ଟ ଓ କୁର୍ତ୍ତା ପିନ୍ଧିଥିଲା ତାକୁ ଦେଖାଇ ସେ କହିଲା, “ଏ ଲୁଗା କାଠରୁ ବାହାରୁଛି ।” ସେ ଲୁଗା ଆମର ଚିକ୍‍କଣ ଖଦଡ଼ ପରି ଦିଶୁଥାଏ । ମୁଁ ତ ଦେଖି ଆଶ୍ଚର୍ଯ୍ୟ ହେବାର କଥା । ମୁଁ ତାକୁ ପଚାରିଲି, “ତମେ ତ ଯୁଦ୍ଧ ପରେ ଭୟଙ୍କର ଦରିଦ୍ର ହୋଇ ଯାଇଥିଲ । ବର୍ତ୍ତମାନ ଏସବୁ ନୂଆ କଥା ଆରମ୍ଭ କରିବାପାଇଁ ଟଙ୍କା କୁଆଡ଼ୁ ପାଉଛ ?” ସେ କହିଲା, “ଜର୍ମାନୀରେ ଆୟକର ଭୟଙ୍କର ବେଶି । ଜଣେ ଲୋକର ଆୟ ଯଦି କୋଡ଼ିଏ ହଜାର, ସେ ପ୍ରାୟ ତେର ହଜାର ଟଙ୍କା ଷ୍ଟେଟ୍‍କୁ ଦିଏ ।”

 

ସେ ସତ୍ୟାଗ୍ରହ କଥା ଜାଣେ । ‘ବିନା ଅସ୍ତ୍ରରେ ଯୁଦ୍ଧ ଯଦି ସଫଳ ହୁଏ ତେବେ ଜଗତରେ ପରମ କଲ୍ୟାଣ ହେବ’ ବୋଲି ସେ କହିଲା । ମୁଁ ତାକୁ ଜର୍ମାନୀରେ ଭାରତବର୍ଷର କଥା କିମିତି ଜଣା ବୋଲି ପଚାରିଲି । ସେ କହିଲା, “ବେଶି ନୁହେଁ-ଜର୍ମାନ୍‍ରେ ଏତେ ରକମର ଘଟଣା ଘଟୁଛି ଯେ, ଅନ୍ୟ ଦେଶର କଥା ଜାଣିବାକୁ ଆମର ଆଗ୍ରହ ନାହିଁ ।” ତା’ ପରେ ଜର୍ମାନୀରେ କି ପ୍ରକାରେ ଶିକ୍ଷାପଦ୍ଧତି ପ୍ରଚାରିତ ସେ କଥା ପଚାରିଲି । ସେ କହିଲା, “ଜର୍ମାନୀରେ ପ୍ରାଇଭେଟ୍ ସ୍କୁଲ ନାହିଁ-ସବୁ ଷ୍ଟେଟ୍‍ର । ପ୍ରଥମେ ପପୁଲାର ସ୍କୁଲ ବା ପ୍ରାଇମେରୀ ସ୍କୁଲ-ଏଠି ଲିଖନ, ପଠନ, ଗଣନ କେବଳ ଶିଖା ଯାଏ । ସ୍କୁଲକୁ ପ୍ରତ୍ୟେକ ପିଲା ଯିବାକୁ ବାଧ୍ୟ । ତାପରେ ଜିମ୍ନାସିୟମ ବା ହାଇସ୍କୁଲ-। ଏଠି ଜର୍ମାନ ଛଡ଼ା ଦୁଇଟା ବିଦେଶୀ ଭାଷା ଶିଖିବାକୁ ହୁଏ ଓ ତା’ ଛଡ଼ା ଅଙ୍କ, ଇତିହାସ, ଅର୍ଥ-ବିଦ୍ୟା, ପଦାର୍ଥ ବିଦ୍ୟା ଓ ଦର୍ଶନ ପ୍ରଭୃତି ପରେ ପରେ ଶିଖାଯାଏ । ଶେଷ ବର୍ଷଟାରେ ଅନେକ ପ୍ରକାର ଖେଳ କସରତ୍ ପ୍ରତି ନଜର ଦିଆଯାଏ । ଜିମ୍ନାସିୟମ୍ ବା ହାଇସ୍କୁଲ ପରେ ବିଶ୍ୱବିଦ୍ୟାଳୟ-। ଜର୍ମାନୀରେ ପ୍ରତ୍ୟେକ ସୁସ୍ଥ ଛାତ୍ରକୁ ବର୍ଷେ ସୈନିକ ଶିକ୍ଷା ନେବାକୁ ପଡ଼େ-।”

 

ଆମ୍ଭେମାନେ ହିଟ୍‍ଲରଙ୍କର ଜୁ’-ବିତାଡ଼ନ ଓ ଗତ ଯୁଦ୍ଧରେ ଜର୍ମାନମାନଙ୍କର ଅମାନୁଷିକ ଅତ୍ୟାଚାର କଥା ଭାବିଲେ ଜର୍ମାନ୍‍ ଜାତିକୁ ହୃଦୟହୀନ ଦୈତ୍ୟ-ଦାନବ ବୋଲି ଭାବିବା ସ୍ୱାଭାବିକ । କିନ୍ତୁ ଏହି ଜର୍ମାନ୍ ଛାତ୍ର ଓ ଏ ଦେଶରେ ଅନ୍ୟାନ୍ୟ ଜର୍ମାନ୍ ତରୁଣ ତରୁଣୀଙ୍କି ଦେଖି ଓ ତାଙ୍କ ସଙ୍ଗେ କଥା ହେଇ ବୁଝିଛି, ଏମାନେ ଏକ ଚମତ୍କାର ଜାତି । ଏଡ଼ିନ୍‍ବରାରେ ଜଣେ ଜର୍ମାନ୍‍ତରୁଣୀ ସଙ୍ଗେ ମୋର ପରିଚୟ ହୋଇଥିଲା । ସେ ଇଂରେଜୀ ଶିଖିବାକୁ ସେଠାକୁ ଆସିଥାଏ । ହିଟ୍‍ଲରର ଆଦେଶରେ ଜର୍ମାନୀ ବାହାରକୁ ସାମାନ୍ୟ କେତୋଟି ମାର୍କା ଛଡ଼ା ଅଧିକ ଟଙ୍କା ଯାଇ ପାରିବ ନାହିଁ । ତେଣୁ ସେ ବାଳିକାଟି ଜଣେ ଇଂରେଜ ଭଦ୍ରଲୋକ ଘରେ ଦାସୀ ରୂପେ କାମ କରି ଜୀବିକାର୍ଜନ କରୁଥାଏ । କିନ୍ତୁ ସେ ସଦ୍‍ବଂଶଜା-ତା’ର ସୁସ୍ଥ ସୁନ୍ଦର ବପୁ ଓ ଧୀରଭାଷା ଓ ମିଠା ଇଂରେଜୀ ମୋର ବରାବର ମନେ ଅଛି । ଏଠି ନିଉକାସ୍‍ଲ୍‍ରେ ଜଣେ ଜର୍ମାନ୍ ତରୁଣ ସଙ୍ଗେ ମୋର ବରାବର ଭେଟ ହୁଏ-ସେ ହିଟ୍‍ଲରର ଶତ୍ରୁ । ସେ ଦିନେ ମତେ କହିଲା, ‘‘ସେ ମୋ ଜାତିର ଶତ୍ରୁ । ଆମର ଉପନିବେଶ କ’ଣ ହେବ ? କେବଳ ସାମ୍ରାଜ୍ୟ ଗୌରବ ପାଇଁ ହିଟ୍‍ଲର ଜାତିକୁ ଇମିତି ମତାଉଛି । ବ୍ରିଟିଶ ସରକାର ମତେ ଦଶ ହଜାର ପାଉଣ୍ଡ ଦେଲେ ମୁଁ ହିଟଲରକୁ ଗୁଳି କରି ମାରି ଦିଅନ୍ତି ।” ଏହି ତରୁଣଟି ଆଜିକି ପାଞ୍ଚବର୍ଷ ହେଲା ଜର୍ମାନୀରୁ ପଳାୟିତ । ଗତ ପାଞ୍ଚବର୍ଷ ହେଲା ସେ ତ’ ଘରୁ କୌଣସି ପ୍ରକାର ଚିଠି ପତ୍ର ପାଇ ନାହିଁ ବୋଲି ଦିନେ ମତେ କହିଲା-

 

ଏଗାର ସେପ୍‍ଟେମ୍ବର- ସମୁଦ୍ର ଭୟଙ୍କର କ୍ଷୁବ୍‍ଧ ହେବାରୁ ମୁଁ ସମୁଦ୍ର ପୀଡ଼ାରେ ଶୋଇ ରହିଥାଏ । ପ୍ରାୟ ଦିନ ଚାରିଟା ବେଳକୁ ସମୁଦ୍ର ଧୀର ହୋଇ ଆସିଲାରୁ ଓ ମୁଁ ଯେତେବେଳେ ଶୁଣିଲି ଯେ ସ୍ଥଳଭାଗ ଦେଖାଗଲାଣି, ମୁଁ ଶେଯରୁ ଉଠି ଉପରକୁ ଆସିଲି । ସେତେବେଳକୁ ଜାହାଜ ଇଟାଲୀ ଓ ସିସିଲୀ ମଝିରେ ମେସିନା ପ୍ରଣାଳୀ ଭିତରକୁ ଯାଉଛି । ଉଭୟ ଭୂଭାଗ ଉଚ୍ଚ ଗିରିମାଳାରେ ପ୍ରାଚୀରାୟିତ । ଠିକ୍ ଜଳଧାରରୁ ଭୂମି ଋଜୁଭାବରେ ଉପରକୁ ଉଠିଛି- କୃଷ୍ଣ କଠୋର ଗିରିମାଳା ଯେପରି ପାତାଳ ଫୁଟି ବାହାରିଛନ୍ତି । କ୍ରମେ ଆମ୍ଭେମାନେ ସିସିଲୀ ଦ୍ୱୀପ ଓ ଇଟାଲୀର ପଦାଙ୍ଗୁଷ୍ଠ ଭିତରେ ପଶିଲୁ । ଦୁଇପାଖରେ ସୌଧମାଳାମଣ୍ଡିତ ଗିରିବ୍ରଜ, ମଝିରେ ସ୍ଥିର ନୀଳ ବାରିରାଜି ଉପରେ ଆମ୍ଭମାନଙ୍କର ବୋଇତ ଗତି କରୁଥିଲା ବେଳେ, ପଦେ ପଦେ ସେ ଦୃଶ୍ୟର ଗମ୍ଭୀରତା ଆମ୍ଭେମାନେ ଅନୁଭବ ନ କରି ରହିପାରି ନ ଥିଲୁ । ପ୍ରାକୃତିକ ଦୃଶ୍ୟ ସଙ୍ଗେ ଇତିହାସର ସମ୍ପର୍କ ସେହି ଅନୁଭବକୁ ଏକ ନୂତନ ପୀଠିକା ଦାନ କଲା । ଏଇ ଇଟାଲୀ ୟୁରୋପୀୟ ସଭ୍ୟତାର ଦ୍ୱିତୀୟ ମାତା ! ଏଇ ଯେଉଁ ରୁକ୍ଷ ପର୍ବତମାଳା ଦିଶୁଛି ୟାରି ଆରପଟେ ଥିବା ମାଟିରେ କଳା,ସାହିତ୍ୟ, ସଙ୍ଗୀତ, କବିତା, ଜ୍ଞାନ ଓ ବିଜ୍ଞାନ ବିକଶିତ ହୋଇ ସମଗ୍ର ୟୁରୋପଖଣ୍ଡକୁ ଆଲୋକ ଦେଇଛି ! ରୋମାନ୍‍ମାନଙ୍କର କ୍ଷାତ୍ରଧର୍ମ୍ମ ଏହିଠି ଅଭିନୀତ ହେଇ ଇତିହାସରେ ଗୌରବମୟ ଅଧ୍ୟାୟ ରଖି ଯାଇଛି ! ଏଇ ସେଇ, ସିସିଲୀ ଯା’ର ଉପକୂଳରୁ ଗାରିବାଲଡ଼ି ତାଙ୍କର ସ୍ୱେଚ୍ଛାବାହିନୀ ଧରି ବାହାରି ପଡ଼ି ଇଟାଲିକୁ ଅଷ୍ଟ୍ରିଆର ବନ୍ଧନରୁ ମୁକ୍ତ କରିଥିଲେ । ମେସିନୀ ପ୍ରଣାଳୀ ଭିତରେ ଦେଇ ଯାଉ ଯାଉ, ଦୁଇପାଖର ଅଭ୍ରଂକଷ ପର୍ବତ-ପ୍ରାଚୀର ତଳେ ପ୍ରକୃତିର ନୀଳତୋୟା ପ୍ରଣାଳୀର ଗମ୍ଭୀର ଦୃଶ୍ୟ ଅନୁଭବ କରୁ କରୁ ଏ ସମସ୍ତ ଇତିହାସ ମୋର ସ୍ମୃତିରେ ଜାଗରିତ ହେବାକୁ ଲାଗିଲା । ତେଣୁ ଆଶ୍ଚର୍ଯ୍ୟ ଅନୁପାତଟା ଟିକିଏ ବେଶି ହେବାର କଥା । ମେସିନୀ ପ୍ରଣାଳୀ ଏତେ ସଂକୀର୍ଣ୍ଣ ଯେ ସିସିଲୀ ଓ ଇଟାଲୀ ଆମ ଜାହାଜଠୁ ପ୍ରାୟ ଅଧମାଇଲିଏ ଲେଖା ଦୂରରେ ଥିଲା ପରି ଜଣା ପଡ଼ୁଥାଏ । ଦୁଇ କୂଳର ପର୍ବତଗାତ୍ର ମଣ୍ଡନ କରି ଛୋଟ ନଗରମାନଙ୍କର ସୌଧଗୃହାବଳି-ନୀଳ ସମୁଦ୍ର ଓ ନୀଳ ଶୈଳର ପିଠିକାରେ ସେଗୁଡ଼ିକ ବଡ଼ ମନୋରମ ଦେଖାଯାଉଥାନ୍ତି । ପର୍ବତର ଚୂଡ଼ରେ, କଟି ଦେଶରେ, ପାଦ ଦେଶରେ ବେଳାକୁ ଲାଗିକରି, ଚାରିଆଡ଼େ ଘର ସବୁ ବିଞ୍ଛିହୋଇ ରହିଛି । ସେଆଡ଼କୁ ଅନେଇ ମୁଁ ପ୍ରଥମେ ଆମର ଗ୍ରାମ୍ୟ-ସଭ୍ୟତା ସଙ୍ଗେ ଏ ଦେଶର ନଗର-ସଭ୍ୟତାର ପ୍ରଭେଦ ଅନୁଭବ କଲି । ଏଇଠୁ ଆରମ୍ଭ କରି, ନେପ୍‍ଲସ୍, ମାର୍ସେଲେ, ଜିବ୍ରାଲ୍‍ଟର ସବୁଠି ଟାଙ୍ଗରା ପାହାଡ଼ ଉପରେ କିମିତି ମନୋହର ନଗର ଓ ବିରାଟ ଜନବସତି ଗଢ଼ିଉଠିଛି ତା’ ଦେଖିଲେଇ ଏ ଦେଶର ଲୋକଙ୍କର ନାଡ଼ି ଆମ ନାଡ଼ିଠୁ କିମିତି ଭିନ୍ନ ତା’ ସହଜରେ ଦେଖା ପଡ଼େ । ବାହ୍ୟ ପ୍ରକୃତିକୁ ଜବତ୍ କରି ତା’ ଉପରେ ମନୁଷ୍ୟର ସିଂହାସନ ରଚନା କରିବା କ’ଣ, ତା ଭାରତବର୍ଷର ଲୋକେ ଜାଣନ୍ତି ନାହିଁ, ଶ୍ୱେତାଙ୍ଗ ଜାଣେ । କିନ୍ତୁ ଏ କଥାର ଆଲୋଚନା ପରେ କରିବା-ଆଗ ଯାତ୍ରା ସରୁ ।

 

ଇଟାଲୀର ପଶ୍ଚିମକୂଳ ଦେଇ କ୍ରମେ ଜାହାଜ ଚାଲିଲା । ସେହି ପର୍ବତର ପ୍ରାଚୀନ ଇଟାଲୀର ସମଗ୍ର ଉପକୂଳ ଧରି ମାଡ଼ି ଚାଲିଛି । ପର୍ବତ ଉପକଣ୍ଠ ଦେଇ ଗୋଟିଏ ପ୍ରଶସ୍ତ ରାଜପଥ ଯାଇଥିବାର ଦେଖା ଯାଉଥାଏ ଏବଂ ବେଳାଭୂମିରେ ରେଳ ଓ ମଟର ଗାଡ଼ିର ଯାତାୟାତ ସ୍ପଷ୍ଟ ଦେଖା ପଡ଼ୁଥାଏ । କୂଳଯାକ ଗାଁ ଓ ଛୋଟ ନଗର ତ ଲାଗି ରହିଛି । ଠାଏ ଠାଏ ଗିରି-ନଦୀମାନଙ୍କର ରଜତପ୍ରବାହ ପର୍ବତଗାତ୍ରରେ ଖଡ଼ିଗାର ଟାଣି ସମୁଦ୍ର-ସଙ୍ଗମ ପାଇଁ ବହିଯାଉଥିବାର ବି ଦେଖିଲୁ । ଏହି ଦୃଶ୍ୟ ସବୁ ଦେଖି ଦେଖି ଆମ୍ଭେମାନେ ତଳକୁ ଓହ୍ଳେଇ ଗଲୁ । ରାତି ପାହିଲେ ଯାଇ ନେପ୍‍ଲସ୍ ସହର ।

Image

 

ଘାଟେ ଘାଟେ

(ନେପ୍‍ଲସ୍)

 

୧୯୩୭ ବାର ତାରିଖ ସେପ୍‍ଟେମ୍ବର ପ୍ରତ୍ୟୁଷରୁ ଆମ୍ଭମାନଙ୍କ ଜାହାଜ ନେପ୍‍ଲସ୍‍ର ପ୍ରସିଦ୍ଧ ଓ ରମଣୀୟ ଉପସାଗରରେ ପ୍ରବେଶ କଲା । ଇଟାଲୀୟାନ୍‍ମାନେ କହନ୍ତି, ‘ନେପ୍‍ଲସ୍ ଦେଖି ମର,’ ଅର୍ଥାତ୍ ନେପ୍‍ଲସ୍ ନଗରର ସୁଷମା ଯେ ନ ଦେଖି ମରିଛି ତାର ଜୀବନ ଅପୂର୍ଣ୍ଣ । ପ୍ରକୃତରେ ନେପ୍‍ଲସ୍ ନୟନାଭିରାମ, କିନ୍ତୁ ତାକୁ ନ ଦେଖିଲେ ଜୀବନ ଅପୂର୍ଣ୍ଣ ହେବ ବା ମରିବା ପୂର୍ବରୁ ପ୍ରତ୍ୟେକ ଓଡ଼ିଆ ବା ଭାରତବର୍ଷୀୟକୁ ତାକୁ ଦେଖି ଆସିବା ଯେ ନିହାତ୍ ଦରକାର, ଏ କଥା ମୁଁ କହିପାରୁ ନାହିଁ । ଭୂମଧ୍ୟସାଗରର ସୁନୀଳ ନୀରାସ୍ତରଣର ଧାରରୁ ଅଳ୍ପୋଚ୍ଚ ନୀଳାଚଳର ଅର୍ଦ୍ଧଚନ୍ଦ୍ର ବିସ୍ତାର ଓ ସେହି ପର୍ବତର ନୀଳଗାତ୍ରରେ ଶୁଭ୍ର ଆବାସମାଳାର ନକ୍ଷତ୍ରୀୟମାନ ବିକାଶ ନେପ୍‍ଲସ୍‍କୁ ନୟନପ୍ରୀତିକର କରେ ନିଶ୍ଚୟ ଏବଂ ଏହି ମନୋରମ ଚିତ୍ରର ପୀଠିକା ସ୍ୱରୂପ ଅଦୂର ଚକ୍ରବାଳ ଉପରେ ବିସୁବିୟସ୍‍ର ମେଘ ଦୂର ଧୂମୋଦ୍‍ଗାରୀ ପୀରାମିଡ଼୍ ସମସ୍ତ ଦୃଶ୍ୟକୁ ରୁଦ୍ରକାନ୍ତ କରି ରଖେ । ପ୍ରକୃତି ଓ ମନୁଷ୍ୟ, ଉଭୟର ହାତ ବାଜି ନେପ୍‍ଲସ୍‍ରେ ଯେଉଁ ସୌନ୍ଦର୍ଯ୍ୟର ବିକାଶ ଘଟିଛି ତାହା ଇଉରୋପର ବହୁ ଦେଶର କବି ଓ ଶିଳ୍ପୀକୁ ମୁଗ୍‍ଧ କରିଛି । ଇଂରେଜ କବି ଶେଲୀଙ୍କର କେତୋଟି ପ୍ରସିଦ୍ଧ କବିତା ଏହି ନେପ୍‍ଲସ୍ ଉପସାଗର କୂଳରେ ରଚିତ ।

 

କିନ୍ତୁ ଆମର ଦୁର୍ଭାଗ୍ୟକୁ ସେଦିନ ରୂପସୀ ନେପ୍‍ଲସ୍ କୌଣସି ଅଜ୍ଞାତ କାରଣରୁ ଅଭିମାନର ଓଢ଼ଣା ଟାଣି ତା’ର ରୂପକୁ ଲୁଚେଇବାରେ ଲାଗିଲା । ସକାଳଟା ମେଘୁଆ ହୋଇଥିଲା-। ପ୍ରାତଃକୃତ୍ୟ ସାରି ନଗରର ଭୂଇଁରେ ପଦ ଦେଲା ବେଳକୁ ବର୍ଷା ଓ ପ୍ରବଳ ପବନ ଆରମ୍ଭ ହେଲା-। ନେପଲସ୍ ଆମ୍ଭମାନଙ୍କ ପକ୍ଷରେ ୟୁରୋପ-ଭୂମିରେ ଦ୍ୱାର ସ୍ୱରୂପ ହୋଇଥିଲା, ଯେହେତୁ ଏହାହିଁ ପ୍ରଥମ ୟୁରୋପୀୟ ସହର, ଯେଉଁଠି ଆମର ବୋଇତ ପ୍ରଥମେ ନଙ୍ଗର କଲା । ତେଣୁ ବର୍ଷା ପବନ ସତ୍ତ୍ୱେ ସହରଟାଥରେ ବୁଲି ଯିବାର ପ୍ରଲୋଭନ ଏଡ଼ି ପାରିଲୁ ନାହିଁ । ନ ବୁଲିଲେ ଜାହାଜରେ ବା ବସି ବସି କ’ଣ କରିବୁଁ ?

 

ନେପ୍‍ଲସ୍‍ର ଅଦୂରରେ ବିସୁବିୟସ୍ ଓ ତାର ପାଦଦେଶରେ ପଂପିଆର ସହରର ଭୁବନବିଖ୍ୟାତ ଧ୍ୱଂସାବଶେଷ । ଆମ୍ଭମାନଙ୍କ ମଧ୍ୟରୁ କେତେକ ପଂପିଆଇ ଦେଖିବାକୁ ଓ କେତେକ ନେପ୍‍ଲସ୍ ଦେଖିବାକୁ ବାହାରିଲେ । ମୁଁ ଶେଷ ଦଳରେ ରହିଲି, କାରଣ ପଂପିଆଇ ଗଲେ ମୋର ସ୍ୱଳ୍ପ ପୁଂଜିରୁ ବିଶେଷ ଭାବରେ କିଛି ଖତମ ହୋଇଯିବ ବୋଲି ଭୟ ହେଲା ଓ ମୃତ ସହର ପରିବର୍ତ୍ତରେ ଜୀବନ୍ତ ସହର ନ ଦେଖିବି କାହିଁକି ବୋଲି ମଧ୍ୟ ନିଜକୁ ପଚାରିଲି ଏବଂ ଭାବିଲି ଘରକୁ ଫେରିଲା ବେଳେ ଏଇ ବାଟରେ ଆସି ହୁଏତ ବିସୁନିୟମ୍ ଓ ପଂପିଆଇ ଦେଖି ଆସିବି । କିନ୍ତୁ ଫେରିଲା ବେଳେ ସେ ବାଟେ ଆସି ପାରିଲି ନାହିଁ । ମୋର ୟୁରୋପ ପ୍ରବାସ ଭିତରେ କେତୋଟି ଅନୁତପନୀୟ ଘଟଣା ଭିତରୁ ଏ ଗୋଟିଏ । କାରଣ ରୋମୀୟ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ନିଜ ଆଖିରେ ଦେଖିବାର ବାସନା ମୋର ବହୁଦିନରୁ ଥିଲା । ମିଲାନ୍ ଫ୍ଳରେନ୍‍ସ ଓ ରୋମ୍ ପ୍ରଭୃତି ଇଟାଲୀୟ ସହରମାନଙ୍କରେ ଥରେ ବୁଲି ଆସିଥିଲେ, ସେ ବାସନା ମୋର ପୁରି ଯାଇଥାନ୍ତା । କିନ୍ତୁ ଅଳ୍ପ ପୁଂଜି ଯୋଗୁଁ ଫେରିଲା ବେଳେ ତାହା ସମ୍ଭବ ହେଲା ନାହିଁ । ଅଥଚ ନେପ୍‍ଲସ୍‍ରୁ ପଂପିଆଇ ଯାଇଥିଲେ କିଛି ହେଲେ ଅନ୍ତତଃ ଦେଖି ଆସିଥାନ୍ତି । ତାହା ବି ହେଲା ନାହିଁ । ଅଳ୍ପ ପୁଂଜିର ଭୟ ଓ ଭ୍ରମ ଦରିଦ୍ର ହିଁ ଜାଣେ ।

 

ମୁଁ ତେଣୁ ଚମନ୍‍ଲାଲର ପିଛା ଧରି ନେପ୍‍ଲସ୍ ବୁଲି ବାହାରିଲି । ଯାତ୍ରା ଆରମ୍ଭରେ ଚମନଲାଲ ପ୍ରକାଶ କରିଥିଲା ଯେ, ଭାରତୀୟ ବୁଲାବିକାମାନଙ୍କୁ ଆମେ ସାଙ୍ଗରେ ମିଶେଇବା ନାହିଁ । ଇତିମଧ୍ୟରେ ସେହି ଚମନ୍‍ଲାଲ କିନ୍ତୁ ସ୍ୱଦେଶପ୍ରୀତିରେ ଉଦ୍‍ବୁଦ୍ଧ ହୋଇ ସେହି ବୁଲାବିକାମାନଙ୍କ ନିକଟରେ ଏକ ପ୍ରକାର ଗାନ୍ଧି ପାଲଟିଛି ଏବଂ ନୂତନ ଉତ୍ତେଜନା ସବୁଠି ଯେପରି ପଥାପଥ ବାରିପାରେ ନା, ଏଠି ବି ସେପରି ହୋଇଛି । ମୋର ଆଦୌ ଇଚ୍ଛା ନ ଥିଲା ବୁଲାବିକାମାନଙ୍କ ସାଙ୍ଗରେ ସହର ବୁଲିବାକୁ । ପ୍ରଲିଟେରିୟେଟ୍‍କୁ ସମ୍ମାନ ଦେଖାଇବାର ଜାଗା ଅଲଗା, ସମୟ ଅଲଗା । ଯେଉଁ ପଥର ରାଜପଥ ତିଆରିରେ ଲାଗିବା କଥା ତାକୁ ଦେବବିଗ୍ରହ ରଚନା କରିବାକୁ ନେଲେ ଏଣେ ନାହିଁ ରାଜପଥ, ନାହିଁ ଦେବବିଗ୍ରହ କିଛି ହିଁ ହେବ ନାହିଁ । ମୋର ନେପ୍‍ଲସ୍ ଭ୍ରମଣରେ ସେଇୟା ହେଲା ।

 

ଇତିମଧ୍ୟରେ ଆମ୍ଭେମାନେ ଜଣେ ଇଟାଲୀୟାନ ପଣ୍ଡା ପାଇଛୁ । ସେ ଇଂରେଜୀ କହି ଜାଣେ । ଆମେ ଦଶ ବାର ଜଣ ଥିଲୁ । ଅଳ୍ପ କିଛି କିଛି ଦେଇ ତାର ମୂଲ ମେଣ୍ଟିପାରିବୁ ଦେଖି ତାକୁ ନିଯୁକ୍ତ କଲୁ । ସେ ପ୍ରଥମେ ଆମକୁ ଟ୍ରାମରେ ବସେଇ ଥୋଡ଼େ ବାଟ ନେଲା । ସେଠୁ ଓହ୍ଲେଇ ଆଉ ଏକ ବୈଦ୍ୟୁତିକ ଯାନରେ ପର୍ବତ୍ରଗାତ୍ରଖୋଦିତ ସୁଡ଼ଙ୍ଗ ଦେଇ ଏକ ପର୍ବତର ଉଚ୍ଚ ସ୍ତରକୁ ଅଣେଇଲା । ଏଇଠି ଗୋଟିଏ ଛୋଟ ମ୍ୟୁଜିୟମ୍ ଓ ଗୋଟିଏ ସୁନ୍ଦର ହୋଟେଲ୍ । ମ୍ୟୁଜିୟମ୍‍ଟି ବନ୍ଦ ଥିଲା । ଖୋଲା ହେବାକୁ ଅଳ୍ପ ସମୟ ବାକୀ ଅଛି । ଆମ୍ଭେମାନେ ସେହି ହୋଟେଲ ବାରଣ୍ଡାରେ ଚଲାଫେରା କରିବାକୁ ଲାଗିଲୁ । ସେହି ବାରଣ୍ଡାର ଏକ କୋଣରୁ ନେପ୍‍ଲସ୍ ନଗରୀକୁ ମୁଁ ଯେପରି ଦେଖିଛି ତାହା ମୋ ସ୍ମୃତିରୁ ଲିଭିବ ନାହିଁ । ବାହାରେ ପ୍ରଭଞ୍ଜନ ଭାଙ୍ଗି ପଡ଼ୁଥାଏ । ରହି ରହି ବର୍ଷା ହେଉଥାଏ । ସମଗ୍ର ଆକାଶ ଛାୟାମୟ । ମେଘାକୂଳ ଗଗନ ତଳେ ନେପ୍‍ଲସ୍‍ର ଚନ୍ଦନଚର୍ଚ୍ଚିତ ନୀଳକଳେବର ମୋର ଦୃଷ୍ଟିତଳେ ଶାୟିତ ରହିଛି । ନୀଳପର୍ବତର ଉପରୁ ନୀଳ ସମୁଦ୍ରର ଧାର ଯାଏଁ ଶ୍ୱେତ ଗୃହମାଳା ଧାଡ଼ି ଧାଡ଼ି ହୋଇ ପେନ୍ଥିତ ହୋଇ ଉଠିଛି । ପର୍ବତର ପାଦ ଓ ସମୁଦ୍ର ବେଳା ମଧ୍ୟରେ ସୁନ୍ଦର ରାଜପଥ ମନୋରମ ବୃକ୍ଷଶ୍ରେଣୀ ଭିତର ଦେଇ ସର୍ପିଳ ଗତିରେ ଚାଲିଛି । ନୀଳ ଶାନ୍ତି ସମୁଦ୍ର ଅର୍ଦ୍ଧବୃତ୍ତ ବେଳା ତଳେ ପଡ଼ି ରହିଛି । ଦୂର ଦିଗ୍‍ବଳୟ ଉପରେ ବିସୁବିୟସ୍‍ର ଧୂମନିଃସାରୀ ଭୀମ-ସୁନ୍ଦର ମୂର୍ତ୍ତି ଦଣ୍ଡାୟମାନ । ତାର ସ୍କନ୍ଧ ଦେଶରେ ମେଘମାଳାର ଲୁଚକାଳି ଚାଲିଛି । ଏ ଯାଏଁ ନେପ୍‍ଲସ୍ ନାମ ପଡ଼ିଲେ ମୋର ସ୍ମୃତିରେ ଏହି ଛବିଟି ଭାସି ଉଠୁଛି ।

 

ଇତିହାସରେ ମ୍ୟୁଜିୟମର ଦ୍ୱାର ଖୋଲା ହେଲାଣି । ଇଟାଲୀୟମାନେ କେଜାଣି କାହିଁକି ଆମ୍ଭମାନଙ୍କୁ ଇଂରେଜୀ ପିକା ଖଣ୍ଡେ ଦେଇ ପାରିବୁଁ କି ନାହିଁ ବୋଲି ପଚାରୁଥାନ୍ତି । ମ୍ୟୁଜିୟମ୍‍ର ଫାଟକ ନିକଟରେ ଗୋଟିଏ ଇଟାଲୀୟାନ୍ ଭଦ୍ରଲୋକ ସଙ୍ଗେ ପରିଚୟ ହେଲା । ସେ ଭଙ୍ଗା ଭଙ୍ଗା ଇଂରେଜୀ କହିପାରେ । ମ୍ୟୁଜିୟମର ପଣ୍ଡା ଆଦୌ ଇଂରେଜୀ ଜାଣେ ନାହିଁ । ତେଣୁ ଏ ଭଦ୍ରଲୋକଟି କିଛି କାମରେ ଆସିଲେ । ମ୍ୟୁଜିୟମ୍‍ଟି ଛୋଟ କିନ୍ତୁ କେତେଗୁଡ଼ିଏ ଦେଖିବାର ଜିନିଷ ଅଛି । ବୋର୍ଚୋଂ ରାଜାମାନଙ୍କର ସ୍ୱର୍ଣ୍ଣଚ୍ଛଦ, ଅଶ୍ୱ ଶକଟ, ହାତୀଦାନ୍ତ ଓ ସୁନାର ନୌକା କୌତୂହଳର ଜନକ ଓ ପୂରକ । ଏ ସବୁ ଛଡ଼ା ଷୋଡ଼ଶ ଶତାବ୍ଦୀର କେତେକ ଅପ୍ରସିଦ୍ଧ ଇଟାଲୀୟ ଶିଳ୍ପୀଙ୍କର ବିଗ୍ରହାଦି ମଧ୍ୟ ଅଛି । କିନ୍ତୁ ଏ ସବୁ ବିଭବ ମଧ୍ୟରେ ଗୋଟିଏ ଛିଣ୍ଡା ଲାଲକୁର୍ତ୍ତା ଓ ଟୋପି ମଧ୍ୟ ଅତି ଯତ୍ନରେ ରଖା ହୋଇଛି । ସେ କାର ? ଗାରିବାଲ୍‍ଡ଼ି ଓ ତାଙ୍କର ଲାଲକୁର୍ତ୍ତୀ ମାନଙ୍କର ରୋମାଞ୍ଚକର କାହାଣୀ ଅଛି ତ ବିଶ୍ୱବିଦିତ । ଯେଉଁମାନେ ଜାଣନ୍ତି ନାହିଁ ସେମାନଙ୍କର ଏହି କଥା ପଢ଼ି ରଖିବା ଉଚିତ । ତେବେ ଏହି କୁର୍ତ୍ତା ଗାରିବାଲ୍‍ଡ଼ିଙ୍କର ନୁହେଁ, ତାହା ତାଙ୍କର ଏକ ଅନୁଗାମୀ ସାଧାରଣ ଲାଲକୁର୍ତ୍ତୀ ସୈନିକର । ଯେଉଁ ଜାତି ଜଣେ ସାଧାରଣ ସୈନିକର ସ୍ମୃତିକୁ ଏ ପୂଜା ଦେଇପାରେ, ତାର ଚରଣରେ ଦାସତ୍ୱଶୃଙ୍ଖଳା ବାନ୍ଧି ଦେବାର ଆଶଙ୍କା କମ୍ । ଆମ ଦେଶରେ ବୀରର ପୂଜା କାହିଁ ? ଜୟୀ ରାଜଗୁରୁ ଓ ଜଗବନ୍ଧୁ ବିଦ୍ୟାଧରଙ୍କର ଇତିହାସ ଓଡ଼ିଆରେ ସେଥିପାଇଁ ଏ ଯାଏ ମଧ୍ୟ ଲେଖା ହେଇ ପାରି ନାହିଁ । ତେବେ ପରିତାପର କଥା ଏହି ଯେଉଁ ଇଟାଲୀ ଗାରିବାଲ୍‍ଡ଼ିଙ୍କ ବୀରତ୍ୱ ଓ ମାଟ୍‍ସିନୀଙ୍କ ସ୍ୱପ୍ନ ଦେଇ ତା’ର ସ୍ୱାଧୀନତା ଆଷ୍ଟ୍ରୀୟ ଅତ୍ୟାଚାରରୁ ଲାଭ କରିଥିଲା, ସେହି ଇଟାଲୀ ମୁସୋଲିନୀ ପରି ନରପିଶାଚଦ୍ୱାରା ନିୟନ୍ତ୍ରିତ ହୋଇ ଆବିସିନିଆ ଓ ଆଲବାନିଆ ପ୍ରଭୃତି ନିରପରାଧ ଏବଂ ସ୍ୱାଧୀନ ଦେଶମାନଙ୍କର ରକ୍ତରେ ନିଜ ହାତକୁ କଳୁଷିତ କରିଛି ।

 

ମ୍ୟୁଜିୟମରୁ ବାହାରିଲୁଁ । ମୋର ଇଚ୍ଛା ନେପ୍‍ଲସ୍‍ର ଶ୍ରେଷ୍ଠ ମ୍ୟୁଜିୟମ୍‍କୁ ଯାଇ ଆଉ କିଛି ଦେଖିବା । କିନ୍ତୁ ଆମର ଗ୍ୟାଙ୍ଗ ମ୍ୟୁଜିୟମର ବିନ୍ଦୁ ବିସର୍ଗ ବୁଝିବାକୁ ନାହାଁନ୍ତି । ନିରକ୍ଷର ସେମାନେ, ରେନେସାଁ ବା ବୋର୍ଚୋଂ ରାଜ୍ୟର କଥା କଣ ବୁଝିବେ ? ସେମାନେ ଏକସ୍ୱରରେ କହିଲେ, “ଆମେ ଜାହାଜକୁ ଫେରିଯିବୁ” । ମେଜରିଟିର ଶକ୍ତିକୁ ନମସ୍କାର କରି ନେତା ଚମନଲାଲ ଜାହାଜକୁ ଫେରିବାକୁ ବାହାରିଲା । ଟ୍ରାମରେ ପୁଣି ତଳକୁ ଓହ୍ଲେଇଲୁ, ଅନବରତ ବର୍ଷା ହେଉଥାଏ-। ଟ୍ରାମ୍‍ରୁ ଓହ୍ଲେଇ ଅନେକ ଗୁଡ଼ାଏ ବାଟ ସେହି ବର୍ଷାରେ ଚାଲିବାକୁ ହେଲା । ମୁଁ ଆମର ପଣ୍ଡାକୁ ପଚାରିଲି ନେପ୍‍ଲସ୍‍ରେ ଦାନ୍ତେଙ୍କର କିଛି ସ୍ମାରକ ଅଛି ? ସେ କହିଲା, “ଚାଲନ୍ତୁ ଦାନ୍ତେ ସ୍କୋୟାର ଦେଖିବେ ।” ଭାଗ୍ୟକୁ ଏହି ଚତୁଷ୍କ ଆମର ଫେରିବା ବାଟରେ ଥିଲା, ନ ହେଲେ ଗ୍ୟାଙ୍ଗ୍ କି ସହଜରେ ମଙ୍ଗିଥାନ୍ତେ ? ସେହି ବର୍ଷରେ ପଣ୍ଡାର ଛତାତଳେ ମୁଣ୍ଡ ଗୁଞ୍ଜି ଅନେକ ବାଟ ଆସିଲା ପରେ ନିର୍ଦ୍ଦିଷ୍ଟ ଚତୁଷ୍କରେ ଦେଖିଲି ଦାନ୍ତେଙ୍କର ମନୁଷ୍ୟ ପ୍ରମାଣ ମୂର୍ତ୍ତି; ସେହି ଗମ୍ଭୀର ମୁଖ, ସେହି ଶୁକନାସା, ସେହି ପାଦଲମ୍ବୀ ଆଲଖାଲା ଓ ସମଗ୍ର ମୁଖମଣ୍ଡଳରେ ଗଭୀର ବିଷାଦର ଛାୟା, ଯାହା ଚିତ୍ରରେ ଆମ୍ଭମାନଙ୍କର ପରିଚିତ । ଦାନ୍ତେଙ୍କ ଜନ୍ମସ୍ଥାନ ଫ୍ଳରେନ୍‍ସ ସହରରେ, ସେ ତ ଉତ୍ତର ଇଟାଲୀରେ; ନେପ୍‍ଲସ୍ ସଙ୍ଗେ ତାଙ୍କର କି ସମ୍ପର୍କ ଥିଲା ମୁଁ କରି ପାରିବି ନାହିଁ । କିନ୍ତୁ ନେପ୍‍ଲସ୍ ସହର, ଜାତିର ମହାକବିଙ୍କ ପୂଜା କରିବାରେ କି ପଛେଇଯିବ ? ଓଡ଼ିଶା କଥା ଛାଡ଼ିଦିଅ, ଭାରତର ଅନ୍ୟାନ୍ୟ ପ୍ରଦେଶରେ ଏ ଭାବ ଜନ ସମାଜରେ ଜାଗ୍ରତ ହେବାକୁ ଡେରି ଅଛି ।

 

ଦାନ୍ତେ ମୂର୍ତ୍ତି ଦେଖିସାରି ଗୋଟିଏ ରାସ୍ତାର ପଦ-ପଥରେ ମତେ ଓ ଇଟାଲୀର ପଣ୍ଡାକୁ ପ୍ରାୟ ଘଣ୍ଟାଏ ଖଣ୍ଡେ ଖାଲି ଅପେକ୍ଷା କରିବାକୁ ପଡ଼ିଲା । କାରଣ ଚମନଲାଲ ଗ୍ୟାଙ୍ଗ୍‍କୁ ନେଇ ଜାହାଜରେ ଛାଡ଼ି ପୁଣି ଆମ ନିକଟକୁ ଫେରି ଆସିବାକୁ ହେଲା । ସେ ଫେରିଲା ବେଳକୁ ଦିନ ପ୍ରାୟ ବାରଟା ଗୋଟେ । କ୍ଳାନ୍ତି ଓ କ୍ଷୁଧାରେ ଦେହ ଦୁର୍ବଳ । ତେଣୁ ଗୋଟେ ହୋଟେଲର ଅନୁସନ୍ଧାନରେ ବାହାରିଲୁଁ । ଗୋଟେ ଛୋଟ କାଫେରେ ଗ୍ଳାସେ ଦୁଧ ଓ କେତେ ଖଣ୍ଡ ପିଠା ଖାଇଲୁ । ଛୋଟ ଗ୍ଳାସେ ଦୁଧର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ତିନିଅଣା । ୟୁରୋପର ଏହି ପ୍ରଥମ ସହରରୁ ୟୁରୋପୀୟ ଜୀବନର ମହାର୍ଘତା କ୍ରମେ ବୁଝିଲି । ଏହି କାଫେରେ କିନ୍ତୁ ଆଉ ଗୋଟିଏ ମଜା ଘଟଣା ଘଟିଲା । ଆମର ପଣ୍ଡାଟି କାଫେକର୍ତ୍ତ୍ରୀଙ୍କ ସଙ୍ଗେ ସଲା କରି ତାର କଫି ପାନର ଖର୍ଚ୍ଚାଟା ଆମଠୁ ଉଠେଇବାର ବନ୍ଦୋବସ୍ତ କରିଥିଲା । ତା ଛଡ଼ା ୟୁରୋପୀୟ ହୋଟେଲମାନଙ୍କରେ ଖାଦ୍ୟ-ପାନୀୟ ପାଇଁ ଉଚିତ ମୂଲ୍ୟ ଛଡ଼ା ପରିବେଷଣ ପାଇଁ ମଧ୍ୟ କିଛି ନିଆଯାଏ । ଏହି ଟିପ୍-ଦାନ ଫ୍ରାନ୍‍ସ ରାଜ୍ୟର କାନୁନ୍-ଖାଦ୍ୟ ମୂଲ୍ୟର ଶତକଡ଼ା ଦଶ । ମୁଁ ଜାଣେ ନା ଇଟାଲୀରେ ତାହା କାନୁନ୍ ହୋଇଛି କି ନାହିଁ-ତେବେ ପ୍ରଥା ତ ନିଶ୍ଚୟ । କିନ୍ତୁ ବ୍ୟବସାୟୀ ଚମନଲାଲ ପଇସା ଦେଲାବେଳେ ଏସବୁ ନ ଦେବାପାଇଁ ଏକାବେଳେକେ ନାଛୋଡ଼ବନ୍ଦା । ଛୋଟ ଧରଣର ଏକ ତକରାଳ ହେଲା । ଶେଷରେ ଚମନଲାଲ ରାସ୍ତାକୁ ଯାଇ ଗୋଟିଏ କଟୁଆଳକୁ ଡାକି ଆଣିବାରୁ ଆମ୍ଭମାନଙ୍କର ଟଣାଭିଡ଼ା ବନ୍ଦ ହେଲା; ଆମେ ନଅ ଲିରା ପରିବର୍ତ୍ତରେ ସାତ ଲିରା ଦେଇ ଆସିଲୁଁ । ୟୁରୋପ ପ୍ରବାସର ପ୍ରଥମ କେତେ ଘଣ୍ଟା ଭିତରେ ଏ ଅଭିଜ୍ଞତା ବେଶ୍ କୌତୁକକର ବୋଧ ହେଉଥାଏ, ତା ଛଡ଼ା କାଫେରୁ ବାହାରିଲାବେଳେ ମୁଁ ଚମନ୍‍ଲାଲର ବିଷୟବୃଦ୍ଧି କଥା ଭାବୁଥାଏ । ମୁଁ ଦୁଇଟି ଲିରା ପାଇଁ କୌଣସି କାଳେ ଅଧଘଣ୍ଟାବ୍ୟାପୀ ବଚନ ସଂଗ୍ରାମ କରି ନ ଥାନ୍ତି, କିନ୍ତୁ ବୁଝିଲି, ଯେ କରେ ସେହି କେବଳ ଚମନ୍‍ଲାଲ ପରି ହଜାର ହଜାର ଟଙ୍କାର ମାଲିକ ହୋଇପାରେ ।

 

କାଫେରୁ ବାହାରି ମୁଁ ଚମନ୍‍ଲାଲକୁ କହିଲି, ବର୍ତ୍ତମାନ ଗ୍ୟାଙ୍ଗ୍ ତ ନାହାନ୍ତି, ଚାଲ ବଡ଼ ମ୍ୟୁଜିୟମ୍‍ଟି ଦେଖି ଆସିବା । ସେ ମଙ୍ଗିଲା, କିନ୍ତୁ ସେ ଦିନ ରବିବାର କି କ’ଣ ଥିବାରୁ ମ୍ୟୁଜିୟମ୍‍ଟି ଗୋଟାଏ ବେଳୁ ବନ୍ଦ ହୋଇ ଯାଇଥିଲା । ନିରାଶ ମନରେ ଫେରିଲି । ଆଉ ବର୍ତ୍ତମାନ କିଛି କାମ ନାହିଁ । ବର୍ତ୍ତମାନ ରାସ୍ତାରେ ବୁଲି ବୁଲି ୟୁରୋପୀୟ ନାଗରିକ ଜୀବନ ଦେଖିବାରେ ଲାଗିଲୁଁ । ଭାରତବର୍ଷରେ ତ ନାଗରିକ ଜୀବନ ୟୁରୋପର ଛାୟାରେ ଗଢ଼ି ଉଠୁଛି । ତଥାପି ତାହା ୟୁରୋପୀୟ ମୂଳର ସମାନ ହୋଇପାରୁ ନାହିଁ । ଏକ କଥା, ଅଧିକାଂଶ ଭାରତୀୟ ସହରର ସ୍ଥାପନ ଓ ଗଠନ ବଡ଼ ବେଢ଼ଙ୍ଗ, ରାସ୍ତା, ଧୂଳିମୟ, କ୍ୱଚିତ୍ ପକ୍‍କା । ତା’ ପରେ ଭାରତୀୟମାନଙ୍କର ନୋଂରା ନିର୍ଜୀବ ବେଶ-ବାସ । ତା’ ପରେ ରାସ୍ତାରେ ନାରୀମାନଙ୍କର ଅଦର୍ଶନ । ଆମ ଦେଶରେ ଭଦ୍ରଲୋକର ଝିଅ ବୋହୂଏ ବାହାରକୁ ବାହାରନ୍ତି; କିନ୍ତୁ ତାଙ୍କୁ ବୋହି ନେବାକୁ ହୁଏ ଗାଡ଼ିମୋଟରରେ । ଆମ୍ଭମାନଙ୍କର ଜାଣି ରଖିବା ଉଚିତ ନାରୀ-ସୌନ୍ଦର୍ଯ୍ୟ ଗତିରେହିଁ ବେଶି ଫୁଟେ, ସ୍ଥିତିରେ ନୁହେଁ । କେବଳ ଘରୁ ବାହାରି ମଟରରେ ବୁଲିଲେ ହେବ ନାହିଁ; ଆମ ଦେଶର ନଗର ରାସ୍ତାମାନଙ୍କରେ ଦଳ ଦଳ ହୋଇ ଆମର ମା-ଭଉଣୀଏ ଚାଲିଲେ ଯାଇ ସହର ବଜାର ପ୍ରକୃତରେ ସୁନ୍ଦର ଦିଶିବ । ୟୁରୋପର ନଗରମାନଙ୍କରେ ଇଟା-ପ୍ରସ୍ତର-ପିହିତ, ରାଜପଥର ଦୁଇ ଧାରରେ ଅଭ୍ରଂକକ୍ଷ ପ୍ରାସ ଦମାଳା । ଦୁଇ ଆବାସ ଶ୍ରେଣୀର ତଳେ ତଳେ ସୁସଜ୍ଜିତ ଶ୍ୱେତାଙ୍ଗ ନରନାରୀମାନଙ୍କର ବିହାର ପ୍ରକୃତରେ କେବଳ ଚକ୍ଷୁ ସୁଖକର ନୁହେଁ, ଭାରତୀୟମାନଙ୍କ ପକ୍ଷରେ ଏକ ସାମାଜିକ ଓ ନୈତିକ ଆବଶ୍ୟକତା ।

 

ନେପ୍‍ଲସ୍ ଇଟାଲୀର ସର୍ବଶ୍ରେଷ୍ଠ ସହର । ପ୍ରାକୃତିକ ଅବସ୍ଥାନ ଚମତ୍କାର । ତା’ର ଐତିହାସିକ ଗୌରବ ମଧ୍ୟ ଅଛି । କିନ୍ତୁ ରାସ୍ତାରେ ଘୂରି ଘୂରି ଦେଖିଲି, ଇଟାଲୀୟ ଜୀବନର ଦାରିଦ୍ର୍ୟର ଛାୟା ଏଭଳି ସହର ଉପରେ ମଧ୍ୟ ପଡ଼ିଛି । ରାସ୍ତାଗୁଡ଼ିକ ଟିକିଏ ନୋଂରା ଓ ନୋଂରାମିର ଜୀବନ୍ତ ମୂର୍ତ୍ତି ଭିକାରୀ ଦଳ ସର୍ବତ୍ର । ଆମ୍ଭେମାନେ ଯିବାବେଳେ ଇଟାଲୀୟ ଭିକାରୀ ଭିକାରିଣୀମାନଙ୍କର କରୁଣ ‘ସିନୋରେ, ସିନୋର’ (ମହାଶୟଗଣ, ମହାଶୟଗଣ) ଚିତ୍କାର ମୁଁ ଏ ଯାଏ ଭୁଲି ନାହିଁ । ଆଉ ମଧ୍ୟ ଭୁଲିନାହିଁ ଫୁଟ୍‍ପାଥ୍‍ର ଧାରରେ ପଡ଼ିଥିବା ଛିନ୍ନ କନ୍ଥା ଘୋଡ଼ିହୋଇ ଏକ ସ୍ୱର୍ଣ୍ଣକେଶିନୀ କାଙ୍ଗାଳିନୀ, ଯାର ସ୍ମୃତି ରାଜା କଫେଚୁଆ ଓ ଭିକାରିଣୀ ଝିଅ କଥାକୁ ମୋର ଅଭିଜ୍ଞତା ସ୍ତରକୁ ନେଇ ଆସିଥିଲା ।

 

ଇଟାଲୀ ନାମ ଧଇଲେ ଦାନ୍ତେଙ୍କ କଥା ଓ ବ୍ୟାଟ୍ରିଶ୍ ନାମକ ତରୁଣୀ ସଙ୍ଗେ ତାଙ୍କର ସ୍ୱର୍ଗୀୟ ପ୍ରଣୟର ମଧୁର ଗାଥା ସ୍ମୃତିକୁ ଆସେ । ମୁଁ ପୂର୍ବରୁ ଭାବିଥିଲି ଇଟାଲୀ କେବଳ ବ୍ୟାଟ୍ରିଶମାନଙ୍କର ଦେଶ । ମତେ ଭୟଙ୍କର ଭାବରେ ନିରାଶ ହେବାକୁ ହେଲା । ମୁଁ ରାସ୍ତାରେ ଘୂରି ସହସ୍ର ସହସ୍ର ଇଟାଲୀୟ ନାରୀ ଦେଖିଥିବି; କିନ୍ତୁ କାହାରିକି ଏପରି ରୂପସୀ ଦେଖିଲି ନାହିଁ ଯେ କି ଆଧୁନିକ ଦାନ୍ତେଙ୍କର ଆଧୁନିକା ବ୍ୟାଟ୍ରିଶ ହୁଅନ୍ତେ । ଆଉ ଏକ କଥା, ସମଗ୍ର ଶ୍ୱେତ ଜଗତରେ କର୍ତ୍ତିତ କେଶ, ଲେପଦିଆ ମୁହଁ, ଛୋଟ ସ୍ୱାର୍ଥ ଓ ହାଇ ହିଲ୍ ଯୋତା ନେଇ ନାରୀର ଯେଉଁ ଏକସ୍ୱରିଆ ବେଶ ଠିଆ କରା ହୋଇଛି । ସେଥିରେ ଅଛି ସିନା ପ୍ରୟୋଜନର ପ୍ରାବଲ୍ୟ କିନ୍ତୁ ନାହିଁ ଅଛି ସୁଷମା; ନାହିଁ ଅଛି ରୁଚି ।

 

ଘୂରି ଘୂରି ଶେଷରେ ବନ୍ଦର ପାଖେ ହେଲୁଁ । ଇଟାଲୀର ସ୍ୱାଧୀନତା ଦାୟକ ଗାରବାଲ୍‍ଡ଼ିଙ୍କର ଘୋଡ଼୍‍ସବାର ମୂର୍ତ୍ତି ଅଦୂରରେ ସ୍ଥାପିତ । ମୁଁ ଯାଉଁ ଯାଉଁ ଚମନ୍‍ଲାଲକୁ କହିଲି, ‘ଇଟାଲୀକୁ ଆସି ଅଙ୍ଗୁର ଖାଇବା ନାହିଁ ?’ ତେଣୁ କିଛି ଅଙ୍ଗୁର କିଣି ବାଟଯାକ ଖାଇ ଖାଇ ଗଲୁଁ । ମୁଁ ବାଟରେ ଓ ଜାହାଜରେ, ଅକାରଣ ବୁଲାବିକାଙ୍କୁ ନେପ୍‍ଲସ୍ ବୁଲିବାକୁ ନେଇ ସେ କିପରି ସମୟ ନଷ୍ଟ କଲା, ସେ କଥା ଚମନ୍‍ଲାଲକୁ ଆଚ୍ଛା କରି ଦି’ପଦ ଶୁଣେଇ ଦେଇଥିଲି । ଆମ ଆଗରେ ଜନତାର ନେତା ହୋଇ ସେ ପ୍ରଥମେ ଗାନ୍ଧି ହେବାକୁ ବସିଥିଲା ସତ, କିନ୍ତୁ ଲଣ୍ଡନ ପହଞ୍ଚିବା ପୂର୍ବରୁ ସେଇ ଫେରିବାଲାଙ୍କଠୁ ସେ ଇମିତି ବ୍ୟବହାର ପାଇଲା ଯେ, ତାକୁ ଅଭିମାନରେ ଅନଶନ କରିବାକୁ ପଡ଼ିଥିଲା ଓ ତା’ରଗାନ୍ଧି ହେବାର ସ୍ୱପ୍ନ ଭାଙ୍ଗି ଯାଇଥିଲା ।

 

ଇତିମଧ୍ୟରେ ପଂପିଆଇରୁ ଆମର ଛାତ୍ର-ବନ୍ଧୁମାନେ ଫେରି ଆସିଥିଲେ ଜାହାଜକୁ । ପଂପିଆଇର ସୌଧଗାତ୍ରମାନଙ୍କରେ ଇନ୍ଦ୍ରିୟତୋଷିଣୀ ନରନାରୀ ଚିତ୍ର ଓ ମୂର୍ତ୍ତିମାନଙ୍କର କଥା କେହି କେହି କହିବାକୁ ଲାଗିଲେ । ସେତେବେଳେ ମୋର ଏକ ଅଭିଜ୍ଞତା ମନେ ପଡ଼ିଲା । ଆମେ ନେପ୍‍ଲସ ସହର ବୁଲୁଥିଲା ବେଳେ ବର୍ଷା ହେଉଥିଲା ମୁଁ କହିଛି । ମୋର ବର୍ଷାତୀ ବା ଓଭରକୋଟ ନ ଥାଏ । ମୁଁ ଇଟାଲୀ ପଣ୍ଡାର ଛତା ତଳେ ଆଶ୍ରୟ ନେଇଥାଏ । ମତେ ଏକୁଟିଆ ପାଇ ସେ ପଣ୍ଡା ଥିର୍ ଥିର୍ କହିଲା, “ପଂପିଆଇରେ ନାରୀମାନଙ୍କର ଭିନ୍ନ ଭିନ୍ନ ଛନ୍ଦରେ ନଗ୍ନ ଚିତ୍ର ସବୁ ଅଛି । ନେପ୍‍ଲସ୍‍ରେ ତା’ର ଜୀବନ୍ତ ଅନୁକରଣ ଦେଖି ପାରିବେ-ଯିବେ ?” ମୁଁ ଠକ୍‍ଠାକ ନାହିଁ କରିବାରୁ ସେ ଆଉ ପାଟି ଫିଟେଇଲା ନାହିଁ । ୟୁରୋପ ପ୍ରବାସ ଭିତରେ ମୁଁ ଯେଉଁ ଦୁଇ ତିନି ଥର ଅଶ୍ଳୀଳ ଆକର୍ଷଣ ପାଇଛି ସେ ଏଇ ଭିତରୁ ଗୋଟିଏ । ଯଥା ସ୍ଥାନରେ ସେ କଥା କହିବି । ବର୍ତ୍ତମାନ ନେପ୍‍ଲସ୍ ଦେଖା ସରିଲା ଓ ଆମ୍ଭେମାନେ ପୁଣି ସମୁଦ୍ର ବକ୍ଷରେ ଭାସମାନ ହେଲୁଁ ।

Image

 

ଶେଷ କ୍ରୋଶ

ମାର୍ଶେଲିସ୍, ଜିବ୍ରାଲଟର, ଲଣ୍ଡନ ଓ ଏଡ଼ିନବରୋ

 

ନେପ୍‍ଲସ୍‍ରୁ ଅପରାହ୍ନ ପାଞ୍ଚଟାରେ କାଶୀମା ବିଦାୟ ନେଲା । ସୌଧ-ତାରକିତ ବେଳାଭୂମି ଓ ପୃଷ୍ଠଭୂମିରେ ଦଣ୍ଡାୟମାନ ମେଘମେଦୂର ବିସୁବିୟସ୍ କ୍ରମେ ଦିଗ୍‍ବଳୟରେ ଲୁଚିଗଲେ ।

 

ଇଟାଲୀର ଉପକୂଳକୁ ଦୂରରେ ରଖି କାଶୀମା ପୁଣି ଖୋଲା ସମୁଦ୍ରରେ ପଶିଲା । ବାଟରେ ପଡ଼ିଲା ସାର୍ଡ଼ିନିଆ ଓ କର୍ଶିକା ଦ୍ୱୀପ । କେବଳ ରୁକ୍ଷ, ନିର୍ବୃକ୍ଷ ପାହାଡ଼ମାଳା । ବଡ଼ ଇଚ୍ଛା ହେଉଥିଲା ଜାହାଜ କିପରି କର୍ଶିକାରେ ଟିକିଏ ଅଟିକି ଗଲେ ନେପୋଲିୟନ୍‍ଙ୍କ ଜନ୍ମସ୍ଥାନ ଓ ବାଲ୍ୟଲୀଳାର ଭୂମି ଆଜାକ୍‍ଚିଓ ସହର ଦେଖି ଆସନ୍ତି । କିନ୍ତୁ ତା’ତ ହେବାର ନୁହେ । କର୍ଶିକା ଓ ଖୁବ୍ ସମ୍ଭବତଃ ଏଲ୍ ବା ଦ୍ୱୀପକୁ ଦୁଇପଟେ ରଖି କାଶୀମା ତା’ର ନିର୍ଦ୍ଦିଷ୍ଟ ପଥରେ ଚାଲିବାକୁ ଲାଗିଲା ।

 

ଚଉଦ ତାରିଖ ସେପ୍‍ଟେମ୍ବର ସକାଳେ ଜାହାଜ ମାର୍ଶେଲିସ୍ ବନ୍ଦରରେ ଲାଗିଲା । ମାର୍ଶେଲିସ୍ ମଧ୍ୟ ଏକ ପ୍ରାକୃତିକ ବନ୍ଦର । କୂଳରେ ଅର୍ଦ୍ଧଚନ୍ଦ୍ରାକାର ପାହାଡ଼ ଶ୍ରେଣୀ, ତଳେ ଗଭୀର ଜଳ । ଜାହାଜ ଏକାବେଳକେ ବେଳାଭୂମିକୁ ଛୁଇଁଲା ପରି । ସମଗ୍ର ଭାରତବର୍ଷରେ ବମ୍ବେ ଓ ଭାଇଜାଗ୍ ଛଡ଼ା ଏ ପ୍ରକାର ପ୍ରାକୃତିକ ବନ୍ଦର ତୃତୀୟ ବୋଧହୁଏ ନାହିଁ । ଅଥଚ୍ ଇଉରୋପରେ ପ୍ରାକୃତିକ ବନ୍ଦରର ସଂଖ୍ୟା ନାହିଁ ।
 

ମଧ୍ୟାହ୍ନ ଭୋଜନ ସାରି ସହର ବୁଲି ବାହାରିଲୁଁ । କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥାଏ । ଟ୍ରାମରେ ଥୋଡ଼ା ବାଟ ଯାଇ ଏକ ଉତ୍ତୁଙ୍ଗ ଶିଖରର ପାଦତଳେ ପହଞ୍ଚିଲୁଁ । ସେହି ପାହାଡ଼ର ଚୂଳଦେଶରେ ଏକ ଗୀର୍ଜା । ଉପରକୁ ଉଠିବାର ଏକମାତ୍ର ଉପାୟ ବୈଦ୍ୟୁତିକ ଗାଡ଼ି । ସେହି ଗାଡ଼ି ଆମ୍ଭମାନଙ୍କୁ ପାହାଡ଼ର କଟିଦେଶରେ ଛାଡ଼ି ଦେଲା, ଯେଉଁଠୁ ସୋପାନ ଶ୍ରେଣୀର ଆରମ୍ଭ । ଏହି ସୋପାନ ପରମ୍ପରା ଉଠୁ ଉଠୁ ମୋର ଗୋଡ଼ କଟ୍‍କଟ୍ ଡାକିବାକୁ ଲାଗିଲା । କିନ୍ତୁ ଗୀର୍ଜାର ପାଦତଳେ ପହଞ୍ଚିଲା ପରେ ବୋଧ ହେଲା ଯେପରି ସକଳ ଶ୍ରମ ପୁରସ୍କୃତ ହୋଇଗଲା । କାରଣ ସେଠାରୁ ତଳକୁ ଅନାଇଲେ ସାରା ମାର୍ଶେଲିସ୍ ସହର ଓ ଉପକୂଳର ସମୂହ ସୁଷମ ମନୋରମ ଭାବରେ ଦୃଷ୍ଟି ଗୋଚର ହୁଏ ।

 

ଫ୍ରେଞ୍ଚ ଜାତି ବିଶେଷ ଭାବରେ କ୍ୟାଥଲିକ୍ । ଏମାନଙ୍କର ଉପାସନାରେ ହିନ୍ଦୁ ପୌତ୍ତଳିକତା ଓ ଉପଚାରପ୍ରିୟତା ଦେଖିବାକୁ ମିଳେ । ଗୀର୍ଜା ଭିତରକୁ ପଶିଲୁଁ । ହିନ୍ଦୁ ମନ୍ଦିରର ଅଭ୍ୟନ୍ତର ପରି ଅନ୍ଧାରିଆ । ପୀଠ- ଦେଶରେ ଯୀଶୁ ଓ ମେରୀଙ୍କର ବ୍ରୋଞ୍ଜର ପ୍ରତିମୂର୍ତ୍ତି । ହିନ୍ଦୁ ମନ୍ଦିରରେ ଘିଅ ଦୀପ ଜଳିଲା ପରି ଭିନ୍ନ ଭିନ୍ନ ସ୍ଥାନରେ ମହମବତୀ ଜଳୁଛି । ଆସିଲାବେଳେ ଦେଖିଛୁଁ ଜଗନ୍ନାଥ ମନ୍ଦିର ପାଖରେ ବିଧବା ବ୍ରାହ୍ମଣୀସବୁ ଘିଅବତୀ ବିକିଲା ପରି ପାହାଚମାନଙ୍କରେ ମହମବତୀ ବିକା ହେଉଛି, ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ । କିନ୍ତୁ ଏସବୁ ସତ୍ତ୍ୱେ ଏକ ବିରାଟ ପ୍ରଭେଦ । ହିନ୍ଦୁ ମନ୍ଦିରକୁ ଯୋତା ଲଗେଇ କେହି ଯାଇ ପାରିବେ ନାହିଁ-। ତା’ର ଅର୍ଥ ମୁଁ ଏ ପର୍ଯ୍ୟନ୍ତ ଜାଣି ନାହିଁ, ମୂର୍ଖ ପଣ୍ଡାଏ ଜାଣିଥିବେ । କିନ୍ତୁ ମୁଁ ଜାଣେ ଯେ ହିନ୍ଦୁ ମନ୍ଦିର ଭିତରକୁ ଗଲେ ସଫା ପାଦ ମଇଳା ହୋଇ ଆସିବ, ସୁସ୍ଥ ମନୁଷ୍ୟ ରୋଗ ନେଇ ଆସିବ । ଜଗନ୍ନାଥ ମନ୍ଦିର ଭିତରୁ ବା ସେହି ସଂସର୍ଗରୁ ଓଡ଼ିଶା ଓ ଭାରତବ୍ୟାପୀ ମହାମାରୀର ବାର୍ଷିକ ଜନ୍ମ ହୁଏ । ହିନ୍ଦୁ ଧର୍ମ , ତା’ର ଦେବତା ଓ ତା’ର ପୁରୋହିତମାନଙ୍କ ପ୍ରତି ଏହାଠାରୁ ବଡ଼ ଅପମାନ କଣ ଥାଇପରେ ? କିନ୍ତୁ ଏ ଗୀର୍ଜାକୁ ସମସ୍ତେ ଆସନ୍ତି ଯୋତା ପିନ୍ଧି । ସବୁ ଗୀର୍ଜା ସମ୍ବନ୍ଧରେ ହିଁ ଏହା ଖାଟେ । କିନ୍ତୁ ଚାରିଆଡ଼ କି ଝକ୍‍ଝକ୍ ପରିଷ୍କାର ! କେଉଁଠି ଟିକିଏ ହେଲେ ଧୂଳି ମଳି ନାହିଁ । ଯାଜକ, ଯାଜକାନୀ ଓ ଦର୍ଶକ ସମସ୍ତେ ଦେବତା ନିକଟରେ ତାଙ୍କର ଦୈନନ୍ଦିନ ପୋଷାକରେ ହିଁ ସ୍ୱଚ୍ଛନ୍ଦ ଚଲାଫେରା କରୁଛନ୍ତି । ଗୋଟିଏ ସ୍ୱାଭାବିକତା, ସ୍ୱାଚ୍ଛନ୍ଦ୍ୟ ଓ ପରିଷ୍କୃତିର ବାୟୁମଣ୍ଡଳ । ଦେବତା ସମୀପରେ ଏହାହିଁ ତ ସବୁଠାରୁ ସୁନ୍ଦର ବ୍ୟବହାର ।

 

ଗୀର୍ଜାର ଭିତ୍ତିମାନଙ୍କରେ ଯୀଶୁଙ୍କ ଜୀବନର ଘଟଣାବଳୀ ଚିତ୍ରିତ । ଉପରର ଛାତ ବି ଚିତ୍ରିତ । ମନ୍ଦିରାଭ୍ୟନ୍ତର ଗଭୀର ଭାବର ଉଦ୍ରେକ କରେ । ମନ୍ଦିରର ଗୋଟିଏ କଣରେ କ୍ରୁଶବିଦ୍ଧ ରକ୍ତାକ୍ତ ଯୀଶୁଙ୍କର ଗୋଟିଏ ଶାୟିତ ମୂର୍ତ୍ତି । ମହାପୁରୁଷଙ୍କର ସେହି କାରୁଣ୍ୟବ୍ୟଞ୍ଜକ ମୂର୍ତ୍ତି ଦେଖି ହୃଦୟ ବିଗଳିତ ହୋଇ ପଡ଼ିଲା । ଚମନଲାଲ ଓ ମୁଁ ଜାନୁପାତ କରି ସେହି ମହାପୁରୁଷଙ୍କୁ ଓ ତାଙ୍କର ମହୀୟସୀ ଜନନୀ ମେରୀଙ୍କ ଚରଣ ତଳେ ବାରମ୍ବାର ଶ୍ରଦ୍ଧା ନିବେଦନ କଲୁଁ ।

 

ଗୀର୍ଜାରୁ ବାହାରି ଆସିଲୁଁ । ସ୍ମାରକ ସ୍ୱରୂପ ଚିତ୍ରିତ ପୋଷ୍ଟକାର୍ଡ଼ କିଣିବାକୁ ଏକ କକ୍ଷକୁ ଯାଇ ଦେଖିଲି, ବିକ୍ରେତ୍ରୀ ଦୁଇ ତିନିଟି ଖ୍ରୀଷ୍ଟୀୟ ସନ୍ନ୍ୟାସିନୀ । ସେମାନେ ଫ୍ରେଞ୍ଚ, ଇଂରେଜୀ ଜାଣନ୍ତି ନାହିଁ । ତେଣୁ ଆମ ସାଥିରେ କଥା କହି ପାରୁ ନାହାନ୍ତି । କିନ୍ତୁ ସେହି ଅମଳ ଶୁଭ୍ରବସନା ତରୁଣୀ ଶ୍ୱେତାଙ୍ଗ ସନ୍ନ୍ୟାସିନୀମାନଙ୍କର ସୁଗଠିତ ମୁଖମଣ୍ଡଳରେ ରୁଚିବ୍ୟଞ୍ଜକ ରୁଚିର ସ୍ମିତରେଖାର ଦୃଶ୍ୟ ମୋର ଆଜିଯାଏ ମନେ ଅଛି ।

 

ସେ ଦିନ ଅପରାହ୍ନ ଛ’ଟାରେ ମାର୍ଶେଲିସ୍ ଛାଡ଼ିଲୁ । ପୁଣି ତିନିଦିନକାଳ ଅକୂଳ ସାଗରରେ ଭାସମାନ । ମାର୍ଶେଲିସ୍‍ଠାରେ ଅଧିକାଂଶ ଭାରତୀୟ ବୁଲାବିକା ଓହ୍ଲେଇ ପଡ଼ିଲେ । ଏତେବେଳକୁ ସମୁଦ୍ର ଦେଖି ଓ ସମୁଦ୍ରପୀଡ଼ା ସହି ସହି ମନ କ୍ଳାନ୍ତ ହୋଇ ଆସିଲାଣି । ମୋର ଟିକଟ ଯଦିଓ ଜିବ୍ରାଲ୍‍ଟର୍ ଦେଇଥିଲା, ତଥାପି ଏହି ଟିକଟ ବଦଳେଇ ଓହ୍ଲେଇ ପଡ଼ିବାକୁ ବସିଥିଲି-। କିନ୍ତୁ ଅଧିକ ଖର୍ଚ୍ଚ ଭୟରେ ସେଥିରୁ ନିବୃତ୍ତ ହେଲି । ଯାଇଥିଲେ କିନ୍ତୁ ପାରିସ୍‍ରେ ସେତେବେଳେ ହେଉଥିବା ଆନ୍ତର୍ଜାତିକ ପ୍ରଦର୍ଶନୀ ଦେଖିଥାନ୍ତି ।

 

ପାଗ କ୍ରମେ ଅଧିକରୁ ଅଧିକ ଥଣ୍ଡା ହେବାକୁ ଲାଗିଲାଣି । ଠିକ୍ ଓଡ଼ିଶାର ଘୋର ଶୀତକାଳ ପରି । ମାର୍ଶେଲିସ୍ ଠାରୁ ଜୀବ୍ରାଲ୍‍ଟର୍ ପର୍ଯ୍ୟନ୍ତ ସମୁଦ୍ର ଶାନ୍ତ ଥିଲା । ମାନଚିତ୍ରରେ ଜାହାଜର ଗତିପଥ କୂଳ ନିକଟରେ ଥିଲେ ହେଁ, ଜାହାଜ କୂଳରୁ ବହୁ ଦୂରରେ ଗତି କରୁଛି । କାରଣ ବର୍ତ୍ତମାନ ସ୍ପେନ୍‍ରେ ଅନ୍ତର୍ବିପ୍ଳବ ଲାଗିଛି । ସରକାରୀ ଓ ବିପ୍ଳବୀମାନଙ୍କର କୂଳେ କୂଳେ ସାଗର-ଯୁଦ୍ଧ ହେଉଥିବାର ସମ୍ଭାବନା । କାଶୀମା ସେ ସବୁକୁ ଦୂରରେ ରଖି ଚାଲିଛି । ସତର ତାରିଖ ସେପ୍‍ଟେମ୍ବର ସକାଳେ କୁଜ୍‍ଝଟିକା ଭେଦ କରି କ୍ରମେ ଦକ୍ଷିଣ ସ୍ପେନ୍‍ର ରୁକ୍ଷ ପାହାଡ଼ ଶ୍ରେଣୀ ଦେଖାଗଲା । ଏଇମାନଙ୍କ ଭିତରେ ଅନ୍ତରୀପ ପରି ସମୁଦ୍ର ଭିତରକୁ ଝୁଙ୍କି ଆସିଥିବା ଏକ ପାହାଡ଼ ଉପରେ ଜିବ୍ରାଲ୍‍ଟର୍ ସହର, ବନ୍ଦର ଓ ନୌଘାଟୀ ଭୂମଧ୍ୟସାଗର ଓ ଦକ୍ଷିଣ ୟୁରୋପରେ ଇଂରେଜର ବଳିଷ୍ଠ ପ୍ରହରୀ । ଏଠି ଅନେକ ଯାତ୍ରୀ, ଯେଉଁମାନେ ନେପ୍‍ଲସ, ମାର୍ଶେଲିସ୍ ପ୍ରଭୃତିରୁ ଆସିଥିଲେ, ଓହ୍ଲେଇ ପଡ଼ିଲେ । କେତେକଙ୍କର ଜିବ୍ରାଲ୍‍ଟରଇ ଲକ୍ଷ୍ୟ । କେତେକ ଯିବେ ଆଫ୍ରିକା ଓ କେତେକ ସ୍ପେନ୍ । ଜିବ୍ରାଲ୍‍ଟର୍ ପ୍ରଣାଳୀ ଡେଇଁଲେଇ ଆରପଟେ ଆଫ୍ରିକା ଉପକୂଳ-ସେ କୂଳର ଏକ ସହର ଦେଖାଯାଉଛି । ଜିବ୍ରାଲଟ୍‍ରକୁ ତିନିପଟୁ ଘେରିଛି ସ୍ପେନ୍‍ର ସୀମା ।

 

ଏଠି କୂଳରୁ କିଛି ଦୂରରେ ଜାହାଜ ଛିଡ଼ା ରହିଲା । ଏକ ମଟର ଲଞ୍ଚରେ ଆମ୍ଭେମାନେ କୂଳକୁ ଗଲୁଁ । ଏକ ଦଲାଲ ଜୁଟିଲା ସାଙ୍ଗେ ସାଙ୍ଗେ । ଛ’ଜଣଙ୍କୁ ଦଶ ଶିଲିଂ ହିସାବରେ ଏକ ମୋଟର ଭ୍ରମଣର ବନ୍ଦୋବସ୍ତ ହେଲା । ଏଠି ଦେଖିବାର ଯଦି କିଛି ଥାଏ ତେବେ ତାହା ସାମରିକ ଆୟୋଜନ । କିନ୍ତୁ ସାଧାରଣଙ୍କ ପ୍ରତି ତାହା ନିଷେଧ । ଯାହା ଦେଖିଲୁଁ ସେଥିରେ ମୋ ପରି ଦରିଦ୍ରର ଅର୍ଥ ଅପବ୍ୟୟ ହୋଇଛି ବୋଲି ମୁଁ ମନେ କଲି ନାହିଁ ।

 

ଜିବ୍ରାଲ୍‍ଟର ସହରଟି ଏଡ଼େନ୍ ପରି ରୁକ୍ଷ ପାହାଡ଼ ଉପରେ ଠିଆ ହୋଉଛି । କେରାଏ ଘାସ କେଉଁଠି ଦେଖିବ ନାହିଁ । ନାନା ସାଧ୍ୟ ସାଧନାରେ ଠାଏ ଠାଏ କିଛି କିଛି ଫୁଲଗଛ ବଞ୍ଚି ରହି ପାରିଛନ୍ତି । ବିଶେଷତଃ ଏଠି ମୁଁ ଅସଂଖ୍ୟ ରଙ୍ଗ କନିଅର ଗଛ ଦେଖିବାକୁ ପାଇଲି । ସହରଟି କ୍ରମନିମ୍ନ ପାହାଡ଼ ଉପରେ ଠିଆ ହୋଇଥିବାରୁ ଘର ଗୁଡ଼ିକ ଢଳି ପଡ଼ିଲା ପରି ଦେଖାଯାନ୍ତି । ତା’ଭିତରେ ଆସବାବ ପତ୍ର କିମିତି ରଖା ହୋଇଛି, ତା’ ଦେଖିବାପାଇଁ ମୋର ଭାରି କୌତୂହଳ ହୋଇଥିଲା ।

 

ଆମର ମଟରକାର୍ କ୍ରମେ ଉପରକୁ ଉପରକୁ ସର୍ପିଳ ଗତିରେ ଉଠି ଏପରି ଏକ ସ୍ଥାନକୁ ଆସିଲା, ଯେଉଁଠୁ ତଳକୁ ଅନାଇଲେ ପାହାଡ଼ର ପ୍ରଲମ୍ବିତ ଢାଲୁ ଓ ତା ତଳେ ଦିଗନ୍ତ ବିସ୍ତୃତ ଆଟଲାଣ୍ଟିକ ମହାସାଗର; ଉପରକୁ ଅନାଇଲେ ବି ସେହି ତୀଖ ପାହାଡ଼ ଓ ତା’ ଦେହରେ ଛଞ୍ଚା ଓ ସିମେଣ୍ଟ୍ ଦିଆ କାଚମେଣ୍ଟ୍ ଏରିଆ ବା ବର୍ଷାଜଳ ଧରି ରଖିବାର ଜାଗା । ଏଇ ଭୀମକାନ୍ତ ଦୃଶ୍ୟ କିଛି ସମୟ ଦେଖି ଫେରିଲୁଁ । ଫେରିବା ପଥରେ ଏଠାର ମ୍ୟୁଜିୟମ୍, ଚର୍ଚ୍ଚ, ମୁରୀଶ୍ ସ୍ନାନାଗାର ଦେଖି ଦେଖି ଆସିଲୁ । ଏଠାର ମ୍ୟୁଜିୟମ୍‍ରେ ଏକ ମିଶରୀର ମମି ବା ସଂରକ୍ଷିତ ମୃତଦେହ ଥିବାର ଦେଖିଲି । ବହୁ ବର୍ଷ ତଳେ ଇଜିପ୍‍ଟରୁ ଏକ ଜାହାଜ ମମି ଦେଇ ଇଂଲଣ୍ଡ ଯାଉଥିଲା । ବିସ୍କେ ଉପସାଗରରେ ଝଡ଼ ମାଡ଼ରେ ଜାହାଜ ବୁଡ଼ି ଗଲା । କିଛିଦିନ ପରେ ମମିଟି ଉପରକୁ ଭାସି ଉଠିଲା ସମୁଦ୍ରରୁ ଉଦ୍ଧାର କରି ତାକୁ ଏଇ ଜିବ୍ରାଲ୍‍ଟର୍ ମ୍ୟୁଜିୟମରେ ରଖା ହୋଇଛି । ମୋର ମମି ସମ୍ବନ୍ଧରେ ଯେପରି ଧାରଣା ଥିଲା, ତାହା କିନ୍ତୁ ଦେଖିଲି ନାହିଁ । ମମି, ସଦ୍ୟମୃତ ଶବ ପରି ଆଦୌ ନ ଥାଏ । ନିଷ୍କାସିତ-ବାୟୁ ଫୁଟ୍‍ବଲ୍ ପରି ଏହା ଶୁଖି ଚମହାଡ଼ ମାତ୍ର ଏକାଠି ଥାଏ ।

 

ଜାହାଜକୁ ଫେରିବା ବାଟରେ ଏଠାର ‘No-man’s ।and’ ବା ଅମାନବ-ରାଜ୍ୟ ମଧ୍ୟ ଦେଖିଲୁଁ । ବ୍ରିଟୀଶ ଅଧିକୃତ ଜିବ୍ରାଲ୍‍ଟରର ଚାରିପଟେ କଣ୍ଟକିତ ଲୌହ ତାରର ବାଡ଼ ଅଛି । ସେଠୁ କିଛି ଜାଗା ଖାଲି ପଡ଼ିଛି ଓ ତା’ପରେ ସ୍ପାନିଶ୍ ରାଜ୍ୟର ସୀମାରମ୍ଭ, ସେହିପରି ଲୌହ ତାର ଦେଇ । ଏଇ ମଝି ଜାଗାଟା କାହାର ନୁହେଁ । ଆମ୍ଭେମାନେ ଠିଆ ହୋଇଥିଲା ବେଳେ ଏକ ସ୍ପାନିଶ୍ ଗାଈଆଳ ତା’ର ଗୋରୁ ପଲ ଧରି ସ୍ପାନିଶ୍ ଭୂମି ଆଡ଼କୁ ଏଇ ଅମାନବ-ରାଜ୍ୟ ଭିତର ଦେଇ ଯାଉଥିଲା ।

 

ଜିବ୍ରାଲ୍‍ଟର ଛାଡ଼ିଲାବେଳୁଁ ଆମ୍ଭମାନଙ୍କ ଭିତରେ ବିସ୍କେ-ବିଭୀଷିକାର ପ୍ରଚାର ହେବାକୁ ଲାଗିଲା । ଅଭିଜ୍ଞ ଯାତ୍ରୀମାନେ କହି ବସିଲେ ଯେ ବିସ୍କେ ଉପସାଗରର ସମୁଦ୍ର ପୀଡ଼ା ସବୁଠାରୁ ଚଳିଯିବ । ବର୍ଷସାରା ବିସ୍କେରେ ଝଡ଼ ତୋଫାନ ଲାଗି ରହିଥାଏ । କାଶୀମା ପରି ଛୋଟ ଜାହାଜ କଥା ଛାଡ଼, ବଡ଼ ବଡ଼ ଜାହାଜ ବି ଏପଟ ସେପଟ ଟଳ ଟଳ ହୁଅନ୍ତି । ଖାଇବା ଘରେ ମେଜ ଉପରେ ପ୍ଳେଟ୍ ରହି ପାରେ ନା । ମୁଁ ଶୁଣି ଶୁଣି ଆତଙ୍କ ଗଣିବାକୁ ଲାଗିଲି । ଏତିକିମାତ୍ର ସାନ୍ତ୍ୱନା ଥାଏ ଯେ ଏଇଟା ହେଉଛି ଯାତ୍ରାର ଶେଷ କ୍ରୋଶ । ଯେତେ କ୍ଳେଶଦାୟକ ହେଲେହେଁ ଶୀଘ୍ର ସରିବ ତ ?

 

ଆମ୍ଭମାନଙ୍କର ଆଶଙ୍କା-ବ୍ୟାକୁଳ ମୁହୂର୍ତ୍ତ ଗୁଡ଼ିକୁ କିଞ୍ଚିତ୍ ସତେଜ ରଖିବାପାଇଁ ଦଳେ ଇଂରେଜ ସୈନିକ ଓ ନାବିକ ଜିବ୍ରାଲ୍‍ଟରଠାରେ କାଶୀମାରେ ଉଠିଲେ । ମୁଁ ମୋ କେବିନ୍ ଛାଡ଼ି ଅନେକ ସମୟରେ ତୃତୀୟ ଶ୍ରେଣୀର ଲାଇବ୍ରେରୀ ରୁମ୍‍ରେ ଆସି ଶୁଆ ବସା କରୁଥାଏ । ୩।୪ଟି ଇଂରେଜ ସୈନିକ ସେଇ ରୁମ୍‍ରେ ଆଶ୍ରୟ ନେଲେ । କେତେକ ଭାରତୀୟ ମତେ ସେ ରୁମ୍ ଛାଡ଼ି ଯିବାକୁ କାନରେ ଧୀରେ ଧୀରେ ଉପଦେଶ ଦେଲେ । ମୁଁ କିନ୍ତୁ ସ୍ଥାନ ତ୍ୟାଗ କଲି ନାହିଁ । କିନ୍ତୁ ମୋର ଛାତି ଯେ ଦକ୍ ଦକ୍ ନ ହେଉ ଥାଏ ଏହା କହିବା ଘୋର ମିଥ୍ୟା । ବିସ୍କେ ଉପସାଗରରେ ମୋର ଯେପରି ସମୁଦ୍ରପୀଡ଼ା ହେଲା, ଅନ୍ୟ ଅନେକଙ୍କର ସେପରି ହେଲା; ମୋ ସାଥିରେ ଥିବା ବ୍ରିଟିଶ ନାବିକମାନଙ୍କର ବି ହେଲା । ସେମାନେ ଧୀର ହୋଇ କମ୍ବଳ ଘୋଡ଼ି ହୋଇ ଶୋଇଥାନ୍ତି । କେବେ କିଛି ପଚାରିଲେ ମଧୁର ସ୍ମିତ ସହିତ ଉତ୍ତର ଦିଅନ୍ତି ଅତ୍ୟନ୍ତ ଭଦ୍ର ଭାବରେ । ସୈନିକଙ୍କର ଭୀଷଣତା ନେଇ ମୋର ଆଶଙ୍କା କ୍ରମେ ଅପସାରିତ ହେଲା ।

 

ସେହି ତୃତୀୟ ଶ୍ରେଣୀରେ ରହି ଆହୁରି ଅନେକ ଇଂରେଜ ନାବିକ ଓ ସୈନିକ ଅନ୍ତ୍ର ତନ୍ତ୍ର ଥାନ୍ତି । ମଧ୍ୟାହ୍ନ ଓ ସାନ୍ଧ୍ୟ ଭୋଜନ ପରେ ସେମାନେ ଭାରତୀୟମାନଙ୍କ ସାଙ୍ଗରେ ଭାରି ଖୋଲା ଖୋଲି ଭାବରେ ମିଶନ୍ତି । ବୁଲାବିକାମାନଙ୍କ ଭିତରୁ ଯେ କେତୋଟି ବାକୀ ଥିଲେ, ସେମାନେ ଇଂରେଜୀ ନ କହି ପାରିଲେ ମଧ୍ୟ, ଏଇ ଦରିଦ୍ର ନିମ୍ନ ଶ୍ରେଣୀର ଇଂରେଜମାନଙ୍କ ସଙ୍ଗେ ହସ, ଖେଳ, ଥଟା କରିବାରେ ସେମାନଙ୍କର କୌଣସି ବାଧା ନ ଥାଏ । କିନ୍ତୁ ନିମ୍ନ ଶ୍ରେଣୀର ଇଂରେଜ ହେଲେହେଁ ଡିସିପ୍ଳିନ୍ ଏ ଜାତିର ଏପରି ମଜ୍ଜାଗତ ଯେ, ଦିନେ ରାତିରେ ଦଶଟା ପରେ ଏମାନେ ପାଟି କରୁଥିବାର ଦେଖି, ମି. ଓ୍ୟାସ୍ତି ଯେମିତି ଚୁପ୍ କରିବାକୁ କହିଛନ୍ତି, ଅନ୍ୟ ଯାତ୍ରୀମାନଙ୍କର ଅସୁବିଧା ଦୃଷ୍ଟିରେ ଏମାନେ ସଙ୍ଗେ ସଙ୍ଗେ ନିଜ କେବିନକୁ ଚାଲି ଯାଇଥିଲେ । ଭାରତବର୍ଷରେ ଏ ସଂଯମ ସମ୍ଭବ ନୁହେଁ ଆମ ଲୋକେ ଏତେ ଅଭଦ୍ର ଓ ସ୍ୱାର୍ଥପର । ଠିକ୍ ଏଇ ଅବସ୍ଥାରେ ଭାରତୀୟମାନଙ୍କଠୁ ଉତ୍ତର ମିଳିଥାନ୍ତା, “ତମେ ଆମକୁ କହିବାକୁ କିଏ ସେ ? ତମେ ଯିମିତି ପଇସା ଦେଇଛ, ଆମେ ବି ସିମିତି ପଇସା ଦେଇଛୁଁ । ତମ ପଇସାରେ କ’ଣ ସନ ଅଛି, ଆମ ପଇସାରେ ନାହିଁ ? ତମେ ନ ଶୋଇଲେ ଆମର କି ଗଲା ? ଆମ ମନ ଇଚ୍ଛା-ଆମେ ଯାହା କରିବୁ, ତମର କହିବାର କ’ଣ ଅଛି ?” ଅଧିକ ପରିତାପର କଥା ଏଇ ଯେ ତଥାକଥିତ ଶିକ୍ଷିତ ଲୋକଙ୍କ ଭିତରେ ଏ ପ୍ରକାର ଅଭଦ୍ରତା ବେଶି ।

 

ଏମାନଙ୍କ ଭିତରେ ଏକ ନାବିକ ଥାଏ ଯେ ସମସ୍ତଙ୍କ ଅପେକ୍ଷା ବେଶି ବାଚାଳ । ସେ ଯେ ଦରିଦ୍ର ତା’ର ଛିନ୍ନ-ପୁରାତନ କୋଟ-ଟ୍ରାଉଜର ସ୍ପଷ୍ଟ ପ୍ରମାଣ କରୁଥାଏ । କିନ୍ତୁ ତା’ର କଥାବାର୍ତ୍ତାର ପରିଚୟ ଦେଲେ ପାଠକମାନେ ଜାଣିବେ ଇଂଲଣ୍ଡର ଜନସାଧାରଣର ମାନସିକ ସ୍ତର ଆମ ଦେଶର ଜନସାଧାରଣଙ୍କ ଅପେକ୍ଷା କେତେ ଉପରେ ।

ଏଇ ଦରିଦ୍ର ଇଂରେଜ ନାବିକ କଥା କହିଲେଇ ଜଗତରେ ଯେଉଁଠି ଯେଉଁଠି ପତିତ, ଦଳିତ ଲୋକେ ସ୍ୱାଧୀନତା ଓ ଗଣତନ୍ତ୍ରପାଇଁ ସଂଗ୍ରାମ କରୁଛନ୍ତି, ସେମାନଙ୍କପାଇଁ ତା’ର ସହାନୁଭୂତି ଫୁଟି ଉଠେ । ସେ ଜେନେରାଲ ଫ୍ରାଙ୍କୋ ଓ ମୁସଲିନୀର ଶତ୍ରୁ । ଦିନେ ସେ ଅନ୍ୟ ଇଂରେଜମାନଙ୍କ ସାଥିରେ ‘ବିଭୋଲ୍ୟୁଷନ୍’ ବା ‘ରାଷ୍ଟ୍ରବିପ୍ଳବ ‘କ’ଣ ତାହା ଯେପରି ଯୁକ୍ତଯୁକ୍ତ ଭାବରେ ବୁଝାଉଥିଲା, ତା’ ଏ ଦେଶର ଗ୍ରାଜୁଏଟମାନେ ପାରିବେ ନାହିଁ । ପୋର୍ଟ୍‍ସଏଦ୍‍ରେ ସେ ଆରବ ଟୋକାଙ୍କୁ ମତେଇ ମୁସୋଲିନୀ ବିରୁଦ୍ଧରେ ଏକ ନିଜକୃତ ଗୀତ ବୋଲେଇବାକୁ ଆରମ୍ଭ କରିଥିଲା । ତାର ଏକପଦ ଏହିପରି-

 

“Will you come to Abbyssinia

will you come?

All you need is a bayonet and a gun.

Mussoline will be there,

Selling Kippers, penny a pair,

will you come to abbyssinia

will you come?”

 

‘Kipper’ ହେଉଛି ଏକ ପ୍ରକାର ଶୁଖୁଆ ମାଛ । ଆବିସିନିଆରେ ମୁସୋଲିନୀ ଶୁଖୁଆ ବିକୁଥିବା କଥାରୁ, ଏ ଇଂରେଜର ସେହି ଦୁର୍ମଦ ଡିକ୍‍ଟେଟର୍ ପ୍ରତି ଘୃଣା ଓ ଉପହାସ ସୂଚିତ ହେଉଛି ମାତ୍ର ।

 

ଲଣ୍ଡନରେ ଆମ୍ଭେମାନେ ଓହ୍ଲେଇ ଗଲାବେଳେ ଏଇ ନାବିକ ମତେ ସାଲ୍ୟୁଟ୍ କରି କରି ବିଦାୟ ନେବାର ଦେଖି ମୁଁ ଆଶ୍ଚର୍ଯ୍ୟରେ ଅଭିଭୂତ ହେଲି । ଯେଉଁ ଜାତିର ସାମାନ୍ୟ ଜଣେ ଦରିଦ୍ର ନାବିକ ଏପରି ଶିକ୍ଷିତ, ଭଦ୍ର ଓ ବୁଦ୍ଧିମାନ ହୋଇପାରେ, ସେ ଜାତି ନିଶ୍ଚୟ ନମସ୍ୟ ।

 

ଆମ ଦେଶରେ ଦି’ପଦ ଇଂରାଜୀ ଜାଣିଲେ ଲୋକଙ୍କର କି ଅହଂକାର । ଏଇଟା ଯେ ଦାସତ୍ୱର ଚିହ୍ନ ଏତକ ବୁଝିବାକୁ ବି ଆମ ଦେଶରେ କଳ୍ପନାର ଅଭାବ । କିନ୍ତୁ ଜିବ୍ରାଲ୍‍ଟର୍‍ରୁ ଉଠିଥିବା ଏକ ନର୍‍ୱେଜିୟାନ ନାବିକ ପାଞ୍ଚଟି ଇଉରୋପୀୟ ଭାଷା ଜାଣେ । ସେ ସ୍ପ୍ୟାନୀଶ୍ ଅନ୍ତର୍ବିପ୍ଳବରେ ବନ୍ଦୀ ଥିଲା । ଏବେ ଖଲାସ ହୋଇ ଘରକୁ ଫେରୁଛି ।

 

ଆମ ଜାହାଜ ୨୧ ତାରିଖ ସେପ୍‍ଟେମ୍ବର ରାତି ଆଠଟା ବେଳେ ଇଂଲିଶ୍ ଚାନେଲ୍ ଭିତରେ ପଶିବାରୁ କ୍ରମେ ଆଲୋଡ଼ନ ବନ୍ଦ ହେଲା । କାଶୀମାର ଗତି ଗ୍ରେଟ ଚ୍ରିଟେନ୍‍କୁ ନିକଟ ଥିବାରୁ ଉପକୂଳର ବହୁ ଗ୍ରାମ, ବତୀଘର ଓ ନଗରର ଦ୍ୱୀପମାଳା ଆମ୍ଭମାନଙ୍କୁ ଦେଖାଯିବାକୁ ଲାଗିଲା । ସକାଳେ ଓ ତହିଁ ଆରଦିନ ମଧ୍ୟ ଇଂଲଣ୍ଡର ଦକ୍ଷିଣ କୂଳର ଶୈଳମାଳା ଛୋଟ ଛୋଟ ଗ୍ରାମ ଓ ନଗରର ଦୃଶ୍ୟ ଦେଖାଇ ଜାହାଜ ଚାଲିଥାଏ । ସେଦିନ ରାତିରେ ଆମ୍ଭେମାନେ ଟେମସ୍ ମୁହାଣରେ ପଶିଲୁ । ଡାହାଣ କୁଳରେ କୌଣସି ଏକ ନଗରର ଅଗଣିତ ବୈଦ୍ୟୁତିକ ଆଲୋକ ରୋସନାଇ ପରି ଦିଶୁଥାଏ । ରାତିରେ ଭଲ ନିଦ ହେଲା ନାହିଁ । ସକାଳେ ଦେଖୁଁ କାଶୀମା ଲଣ୍ଡନ୍‍ର ଭିକ୍‍ଟୋରିଆ ଡକସ୍‍ରେ ଲାଗିଛି । କିନ୍ତୁ ଟେମସ୍ ନଦୀ କାହିଁ ? ଅଗଣିତ ନୌକା ଓ ଜାହାଜରେ ଘୋଡ଼େଇ ହୋଇ ଟେମସ୍‍ର ପାଣି ସୁଦ୍ଧା ଦିଶୁ ନାହିଁ ।

 

କଷ୍ଟମସ୍ ଅଫିସରେ ଜିନିଷ ଖାନ୍‍ତଲାସ ହେବାର କଥା । ବିଲାତରେ ଛାତ୍ରମାନଙ୍କ ପ୍ରତି ଏତେ ବିଶ୍ୱାସ ଯେ, ଆମମାନଙ୍କୁ ଛାତ୍ର ଜାଣି ଆମର ଜିନିଷପତ୍ର ନ ଦେଖି ଛାଡ଼ି ଦେଲେ । ବର୍ତ୍ତମାନ ଚମନ୍‍ଲାଲ୍‍ ହିଁ ମୋର ହର୍ତ୍ତା- କର୍ତ୍ତା ଦୈବୀ-ବିଧାତା । ଗୋଟିଏ ଟାକ୍‍ସି ଭଡ଼ା କରି ସେ ମୋତେ ନେଇଗଲା Toc-H କୁ । ଏଟା ହେଉଛି ଦରିଦ୍ରମାନଙ୍କର ସରାଇ । ରାତିକି ଏକ ଶିଲିଂ ମାତ୍ର ଭଡ଼ା । ଏଠି ଜିନିଷପତ୍ର ରଖିଦେଇ ଯନ୍ତ୍ର ତନ୍ତ୍ର ବୁଲିବା ଓ ଖାଇବାର ବ୍ୟବସ୍ଥା ହେଲା । ତହିଁ ଆରଦିନ ଇଣ୍ଡିଆନ୍ ହାଇକମିସନର୍ ଅଫିସରେ ସଂପୃକ୍ତ କର୍ମଚାରୀ ଯେତେବେଳେ ଶୁଣିଲେ ଯେ ମୁଁ Toc-H ରେ ଅଛି, ସେ ବିସ୍ମୟାଭିଭୂତ ହୋଇଗଲେ । ମୁଁ ପ୍ରଥମେ ବୁଝି ପାରିଲିନି କଥାଟା । କିନ୍ତୁ ଦୁଇ ବର୍ଷ ରହିବା ପରେ ଯାଇ ଜାଣିଲି ! ଇଂଲଣ୍ଡରେ ଉପରଶ୍ରେଣୀ ଲୋକଙ୍କର ତଳଶ୍ରେଣୀ ପ୍ରତି କି ଘୃଣା ! କିନ୍ତୁ ମୁଁ Toc-H ରେ ଦୁଇଦିନ ରହି ଦେଖିଲି ଯେ, ସେଠାରେ ଥିବା ଦରିଦ୍ର ଇଂରେଜ ଗୁଡ଼ିକଙ୍କୁ ଘୃଣା ଚକ୍ଷୁରେ ଦେଖିବାରେ କିଛି ନାହିଁ ।

 

ଲଣ୍ଡନରେ ମୁଁ ଦୁଇଦିନ ରହିବା ପରେ ଏଡ଼ିନ୍‍ବରା ଚାଲିଗଲି । ଅନ୍ୟ ଅନେକ ବିଲାତ ଯାତ୍ରୀ ଲଣ୍ଡନର ବହୁ ବର୍ଣ୍ଣନା ଦେଇଛନ୍ତି । ତେଣୁ ମୁଁ ତା ପୁନରାବୃତ୍ତି କରି କିଛି ଲାଭ ନାହିଁ । କଲିକତା ବା ବମ୍ବେକୁ ବହୁଗୁଣିତ କରିଦେଲେ ଯାହା ଲଣ୍ଡନ ସେୟା । ସେଇ ଟ୍ରାମ୍, ବସ୍, ଟାକ୍‍ସି, ଜନତା, ପୋଲିସ୍ ଓ ନଭଶ୍ଚୁମ୍ବୀ ଅଟ୍ଟାଳିକାମାନଙ୍କର ଶ୍ରେଣୀ । ଲଣ୍ଡନ ପୁରୁଣା ସହର । ବସ୍ ଓ କାରଖାନାମାନଙ୍କର ଧୂଆଁରେ ତା’ର ଶରୀର କାଳିମାମୟ । ଅନେକ ରାସ୍ତା ଅତ୍ୟନ୍ତ ଅପ୍ରଶସ୍ତ । ଲଣ୍ଡନ ଇଷ୍ଟ୍ ଏଣ୍ଡ୍ ଓ ଓ୍ୱେଷ୍ଟ୍ ଏଣ୍ଡ୍ ଏପରି ଦୁଇ ଭାଗରେ ବିଭକ୍ତ । ଇଷ୍ଟ୍ ଏଣ୍ଡ୍ ଦରିଦ୍ର ପଲ୍ଲୀ । ତାହା ଯେପରି କୁତ୍ସିତ, ସେପରି ନୋଂରା । ଗାନ୍ଧି ଗୋଲଟେବୁଲ ଯାନ୍ତ୍ରାବେଳେ ଏଇ ଇଷ୍ଟ୍ ଏଣ୍ଡ୍ ରେ ଥିଲେ ।

ଲଣ୍ଡନ ବୁଲି ବୁଲି ଦୁଇଟି କଥା ମୋର ଚିତ୍ତାକର୍ଷଣ କରି ପାରିଥିଲା ଗୋଟିଏ ବୈଜ୍ଞାନିକ, ଅନ୍ୟଟି ଐତିହାସିକ କୀର୍ତ୍ତି । ପ୍ରଥମଟି ହେଉଛି, ଲଣ୍ଡନର ପୃଥିବୀବିଖ୍ୟାତ ଭୂଇଁତଳ ରେଲଓ୍ୱେ । ରାସ୍ତାରେ ଯାଉ ଯାଉ ଏକ ଏକ ଜାଗାରେ ତଳକୁ ପାହାଚ କରି ଓହ୍ଲେଇଲେ ଟୁବ୍ ରେଲଓ୍ୱେର ଷ୍ଟେସନ ପାଇବ । ପ୍ରତି ପାଞ୍ଚ ମିନିଟରେ ଗାଡ଼ି ଆସୁଛି । ବିଦ୍ୟୁତ୍‍ରେ ସେ ଚାଲେ । ଧୂଆଁର ଝଂଜଟି ନାହିଁ । ସେଥିରେ ବସି ଯାଉଥିବା ଯାତ୍ରୀମାନଙ୍କର ମୁଣ୍ଡ ଉପରେ ଟେମସ୍ ନଦୀ, ଜାହାଜ, ରେଳ, ଟ୍ରାମ୍ ଓ ବିରାଟ ଲଣ୍ଡନ ସହର । ମତେ ବାସ୍ତବିକ ପାତାଳପୁରୀ ପରି ବୋଧ ହେଲା ।

ଦ୍ୱିତୀୟଟି ହେଲା ଓ୍ୱେଷ୍ଟମିନିଷ୍ଟର ଆବ୍ ବି-ଲଣ୍ଡନ ସହରର ପ୍ରସିଦ୍ଧ ଗୀର୍ଜା, ଯେଉଁଠି ଇଂଲଣ୍ଡର ରାଜା ରାଣୀ ଅଭିଷିକ୍ତ ହୁଅନ୍ତି । ଏ ଗୀର୍ଜାର ଛବି ସମସ୍ତେ ଦେଖିଥିବେ । କିନ୍ତୁ ଛବି ସଂଗେ ଏ ଗୀର୍ଜାର ବାସ୍ତବତାର ସମ୍ପର୍କ ବିଶେଷ ଦେଖିଲି ନାହିଁ । ଏକ ଜୀର୍ଣ୍ଣ ପ୍ରାଚୀନ କୃଷ୍ଣାକାର ମନ୍ଦିର । ଭୁବନେଶ୍ୱରର ବଡ଼ ଦେଉଳର ସ୍ଥାପତ୍ୟ ଓ ଶିଳ୍ପ ସମ୍ପଦ ସଙ୍ଗେ ତା’ର ତୁଳନା ଇ ନାହିଁ । କୋଣାର୍କର କଥା ଛାଡ଼ିଦିଅ । କିନ୍ତୁ ଏ ପୁରୁଣା ଗୀର୍ଜାରେ ସମଗ୍ର ଇଂରେଜ ଜାତିର ଇତିହାସ ପୁଞ୍ଜୀଭୂତ । ଏହି ନମସ୍ୟ ଜାତିର ଇତିହାସକୁ ଯେଉଁ ବୀରପୁରୁଷମାନେ ଗୌରବରେ ଭୂଷିତ କରି ଯାଇଛନ୍ତି, ସେ ସମସ୍ତଙ୍କର ସମାଧି ବା ମୂର୍ତ୍ତି ଏଠି ଦେଖିବାକୁ ମିଳିବ । କବିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଂଶ ଛାଡ଼ି ଦିଆଯାଇଛି । ତା ଛଡ଼ା ଯିଏ ଯେଉଁ ବିଭାଗରେ ପ୍ରତିଭା ବଳରେ ଜାତିକୁ ଗୌରବ ଦେଇ ପାରିଲା, ଇଂରେଜ ତାର ମୃତ ଦେହକୁ ଏହି ଗୀର୍ଜାରେ ସମାଧିସ୍ଥ କରି, ମୃତାତ୍ମାର ସମ୍ମାନ କରିବା ସଙ୍ଗେ ସଙ୍ଗେ ନିଜକୁ ସମ୍ମାନିତ କରେ । ଗୀର୍ଜାର ଦ୍ୱାର ଦେଶରେ ସାମ୍ରାଜ୍ୟ-ନିର୍ମାତା ଉଇଲିୟମ୍ ପିଟ୍‍ଙ୍କର ମୂର୍ତ୍ତି । ଭିତରକୁ ପଶିଲେ ଅନ୍ୟ ସମସ୍ତ ବିଶ୍ୱବିଖ୍ୟାତ ଇଂରେଜମାନଙ୍କର ଦେଖା ମିଳିବ । ଭାରତବର୍ଷରେ ବା ଓଡ଼ିଶାରେ ଏପରି ଏକ ମୂର୍ତ୍ତିମନ୍ତ ଇତିହାସ କାହିଁ ? ଏମାନେ ଇତିହାସକୁ ସମ୍ମାନ କରି ଜାଣନ୍ତି ବୋଲି ତ ବଡ଼ ଜାତି ହୋଇ ପାରିଛନ୍ତି । ଆମ ପରି ସ୍ୱାର୍ଥ-ସର୍ବସ୍ୱ ଜାତି ଇତିହାସକୁ ପଚାରିଯିବ କାହିଁକି ? ନିଜର ଓ ନିଜ ପୁଅ ପୁତୁରାର ବ୍ୟବସ୍ଥା କରିପାରିଲେଇ ଆମେ ସନ୍ତୁଷ୍ଟ । ତା’ ନ ହେଲେ କି ଗୋପବନ୍ଧୁଙ୍କର କୌଣସି ସ୍ମାରକ ଏପର୍ଯ୍ୟନ୍ତ କଟକ ସହରରେ ଉଠି ନ ଥାନ୍ତା ଓ ତାଙ୍କର ପ୍ରିୟ ସତ୍ୟବାଦୀ ସ୍କୁଲ ଇତର ଲୋକଙ୍କର କ୍ରୀଡ଼ାସାମଗ୍ରୀ ହୋଇଥାନ୍ତା ?

ରାଜାରାଣୀ ଯେଉଁ ଚୌକୀରେ ବସି ଅଭିଷିକ୍ତ ହୁଅନ୍ତି, ତାହା ସାମାନ୍ୟ କାଠ-ନିର୍ମିତ ମାତ୍ର । ଏହି ଚୌକୀ ଦୁଇଟି ଅନେକ ଦିନ ଓୟେଷ୍ଟ୍ ମିନିଷ୍ଟର୍ ପବ୍ଳିକ୍ ସ୍କୁଲରେ ପଡ଼ି ରହିଥିଲା । ସେଠି ପିଲେ ତାଙ୍କ ପକେଟ୍-ନାଇଫ୍‍ରେ ଏ ଚୌକୀ ଦୁଇଟିର ଶରୀରକୁ କ୍ଷତ-ବିକ୍ଷତ କରି ପକାଇଛନ୍ତି, ଯେମିତି ସବୁଠି ପିଲେ କରନ୍ତି । କିନ୍ତୁ ସେହି ଜରାଜୀର୍ଣ୍ଣ, କାଠଚୌକୀକୁ ଅର୍ଦ୍ଧ ଜଗତ ଦୁଇ ଶତାବ୍ଦୀ ଧରି ନମସ୍କାର କରି ଆସୁଛି । ଭାରତବର୍ଷରେ ଶତ ଶତ ସାମାନ୍ୟ ଜମିଦାରଙ୍କ ଘରେ ଏହା ଅପେକ୍ଷା ବହୁଗୁଣ ମୂଲ୍ୟର ଚୌକୀ ଅଛି । କିନ୍ତୁ ସେ ଚୌକୀର କି ସମ୍ମାନ ଅଛି କହ ତ ।

ଯିବା ଓ ଫେରିବା ବାଟରେ ମୁଁ ଦୁଇଥର ଏହି ଗୀର୍ଜାକୁ ବୁଲି ବୁଲି ଦେଖିଲି-କେବଳ ଏହି ବିରାଟ ଐତିହାସିକ ଆକର୍ଷଣ ଓ କୌତୂହଳ ନିବୃତ୍ତ କରିବା ପାଇଁ । ଅତି ପରିତାପର କଥା ଏହି ଯେ, ଆମ ଦେଶରେ ଲୋକେ ମୋଟା ସରକାରୀ ବୃତ୍ତିରେ ଇଂଲଣ୍ଡରେ ମଉଜ କରି ଫେରନ୍ତି । ହୁଏତ ଗୋଟିଏ ଗୋଟିଏ ଡିଗ୍ରୀ ଆଣନ୍ତି ବା ଆଣନ୍ତିନି; କିନ୍ତୁ ସେ ଜାତିର ଯାହା ସ୍ୱତନ୍ତ୍ର ମହତ୍ତ୍ୱ ତା’ ଏ ଦେଶରେ ପ୍ରଚାର ନ କରି, ଆମରି ଦୁର୍ଗୁଣଯାକ ଟିକିଏ ମାର୍ଜିତ ଆକାରରେ ସାହେବିୟାନା ନାମରେ ପ୍ରକାଶ କରନ୍ତି ମାତ୍ର ।

ଏ ଦେଶରେ ସ୍କୁଲ କଲେଜ କଥା ପଡ଼ିଲେ ପ୍ରଥମେ ହିସାବ ହେବ କୋଠାବାଡ଼ିର ଖର୍ଚ୍ଚ-। କିନ୍ତୁ ଇଂଲଣ୍ଡରେ ପ୍ରଥମ ଓ ପ୍ରଧାନ ପ୍ରସ୍ତାବ ହେଉଛି ଅଧ୍ୟାପକ ଓ ତାର ଯୋଗ୍ୟତା-ଆଉ ସବୁ ପଛେ । ଯାଅ ଦେଖିବ ଅକ୍‍ସଫୋର୍ଡ଼ ଓ କେମ୍ବ୍ରିଜ୍ ପ୍ରଭୃତି ବିଶ୍ୱପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର କଲେଜମାନଙ୍କୁ । ସେଗୁଡ଼ିକ ପ୍ରାଚୀନ ଜରାଜୀର୍ଣ୍ଣ ଐତିହାସିକ । ଆମ ରେଭେନ୍‍ସା କଲେଜର ଆଡ଼ମ୍ବର ଆଗରେ ସେମାନେ ଲଜ୍ଜିତ ହେବେ । କିନ୍ତୁ ସେଠି ସେହି ପ୍ରତ୍ୟେକ ଜରାଜୀର୍ଣ୍ଣ ବିଦ୍ୟାମନ୍ଦିରରେ ଜ୍ଞାନର ତପସ୍ୟା ଓ ଆବିଷ୍କାରର ଯେ ଇତିହାସ ରହିଛି, ତାହା ଓଡ଼ିଶା କାହିଁକି ସମଗ୍ର ଭାରତବର୍ଷରେ ବିରଳ ।

ଲଣ୍ଡନ୍ ଅପେକ୍ଷା ଏଡ଼ିନ୍‍ବରା ଶସ୍ତା ପଡ଼ିବ ବୋଲି ମୁଁ ସେଠାକୁ ଯିବାକୁ ବସିଲି । ଚମନ୍‍ଲାଲ ମତେ ଲଣ୍ଡନର ଚେୟାରିଂକ୍ରସ୍ ଷ୍ଟେସନରେ ଗାଡ଼ିରେ ବସେଇ ଦେଇ ଗଲା । ଏ ଗାଡ଼ି ରାତି ନଅଟାରେ ଏଡ଼ିନ୍‍ବରାରେ ପହଞ୍ଚିବ । ମୁଁ ସେଠି କାହାକୁ ଜାଣିନି । କିନ୍ତୁ ଶ୍ୱେତାଙ୍ଗର ଭଦ୍ରତା ମତେ କିପରି ସାହାଯ୍ୟ କଲା, ପରେ କହୁଛି ।

ଲଣ୍ଡନ ପାର ହେଉ ହେଉ ପ୍ରାୟ ଘଣ୍ଟାଏ ଲାଗିଗଲା । ଏଇଥିରୁ ଲଣ୍ଡନର ବିରାଟତା କଳ୍ପନା କରାଯାଇପାରେ । ତା’ ପରେ ପଡ଼ିଲା ଇଂଲଣ୍ଡର ନୟନାଭିରାମ ପଲ୍ଲିଶ୍ରୀ । ଦୁଇ ପାଖକୁ ଅନାଇ ଅନାଇ ଆଖିରେ କ୍ଳାନ୍ତି ଆସୁ ନ ଥାଏ । ଯେଉଁଆଡ଼େ ଚାହିଁବ, ଗାଢ଼ ସବୁଜ ଘାସର ଗାଲିଚା, କି କୋମଳ- କି ସ୍ନିଗ୍‍ଧ ! ଭୂମି ଉଚ୍ଚ ନୀଚ ଥିବାରୁ ପ୍ରତି ପଦରେ ପ୍ରକୃତିର ଶ୍ରୀ ଚିତ୍ରପଟ ଖୋଲି ହୋଇ ହୋଇ ଯାଉଥିଲା ପରି ବୋଧ ହେଉ ଥାଏ । ମଝିରେ ମଝିରେ ସବୁଜ ପ୍ରାନ୍ତର, ସେଥିରେ ସୁସ୍ଥ ସବଳ ନାନାବର୍ଣ୍ଣର ଗାଭୀ ଓ ଘୋଟକ । ଛୋଟ ଛୋଟ ନଈଟିମାନ ବହିଯାଉଛନ୍ତି, ଛୋଟ ଛୋଟ ପାହାଡ଼, ଛୋଟ ଛୋଟ ଘର ଓ ବଗିଚା । ଶସ୍ୟକ୍ଷେତ୍ରମାନ ସବୁଜ ବାଡ଼ରେ ଘେରା, ଆକାର ତାଙ୍କର ଜ୍ୟାମିତିକ-ସବୁ ମିଶି ବିଲାତର ପଲ୍ଲୀଭୂମି ଏକ ମନୋରମ ଚିତ୍ର ପରି ପ୍ରତୀୟମାନ ହେଉଥାଏ ।

ଏ ଦେଶର ପ୍ରକୃତି ପରି ମନୁଷ୍ୟ ମଧ୍ୟ ମନୋହର । ବାଟରେ ତ କେତେ ଲୋକଙ୍କ ସଙ୍ଗେ ଆଳାପ ହେଲା । ଗୋଟିଏ ଦମ୍ପତିର କଥା କହି ଏ କାହାଣୀ ଶେଷ କରେ । କାର୍ଲାଇଲ୍ ସହର କି ତା ପରେ ଏକ ଦମ୍ପତି ମୋ କୋଠରୀରେ ଉଠିଲେ । କଥାବାର୍ତ୍ତା ଆରମ୍ଭ ହେଲା । ପୁରୁଷଟି ପ୍ରଥମ ମହାଯୁଦ୍ଧରେ ଲଢ଼େଇ କରିଥିଲା । ଏବେ ଏକ ଦୁଧକାରଖାନାରେ କାମ କରେ । ସେମାନେ ନିକଟରେ ଇଂରେଜୀ ସାହିତ୍ୟପ୍ରସିଦ୍ଧ ଲେକ୍ ଜିଲାରେ ଛୁଟି କଟେଇ ଫେରୁଛନ୍ତି । ସେମାନେ କ୍ରମେ ଜାଣିଲେ ଯେ ମୁଁ ଏଡ଼ିନବରା ଯାଉଛି, ସେମାନେ ବି ଏଡ଼ିନ୍‍ବରାରେ ଓହ୍ଲାଇବେ-। ସେମାନେ ଜାଣିଲେ ଯେ ମୁଁ ଏଡ଼ିନ୍‍ବରା ପ୍ରଥମେ ଯାଉଛି ଓ ସେଠି ମୁଁ କାହାକୁ ଜାଣେ ନା ।

ରାତି ନଅଟାରେ ଏଡ଼ିନ୍‍ବରାର ଓ୍ୱାଭର୍ଲି ଷ୍ଟେସନରେ ଗାଡ଼ି ରହିଲା । ମୋର ଶ୍ୱେତାଙ୍ଗ ସହଯାତ୍ରୀ ମତେ ଆଶ୍ୱାସ ଦେଲେ ଯେ, ମୋର ଚିନ୍ତା କରିବାର କିଛି ନାହିଁ; ସେ ମତେ ସାହାଯ୍ୟ କରିବେ । ଲଣ୍ଡନ ଛାଡ଼ିଲାବେଳେ ମତେ ଚମନ୍‍ଲାଲ କେବଳ କହି ଦେଇ ଥାଏ ଯେ, Y. M. C. A. ହଷ୍ଟେଲକୁ ଚାଲିଗଲେ ସେଠି ପ୍ରାଥମିକ ଆଶ୍ରୟ ପାଇ ପାରିବି । କିନ୍ତୁ ରାତିରେ ଅଜଣା ସହରରେ ମୁଁ ସେ ହଷ୍ଟେଲ ଖୋଜି ପାଉଛି କିପରି ?

ଶ୍ୱେତାଙ୍କ ସହଯାତ୍ରୀ ନିଜେ କୁଲୀ ଡାକି ଓ କୁଲୀକି ପଇସା ଦେଇ ମୋର ଜିନିଷପତ୍ର ଏକ ଟାକ୍‍ସିରେ ଭରିଦେଲେ । ସେ, ତାଙ୍କ ସ୍ତ୍ରୀ ଓ ମୁଁ Y. M. C. A. ହଷ୍ଟେଲକୁ ଗଲୁ । ସେଠି ଜାଗାର ଅଭାବ । କିନ୍ତୁ ସେକ୍ରେଟାରୀକୁ କୁହାବୋଲା କରି କୌଣସିମତେ ରଖାଇ ଦେଲେ ଓ ତାଙ୍କ କାର୍ଡ଼ ଦେଇ ମୋଠାରୁ ବିଦାୟ ନେଇଗଲେ । ଏପରି ନିଷ୍କାମ ପରୋପକାର ଆମ ଦେଶରେ କେତେ ଜଣ କରିବେ ?

ଦୀର୍ଘଯାତ୍ରା ମୋର ଶେଷ ହେଲା । ବର୍ତ୍ତମାନ ଏହି ମାଟିରେ ମତେ ପ୍ରାୟ ଦୁଇବର୍ଷ କଟାଇବାକୁ ହେବ । ଏହି ଦୁଇ ବର୍ଷର ନାନା ଅଭିଜ୍ଞତା ପାଠକମାନଙ୍କୁ କେତୋଟି ପତ୍ରରେ ଜଣାଇ ପୁଣି ଫେରିବା ଯାତ୍ରାର କଥା କହିବି । ଏହି ପତ୍ରଗୁଡ଼ିକ ଯେ ଏ ପ୍ରକାର ଏକ ବହିରେ ବାହାରିବ ବୋଲି ଲେଖା ହୋଇଥିଲା, ତାହା ନୁହେଁ । ମୁଁ ରୁଟିନ୍ ମୁତାବକ ଚିଠି ଲେଖୁଥାଏ । ପରେ ଫେରି ଦେଖିଲି ଜଣେ ସେ ସବୁକୁ ଗୋପନରେ ସଂଗ୍ରହ କରି ବହି ଆକାରରେ ଛପେଇବା ଉପରେ । ମୁଁ ପଢ଼ି ଦେଖିଲି, ସେଥିରେ ପ୍ରକୃତରେ ଅନେକ ଜାଣିବାର କଥା ଲେଖା ହୋଇଯାଇଛି ଯାହା କି ମୁଁ ବିସ୍ମୃତ ହୋଇ ଯାଇଛି । ସେ ସବୁର ପ୍ରବନ୍ଧ ଆକାରରେ ପୁନରାବୃତ୍ତି କରିବା ଉଚିତ ନୁହେଁ; ତେଣୁ ବାଛି ବାଛି ଓ କାଟି ଛାଁଟି କେତେଟି ପତ୍ର ଏଥିରେ ସନ୍ନିବେଶିତ କଲି ।

Image

 

Unknown

ପତ୍ରାବଳୀ

ଏଡ଼ିନ୍‍ବରାରେ ପ୍ରାଥମିକ ଜୀବନ

 

ଏଡ଼ିନ୍‍ବରା, ସ୍କଟଲାଣ୍ଡ

୨୫।୯।୩୭

 

ବଡ଼ ଭୁଲ କଲି । କାଲି ମୁଁ ତମର ଚିଠି ଖୋଜିବାକୁ କିଙ୍ଗ୍‍ସ ବିଲଡ଼ିଙ୍ଗ୍ ସକୁ ଗଲି । ଡକ୍‍ଟର ମାକେନ୍‍ଜି ସେ ସମୟରେ ଏଡ଼ନ୍‍ବରାରେ ଭାରତୀୟ ଛାତ୍ରମାନଙ୍କର ତତ୍ତ୍ୱାବଧାରକ ଥିଲେ । ମାକେନ୍‍ଜି ନାହାନ୍ତି, ତେଣୁ ଡକ୍‍ଟର ଲଡ଼ଲାମଙ୍କ ସଙ୍ଗେ କଥା ହେଉ ହେଉ ସେଠି ମୋ କଲମଟା ଛାଡ଼ି ଆସିଲି । ବସାକୁ ଫେରି ଲାଣ୍ଡ ଲେଡ଼ିକୁ କଲମଟି ମାଗି ଲେଖିବାକୁ ଆରମ୍ଭ କଲି । କିନ୍ତୁ ସେ ଦନ୍ଥରା କଲମ ଚାଲିଲା ନାହିଁ, ମୋର ଅନେକ କଥା ଲେଖିବାର କଥା; ତେଣୁ ଅଧା ଲେଖି ଛାଡ଼ଦେଲି ।

 

ଦେଖୁଛି, ମୁଁ ଏଠି ସପ୍ତାହରେ ପନ୍ଦର ଶିଲିଂରେ ଚଳିଯିବି । ତାହାର ଅର୍ଥ ମାସକୁ ତିନି ପାଉଣ୍ଡ ବା ଚାଳିଶ ଟଙ୍କା । ସବୁ ଖର୍ଚ୍ଚ ମିଶି ପଚାଶ ଟଙ୍କାରୁ କେବେହେଲେ ବେଶି ହେବ ନାହିଁ । କାଲି ଉପରଓଳି ଚାଉଳ ଇତ୍ୟାଦି ବଜାରରୁ କିଣିଆଣି ଆଜି ସକାଳେ କୁକର୍‍ରେ ରାନ୍ଧିଲି । ଚମତ୍କାର ହେଲା ।

 

ଆଜି ସକାଳେ କିଙ୍ଗସ୍ ବିଲ୍‍ଡ଼ିଙ୍ଗସ୍‍କୁ କଲମ ଖୋଜିବାକୁ ଗଲି । ଡକ୍‍ଟର ଲଡ଼ଲାମ ସେଠି ନ ଥିଲେ । ତେଣୁ ତାଙ୍କ ଘରକୁ ଗଲି । ମୁଁ ସେଠି ପହଞ୍ଚିଲାବେଳେ ସେ ବଗିଚାରେ କାମ କରୁଥିଲେ । ହାତରେ ମାଟି ବଲବଲ, କିନ୍ତୁ ମୋ ନାମ ଶୁଣି ସେ ଘରକୁ ଆସିଲେ ଓ ମୁଁ ସୁପ୍ରଭାତ ଜଣାଉ ଜଣାଉ ସେ ପକେଟରୁ କଲମଟି କାଢ଼ି ହସି ହସି ଦେଖେଇବାକୁ ଲାଗିଲେ । ମୁଁ କଲମଟି ଗ୍ରହଣ କଲି ଓ ସେ ଏହାର ଅଧିକତର ଯତ୍ନ ନେବାକୁ କହିଲେ । ଅତି ଚମତ୍କାର ଲୋକ । ତାଙ୍କ ଘରେ ଗୋଟିଏ ସାର୍ବଜନୀନ କ୍ଳବ୍ (କସ୍‍ମୋପଲିଟାନ୍ କ୍ଳବ୍) ସେ ଷ୍ଟାର୍ଟ କରୁଛନ୍ତି । କାଲି ରବିବାର ରାତି ୮ଟାରେ ସେଠାକୁ ଯିବାକୁ ମୋତେ ସେ କହିଛନ୍ତି । ସେ ଇଂରେଜ-ଏଠାରେ ବିଜ୍ଞାନ କଲେଜର ଅଧ୍ୟାପକ । କିନ୍ତୁ ସବୁ ଜାତି ପ୍ରତି ତାଙ୍କର ସମଜ୍ଞାନ । ଭାରତର ଅନେକ ଖବର ସେ ଜାଣନ୍ତି- ଓଡ଼ିଶା ନାଁ ଶୁଣିଛନ୍ତି । ପଞ୍ଜାବରେ ଯେଉଁ ଜାଲିଆନାବାଲାବାଗ୍ ଅତ୍ୟାଚାର ହୋଇଥିଲା ସେ ସମ୍ବନ୍ଧରେ କଂଗ୍ରେସର ପ୍ରକାଶିତ ରିପୋର୍ଟ ମତେ ଦେଖେଇଲେ ଭାରତବର୍ଷରେ ଏ ବହି ପଢ଼ିବା ବେଆଇନ । ସେ ତାକୁ ଦେଖାଇ କହିଲେ, “ୟାକୁ ତମେ ପଢ଼ ନାହିଁ, ରାତିରେ ଦୁଃସ୍ୱପ୍ନ ଦେଖିବ । ପ୍ରତ୍ୟେକ ଇଂରାଜ ଏଥିପାଇଁ ଲଜ୍ଜିତ-ଭାରତବର୍ଷରେ ଇଂରେଜ ଶାସନର ଇତିହାସରେ ଏହା କୃଷ୍ଣତମ କଳଙ୍କ । ମୁଁ କହିଲି, “ଆପଣ ସିନା ବ୍ୟକ୍ତିଗତ ଭାବରେ ଲଜ୍ଜିତ ହେଉଛନ୍ତି-ସରକାର ଓ ଇଂରାଜ ଜାତି କଣ କଲା ? ଯେଉଁ ଡାୟାର୍ ଏହା କଲେ, ସେ ବେଶ୍ ମୋଟା ପେନ୍‍ସନ୍ ପାଉଛନ୍ତି ଓ ସରକାର ତାଙ୍କୁ ସାମାନ୍ୟ ତିରସ୍କାର ମଧ୍ୟ କଲେ ନାହିଁ ।” ସେ କହିଲେ, “ତା ଠିକ୍, ତେବେ ଇଂଲଣ୍ଡରେ ସାଧାରଣ ପକ୍ଷରୁ ଏହାର ତୀବ୍ର ନିନ୍ଦା ହୋଇଥିଲା, ଡାୟାର୍‍ଙ୍କୁ ବଡ଼ବଡ଼ିଆମାନେ ରକ୍ଷା କଲେ ମାତ୍ର ।”

 

ତମେ ଶୁଣିଲେ ଅତ୍ୟନ୍ତ ଦୁଃଖିତ ହେବ ଯେ ଏଠାରେ ଯେଉଁ ଭାରତୀୟ ଛାତ୍ର ଅଛନ୍ତି ସେମାନେ ଆମକୁ କୌଣସି ପ୍ରକାରେ ସାହାଯ୍ୟ କରୁନାହାନ୍ତି ବା କରିବେ ନାହିଁ । ଅନେକ ଭାରତୀୟ ଛାତ୍ରଙ୍କୁ ଏଠି ଓ ଲଣ୍ଡନରେ ଦେଖିଲିଣି । କିନ୍ତୁ ଦେଶର ଲୋକ ବୋଲି ଆଗ୍ରହ ପ୍ରକାଶ କରିବା ଦୂରେ ଥାଉ, ପ୍ରାୟ ସମସ୍ତେ ମୁହଁ ଆଡ଼େଇ ଦେଇ ପଳାଉଛନ୍ତି । ମୁଁ ଲଣ୍ଡନରେ ଉପରେ ପଡ଼ି ଜଣେ ଦିଜଣଙ୍କ ସଙ୍ଗେ କଥା ହେଲି; କିନ୍ତୁ ସହାନୁଭୂତି ନ ଥିଲେ ଏ ସବୁ ତ ବେଶି ଦୂର ଯାଇ ପାରେନା; ଯିବା ଉଚିତ ମଧ୍ୟ ନୁହେଁ । ତେଣୁ ମୁଁ ଆଉ ଭାରତୀୟମାନଙ୍କ ସଙ୍ଗେ ମିଶୁ ନାହିଁ ।

 

ଅପର ପକ୍ଷରେ ଯେଉଁ ବ୍ରିଟିଶ ଜାତିକୁ ଆମେ ଶତ୍ରୁ ଜାତି ବୋଲି ଭାବୁଁ ତାଙ୍କର ଚରିତ୍ରରେ ମୁଁ ବାରମ୍ବାର ମୁଗ୍‍ଧ ହେଉଛି । ଏମାନଙ୍କର କି ସହାନୁଭୂତି, ଭଦ୍ରତା, କି ସୁନ୍ଦର ବ୍ୟବହାର । ଗୋଟିଏ ସ୍କଚ୍ ଦମ୍ପତି ମତେ ରେଲରେ ଭେଟିଲେ ଓ ଏଡ଼ିନ୍‍ବରା ଷ୍ଟେଶନରେ ଓହ୍ଲାଇ ମୋ ପାଇଁ କୁଲୀକି ପଇସା ଦେଇ, ଟାକ୍‍ସି ଡାକି, ମୋ ସାଥିରେ ଆସି ବସା ଖୋଜି ମତେ ରଖେଇ ଦେଇଗଲେ-ରାତି ପ୍ରାୟ ଦଶଟାରେ । ଆମ ଦେଶରେ ଏହା ତମେ କେବେ ସ୍ୱପ୍ନରେ କଳ୍ପନା କରି ପାରିବ ? କାଲି ସକାଳେ ଘର ଖୋଜିବାକୁ ଯାଉଁ ଯାଉଁ ଗୋଟିଏ ଲୋକକୁ ଗୋଟେ ଘରର ବାଟ ପଚାରୁଛି, ଏହି ସମୟରେ ଜଣେ ବୁଢ଼ୀ ସଉଦା ଧରି ସେଇ ବାଟ ଦେଇ ଚାଲିଯାଉଥିଲା । ସେ ରାସ୍ତାର ସେପଟୁ ହସି ହସି ପଚାରିଲା, “ହଁ, ହଁ, ମୁଁ ସେଇଆଡ଼ିକି ଯାଉଛି, ଆସ ମୁଁ ଦେଖେଇ ଦେବି ।” ମୁଁ ତା ସାଥିରେ ଗଲି । ବୁଢ଼ୀର କି ବ୍ୟବହାର ! ଅନେକ ଦୂର ସାଥିରେ ନେଇ ବସାଘର ପାଇଁ ଗୋଟେ ଘର ଦେଖେଇ ଦେଇ, ତା ପରେ ସେ ମୋର ମଙ୍ଗଳ କାମନା କରି ଗଲା । କି ଜାତି ଏ-ବାପ୍‍ରେ ! ଆମ୍ଭମାନଙ୍କଠୁଁ କେତେ ଉଚ୍ଚରେ ! ରାସ୍ତାରେ ଯେତେବେଳେ ଯାହାକୁ କିଛି ପଚାରିଛି, କେବେହେଲେ ଅଭଦ୍ର ବ୍ୟବହାର ପାଇ ନାହିଁ; ସମସ୍ତେ ମତେ ଯଥାସାଧ୍ୟ ସାହାଯ୍ୟ କରିବାକୁ ଚେଷ୍ଟା କରିଛନ୍ତି ।

 

ଡକ୍‍ଟର ଲଡ଼୍‍ଲାମ୍‍ଙ୍କ ଘରେ ସାର୍ବଜନୀନ କ୍ଳବ୍

 

୨୭ । ୯ । ୩୬

 

ରବିବାର ରାତି ଆଠଟାରେ ଡକ୍‍ଟର ଲଡ଼୍‍ଲାମ୍‍ଙ୍କ ଘରେ କ୍ଳବକୁ ନିମନ୍ତ୍ରଣ । ଲଡ଼୍‍ଲାମ୍‍ଙ୍କ ଘର ଏଠୁ ପ୍ରାୟ ତିନି ମାଇଲ ହେବ । ଚାଲି ଚାଲି ଗଲି । ସେତେବେଳେ ସେ ବୁଲି ଯାଇଥିଲେ । ମୁଁ ଦୁଆରର ବୋତାମ ଟିପିବା ମାତ୍ରେ ତାଙ୍କର କନ୍ୟା ଆସି ଭିତରକୁ ନେଇଗଲେ ଓ ମୋର ଓଭରକୋଟ୍ ଗୋଟେ ଘରେ ରଖିବାକୁ ଦେଖାଇ ଦେଇ, ମୋତେ ଉପର ବୈଠକ-ଖାନାକୁ ନେଇଗଲେ । ସେ ଘରେ ଜଣେ ଜର୍ମାନ୍ ତରୁଣୀ ପିଆନୋ-ବାଦନ-ରତା । ମତେ ଦେଖି ହସି ହସି କହିଲା, “ମତେ ଚିହ୍ନ ଯେ ! ମୁଁ ସକାଳେ ତମ ସାଥିରେ ମଟରରେ ଯାଇଥିଲି ।” ମୁଁ କହିଲି, “ଓଃ ତମେ ଯାଇଥିଲ ?” ତା’ ପରେ ସେ ପିଆନୋ ଛାଡ଼ି ମୋ ସାଥିରେ କଥା ହେବାକୁ ଲାଗିଲା । ସେ ଲଡ଼୍‍ଲାମ୍‍ଙ୍କ ଘରେ ରହେ । ଜର୍ମାନୀରୁ ଇଂରେଜୀ ଶିକ୍ଷା କରିବାକୁ ଏଠିକି ଆସିଛି । ପ୍ରାୟ ଛ ମାସ ରହିଲାଣି । ଆଉ ଦୁଇ ମାସ ଖଣ୍ଡେ ରହିବ । ଅନ୍ୟ ଇଉରୋପୀୟ ଜାତିମାନଙ୍କ ପକ୍ଷରେ ଇଂରେଜୀ ବା ଅନ୍ୟ ଇଉରୋପୀୟ ଭାଷା ଶିଖିବା ବଡ଼ ସୁବିଧା । ଖୁବ୍ କମ୍ ସମୟରେ ଏମାନେ ଭଲକରି ଶିଖିଯାନ୍ତି । ଆମର ଜୀବନ ବ୍ୟାପୀ ସାଧନାରେ ମଧ୍ୟ ତା ହୁଏନାହିଁ । ଲଡ଼୍‍ଲାମ୍‍ଙ୍କ ଘରେ ପୋଲାଣ୍ଡରୁ ଗୋଟେ ପିଲା ଆସି ରହିଚି । ସେ ଆରବର୍ଷ ଚାରିମାସ ମାତ୍ର ରହି ଏଠି ଇଂରେଜୀ ଶିଖିଯାଇଥିଲା; ଏବେ ସୁନ୍ଦର ଇଂରେଜୀ କହୁଛି ଓ ଇଂରେଜୀରେ ଏଠି ଏବର୍ଷ ଇକ୍‍ନମିକ୍‍ସରେ ଏମ୍. ଏ. ପଢ଼ିବ ।

 

କ୍ରମେ ଲଡ଼୍‍ଲାମ ଓ ଅନ୍ୟ ଅତିଥିମାନେ ଆସିଲେ । ଅନେକ ଜାତିର ଲୋକେ ଏଠିକି ଆସନ୍ତି । ଆମେରିକା, ରୁଷିଆ, ଜର୍ମାନୀ, ପୋଲାଣ୍ଡ, ମରିସସ୍, ଭାରତ, ଚୀନ ପ୍ରଭୃତିର ସବୁ ଲୋକଙ୍କୁ ଏଠି ଭେଟିଲି । କୁଞ୍ଚିତ କେଶ ଓ କୃଷ୍ଣକାୟ ନିଗ୍ରୋ ଏଠି ଶ୍ୱେତାଙ୍ଗମାନଙ୍କ ପରି ବ୍ୟବହାର ପାଏ ଓ ସମ୍ମାନିତ ହୁଏ । ପ୍ରଥମେ ସମସ୍ତେ ଏକାଠି ହେଲା ପରେ ଚା’ ପାନ ହେଲା । ଶଏ ଜଣ ଖଣ୍ଡେ ଉପସ୍ଥିତ ଥିଲେ । ଅନେକ ପୁରାତନ ଓ ନୂତନ ଭାରତୀୟ ଛାତ୍ର ମଧ୍ୟ ଦେଖା ଦେଲେ । ସେମାନଙ୍କ ସଙ୍ଗେ ପରିଚୟ ହେଲା । ମଜାର କଥା ଶୁଣିବ-କେତେକ ଭାରତୀୟ ଛାତ୍ର ମୋ ଆଗରୁ ଆସି ଓ୍ୟାଇ ଏମ୍. ସି. ଏ. ହଷ୍ଟେଲରେ ପଡ଼ି ରହିଛନ୍ତି, ବସା ଖୋଜି ପାଇପାରି ନାହାନ୍ତି । ମୁଁ ଗୋଟିଏ ରାତି ମାତ୍ର ରହିଲା ପରେ ତହିଁ ଆରଦିନ ବସା ଖୋଜି ସେଠା ଛାଡ଼ି ଆସିଲି । ମତେ ସେମାନେ ସେଠି ଦେଖିଥିଲେ ଓ ମତେ ଦେଖି ମୁଁ ସାଙ୍ଗେ ସାଙ୍ଗେ କିପରି ବସା ପାଇଲି ବୋଲି ଆଶ୍ଚର୍ଯ୍ୟ ହେଲେ ।

 

ଡକ୍‍ଟର ଲଡ଼୍‍ଲାମ୍ ମତେ ଚା’ଏକ କପ୍ ବଢ଼େଇ ଦେଲେ, ମୁଁ କହିଲି, “ଚା ଖାଏନା-କ୍ଷମା କରନ୍ତୁ ।” ସେ କହିଲେ, “ତମକୁ ଖାଇବାକୁ ହେବ, ଏହା ସଂପୂର୍ଣ୍ଣ ନିର୍ଦ୍ଦୋଷ ପାନୀୟ, ନିରାମିଷ”-ମୁଁ ଗ୍ରହଣ କଲି । ଚା ସାଥିରେ ବିସ୍କଟୁ ବି ଥିଲା, ମୁଁ ଗୋଟିଏ ଆଣିବାରୁ ସେ ଦୁଇଟା ଆଣିବାକୁ କହିଲେ, ଚା ପାନ ପରେ ସମସ୍ତେ ବସିଲେ । ତା’ପରେ ସନ୍ଧ୍ୟାର ନିର୍ଘଣ୍ଟ ଆରମ୍ଭ ହେଲା-। ପ୍ରଥମେ ଜଣେ ଶ୍ୱେତ ନିଗ୍ରୋ ପିଆନୋ ବଜେଇଲେ, ତା’ପରେ ଆଉ ଜଣେ ବେହେଲା ବଜେଇଲେ । ତା’ପରେ ଜଣେ ନିଗ୍ରୋ ଇଂରେଜୀ ଗୀତ ଗାଇଲେ-ଆଉ ଜଣେ ତାଳ ରଖି ପିଆନୋ ବଜାଉଥାନ୍ତି । ଜଣେ ରସିଆନ ମିସ୍‍ଟ୍ରେସ, ତାଙ୍କର କ୍ଳବ ଓ ଲାଇବେରୀ ସମ୍ବନ୍ଧରେ କେତେ କଥା କହିଲେ । ଯେଉଁ ସଙ୍ଗୀତ ହେଲା, ତାହା ଭାରତୀୟ ସଂଗୀତଠାରୁ ଆଦୌ ମଧୁରତର ନୁହେ । ଏ ସବୁ ହେଉ ହେଉ ରାତି ପ୍ରାୟ ଏଗାରଟା-ମୁଁ ଫେରୁ ଫେରୁ ସାଢ଼େ ଏଗାର ।

 

ବିଲାତରେ ଶିଶୁ ଓ ପୋଷ୍ୟପୁତ୍ର ସଂଘ

 

୧୪୦ ନର୍ଦମ୍ବରଲାଣ୍ଡ ରୋଡ଼

ନିଉକାସଲ୍ ଅନ୍‍ ଟାଇନ

୨୬।୧୦।୩୭

 

ଏଠାରେ ମା’ ଓ ଶିଶୁମାନଙ୍କର କଥା ଲେଖିବାକୁ ଲେଖିଥିଲ-ମୁଁ ଏ ପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇନି; ତେଣୁ ସେ ପ୍ରକାର ଅନୁଷ୍ଠାନ ସବୁ ଏ ଯାଏଁ ଭିଜିଟ୍ କରିନି; କିନ୍ତୁ ନିଶ୍ଚେ କରିବି ଓ ବିଶେଷ ବିବରଣ ଦେବି । ତେବେ ଜାହାଜରେ ଓ ଏ ଦେଶରେ ଶ୍ୱେତାଙ୍ଗୀ ଜନନୀ ଏବଂ ଶ୍ୱେତାଙ୍ଗ ଶିଶୁ ମୁଁ ବହୁତ ଦେଖିଲିଣି । ତମେ ଶୁଣି ଆଶ୍ଚର୍ଯ୍ୟ ହେବ ଯେ, ଏଠାର ମା ଓ ଶିଶୁ, ଆମ ଦେଶର ମା ଓ ଶିଶୁ ଭିତରେ କିଛି ହେଲେ ପାର୍ଥକ୍ୟ ନାହିଁ କେବଳ ଚମ ଓ ପୋଷାକ ଛଡ଼ା । ଏଠାର ପିଲାଗୁଡ଼ିକ ଆମ ଦେଶର ପିଲାଙ୍କ ପରି ଦୁଷ୍ଟ ଓ ଉଝଟ ପଣରେ ମା’ ଗୁଡ଼ାଙ୍କ ଖାଇ ପକାନ୍ତି । ଏଡ଼ିନ୍‍ବରାରେ ମୁଁ ଯା’ ଘରେ ଥିଲି, ତାର ଦି’ଟା ପିଲା-ଅଣ୍ଡିରା ଓ ମାଈ । ଭାରି ସୁନ୍ଦର ସ୍ୱାସ୍ଥ୍ୟ ସେମାନଙ୍କର । ଗୋରା ତକ୍ ତକ୍ ଓ ଉଲ୍‍ର ପୋଷାକ ପିନ୍ଧି ଭାରି ଚମତ୍କାର ଦେଖାଯାନ୍ତି । ମୁଁ ସେମାନଙ୍କର ମା’ ଆଗରେ ଦିନେ ପିଲାଙ୍କର ପ୍ରଶଂସା କଲି । ମା’ କହିଲା, “ତମେ କ’ଣ ସତରେ ଭାବୁଛ ଯେ ଏ ପିଲା ଭଲ ? ମତେ ଯେ ସେମାନେ ଖାଇ ଯାଉଛନ୍ତି, ଏତେ ଦୁଷ୍ଟ !” ସତକୁ ସତ ସେ ଲାଣ୍ଡଲେଡ଼ି ବିଚାରୀ ପିଲାଙ୍କୁ ଚିତ୍‍କାର କରି ଗାଳି ଦେବାର ଓ ପିଲାଗୁଡ଼ାକ ଗାଳି, ଧମକ ବା ମାଡ଼ରେ ଭେଁ ଭେଁ କାନ୍ଦିବାର ମୁଁ ବରାବର ଶୁଣୁଥିଲି ।

 

ଜାହାଜରେ ବି ଏହି ଦୃଶ୍ୟ ଦେଖିଥିଲି । କିନ୍ତୁ ଜାହାଜର ଉପର ମହଲାରେ । ଫାଷ୍ଟ କ୍ଳାସରେ ୪।୫ ଟ ଜାପାନୀ ପିଲା ଥାନ୍ତି-ଏମିତି ଚିରସୁଖୀ ପିଲା ମୁଁ କେଉଠି ଦେଖିନି । ସେମାନଙ୍କୁ କାନ୍ଦିବାର ଆମେ କେବେ ଦେଖିନୁ । ସବୁବେଳେ ଜାହାଜର ବାରଣ୍ଡାରେ ହସି ଖେଳି, ଜାହାଜକୁ ମୁଖର କରୁଥାନ୍ତି । ମୁଁ ଶୁଣିଥିଲି ଜାପାନରେ ପିଲାଏ କାନ୍ଦନ୍ତିନି ସେଠି ଦେଖିଲି, ତା, କିନ୍ତୁ ଠିକ୍ ଦେଶକୁ ନଗଲେ, ସତକଥା ବୁଝିବା କଠିନ ।

 

ଏଠାରେ ନାରୀ ସ୍ୱାଧୀନ-ତା’ର ଜୀବନର ବିକାଶରେ କୌଣସି ବାଧା ନାହିଁ-ସମାଜ, ପରିବାର ବା ଧର୍ମର । ସେ ପୁରୁଷ ପରି ଯାହା ଇଚ୍ଛା ତାହା ହୋଇପାରେ ଓ କରିପାରେ । ଏ ସମ୍ବନ୍ଧରେ ମୁଁ ବୃହତ୍ତର ବିବରଣୀରେ ଆଲୋଚନା କରିବି । କିନ୍ତୁ ଗୋଟେ କଥା କହି ରଖେ । ସ୍ୱାଧୀନତାକୁ ସଂପୂର୍ଣ୍ଣ ଉପଭୋଗ କରିବା ପାଇଁ ଅନେକ ବିବାହ କରନ୍ତି ନାହିଁ । ସେମାନଙ୍କର ଯୌନ-ଜୀବନ କିପରି କଟେ ମୁଁ ଜାଣିନି ବା ଜାଣିବାକୁ ଚେଷ୍ଚା କରିବିନି; କିନ୍ତୁ ମାତୃ-ଜୀବନ ସେମାନଙ୍କର କିପରି କଟେ ତା ଖବରକାଗଜରେ ପଢ଼ି ମୁଁ ଆଶ୍ଚର୍ଯ୍ୟ ହେଲି ଏବଂ ତମେ ମଧ୍ୟ ଆଶ୍ଚର୍ଯ୍ୟ ହେବ । ଇଂଲଣ୍ଡରେ ପୋଷ୍ୟପୁତ୍ର ଗ୍ରହଣ ଲାଗି ଗୋଟେ ସୋସାଇଟି ଅଛି । ଏଇ ସୋସାଇଟିର କାମ ଅନାଥ ଶିଶୁ ଯୋଗାଇବା । ଏବେ ଏହି ସୋସାଇଟି ପ୍ରକାଶ କରିଛି ଯେ, ସେମାନେ ଅନାଥ ଶିଶୁ ଯୋଗାଇ ପାରୁନାହାନ୍ତି । କାରଣ ଅସଂଖ୍ୟ ଅବିବାହିତା ମହିଳା, ସେମାନଙ୍କର ମାତୃକ୍ଷୁଧାର ନିବୃତ୍ତି ପାଇଁ ଏହି ଶିଶୁମାନଙ୍କୁ ପୋଷିବାକୁ ନେଇ ଯାଉଛନ୍ତି । ସେମାନେ ବିବାହ କରିବେନି ସତ-କାହାରି ଅଧୀନ ହେବେନି ସତ; -କିନ୍ତୁ ଗୋଟିଏ ଗୁଲ ଗୁଲ ମୁହଁର ଦରୋଟି କଥା ଶୁଣିବାକୁ ଓ ନବନୀତ କୋମଳ ବପୁର ସ୍ପର୍ଶ ପାଇବା ପାଇଁ ଏମାନେ ଅବରୁଦ୍ଧ ମାତୃ-ସ୍ନେହର-ମନ୍ଦାକିନୀ ଧାରା ଢାଳି ଦେବେ ନାହିଁ କାହିଁକି ? ନାରୀ ଜୀବନର ସୁଖ ଯେ ଦେବାରେ, ତ୍ୟାଗରେ, ତା’ର ପ୍ରଣାମ ଏହିଠି । ଆଶାକରେ,ଏହା ପଢ଼ିବା ପରେ ତମର ଶିଶୁ ପୁତ୍ରଟି ମମତା ଆହୁରି ବଢ଼ିଯିବ ।

Image

 

ସାହେବି ଖାଦ୍ୟ ସଙ୍ଗେ ପ୍ରଥମ ପରିଚୟ

 

ନିଉକାସ୍‍ଲ ଅନ୍ ଟାଇନ, ଇଂଲାଣ୍ଡ

୧୨।୧୧।୩୭

 

ସାହେବମାନେ କେବଳ ସିଝେଇ ଖା’ନ୍ତି । ମସଲା ତ ଏମାନଙ୍କ ଦେଶରେ ହୁଏନାହିଁ-ଏମାନେ ତାର ବ୍ୟବହାର ଜାଣିବେ କାହୁଁ ? ପରଷିଲା ବେଳେ ଖାଦ୍ୟ ସଙ୍ଗେ ଲୁଣ, ଗୋଲମରିଚ ଚୂନା (ସେଇ ଏକମାତ୍ର ମସଲା) ଦିଆ ହୋଇଥାଏ; ଖାଇବା ଲୋକ ଖାଦ୍ୟ ସଙ୍ଗେ ସେ ସବୁ ମିଶାଇ ଖାଇବ । ଭାରତବର୍ଷରେ କେବେ ଯଦି ଭୁଲରେ ବ୍ୟଞ୍ଜନରେ ଲୁଣ ନ ପଡ଼ି ଥାଏ ବା ଟିକିଏ ବେଶି ପଡ଼ି ଯାଇଥାଏ, ତେବେ ରାନ୍ଧୁଣୀର କି ଦୁର୍ଦ୍ଦଶା ଓ ଅପମାନ ! ଏଠି ସେ ସବୁରୁ ମୁକ୍ତ-। ମିଶ୍ରଣ ମଧ୍ୟ ଏମାନେ ଜାଣନ୍ତି ନାହିଁ । ସିଝା ମାଂସ ଖାଲି ଥୋଇଦେବେ, ଅଳୁ ସିଝେଇ ମେଞ୍ଚାଏ ଥୋଇଦେବେ-ତମେ ସେସବୁକୁ ଲୁଣ ମସଲା ଦେଇ ମିଶାମିଶି କରି ଖାଇବ । ମଧ୍ୟାହ୍ନ ଭୋଜନର ଆରମ୍ଭରେ ଏମାନେ Soup (ସୂପ) ନାମକ ତରଳ ଖାଦ୍ୟ ପ୍ରଥମେ ଖା’ନ୍ତି । ଏହା ଆମର ପାଣିଆ ଡାଲନା ପରି । ସାମାନ୍ୟ ଫଳମୂଳ ବା ଡାଲି ଇତ୍ୟାଦିକୁ ସାମାନ୍ୟ ମାଂସ ଲାଗିଥିବା ହାଡ଼ ସହ ପାଣିରେ ବହୁତ ବେଳଯାଏ ସିଝାଯାଏ, ହାଡ଼ସବୁ କାଢ଼ି ଦିଆଯାଏ-ବାକୀ ତରଳ ବସ୍ତୁଟା ସୂପ-। ଏହାକୁ ମଧ୍ୟ ଲୁଣ ଦେଇ ଖାଇବାକୁ ହେବ । ଏହା କିନ୍ତୁ ବେଶ୍ ରୁଚିକର ହୁଏ ଓ ସ୍ୱାସ୍ଥ୍ୟ ପକ୍ଷରେ ଉପକାରୀ ।

 

ଏଠି ରାନ୍ଧୁଣୀକୁ ଆଦୌ ବେଶି ଶ୍ରମ କରିବାକୁ ପଡ଼େ ନା । କାରଣ ଅଧିକାଂଶ ଖାଦ୍ୟ ବଜାରରେ ତିଆରି ହୋଇ ବିକ୍ରି ହୁଏ । ଆମର ସେଠି ବଜାର ଜିନିଷ ଖାଇବା ଆପଦପୂର୍ଣ୍ଣ । ଏଠି କିନ୍ତୁ ଓଲଟା । ସରକାର ଲୋକଙ୍କ ସ୍ୱାସ୍ଥ୍ୟର ଏପରି ତତ୍ତ୍ୱ ନିଅନ୍ତି ଯେ, ଖରାପ ଜିନିଷ କେହି ବିକିବା ଅସମ୍ଭବ । ଲୋକଙ୍କର ମଧ୍ୟ ସାଧାରଣ ସାଧୁତା ଆମ ଦେଶ ଅପେକ୍ଷା ଏଠି ବେଶି । ତେଣୁ ଖାଇବା ଜିନିଷରେ ବିଷ ଦେଇ ଟଙ୍କା କରିବାକୁ ଏଠି କେହି କଳ୍ପନା କରିବ ନି । ଏମାନେ ଘୁଷୁରି ମାଂସ ଖା’ନ୍ତି । ଘୁଷୁରି ଭାରତବର୍ଷରେ ଘୃଣ୍ୟ ଜୀବ; କିନ୍ତୁ ଏଠି ସେମାନେ ରାଜପୁତ୍ର ପରି ରଖା ହୁଅନ୍ତି । ଉତ୍ତମ ଗୃହ, ଉତ୍ତମ ଖାଦ୍ୟ ଦେଇ ସେମାନଙ୍କୁ ପରିଷ୍କୃତ ପରିଚ୍ଛନ୍ନ କର ରଖାହୁଏ ଓ ସେପରିଭାବରେ ରହି ସେମାନେ ଯେପରି ମୋଟା ହୁଅନ୍ତି, ସେମାନଙ୍କର ମାଂସର ମୂଲ୍ୟ ଖାଦ୍ୟ ଭାବରେ ସେହିପରି ବଢ଼େ । ତମେ ସକାଳୁ ନ ଉଠୁଣୁ ‘ସମବାୟ ଭଣ୍ଡାର’ (Co-operative Store)ରୁ ଦୁଧବାଲା ଠିପିମରା ବୋତଲରେ ତମର ଯେତେ ଦୁଧ ଦରକାର, ତାହା ଦୁଆରେ ଥୋଇ ଯାଇଥିବ । ଦୁଆରେ ପଡ଼ିଥିଲେ ମଧ୍ୟ କେହି ତାକୁ ଚାହିଁବେ ନାହିଁ । ଆଉ ସେ ଦୁଧ ନିର୍ଦ୍ଦୋଷ ଓ ଖାଣ୍ଟି । ଭାରତବର୍ଷରେ ତାହା ତମେ ପାଇବ ନି ।

 

*

ଏହା ଇଂଲାଣ୍ଡର ପ୍ରଥମ ଅନୁଭୂତିର ବର୍ଣ୍ଣନା । ଲେଖକର ବର୍ତ୍ତମାନ ମତ ଯେ, ଆମମାନଙ୍କର ଖାଦ୍ୟ ସଂପୂର୍ଣ୍ଣ ଇଉରୋପୀୟ ରୀତିରେ ପ୍ରସ୍ତୁତ ଓ ପରିବେଷିତ ହେଲେ, ଜାତିର ସମୂହ କଲ୍ୟାଣ ହେବ ।

 

ମୁଁ ଏଠାରେ ମାଂସ ଖାଇ ପାରିଲି ନି । କେବଳ ମାଛ ଓ ଅଣ୍ଡା ଖାଏ । ମଝିରେ ମଝିରେ ମୁଁ ମାଛ ବା ନିରାମିଷ ତରକାରୀ କରେଁ । ଏଡ଼ିନ୍‍ବରା ଓ ଏଠି, ମୁଁ ଯାହା ଦେଖୁଛି, ଭାରତୀୟ ତରକାରୀର ଭାରି ପ୍ରଶଂସା । ତେବେ ‘କରି’ (Curry) କହିଲେ ଏମାନେ କେବଳ ମଶଲାଦିଆ ମାଂସ ତରକାରୀ ବୁଝନ୍ତି । ଭାରତର ପୁରବଧୂ ଯେ ଚଉରାଶୀ ପ୍ରକାର ବ୍ୟଞ୍ଜନ ରାନ୍ଧି କୁଣିଆ ଚର୍ଚ୍ଚା କରିପାରେ, ତା ଏମାନଙ୍କର ଧାରଣା ନାହିଁ । ତା ଛଡ଼ା ଆମର ପିଠାପଣା ତ ଅଛି । ଗଜା, କାକରା, ରସଗୋଲା ସଙ୍ଗେ ତାଳ ଦେବାକୁ ଏମାନଙ୍କର କିଛି ନାହିଁ । ଆମର ସେହି ମାଂସ ତରକାରୀଟି ଯେଉଁମାନେ ଚାଖିଛନ୍ତି, ତାଙ୍କ ପାଟିରୁ ମୁଁ କେତେ ଥର ଶୁଣିଲିଣି, (“Oh curry is ।ove।y,”) “ଓଃ, କର୍‍ ରୀ ବଡ଼ ଚମତ୍କାର ।”

 

ଆମର ରନ୍ଧନପ୍ରଣାଳୀ ଅତ୍ୟନ୍ତ ଅସ୍ୱାଦକର ଓ ସୁକୁମାର ସତ; କିନ୍ତୁ ପ୍ରସ୍ତୁତ କରିବାରେ କୁଳବଧୂର ଜୀବନ ନିଏ ଓ ଲୋଭ ଦେଖାଇ ପୁରୁଷକୁ ପେଟୁ ଅଳସୁଆ କରାଏ । ସିଧାସିଧା ଖାଦ୍ୟ ଖାଇ ଏମାନେ ଅତ୍ୟନ୍ତ ଚଟ୍‍ପଟ ଓ କାର୍ଯ୍ୟକ୍ଷମ । ପେଟେ ଖାଇ ସାଙ୍ଗେ ସାଙ୍ଗେ ଏମାନେ କାମକୁ ଯିବେ । ଖରାବେଳେ ଶୋଇବା କଣ ଏମାନେ ଜାଣନ୍ତି ନି । ଆମର ତ ଏଣେ ଭାତ ବଢ଼ା ହେଲାବେଳକୁ ତେଣେ ଶେଯ ପରା ହେବାର କଥା । ଜାତି ଏଥିରେ ବଢ଼ିବ କିପରି କହ ? ଓଡ଼ିଆମାନେ ଯେ ଅଳସୁଆ ତାର ଏକ ବଡ଼ କାରଣ ଖାଦ୍ୟରେ ରହିଛି । ଆଶାକରେ ତମେ ଏଥିରେ ଏକମତ ହେବ । ତା ଛଡ଼ା କେବଳ ରାନ୍ଧିବାରେ ଯଦି ଜାତିର ଅଧକର ଅର୍ଥାତ୍ ନାରୀମାନଙ୍କର ଜୀବନ କଟେ, ତେବେ ଜାତିର ଭବିଷ୍ୟତ ବଂଶର କି ଆଶା ? ଏ ବିଷୟଟା ଅତ୍ୟନ୍ତ ଚିନ୍ତାର ଯୋଗ୍ୟ ।

 

ରନ୍ଧନ ଅପେକ୍ଷା ଏମାନଙ୍କର ପରିବେଷଣରୁ ଆମର ଆହୁରି ଶିଖିବାର ଅଛି । ଆମର ପରିବେଷଣ ଦୋଷରୁହଁ ଆମେ ଅତି ଭୋଜନ କରୁ ଓ ଅନେକ ଖାଦ୍ୟ ଆମର ନଷ୍ଟ ହୁଏ । ଏମାନଙ୍କର ପରିବେଷଣରେ ଗୋଟିଏ ଖାଦ୍ୟ ଖାଇ ସାରିଲା ପରେ ଆଉ ଗୋଟିଏ ଖାଦ୍ୟ ଆସେ-। ତେଣୁ ଅଇଣ୍ଠା ଛାଡ଼ିଯିବାର ଉପାୟ ନାହିଁ । ଆମର ସବୁ ଖାଦ୍ୟ ଏକାଠି ବଢ଼ା ହୁଏ ଓ ପ୍ରଥମ ପରଷା ଶେଷନ ହେଉଣୁ ଦୋଅଡ଼ ଅଜଡ଼ା ହୁଏ । ଫଳରେ ଗୁଡ଼ାଏ ଆମେ ଖାଇବାକୁ ବାଧ୍ୟ ହେଉ, ଗୁଡ଼ାଏ ମଧ୍ୟ ଛାଡ଼ିଯାଉ ବିଶେଷତଃ ଭୋଜିମାନଙ୍କରେ । ଭୋଜିମାନଙ୍କରେ ଯାହା ଖାଉ ତାହା ମନୁଷ୍ୟ ଉଦରପ୍ରତି ଏକ ଅତ୍ୟାଚାର ଛଡ଼ା ଆଉ କିଛି ନୁହେଁ । ଇଂଲଣ୍ଡରେ କିନ୍ତୁ ସ୍ୱୟଂ ସମ୍ରାଟ ମଧ୍ୟ ସାଧାରଣତଃ ତିନିଟି ଖାଦ୍ୟ ଖାଇଥାନ୍ତି ।

 

ବିଲାତରେ ଭାରତ ସମ୍ୱନ୍ଧରେ ଅଜ୍ଞତା–ଭାତରବର୍ଷର କଥା ଏଠା ଖବରକାଗଜରେ ଆଦୌ ବାହାରେ ନାହିଁ । ବଡ଼ଲାଟ ଲାହୋର ବା ବିକାନୀରରେ ଦରବାର କଲେ ତାର ବିସ୍ତୃତ ବିବରଣୀ ବାହାରିଲା; କିନ୍ତୁ ଗାନ୍ଧି ବା ରବୀନ୍ଦ୍ର ନାଥ ବା କଂଗ୍ରେସ କଣ କରୁଛି, ତାର କିଛି ହେଲେ ଖବର ଏଠିକି ଆସେ ନା । ଏଠାରେ ଲୋକେ ଯେ ଭାରତବର୍ଷ ସମ୍ବନ୍ଧରେ ଘୋର ଅଜ୍ଞ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନା । କେବଳ ଗାନ୍ଧି ବୋଲି ଜଣେ, ଲୋକଙ୍କୁ ମତେଇ ଇଂରେଜଙ୍କୁ ଭାରତରୁ ତଡ଼ିବାକୁ ଚେଷ୍ଟା କରୁଛି, ଏଇ କଥା ଏଠା ସାଧାରଣ ଲୋକେ ଜାଣନ୍ତି ଏବଂ ସେହି କାରଣରୁ ଗାନ୍ଧି ନାଁ ଚାରିଆଡ଼େ ବ୍ୟାପ୍ତ । ଏଡ଼ିନ୍‍ବରା ଗଲାବେଳେ ମୋତେ ଗୋଟେ ବୁଢ଼ା ପଚାରିଲା-“ମୁଁ କାଗଜରେ ପଢ଼ିଥିଲି ଜଣେ କିଏ ତମ ଲୋକଙ୍କୁ ବିଟ୍ରିଶ ବିରୁଦ୍ଧରେ ମତଉଥିଲା ପରା ? କାହିଁକି ସେ ସିମିତି କରୁଥିଲା ? ତମର କି ଲାଭ ସେଥିରେ ?” ଆଉ ଜଣେ ବାଳିକା ଏବେ ରବିନ୍ଦ୍ରନାଥଙ୍କ ଛବି ମୁଁ ଦେଖେଇଦେବାରେ ପଚାରିଲା, “ସେ କଣ ବଞ୍ଚିଛନ୍ତି ?” ଏ ଘଟଣାର ପ୍ରାୟ ତିନିବର୍ଷ ପରେ ରବୀନ୍ଦ୍ରନାଥଙ୍କର ମୃତ୍ୟୁ ହୁଏ । ଏଥିରୁ ଏଠା ଲୋକେ ଭାରତବର୍ଷ ସମ୍ବନ୍ଧରେ କଣ ଜାଣନ୍ତି ଜାଣିବ । ମତେ ବି ଜଣେ ସ୍ତ୍ରୀ ଥରେ ପଚାରିଲା, “ତମେ କଣ ଗୋଟିଏ ସ୍ତ୍ରୀ ବିଭା ହୋଇଚ ?” ଅର୍ଥାତ୍ ତାର ଧାରଣା ବୋଧହୁଏ ଆମର ସେଠି ପ୍ରତି ଯୁବକର ଚାରି ପାଞ୍ଚଟା ସ୍ତ୍ରୀ ।

 

ବିଲାତରେ ଶିଶୁ ଓ ଯୀଶୁ

 

ନିଉକାସଲ୍-ଅନ୍-ଟାଇନ୍

୨୮।୧୧।୩୬

 

ଏଠାରେ Day Nursery ସବୁ ଅଛି, ଯେଉଁଠି ଶ୍ରମିକ ବନିତା ସବୁ ତାଙ୍କର ପିଲାଙ୍କୁ ଛାଡ଼ି ଦେଇ ସକାଳ ୬।୩୦ ରେ କାମକୁ ଯାନ୍ତି ଓ ସଂଧ୍ୟା ୬।୩୦ରେ ପିଲାଙ୍କୁ ଧରି ଘରକୁ ଫେରନ୍ତି । ସେଥିପାଇଁ ପ୍ରତ୍ୟେକ ମା’କୁ ଛ ପେନ୍‍ସ କରି ପ୍ରତିଦିନ ଦେବାକୁ ପଡ଼େ ।

 

ଭାରତବର୍ଷ ପରି ଏଠି ମଧ୍ୟ ଝିଅର ପିଲା ହେଲେ ମା’ ଦେଖାଦେଖି କରେ । ପୋଖତା ଘର ପାଖେଇଲେ, ହୁଏତ ଝିଅ ମା ଘରକୁ ଯାଏ ବା ମା ଝିଅ ଘରକୁ ଆସେ । ସାଧାରଣତଃ ମା’ ଯାଏ ଝିଅ ଘରକୁ । ପିଲା ଚାରିମାସ ଖଣ୍ଡେ ହୋଇ ଆସିଲେ ଯେଝା ଘରକୁ ଯିଏ ଯାନ୍ତି । ଛୋଟ ପିଲାମାନେ ଏଠି ମଧ୍ୟ ହଗା ମୂତା କରନ୍ତି ଏବଂ ଆମେ ଯିମିତି କନା ବ୍ୟବହାର କରୁଁ ଏଠି ସେପରି ନେପିଜ୍ (ଗୋଟେ ପ୍ରକାର ଛୋଟ ଜଙ୍ଘିଆ) ବ୍ୟବହାର କରନ୍ତି । ସେ ଗୁଡ଼ାକ ବାରମ୍ବାର ବଦଳେଇବାକୁ ହୁଏ ଓ ଗୋସେଇଁ ମା ରାତିରେ ବାରମ୍ବାର ଉଠି ତା କରେ ।

 

ସାଧାରଣତଃ ଘରେ ଘରେ ପୋଖତା ଘର ହୁଏ । ବର୍ତ୍ତମାନ ଅବଶ୍ୟ ନାର୍ସିଙ୍ଗ୍ ହୋମ ପ୍ରଭୃତି ବାହାରିଛି; କିନ୍ତୁ ସେ ସବୁ ବଡ଼ ଖର୍ଚ୍ଚ କଥା । ଆମ ହୋଟେଲ ବାଲାର ଶଶୁର କହୁଥିଲା, ତା’ର ବଡ଼ ଝିଅ ଜନ୍ମ ହେଲା ବେଳେ ତାକୁ ତିରିଶ ସିଲିଂ ଖର୍ଚ୍ଚ କରିବାକୁ ପଡ଼ିଥିଲା; କିନ୍ତୁ ଏବେ ସେ ଝିଅର ଝିଅ ଜନ୍ମ ହେଲା ବେଳକୁ ତାକୁ ତେଇଶ ପାଉଣ୍ଡ (୨୩ X ୧୩ ଟଙ୍କା) ଖର୍ଚ୍ଚ କରିବାକୁ ପଡ଼ିଲା । କାରଣ ସେମାନେ ନ ଜାଣି ଝିଅକୁ ନାର୍ସିଙ୍ଗ୍ ହୋମକୁ ନେଇ ଯାଇଥିଲେ ।

 

ଏଠାରେ ପିଲେ ଆମ ଆଡ଼ର ପିଲାଙ୍କ ପରି ଏଠି ସେଠି ହଗିବାର ଦେଖାଯାଏ ନାହିଁ । କାରଣ ଛ’ ମାସ ହେଲାକ୍ଷଣି ମା’ ପିଲାକୁ କମୋଡ଼୍ ଉପରେ ବସି ହଗିବା ମୂତିବାକୁ ଶିଖାଏ । କ୍ରମେ ପିଲାଙ୍କର ଏପରି ଅଭ୍ୟାସ ହୋଇଯାଏ ଯେ, ହଗ-ମୂତ ମଡ଼େଇଲେ ପିଲେ ସେ ଜିନିଷଟା ଖୋଜିବେ କଥା ନ କହି ପାରୁଥିଲେ ମଧ୍ୟ । ଆଉ ବୁଦ୍ଧିମତୀ ମା’ତ ଚଟକିନି ଜାଣି ଦେବ ପିଲା କଣ ଦରକାର କରୁଛି; ସେ ସଙ୍ଗେ ସଙ୍ଗେ ପିଲା ପାଖକୁ ସେ ଜିନିଷ ଆଣି ରଖିଦେବ ବା ପିଲାକୁ ସେଠିକି ନେଇଯିବ । ଆମ ଦେଶର ମା’ମାନେ ଏତକ କରୁଥିଲେ ଆମର ଘରଦ୍ୱାର ଅନେକ ସଫା ସୁତୁରା ରହନ୍ତା ।

 

ରବିବାରରେ ମୁଁ ଏଠି ବରାବର ଚର୍ଚ୍ଚକୁ ଯାଏ । ଚର୍ଚ୍ଚରେ ସ-ସଙ୍ଗୀତ ପ୍ରାର୍ଥନା ମତେ ଭାରି ଭଲ ଲାଗେ । ମୁଁ ବି ସମସ୍ତଙ୍କ ସାଥିରେ ମିଶି ଇଂରେଜୀ ଗୀତ ଗାଇବାକୁ ଚେଷ୍ଟା କରେ । ଟୋକା ଟୋକୀ ଚର୍ଚ୍ଚକୁ ଆଦୌ ଯାନ୍ତି ନାହିଁ । କେବଳ ବୟସ୍କ ଓ ବୁଢ଼ା ବୁଢ଼ୀ ଯାନ୍ତି । ଆଜି ତ ଯାଇଥିଲି ଗୋଟେ ଚର୍ଚ୍ଚକୁ । ଧର୍ମ୍ମଯାଜକ ଦୁଃଖ ପ୍ରକାଶ କରି ବକ୍ତୃତା କରୁଥିଲେ ଯେ ଏ ଦେଶରେ ଶତକଡ଼ା ତିନିଜଣ ମାତ୍ର ରବିବାରରେ ଚର୍ଚ୍ଚକୁ ଆସୁଛନ୍ତି । ବାକୀ ୯୭ ଜଣ ଆମୋଦ ପ୍ରମୋଦରେ ସମୟ କଟାନ୍ତି । ଏଠି ବି ଲୋକେ ଧର୍ମପାଇଁ ପ୍ରାଣବଳି ଦେଇଛନ୍ତି ଓ ନାନା ଦୁଃଖକଷ୍ଟ ସହିଛନ୍ତି । ଆଜି ନିଜର ଧର୍ମ ପାଳନ କରିବା ପାଇଁ ଏ ଦେଶରେ କୌଣସି ବାଧା ନାହିଁ-କିନ୍ତୁ ଲୋକେ ଧର୍ମ୍ମକୁ ପଚାରୁ ନାହାନ୍ତି । ଯେଉଁମାନେ ସୁଖରେ ଅଛନ୍ତି, ସେମାନଙ୍କର ଈଶ୍ୱରଙ୍କୁ ଡାକିବା ଦରକାର ପଡ଼ୁନାହିଁ; ଯେଉଁମାନେ ଦୁଃଖରେ ଅଛନ୍ତି, ସେମାନଙ୍କର ଈଶ୍ୱରଙ୍କୁ ଡାକି କିଛି ଲାଭ ନାହିଁ । ଏହିପରି ଭାବରେ ବୋଧହୁଏ କ୍ରମେ ଈଶ୍ୱର ବିଶ୍ୱାସ କମିଯାଉଛି ।

 

କିନ୍ତୁ ଚର୍ଚ୍ଚରେହିଁ ତମେ ଏଠି ଅସଲ ଲୋକଙ୍କୁ ପାଇବ । ଆର ରବିବାର ଦିନ ସନ୍ଧ୍ୟାରେ ମୁଁ ଗୋଟିଏ ଚର୍ଚ୍ଚକୁ ଯାଇଥିଲି । ପ୍ରାର୍ଥନା ସରିଲା, ଲୋକମାନେ ସବୁ ଚାଲିଗଲେ, ମୁଁ ଚର୍ଚ୍ଚ ଭିତରେ ଗୋଟିଏ କୋଣରେ ଠିଆ ହୋଇ କାନ୍ଥରେ ଥିବା ଚିତ୍ର ଦେଖୁଛି, ଏପରି ସମୟରେ ବିପରୀତ କୋଣରୁ ଜଣେ ଲୋକ ଆସିଲା ଓ ଦୁଇ ତିନିଟା ପ୍ରଶ୍ନରେ ମୋର ପରିଚୟ ନେଇ ମତେ ଏକପ୍ରକାର ଭିଡ଼ି ନେଲା ତା’ ଘରକୁ । ତା ଘର ପ୍ରାୟ ସହରରୁ ଚାରି ମାଇଲ ଦୂରରେ । ଆମେ ବସ୍‍ରେ ଗଲୁ-ସେ ଟିକଟ କଲା-ତା’ର ସ୍ତ୍ରୀ ତା ସାଥିରେ ଥାଏ । ଘରେ ପହଞ୍ଚି ମତେ ଅଭ୍ୟର୍ଥିତ କରିବାକୁ ଲାଗିଲା । ମୁଁ ତାକୁ ବାଟରେ ପଚାରିଲି, “ତମେ ମତେ ଏତେ ଆଗ୍ରହ କରିବାର କାରଣ-?” ସେ କହିଲା, “ଦେଖ, ପ୍ରକୃତ ଖ୍ରୀଷ୍ଟିୟାନ୍ ପକ୍ଷରେ ଜଗତର ସବୁ ଜାତିର ଲୋକ ଭାଇ ଭଉଣୀ ପରି । ଯେଉଁମାନେ ଖ୍ରୀଷ୍ଟିୟାନ୍ ବୋଲି ପରିଚୟ ଦେଇ ଈଶ୍ୱରଙ୍କୁ ଜଗତର ପିତା ବୋଲି ମନେ କରନ୍ତି ତାଙ୍କର ସେହିପରି ବ୍ୟବହାର କରିବା ଉଚିତ । ମୁଁ ମୋର ଧର୍ମ୍ମମତକୁ କାର୍ଯ୍ୟରେ ପରିଣତ କରିବାକୁ ଚେଷ୍ଟା କରୁଛି-ପରଦେଶୀ ଓ ପରଧର୍ମ୍ମୀମାନଙ୍କ ପ୍ରତି ବନ୍ଧୁତା ଦେଖାଇ ।” ଲୋକଟି ଇନ୍‍ସିଓରେନ୍‍ସ ଏଜେଣ୍ଟ; କିନ୍ତୁ ବେଶ୍ କାଲଚାର୍ଡ଼ । ତା’ର ଝିଅ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପଢ଼େ-ସରକାରୀ ବୃତ୍ତି ପାଇ ସେ ନାନା ଧର୍ମ୍ମର କଥା ଜାଣେ-ଯଦିବା ଖ୍ରୀଷ୍ଟଧର୍ମ୍ମକୁ ଜଗତର ଶ୍ରେଷ୍ଠ ଧର୍ମ୍ମବୋଲି ତା’ର ଦୃଢ଼ ଧାରଣା । ଆମ ଦେଶରେ ଇନ୍‍ସିଓରେନ୍‍ସ ଏଜେଣ୍ଟ ଏପରି ହେଲା ବେଳକୁ ଅନେକ ଦିନ ଅଛି । ତା’ ସଙ୍ଗରେ ଧର୍ମ୍ମ ସମ୍ବନ୍ଧରେ ମୋର ତର୍କ ହେଲା । ମୁଁ ସବୁ ପ୍ରଚାରକଙ୍କ ଭିତରେ ବୁଦ୍ଧଙ୍କୁ ଶ୍ରେଷ୍ଠ ସ୍ଥାନ ଦେଲି-ସେ ଖ୍ରୀଷ୍ଟଙ୍କୁ । କ୍ରମେ ମୁଁ ତାଙ୍କୁ କୌଣସି ମତେ ମୋର ମତକୁ ବାଗେଇଲି । ଏପରି ସମୟରେ ପଚାରିଲି, “ଆଚ୍ଛା, କହ ତ, ବର୍ତ୍ତମାନ ଜଗତରେ ଶ୍ରେଷ୍ଠ ଖ୍ରୀଷ୍ଟିୟାନ୍ କିଏ ?” ଲୋକଟି ବିନା ଚିନ୍ତାରେ ଉତ୍ତର କଲା, “ବିନା ଚିନ୍ତାରେ କହିବାକୁ ହେବ ଯେ, ମି. ଗାନ୍ଧି ଓ ତାଙ୍କ ପଛକୁ ଆଣ୍ଡୃଜ ।” ମୋର ତ ଗର୍ବ ଅନୁଭବ କରିବାର କଥା ଓ ମୁଁ ଗାନ୍ଧିଙ୍କର ଓ ତା’ ସଙ୍ଗେ ଦେଶର କଥା କହିବାକୁ ଲାଗିଲି । ମୁଁ ଯେତେବେଳେ ଜାଲିଆନାବାଲାବାଗ୍‍ର ହତ୍ୟାକାଣ୍ଡ ବର୍ଣ୍ଣନା କରି ତା’ର ସ୍ତ୍ରୀଙ୍କ ଆଖି ଛଳ ଛଳ ହୋଇ ଆସିଲା ।

 

ମତେ ଖୁଆଇ ବିଦାୟ ଦେଲା ବେଳକୁ ରାତି ପ୍ରାୟ ଦଶଟା । ଭଦ୍ରଲୋକ ଘରୁ ବାହାରି ମତେ ପୁଣି ବସ୍‍ରେ ଚଢ଼େଇ, ଟିକଟ କଟେଇ ଆର ରବିବାର ଦିନ ଦେଖା ହେବାକୁ ଅନୁରୋଧ କରି ବିଦାୟ ନେଲେ ।

 

ଭାରତବର୍ଷର ଇଂରେଜୀ ସାହେବ ଓ ଏଠାରେ ସାହେବ ଭିତରେ କିପରି ପ୍ରଭେଦ ଏଇଥିରୁ ଜାଣିବା । ଆମେ ଯେ ପରାଧୀନ ଏ କଥାଟା ଆମେ ଆମରି ମାଟିରେ ବେଶି ଅନୁଭବ କରୁ । ଏଠାର ସ୍ୱାଧୀନ ମାଟିରେ ସମସ୍ତେ ସମାନ ।

 

ନଗର ସଭ୍ୟତାର ହଳାହଳ

 

ନିଉକାସଲ୍-ଅନ୍-ଟାଇନ୍

୨୨-୧୨-୩୭

 

ଏ ଦୂର ପ୍ରବାସରେ ସଙ୍ଗହୀନ ଅବସ୍ଥାରେ ମନିଷ ଘର ଓ ଘରର କଥାପାଇଁ କିପରି ବ୍ୟାକୁଳ ହୁଏ ତା’ ନ ଭୋଗିଲେ ବୁଝି ହେବ ନାହିଁ । ତୁମେ ଜାଣ ଯେ, ନିଃସଙ୍ଗତା ବର୍ତ୍ତମାନ ନଗର-ସଭ୍ୟତାର ଏକ ପ୍ରଧାନ ଓ କରୁଣ ଅଭିଶାପ । ଛୋଟ ଛୋଟ ଗ୍ରାମରେ ପ୍ରତ୍ୟେକ ଲୋକ ଅପର ଲୋକକୁ ଚିହ୍ନେ ଓ ଗ୍ରାମର ସମସ୍ତଙ୍କ ମଧ୍ୟରେ ଗୋଟିଏ ଆତ୍ମୀୟ ସମ୍ପର୍କ ଥାଏ । ବିରାଟ ନଗରମାନଙ୍କରେ ଲକ୍ଷ ଲକ୍ଷ ମନୁଷ୍ୟର ସମାଗମ ହୁଏ ସତ, କିନ୍ତୁ ମିଳନ ହୁଏ ନାହିଁ । ପ୍ରତ୍ୟହ ତମେ ସହସ୍ର ସହସ୍ର ଲୋକଙ୍କ ସଙ୍ଗେ ଦେହ ଘଷି ଚାଲିବ; କିନ୍ତୁ ସେଥିରୁ ଜଣେ ହେଲେ ତମର ଅନ୍ତରର କଥା ବୁଝିବାକୁ ପ୍ରସ୍ତୁତ ନୁହେଁ । ଏକାଘରେ ଲୋକ ଏଠି ରହିବେ କିନ୍ତୁ ଗୋଟେ ରୁମ୍‍ର ଲୋକ ଆର ରୁମ୍‍ର ଲୋକମାନଙ୍କର ଦୁଃଖ ସୁଖ କିଛି ହେଲେ ଜାଣିବେ ନାହିଁ । ପ୍ରତ୍ୟେକ ପ୍ରତ୍ୟେକର କାର୍ଯ୍ୟରେ ବ୍ୟସ୍ତ । ପ୍ରାଣ ଭରି ଗପସପ କରିବାକୁ ଅବସର ନାହିଁ । ଓଃ, ଏପରି ଅବସ୍ଥାରେ ମନିଷ ବଞ୍ଚେ କିପରି ? ଅନେକ ବାଳିକା କିପରି ସଙ୍ଗହୀନ ଜୀବନ ଯାପନ କରନ୍ତି ସେ ବିଷୟରେ ଚିଠି ଲେଖନ୍ତି ଖବରକାଗଜକୁ । ଟିକିଏ ବଡ଼ ହେଲେ ତ ସେମାନେ ବାପ ମାଙ୍କୁ ଛାଡ଼ି ଅର୍ଜ୍ଜନ କରିବାକୁ ସହରକୁ ଚାଲି ଆସନ୍ତି; ଏଠି ଆସି କିଏ କି ଅଫିସରେ କାମରେ ଭର୍ତ୍ତି ହୁଏ ।

ରହିବାପାଇଁ କେଉଁଠି ଗୋଟେ ରୁମ୍ ଭଡ଼ା ନିଏ । ସେହି ରୁମ୍ ଓ ସେହି ଅଫିସ୍ ତା’ର ଜଗତ୍ । ସେ ଯଦି ସୁନ୍ଦରୀ ହୋଇଥାଏ, ତେବେ ତାକୁ ଡାକରା ଆସିପାରେ; ନଚେତ୍ ସମଗ୍ର ଜୀବନ ସେହି ରୁମ୍ ଓ ଅଫିସକୁ ଯିବା ଆସିବା କରି କଟିଯିବ । ଅର୍ଜିତ ଟଙ୍କାରେ ଅବଶ୍ୟ ସିନେମା ଥିଏଟର ଦେଖା ହୁଏ, ଭିନ୍ନ ଭିନ୍ନ ସ୍ଥାନ ବୁଲା ହୁଏ; କିନ୍ତୁ ମନୁଷ୍ୟର ଆତ୍ମା ଏ ସବୁରେ କିପରି ଶାନ୍ତ ହେବ କହ ? ଏହିପରି ଶତ ଶତ ଆତ୍ମାର ଉଷ୍ମ-ଅଶାନ୍ତ-ନିଶ୍ୱାସରେ ଏ ଦେଶର ନଗର-ଜୀବନ ଅସହ୍ୟ ।

ଏଠାରେ ମଉଜ କରିବାକୁ କହନ୍ତି to have a good time । Good time ପାଇବାକୁ ହେଲେ ପଇସା ଖର୍ଚ୍ଚ କରିବାକୁ ଇ ହେବ; କାରଣ ପୁରୁଷର good time ପାଇଁ ନାରୀର ଦରକାର, ନାରୀ ପାଇଁ ପୁରୁଷ ଦରକାର । ସାଧାରଣତଃ ପୁରୁଷ ନାରୀକି ନେଇ good time ଭୋଗ କରିବାକୁ ଚାହେଁ । ସେ ସବୁର ସମସ୍ତ ଖର୍ଚ୍ଚ ପୁରୁଷ ବହନ କରିବ । ସିନେମା, ଥିଏଟର ବା ବୁଲାବୁଲି-ସବୁଥିକି ତ ପଇସା ଦରକାର । ସେଥିପାଇଁ ପୁରୁଷକୁ ପ୍ରସ୍ତୁତ ହେବାକୁ ପଡ଼ିବ । ଆଜିକାଲି ଏଠି ଅନେକ ଯୁବକ ଓ ଯୁବତୀ ଅବିବାହିତ ରହି ଅର୍ଜିତ ଅର୍ଥ ଏହିପରି good time ଭୋଗ କରିବାରେ ବ୍ୟୟ କରନ୍ତି । ନାରୀର ଅର୍ଜନ ପୋଷାକ ଓ ପ୍ରସାଧନରେ ଯାଏ । ପୁରୁଷର ଅର୍ଜନ ନାରୀକୁ ନେଇ good time ଭୋଗ କରିବାରେ ଯାଏ । ନୂତନ ସଭ୍ୟତା ଫଳରେ ଏ ଦେଶର ପାରିବାରିକ ଜୀବନ କ୍ରମେ ଚୂର୍ଣ୍ଣ ହେଉଛି । ଏକେ ତ ଜୀବନ ଯାପନରେ ଢାଁଶା ଏତେ ଉଚ୍ଚକୁ ଉଠିଛି ଓ ଖାଦ୍ୟ ଏବଂ ଆସବାବ ଇତ୍ୟାଦିର ମୂଲ୍ୟ ଏତେ ବଢ଼ିଛି ଯେ, ବିବାହ କରି ଗୋଟେ ପରିବାର ଚଳାଇବା ବଡ଼ କଠିନ ବ୍ୟାପାର । ତା’ ଛଡ଼ା ଉପଭୋଗର ସୁବିଧା ଯେତେବେଳେ ଏତେ, ବିବାହ କରି ଜଣକଠି ବାନ୍ଧି ହେବାକୁ ଯିବ କିଏ ?

ଇଂଲାଣ୍ଡରେ ଶନିବାର ଓ ରବିବାର–ଆମର ଯେପରି ଦରମା ମାସକୁ ମାସ ମିଳେ ଓ ଦିଆନିଆ ସବୁ ମାସ ଶେଷରେ ହୁଏ, ୟାଙ୍କର ସେହିପରି ସପ୍ତାହ ଶେଷରେ ହୁଏ । ସରକାରୀ ଅଫିସଠାରୁ ଆରମ୍ଭ କରି ସାମାନ୍ୟ ହୋଟେଲ ପର୍ଯ୍ୟନ୍ତ ସବୁଠାରେ ସାପ୍ତାହିକ ଦେଣା ନେଣା । ସୋମବାରଠୁଁ ଶନିବାର ଓପରଓଳି ଯାଏ ସବୁଠି କାମ । ଶନିବାର ଓପରଓଳି ଛୁଟି ପାଇଁ ଓ ସପ୍ତାହକର ଟଙ୍କା ପାଇ କୁମାରୀ, ଗୃହିଣୀ ଓ ଗୃହସ୍ଥ ସମସ୍ତେ ଜିନିଷ କିଣାକିଣି ବା ସପିଙ୍ଗ୍ ପାଇଁ ବା ସିନେମା ଥିଏଟର ପାଇଁ ବାହାରି ପଡ଼ନ୍ତି-। ଶନିବାର ଓପରଓଳି ରାସ୍ତାରେ ଚାଲିବା ଅସମ୍ଭବ ହୋଇ ଉଠେ-ଏତେ ଲୋକ ଗହଳି । ସେ ଦିନ ଆମର ହୋଟେଲରେ ଏତେ ଲୋକ ଆସି ଜମା ହୁଅନ୍ତି ଯେ, ଆମକୁ ଘଣ୍ଟେ ଘଣ୍ଟେ ଅପେକ୍ଷା କରିବାକୁ ପଡ଼େ । ହାତରେ ଟଙ୍କା ପାଇ କୁଆଡ଼ୁ କୁଆଡ଼ୁ ଲୋକ ଆସି ଏହି ହୋଟେଲରେ ଖାଇ ସିନେମା ପ୍ରଭୃତି ଦେଖିଯିବେ ବା କିଣାକିଣି ସାରି ଏଠି ଖାଇ ଘରକୁ ଯିବେ । କହି ରଖିବା ଉଚିତ ଯେ ଏମାନଙ୍କ ମଧ୍ୟରେ ଅଧିକାଂଶ ସ୍ତ୍ରୀ । ରାସ୍ତାରେ ଏଠି ଦଶ ଜଣ ଲୋକରେ ଛ ଜଣ ସ୍ତ୍ରୀ, ଚାରି ଜଣ ପୁରୁଷ ଦେଖିବ ।

ରବିବାର ଦିନ ସକାଳେ ଉଠି ଏଠି ସହରକୁ ବୁଲିଗଲେ ତମେ ଭାବିବ ଲୋକଗୁଡ଼ା କୁଆଡ଼େ ପଳେଇଲେ କି ? ଚାରିଆଡ଼େ ଶୂନଶାନ୍ । କଦବା କିଏ କୁଆଡ଼େ ଏଣେ ତେଣେ ଯିବା ଆସିବା କରୁଛି-ଟ୍ରାମ୍ ବସ୍ ଅଧଘଣ୍ଟା ଅନ୍ତରେ ଯିବା-ଆସିବା କରୁଛି-ସେ ସବୁ ପୁଣି ଖାଲି । ଅନ୍ୟ ଦିନ ସେ ସବୁ ପ୍ରତି ପାଞ୍ଚ ମିନିଟରେ ଯିବା ଆସିବା କରେ ଓ ପ୍ରତ୍ୟେକରେ ଲୋକ ଚୁଣ୍ଟି ହୋଇଥାନ୍ତି-। ରବିବାର ଏମାନଙ୍କର ଧର୍ମ୍ମଦିନ ଓ ବିଶ୍ରାମ ଦିନ । ସପ୍ତାହ ଯାକ କାମ କରି ଓ ସହର ଭିତରେ ଆବଦ୍ଧ ରହି ଲୋକେ କ୍ଳାନ୍ତ ହୋଇ ପଡ଼ନ୍ତି ଓ ଅବସର ବିନୋଦନ ପାଇଁ ବନ୍ଧୁ ବାନ୍ଧବ ଘରକୁ ବା ନିକଟବର୍ତ୍ତୀ ସ୍ୱାସ୍ଥ୍ୟକର ଜାଗାକୁ ଯାଇ ଦିନେ କଟେଇ ଆସନ୍ତି । ଚର୍ଚ୍ଚକୁ ଖୁବ୍ କମ୍ ଲୋକ ଯାନ୍ତି । ଟୋକା ଟୋକୀଏ ସଙ୍ଗୀ-ସଙ୍ଗିନୀକୁ ଧରି ଏହି ଦିନକ ଗୁଡ୍ ଟାଇମ୍ ପାଇବା ପାଇଁ ଭିନ୍ନ ଭିନ୍ନ ଜାଗାକୁ ଚାଲିଯାନ୍ତି । ଶନିବାର ଉପରଓଳି ଓ ରବିବାରକୁ ଏଠି ଉଇକ୍ ଏଣ୍ଡ୍ ବା ସପ୍ତାହ- ଶେଷ କହନ୍ତି । ସୋମବାର ଦିନ ପୁଣି ଦେଖା ହେଲେ ଏଠି ଏକ ସାଧାରଣ ପ୍ରଶ୍ନ-“How did you spend your week end ?” ତମର ସପ୍ତାହ-ଶେଷ କିପରି କଟେଇଲ ?

ଡେଲି ମେଲ୍‍ ର ଅଣ୍ଡିର କାନଭାଷିଣୀ–ମୁଁ କହିଛି ଏଠି ପ୍ରତି ଦଶ ଜଣରେ ଛ ଜଣ ସ୍ତ୍ରୀ ଦେଖିବ । ଇଏ ହେଲା ଚିତ୍ରଙ୍ଗଦାର ଦେଶ । ଦିନେ ସକାଳୁ ମୁଁ ଓହ୍ଲେଇ ତଳେ ଥିବା ହୋଟେଲକୁ ବ୍ରେକ୍‍ଫାଷ୍ଟ ଖାଇବା ପାଇଁ ଆସି ଦେଖେ ତ ପଞ୍ଝାଏ ମାଇକିନା ବସି ଗପ କରୁଛନ୍ତି । ସେତେବେଳକୁ ଆଉ କେହି ଆସି ନ ଥାନ୍ତି । ମତେ ସଙ୍କୋଚ ଲାଗିଲା-ମୁଁ ଥପ ଥପ ହୋଇ ଚାଲି ଆସିଲା ବେଳକୁ ସେମାନେ ଡାକିଲେ । ମୁଁ ଗଲି । ଜଣେ ଚୌକୀ ପକେଇ ମତେ ବସେଇଲା-ମୁଁ ସଙ୍କୋଚରେ ନିଆଁ ପାଖରେ ବସିଲି । ସେମାନେ ନିଆଁକୁ ଘେରି ଅର୍ଦ୍ଧ ବୃତ୍ତାକାରରେ ବସିଥାନ୍ତି । ସେମାନଙ୍କର କୌଣସି ପ୍ରକାର ସଙ୍କୋଚ ନାହିଁ । ପୁରୁଷ ପରି ସିଗାରେଟ୍ ଫୁଁକା ଚାଲିଛି; ହେଁ, ହେଁ, ହସ, ଗପ-ଠିକ୍ ପଞ୍ଝାଏ ପୁରୁଷ ଯେପରି-। ମୁଁ କ୍ରମେ କ୍ରମେ ମୋ ପାଖରେ ବସିଥିବା ସ୍ତ୍ରୀ ସାଥିରେ କଥା ହୋଇ ବୁଝିଲି ଯେ ସେମାନେ ଡେଲି ମେଲ୍ ନାମକ ଖବରକାଗଜର କାନ୍‍ଭାସାର । ଏଇ ନ’ଟା ବେଳୁ ଯିବେ ଯେ ରାତିକି ଫେରିବେ-ସପ୍ତାହରେ ତିରିଶ ଶିଲିଂ ପାରିଶ୍ରମିକ ପାନ୍ତି । ପଚାରି ବୁଝିଲି ‘ଡେଲି ମେଲ୍’ର ବିକ୍ରି ଦୁଇ ମିଲିୟନ୍ ବା କୋଡ଼ିଏ ଲକ୍ଷ । ତଥାପି ଆହୁରି ବେଶି ବିକ୍ରି ପାଇଁ ଚେଷ୍ଟା । ଏଇଥିରୁ ଜାଣିବ ଏମାନଙ୍କର ସବୁ ଦିଗରେ କିପରି ବିରାଟ ଚେଷ୍ଟାସବୁବେଳେ ଆଗକୁ ମାଡ଼ିବା ପାଇଁ ଅଭିଳାଷ । ଆମର କଥାବାର୍ତ୍ତା ଶୁଣି ମଝିରେ ଥିବା ଜଣେ ବୟସ୍କା କହିଲା-“ସେ କିଏ ସେ ? ଇଂରେଜୀ କହୁଛି ଯେ !” ତା ପରେ ମୁଁ ତା’ ସାଥିରେ ବି କଥା ହେଲି । କ୍ରମେ ଭଲ ଆଳାପ ହେଲା-। ସେମାନଙ୍କ ଭିତରେ କିଏ ବିବାହିତା ଅବିବାହିତା ପଚାରିଲି । ସେମାନେ ବିନା ସଙ୍କୋଚରେ ଯିଏ ଯାହା ତାହା କହିଲେ । ତାଙ୍କ ଭିତରେ ଜଣେ ଯୁବତୀ ଥିଲା । ସେ ବିବାହ କରିଛି ଖୁବ୍ ନିକଟରେ; କିନ୍ତୁ ସେ ପିଲାପରି ଦିଶୁଛି । ମୁଁ ତେଣୁ କହିଲି, “ସେ ତ ବିବାହ ବୟସର ହେଲାପରି ଦିଶୁନି ।’’ ସେ ବାଳିକା ନିଜେ ଉତ୍ତର ଦେଲା-“କି ! ବର୍ତ୍ତମାନ ମୋତେ କୋଡ଼ିଏ ବର୍ଷ । ମୋର ବିବାହର ବୟସ ଯଥେଷ୍ଟ-।” ଆମ ଦେଶରେ ବିବାହ କଥା ପକେଇଲେ ବାଳିକାମାନେ କାହିଁ ଯାଇ ବାରିଆଡ଼େ ଲୁଚନ୍ତି । ମୁଁ ପୁଣି ପଚାରିଲି, “ତମର ସ୍ୱାମୀ କଣ କରେ ?’’ ସେ କହିଲା, “ସେ ପୋଷ୍ଟ ଅଫିସରେ କାମ କରେ-।” ବେଶ୍ ସ୍ୱାମୀ ଓ ସ୍ତ୍ରୀ ଉଭୟେ କାମ କଲେ ଓ ପଇସା ପାଇଲେ । ବର୍ତ୍ତମାନ ସେମାନେ ପଇସା ଜମା କରୁଛନ୍ତି-ବେଶି କିଛି ହେଲେ ଘର କିଣିବେ । ସ୍ତ୍ରୀ ହୁଏତ କାମ ଛାଡ଼ି ଘର ଦେଖିବ, ପିଲା ହେଲେ ପିଲା କଥା ବୁଝିବ । ସେମାନେ ଯେତେବେଳେ ବିଦାୟ ନେଲେ ସମସ୍ତଙ୍କ ସଙ୍ଗେ କରମର୍ଦ୍ଦନ ଓ ସୁଖମୟ କ୍ରିଶମାଶ୍ ଜଣେଇଲି-ତାହାହିଁ ପ୍ରଥା । ବିବାହିତା ବାଳିକାଟିର କରମର୍ଦ୍ଦନ କଲାବେଳେ କହିଲି, “ତମର ବିବାହିତ ଜୀବନ ସୁଖମୟ ହେଉ, ଏହାହିଁ ଇଚ୍ଛା କରେ ।” ସେ ଧନ୍ୟବାଦ ଦେଲା ଓ ମୁଁ ବିବାହ କଲେ ମୋ ଭାଗ୍ୟରେ ବି ସେଇୟା ଘଟୁ, ତାହା ଜଣେଇଲା ।

ସେମାନେ ବିଦାୟ ନେଲାବେଳେ ଯେଉଁମାନେ ଅବିବାହିତା ସେମାନଙ୍କୁ ପଚାରିଲି, “ତମେ ସବୁ ଆଉ ବିଭା ହେବ ନାହିଁ ? ଏ ଦେଶରେ କେବେ ବିଭା ହୁଅନ୍ତି ?” ଯାହାକୁ ପଚାରିଲି ତାକୁ ତିରିଶ ବର୍ଷ । ଉତ୍ତର ମିଳିଲା “ବର୍ତ୍ତମାନ ଗୁଡ଼୍ ଟାଇମ୍ ମିଳୁଛି । ଯେତେବେଳେ ମନ ହେବ ସେତେବେଳେ ବିଭାଘର ହେବ ।” ଏ ଦେଶରେ ବିବାହ ପାଇଁ ବୟସର ବାଧା ନାହିଁ । ଅଶୀ ନବେ ବର୍ଷରେ ବିଭାଘର ହୋଇପାରେ । ସେମାନେ ବିଦାୟ ନେଲା ପରେ ମୁଁ ଭାବିଲି ମୋ ଦେଶର ଓ ଏ ଦେଶର ସ୍ତ୍ରୀମାନଙ୍କ ଭିତରେ କି ପାର୍ଥକ୍ୟ । ଏବେ ଗୋଟେ ମାଗାଜିନ୍‍ରେ ପଢ଼ିଲି ଦି’ଟା ସ୍ତ୍ରୀ କାହାରି ହେଲେ ସାହାଯ୍ୟ ନ ନେଇ କୌଣସି ମଫସଲରେ କାଠର ଦୁଇମହଲା ଘର ତୋଳି ଦେଇଛନ୍ତି । ଏମାନେ ଯେ ପୁରୁଷର ସମାନ, ତା’ତ ସେମାନେ ନିଜେ ପ୍ରମାଣ କରି ଦେଉଛନ୍ତି, ନା-

Image

 

ଇଂଲାଣ୍ଡରେ ଶୀତକାଳ

 

ନିଉକାସଲ୍-ଅନ୍-ଟାଇନ୍

ତା ୨୮।୧୨।୩୭

 

ମୁଁ ୟା ଭିତରେ ଏକାବେଳେକେ ମାଂସ ଛାଡ଼ି ଦେଲିଣି । ଏଠାର କଂସାଇ ଦୋକାନମାନଙ୍କରେ ଚମଡ଼ା ଓଲାରି ଦେଇ ପ୍ରକାଣ୍ଡ ପଶୁ ଶବଗୁଡ଼ାକ ସେଇମତି ଓହଳେଇ ଦିଅନ୍ତି-ସେଗୁଡ଼ାକ ଯେପରି ଦେଖିବାକୁ ଜଘନ୍ୟ, ଦୁର୍ଗନ୍ଧ ସେଇପରି । ତାକୁ ସବୁ ଦେଖି ମୋର ଭୟଙ୍କର ଘୃଣା ଜନ୍ମିଛି-ମୁଁ କେବଳ ରୁଟି, ଅଣ୍ଡା, ଦୁଧ ଓ ଫଳ ମୂଳ ପ୍ରଭୃତି ଖାଉଛି । ଯେଉଁ ହୋଟେଲରେ ଅଛୁଁ ସେ ଅନେକ ସମୟରେ ପାଣିଆ ଦୁଧ ଦେଉଛି ଓ ପୁରୁଣା ଅଣ୍ଡା ମେଣ୍ଢେଇ ଦେଉଛି । ମତେ ବିରକ୍ତ ଲାଗିଲାଣି, ନିକଟରେ ଅନ୍ୟ ଗୋଟେ ଜାଗାକୁ ପରିବର୍ତ୍ତନ କରିପାରେ ।

 

ଦୁଇ ସପ୍ତାହ ତଳେ ଭୟଙ୍କର ବରଫ ପଡ଼ିଥିଲା; ଛ’ ସାତ ଇଞ୍ଚ, କେଉଁଠି କେଉଁଠି ଫୁଟେ ବହଳର ଧପ୍ ଧପ୍ ଧଳା ବରଫ । ରାଜ୍ୟର ଚାରିଆଡ଼-ଗଛର ତାଳପତ୍ରଠୁ ଆରମ୍ଭ କରି ଛାତ, ସଡ଼କ, ପ୍ରାନ୍ତର, ରାସ୍ତା-ଯେଉଁଆଡ଼େ ଆଖି ପଡ଼ିବ କେବଳ ଧଳା ବରଫ । ବଡ଼ ଚମତ୍କାର ଦୃଶ୍ୟ । ଦିନେ ସନ୍ଧ୍ୟାବେଳେ ମୁଁ ନିକଟବର୍ତ୍ତୀ ପ୍ରାନ୍ତରରେ ବରଫର ଆସ୍ତରଣ ଉପରେ ଦଉଡ଼ିଲି । ବହୁଦୂର ଯାଇ ଫେରିଲା ବେଳକୁ କରକାର ବର୍ଷା ଓ ପବନ ମୁହଁ ଉପରେ ବାଜୁଛି । ହାତ ଗୋଡ଼ କାଲ ମାରିଗଲା । କୋଟ ଓ ଟୋପି ଓଦା-କୁଆପଥର ମାଡ଼ରେ ମୁହଁ ଟେକି ହେଉ ନ ଥାଏ, ବଡ଼ କଷ୍ଟରେ ସେଦିନ ଫେରିଲି । ଏହିପରି ଅବସ୍ଥାରେ ପଡ଼ି ଗୋଟେ ବାଳିକା ପ୍ରାଣତ୍ୟାଗ କରିଥିବାର ସମ୍ବାଦ ଚାରିଆଡ଼େ ଖବର କାଗଜରେ ବାହାରିଥିଲା । ଆମର ସେଠି ବନ୍ୟାରେ ଯେପରି ସବୁ ଘଟେ, ଏଠି ବରଫ ଯୋଗୁଁ ସେହିପରି ଘଟେ । ଗାଁ ଗଣ୍ଡାକୁ ରାସ୍ତା ବନ୍ଦ ହୋଇଯାଏ, ରେଲ ଓ ରାସ୍ତା ଦୁର୍ଘଟଣା ହୁଏ, ଲୋକେ ଖାଦ୍ୟ ପାଇ ପାରନ୍ତି ନାହିଁ ଇତ୍ୟାଦି । ଏ ବର୍ଷ ଗୋଟେ ରେଳ ଦୁର୍ଘଟଣାରେ ଛତିଶ ଜଣ ଲୋକ ମରିଗଲେ । ଅବଶ୍ୟ ତମର ଧାରଣା ଥାଇପାରେ ଏଠି ଶୀତଦିନଯାକ ବରଫ-ମୋର ବି ସେଇ ଧାରଣା ଥିଲା-ତା’ ନୁହେ । ଆମର ଯେମିତି ବର୍ଷାକାଳରେ କେବେ କେବେ କୁଆପଥର ପଡ଼େ, ଏଠି ବରଫ ସେହିପରି । ତେବେ ବରଫ ପ୍ରତିବର୍ଷ ଏଠି ପଡ଼ିବଇ ପଡ଼ିବ-ଏକାଧିକ ଥର । ଆମର କୁଆପଥର ପଡ଼ିପାରେ ନ ପାରେ । ବର୍ତ୍ତମାନ ରାସ୍ତାଘାଟ ସଫା । ଶୀତ ବି ଟିକିଏ କମିଛି । କହିବାକୁ ଗଲେ, ଏଠା ଶୀତର ଅତିରଞ୍ଜିତ ଧାରଣା ଆମର ଅଛି । ଶୀତ ଏକାବେଳକେ ଅସହ୍ୟ ହୁଏ-ପୋଷାକପତ୍ର ଥିଲେ ଶୀତ ଆଦୌ ଜଣା ପଡ଼ିବାର ନୁହେଁ ।

 

ଶୀତଦିନ-ଏଠି ଦିନ ସାଢ଼େ ଚାରିଟା ବେଳୁ ରାତି ହୋଇ ଯାଉଛି ଓ ଦିନ ଆଠଟା ବେଳକୁ ଆଲୁଅ ହେଉଛି । ଏଠାରେ ଲୋକେ ରାତିରେ କାମ କରିବାରେ ଅଭ୍ୟସ୍ତ ନ ହେଲେ ଦୀର୍ଘ ରାତ୍ରି କଟିବ କିପରି ? ଏଠାରେ ପାର୍ଲିଆମେଣ୍ଟ ରାତିରେ ବସେ । ନାଚ ଇତ୍ୟାଦି ମଉଜ ତ ରାତି ଗୋଟେ ଦି’ଟା ପର୍ଯ୍ୟନ୍ତ ଚାଲେ । ଦିନଯାକ ମେଘୁଆ-ସୂର୍ଯ୍ୟଙ୍କର ଦେଖାନାହିଁ ଯେବେ ଦେଖା ହେବ ତେବେ ଆମର ଅସ୍ତଗାମୀ ସୂର୍ଯ୍ୟପରି ରକ୍ତ-ପିଣ୍ଡ, କାରଣ ଆକାଶ ସବୁବେଳେ କୁହେଳି ଓ ମେଘରେ ଆଚ୍ଛନ୍ନ । ସୂର୍ଯ୍ୟ ମୁଣ୍ଡ ଉପରକୁ ଆସେ ନା-ଦିଗ୍‍ବଳୟର ଗୋଟିଏ ଧାରରେ ଗୋଟିଏ କ୍ଷୁଦ୍ର ଅନୁଇ ବୃତ୍ତାଂଶ ଅଙ୍କନ କରି ସେ ଚାଲିଯାଏ । ଏ ହେଲା ପଶ୍ଚିମ ଦେଶ । ଯେଉଠିଁ ସୂର୍ଯ୍ୟ ତା’ର ତେଜ ହରେଇ ଅସ୍ତ ଯିବାର କଥା-ତେଣୁ ସୂର୍ଯ୍ୟର ବୋଧେ ଏ ହୀନ ଦଶା ।

 

ଇଂରେଜ ବାଳିକାର କରୁଣ କାହାଣୀ–ଏ ଦେଶରେ ଆଚାର ବ୍ୟବହାର ଯେତେ ପୃଥକ୍ ହେଲେ ମଧ୍ୟ ମନୁଷ୍ୟର ସ୍ୱାଭାବିକ ପ୍ରବୃତ୍ତି ସବୁ ଯେ ସବୁଠି ସମାନ ତାହା ଏମାନଙ୍କ ସଙ୍ଗେ ମିଶି ଏମାନଙ୍କର ଜୀବନ-ଇତିହାସ ଜାଣିଲେ ସହଜରେ ଜଣାପଡ଼େ । ଦିନେ ଖବରକାଗଜରେ ପାଞ୍ଚଟି ବାଳିକାର କରୁଣ ପତ୍ର ପଢ଼ିଲି-ସେମାନେ ସେମାନଙ୍କର ବା ସେମାନଙ୍କର ସନ୍ତାନମାନଙ୍କର ଜାରଜ ଜୀବନ ବର୍ଣ୍ଣନା କରିଛନ୍ତି । ଓଃ, କି କରୁଣ ଓ ଜୀବନ୍ତ ସେ ଇତିହାସ ! ମୁଁ ତୁମକୁ ଜଣକର କଥା ତଳେ ଅନୁବାଦ କରି ଦେଲି :-

 

“ମତେ ଯେତେବେଳେ ସାଢ଼େ ଊଣେଇଶ ବର୍ଷ-ମୁଁ ଗୋଟେ ଦୋକାନରେ ଚାକିରୀ ପାଇଲି । ମୋର ମାଲିକ ମୋଠୁଁ ପାଞ୍ଚ ବର୍ଷ ବଡ଼ । ମତେ ଚାକିରୀରୁ ତଡ଼ି ଦେବ ଏଇ ଭୟରେ ତା’ର ମୋର ସମ୍ବନ୍ଧ ଘଟିଗଲା । ପନ୍ଦର ଦିନ ଖଣ୍ଡେ ଭୟରେ ମୁଁ ଆତ୍ମସମର୍ପଣ କଲି ଓ ତା’ପରେ ମତେ ସେ ବାହାର କରିଦେଲା । କେତେ ସପ୍ତାହ ପରେ ଜାଣିଲି ଯେ ମୁଁ ମା’ ହେବାକୁ ଯାଉଛି । ମୋ ପିଲାକୁ ଏଗାର ଦିନ ହେଲା ବେଳେ ତା’ର ବାପ ଆସି ମତେ କହିଲା ଯେ ସେ ମାସକ ପୂର୍ବରୁ ଆଉ ଜଣକୁ ବିବାହ କରି ସାରିଛି । ମୁଁ ମୋ ନିଜ ପରିବାରରେ ରହିଲି; କିନ୍ତୁ ସେମାନେ ମୋ ସଙ୍ଗେ କୌଣସି ପ୍ରକାର ସମ୍ପର୍କ ରଖିବାକୁ ଏକାନ୍ତ ଅନିଚ୍ଛା ପ୍ରକାଶ କଲେ । ଦିନେ ରାତିରେ ମୁଁ ଶୋଇବାକୁ ଚେଷ୍ଟା କରୁଥାଏ; କିନ୍ତୁ ପ୍ରତିଥର ଅଶ୍ରୁଧାରା ମତେ ବିହ୍ୱଳ କରିପକାଉଥାଏ । ମୁଁ ଶେଯରୁ ଉଠିଲି । ମୋର ବାଇବେଲ ବାହାର କଲି ଏବଂ ଈଶ୍ୱର ମତେ କ୍ଷମା ଓ ସାହାଯ୍ୟ କରିବେ କି ନାହିଁ ଦେଖିବାକୁ ଚେଷ୍ଟା କଲି । ମୁଁ ଏହି ବାକ୍ୟ ପଢ଼ିବାକୁ ପାଇଲି, “ତତେ ଦୀର୍ଘ ଜୀବନ ଦ୍ୱାରା ସନ୍ତୋଷ ଦାନ କରିବି ଓ ମୋର ତ୍ରାଣଶକ୍ତି ଦେଖେଇବି ।” ସେହି ମୁହୂର୍ତ୍ତରୁ ମୁଁ ଦୃଢ଼ ପ୍ରତିଜ୍ଞା କଲି ଯେ, ମୁଁ ପ୍ରତି ଶିଶୁର ପ୍ରାପ୍ୟ ମାତୃ-ସେବା ଓ ମାତୃ-ସ୍ନେହ ମୋ ଶିଶୁକୁ ନିଶ୍ଚେ ଦେବି ଓ ସେଥିପାଇଁ ପ୍ରାଣପାତ କରି ଯୁଦ୍ଧ କରିବି । ସେଥିଲାଗି ମୁଁ ମୋର ସ୍ୱାସ୍ଥ୍ୟକୁ ଆହୂତି ଦେଇଛି ।

 

ଦୁଇ ସପ୍ତାହ ବେକାର ରହିବା ପରେ ମୋର ଭାଗ୍ୟ ଦିନେ ବଦଳିଲା ଓ ମୁଁ ଗୋଟେ ଚାକିରୀ ପାଇଲି ଏବଂ ମୋର ଟୋକଲି ଗୋଟେ ସ୍କୁଲରେ ମାହାଳିଆ ପଢ଼ିବାର ସୁବିଧା ମଧ୍ୟ ପାଇଲା । ଭଗବାନ ମତେ ଓ ମୋର ଶିଶୁକୁ ଯେ ଏପରି ଦୟା କଲେ, ଏହା ଭାବି ମୁଁ ଆନନ୍ଦରେ ବିହ୍ୱଳ ହୋଇଗଲି ।

 

ବର୍ତ୍ତମାନ ସେ ସୁନ୍ଦର ହୋଇ ବଢ଼ିଗଲାଣି ଓ ମୁଁ ତାକୁ ନେଇ ଗର୍ବ କରେ ।

 

ବର୍ତ୍ତମାନ ତାକୁ ଅନେଇ ମୁଁ ଗତକଥା ସବୁ ମନେ ପକେଇଲେ ଓ ଏକା ଏକା କିପରି ତାକୁ ବଢ଼େଇ ଆଣିଲି ଭାବିଲେ ମୋର ହୃଦୟ ଈଶ୍ୱରଙ୍କୁ ପ୍ରତି କୃତଜ୍ଞତାରେ ଭରି ଉଠେ । ଗୋଟିଏ ବାଳିକା ଯୌବନର ଭ୍ରମପାଇଁ ସାମାନ୍ୟତମ ସୁଖ ଓ ସୁବିଧାରୁ ମଧ୍ୟ ବଞ୍ଚିତ ହୋଇଥିଲା ଦୟାମୟ ଈଶ୍ୱର ତାକୁ ସାହାଯ୍ୟରେ ଉପଯୁକ୍ତ ବିବେଚନା କଲେ ।” M. S. M (ସ୍ତ୍ରୀର ନାମ) ।

 

ସନ୍ତାନ ଦାୟିତ୍ୱ ଓ ଜନ୍ମ ନିରୋଧ

 

ନିଉକାସଲ୍-ଅନ୍-ଟାଇନ୍

୧୧।୧।୩୮

 

ଏ ଦେଶରେ ପ୍ରକୃତ ପ୍ରଣୟକୁ ସ୍ୱପ୍ନ, ମାୟା, ମିଥ୍ୟା ବୋଲି ଭାବନ୍ତି । ମନେ କରନ୍ତି ତାହା କେବଳ କେତୋଟି ମୁହୂର୍ତ୍ତର ଉନ୍ମାଦନା; ଯାହା ଆସେ କେବଳ ଯିବାପାଇଁ ଓ ପଛରେ ରଖି ଦେଇଯାଏ କେବଳ ଗୋଟାଏ ଆସଙ୍ଗ ଲିପ୍‍ସା, ଯାହାକୁ କି ଲୋକେ ଭୁଲରେ ପ୍ରେମ କହନ୍ତି । ବିବାହିତ ଜୀବନର ପ୍ରେମ କେବଳ ଏହି ଆସଙ୍ଗ ଲିପ୍‍ସା-ପାଖରେ ଜଣେ ଲୋକ ରହିବାର ଇଚ୍ଛା । ଅଧିକାଂଶ ବିବାହରେ ପ୍ରେମ ଶେଷରେ ଏହିଥିକି ଆସେ ମଧ୍ୟ ।

 

ଜଣେ ପାର୍ଲିଆମେଣ୍ଟ ମେମ୍ବର ଏବେ ଇସ୍ତଫା ଦେବେ ବୋଲି ଜଣେଇଛନ୍ତି । କାରଣ କ’ଣ ଜାଣ ? ତାଙ୍କର ପୁଅ ବଡ଼ ହୋଇ ଗଲାଣି ଇସ୍କୁଲକୁ ଯିବ; କିନ୍ତୁ ତାକୁ ଦେଖାଦେଖି କରିବାକୁ କେହି ନାହିଁ । ଏଣେ ପାର୍ଲିଆମେଣ୍ଟ କାମ କଲେ ପୁଅର ଭବିଷ୍ୟତ ନଷ୍ଟ ହେବ ତେଣୁ ସେ ମେମ୍ବର ପଦର ଦାୟିତ୍ୱ ଆଉ ମୁଣ୍ଡେଇବେ ନାହିଁ । ବାପ ପଦର ଦାୟିତ୍ୱ ତାଙ୍କୁ ମୁଣ୍ଡେଇବାକୁ ହେବ । ଏଇଥିରୁ ତମେ ଅନୁମାନ କରିବ, ଏ ଦେଶରେ ପିଲାଙ୍କୁ ମନିଷ କରିବାକୁ ସେମାନେ କଣ ନ କରନ୍ତି ? ଏଥିରେ ଜାତି ଗଢ଼ା ନ ହେବ କାହିଁକି ? ଆଜିର ପିଲାଏ ତ କାଲିର ଜାତି-ଆଜିର ପିଲା ଯେମିତି ମନିଷ ହେବେ, କାଲିର ଜାତି ସେମିତିକା ଜାତି ହେବ । ଏହି ମଣିଷ କରିବାର ଚିନ୍ତା ଯୋଗୁଁ ଅନେକ ବାପା ମା ନିଃସନ୍ତାନ ରହୁଛନ୍ତି ପଛେ, ପିଲା କରୁନାହାନ୍ତି । ମୁଁ ଅନେକ ପତି-ପତ୍ନୀ ଏଠି ଦେଖିଲିଣି, ସେମାନଙ୍କର ପିଲା ନାହିଁ-ପଚାରିଲେ କହିବେ, ଆମେ ଦରକାର କରୁ ନା-ନ ହେଲେ କହିବେ, “ତୋପର ଖାଦ୍ୟ ହେବାକୁ ପିଲା ଜନ୍ମ କରିବୁଁ ?’’ ଅବଶ୍ୟ ଏହି ଜନ୍ମ-ନିରୋଧ ପାଇଁ ଏ ଦେଶରେ କେହି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ନାହିଁ । ବ୍ରହ୍ମଚର୍ଯ୍ୟର ଧାରଣା ଏମାନଙ୍କର ନାହିଁ-। ସାଧାରଣତଃ ବିବାହିତ ପୁରୁଷସ୍ତ୍ରୀ ଜନ୍ମନିରୋଧ ଲାଗି ନବ ଆବିଷ୍କୃତ ଯନ୍ତ୍ରସବୁ ବ୍ୟବହାର କରନ୍ତି-। ଗାନ୍ଧିଜୀ ଏ ସବୁର ଭୟଙ୍କର ଶତ୍ରୁ, କିନ୍ତୁ ମୁଁ ଏଥିରେ କୌଣସି ଅନ୍ୟାୟ ଦେଖୁ ନି । ବ୍ରହ୍ମଚର୍ଯ୍ୟ ଅତ୍ୟନ୍ତ କାମ୍ୟ ସାଧନା, କିନ୍ତୁ ଯେଉଁ ସାଧନାର ପଥ ମହାଯୋଗୀ ପାରହୋଇ ପାରି ନାହାନ୍ତି, ସାଧାରଣ ନରନାରୀ ପକ୍ଷରେ ତାହା କିପରି ସମ୍ଭବ, ଗାନ୍ଧିଜୀ ବୁଝି ନାହାନ୍ତି । ଦୈହିକ ମିଳନ ଯେ ମାନବିକ ପ୍ରେମାନୁଭୂତିର ସୁଖ-ସମାପ୍ତି ତାହା ତ କାବ୍ୟ କବିତାରେ ଜଗତର ଶ୍ରେଷ୍ଠ କବିମାନଙ୍କ ଦ୍ୱାରା ପ୍ରଚାରିତ ହୋଇଛି । କିନ୍ତୁ ଜଗତର ସକଳ ସୁଖ ଭିତରେ ଦୁଃଖର ମଞ୍ଜି ନିହିତ ଥିଲା ପରି, ଏହି ମଧୁର ମିଳନ ଭିତରେ ବିଧାତା ବଂଶବୃଦ୍ଧିର ଦାୟିତ୍ୱକୁ ଲୁଚେଇ ରଖିଚି । ଆଜିକାଲିର ଜଗତରେ ଏହି ବଂଶବୃଦ୍ଧି ଏକ ବିରାଟ ଦାୟିତ୍ୱ । ପିଲା ଜନ୍ମ ହେଲାଠୁ ଅଜସ୍ର ଭାବରେ ଅର୍ଥବ୍ୟୟ ଦରକାର-ତାକୁ ମଣିଷ କରିବାକୁ । ମଣିଷ କରି ସାରିଲା ପରେ ଦେଖିବ ଯେ ସେ ବେକାର । ଜଣେ ପିତାର ଯଦି ଏହିପରି ୪।୫ଟି ପିଲା ହୁଅନ୍ତି, ତାର ଜୀବନର ଦୁଃଖ ଅନୁମେୟ । ଆମ ଦେଶ ଅପେକ୍ଷା ଏ ଦେଶରେ ଏ ବିପଦ ଅଧିକତର ତୀବ୍ର ଓ ଭୟଙ୍କର । କାରଣ ଏଠି ବଞ୍ଚିବା, ଆମ ଦେଶର ବଞ୍ଚିବା ଅପେକ୍ଷା ବହୁଗୁଣ ବ୍ୟୟସାଧ୍ୟ । ଏଥିରେ ଦମ୍ପତିମାନେ ଯଦି ଜନ୍ମନିରୋଧଦ୍ୱାରା ବଂଶ କ୍ଷୀଣ କରିବାକୁ ବସନ୍ତି, ମୁଁ ତ କିଛି ଅନ୍ୟାୟ ଦେଖୁନି । ବର୍ତ୍ତମାନ ଏମାନଙ୍କର ଜନ୍ମସଂଖ୍ୟା ଭୟଙ୍କର ଭାବରେ କମୁଛି-ଦେଶର ଚାରିଆଡ଼େ ଆନ୍ଦୋଳନ-ସ୍କୁଲ-ମାନଙ୍କରୁ ପିଲା କମି ଯାଉଛନ୍ତି । ଭାରତବର୍ଷରେ ଏହାର ଠିକ୍ ଓଲଟା । ସେଠି ଜନ୍ମସଂଖ୍ୟା ଏତେ ବଢ଼ୁଛି ଯେ, ଆଉ କେତେ ବର୍ଷରେ ଭୟଙ୍କର ଖାଦ୍ୟାଭାବ ଘଟିବ । ଦୂର କଥା ଛାଡ଼, ବର୍ତ୍ତମାନ ମଧ୍ୟ କେତେଟା ପିଲା ଭଲ ଖାଇବାକୁ ପାନ୍ତି ? ଅବାଧ-ଜନନ ଦ୍ୱାରା ଦୁରାହାର ଓ ରୋଗକ୍ଳିଷ୍ଟ ପିଲା-ପଲ ସୃଷ୍ଟିକରି ଦେଶରେ ଖାଦ୍ୟାଭାବ ଘଟେଇବା ଅପେକ୍ଷା, ନିରୁଦ୍ଧଜନନ ବଳରେ ଅଳ୍ପ ପିଲା ଜନ୍ମ କରି ସେମାନଙ୍କୁ ମଣିଷ ପରି ବଞ୍ଚିବାର ସୁବିଧା ଦେବା ଅଧିକ ଶ୍ରେୟସ୍କର ।

 

ମୁଁ ଚର୍ଚ୍ଚକୁ ବରାବର ଯାଏ । ସେଠି ଅନେକ ଭଲ ମଣିଷ ଦେଖିବାକୁ ମିଳନ୍ତି । ଗତ ଶୁକ୍ରବାର ଚର୍ଚ୍ଚ ସଂପର୍କୀୟ ଗୋଟିଏ ନୀତି-ସଭାକୁ ଯାଇଥିଲି । ପାଦ୍ରୀ ଆତ୍ମଜ୍ଞାନ ସମ୍ବନ୍ଧରେ ଚମତ୍କାର ବକ୍ତୃତାଟିଏ ଦେଲେ । ଅନେକ ସ୍ତ୍ରୀପୁରୁଷଙ୍କ ସହିତ କଥାବାର୍ତ୍ତା ହେଲା । ଏ ସବୁରେ ଯୋଗ ଦେବାରେ ଉଭୟ ଆଡ଼ୁ ଲାଭ । ମୁଁ ସେମାନଙ୍କୁ ଜାଣୁଛି, ସେମାନେ ମୋଠାରୁ ଭାରତବର୍ଷର କଥା ଜାଣୁଛନ୍ତି । ଜାନୁଆରୀ ତେରଶ ତାରିଖ ରବିବାର ଦିନ ମୁଁ ଏହିପରି ଏକ ଚର୍ଚ୍ଚ ସମ୍ପର୍କୀୟ ଗୋଟିଏ ଛୋଟ ସଭାରେ “ଭାରତରେ ଖ୍ରୀଷ୍ଟଧର୍ମ୍ମ” ସମ୍ବନ୍ଧରେ କିଛି କହିବାପାଇଁ ଅନୁରୁଦ୍ଧ ହୋଇଛି । କିଛି ଦିନ ପରେ ଯେଉଁ ପାଦ୍ରୀ ‘ଆତ୍ମଜ୍ଞାନ’ ବିଷୟରେ ବକ୍ତୃତା ଦେଇଥିଲେ ତାଙ୍କ ଘରକୁ ମତେ ସେ ନିମନ୍ତ୍ରଣ କରିଥିଲେ ।

 

ଏ ଦେଶର ହୋଟେଲବାଲା–ଏ ଦେଶର ଭାରତବର୍ଷ ସମ୍ବନ୍ଧରେ ଜ୍ଞାନ ଅବଶ୍ୟ କମ୍; କିନ୍ତୁ ଭାରତବର୍ଷ ସମ୍ବନ୍ଧରେ ଏଠାରେ ଖବରକାଗଜରେ କିଛି ହେଲେ ବାହାରେ ନାହିଁ- ଲୋକେ ଜାଣିବେ କୁଆଡ଼ୁ ? ଅବଶ୍ୟ ପାଟିଆଲା, ଆଗାଖାଁ ପ୍ରଭୃତିଙ୍କ କଥା ବାହାରେ- ଲୋକେ ତାଙ୍କ କଥା ବେଶ୍ ଜାଣନ୍ତି । ଭାରତବର୍ଷରେ ନୂତନ ଶାସନ ବିଷୟରେ ପାଦ୍ରୀଠୁ ଆରମ୍ଭ କରି ଆମର ହୋଟେଲବାଲା ପର୍ଯ୍ୟନ୍ତ ମୋ ସାଙ୍ଗରେ କଥା ହୋଇଛନ୍ତି ଏବଂ ହୋଟେଲବାଲା କହେ ଯେ, ଭାରତବର୍ଷକୁ ସ୍ୱାଧୀନତା ଦେଲେ ସେଠାରେ ଲୋକେ ନିଜ ନିଜ ଭିତରେ ବାଡ଼ିଆପିଟା ହୋଇ ମରିଯିବେ ଓ ତାର ଜାତି ଭାରତକୁ ଧୀରେ ଧୀରେ ସ୍ୱାଧୀନତା ଦେବ । ମୁଁ ମୋ ଜୀବନ କାଳରେ ଭାରତବର୍ଷର କୌଣସି ହୋଟେଲବାଲା ସହିତ ଏହିପରି କଥା ହୋଇ ପାରିଲେ ସୁଖରେ ମରନ୍ତି । ସେ ହୋଟେଲବାଲା ପୃଥିବୀର ସବୁ ଅଞ୍ଚଳ ବୁଲି ଆସିଛି-ତାର ଶ୍ୱଶୁର ମଧ୍ୟ । ଓଡ଼ିଶା ପରି ଦେଶରେ ଏପରି ଗୋଟିଏ ଲୋକ ଗଣ୍ୟମାନ୍ୟ ହୁଅନ୍ତା; କିନ୍ତୁ ଏଦେଶରେ ଏମିତି ଲୋକ ଗଣ୍ଡା ଗଣ୍ଡା-ଇଂରେଜର ସମଗ୍ର ପୃଥିବୀ ଘର । ଆମେ ସିନା ଅଜ୍ଞାତଭାବରେ ପୃଥିବୀର କେଉଁ ଅଜ୍ଞାତ କୋଣରେ ପଡ଼ି ରହିଛୁଁ-ଆମକୁ ଆମ ଦେଶ ଆରପଟେ କେହି ଜାଣନ୍ତି ନାହିଁ । ଓଃ, କି ପ୍ରଭେଦ ! କି ପତନ ! କେବେ କିପରି ବା ଆମେ ଉଠିବା !

Image

 

ନବବର୍ଷର ସମ୍ବର୍ଦ୍ଧନା

 

ନିଉକାସଲ୍

୨-୧-୧୯୩୯

 

କାଲି ନବ ବର୍ଷ ଆରମ୍ଭ ହେଲା । ଏ ଦେଶମାନଙ୍କରେ ନବବର୍ଷାରମ୍ଭ ଏକ ଜାତୀୟ ଉତ୍ସବ । ଆମ ଓଡ଼ିଶାରେ ସୁନିଆଁ କହିଲେ ଗରିବ ପ୍ରଜା ଭେଟି କଥାହିଁ ସ୍ମରଣ କରିବ । ତାହା ଛଡ଼ା ଆମ ଦେଶର ଜନସାଧାରଣର ଜୀବନରେ କି ସୁଖ, କି ସ୍ୱପ୍ନ, କି ଆଶା ଅଛି ଯେ, ନୂତନ ବର୍ଷ ଆସିଲେ ବା ପୁରାତନ ବର୍ଷ ଗଲେ ସେମାନଙ୍କ ମନରେ କିଛି ଚାଞ୍ଚଲ୍ୟ ଆସିବ ? ଜନ୍ମରୁ ମୃତ୍ୟୁଯାଏ ସାଧାରମ ଭାରତୀୟ ଜୀବନ ଏକ କ୍ରମାଗତ ଦୁର୍ଦ୍ଦିନ । ସେଥିରେ ତାକୁ କେହି ଯଦି “I wish you a happy and prosperous new year” କହି ସଂବର୍ଦ୍ଧନା କରେ, ତେବେ ତାହା ତ ଏକ ଉପହାସ ବା ଅର୍ଥହୀନ ଗଢ଼ାକଥା ମାତ୍ର ହେବ । କାରଣ ସୁଖ ଓ ସଂପଦମୟ ସମ୍ବତ୍ସର କ’ଣ ସେ ଜାଣେ ନାହିଁ ।

 

କିନ୍ତୁ ଏ ଦେଶ ଆମ ଦେଶରେ ପୃଥିବୀର ସର୍ବତ୍ର ନୂତନବର୍ଷକୁ ଯେ ଲୋକେ ସଂବର୍ଦ୍ଧନା କରନ୍ତି, ଏଥିରୁ ମନୁଷ୍ୟ ଚରିତ୍ରର ଏକାନ୍ତ ଏକତା ବୁଝି ପାରିବ । ଗତ ସେପ୍‍ଟେମ୍ବର ବା ଅକ୍‍ଟୋବର ମାସରେ ଦିନେ ମୋର ପରିଚିତ ଚର୍ଚ୍ଚକୁ ରବିବାରିଆ ଗଲାବେଳକୁ ଦେଖେ ତ ତାହା ପତ୍ରପୁଷ୍ପରେ ସଜ୍ଜିତ ହୋଇଛି । ଉପାସନା ଶେଷରେ ମୁଁ ପଚାରିଲି, ଏହାର ଅର୍ଥ କ’ଣ ? ଉତ୍ତର ମିଳିଲା ଯେ, ଏହା ହାରଭେଷ୍ଟ ଫେଷ୍ଟିଭାଲ ବା ଶସ୍ୟୋତ୍ସବ । ଅର୍ଥାତ୍ ଏ ଦେଶର ଗ୍ରୀଷ୍ମଋତୁ ଶେଷରେ ଶସ୍ୟ କର୍ତ୍ତନ କରି, କୃଷକ ତାହା ଘରେ ସଂପାଦି ସାରିଲା ପରେ ସମଗ୍ର ଜାତି ନବାଗତ ଶସ୍ୟ ଲାଗି ଭଗବାନଙ୍କ ନିରକଟରେ କୃତଜ୍ଞତା ଜ୍ଞାପନ କରେ, ଏହି ଉତ୍ସବ ଦେଇ । ସେ ଦିନ ପ୍ରାର୍ଥନାରେ ପାଦ୍ରୀ ମଧ୍ୟ ଭଗବାନଙ୍କୁ ଉଦ୍ଦେଶ୍ୟ କରି ଏହି କଥା କହିଲେ । ଆମର ନବାନ୍ନ ଉତ୍ସବ ଠିକ୍ ଏଇ ଉଦ୍ଦେଶ୍ୟରେ ସଂପନ୍ନ ହୁଏ । ବିଧାତା ବର୍ଷକ ଲାଗି ଯେଉଁ ଦାନ ଦେଇଛନ୍ତି, ତାର ପ୍ରଥମ ଭୋଗ ବେଳେ ତାଙ୍କୁ ମନେ କରି କୃତଜ୍ଞ ହେବା ଓ ଭାଇ ବନ୍ଧୁ ପଡ଼ୋଶୀଙ୍କି ଡାକି କଷ୍ଟଲବ୍‍ଧ ସମ୍ପଦରେ ଅନ୍ତତଃ ଦିନକ ପାଇଁ-ସେଇ ତ ଆମର ନବାନ୍ନ ଭୋଜି ! କ୍ରମେ କ୍ରମେ ଏଇ ସୁନ୍ଦର ଯୁକ୍ତିଯୁକ୍ତ ପ୍ରଥାସବୁ ଦୁର୍ବଳ ହୋଇ ଯାଉଛି । ଶିକ୍ଷିତ ଲୋକେ ଗ୍ରାମ୍ୟ ଜୀବନର ଏଇ ସରଳ ଆନନ୍ଦୋତ୍ସବରେ ଯୋଗ ନ ଦେଇ କଟକ କଲିକତାରେ ଅଜସ୍ର ଟଙ୍କା ଖର୍ଚ୍ଚ କରି ଆନନ୍ଦ ଖୋଜୁଛନ୍ତି-। ଗ୍ରାମ୍ୟ ଜୀବନର ଓ ଜାତୀୟ ଜୀବନର ସ୍ୱତନ୍ତ୍ର ମୌଳିକ ଚରିତ୍ର କ୍ରମେ ମେରୁଦଣ୍ଡ ହରାଉଛି । ଅଥଚ ଆମର ଶିକ୍ଷିତ ଲୋକେ ଜାଣନ୍ତି ନି ଯେ, ଏହି କଳକାରଖାନା-ମଟର-ଏରୋପ୍ଲେନ୍-ଚାଳିତ ଜାତି ତା’ର ଗତଯୁଗର ପଲ୍ଲୀ ସଂସ୍କାର ସବୁ ଛାଡ଼ିବାକୁ ନାରାଜ । ନିଉକାସଲ୍ ସହରରେ କୌଣସି କୃଷକ ବାସ କରେ ନାହିଁ । ଏଇଟା କାରଖାନିଆ ସହର; ଅଥଚ ସହରର ଏକାଧିକ ଚର୍ଚ୍ଚରେ ଶସ୍ୟୋତ୍ସବ ପାଳିତ ହେବାର ମୁଁ ଦେଖିଛି । କଟକରେ କେଉଁ ଶିକ୍ଷିତ ଓଡ଼ିଆ ନବାନ୍ନ ପାଳନ କରୁଥିବାର ଜାଣିଲେ ତାକୁ ଜାତୀୟ ବୀର ବୋଲି ମୁଁ ମାନିବାକୁ ପ୍ରସ୍ତୁତ । ଭବାନିପାଟଣାରେ ଏହି ନବାନ୍ନ ଉତ୍ସବ ଏକ ପ୍ରଧାନ ଉତ୍ସବ । ମୋର ମନେ ଅଛି, ମୋର ଛାତ୍ରମାନେ ଏହି ଉତ୍ସବବେଳେ ନୂଆ ଲୁଗା ପିନ୍ଧି ମତେ ନମସ୍କାର କରିବାକୁ ସେଦିନ ଆସିଥିଲେ ଓ ଅନେକ ଦିନ ଯାଏ ଚାଙ୍ଗୁ-ମୁନ୍ଦରାର ମନ୍ଦ୍ରଧ୍ୱନିରେ ଚାରିଆଡ଼େ ଗ୍ରାମାଞ୍ଚଳ ଧ୍ୱନିତ ହୋଇ, ନୂତନ ଶସ୍ୟ କୃଷକ ଜୀବନରେ କି ଆଶା ସଂଚାର କରାଇଥାଏ ତାହାର ସୂଚନା ଦେଉଥାଏ । ଏ ତ ଗଲା ଶସ୍ୟୋତ୍ସବ । କିନ୍ତୁ ଏମାନଙ୍କର ନବବର୍ଷ ପାଳନା ଏହାଠାରୁ ଆହୁରି ଅଧିକ କୌତୁକକର । ଏମାନେ ନିଜକୁ ସଭ୍ୟ କହି ଆମକୁ ଅସଭ୍ୟ ଓ କୁସଂସ୍କାରାଚ୍ଛନ୍ନ ଜାତି ବୋଲି ଅବଜ୍ଞା କରନ୍ତି । କିନ୍ତୁ ନିଜର କେତେ କୁସଂସ୍କାର ଅଛି, ତାହା ଏମାନେ ଭୁଲିଯାନ୍ତି । ମୋର ମନେ ନାହିଁ, ମୁଁ ମୋର ଆରବର୍ଷର ନବବର୍ଷର ଅଭିଜ୍ଞତା କହିଛି କି ନାହିଁ । ବୋଧହୁଏ କହିନି । କିନ୍ତୁ ତାହା ବଡ଼ ଚମତ୍କାର ଅଭିଜ୍ଞତା- ଯାହା କି କ୍ୱଚିତ ଭାରତୀୟ ଛାତ୍ରଙ୍କ ଭାଗ୍ୟରେ ଘଟିଥିବ ଏବଂ ଆରବର୍ଷର ଅନୁଭୂତି ଏ ବର୍ଷର ଅନୁଭୂତି ସଙ୍ଗେ ଜଡ଼ିତ । ତେଣୁ ଆରବର୍ଷର କଥା କହେଁ ।

 

ମି : ଓ ମିସେସ୍ ଡିକ୍‍ସନ୍ ମି: ବେହୁରାଙ୍କର ପରିଚିତ ପରିବାର । ସେହି ସୂତ୍ରରେ ସେମାନେ ମତେ ଜାଣିଲେ । ଭାରି ଭଲ ଲୋକ, ସାଧାରଣ, ନୁହେ ଧନୀ-ଦରିଦ୍ର ଅବସ୍ଥା, ମଦ ବିକି ଜୀବିକାର୍ଜନ କରନ୍ତି । ମୁଁ ପୂର୍ବେ କହିଛି ବାରମ୍ବାର ଯେ, ଏ ଦେଶରେ ବ୍ୟବସାୟ ଓ ବ୍ୟକ୍ତିତ୍ୱର ସଂପର୍କଟା ଆମ ଦେଶପରି ନୁହେଁ । ମୋର ଜଣେ ମୋଚି ବନ୍ଧୁ ଭାରତବର୍ଷର ଇତିହାସ ଲେଖୁଥିବା କଥା କହିଛି ତମକୁ । ମଦବିକାଳୀ-ଅର୍ଥାତ୍ ଆମ ହିସାବରେ ଶୁଣ୍ଢୀ ଡିକ୍‍ସନ୍, ଦେଖା ହେଲେ ଧର୍ମ୍ମ, ଇତିହାସ, ରାଜନୀତିର କଥା ଚର୍ଚ୍ଚା କରିବ । ପାଠପଢ଼ା ପ୍ରାଇମେରୀ ଯାଏ-କିନ୍ତୁ ଯେହେତୁ ନିଜଭାଷା ଇଂରାଜୀରେ ସବୁ ଜ୍ଞାନ ପୁରି ରହିଛି, ଆମ ଦେଶପରି ଜ୍ଞାନାର୍ଜନ ପାଇଁ ଏଦେଶରେ ଦଶବର୍ଷ ଲେଖେ ଅଜସ୍ର ଟଙ୍କା ଖର୍ଚ୍ଚ କରି ଗୋଟେ ବିଦେଶୀ ଭାଷା ଘୋଷିବା ଦରକାର ନଥିବାରୁ, ବଡ଼ ସୁବିଧା ।

 

ଗତ ବର୍ଷ ନବବର୍ଷାରମ୍ଭ ବେଳକୁ ମି: ବେହୁରା ଏଡ଼ିନ୍‍ବରାରେ । ଡିକ୍‍ସନ୍ ଦମ୍ପତି ଦିନେ ତାଙ୍କୁ ନିମନ୍ତ୍ରଣ କରିବା ଲାଗି ଆମର କାଫେ (ହୋଟଲ୍) ରେ ପହଞ୍ଚିଲେ । କିନ୍ତୁ ଯେତେବେଳେ ଜାଣିଲେ ଯେ ବେହୁରା ନାହାନ୍ତି, ସେମାନେ ନବବର୍ଷର ପୂର୍ବ-ରାତ୍ରି (New Year’s Eve ଅର୍ଥାତ୍ ଡିସେମ୍ବର ୩୧ ତାରିଖ ରାତି) ପାଇଁ ମତେ ନିମନ୍ତ୍ରଣ କରି ଦେଇଗଲେ ।

 

୧୯୩୬ ଡିସେମ୍ବର ଏକତିରିଶ ତାରିଖ ରାତି ୯।୧0 ଟା ବେଳେ ଡିକ୍‍ସନ୍‍ଙ୍କ ଘରେ ପହଞ୍ଚିଲା ପରେ ଯାଇ ସେ ନିମନ୍ତ୍ରଣର ରହସ୍ୟ ଜାଣିଲି । କଥାଭାଷା ହେଲା ପରେ କ୍ରମେ ସେମାନେ ପ୍ରକାଶ କଲେ ଯେ ଡିସେମ୍ବର ୩୧ ତାରିଖ ରାତି ବାରଟା ପରେ ନବବର୍ଷ ଯିମିତି ଆରମ୍ଭ ହେଉଥିବ, ଜଣେ କଳା ଲୋକ ଯଦି ସେମାନଙ୍କ ଘରେ ପ୍ରଥମ ପାଦ ପକାଏ, ତେବେ ତାହା ଅତ୍ୟନ୍ତ ଶୁଭକର । ମି: ବେହୁରା ତାଙ୍କର ବନ୍ଧୁ, କଳା-ତେଣୁ ସେଥିପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ । ସେ ଯେତେବେଳେ ନ ମିଳିଲେ, ମତେ ତାଙ୍କର ସ୍ଥାନ ନେବାକୁ ହେଲା-ଅବଶ୍ୟ ସେମାନେ ମତେ ପାଇ ସେତେ ଖୁସି ନୁହନ୍ତି, କାରଣ ମୁଁ ବେହୁରାଙ୍କ ପରି କଳା ନୁହେଁ, ତେବେ ଏତିକି ସାନ୍ତ୍ୱନା ଯେ, ମୁଁ ଯେକୌଣସି ଇଂରେଜଠୁ କଳା । ମୁଁ ତାଙ୍କୁ ପଚାରିଲି, ସବୁ ଇଂରେଜୀ ପରିବାର କ’ଣ ଏଇ ମୁହୂର୍ତ୍ତ ଲାଗି କୌଣସି ନା କୌଣସି କଳା ଲୋକ ଖୋଜି ଆଣିଥିବେ ? ଉତ୍ତର ମିଳିଲା ଯେ, ଇଂରେଜମାନଙ୍କ ଭିତରେ କି ବର୍ଣ୍ଣର ତାରତମ୍ୟ ଅଛି-ଯେଉଁମାନଙ୍କର ବାଳ ଓ ଆଖି କଳା ସେମାନଙ୍କୁ କଳା ବୋଲି ଧରି ନିଆଯାଏ ଓ ସେମାନେ ଏଇ ମୁହୂର୍ତ୍ତରେ ଶୁଭ ବୋଲି ଧରାଯାନ୍ତି । କୃଷ୍ଣକେଶ ପୁରୁଷ ଓ ସ୍ତ୍ରୀକୁ ଏ ଦେଶରେ ଡାର୍କ କହନ୍ତି । ସେଇଟା ସାଧାରମ ଶବ୍ଦ । ସ୍ତ୍ରୀମାନଙ୍କର ଅଲଗା ବିଶେଷଣ ‘ବ୍ରୁନେଟ୍’; ଯେଉଁମାନେ ସ୍ୱର୍ଣ୍ଣକେଶିନୀ ସେମାନଙ୍କୁ ‘ବ୍ଳଣ୍ଡ୍’ କୁହାଯାଏ । ସ୍ୱର୍ଣ୍ଣକେଶ ଅତ୍ୟନ୍ତ ମନୋଜ୍ଞ ହେଲେହେଁ ଏଦେଶରେ ଅନେକେ କଳା ବାଳକୁ ଭାରି ପସନ୍ଦ କରନ୍ତି । ମୋର କଳାବାଳକୁ ଦେଖି ଏକାଧିକ ପୁରୁଷ ସ୍ତ୍ରୀ ହିଂସା କରିଛନ୍ତି ।

 

ନିଶାହାର ସମାପନ ପରେ କଥୋପକଥନ । ତା’ପରେ ଦେଖୁ ଦେଖୁ ବାର ବାଜିଲା । ସଙ୍ଗେ ସଙ୍ଗେ ମି: ଡିକ୍‍ସନ୍ ମତେ ଘରର ପଛଦ୍ୱାର ଦେଇ ଦାଣ୍ଡକୁ ନେଇ ଆସିଲେ ଓ ମୋ ହାତରେ ଖଣ୍ଡେ ପଥର କୋଇଲା ଦେଇ ଆଗ ଦ୍ୱାରକୁ ଆଣିଲେ । ଦ୍ୱାରଦେଶରେ ଆଘାତ କଲୁଁ । ମିସେସ୍ ଡିକ୍‍ସନ୍ ଦ୍ୱାର ଖୋଲିଲେ । ମୁଁ କାଲା ଆଦ୍‍ମି । ନବବର୍ଷର ସମ୍ବର୍ଦ୍ଧନା ଜଣାଇ ତାଙ୍କର କରମର୍ଦ୍ଦନ କଲି ଓ ତାଙ୍କ ଘରେ ନବ ବର୍ଷାରମ୍ଭରେ ପ୍ରଥମ ପାଦ ପକେଇଲି । ପରେ ଉପରକୁ ଯାଇ ହାତରେ ଥିବା କୋଇଲା ଖଣ୍ଡକୁ ପ୍ରଜ୍ୱଳିତ ଅଗ୍ନିରେ ନିକ୍ଷେପ କରିଦେଲି । କାରଣ ତାହାହିଁ ପ୍ରଥା । ସେମାନଙ୍କ ଘରେ ଏ ଉତ୍ସବ ସରିଲା ପରେ ମତେ ତାଙ୍କର ପ୍ରତିବେଶୀ ବନ୍ଧୁଙ୍କ ଘରେ ମଧ୍ୟ ଏଥିର ପୁରୋଧା ହେବାକୁ ପଡ଼ିଥିଲା । ଏହି ପ୍ରତିବେଶୀ ରାମର ଚିଠି ଲେଖା-ବନ୍ଧୁ ଆଲେକ୍‍ସିର ଘର । ଆଲେକ୍‍ସିର ବାପା ଓ ମା ମୋପରି କଳାଲୋକ ନବ ବର୍ଷରେ ପାଇ ଭାରି ଖୁସି ହେଲେ ଓ ତାଙ୍କର ପ୍ରଥା ଅନୁସାରେ ମତେ ମଦ୍ୟପାନ ଲାଗି ଅନୁରୋଧ କଲେ । ମୁଁ ନିଶାସେବନ କରେ ନି ବୋଲି ନାହିଁ କଲି । କିନ୍ତୁ ସେମାନେ ଛାଡ଼ିବାର ଲୋକ ନୁହନ୍ତି । ଅମାଦକ ଆର୍ଦ୍ର-ମଦ୍ୟ (ଜିଞ୍ଜର ଓ୍ୟାଇନ୍) ଗୋଟିଏ ଛୋଟ ପିଆଲାରେ ମତେ ଦେଲେ । ମୁଁ ତାହା ଅକୁଣ୍ଠିତ ଚିତ୍ତରେ ଗ୍ରହଣ କଲି, ସେମାନେ ଅନ୍ୟ ପ୍ରକାର ମଦ୍ୟ ସେବନ କଲେ ।

 

ଏ ଗଲା ଗତ ବର୍ଷର କଥା । ଏଇ ଭିତରେ ପୁରା ବର୍ଷେ ଚାଲିଗଲା । ମୁଁ ଡିକସନ୍ ବା ତାଙ୍କ ବନ୍ଧୁ ଘରକୁ ଯାଇପାରି ନ ଥିଲି । ଏ ବର୍ଷ ନବବର୍ଷର ପ୍ରଥମ ଦିନରେ ହଠାତ୍ ମନେ କଲି, ଯାଏଁ ସେହି ଦୁଇଟି ପରିବାରକୁ ଦେଖି ଆସେଁ, ମୋର ପ୍ରଥମ ପାଦର କି ଫଳ ହୋଇଛି ଗତ ବର୍ଷ ସେମାନଙ୍କ ପ୍ରତି । ଗତବର୍ଷ ଏହି ସମୟରେ ପାଗ ବଡ଼ ଭଲ ଥିଲା । ଏବର୍ଷ ଜାନୁୟାରୀ ପ୍ରଥମ ଦିନ ଉଠିଲାବେଳକୁ ଚାରିଆଡ଼ ବରଫାବୃତ ଓ ଝିପ୍ ଝିପ୍ ବର୍ଷାଯୋଗୁଁ ବରଫ ଜକଲିଆ ହୋଇ ଉଠିଛି । ଏ ପାଗ ବଡ଼ କଦର୍ଯ୍ୟ । ଚାଲିଲେ ମନେ ହେବ ଯେପରି ଧଳା କାଦୁଅରେ ଚାଲୁଛି । କିନ୍ତୁ ସେହି ପାଗରେ ହିଁ ବାହାରିଲି ।

 

ସେ ଦିନ ରବିବାର । ମୁଁ ପ୍ରତି ରବିବାର ସକାଳେ ମୋର ସାପ୍ତାହିକ ସ୍ନାନ ସମାଧାନ କରେ । ସ୍ନାନ ଏ ବ୍ରେକ୍‍ଫାଷ୍ଟ୍ ସାରି ପଦାକୁ ବାହାରିଲା ବେଳକୁ ପ୍ରାୟ ଦିନ ବାରଟା । କିନ୍ତୁ ଏଠାରେ ମଧ୍ୟାହ୍ନ ଆମର ରୌଦ୍ରତପ୍ତ ମଧ୍ୟାହ୍ନ ପରି ନୁହେ । ସେ କଥା ତ କେତେ ଥର କହିଛି । ଦିନ ବାରଟା ଠିକ୍ ଆମର ସକାଳ ପରି ଲାଗେ । ବରଫ କାଦୁଅରେ ଚାଲି ଚାଲି ଓ ଟ୍ରାମରେ କିଛିଦୂର ଯାଇ ଡିକସନ୍ ଘର ଦୁଆରେ ପହଞ୍ଚିଲାବେଳକୁ ପ୍ରାୟ ଗୋଟେ । ଦୁଆରେ ଆରାତ କଲି । କିଛି ସମୟ ପରେ ମି: ଡିକସନ୍ ଦ୍ୱାର ଖୋଲି ମତେ ଦେଖି ଗଭୀର ଆନନ୍ଦ ପ୍ରକାଶ କଲେ ଓ ମତେ ଘର ଭିତରକୁ କରମର୍ଦ୍ଦନ କରି ନେଇଗଲେ । ଘରର ଉପର ମହଲାରେ ପହଞ୍ଚିଲାକ୍ଷଣି ସେ ତାଙ୍କର ସ୍ତ୍ରୀଙ୍କୁ ଡାକି କହିଲେ, “ଏଇ, ତମ ଲାଗି ଏକ ଆଶ୍ଚର୍ଯ୍ୟ ଘଟଣା ।” ସ୍ତ୍ରୀ ଅନ୍ୟ କକ୍ଷରୁ ଆସି ମତେ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ମୁଁ କରମର୍ଦ୍ଦନ କରିବା ପୂର୍ବରୁ ମୋ ଗଣ୍ଡରେ ଚୁମ୍ବନ ଦାନ କଲେ-। ମୁଁ ଉଭୟଙ୍କୁ ନବବର୍ଷର ଶୁଭ ଜଣାଇଲି ଓ ଗତ ବର୍ଷ କିମିତି ଯାଇଛି ବୋଲି ପଚାରିଲି । ସୁଖର ବିଷୟ, ଗତବର୍ଷଟି ସେମାନଙ୍କର ସୁଖରେ କଟିଛି । ମୁଁ ତାଙ୍କୁ କହିଲି,

 

“ସତରେ ନା ମତେ ଭୁଲେଇବାକୁ ଏପରି କହୁଛ ?” ସେମାନେ ଉତ୍ତର କଲେ, “ନା, ଆମର ଗତ ବର୍ଷଟି ସୁଖରେ ନ କଟିଥିଲେ ତମକୁ ସେକଥା କହନ୍ତୁ ନାହିଁ ।”

 

ଗତ ରାତ୍ରିରେ ସେମାନେ କୌଣସି ପାର୍ଟିରେ ଯୋଗ ଦେଇଥିଲେ । ଏଠି ନିଶୋତ୍ସବ, ଅର୍ଥାତ୍ ନୃତ୍ୟାଦି ପ୍ରାୟ ରାତି ଦୁଇଟା ତିନିଟା ପର୍ଯ୍ୟନ୍ତ ଚାଲେ । ସେଠୁ ଫେରି ସେମାନେ ଶଯ୍ୟା ଗ୍ରହଣ କରନ୍ତି ଏବଂ ପରଦିନ ଯଦି ଛୁଟି, ତେବେ ଦିନ ଦଶଟା ଯାଏଁ ଶୋଇ ରହନ୍ତି । ଆମ ଦେଶରେ ଦିନ ପାଞ୍ଚଟା ପରେ ଶୋଇବା ଅସମ୍ଭବ; କାରଣ ଖରା ଓ ଆଲୁଅ । କିନ୍ତୁ ଏଠି ଦିନଟା-ବିଶେଷତଃ ଶୀତ ଦିନ-ଏକ ଦୀର୍ଘ ସନ୍ଧ୍ୟା । ତେଣୁ ଦିନରେ ବେଶ୍ ଶୋଇ ହେବ ଏବଂ ଏ ଦେଶର ଜଳବାୟୁକୁ ଉପଯୋଗୀ କରି ଏ ଦେଶର ଶଯ୍ୟା ଏମିତି ଆରାମପ୍ରଦଭାବରେ ତିଆରି ହୁଏ ଯେ ଶୋଇବା ଏକ ଉପଭୋଗ-କେବଳ ବିଶ୍ରାମ ନୁହେଁ । ମୁଁ ଘରେ ସମସ୍ତଙ୍କ ଆଗେ ଉଠେ ଜାଣ-କିନ୍ତୁ ଏଠି ରାତି ଏଗାରଟାରେ ଶେଯ ଧରି ଦିନ ନଟା ପୂର୍ବରୁ ଶେଯ ଛାଡ଼େ ନାହିଁ । ତା’ ପୂର୍ବରୁ ଉଠିବା ଅସମ୍ଭବ । ଡିକ୍‍ସନ୍ ଦମ୍ପତି ସେଦିନ ଛୁଟି ଥିବାରୁ ମୁଁ ଯିବାର ମାତ୍ର ପନ୍ଦର ମିନିଟ ପୂର୍ବରୁ ଅର୍ଥାତ୍ ଦିନ ସାଢ଼େବାରଟା ବେଳକୁ ରାତିର ଶେଯ ଛାଡ଼ିଥିଲେ । ମୁଁ ଯିବା ସଙ୍ଗେ ସଙ୍ଗେ ସେମାନେ ବ୍ରେକ୍‍ଫାଷ୍ଟର ଯୋଗାଡ଼ କଲେ ଯେଉଁଥିରେ ମତେ ଯୋଗ ଦେବାକୁ ହେଲା ।

 

ଆଲେକ୍‍ସିର ବାପା ମା ବର୍ତ୍ତମାନ ପୂର୍ବରୁ ସ୍ଥାନ ଛାଡ଼ି ନୂଆଘର କିଣି ଅନ୍ୟ ସ୍ଥାନରେ ଟିକିଏ ଦୂରେଇ ଅଛନ୍ତି । ମୁଁ ସେ ପରିବାରକୁ ଦେଖିବାକୁ ଚାହିଁଲି ଏବଂ ଡିକ୍‍ସନ୍ ଦମ୍ପତି ମୋ ସାଙ୍ଗେ ଯିବାକୁ ସମ୍ମତ ହେଲେ । ଆରବର୍ଷ ପ୍ରଥମ ପାଦ ଦେଲା ପରେ ଡିକ୍‍ସନ୍ ଦମ୍ପତି ମତେ ନେଇ ସହର ବୁଲିଥିଲେ । ସେତେବେଳକୁ ରାତି ଗୋଟେ ଦି’ଟା । କିନ୍ତୁ ବିଦ୍ୟୁତାଲୋକିତ ଏ ଦେଶରେ ରାତିର ଭୟଙ୍କରତା ଆଦୌ ଜଣାପଡ଼େ ନାହିଁ । ନବର୍ବକୁ ସମ୍ବର୍ଦ୍ଧନା ଦେବାପାଇଁ ଏହି ରାତିରେ ଅନେକେ ରାତି ଦୁଇଟା ତିନିଟା ଯାଏ ଜାଗରିତ ରହନ୍ତି ଏବଂ ମଦ୍ୟପାନ, ନୃତ୍ୟ ଓ ସଙ୍ଗୀତରେ ସମୟ କଟାନ୍ତି । ଆମ୍ଭେମାନେ ବୁଲି ବାହାରିଲାବେଳେ ଅନେକ ସ୍ଥାନରେ ଶତ ଶତ ମଦ ବୋତଲ ରାସ୍ତାରେ ଗଡ଼ୁଥିବାର ଦେଖିଲୁଁ । ଜଣେ ଦି’ଜଣ ପୁରୁଷ ଓ ସ୍ତ୍ରୀଙ୍କୁ ମାତାଲ ହେବାର ବି ଦେଖିଛି । କିନ୍ତୁ ଏପରି ଘଟଣା ଆଦୌ ସାଧାରଣ ନୁହେ-କେବଳ ଏହି ଦିନହିଁ ଏହା ଘଟେ । ନୃତ୍ୟାଳୟମାନଙ୍କରୁ ଦଳେ ଦଳେ ନାରୀ ଫେରିବାର ଦେଖିଲି ଏବଂ ଦେଖିଲି ମଧ୍ୟ ସୁନ୍ଦରୀ ତରୁଣୀସବୁ ନିର୍ଭୟରେ ରାତି ୨।୩ଟାରେ ନିର୍ଜନ ରାସ୍ତାରେ ଏକାକୀ ଘରକୁ ଫେରୁଥିବାର । ଏପରି ଘଟଣା ଆମ ଦେଶରେ ସମ୍ଭବ କି ? ଅଥଚ ସହରର ପ୍ରତି ରାସ୍ତାରେ ସେତେବେଳେ ଦଳବଦ୍ଧ ମାତାଲ ପୁରୁଷ ବୁଲୁଥାନ୍ତି-ଯାହା କି ପ୍ରତ୍ୟେକ ତରୁଣୀ ନିଶ୍ଚୟ ଜାଣିଥିବେ । କିନ୍ତୁ ଏ ଦେଶର ପୁରୁଷ ମାତାଲ ଅବସ୍ଥାରେ ମଧ୍ୟ ସ୍ତ୍ରୀକୁ ଅପମାନିତ କରେ ନା ଓ ସ୍ତ୍ରୀ ନିଜକୁ ରକ୍ଷା କରିବାର ବିଶ୍ୱାସ ଏତେ ଦୃଢ଼ ଯେ, ମଦ୍ୟପ-ସଂକୁଳ ରାସ୍ତାରେ ରାତି ତିନିଟାରେ ସେ ଏକାକିନୀ ନିର୍ଭୟରେ ଚାଲିପାରେ । ଏ ଦେଶରେ ଯେତେ ଘଟଣା ଦେଖିଛି ମୁଁ, ତା’ ଭିତରେ ଏହି ଘଟଣା ମୋର ମନରେ ଏକ ଗଭୀର ରେଖାପାତ କରିଛି । ଆମ୍ଭେମାନେ ନିଜକୁ ସଭ୍ୟବୋଲି ଗର୍ବ କରୁଁ-କିନ୍ତୁ ଆମର ସଭ୍ୟତା ଏହି ଯେ, ଆମ ଦେଶରେ ସ୍ତ୍ରୀ-ବାଳିକାମାନେ ଦିନରେ ସୁଦ୍ଧା ବାହାରକୁ ବାହାରିବାକୁ ଡରୁଛନ୍ତି । ଆମ୍ଭେମାନେ ଯେ ଇଂରେଜର ଯୋତା ଖାଉଛୁଁ ତାହା ଠିକ୍ ହୋଇଛି । କାରଣ ଆମେ ଏପରି ନରାଧମ ଯେ, ଆମର ମା-ଭଉଣୀମାନେ ଆମର ବାହୁବଳ ବା ଆମର ନୈତିକତା କୌଣସିଟିରେ ବିଶ୍ୱାସ କରି ପାରୁ ନାହାନ୍ତି । ସ୍ତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଲେ ଏକ ପୁରୁଷରେ ସେମାନେ ଆତ୍ମରକ୍ଷା କରିବାକୁ ଶିଖିବେ;କିନ୍ତୁ କାପୁରୁଷେ ସେତକ ବି କରେଇ ଦେବେନି । ପ୍ରାୟ ଦିନ ୪ଟାରେ ଡିକ୍‍ସନ୍ ଦମ୍ପତି ସହିତ ମୁଁ ଆଲେକ୍‍ସି ଘରକୁ ବାହାରିଲି । ସେ କଥା ଆଉ ଏକ ପତ୍ରରେ ଲେଖିବି ।

 

ଶ୍ୱେତାଙ୍ଗର ଆତ୍ମନିର୍ଭରତା

 

Students Union, King’s College

14-6-38

 

ମୋର ଜଣେ ନରଓ୍ୟେଜୀୟ (ଯା’ର ଘର ନରଓ୍ୟେରେ) ବନ୍ଧୁ ସେ ଦିନ କହିଲା, ସେ ତେରବର୍ଷ ବୟସରୁ ରୋଜଗାର ଆରମ୍ଭ କରିଛି । ତା’ ବାପା ପାଦ୍ରୀ-ବେଶ୍ ସଙ୍ଗତିସମ୍ପନ୍ନ ଓ ସମ୍ମାନିତ । ତାଙ୍କର କେତେଗୁଡ଼ିଏ କୁକୁଡ଼ା ଥିଲା । ବାପ ପୁଅକୁ କୁକୁଡ଼ାମାନଙ୍କର ଯତ୍ନ ନେବାକୁ କହିଲେ । ପୁଅ ହଁ କଲା, କିନ୍ତୁ ଏଇ ସର୍ତ୍ତରେ ଯେ କୁକୁଡ଼ାଗୁଡ଼ିକ ତା’ରି ହେବ । ବାପା କହିଲେ, ବିନା ପଇସାରେ ସେ କୁକୁଡ଼ାମାନଙ୍କର ଅଧିକାର ପାଇ ପାରିବ ନାହିଁ । କୁକୁଡ଼ାଗୁଡ଼ିକର ଦାମ ଦୁଇ ପାଉଣ୍ଡ ଦଶ ଶିଲିଂ । ତା’ ଯେତେବେଳେ ସେ ଦେଇ ପାରିବ ସେତିକିବେଳେ କୁକୁଡ଼ାଗୁଡ଼ିକ ତା’ର ହେବ । ପୁଅ ସେଥିରେ ରାଜି ହେଲା ଓ କୁକୁଡ଼ାଗୁଡ଼ିକ ଦେଖାଦେଖି କଲା । ଅଣ୍ଡା ବିକି ବିକି ଦୁଇ ପାଉଣ୍ଡ ଦଶ ଶିଲିଂ ବାପକୁ ଦେଇଦେଲା । ତା’ ପରେ ନୂଆ କୁକୁଡ଼ା କିଣି ଦଳ ବଢ଼େଇ, ମୋଟରେ ଷାଠିଏ ପାଉଣ୍ଡ ସେ ବଞ୍ଚେଇଲା-ସେହି ଟଙ୍କାରେ ସେ ତିଉକାସ୍‍ଲରେ ବର୍ଷେ ଟ୍ରେନିଂ ନେବାପାଇଁ ଆସିଛି । ଷାଠିଏ ପାଉଣ୍ଡରୁ ଯାହା ଅଧିକ କିଛି ଦରକାର, ତାହା ବାପ ଦେଇଛି । ମୁଁ ପଚାରିଲି, ସେ ଟଙ୍କା ତୁ କଣ ଶୁଝିବୁ ? ସେ କହିଲା-ବାପା ଯଦି ଚାହାନ୍ତି ମୁଁ ଶୁଝିଦେବି । କିନ୍ତୁ ଆମ ଦେଶରେ ପୁଅକୁ ଶିକ୍ଷତ ଓ ଉପଯୁକ୍ତ କରିବାକୁ ବାପ ଦାୟୀ-ତେଣୁ ସେ ଶୁଝିବାକୁ କହିବେ ନାହିଁ । ସେ ଗତ ଆଠବର୍ଷ ହେଲା ବିଭାଘର କଥା ଭାବୁଛି କିନ୍ତୁ ବିଭା ହୋଇ ପାରୁ ନାହିଁ, କାରଣ ତା’ର ସେମିତି ରୋଜଗାର ହୋଇ ନାହିଁ, ଯେଉଁଥିରେ କି ସେ ଓ ତା’ର ସ୍ତ୍ରୀ ଭଲ ଭାବରେ ପୋଷି ହୋଇ ପାରିବେ-। ଏ ଚିତ୍ର ଆଗରେ ଆମର ଚିତ୍ର କି ଦୁର୍ବଳ, ମଳିନ, ମେରୁଦଣ୍ଡହୀନ, ଜଘନ୍ୟ କହିଲ ?

 

ସୈରିନ୍ଧ୍ରୀ ନିସ୍‍ବେଟ୍

 

Students Union, King’s College

New Castle, 19-8-38

 

ଅଗଷ୍ଟ ପନ୍ଦର ତାରିଖଠୁ ଏଠାର ଗ୍ରୀଷ୍ମ କାଳ ଶେଷ । ତା ପରେ ଶରତ୍ ଋତୁ ଆରମ୍ଭ । ‘ଆମର ସୁନ୍ଦର ଶରତ୍‍କାଳ’ର ଏଠା ଶରତ୍ ଠିକ୍ ଓଲଟା । ଏଠାରେ ଗ୍ରୀଷ୍ମ କାଳରେ ପ୍ରକୃତି ନବଜୀବନ ଧାରଣ କରେ-ଗଛ ଲତା ସବୁଜ ପତ୍ରରେ ମଣ୍ଡିତ ହୋଇ ଓ ନାନାବର୍ଣ୍ଣର ଫୁଲରେ ବନ ପ୍ରାନ୍ତର, ବାଡ଼ ବଗିଚା ଶବଳିତ ହୋଇ ସାରା ଇଂଲାଣ୍ଡ ଏକ ମନୋହର ଉଦ୍ୟାନରେ ପରିଣତ ହୁଏ-। ଏମାନଙ୍କର ଗ୍ରୀଷ୍ମ ଆମ ଗ୍ରୀଷ୍ମଠୁଁ ଠିକ୍ ବିପରୀତ-ଆମର ଗ୍ରୀଷ୍ମ ତ ପ୍ରକୃତିର ଭୀଷ୍ମ ମୂର୍ତ୍ତି । ଅଗଷ୍ଟ ଶେଷଆଡ଼କୁ କ୍ରମେ ଶୀତ ଆରମ୍ଭ ହୁଏ । ଦକ୍ଷିଣ-ପୂର୍ବରୁ ଏକ ପ୍ରବଳ ପବନ ବହେ । ଗଛର ସବୁଜ ପତ୍ର ପାଚିବାକୁ ଆରମ୍ଭ କରି ଝଡ଼ି ତଳେ ପଡ଼େ ଓ ଦକ୍ଷିଣପୂର୍ବ ପବନ ତାହା ଉଡ଼ାଇ ନେବାରେ ସାହାଯ୍ୟ କରେ । ପ୍ରକୃତିର ଏହି ଜରାବସ୍ଥା ଏଠାର ଶରତ୍ ଋତୁର ଲକ୍ଷଣ ଏବଂ ଦେଶର କବିମାନେ ମାନବ ଜୀବନର ଶାନ୍ତ ସଂଯତ ପରିପକ୍ୱ ଜରାବସ୍ଥାକୁ ଶରତ୍ ଋତୁ ସାଥିରେ ତୁଳନା କରିଥାନ୍ତି । ଶରତ୍ ଋତୁର ପତ୍ରଝଡ଼ା ଏମିତି ଚାଲି ଚାଲି, ନଭେମ୍ବରରେ ପ୍ରକୃତ ଶୀତ ଆରମ୍ଭ ବେଳକୁ ଗଛମାନଙ୍କରେ କେବଳ ଡାଙ୍ଗ ଥିବ ।

 

କାଲି ଶନିବାର, ମୋର ଜଣେ ପରିଚିତା ଶିଳ୍ପୀ ବାନ୍ଧବୀକୁ ଖାଇବାକୁ ଡାକିଛି । କିନ୍ତୁ ତୁମକୁ ଏ ମହିଳାଟି ସମ୍ବନ୍ଧରେ ପରିଷ୍କାର କରି କିଛି ନ କହିଲେ ତମେ ହୁଏତ ସ୍ୱାଭାବିକ ନୀତିରେ କିଛି ଆଶଙ୍କା କରିପାର । ସେଥିପାଇଁ କେବଳ ନୁହେଁ, ଆହୁରି ଅନ୍ୟ ଦିଗରୁ ମଧ୍ୟ ଏ ଦେଶରେ ପରିଚିତା ନାରୀମାନଙ୍କର କଥା ତମକୁ ମୋର ଶୁଣେଇବା ଉଚିତ ।

 

ମୋର ବନ୍ଧୁ ମିସ୍ ନିସ୍‍ବେଟ୍ ଥରେ ଚା-ପାର୍ଟି କରିଥିଲେ । ମୁଁ ସେଠି ଏକମାତ୍ର ଭାରତୀୟ ଥିଲି । ସେ ପ୍ରାୟ ୩।୪ ମାସ ତଳର କଥା । ଏବେ ଦିନେ ହଠାତ୍ ବାଟରେ ଦେଖା ହେଲା । ସେ ମୋ ନାଁ ମନେ ରଖିଥିଲେ-ଅଥଚ ମୁଁ ତାଙ୍କୁ ସଂପୂର୍ଣ୍ଣ ଭୁଲି ଯାଇଥିଲି । କିଛି କଥା ହେବା ପରେ ସେ ମତେ ଆଗାମୀ ଅକ୍‍ଟୋବର୍ ମାସରେ ତାଙ୍କର ସମିତି (ଉତ୍ତର ଇଂଲଣ୍ଡ କଳା ସମିତି) ତରଫରୁ ହେଉଥିବା ଏଲିଜାବେଥୀୟ ନାଟକ ନେଇ ଏକ ବକ୍ତୃତାକୁ ନିମନ୍ତ୍ରଣ କଲେ ଓ ଯେତେବେଳେ ମୋର ସୁବିଧା ହେବ ସେତେବେଳେ ତାଙ୍କ ଘରକୁ ଯିବାକୁ ଅନୁରୋଧ କଲେ ।

 

ସେହି ଅନୁରୋଧ ଅନୁସାରେ ଦିନେ ଗଲି । ପ୍ରାୟ ୪।୫ ଘଣ୍ଟା କାଳ ଗପ କଲୁଁ । ସେ ମୋ ଇତିହାସ ଜାଣିଲେ ଓ ମୁଁ ତାଙ୍କ ଇତିହାସ ଜାଣିଲି । ସେ ଧନିକର କନ୍ୟା । ବାପର ଆଦରିଣୀ କନ୍ୟା ଥିଲେ । ଗତ ପ୍ରଥମ ଯୁଦ୍ଧବେଳେ ଫ୍ରାନ୍‍ସରେ ସେବା-କାରିଣୀର କାର୍ଯ୍ୟ କରିଥିଲେ । ଯୌବନରେ ସୁନ୍ଦରୀ ଥିଲେହେଁ ଓ ବହୁଲୋକର ପ୍ରିୟପାତ୍ରୀ ଥିଲେହେଁ, ମନୋମତ ବର ବାଛୁ ବାଛୁ ବେଳ ଚାଲିଗଲା-ମନ ଅନୁସାରେ କେହି ଜୁଟିଲେ ନାହିଁ । ଜୀବନରେ ପରେ ପରେ ଦୁଇ ଜଣକୁ ସେ ଆତ୍ମସମର୍ପଣ କରିବା ଉପରେ ବସିଥିଲେ; କିନ୍ତୁ ସେ ମିଳନ ସୁଖକର ହେବନି ବୋଲି ଶେଷ ମୁହୂର୍ତ୍ତରେ, ମୁହଁ ଫେରେଇ ନେଇଛନ୍ତି । କିଛିଦିନ ତଳେ ବାପା ତାଙ୍କର ମରିଗଲା ପରେ ସେ ଲଣ୍ଡନ୍ ଛାଡ଼ି ନିଉକାସ୍‍ଲରେ ଜୀବନ କଟାଉଛନ୍ତି ଓ ଜୀବକାର୍ଜନ ପାଇଁ ଚିତ୍ରାଙ୍କନ ଧରିଛନ୍ତି । ମା ଭାଇ ବଞ୍ଚିଛନ୍ତି ତାଙ୍କର । କିନ୍ତୁ ଏମାନଙ୍କର ସ୍ୱାଧୀନତା ଭାବ ଏତେ ମଜ୍ଜାଗତ ଯେ କେହି କାହା ଆଶ୍ରୟରେ ରହିବେ ନାହିଁ । ନିକଟରେ ତାଙ୍କର ମା ଆସିବ-କିଛିଦିନି ରହି ପୁଣି ଚାଲିଯିବ, ସେହି ହେଲା ମା ଝିଅର ଦେଖା । ଆମ ଦେଶଠାରୁ ଏମାନଙ୍କର ବ୍ୟବହାରରେ ଏଇ ଏକ ମସ୍ତ ପାର୍ଥକ୍ୟ-। ମୁଁ ମନେକରେ ଏମାନଙ୍କର ଏପ୍ରକାର ଆଚାର ବିଚାରବ୍ୟଞ୍ଜକ । ଆମ ଦେଶରେ କୁକୁର ପଲପରି ଏକାଠି ରହି କାମୁଡ଼ାକାମୁଡ଼ି ହୋଇ ଜୀବନ କଟାଇବା ବନ୍ୟ ଜୀବନ କଥାହିଁ ସ୍ମରଣ କରାଏ-ସଭ୍ୟତା ନୁହେ ।

 

କଥାବାର୍ତ୍ତା ଭିତରେ ସେ ମୋର ବୟସ ପଚାରିଲେ । ମୁଁ ଅନ୍ଦାଜ କରି ମୋର ବୟସ କହିଲି । ସେ ଆଶ୍ଚର୍ଯ୍ୟ ହୋଇ କହିଲେ, “କେବେ ନୁହେଁ, ମୁଁ ତୁମକୁ ଅଠରବର୍ଷିଆ ଟୋକା ବୋଲି ଭାବିଥିଲି ।” ଏ କଥାରେ ତାଙ୍କ ଅପେକ୍ଷା ମୁଁ ବେଶି ଆଶ୍ଚର୍ଯ୍ୟ ହେବାର କଥା । ମୁଁ ତା ପରେ ତାଙ୍କୁ ତାଙ୍କର ବୟସ ପଚାରିଲି । ସେ ମତେ ଅନୁମାନ କରିବାକୁ କହିଲେ । ଶ୍ରୀମତୀ ନିସ୍‍ବେଟ୍, ଆମ କଥାବାର୍ତ୍ତାବେଳେ ସ୍ୱଳ୍ପବସନା ଥିଲେ । ଅକାବୃତ ବାହୁ ତାଙ୍କର ସ୍ୱାସ୍ଥ୍ୟ ଓ ବୟସର ବିଜ୍ଞାପନର କାର୍ଯ୍ୟ କରୁଥିଲା । ମୁଁ ସେହି ବିଜ୍ଞାପନ ଉପରେ ନିର୍ଭର କରି ନିଜର ଅଜ୍ଞତା କେବଳ ଦେଖେଇଲି । ମୁଁ କହିଲି, “ମିସ୍ ନିସ୍‍ବେଟ୍, ତମେ ବୋଧହୁଏ ୩୫।୪୦ ବୟସ ଭିତରେ ।” ମୋର ଉତ୍ତରରେ ସେ ଠୋ-ଠୋ-ହସି ଉଠିଲେ ଓ କହିଲେ, “ମୁଁ ତମର ଗୋସେଇଁ ମା । ମୁଁ ଯେ ପଚାଶ ଏଇକ୍ଷଣି ।” ମୁଁ ତ ଏକାବେଳକେ କାବା-ମୁଁ କହିଲି, “ମୁଁ କେବେ ତାହା ବିଶ୍ୱାସ କରିବି ନାହିଁ ।” ସେ କହିଲେ, “ଦେଖ, ମୁଁ ପରା ଗତ ଯୁଦ୍ଧରେ କାମ କରିଥିଲି ? ସେତେବେଳକୁ ମୁଁ କୋଡ଼ିଏ ଉପରେ । ଏବେ ତ ଶୁଦ୍ଧ ହେବାର ପଚିଶ ବଷ ହୋଇଗଲା ।”

 

ଏ ଦେଶରେ ନାରୀ ଓ ପୁରୁଷମାନଙ୍କର ସ୍ୱାସ୍ଥ୍ୟ ଓ ଯୌବନ କିମିତି ଦୀର୍ଘସ୍ଥାୟୀ, ତାହା ଏଇ ଘଟଣାରୁ ତମେ ଜାଣି ପାରିବ । ମିସ୍ ନିସ୍‍ବେଟ୍‍କୁ ଦେଖିଲେ କେହି କହିବ ନି ଯେ ସେ ପଚାଶ ବର୍ଷର ବୁଢ଼ୀ-ସେ କହିଲା ପରେ ମଧ୍ୟ ମୁଁ ତାଙ୍କୁ ସେହି ୩୫।୪୦ ଭିତର ବୋଲି ଧରି ନେଉଛି, କାରଣ ସୌନ୍ଦର୍ଯ୍ୟ ସମଜିବାର ଯେ ପ୍ରଧାନ ଯନ୍ତ୍ର ଆଖି, ତା’ର ଧାରଣା ସେଇୟା । ଏ ବିଷୟରେ ଅନ୍ୟ ଇନ୍ଦ୍ରିୟମାନଙ୍କର ପରାମର୍ଶ ତ ଅନାବଶ୍ୟକ । ମିସ୍ ନିସ୍‍ବେଟ୍ ଭାରତୀୟ ସୌନ୍ଦର୍ଯ୍ୟର ଭାରି ପ୍ରଶଂସା କଲେ । ତମ କଥା ପଚାରି କହିଲେ-ସେ କ’ଣ ତନ୍ୱୀ ? ସେ କ’ଣ କୃଷ୍ଣକେଶିନୀ ? ସେ କ’ଣ ଶାଢ଼ୀ ପରିଧାନ କରନ୍ତି ? ଲଣ୍ଡନ୍‍ର କୌଣସି ଏକ ଭୋଜି-ସଭାରେ ଶାଢ଼ୀ ପରିହିତା ଭାରତୀୟ ତରୁଣୀକି ସେ ଦେଖିଥିଲେ-ସେପରି ସୁନ୍ଦର ଜିନିଷ ଆଉ ସେ ଦେଖି ନାହାନ୍ତି, ସଭାର ସମସ୍ତେ କେବଳ ତାରି ଆଡ଼କୁ ଅନାଇ ଥାନ୍ତି ବୋଲି ସେ କହିଲେ ।

 

ଏକାକିନୀ ନିସ୍‍ବେଟ୍ ନିଜ ଅର୍ଜନରେ ଏଇପରି ବଞ୍ଚେ । ସେ ପୃଥିବୀର ସବୁ ଦେଶର ଖବର ରଖେ । ଭାରତରୁ ଇଂରେଜର ମୁଷ୍ଟି କେବେ ଅପସାରିତ ହେବ ସେଥିପାଇଁ ସେ ଚିନ୍ତିତ । ସାଧାରଣ ଇଂରେଜ ବାଳିକାର ମସ୍ତକ ଯେପରି କୁଞ୍ଚିତ କନକ କେଶରେ ମନୋହର, ତା’ର ମସ୍ତିଷ୍କ ସେହିପରି ଭାବ ଭାବନାରେ ସୁଶୋଭିତ । ମୋ ନିକଟରେ ଥିବା ସାଧାରଣ ଏକ ବାଳିକାର କଥା କହି ସେକଥା ପରେ ବୁଝେଇବି ।

 

ସ୍ୱଦେଶର ଅଧମ ପ୍ରତିନିଧିତ୍ୱ

 

Students Union

King’s College, ୨୪-୨-୩୮

 

ଏ ସପ୍ତାହରେ ଦେଇଥିବା ପୂର୍ବ ପତ୍ର ପାଇଥିବ । ମୁଁ ପଢ଼ାପଢ଼ିରେ ବଡ଼ ବ୍ୟସ୍ତ ଏଇକ୍ଷଣି-। ଆଗାମୀ ସପ୍ତାହରେ ମତେ ଗାନ୍ଧିଙ୍କ ବିଷୟରେ କଲେଜରେ ବତ୍କୃତା କରିବାକୁ ହେବ । ସେଥିଲାଗି ବି ପଢ଼ାପଢ଼ି କରି ଆହୁରି ବ୍ୟସ୍ତ ହେଉଛି । ମୁଁ ଜାଣେନା ମୁଁ କ’ଣ ଓ କିପରି କହିବି । ମୁଁ ତ ଲାଜକୁଳା ଜାଣ-ଦଶ ଜଣଙ୍କ ଆଗରେ ସାହସ କରି ମୁହଁ ଟେକି ପାରେ ନା । ଏବେ ବି କହିବାକୁ ଗଲାବେଳକୁ ତଣ୍ଟି ଶୁଖି ଯାଉଛି, ଛାତି ଧଡ଼ ଧଡ଼ ହେଉଛି । ତେବେ ସାହସ ବାନ୍ଧି ଆଖି ବୁଜି କହିବାକୁ ଚେଷ୍ଟା କରୁଛି । କହୁ କହୁ କାଳେ ଭଲ କହିପାରେ । ଗତ ସପ୍ତାହରେ ଏଠାର ଆନ୍ତର୍ଜାତିକ ସଭାରେ ସ୍ପେନ୍ ବିଷୟରେ ବକ୍ତୃତା ଥିଲା । ବକ୍ତାଙ୍କୁ ଧନ୍ୟବାଦ ଦେବାର ପାଳି ମୋ ଉପରେ ଯେତେବେଳେ ପଡ଼ିଲା, ମୁଁ ଧନ୍ୟବାଦ ତ ଦେଲି-ତା’ଛଡ଼ା ୟୁରୋପୀୟ ସଭ୍ୟତାର ରକ୍ତାକ୍ତ ସାମ୍ରାଜ୍ୟବାଦ ବିଷୟରେ ଆଚ୍ଛା କରି ବିପଦ ଶୁଣେଇ ଦେଲି । ମୁଁ କହିଲି, “ସ୍ପେନ ଷୋଡ଼ଶ ଶତାବ୍ଦୀରେ ଆମେରିକାରେ ଯେଉଁ ଅମାନୁଷିତ ଅତ୍ୟାଚାର କରିଛି, ବର୍ତ୍ତମାନ ତା’ର ଫଳ ପାଉଛି । ଏବର ସାମ୍ରାଜ୍ୟ ଲୋଲୁପ ୟୁରୋପୀୟମାନେ ସାବଧାନ ହେଉନ୍ତୁ-ସେମାନଙ୍କୁ ଦିନେ ନା ଦିନେ ତାଙ୍କ କାର୍ଯ୍ୟର ଫଳ ଭୋଗିବାକୁ ପଡ଼ିବ ।’’ ଆନ୍ତର୍ଜାତିକ ସଭାର ସଭାପତି ବି ମୋ ମତକୁ ପସନ୍ଦ କଲେ । ଅକ୍‍ସଫୋଡ଼ର ଜଣେ ଇତିହାସ ଅଧ୍ୟାପକ ଏଠି ଆସି ବକ୍ତୃତା ଦେଇଥିଲେ । ତାଙ୍କର ବିଷୟ ଥିଲା, ‘ଇଂରାଜ ସାମ୍ରାଜ୍ୟରେ ଜାତୀୟତା’ । ଅନ୍ୟାନ୍ୟ କଥା ଭିତରେ ଭାରତର ଜାତୀୟ ଆନ୍ଦୋଳନ କଥା ସେ କହିଲେ ଏବଂ ଆଶା ଦେଲେ ଯେ ଭାରତବର୍ଷ ଦିନେ ନିଶ୍ଚେ ସ୍ୱାଧୀନ ହେବ-। ସେ ବକ୍ତୃତାରେ ଆମେ ଦୁଇଜଣ ମାତ୍ର ଭାରତୀୟ ଥାଉଁ-ମୁଁ ଓ ଦୁର୍ଗାମାଧବ । ବକ୍ତୃତା ଶେଷ ହେଲା ପରେ ଦୁର୍ଗାମାଧବ ଘରକୁ ଯିବାକୁ କହିଲେ, ମୁଁ କହିଲି, “ଦେଖ ଏଠି ଅନ୍ୟ ଭାରତୀୟ କେହି ନାହାନ୍ତି । ଆଲୋଚନାବେଳେ ଭାରତ ପକ୍ଷରୁ ଜଣେ କିଏ ଥିବା ଦରକାର-ମୁଁ ରହିବି ।” ଶେଷରେ ସେ ରହିଲେ ଏବଂ ସେଦିନ ସମସ୍ତ ସନ୍ଧ୍ୟାଟା କେବଳ ଭାରତୀୟ ସ୍ୱାଧୀନ-ସଂଗ୍ରାମର ଆଲୋଚନାରେହିଁ କଟିଲା କହିଲେ ଚଳେ । କାରଣ ଆଲୋଚନା ଆରମ୍ଭ ବେଳେ ମୁଁ ବର୍ତ୍ତମାନ ନୂଆ ଶାସନର ଗଲ୍‍ ତି କେଉଁଠି-ଭାରତୀୟ ଜାତୀୟ କଂଗ୍ରେସ କାହିଁକି ଏହାର ବିରୁଦ୍ଧରେ, ଇଂରେଜ ଶାସନରେ ଭାରତର ଅବସ୍ଥା କ’ଣ ହୋଇଛି-ଏସବୁ ବିଷୟରେ କହିଲି । ଅଧ୍ୟାପକ ଉତ୍ତର ଦେଲେ-ମୁଁ ତା’ର ପ୍ରତ୍ୟୁତ୍ତର ଦେଲି । ସଭା ଭଙ୍ଗ ପରେ ଅଧ୍ୟାପକ କରମର୍ଦ୍ଦନ କରି କହିଲେ, ‘ବେଶ୍ ଆଲୋଚନା ହେଲା-ଅଥଚ ହସ ହସରେ ।’...ଇଂରେଜ ଜାତି ସହଜରେ ରାଗେନା-ବଦ୍‍ମିଞ୍ଜାସ୍ ଏମାନଙ୍କର ସହଜରେ ଧରା ପଡ଼େ ନି । ଏମାନେ ହସି ହସି ସବୁ କଥା କରନ୍ତି-ସେଇଟା ଅନ୍ୟଠି ଦେଖିଲେ ପସନ୍ଦ କରନ୍ତି ।

 

ଆଗାମୀ ସପ୍ତାହରେ ମୁଁ ଗୋଟିଏ ବାଳିକା ହାଇସ୍କୁଲ ଦେଖି ଯିବାକୁ ହେଡ଼୍ ମିଷ୍ଟ୍ରେସ୍‍ଠାରୁ ନିମନ୍ତ୍ରଣ ପାଇଛି । କ’ଣ ଦେଖିଲି, ଲେଖିବି । ଆନ୍ତର୍ଜାତିକ ସଭାର ସଭାପତି ମୋ ଅନୁରୋଧରେ ଏହା ଯୋଗାଡ଼ କରି ଦେଇଛନ୍ତି । ବାଳକ ସ୍କୁଲକୁ ବି ଯିବି ।

 

ବିଲାତର ଶିଖ୍ ବୁଲାବିକାମାନଙ୍କର ଆତ୍ମୀୟତା ଓ ଆତିଥ୍ୟ

 

ନିଉକାସଲ୍

୧୪-୪-୩୮

 

ତମର ପତ୍ର ପାଇଲି । ତମେ ସେଠାର ଗରମ କଥା ଲେଖିଛ-ଏଠି ବି ବର୍ତ୍ତମାନ ଗରମ ପଡ଼ିଲାଣି । ଆମ ଦେଶର ଫେବୃଆରୀ ମାସ ପରି ଗଛରେ ସବୁଜ ପତ୍ର ଦେଖା ଦେଲାଣି, ଏହା ଏ ଦେଶୀୟ ଗ୍ରୀଷ୍ମର ପ୍ରଥମ ସୂଚନା । ଆମ ଦେଶରେ ଗ୍ରୀଷ୍ମ ଆସିଥିଲେ ପୃଥିବୀ ଶୁଖିଶାଖି ମରୁଭୂମିରେ ପରିଣତ ହୁଏ । କି ବିପରୀତ !

 

ଗତକାଲି ଏପ୍ରିଲ ତେର ତାରିଖ-ଶିଖ୍ ଧର୍ମର ଆରମ୍ଭ-ବାସର କୁଆଡ଼େ । ଏଠାରେ ଶିଖ୍-ବୁଲାବିକାମାନେ ସେମାନଙ୍କର ଗୋଟିଏ ବସା ଘରେ ଏହି ଉତ୍ସବ ପାଳନ କରିଥିଲେ । ଜଣେ ଶିଖ୍ ଛାତ୍ର ସେମାନଙ୍କୁ ଏକାଠି କରି ଗୋଟେ ପ୍ରକାର ସଙ୍ଗଠନରେ ସେମାନଙ୍କୁ ରଖିବାକୁ ଚେଷ୍ଟା କରୁଛି । ମୁଁ ଓ ଜଣେ ମରାଠୀ ଛାତ୍ର ଦେଖିବାକୁ ଯାଇଥିଲୁ । ତାଙ୍କ ପୁରାଣ ବୋଲା ହେଉଥିଲା । ଗଲା ବେଳକୁ-ତାହା ଶେଷ ହେଉ ହେଉ ପ୍ରାୟ ଦୁଇଘଣ୍ଟା କାଳ ବିତିଗଲା । ଜୋତାକୁ ବାହାରେ ରଖି, ଭିତରେ ଚକା ପକେଇ ବସି ବସି ଅଣ୍ଟା ଭାଙ୍ଗିଗଲା । ଶେଷରେ ମିଳିଲା ପ୍ରସାଦ-ଚମତ୍କାର ଘିଅ ଚପ୍ ଚପ୍ ହାଲୁଆ ବା ମୋହନ ଭୋଗ । ସେ ସରିଲାରୁ ଖାନା-ପୁରୀ, ହାଲୁଆ, ତରକାରି । ଶିଖ୍‍ମାନେ ଭଲ ରାନ୍ଧନ୍ତି, ସେମାନଙ୍କ ଖାଦ୍ୟ ଭାରତବର୍ଷରେ ସବୁଠୁ ପୁଷ୍ଟିକର । ସବୁ ବି ଭଲ ହୋଇ ଥିଲା । ଖାଦ୍ୟ ଶେଷରେ ଗ୍ଳାସେ ଦୁଧ । ଆଉ ଯାଉ କୁଆଡ଼େ ? ବହୁ ଦିନ ହେଲା ଭାରତବର୍ଷର ବିଳାସୀ ଖାଦ୍ୟର ସମ୍ପର୍କ ନ ଥିବାରୁ କାଲି ଦିନ ଯାକ ସୁ ଆଳସ୍ୟ ଓ ଅକର୍ମଣ୍ୟତାରେ କଟେଇଛି, ଆଉ କ’ଣ କହିବି ? ରାତିରେ ବି ନିଦ୍ରାରେ ବ୍ୟାଘାତ ହେଲା । କିନ୍ତୁ ଶିଖ୍‍ମାନଙ୍କର-ବୁଲାବିକା ହେଲେ କ’ଣ ହେବ-ବ୍ୟବହାରରେ ମୁଁ ମୁଗ୍‍ଧ ହୋଇ ଆସିଲି । ବରାବର ଯିବାକୁ ନିମନ୍ତ୍ରଣ ଓ ଗଲେ ଆଦର ଅଭ୍ୟର୍ଥନା । ମୁଁ ହିନ୍ଦୁସ୍ଥାନୀ କହିପାରେ ନି- ତଥାପି ଆମେ ଯେ ଏକ ଦେଶର ଲୋକ, ତାହା ଏହି ମୂର୍ଖ ମୂକ ପଞ୍ଜାବୀ ମଧ୍ୟ ଜାଣିପାରି ଯେ ତାର ଜ୍ଞାତିପରି ଆଦର କରୁଛି, ତାହା ବଡ଼ ଉପଭୋଗ୍ୟ ଅନୁଭୂତି । ଏହି ବୁଲାବିକାମାନେ କେହି ହେଲେ ସାପ୍ତାହିକ ଦୁଇ ପାଉଣ୍ଡ (ନେଟ୍)ରୁ କମ୍ ରୋଜଗାର କରନ୍ତି ନି-ଅଧିକାଂଶ ପାଞ୍ଚ ପାଉଣ୍ଡ୍, କେହି କେହି ଦଶ ପାଉଣ୍ଡ ବି ରୋଜଗାର କରନ୍ତି । ସାପ୍ତାହିକ ଦଶ ପାଉଣ୍ଡ ମୁଁ ଜୀବନରେ କେବେ ହେଲେ ରୋଜଗାର କରିପାରିବି କି ନା ସନ୍ଦେହ । ଏମାନଙ୍କ ଭିତରୁ କାହାର କାହାର ମୋଟରକାର ବି ଅଛି-। ଜଣେ ଏଫ୍. ଏ. ପର୍ଯ୍ୟନ୍ତ ପଢ଼ିଥିଲା, ଏଠାକୁ ଆସିଛି କୌଣସି ଚାକିରୀ ନ ଯୁଟିବାରୁ ଦେଶରେ-ସୁନ୍ଦର ଇଂରେଜୀ କହୁଛି ଓ ଭାରତବର୍ଷରେ ଯାହା କେବେ ରୋଜଗାର କରି ପାରି ନ ଥାନ୍ତା ତାହା କରୁଛି । ସମଗ୍ର ପଞ୍ଜାବରେ ଶିଖ୍‍ମାନେ ମୋଟେ ଲୋକସଂଖ୍ୟାର ଶତକଡ଼ା ପନ୍ଦର ଅଂଶ ମାତ୍ର । କିନ୍ତୁ ଶିଖ୍ ସାରା ପୃଥିବୀରେ ଛାଇଁ ହୋଇ ଯାଇଛନ୍ତି । ଓଡ଼ିଶା ରାଜାମାନଙ୍କର ମଟର ଡ୍ରାଇଭର ଶିଖ୍, ଜାମସେଦ ପୁରରେ କଳଚାଳକ ଶିଖ୍, ଭାରତୀୟ ଆର୍ମିରେ କର୍ଣ୍ଣେଲ ଲେଫ୍‍ଟେନଣ୍ଟ ଶିଖ୍, ଜାଭାଠୁ ଆମେରିକା ଯାଏ ବେପାରୀ ଶିଖ୍ । ଆମେ ଓଡ଼ିଆ ସେଇ ମାଟିକୁ କାମୁଡ଼ି ପଡ଼ିଛୁ-ଆମର ସାହସ ନାହିଁ ଘରୁ ଗୋଡ଼ କାଢ଼ିବାକୁ, ଆମକୁ ଭାତ ମିଳିବ କୁଆଡ଼ୁ ? ଖାଲି ମାଟିକି ଖୋଳିଲେ ମାଟି କେତେ ଦେଉଥିବ ? ବୁଦ୍ଧି କି ବିଦ୍ୟାକୁ ଖୋଳିଲେ ସିନା ଅସରନ୍ତି ସମ୍ପତ୍ତି ବାହାରନ୍ତା । ଆମ ଦେଶରେ ସେ ଚେଷ୍ଟା କାହିଁ ? ମି: ଦାସ କିଛି ବାଟ ଦେଖେଇଥିଲେ, କିନ୍ତୁ ତାଙ୍କର ନିଜ ଦୋଷ ଯୋଗୁ ସେ ଯେଉଁ ବାଟ ଖୋଲିଥିଲେ ସେଇ ବାଟରେ ନଟା ବାଡ଼ ପକେଇଲେ ।

 

ସେକ୍ସପିୟରଙ୍କ ଜନ୍ମସ୍ଥାନଙ୍କୁ ଯାତ୍ରା

 

ଷ୍ଟ୍ରାଟଫୋର୍ଡ଼-ଅନ୍-ଏଭନ୍

୪-୯-୩୮

 

କାଲି ଶନିବାର ନିଉକ୍ୟାସଲ୍‍ରୁ ଗୋଟାକ ବେଳେ ବାହାରି ରାତି ଦଶଟାରେ ସେକ୍‍ସପିୟରଙ୍କ ଜନ୍ମସ୍ଥାନ ଷ୍ଟ୍ରାଟ୍‍ଫୋର୍ଡ଼ରେ ପହଞ୍ଚିଲି । ଆଗରୁ ଚିଠି ଲେଖି ଜଣକ ଘରେ ରହିବାର ଠିକ୍ କରିଥିଲି, ନ ହେଲେ ରାତିରେ ବଡ଼ ହଇରାଣରେ ପଡ଼ିଥାନ୍ତି । ଷ୍ଟ୍ରାଟ୍‍ଫୋର୍ଡ଼ ଗୋଟିଏ ଛୋଟିଆ ସହର । ରାତିରେ ଓହ୍ଲେଇଲା ବେଳକୁ ଷ୍ଟେସନରେ ଗାଡ଼ି, ଘୋଡ଼ା, ମଟର କିଛି ନାହିଁ । ଜଣେ ଭଦ୍ରମହିଳା ମାତ୍ର ଷ୍ଟେସନରେ ମୋ ସାଥିରେ ଓହ୍ଲେଇଲେ, ତାଙ୍କୁ ଭେଟିବାକୁ ଜଣେ ତରୁଣୀ ଆସିଥିଲେ । ସେ ଦିଜଣଙ୍କୁ ମୁଁ ଆର୍ଡ଼େନ୍ ଷ୍ଟ୍ରିଟ୍ କେତେ ବାଟ ବୋଲି ପଚାରିଲି । ସେମାନେ କହିଲେ ବହୁଦୂର ଏବଂ ଏ ଦେଶର ଭଦ୍ରବ୍ୟବହାର ଅନୁଯାୟୀ ତାଙ୍କ ବାଟ ଛାଡ଼ି ଅନେକ ବାଟ ଯାଏଁ ମୋ ସାଙ୍ଗ ଧରିଲେ ଓ ତା ପରେ ମୁଁ ଯେମିତି ମୋ ଜାଗା ପାଇ ପରିବି ତା’ର ଠିକଣା ବତେଇ ଦେଇ ବିଦାୟ ନେଲେ । ମୁଁ ସେ ଦୁହିଁଙ୍କୁ ଅଶେଷ ଧନ୍ୟବାଦ ଦେଲି ।

 

ଏ ଦେଶର ରେଳଯାତ୍ରା ଆମ ଦେଶ ପରି ବଡ଼ ହଇରାଣିଆ । ଏହି ଦଶଘଣ୍ଟା ଯାତ୍ରାରେ ମତେ ପ୍ରାୟ ତିନି ଥର ଗାଡ଼ି ବଦେଳେବାକୁ ହେଲା । ଛୋଟ ଛୋଟ କୋଠରୀଟିମାନଙ୍କରେ ଝରକା ପ୍ରଭୃତି ବନ୍ଦ କରି ଦେଇ ବସିବାକୁ ହୁଏ ଶୀତ ଯୋଗୁଁ । ସେଇ ରୁଦ୍ଧ କକ୍ଷରେ ଶ୍ୱେତାଙ୍ଗମାନେ ଧୂମ୍ରପାନ ଆରମ୍ଭ କରିଦେଲେ ଅବସ୍ଥା କ’ଣ ହେବ, ଅନୁମାନ କର । ଅବଶ୍ୟ ତୃତୀୟ ଶ୍ରେଣୀରେ ମଧ୍ୟ ଆସନ ସବୁ ଗଦିପକା, କିନ୍ତୁ କୌଣସି ଗତି ଯେତେ କୋମଳ ହେଉନା କାହିଁକି, ମୁକ୍ତ ପବନର ସୁଖ ଦେଇ ପାରିବ ନାହିଁ ।

 

ବାଟରେ ଜଣେ ଶ୍ୱେତାଙ୍ଗିନୀ ଦୁଇଟି ପିଲା ଧରି ମୋ’ କୋଠରୀକି ଆସିଲେ । ପରେ କଥାବାର୍ତ୍ତା ହେଲୁଁ । ତା’ର ମା ବାଇଶଟି ସନ୍ତାନର ଜନନୀ-ତାର ମା ବୁଢ଼ୀ ଓ ବାପ ବୁଢ଼ା, ଉଭୟେ ବଞ୍ଚିଛନ୍ତି; ସେ ମା’କୁ ଦେଖିବାକୁ ଯାଉଛି । ତା’ର ନିଜର ବୟସ ୪୬, ପିଲା ତାର ସାତଟା । କିନ୍ତୁ ସେ ମଜଭୁତ୍ ବେଶ୍ ଅଛି । ତାର ବାଳ କଳା-ଆମ ଭାରତୀୟ ମହିଳାମାନଙ୍କ ପରି । ତା’ର ଗୋଟିଏ ପୁଅର ବାଳ ଠିକ୍ ଭାରତୀୟମାନଙ୍କ ବାଳ ପରି ଘୋର କୃଷ୍ଣବର୍ଣ୍ଣ, ଆଉ ଗୋଟାକର କହରା । ଏ ଦେଶରେ କଳା ବାଳ ଯା’ର ତାକୁଇ dark ବା କଳା ବୋଲି କହନ୍ତି । କଳା ବାଳ ଥିବା ଲୋକ ସାଧାରଣତଃ ସେତେ ଧଳା ନୁହନ୍ତି-ଟିକିଏ କାଇଲା ଦେଖାଯାନ୍ତି । ସେ ଶ୍ୱେତାଙ୍ଗିନୀ ମତେ ଏଇମିତିକା ଇଂରେଜ ବୋଲି ଧରି ନେଇଥିଲା ବା ଇଂରେଜ ଓ ଅନ୍ୟ ଜାତିର ଶଂକର । ମୁଁ କହିଲି, ‘ମୁଁ ପୂରା ଭାରତୀୟ ।’ ସେ କହିଲା, ତା’ର ସ୍ୱାମୀ ‘ମୋ’ପରି dark [କଳା], ତା’ର ଗୋଟେ ଝିଅ ଅଛି, ସେ ମଧ୍ୟ ସେହିପରି । ମଜାର କଥା ଏହି ଯେ, ଏ ଦେଶରେ କଳା ବାଳ ଓ ନରମା ଧଳା ଚମଡ଼ାକୁ, ଝୋଟବାଳ ଓ ଶ୍ୱେତା ଚମଡ଼ା ଅପେକ୍ଷା ବେଶି ଆଦର । କଳା ବାଳ ଓ କଳା ଆଖି ଥିବା ତା’ର ଯେଉଁ ପିଲାଟି ମୋ ପାଖେ ବସିଥିଲା, ତାକୁ ଦେଖେଇ ସେ କହିଲା-‘ସେ ବଢ଼ିଯାଉ, କି ସୁନ୍ଦର ହେବ, ଦେଖିବ !’

 

ମୋର ଏଠାକାର ଲାଣ୍ଡ୍‍ଲେଡ଼ି ମିସେସ୍ ମାଇଲସ୍ ବେଶ୍ ଚମତ୍କାର ଇଂରେଜ ବୃଦ୍ଧା । ଷ୍ଟ୍ରାଟଫୋର୍ଡ଼ ଏପ୍ରିଲଠୁଁ ସେପ୍‍ଟେମ୍ବର ଶେଷ ଯାଏଁ ପୃଥିବୀର ଚାରିଆଡ଼ୁ ଦର୍ଶକମାନଙ୍କୁ ଆକର୍ଷଣ କରେ । ସେମାନଙ୍କର ପରିଚର୍ଯ୍ୟା କରି ଏଠାର ନାଗରିକମାନେ ବେଶ୍ ଦି’ ପଇସା ଅର୍ଜନ କରନ୍ତି । ମିଷ୍ଟର ଓ ମିସେସ୍ ମାଇଲସ୍ ବର୍ତ୍ତମାନ ବୃଦ୍ଧ-ବୃଦ୍ଧା । ପୁଅ ଝିଅ ବିଭା ଚୁଡ଼ା ହୋଇ ଯେଝାର ସଂସାର ପାତିଛନ୍ତି । ଘରେ କିଛି ଜଞ୍ଜାଳ ନାହିଁ- ବୁଢ଼ା ତା’ର ବ୍ୟବସାୟ କରି ଟଙ୍କା କମାଏ, ବୁଢ଼ୀ ଅତିଥି ସେବା କରି ଅଧିକା କିଛି ଜମାଏ । ଆମ ଦେଶରେ ଏଇ ଲାଣ୍ଡ୍‍ଲେଡ଼ିର ବ୍ୟବସ୍ଥା ଚଳିଲେ, ଭ୍ରମଣକାରୀମାନଙ୍କର ଯିମିତି ସୁବିଧା ହୁଅନ୍ତା, ଅନେକ ଦରିଦ୍ରା ଅସହାୟା ସ୍ତ୍ରୀ ମଧ୍ୟ ସେହିପରି ପୋଷି ହୁଅନ୍ତେ । ମୁଁ ଗଲେ ଜଣକୁ ଏପରି କାମ ଆରମ୍ଭ କରିବାକୁ ପ୍ରବର୍ତ୍ତେଇବି ।

Image

 

ସେକ୍‍ସପିୟରଙ୍କ ଜନ୍ମସ୍ଥାନରେ

 

ସେକ୍‍ସପିୟରଙ୍କ ଜନ୍ମସ୍ଥାନ ଷ୍ଟ୍ରାଟଫୋର୍ଡ଼-ଅନ୍-ଏଭନ୍ ଗୋଟିଏ କ୍ଷୁଦ୍ର ସହର ଏବଂ କବିଙ୍କ ଜୀବନକାଳଠାରୁ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣରୂପେ ପରିବର୍ତ୍ତିତ ହୋଇ ଯାଇଛି । ବର୍ତ୍ତମାନ ଷ୍ଚ୍ରାଟ୍‍ଫୋର୍ଡ଼ର ରାସ୍ତାମାନଙ୍କରେ ଯାହା ଦୃଷ୍ଟି ପଥାରୂଢ଼ ହୁଏ ସେକ୍‍ସପିୟରଙ୍କର ଅତିମାନୁଷିକ କଳ୍ପନା ମଧ୍ୟ ତାହା ଠଉରେଇ ପାରି ନଥିବ । ବିଦ୍ୟୁତ୍, ବେତାର, ସର୍ବତ୍ରଦୃଶ୍ୟ ମୋଟରକାର ଓ ତାର ଅପ୍ରିୟ ପେଟ୍ରୋଲ ଗନ୍ଧ, ନୂତନ ଧରଣର ଗୃହାବଳି ଯେଉଁଥିରେ ଆଧୁନିକ ସୁବିଧା ସବୁ ଖଞ୍ଜା ଯାଇଛି, କିନ୍ତୁ ଯେଉଁମାନଙ୍କର ଆକାର ଓ ଢାଞ୍ଚା ଏପରି ବିଚାରହୀନ ଭାବରେ ସାମ୍ୟମୟ ଯେ ଦେଖି ଦେଖି ମନରେ ବିତୃଷ୍ଣା ଆସିଯାଏ-ଏଇ ସବୁ ଷ୍ଟ୍ରାଟ୍‍ଫୋର୍ଡ଼କୁ ଗୋଟିଏ ଏଲିଜାବେଥୀୟାଗ୍ରାମରୁ ଆଧୁନିକ ସହରରେ ପରିଣତ କରିଛନ୍ତି । କିନ୍ତୁ ମୋର ମନେ ହେଉଛି ଏ ପରିବର୍ତ୍ତନ ଏଭଳି ଉପତ୍ୟକାର ଆରଣ୍ୟକ ସୁଷମା ଓ ଶାନ୍ତି ବହୁପରିମାଣରେ ନଷ୍ଟ କରି ପକାଇଅଛି ।

 

କିନ୍ତୁ ସେକ୍‍ସପିୟର ଓ ପ୍ରକୃତିର ଭକ୍ତମାନଙ୍କର ଏଇ ସୌଭାଗ୍ୟ ଯେ ଷ୍ଟ୍ରାଟ୍‍ଫୋର୍ଡ଼ ନିକଟରେ କୋଇଲା ବା ଲୁହା ଆବିଷ୍କୃତ ହୋଇ ନାହିଁ ଏବଂ ସେଇ ହେଉଛି ଏକମାତ୍ର କାରଣ ଯାହା ହେତୁ ପ୍ରକୃତିର ପରିପୂର୍ଣ୍ଣ ଧ୍ୱଂସ ବାକୀ ରହିଯାଇଛି ଏବଂ ତା’ର ସୌନ୍ଦର୍ଯ୍ୟର ଯଥେଷ୍ଟ ଅବଶେଷ ରହିଛି ଯାହା ଦର୍ଶକକୁ ଧାରଣା ଦେଇପାରେ ଯେ ବାଳକ ସେକ୍‍ସପିୟର କିପରି ପ୍ରାକୃତିକ ବେଷ୍ଟନୀ ଭିତରେ ବଡ଼ିଥିଲେ ଯେଉଁଥିରୁ ତାଙ୍କର ନିରତିଶୟ ସ୍ପର୍ଶଶୀଳ କଳ୍ପନା ସେଇ ସବୁ ଛାପ ଧରି ନେଇଥିଲା ଯାହା ତାଙ୍କର କବିତାକୁ ପରେ ଏପରି ଜୀବନ୍ତ ଓ ସ୍ୱାଭାବିକ ଛବିରେ ଭରି ଦେଇଥିଲା । କାରଣ ମୁଁ ଉତ୍ତର ଇଂଲଣ୍ଡରୁ ବର୍ମିଂହାମ୍, ସେଫିଲ୍‍ଡ଼୍ ଓ ସେମାନଙ୍କର ଚତୁଃପାର୍ଶ୍ୱସ୍ଥ ଦେଶ ଦେଇ ଷ୍ଟ୍ରାଟ୍‍ଫୋର୍ଡ଼ ଆଡ଼କୁ ଗତି କଲା ବେଳେ ବେଶ୍ ବୁଝି ପାରୁଥିଲି ଷ୍ଟ୍ରାଟ୍‍ଫୋର୍ଡ଼-ଅନ୍-ଆଭନ୍‍ର ଦଶା କ’ଣ ହୋଇଥାନ୍ତା ଯଦି ସେଠି ପୁଞ୍ଜିପତିର ଲୋଭ ସନ୍ତୋଷ କରିବା ପାଇଁ କିଛି ହେଲେ ମିଳିଥାନ୍ତା । ଇଂଲଣ୍ଡର କାରଖାନିକ ନଗରଗୁଡ଼ିକ ପରି କ୍ୱତ୍ସିତ ପଦାର୍ଥ ମନୁଷ୍ୟ ହସ୍ତ ଆଉ ଦ୍ୱିତୀୟ ସୃଷ୍ଟି କରି ନାହିଁ ଏବଂ କୁବେର ଭକ୍ତ ଗୁଡ଼ିକ ଏପରି ସ୍ଥୂଳସ୍ପର୍ଶ ଯେ ସେକ୍‍ସପିୟର ଜନ୍ମସ୍ଥାନକୁ ସମ୍ମାନ ଦେଖାଇ ସେଠାର ପ୍ରକୃତିକୁ ଶିଳ୍ପସଂପ୍ରସାରଣ ନାମକ ଅପକ୍ରିୟାରୁ ତାକୁ ରକ୍ଷା କରିଥାନ୍ତେ ବୋଲି ଆଶା କରାଯାଏ ନାହିଁ ।

Unknown

 

 

ଅତ୍ୟନ୍ତ କୌତୂହଳର କଥା ଏଇ ଯେ ଇଂଲଣ୍ଡର ଏଇ ଛୋଟ ସହରଟି ପୃଥିବୀର ସର୍ବପ୍ରାନ୍ତରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆକର୍ଷଣ କରି ଆଣୁଥିଲେହେଁ ଷ୍ଟ୍ରାଟ୍‍ଫୋର୍ଡ଼ର ସାଧାରଣ ଅଧିବାସୀ ତା ଗ୍ରାମ ସଙ୍ଗେ ସେକ୍‍ସପିୟରଙ୍କର ସଂପର୍କ ସମ୍ବନ୍ଧରେ ଏକପ୍ରକାର ନିରୁତ୍ସାହ । ଷ୍ଟ୍ରାଟ୍‍ଫୋର୍ଡ଼ ରେଳ ଷ୍ଟେସନରେ ଓହ୍ଲାଇବା ମାତ୍ରେ ମୁଁ ଦୁଇଜଣ ଭଦ୍ରମହିଳାଙ୍କର ସଖ୍ୟ ଲାଭକରି ତାଙ୍କ ସଙ୍ଗେ କଥା ଆର କଲି । ମୁଁ କହିଲି “ଯେଉଁଠି ସେକ୍‍ସପିୟର ଜନ୍ମ ହୋଇଥିଲେ ସେହି ଷ୍ଟ୍ରାଟ୍‍ଫୋର୍ଡ଼ର ଅଧିବାସୀ ଭାବରେ ଆପଣମାନଙ୍କର ଗର୍ବବୋଧ କରିବାର କଥା ।” ସେମାନଙ୍କ ଭିତରୁ ଜଣେ ଉତ୍ତର ଦେଲେ “ନା, ଆମେ ସେହିପରି ବୋଧ କରୁନା । ସେ ଆମର ଭୟର କାରଣ-। ଆମେ ସ୍କୁଲରେ ପଢ଼ିବା ବେଳୁ ତାଙ୍କର ନାଟକ ନେଇ ସେ ଏକ ବିଭୀଷିକା ହୋଇ ଉଠନ୍ତି ।”

 

ଷ୍ଟ୍ରାଟ୍‍ଫୋର୍ଡ଼ରେ ଏକ ସିନେମା ଅଛି । ହୁଏତ ତାହା ବହୁ କୋଶ ଧରି ଏକମାତ୍ର ସିନେମା । ମତେ ଜଣେ ଇଂରେଜ ପାଦ୍ରୀ କହିଲେ ଯେ ମଫସଲରୁ ଅଧିକାଂଶ ଲୋକ ଏଇ ସିନେମା ଦେଖିବାକୁହିଁ ଆସନ୍ତି ଏବଂ ଯେଉଁ ଥିଏଟର୍‍ରେ ସେକ୍‍ସପିୟରଙ୍କର ବିଖ୍ୟାତ ନାଟକ ସବୁ ଅଭିନୀତ ହେଉଛି ସେଥିପ୍ରତି ସେମାନେ ବୀତସ୍ପୃହ । ରବିବାର ଏ ଦିନ ଏଭନ୍ ନଦୀକୂଳର ପ୍ରାନ୍ତର ଗୁଡ଼ିକ ଲୋକାରଣ୍ୟ ହୋଇ ଉଠେ ଏବଂ ରାସ୍ତାର କଡ଼େ କଡ଼େ ଭର୍ତ୍ତି ହୋଇଯାଏ-ନାନା ପ୍ରକାରର ମୋଟରକାର । ମୁଁ ପରେ ଜାଣିଲି, ଏମାନେ ସବୁ ଛୁଟି-କଟାଳି ଭ୍ରମଣକାରୀ-ଏମାନଙ୍କର ସେକ୍‍ସପିୟରଙ୍କ ନାଟକ ପ୍ରତି ଟିକିଏ ହେଲେ ଖାତିର ନ ଥାଏ । ସେକ୍‍ସପିୟର-ସ୍ମାରକ ରଙ୍ଗମଞ୍ଚର ଚାରିପାଖେ ବୁଲୁ ବୁଲୁ ଦିନେ ସକାଳେ ଗୋଟିଏ ବାଳକକୁ ଭେଟିଲି । ମୁଁ ତାକୁ ପଚାରିଲି ସେକ୍‍ସପିୟର କିଏ । ସେ ଉତ୍ତର ଦେଲା ଯେ “ସେ ଜଣେ ଲୋକ ଯେ କି ବହୁତ ଚିଠି ଲେଖିଛି ।” ସେ ପଚାରିଲା, ମୁଁ ସେଠାର ସିନେମା ଘରେ ତତ୍‍କାଳୀନ ପ୍ରଦର୍ଶିତ ମିକ ମୂଷିକ ଛବି ଦେଖିବାକୁ ଯାଇଛି କି ନା, କାରଣ ତାହା ମତରେ ନିକଟସ୍ଥ ରଙ୍ଗମଞ୍ଚରେ ଅଭିନୀତ ନାଟକାବଳିର ସେହି ଫିଲ୍‍ ମ ସଙ୍ଗେ ତୁଳନାଇ ହୋଇ ପାରେନା ।

 

 

ଜର୍ମାନ୍ କବି ଗୋଏଟେ ହିଁ ବାସ୍ତବରେ ସେକ୍‍ସପିୟର ଆରାଧନା ଆରମ୍ଭ କରନ୍ତି । ସେହିଦିନରୁ ଇଂରେଜ ପଣ୍ଡିତମାନେ ସେକ୍‍ସପିୟର କିଂବଦନ୍ତୀକୁ ବିସ୍ମୃତି ଗର୍ଭରୁ ଉଦ୍ଧାର କରି ଜୀବନ୍ତ ରଖିବାପାଇଁ କୌଣସି ପ୍ରକାର ଚେଷ୍ଟାରେ ତ୍ରୁଟି କରି ନାହାନ୍ତି ଏବଂ ଯେପରି ଭାବରେ ସେମାନେ କୃତକାର୍ଯ୍ୟ ହୋଇ ପାରିଛନ୍ତି ତାହା ଦେଖିଲେ ବିସ୍ମିତ ହେବାକୁ ହୁଏ । କାଳର କବର-ଭୂମିରୁ କବିଙ୍କ ସଙ୍ଗେ ସଂପୃକ୍ତ ଏଡ଼େ ଟିକେ ପଦାର୍ଥ ବି ଖୋଳା ହୋଇଁ ବାହାର ହୋଇଛି, ଯାହା ସେକ୍‍ସପିୟର ଭକ୍ତଙ୍କ କୌତୂହଳ ଏକାଧାରରେ ତୃପ୍ତି ଓ ବୃଦ୍ଧି କରୁଛି । ଏଇକ୍ରମେ ଏହିପରି ଛୋଟ ଘଟଣା ଜଣାପଡ଼ିଛି ଯେ ଲଣ୍ଡନରେ ଜନୈକ ନାଗରିକ ସେକ୍‍ସପିୟର ଓ ତାଙ୍କର ଆଉ ଦୁଇଜଣ ଦୋସ୍ତଙ୍କ ଭୟରେ ପୋଲିସ୍‍ର ଆଶ୍ରୟ ଭିକ୍ଷା କରିଥିଲା, ବା ସେକ୍‍ସପିୟର ନିଜେ ଏକ ମକଦ୍ଦମାରେ ସାକ୍ଷୀ ହୋଇଥିଲେ । ଏଇସବୁ ଛୋଟ ଛୋଟ ଘଟଣା ନେଇ ମହାକବିଙ୍କ ପ୍ରତିଭାକୁ ସ୍ପଷ୍ଟୀକୃତ କରିବା ଅପେକ୍ଷା ଆହୁରି ଘନୀଭୂତ କରେ ତାହାର ରହସ୍ୟ । କାରଣ ଯିଏ ସାମାଜିକ ଜୀବନରେ ଏପରି ସାଧାରଣ ଥିଲେ ସେ କିପରି ‘ମିଡ଼୍‍ସମର ନାଇଟସ୍ ଡ୍ରୀମ୍’ର ମଧୁର ଉଦ୍ଭଟ କଳ୍ପନା ବା ‘ହାମ୍‍ଲେଟ’ର ବିସ୍ମୟକର ଆତ୍ମ-ବିଶ୍ଳେଷଣ ସୃଷ୍ଟି କରିପାରେ ।

 

ଏହି ସବୁ ଛୋଟ ଛୋଟ ଘଟଣାମାନଙ୍କ ପରି, କବି ଯେଉଁ ଘରେ ଜନ୍ମ ହୋଇଥିଲେ, ଯେଉଁ ସ୍କୁଲରେ ପଢ଼ିଥିଲେ, ଯେଉଁ ଘରେ ଶେଷ ଜୀବନ କଟାଇଥିଲେ ସେ ସବୁ ମଧ୍ୟ ତାଙ୍କର ଉର୍ଜ୍ୱସ୍ୱଳ କୀର୍ତ୍ତି ତୁଳନାରେ ଅତ୍ୟନ୍ତ ସାଧାରଣ ଓ ହୀନ ପ୍ରତିଭାତ ହୁଅନ୍ତି । କଥିତ ଅଛି ଯେ ସେକ୍‍ସପିୟରଙ୍କ ପିତା କେବଳ ଜଣେ ସଂଗତିସମ୍ପନ୍ନ ବ୍ୟବସାୟୀ ନ ଥିଲେ, ସେ ବେଳେ ଷ୍ଟ୍ରାଟ୍‍ଫୋର୍ଡ଼ର ମେୟର ମଧ୍ୟ ହୋଇଥିଲେ । ଜନନୀଙ୍କ ବଂଶ ଆଡ଼ୁ ମଧ୍ୟ କବିଙ୍କର ସୌଭାଗ୍ୟ ଥିଲା-। କିନ୍ତୁ କବିଙ୍କର ଜନ୍ମ-ଗୃହ ବା ମା ମେରୀ ଆର୍ଡ଼େନଙ୍କ ଆବାସ, କୌଣସିଟି ହେଲେ ସୂଚନା ଦେଉନି ଯେ ତାର ଅଧିବାସୀମାନେ ସଭ୍ୟ-ସ୍ୱଚ୍ଛଳ ଥିଲେ । ଏଇ ସବୁ ଏଲିଜାବେଥ୍ କାଳୀନ ଗୃହମାନଙ୍କରେ ତଳେ ଯେଉଁସବୁ ପଥର ବିଛା ହୋଇଛି, ସେଥିରେ ଚୂନ-ସୁରକୀ ବି ଲାଗିନି, କଡ଼ି ବରଗା ସବୁ ଦରଚଞ୍ଚା କାଠ, ଏବଂ ଛାତ ଏତେ ନୀଚ ଯେ ମୁଣ୍ଡ ବାଜିବାର ଆଶଙ୍କା ବରାବର । ଝରକା ପରିବର୍ତ୍ତରେ କାନ୍ଥମାନଙ୍କରେ ଅଛି ଗୋଟିଏ ଗୋଟିଏ କଣା । ପରିବାରର ସିନ୍ଧୁକମାନଙ୍କରେ ଲୁହାର କବଜା ଲାଗି ନାହିଁ, କାରଣ ସେ ସବୁ ସେତେବେଳେ ହୁଏ ତ ଏ ଦେଶରେ ଜଣା ନ ଥିଲା ଏବଂ ସେକ୍‍ସପିୟର ଯେଉଁ ସମୟରେ ତାଙ୍କର ବୁଦ୍ଧିମନ୍ତ ସୃଷ୍ଟି କରି ଯାଉଥିଲେ ସେତେବେଳେ ଇଂଲଣ୍ଡରେ ଲୋକେ କାଠ ଥାଳିରେ ହିଁ ଭୋଜନ କରୁଥିଲେ । ଏଇ ସ୍ଥୂଳ, ଆଦିମ ପାରିପାର୍ଶ୍ୱିକତାରୁ ସେକ୍‍ସପିୟରଙ୍କ ପ୍ରତିଭାର ସ୍ଫୁରଣ ଓ ବିକାଶ ହେଲା କିପରି, ମୁଁ ଭାବୁଥାଏ ।

 

ସେକ୍‍ସପିୟରଙ୍କ ସଂପୃକ୍ତ ସବୁ ସ୍ଥାନ ଭିତରୁ ମତେ ଅଧିକ କୌତୂହଳ ଦାନ କଲା ଷ୍ଟ୍ରାଟ୍‍ଫୋର୍ଡ଼ର ଗ୍ରାମର ସ୍କୁଲ, ଯେଉଁଠି ବାଳକ ସେକ୍‍ସପିୟର ପାଠ ପଢ଼ିଥିଲେ । ଗତ ତିନିଶତ ବର୍ଷ ଧରି ଷ୍ଟ୍ରାଟ୍‍ଫୋର୍ଡ଼ର ପ୍ରତି ପୁରୁଷର ବାଳକ ବାଳିକା ସେହି ସ୍କୁଲରେ ପାଠ ପଢ଼ି ଆସୁଛନ୍ତି-ଯେଉଁଠି ସେକ୍‍ସପିୟର ଶିକ୍ଷକମାନଙ୍କ ଅଧ୍ୟାପନାରୁ ପ୍ରଥମେ ଜ୍ଞାନ ଗ୍ରହଣ କରିଥିଲେ । ସେକ୍‍ସପିୟରଙ୍କ ସମୟରେ ୩୦।୪୦ଟି ପିଲାଙ୍କ ପାଇଁ ଏହା ଏକ ଛୋଟ ବିଦ୍ୟାଳୟ ଥିଲା । ଆଧୁନିକ ପ୍ରୟୋଜନ ଅନୁସାରେ ଏହାକୁ ବହୁ ପରିମାଣରେ ବଢ଼ାଇ ଦିଆ ଯାଇଛି, କିନ୍ତୁ ସେହି ପ୍ରାଚୀନ କ୍ଳାସରୁମଟି ଯତ୍ନର ସହିତ ସୁରକ୍ଷିତ ଅଛି । ହେଡ଼ମାଷ୍ଟରଙ୍କ ପ୍ଳାଟଫର୍ମର ଦକ୍ଷିଣ ପାଖରେ ଗୋଟିଏ ପିତ୍ତଳ ପଟାର ଲେଖା ଦେଖାଇ ଦିଏ ସେକ୍‍ସପିୟର ଛାତ୍ର ଭାବରେ କେଉଁଠି ବସିଥିଲେ-। ସେଇଟା ହେଉଛି ସମ୍ମୁଖ ବେଞ୍ଚର ଶୀର୍ଷସ୍ଥାନ । ତେଣୁ ମନେ କରିବାକୁ ହେବ ଯେ ବାଳକ ସେକ୍‍ସପିୟର ତାଙ୍କ ଶ୍ରେଣୀର ଶ୍ରେଷ୍ଠ ଛାତ୍ର ଥିଲେ ।

 

ଇଂଲାଣ୍ଡର ଶିକ୍ଷାନୁଷ୍ଠାନମାନଙ୍କର ଏ ଏକ ପ୍ରଥା ଯେ ସେଠୁ ବାହାରି ଯେଉଁ ଛାତ୍ରମାନେ ବାହାର ଜଗତରେ ସୁନାମ ଅର୍ଜନ କରିଛନ୍ତି ସେମାନଙ୍କ ନାମ ଏକ କାଠ ପଟାରେ ସ୍ୱର୍ଣ୍ଣ କ୍ଷରରେ ଲିପିବନ୍ଧ ହୋଇ କାନ୍ଥରେ ଝୁଲାଇ ଦିଆ ଯାଇଥାଏ, ସାଂପ୍ରତିକ ଛାତ୍ରମାନଙ୍କର ପ୍ରକୃଷ୍ଟ ପ୍ରେରଣା ରୂପେ । ମୁଁ ଏଇ ବିଦ୍ୟାଳୟର ତାଲିକାଗୁଡ଼ିକ ଉପରେ ଆଖି ବୁଲାଇ ଦେଖେ ତ ତାଙ୍କ ଭିତରେ ଅନେକେ ଭାରତବର୍ଷରେ ପୋଲିସ, ମେଡ଼ିକାଲ ଓ ସିଭିଲ୍ ସର୍ଭିସ୍‍ର ଅଫିସର । ଏବଂ ସେକ୍‍ସପିୟରଙ୍କ ପିତ୍ତଳ-ପଟାର ଠିକ୍ ବିପରୀତ ଦିଗରେ ଆଉ ଏକ ପିତ୍ତଳ ପଟା ଝୁଲୁଛି,-“ଏଇ ସ୍କୁଲର ଅଳ୍ପକାଳ ପାଇଁ ଛାତ୍ର, ବେଙ୍ଗଲର ସିନିୟର ଜିଲ୍ଲା ଓ ସେସନ୍‍ସ୍ ଜର୍ଜ ମି: ରାଲ୍‍ ଫ ରେନୋଲ୍‍ଡ଼ସ ଗାର୍ଲିକ, ଯେ କି ନିଜର କର୍ତ୍ତବ୍ୟ କରୁ କରୁ ଆତତାୟୀ ହସ୍ତରେ ଆଲିପୁରଠାରେ ପ୍ରାଣତ୍ୟାଗ କରିଛନ୍ତି, ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ।”

 

ରାସ୍ତାର ଆରପଟେ, ସାମାନ୍ୟ କେତେ ଗଜ ଦୂରରେ ‘ନିଉପ୍ଳେସ୍’-ଭବନର ଧ୍ୱଂସାବଶେଷ ଅଛି । ସେକ୍‍ସପିୟରଙ୍କ ସମୟରେ ଏହି ଘରଟି ଏ ସହରରେ ବୃହତ୍ତମ ଥିଲା । କବି ରଙ୍ଗମଞ୍ଚରୁ ବିଦାୟ ନେଇ ଓ ଧନୀ ଏବଂ ବିଖ୍ୟାତ ହୋଇ ଯେତେବେଳେ ଲଣ୍ଡନରୁ ନିଜ ଗ୍ରାମ ଷ୍ଟ୍ରାଟ୍‍ଫୋର୍ଡ଼ରେ ଶେଷ ବୟସ କଟେଇବାକୁ ଫେରିଲେ, ସେ ଏଇ ଘରଟି କିଣି, ସେଇ ରହିଥିଲେ । ସେକ୍‍ସପିୟରଙ୍କ ପରେ ଏଇ ଘରଟି ବହୁଲୋକର ଅଧିକାରକୁ ଆସି ଶେଷରେ ୧୭୫୯ ରେ ଫ୍ରାନ୍‍ସିସ ଗାଷ୍ଟ୍ରେଲ ନାମକ ଏକ ଧର୍ମଯାଜକର ଅଧିକାରରେ ଆସିଲା । କିନ୍ତୁ ପୁରୋହିତ ବିଚାରକୁ ଶାନ୍ତି ମିଳିଲା ନାହଁ । କାରଣ ଦଳ ଦଳ ଲୋକ ଆସିଲେ ସେକ୍‍ସପିୟରଙ୍କ ଘର ଦେଖିବାକୁ । ଏ ଦୌରାତ୍ମ୍ୟରୁ ରକ୍ଷା ପାଇବାର ଏକମାତ୍ର ଉପାୟ ରୂପେ ସେହି ମୂର୍ଖ ପୁରୋହିତ ସମଗ୍ର ଘରଟିକୁ ଭାଙ୍ଗି ପକାଇଲା ଏବଂ ଧ୍ୱଂସର ଉତ୍ସାହରେ ସେକ୍‍ସପିୟର ନିଜେ ରୋପଣ କରିଥିବା ବହୁ ପ୍ରସାରୀ ମାଲବେରୀ ବୃକ୍ଷଟିକୁ ମଧ୍ୟ ନିଜ ହାତରେ ହାଣି ପକାଇ ଥିଲା । ବର୍ତ୍ତମାନ କେବଳ ‘ନିଉ ପ୍ଳେସ’ର ମୂଳଦୁଆ ଦେଖିବାକୁ ମିଳେ । ସେଇଥିରୁ ହିଁ ଧାରଣା କରି ହୁଏ ଯେ ଘରଟି ଲମ୍ବା ଚଉଡ଼ା ଥିଲା । ଅଗଣାର ମଝିରେ ଗୋଟିଏ କୂଅ ଅଛି, ଠିକ୍ ଆମ ଭାରତର ଘରମାନଙ୍କ ଅଗଣାରେ ଯେମିତି ଥାଏ । କୁସଂସ୍କାର ଏଇଟିକି ଏକ କାମନା କୂପରେ ପରିଣତ କରି ସାରିଛି । ନାରୀ-ଦଶ କମାନେ ୟାର ଚାରିପାଶେ ତ୍ରିବାର ପ୍ରଦକ୍ଷିଣ କରି ମନେ ମନେ ନିଜର କାମ୍ୟବସ୍ତୁ ଚିନ୍ତା କରିଥାନ୍ତି, ପାଇବା ଆଶାରେ । କିଛି ଦୂରରେ ଏବେ ବି ଏକ ମାଲବେରୀ ଗଛ ଠିଆ ଅଛି, ଯାହାକି ମୌଳିକ ବୃକ୍ଷର ବଂଶଜ ।

 

ନିଉ ପ୍ଳେସକୁ ଠିକ୍ ଲାଗି କରି ନା’ଶର ଘର । ନା’ଶ ଥିଲା ସେକ୍‍ସପିୟରଙ୍କ ନାତୁଣୀ ଜୋଇଁ ଏବଂ ତା ସମୟରେ ବେଶ୍ ପ୍ରତିପତ୍ତିବାନ ନାଗରିକ ଥିଲା । କାରଣ କଥିତ ଅଛି ଯେ ଏଇ ଘରେ ନା’ଶ ଥରେ ଇଂଲଣ୍ଡର ତତ୍‍କାଳୀନ ରାଣୀଙ୍କୁ ଆତିଥ୍ୟ ଦାନ କରିଥିଲା । ଏଇ ଘରଟିକୁ ବର୍ତ୍ତମାନ ସେକ୍‍ସପିୟର-ମିଉଜିୟମ କରା ହୋଇଛି । ଅନ୍ୟାନ୍ୟ ଜିନିଷ ଭିତରେ ଏଇଠି ଦେଖା ହୁଏ ହଳେ ଛୋଟ ଛାଗଳ ଚର୍ମର ଦସ୍ତାନା ଓ ଗୋଟିଏ ବ୍ରୋଚ ଯାହା ସେକ୍‍ସପିୟର ନିଜେ ବ୍ୟବହାର କରୁଥିଲେ ବୋଲି କୁହାଯାଏ ।

 

ଇଂଲଣ୍ଡର ଶ୍ରେଷ୍ଠ ନାଟ୍ୟକାରଙ୍କ ସ୍ମୃତି ପୂଜାର ଶ୍ରେଷ୍ଠ ପତୀକ ରୂପେ ତାଙ୍କର ଜନ୍ମ ଗ୍ରାମରେ ଏକ ରଙ୍ଗମଞ୍ଚ ଠିଆ କରେଇବାର ପ୍ରସ୍ତାବ, ପ୍ରସିଦ୍ଧ ଅଭିନେତା ଗାରିକ୍‍ହିଁ ପ୍ରଥମେ ବାଢ଼ନ୍ତି-। କିନ୍ତୁ ପ୍ରସ୍ତାବଟି କାର୍ଯ୍ୟରେ ଦେଖିଯିବା ପାଇଁ ଶହେ ବର୍ଷରୁ କମ୍ ଲାଗି ନ ଥିଲା । ମି: ଚାର୍ଲସ ଫ୍ଳାଓ୍ୱାର ନାମକ ଷ୍ଟ୍ରାଟ୍‍ଫୋର୍ଡ଼ର ନାଗରିକହିଁ ଶେଷରେ ଏ ପ୍ରସ୍ତାବ ହାତକୁ ନେଇ ୧୮୬୯ ଖ୍ରୀଷ୍ଟାବ୍ଦରେ ଏଇ ସ୍ମାରକ ରଙ୍ଗମଞ୍ଚ ଠିଆ କରାଇଲେ । ଦୁର୍ଭାଗ୍ୟକୁ ସେ ଥିଏଟର ୧୯୨୬ରେ ଅଗ୍ନିଦଗଧ ହୋଇଗଲା । ଏବର ସ୍ମାରକ ଥିଏଟରଟି ୧୯୩୨ରେ ସଂପୂର୍ଣ୍ଣ ହୋଇଥିଲା ଏବଂ ଉନ୍ମୋଚିତ ହୋଇଥିଲା ଇଂଲଣ୍ଡର ତତ୍‍କାଳୀନ ଯୁବରାଜ ଏବର ଡିଉକ ଅବ୍ ଉଇଣ୍ଡସରଙ୍କ ଦ୍ୱାରା-

 

ସ୍ମାରକ ଥିଏଟରଟି ଠିଆ ହୋଇଛି ଅଭନ୍ ନଦୀର ଠିକ୍ କୂଳରେ, ଘାସାଚ୍ଛନ ସୁନ୍ଦର ପ୍ରାନ୍ତର ଓ ଉଦ୍ୟାନ ପରିବୃତ୍ତି ହୋଇ । କିନ୍ତୁ ସୁନ୍ଦର ପ୍ରାକୃତିକ ବେଷ୍ଟନୀ ଭିତରେ ଏଇ ଆଧୁନିକ ଅଟ୍ଟାଳିକାଟି ଦିଶୁଛି ଏକ କୁତ୍ସିତ କାରଖାନା ଘର ପରି । ଯାହା ହେଉ, କୁତ୍ସିତ ବହିରାବରଣର କ୍ଷତିପୂରଣର ବ୍ୟବସ୍ଥା ଭିତରେ ବେଶ୍ ହୋଇଛି, ଦର୍ଶକମାନଙ୍କର ସ୍ୱାଚ୍ଛନ୍ଦ୍ୟରେ । ବାରଶତ ଲୋକର ବସିବାର ଆୟୋଜନ ହୋଇଛି ଏବଂ ଆସନ ଗୁଡ଼ିକୁ କରା ଯାଇଛି ବାୟୁ-କୋମଳ । ପ୍ରେକ୍ଷାଗୃହଟି ଏପରି ବୈଜ୍ଞାନିକ ପ୍ରଣାଳୀରେ ଗଠିତ ଯେ ରଙ୍ଗମଞ୍ଚର କ୍ଷୀଣତମ କର୍ଣ୍ଣ-ଭାଷ ମଧ୍ୟ ଦୂରତମ କୋଣକୁ ସ୍ପଷ୍ଟ ଶୁଣାଯିବ । ମୁଁ ନିଜେ ବାଲକନିରେ ରଙ୍ଗମଞ୍ଚଠାରୁ ବହୁ ଦୂରରେ ବସୁଥାଏ; ତେଣୁ ଏହା ମୋର ନିଜର ଅଭିଜ୍ଞତା । କାନ୍ଥମାନଙ୍କର ଭିତର ପଟେ ଦାରୁର ଚିକ୍କଣ ଆଚ୍ଛାଦନହିଁ ଏକମାତ୍ର ଅଂଳକରଣ । ଏଥିପାଇଁ ବ୍ରିଟିଶ ସାମ୍ରାଜ୍ୟରେ ପ୍ରତ୍ୟେକ ଦେଶ ନିଜ ନିଜର ଉତ୍‍କୃଷ୍ଟ କାଷ୍ଠ ଦାନ କରିଛନ୍ତି, କବିନ ପ୍ରତି ସମ୍ମାନ ପ୍ରଦର୍ଶନର ପ୍ରତୀକରୂପେ ।

 

ଏପ୍ରିଲ୍ ଠାରୁ ସେପ୍‍ଟେମ୍ବର ଏଇ ଛଅ ମାସ ଏଇ ଥିଏଟରରେ ସେକ୍‍ସପିୟରଙ୍କ ନାଟକ ଅଭିନୀତ ହୁଏ । ବାର୍ଷିକ ସେକ୍‍ସପିୟର ଉତ୍ସବର ଏହା ଏକ ଅଂଶ । ଏପ୍ରିଲ ୨୩ ସେକ୍‍ସପିୟଅଙ୍କ ଜନ୍ମ-ଦିବସ । ସେଇ ଦିନ ଉତ୍ସବର ଶ୍ରେଷ୍ଠ ଦିନ । ସେଇଦିନ ରାଷ୍ଟ୍ରଦୂତମାନଙ୍କ ପ୍ରତିନିଧି ସବୁ ଲଣ୍ଡନରୁ ଷ୍ଟ୍ରାଟ୍‍ଫୋର୍ଡ଼ ଆସି ନିଜ ନିଜର ଜାତୀୟ ପତାକା ଉତ୍ତୋଳନ କରନ୍ତି, କବିଙ୍କି ସମ୍ମାନ ଦେଖାଇବା ଉଦ୍ଦେଶ୍ୟରେ । ହେନ୍‍ଲି ଷ୍ଟ୍ରୀଟରେ ଥିବା କବିଙ୍କ ଜନ୍ମ ଗୃହରୁ ଗୋଟିଏ ଶୋଭାଯାତ୍ରା ମଧ୍ୟ ବାହାରି ଶେଷ ହୁଏ ଟ୍ରିନିଟି ଚର୍ଚ୍ଚରେ, ଯେଉଁଠି କବିଙ୍କର ସମାଧି ବିଦ୍ୟମାନ । ଏଇ ଟ୍ରିନିଟ ଚର୍ଚ୍ଚ ସ୍ମାରକ ଥିଏଟରଠାରୁ ମାତ୍ର ଅଳ୍ପ ଦୂରରେ ଏଭନ୍ ନଦୀ କୂଳରେ ।
 

ପ୍ରତିବର୍ଷ ସ୍ମାରକ ରଙ୍ଗମଞ୍ଚର ବ୍ୟବସ୍ଥାପକମାନେ ସେକ୍‍ସପିୟରଙ୍କ ୩୬ଟି ନାଟକରୁ ଆଠଟି ବାଛନ୍ତି, ଯେଉଁଗୁଡ଼ିକର ଅଭିନୟ ଛଅ ମାସ ଧରି ପ୍ରତି ସପ୍ତାହରେ ହୁଏ । ମୁଁ ଏ ବର୍ଷ ଯେଉଁ ଅଭିନୟ ଦେଖିଲି ତାହା ସେପରି ବଚନୀୟ ନୁହେଁ, ତେବେ ଯେଉଁ ବିଦେଶୀମାନେ କେବେହେଲେ ସେକ୍‍ସପିୟର ନାଟକ ରଂଗମଞ୍ଚରେ ଅଭିନୀତ ହେବାର ଦେଖି ନାହାନ୍ତି ସେମାନଙ୍କ ପାଇଁ ସେକସ୍‍ପିୟରଙ୍କର ନାଟକର ଆଭିନୟିକ ଦିଗରେ ଏକ ଧାରଣା ଦିଏ । ସେକ୍‍ସପିୟର-ପାଠକମାନେ ଜାଣନ୍ତି ଯେ ଏଲିଜାବେଥୀୟ ରଙ୍ଗମଞ୍ଚରେ ଆଧୁନିକ ରଙ୍ଗମଞ୍ଚର ସାଜସଜ୍ଜା, ଯନ୍ତ୍ରପାତି ବା ଉପକରଣାଦି କିଛିହିଁ ନଥିଲା । କେବଳ ଥିଲା ଏକ ଶୂନ୍ୟ ମଞ୍ଚ । ଦର୍ଶକର ଆକର୍ଷଣ ଆସୁଥିଲା ନାଟକର କବିତାମୟ ଭାଷାରୁ, ଅଭିନେତା ମାନଙ୍କର ଉଚ୍ଚ ଚିତ୍କାର ଓ ଯାହା କିଛି ଥିଲା ଅଭିନୟ କଳା । ସେକ୍‍ସପିୟର ଆଧୁନିକ ରଙ୍ଗମଞ୍ଚର କଳ୍ପନାଇ କରି ପାରି ନ ଥାନ୍ତେ । କିନ୍ତୁ ମୋର ମନେ ହେଉଛି ଯେ ସେକସ୍‍ପିୟର ନାଟକର ପ୍ରକୃତ ଉତ୍କର୍ଷ ତା’ର ଋଦ୍ଧିମନ୍ତ କାବ୍ୟରେ, ଆଧୁନିକ ରଙ୍ଗମଞ୍ଚର ଉପକରଣ ଓ ଯାନ୍ତ୍ରିକ କୌଶଳର ପ୍ରାଚୁର୍ଯ୍ୟ ଦ୍ୱାରା ତା’ର ମୂଲ୍ୟ ବଢ଼ି ଯାଉନାହିଁ । ଅନେକ କ୍ଷେତ୍ରରେ ଅଭିନୟର ସ୍ଥୂଳତା ଓ ଇତରତା ପଠିତ ନାଟକର ଧାରଣାକୁ ଚୂର୍ଣ୍ଣୀଭୂତ ମଧ୍ୟ କରିଦେଲା । ପଢ଼ିଲାବେଳେ ସେକସ୍‍ପିୟର ନାଟକର ଇତର ହାସ୍ୟରସ ଓ ସ୍ଥୂଳ ସଂଘର୍ଷ ଏତେ ସ୍ପଷ୍ଟ ହୋଇ ମନରେ ବିକାର ସୃଷ୍ଟି କରୁ ନଥିଲା, ଯେପରି କଲା ଅଭିନୟ ଦେଖି ।

 

ଗତ ଦୁଇବର୍ଷ ଧରି ରଙ୍ଗମଞ୍ଚର ବ୍ୟବସ୍ଥାପକମାନେ ଏକ ସେକ୍‍ସପିୟର-ସମ୍ମିଳନୀର ମଧ୍ୟ ଆୟୋଜନ କରି ଆସୁଛନ୍ତି । ଏହା ଏକ ପକ୍ଷ ଧରି ଚାଲେ । ଏଇ କାଳ ଭିତରେ ପ୍ରସିଦ୍ଧ ସେକ୍‍ସପିୟର ବିଶେଷଜ୍ଞମାନେ ଅଭିନୀୟମାନ ନାଟକ ଉପରେ ବା ସେକ୍‍ପିୟରଙ୍କର ସମଗ୍ର ସାହିତ୍ୟ ଉପରେ ବକ୍ତୃତା ଦିଅନ୍ତି । ଏ ବର୍ଷର ବିଷୟ ଥିଲା ଲିଖନରତ ସେକ୍‍ସପିୟର । ଏଡ଼ିନବରା ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ଅଧ୍ୟାପକ ଡକ୍‍ଟର ହାରୀସନ ଏ ବର୍ଷର ଅନ୍ୟାନ୍ୟ ବକ୍ତାମାନଙ୍କ ଭିତରେ ଅନ୍ୟତମ ଥିଲେ । ଅଳ୍ପ ଲୋକ ବକ୍ତୃତା ଶୁଣିବାକୁ ଆସୁଥିଲେ । ଅଧିକାଂଶ ଥିଲେ ସ୍କୁଲ-ମିଷ୍ଟ୍ରେସ । ସେମାନେ ବରାବର ନୋଟ୍ ଲେଖୁଥିବାରୁ ହଲଟି ଗୋଟିଏ କ୍ଳାସ-ରୁମରେ ପରିଣତ ହୋଇ ଯାଉଥିଲା । ଶ୍ରୋତାମାନଙ୍କ ଭିତରେ ମତେ ମିଶେଇ ତିନିଜଣ ଭାରତୀୟ ମାତ୍ର ଥିଲେ । ଅନ୍ୟ ଦୁଇଜଣ ସ୍ୱାମୀ ସ୍ତ୍ରୀ, ବଙ୍ଗାଳୀ, ବୋଧହୁଏ ଉଭୟେ କଲେଜର ଅଧ୍ୟାପକ । ଜନୈକ ଚୀନା ଲେଖକଙ୍କୁ ମଧ୍ୟ ଦେଖିଥିଲି, ଯେ ସେଇ ସମୟରେ ସେକ୍‍ସପିୟରଙ୍କ କେତେକ ନାଟକକୁ ଚୀନା ଭାଷାରେ ଅନୁବାଦ କରୁଥିଲେ । ଚୀନ ସରକାରଙ୍କ ନିର୍ଦ୍ଦେଶରେ ସେ ମତେ କହିଲେ ଯେ, ରବିନ୍ଦ୍ରନାଥ ଚୀନ ଭ୍ରମଣ କରୁଥିବା କେଳେ ସେ ତାଙ୍କୁ ଭେଟିଥିଲେ । ଏବଂ ରବୀନ୍ଦ୍ରନାଥଙ୍କ କେତେକ କବିତା ସେ ଚୀନ ଭାଷାରେ ଅନୁବାଦ କରିଛନ୍ତି ।

 

ଶ୍ୱେତାଙ୍ଗର ଛୁଟି ଭୋଗ

 

ନିଉକାସ୍‍ଲ୍

୩-୭-୩୮

 

ବର୍ତ୍ତମାନ ଛୁଟି-ସମଗ୍ର ଇଂଲାଣ୍ଡ ପ୍ରମୋଦ-ମତ୍ତ । ଅଗଷ୍ଟ ପ୍ରଥମ ସପ୍ତାହଟା ବିଲାତରେ ସମସ୍ତ ଛୁଟି ପାନ୍ତି । ଛୁଟି ପାଇଲେଇ ଏ ଦେଶର ଲୋକେ ଘର ଛାଡ଼ି ପଥ ଧରନ୍ତି । ଏଇ ଦେଶର ସମୁଦ୍ର, ହ୍ରଦ, ବନ, ପର୍ବତ ସବୁ ତ ଅଛି, ଇଉରୋପର ଭିନ୍ନ ଭିନ୍ନ ଦେଶର ସୁଖକର ଓ ସୁନ୍ଦର ସ୍ଥାନ ସବୁକୁ ମଧ୍ୟ ଲୋକେ ହଜାର ହଜାର ସଂଖ୍ୟାରେ ଛୁଟିଟା କଟେଇ ଦେଇ ଆସିବାକୁ ବାହାରି ପଡ଼ନ୍ତି-। ଆଜି ଖବରକାଗଜରେ ପଢ଼ିଲି, ରେଲ,ଷ୍ଟିମର, ଏରୋପ୍ଳେନ କମ୍ପାନୀମାନେ ଗତ କେତେଦିନ ହେଲା ଏଇ ଛୁଟି-ଖୋରମାନଙ୍କୁ ଜାଗା ଦେବାକୁ ଓ ସେମାନଙ୍କୁ ନିଆ ଆଣ କରିବାରେ ହାଲିଆ ହୋଇ ଗଲେଣି । ଶତ ଶତ ସ୍ପେଶାଲ୍ ଟ୍ରେନ୍ ଯୋଗା ହୋଇ ମଧ୍ୟ ଭିଡ଼ କମୁ ନାହିଁ । ଗତ ବୁଧବାର ଦିନ ମୁଁ ଗ୍ଳାସ୍‍ଗୋ ସାମ୍ରାଜ୍ୟ-ପ୍ରଦର୍ଶନୀ ଦେଖିବାକୁ ଯାଇଥିଲି । ଏତେ ଭିଡ଼ ଯେ, ମୁଁ ଓ ମୋର ଜଣେ ସାଙ୍ଗ ଅନେକ ବାଟ ଠିଆ ହେଇ ହେଇ ଗଲୁ-ଅନ୍ୟ ଶ୍ୱେତାଙ୍ଗଯାତ୍ରୀମାନଙ୍କର ମଧ୍ୟ ସେଇ ଦଶା । ଏଇ ବିରାଟ ଚାଞ୍ଚଲ୍ୟ ଭିତରେ ମୁଁ କିନ୍ତୁ ଏଇଠି ସ୍ଥାଣୁ ହୋଇ ବସିଛି । ତେଣୁ ବୁଝି ପାରିବ, ମୁଁ କାହିଁକି ସପ୍ତାହରେ ଦୁଇଟି ଚିଠି ଲେଖି ପାରୁ ନାହିଁ ।

 

ରେଳଗାଡ଼ିରେ ଠେଲା ପେଲା–ତମେ, ମୁଁ ଓ ଭାରତବର୍ଷର ସମସ୍ତେ ଆମ ଦେଶରେ ରେଳରେ ଚଢ଼ିଲାବେଳେ କିମିତି ଗହଳ ହୁଏ ଓ ଲୋକେ ଟିକଟ୍ ଏବଂ ଜାଗା ପାଇଁ କିମିତି ଭିଡ଼ାଭିଡ଼ି ହୁଅନ୍ତି ତାହା ଜାଣ । ଅନେକଙ୍କର ଧାରଣା ଏଇଟା ଆମ ଲୋକଙ୍କର ବଦ୍ ପ୍ରକୃତି । କିନ୍ତୁ ସେଦିନ ଗ୍ଳାସ୍‍ଗୋ ଗଲାବେଳେ ମୁଁ ଯାହା ଦେଖିଲି ସେଥିରୁ ମୁଁ ଆଉ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ ଯେ, ଆମ ଦେଶର ଲୋକେ କେବଳ ମେଣ୍ଢା-ମଇଁଷି ପରି-ଅନ୍ୟ-ଦେଶର, ବିଶେଷତଃ ଧଳା ଚମଡ଼ା ଥିବା ଲୋକେ ନିତାନ୍ତ ସଭ୍ୟ ଓ ସଂଯତ । ଆମ ଦେଶର ଲୋକଙ୍କୁ ଯେଉଁ ଅବସ୍ଥାରେ ଆଣି ରଖା ହୋଇଛି, ଏ ଦେଶର ଲୋକଙ୍କୁ ସେ ଅବସ୍ଥାରେ ରଖିଲେ ଏମାନେ ମଧ୍ୟ ସେହିପରି ବ୍ୟବହାର କରିବେ । ସେଦିନ ନିଉକାସ୍‍ଲ ଷ୍ଟେସନରେ ଗ୍ଳାସ୍‍ଗୋ ଯାତ୍ରୀମାନଙ୍କର ସଂଖ୍ୟା ଅତ୍ୟଧିକ ଦେଖି ସାଙ୍ଗେ ସାଙ୍ଗେ ପ୍ରାୟ ସାତ ଆଠଟା ଡବା ଯୋଡ଼ି ଦିଆଗଲା ! ଭାରତବର୍ଷରେ ସରକାର ବିଦେଶୀ ଚାଳିତ ରେଳ କମ୍ପାନୀ ଆମ ଦେଶର ତୃତୀୟ ଶ୍ରେଣୀ ଯାତ୍ରୀମାନଙ୍କୁ କୁକୁର ପରି ଦେଖି ଆସିଛନ୍ତି । ଏମାନଙ୍କର ସୁଖ ସୁବିଧା ଦେଖିବା ସେମାନଙ୍କର କର୍ତ୍ତବ୍ୟ ଭିତରେ ନୁହେଁ-ଆମର ପଇସା ନେଇ, ଉପର ବାଲାଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଯୋଗେଇବା ହିଁ ସେମାନଙ୍କର କ୍ରମାଗତ ଚେଷ୍ଟା । ତେଣୁ ତୃତୀୟ ଶ୍ରେଣୀ ରେଳଗାଡ଼ିରେ ଭାରତବର୍ଷର କୋଟି କୋଟି ଯାତ୍ରୀ ଯେ ମାଛ ଗଦାହେଲା ପରି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁହା ହୁଅନ୍ତି, ସେମାନଙ୍କର ଶୋଇବାର, ବସିବାର, ବିଶ୍ରାମ ନେବାର, ମୁହଁ ଧୋଇବାର ବନ୍ଦୋବସ୍ତ ମଧ୍ୟ ନାହିଁ । ସେମାନେ ବେଳେ ବେଳେ ଠିଆ ହୋଇ ରହିବା ପାଇଁ ମଧ୍ୟ ଖୁନ୍ଦାଖୁନ୍ଦି ହୁଅନ୍ତି-ଏହି ଅପମାନକର ବିଭତ୍ସ ଦୃଶ୍ୟ ସେମାନେ ଦେଖି ମଧ୍ୟ ନ ଦେଖିଲା ପରି ରହି ଆସିଛନ୍ତି ଓ ସବୁ ଦୋଷ ଭାରତବର୍ଷର ନିରୀହ ନିଷ୍ପେଷିତ ଜନତା ଉପରେ ଢାଳି ଦେବାକୁ ଚେଷ୍ଟା କରା ହୋଇଛି । ପତିତ ଦଳିତର ଏକମାତ୍ର ବନ୍ଧୁ ମହାତ୍ମା ଗାନ୍ଧି ଏହି ଅନ୍ୟାୟ ବିରୁଦ୍ଧରେ ପ୍ରଥମେ ପ୍ରତିବାଦ କରନ୍ତି ।

 

ସେଦିନ ସେଇ ଡବା ଯୋଡ଼ା ନ ହୋଇଥିଲେ ଏ ଦେଶରେ ତଥାକଥିତ ସୁସଭ୍ୟ ଓ ସଂଯତ ଯାତ୍ରୀଗୁଡ଼ିକ ଠିକ୍ ଆମରି ପରି ବ୍ୟବହାର କରିଥାନ୍ତେ । କାରଣ ଯୋଡ଼ା ହେଉ ନ ହେଉଣୁ ସମସ୍ତେ ସିଟ୍ ପାଇବାପାଇଁ ଦୌଡ଼ିବାକୁ ଲାଗିଲେ ଓ ଗୋଟେ ଗୋଟେ ବଖରାର ଦ୍ୱାର ଦେଶରେ ଠୂଳୀଭୂତ ଜନତା ଠେଲାଠେଲି ହୋଇ ସବା ଆଗେ ପଶିବାକୁ ଚେଷ୍ଟା କଲେ । ଯେଉଁଗୁଡ଼ିକ ସିଟ୍ ନ ପାଇଁ ବାରଣ୍ଡା ବା କରିଡ଼ରରେ ଏଣେ ତେଣେ ବୁଲିବାକୁ ଲାଗିଲେ, ସେମାନଙ୍କୁ କେହି ଡାକି କରି ମଧ୍ୟ ପାଖରେ ବସାଇଲେ ନାହିଁ । ସେମାନଙ୍କ ଭିତରେ ନାରୀ ଓ ବାଳକ ମଧ୍ୟ ଥିଲେ । ପରେ ରେଳ କର୍ମଚାରୀ ଆସି ପ୍ରତ୍ୟେକ ସିଟ୍ ରୁ ହ ତଲା ଗୁଡ଼ିକ ଉଠେଇ ନେଇ, ଅଧିକା ଜାଗା କରି ସେମାନଙ୍କୁ ଆଣି ବସେଇ ଦେଇଗଲେ ।
 

କିଏ ହୁଏତ କହିବେ ଯେ, ଏ ଦେଶରେ ଏ ଘଟଣା କଦବା ଘଟେ । ତା’ ସତ୍ୟ, କାରଣ ଏମିତି ଭିଡ଼ ବି ଏଠି କଦବା ହୁଏ । ପ୍ରତି ଅଧଘଣ୍ଟାରେ ତ ଗାଡ଼ି ଚାଲିଲା, ଭିଡ଼ ହେବ କାହିଁକି କହ-? ଆମ ଦେଶରେ ଦିନରେ ଥରେ ଦିଥର ଗାଡ଼ି ଯିବ-ସେଥିରେ ଭିଡ଼ ହେଲେ କମ୍ପାନୀର ଦୃଷ୍ଟି ନାହିଁ, ତା’ର ଆଖି କେବଳ ଟିକଟ-ଲବ୍‍ଧ ପଇସା ଉପରେ-ସେଥିରେ ଲୋକେ ଯଦି ଖୁନ୍ଦା ଖୁନ୍ଦି ଠେଲା ଠେଲି ହୁଅନ୍ତି, ତେବେ ଆଶ୍ଚର୍ଯ୍ୟ ବା ନିନ୍ଦାର କଥା ରହିଲା କେଉଁଠି ?

 

ଆଜି ଖବରକାଗଜରେ ପଢ଼ିଲି, ମହାତ୍ମା ଗାନ୍ଧି କାୟାକଳ୍ପ ଦେଇ ନୂତନ ଯୌବନ ଲାଭ କରିବାକୁ ଯାଉଛନ୍ତି ।

 

ବିଲାତରେ ମେଳା ଓ ଖଳାଘର–ନିଉକାସଲ୍ ସହର ପାଖେ ଏକ ପ୍ରକାଣ୍ଡ ପଡ଼ିଆ ଅଛି-। ଏ ଦେଶରେ ପ୍ରତି ସହରରେ ପାର୍କ ପଡ଼ିଆ ଏକ ବିଶିଷ୍ଟ ଅଂଶ । ସହରର ଜଞ୍ଜାଳରୁ ମୁକ୍ତି ପାଇ ନାଗରିକ ନାଗରିକାମାନେ ଦଳଦଳ ହୋଇ ସେଠି ଯାଇ ବୁଲନ୍ତି । ନିଉକାସଲ୍ ର ପାର୍କ ତ ଅଛି, ତା’ ଛଡ଼ା ଏକ ପ୍ରକାଣ୍ଡ ପଦା ଜାଗା ଅଛି । ସେ ଜାଗାଟା କିନ୍ତୁ ସେମିତି ପଦା ଭାବରେ ଯତ୍ନରେ ରଖା ହୋଇଛି । ଏବେ ସେଇ ପଦାରେ ଏକ ପ୍ରକାଣ୍ଡ ମେଳା ବସିଛି । ପ୍ରତିବର୍ଷ ମେଳା ଏଇ ମାସରେ ହୁଏ । ଏ ମେଳା ପାଇଁ ଏଠାରେ ସ୍କୁଲ ସବୁ ବନ୍ଦ ଓ ଅଫିସ, ଦୋକାନ ବଜାର ସବୁ ୧୦ଟା ପରେ ବନ୍ଦ । ଗୋଟାକ ପରେ ରାସ୍ତାରେ ଲୋକବାକର ସୁଅ ଚାଲିଛି । ମେଳଟା ଠିକ୍ ଆମ ଦେଶର ଦୋଳମେଳଣ ପରି । ପଦାରେ ଦି’ଧାଡ଼ି କରି ତମ୍ବୁ ବା କାଠର ବସା ପକାଇ ଦୋକାନୀ ବଜାରୀମାନେ ଡାକହାକ ଦେଇ ନିଜନିଜର ଜିନିଷର ବିଜ୍ଞାପନ ଦେଉଛନ୍ତି । ଆମ ଦେଶପରି ଗରିବ ଘରର ପିଲେ ମାଇପେ ଶହ ଶହ ସଂଖ୍ୟାରେ ଦୋକାନୀମାନଙ୍କର ଗରାଖ । ମେଳାଭିତରେ ଲୋକମାନଙ୍କ ମନ ଟାଣିବାପାଇଁ ଆମ ଦେଶପରି ଶସ୍ତା ବାଇସ୍କୋପ, ନଂଗଳାନାଚ, ଜନ୍ତୁମାନଙ୍କୁ ସର୍କସ, ସାମୁଦ୍ରିକ (ହାତଦେଖାଳୀ), କାଳିସୀ (ଭବିଷ୍ୟତ ଯେ କହନ୍ତି) ପ୍ରଭୃତି ଆସି ଜମା ହୋଇଛନ୍ତି । ଗୋଳମାଳ, ହଟ୍ଟଗୋଳ, ବିକାକିଣା ଠିକ୍ ଆମ ଦେଶପରି । ମନିଷ ନାମକ ପ୍ରାଣୀ, ଜଗତରେ ସବୁ ସ୍ଥାନରେ ଏକପରି ବ୍ୟବହାର କରେ । କେବଳ ଜଳବାୟୁର ଫରକ ଯୋଗୁ ଚମଡ଼ାର ଫରକ ସିନା ! କିନ୍ତୁ ଭିନ୍ନ ଭିନ୍ନ ରଙ୍ଗର ଚମଡ଼ା ତଳେ ମନିଷ ପୃଥିବୀର ସବୁଠି ସେଇ ମନିଷ ।

 

ଗତକାଲି ଗୁଡ଼ଫ୍ରାଇଡ଼େ ଗଲା । ଦିନଟା ମଉଜରେ କଟିଲା । ଆମେ କେତେଜଣ ଭାରତୀୟ ଏକାଠି ହୋଇଗଲୁଁ । ବନ୍ଧୁମାନେ ଆମ ଘରକୁ ଆସିଲେ । ମୁଁ ତରକାରୀ କଲି-ଭାଇ ପୁରି କଲା-ବେଶ୍ ସମସ୍ତେ ଖାଇଲୁ । ପରେ ବୁଲିଗଲୁ । ବୁଲିବୁଲି ଆମେ ଗୋଟେ ଗାଁକୁ ଗଲୁଁ । ଗୋଟେ କୃଷକର ଖଳା-ଘର ଦେଖିଲୁଁ । ବାପ୍‍ରେ, ଆମର ଏ ଦେଶ ସଂବନ୍ଧରେ କି ଧାରଣା ଅଛି-! ଗୁହାଳକୁ ଗଲୁଁ, ସେଇ ଗୋବରମୂତର ଗନ୍ଧ, ଗାଈଙ୍କ ଦେହରେ ଗୋବର, ବାଟଯାକ କୁଟା, ଗୋବର, କଳାମାଟି ଏଠି ପାଳଗଦା, ସେଠି ଖତଗଦା,-ଚାରିଆଡ଼େ ଠିକ୍ ଆମର ଚଷାଘର ପରି । ସେଇ କେତୋଟି ମୁହୂର୍ତ୍ତରେ ମୋର ଏ ଦେଶ ପ୍ରତି ଧାରଣା ସଂପୂର୍ଣ୍ଣ ବଦଳି ଗଲା । ମୁଁ ବର୍ତ୍ତମାନ ଦେଖୁଛି, ଆମେ କେବଳ ପରାଧୀନ-ସେଇ କେବଳ ତାଙ୍କ ଆମ ଭିତରେ ପ୍ରଭେଦ । ନ ହେଲେ ଏ ଲୋକ ଓ ଆମ ଲୋକ ଭିତରେ ପ୍ରାକୃତିକ ପ୍ରଭେଦ କିଛି ମୁଁ ଦେଖିପାରୁ ନି । ଆମ ଲୋକଙ୍କୁ ଶିକ୍ଷିତ କଲେ ଓ ସେମାନଙ୍କ ହାତକୁ ଟଙ୍କା ଆସିଲେ, ସେମାନେ ବି ସଫାସୁତରା ହେବେ ଓ ପୋଷାକ ପରିଚ୍ଛଦ ପିନ୍ଧି ସଭ୍ୟ-ଭବ୍ୟ ହେବେ ।

 

ନର୍ସରୀସ୍କୁଲ

 

New Castle

King’s College, 15-8-38

 

ଆଜି ସକାଳେ ଏଠାରେ ଗୋଟିଏ Nursery School (ଶିଶୁଶାଳା) ଦେଖିବାକୁ ଯାଇଥିଲି । ଦୁଇ ବର୍ଷଠୁ ପାଞ୍ଚ ବର୍ଷ ଯାଏ ଏଠି ପିଲା ରହନ୍ତି । ବାପା-ମା କାମ କରିବାକୁ ଗଲେ, ପିଲା କୁଆଡ଼େ ଯିବ ? ଯାହାର ଗୋଟିଏ ପିଲା, ସେ ପିଲା ସାଙ୍ଗ ଖୋଜିବ ଖେଳିବାକୁ, ସାଙ୍ଗ ମିଳିବ କୁଠି ! ଯେଉଁମାନଙ୍କର ବହୁତ ପିଲା, ସେଠି ଆଉ ଗୋଟେ ଛୁଆର ଲାଳନପାଳନ ହେବ କେମିତି ? ଏ ସବୁର ସମାଧାନ ଏହି Nursery Schoolରେ ହେଉଛି । ମୁଁ ଯାଇ ଦେଖିଲି, ପ୍ରାୟ ତିରିଶ ଖଣ୍ଡେ ଛୁଆ ଦୌଡ଼ାଦୌଡ଼ି ଲଗେଇଛନ୍ତି । କିଛି ସମୟ ପରେ ସେମାନଙ୍କର ଦୁଧ ଖାଇବାର ସମୟ ହେଲା । ସେମାନଙ୍କ ପାଇଁ ଛୋଟ ଛୋଟ ଟେବୁଲ ଓ ଚୌକୀ କରିଦିଆ ହୋଇଚି । ଦି’ତିନି ବର୍ଷର ପିଲା ଯେଝା ଚୌକୀରେ ଚିହ୍ନି ବସିଗଲେ । ଦୁଧ ଖାଇବା ପୂର୍ବରୁ ଛୋଟ ପ୍ରାର୍ଥନାଟିଏ କଲେ ।

ଦୁଧ ଖାଇସାରି ଠିକ୍ ଜାଗାରେ ଗିଲାସଟିମାନ ଥୋଇ ଦେଇ ଆସିଲେ । ଅନେକ ଗରିବ ପିଲା ଅଛନ୍ତି, ଯେଉଁମାନେ ଦୁଧ ଖାଇ ନଥିଲେ, ତେଣୁ ପ୍ରଥମେ ଦୁଧ ଖାଇଲାବେଳେ ଅଜଡ଼ା ଅଜଡ଼ି କରି ଦେଉଥିଲେ । ଅନେକ ଚୌକୀରେ ବସି ଜାଣିନଥିଲେ, ଚାମଚରେ ଖାଇ ଜାଣି ନଥିଲେ । ସେ ସବୁ ଏଠି ସେମାନଙ୍କୁ ଶିଖିବାକୁ ହେଉଛି । ଦୁଧ ଖାଇବା ପରେ ପାଇଖାନା ଯିବାର ବେଳ । ଆମ ପିଲାଙ୍କ ପରି ମେଣ୍ଢାପଲପରି ପେଲାପେଲି ନାହିଁ-ପଛକୁ ପଛ ଧାଡ଼ି କରି ଠିଆ ହୋଇଯିବେ; ପରେ ପରେ କାମ ସାରି ଆସିବେ । ନାନା ପ୍ରକାର ଖେଳନା ରଖା ହୋଇଛି-ସେଇ ଖେଳନା ନେଇ ଗଣନା ଶିଖିବେ, ସଂଖ୍ୟା ଚିହ୍ନିବେ, କୁ’ଠି କେଉଁ ଜିନିଷ ରଖିବାର କଥା ତା’ ଶିଖିବେ । ଏଇଦିନୁ ସେମାନଙ୍କୁ ଗୀତ ଓ ନାଚ ଶିଖା ଯାଉଛି । ବଗିଚାକୁ ଖେଳିବାକୁ ଯିବେ, ଅଥଚ ପଛକୁ ପଛ ଧାଡ଼ି ହୋଇ ଠିଆହୋଇ ଗୀତ ଗାଇ ଗାଇ ଯିବେ । ଅଢ଼େଇ ତିନି ବର୍ଷିଆ ପିଲାସବୁ ଆମ ଦେଶରେ ୟା କରିବେ; କିଏ କଳ୍ପନା କରିବ ? ମନୁଷ୍ୟର ଜୀବନ ଏଠି ମୂଲ୍ୟବାନ । ଆଜିର ଶିଶୁ କାଲିର ମନୁଷ୍ୟ । ସେ କିମିତି ତା’ର ସବୁ ଶକ୍ତିର ଅଭିବୃଦ୍ଧି କରି ଜାତିର ଉପଯୁକ୍ତ ଅଂଶ ହେବ, ତା’ର ଚେଷ୍ଟା । ଏଠାରେ ସରକାର, ଯେଉଁମାନଙ୍କର କିଣିବାର ଶକ୍ତି ନାହିଁ, ସେମିତି ସ୍କୁଲ ପିଲାଙ୍କୁ ମାହାଳିଆ ଦୁଧ ଖାଇବାର ବନ୍ଦୋବସ୍ତ କରିଛନ୍ତି । Nursery School ରେ ପ୍ରତି ପନ୍ଦର ଦିନରେ ପିଲାଏ ଓଜନ ହୁଅନ୍ତି । କାହାର କିଛି ହେଲେ ତା’ର ସଙ୍ଗେ ସଙ୍ଗେ ଚିକିତ୍ସା । ମଧ୍ୟାହ୍ନ ଭୋଜନ ବି ଏଇଠି । ପିଲାଏ ନିଜେ ନିଜେ ପରଷି ଖାଇବାକୁ ଶିଖାଯାଏ ।

ସ୍ଥାନୀୟ ଶିକ୍ଷା-କମିଟିର ଜନୈକ ସଦସ୍ୟ Mrs. Richardson ମତେ ସେଠାକୁ ନେଇ ସବୁ ଦେଖାଇ ଆଣିଲେ ।

ଇଂରେଜ ନାଗରିକତାର ଏନ୍ତୁଡ଼ିଶାଳ–ମୁଁ ଏକ୍ଷଣି ଗୋଟେ ହାଇସ୍କୁଲରେ ଭାରତ ସମ୍ବନ୍ଧରେ ଘଣ୍ଟେ ଖଣ୍ଡେ କହି ଆସିଛି । ଆଉ ଦିନେ ଯାଇ ସେଠି ବାଳିକାମାନେ ଘରକାମ କିପରି କରୁଛନ୍ତି ଦେଖି ଆସିବି । ଜଣେ ଶିକ୍ଷକ ପିଲାଙ୍କ ଭିତରେ ମୋର ଫଟୋ ନେଲେ । ସେ ଫଟୋ ପାଇଲେ ପଠେଇବି । ସଭା ଶେଷରେ ପିଲାମାନେ ଗୀତ ଗାଇଲେ-

He is a jolly good fellow-ଏ ବଡ଼ ମଜାର ଲୋକ ।

He is a jolly fellow-ଏ ବଡ଼ ମଜାର ଲୋକ ।

So say all of us-ଆମ ସମସ୍ତଙ୍କର ମତ ତାହା ।

So say all of us-ଆମ ସମସ୍ତଙ୍କର ମତ ତାହା ।

 

ତା’ପରେ ‘Hip Hip Hurrah’ । ଏଠାରେ ପିଲାମାନେ ଏମିତି ନିଃସଙ୍କୋଚରେ ବଢ଼ନ୍ତି ଯେ, ଛୋଟ ଛୋଟ ବାଳିକା- ଆଠ ନ ବର୍ଷର-ମଧ୍ୟ ମୋ ପାଖକୁ ଆସି ମୋର ଦସ୍ତଖତ୍ ନେଇଗଲେ । ସଭା ଶେଷରେ ଗୋଟେ ବାଳିକା ଅତିଛୋଟ-(୮।୯ ବର୍ଷର) ସତୀଦାହ କଥା ପଚାରିଲା । ମୁଁ ତାକୁ କହିଲି ସେ ସବୁ ଅତୀତ କଥା । ସଭା ପିଲାଙ୍କର-ପିଲା ପ୍ରେସିଡ଼େଣ୍ଟ, ପିଲା ସେକ୍ରେଟେରୀ-ମାଷ୍ଟ୍ରଙ୍କର କିଛି ହାତ ନାହିଁ । ପିଲାଦିନୁ ଏମାନେ ଏସବୁ ଶିଖନ୍ତି-ପରେ ଦେଶ କାମରେ ଏସବୁ ଲଗେଇବେ । ଏସବୁ ଦେଖିଲେ ଭାରି ଖୁସି ଲାଗେ । ମୁଁ ଯେଉଁଠିକି ଯାଇଥିଲି, ସେଠି ଶିଳ୍ପ-ଶିକ୍ଷା ହୁଏ । ପିଲାମାନେ ବିନା ପଇସାରେ ପଢ଼ନ୍ତି । ସୁନ୍ଦର ସୁନ୍ଦର ଚୌକୀ, ଟେବୁଲ କରିଛନ୍ତି । ସ୍କୁଲ କାଠ ଦେବ-ପିଲା ଯାହା ତିଆରି କରିବ, ସେ’ଟା ତାର । ଏଥିରେ ପିଲା ବି ଖୁସି, ବାପ ମା ବି ଖୁସି । ଏମିତି ସ୍କୁଲ ଏ ଦେଶର ଚାରିଆଡ଼େ ।

Image

 

ଶ୍ୱେତ ନାନୀର ସ୍ୱାସ୍ଥ୍ୟ-ଚର୍ଚ୍ଚା

 

New Castle

King’s College, 30-8-38

 

ମୁଁ ଏଠାର ଗୋଟିଏ ବାଳିକା ହାଇସ୍କୁଲକୁ ଇତିମଧ୍ୟରେ ଦି’ଥର ଗଲିଣି । ଥରେ ସ୍କୁଲ ଦେଖିଲି, ଆଉ ଥରେ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କର ମିଳନ ଦେଖିବାକୁ ଯାଇଥିଲି । ଉଭୟଥର ବାଳିକାମାନଙ୍କର କସରତ ଦେଖି ମୁଁ କାବା ହୋଇ ଆସିଛି । ଜଙ୍ଘର ଅଧା ସରିକି ଖଣ୍ଡେ ଓ ଉପରେ ଖଣ୍ଡେ ଜାକେଟ୍ ବା ଅଣ୍ଡର୍ ଓୟେର୍ କାମିଜ୍ । ଜଙ୍ଘ ଓ ବାହୁ ଏକାବେଳକେ ମେଲା; କିନ୍ତୁ ସେମାନଙ୍କର ଆଦୌ ସଙ୍କୋଚ ନାହିଁ । ଡିଆଁ ଡେଇଁ, ଦଉଡ଼୍, ପାରେଡ଼୍, କସରତ-ଆମ ଆଗରେ ବେଶ୍ ଫୁର୍ତ୍ତିରେ କରି ଯାଉଥାନ୍ତି । କି ସୁନ୍ଦର ସ୍ୱାସ୍ଥ୍ୟ । ପ୍ରାୟ ସମସ୍ତଙ୍କର ଡେଣା, ଦଉଡ଼ି ବଳିଲା ପରି, ମୁହଁ ଲାଲ୍-ଲାଲ୍ । ସ୍କୁଲରେ ପ୍ରତିଦିନ ପ୍ରତ୍ୟେକ ବାଳିକା କୌଣସି ନା କୌଣସି ବ୍ୟାୟାମ କରିବ-ହେଉ, ଡ୍ରିଲ୍, ନ ହେଲେ ପହଁରା, ନ ହେଲେ ଖେଳ । ଏଇମାନେ ଦେଶର ମା ହେବେ କି ନା-ସେଥିପାଇଁ ଏମାନେ ସେହି ଆଦର୍ଶରେ ଗଢ଼ା ହେଉଛନ୍ତି ! କେବଳ ସ୍କୁଲରେ ନୁହେଁ, ଦେଶମୟ ବର୍ତ୍ତମାନ ଏଠି ବ୍ୟାୟାମ ଲାଗି ଚିତ୍କାର ପଡ଼ିଛି । ପୁରୁଷ ବ୍ୟାୟାମ କରିବେ ଯୋଦ୍ଧା ହେବା ପାଇଁ, ନାରୀ କରିବେ ସୁନ୍ଦରୀ ହେବା ପାଇଁ । ଆମ ଦେଶର ଶିକ୍ଷିତାମାନେ କୌଣସି ପ୍ରକାର ବ୍ୟାୟାମ କରନ୍ତି କି ? ଭୋଗନ୍ତି ବି ସେଥିପାଇଁ ରୋଗରେ ଓ କୁରୂପରେ । ପ୍ରାଚୀନ କାଳରେ ଗାଁ ଗାଁକେ ଆଖଡ଼ା ଥିଲା, ଟୋକାମାନେ କସରତ୍ କରି ୟଆନ ହେଉଥିଲେ-ତମର ଅଜା, ଗୋସେଇଁ ବାପ ହେରିକା କିମିତିକା ମଣିଷ ହୋଇଛନ୍ତି ଦେଖ । ଏଣେ ବାଳିକାମାନେ ପୁଚିଖେଳ ଖେଳି, ପାଣି ବୋହି, ଭାତ ରାନ୍ଧି, ଧାନକୁଟି, ବାପା ଭାଇଙ୍କି ପରଷି ଯୌବନକୁ ଦେହରେ ବାନ୍ଧି ରଖିଥିଲେ । ଏବେ ବିଚିତ୍ର ଯୁଗ ଆସିଲା-ସ୍ୱାସ୍ଥ୍ୟ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ହେବ-ଟେନିସ୍, କ୍ରିକେଟ୍‍ରେ ପଇସା ଖର୍ଚ୍ଚ କରି, ପୁଣି ସିମଳା ଯାଅ, ପୁରୀ ଯାଅ, ଦାର୍ଜିଲିଂ ଯାଅ-ତଥାପି ରୋଗ; ତଥାପି ଦେହରେ କେବଳ ଚମ ଓ ହାଡ଼ ନ ହେଲେ ବିରାଟକାରରେ ମେଦ । ଏଥି ସଙ୍ଗେ ଗୋଟିଏ ବର୍ଷିୟସୀ ଇଂରେଜ ମହିଳାର ଆତ୍ମକାହାଣୀ ଯାହା କି ଏଠାର ଖବରକାଗଜରେ ବାହାରିଥିଲା, ତା ପଠେଇ ଦେଉଛି ।

 

ଇଂରେଜ ମହିଳାର ବ୍ୟାୟାମପ୍ରିୟତା–ଯଦିବା ମୋର ବାଉନ ବର୍ଷ ବୟସ, ମୁଁ ଯୁବତୀ ଓ କିଶୋରୀମାନଙ୍କୁ ସୁନ୍ଦରୀ ହେବାର ଉପାୟ ବତେଇବି ।

 

ମଧ୍ୟ ବୟସ ପରେ ପ୍ରଚୁର ଅର୍ଥ ଖର୍ଚ୍ଚ ନ କରି ଜଣେ ସ୍ତ୍ରୀ ସୁନ୍ଦର ଦେଖାଯିବା କଣ ସମ୍ଭବ ! ହଁ, ନିଶ୍ଚୟ ସମ୍ଭବ; ମୁଁ ମୋ ନିଜ ଜୀବନରେ ପ୍ରମାଣ କରିଛି । ମୋତେ ବର୍ତ୍ତମାନ ବାଉନବର୍ଷ; ତାହା କହିବାକୁ ମତେ ଲାଜ ଲାଗେ ନା । ମୋର ମାପ ଦେଖ-ଉଚ୍ଚତା ୫ ଫୁଟ୍ ୩ ଇଞ୍ଚ, ବକ୍ଷ ୩୪ ଇଞ୍ଚ, ଅଣ୍ଟା ୨୭ ଇଞ୍ଚ, ନିତମ୍ବ ୩୫ ଇଞ୍ଚ, ପେଣ୍ଡା ୧୨ ଇଞ୍ଚ, ବାହୁ ୧୧ ଇଞ୍ଚ ।

 

ମୁଁ ଯୁଆଡ଼େ ଯାଏ ଲୋକେ ମତେ ଅନାନ୍ତି-ମୋର ଯୌବନପୂର୍ଣ୍ଣ ମୁଖ ଓ ଶରୀରକୁ ଦେଖି ଏବଂ ତମେ ଯଦି ଭାବ ଯେ ମୁଁ ମୋ ଜୀବନଟା କେବଳ ବ୍ୟୟସାଧ୍ୟ ରୂପ-ଶାଳାମାନଙ୍କରେ କଟେଇଛି, ତମେ ଭୁଲ ଭାବୁଛ ।

 

ମୁଁ ବରାବର ଶ୍ରମମୟ, କଠିନ, ସ୍ୱାସ୍ଥ୍ୟକର ଜୀବନ କଟେଇ ଆସିଛି । ବ୍ୟାୟାମ, ନାଚ, ଅଶ୍ୱାରୋହଣ, ଶିକାର, ମାଛ-ଧରା-ଏ ସବୁଥିରେ ମୋର ଭାରି ଆଗ୍ରହ । କିନ୍ତୁ ମୁଁ ଘର ଚାଁ ଛିବା,ଲିପିବା,ଝାଡ଼ିବା, ସଫାକରିବା ପ୍ରଭୃତି କଠିନ ଘର କାମ ବି କରିଛି ଏବଂ ମୁଁ ଭାବେ ଅନ୍ୟ ବ୍ୟାୟାମ ପରି ଏ କାମ ମତେ ଢେର ଉପକାର କରିଛି ।...ଏବଂ ମୁଁ ବରାବର ବଗିଚା କାମ କରିବାକୁ ବାଇ ହୋଇଛି । ଯଦି ଆମର ସ୍ତ୍ରୀମାନେ ବୁଝନ୍ତେ ବଗିଚା କାମ କିମିତି ଚମତ୍କାର ବ୍ୟାୟାମ, ତାହାହେଲେ ଆମେ ଆମର ଚାରିଆଡ଼େ ବହୁତର ସୌଷ୍ଠବ-ସମ୍ପନ୍ନ ଶରୀର ଦେଖିବାକୁ ପାଆନ୍ତୁ ।

 

ଘାସ କାଟିବାରେ, ବାଛିବାରେ, ମାଟି କୋଡ଼ିବାରେ ଏବଂ ବାଡ଼ ଦେବାରେ ମୁଁ କେତେକ ସମୟ କଟେଇଛି-ବିଶେଷତଃ ମାଟି କୋଡ଼ାରେ ଏବଂ ମୁଁ ଭାବେ, ମୋର ସେ ସବୁ ସମୟ ସୁବ୍ୟୟିତ ହୋଇଛି । ଟୋକୀ ଥିଲାବେଳେ ବଗିଚା କାମରେ ମୁଁ ବରାବର ମୁକ୍ତ ଆକାଶତଳେ ଜୀବନ କଟାଉଥିଲି । ବାଉନବର୍ଷ ବୟସରେ ତା’ର ଫଳ ମୁଁ ଆଜି ପାଉଛି ।

 

କେତେକାଳ ଲାଗି ମୁଁ ଭାରତବର୍ଷରେ ଥିଲି । ସେଠି ବି ମୁଁ ବଗିଚା ଆରମ୍ଭ କରିଥିଲି ଏବଂ ପରେ କୁକୁଡ଼ା ପାଳନ ମଧ୍ୟ ଆରମ୍ଭ କଲି । ଯେଉଁମାନେ ଏସବୁ କାମର କିଛି ଜାଣନ୍ତି, ସେମାନେ ଦେଖି ପାରିବେ ଯେ, ମତେ ଏ ସବୁରେ ସକାଳୁ ସଞ୍ଜଯାଏ ବ୍ୟସ୍ତ ହେବାକୁ ପଡ଼େ । ଭାରତବର୍ଷର ଗରମ ଜଳବାୟୁ ଓ ଏ ପ୍ରକାର କଠିନ କାମ, ଉଭୟେ କ୍ଳାନ୍ତିକର ହେଲେହେଁ ମୁଁ କେବେହେଲେ ରୋଗ ଭୋଗି ନ ଥିଲି ।

 

ମୁଁ ଯେତେବେଳେ ସମ୍ଭବ ଦେଖିଛି, ମନଇଚ୍ଛା ଚାଲିଛି ।

 

ଅଲିଭ ତୈଳ ଲଗେଇ ମୁଁ ସପ୍ତାହରେ ଦୁଇଥର ଗାଧୋଇ ପକାଏ-ସେହିଥିରେ ମୋର ବର୍ଣ୍ଣ ଠିକ୍ ରହେ ।

 

ଆଜିକାଲି ଖାଇବା ସମ୍ବନ୍ଧରେ ଅନେକ ବଡ଼ ବଡ଼ କଥା ଶୁଣାଯାଉଛି । ମୁଁ ମୋର ଯାହା ଇଚ୍ଛା ହୋଇଛି ତାହା ଖାଇଛି । ମତେ ଶାକ୍‍ସବଜି ଭଲ ଲାଗେ-ବିଶେଷତଃ ପାଳଙ୍ଗ ଶାଗ । ମୁଁ ସେଥିରୁ ଗୁଡ଼ିଏ ବରାବର ଖାଏ ।

 

ଖରାଦିନେ ମୁଁ ଚାହା ପରିବର୍ତ୍ତରେ ଲେମ୍ବୁ-ଜଳ ଖାଏ । ମୁଁ ତରୁଣୀମାନଙ୍କୁ କହେ, ସେମାନେ ତାଙ୍କ ଦେହକୁ କାମ କରିବାକୁ ଦିଅନ୍ତୁ । ଖୋଲା ବାୟୁ, ଖୋଲା ଭୂମିରେ ବୁଲାଚଲା କର-। ଘୋଡ଼ା ଚଢ଼ିବା, ପହଁରିବା ବା ମାଛ ଧରିବା ତମ ପକ୍ଷରେ ସମ୍ଭବ ନ ହୋଇ ପାରେ । ମୋ ପକ୍ଷରେ ସବୁବେଳେ ଏସବୁ ସମ୍ଭବ ହୋଇ ନାହିଁ-କିନ୍ତୁ ଘର କାମ ତ ସବୁବେଳେ ସମ୍ଭବ-ସେଇଥିରୁ ମୁଁ ଯଥେଷ୍ଟ ଉପକାର ପାଇଛି । ସେ ସବୁ କଷ୍ଟକର ସତ; କିନ୍ତୁ ତମେ, ଯେତେବେଳେ ସେମାନେ ତମର କିମିତି ଉପକାର କରୁଚନ୍ତି ତା ଭାବିବ, କଷ୍ଟ କୁଆଡ଼େ ଚାଲିଯିବ । ମୁଁ ତ କରିଛି ସବୁ, ତମେ କାହିଁକି ନ କରିବ ?

 

ତମେ ବି ବାଉନ ବର୍ଷରେ ନିଜର ଦେହକୁ ନେଇ ଗର୍ବ କରିବ ।

 

-ମେରୀସେଲୀ

 

ଇଂଲଣ୍ଡର ଦରିଦ୍ର ପଲ୍ଲୀ

 

King’s College

ନିଉକାସଲ୍-ଅନ-ଟାଇନ, ତା ୨୨-୧-୩୯

 

କାଲି ରବିବାର ଜଣେ ବୃଦ୍ଧ ଡାକ୍ତରଙ୍କ ଘରେ କଟେଇ ଆସିଲି । ବୁଢ଼ା ବୁଢ଼ୀ ବଡ଼ ଅମାୟିକ । ପରେ ତାଙ୍କ ଝିଅଟିଏ ଆସି ପହଞ୍ଚିଲା । ସେ ନର୍ସ କାମ କରେ । ସପ୍ତାହକୁ ତିନି ପାଉଣ୍ଡ ଅର୍ଥାତ୍ ଅଠଚାଳିଶ ଟଙ୍କା ପାଏ । ବୁଢ଼ା ମତେ ହାତରୁ ପଇସା ଖର୍ଚ୍ଚ କରି ରେଳରେ ବହୁତ ଜାଗା ବୁଲେଇ ଆଣିଲା । ମୁଁ ମଫସଲ ଦେଖି ନ ଥିଲି ଏଠି, ବୁଢ଼ା ଯୋଗୁଁ ଦେଖିଲି । ଏଠାରେ ମଫସଲ, ଆମରି ଆଡ଼ର ଗାଁ ଗଣ୍ଡା ପରି ନୋଂରାକୁ’ଠି ମାଟି ଗଦା ହୋଇଛି, ଏଠି ଖପରଲି, ସେଠି ଘାସ, ସେଠି ଇଟା ଲୋକଙ୍କ ଦେହରେ ମଇଳା କୁର୍ତ୍ତା ପିଲାଙ୍କ ଦେହରେ ଛିଣ୍ଡା ପୋଷାକ । ମୁଁ ଡାକ୍ତରଙ୍କୁ କହିଲି, “ତମ ଦେଶରେ ମୋ ଆଖିକି ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଜିନିଷ ହେଉଛି, ଦରିଦ୍ର ଲୋକ । ତମର ଏଡ଼େ ବଡ଼ ସାମ୍ରାଜ୍ୟ ଥାଇ ଯଦି ତମ ଦେଶରେ ଦରିଦ୍ର ରହିଲେ, ଅନ୍ୟ ଦେଶ ସବୁ କ’ଣ କରିବେ ? ମୁଁ ଆଦୌ କଳ୍ପନା କରି ନ ଥିଲି ଯେ, ଏ ଦେଶରେ ଏପରି ଦରିଦ୍ର ଲୋକ ଥିବେ ।” ଡାକ୍ତର କହିଲେ-“ବହୁତ ଗରିବ ଲୋକ-ଏହା ଆମରି ଆର୍ଥିକ ବଣ୍ଟରା ଦୋଷରୁ ହେଉଛି । ଏ ସବୁ ଭେଦାଭେଦ କିମିତି ଘୁଞ୍ଚିବ ଆମେ ଚେଷ୍ଟା କରୁଛୁ ”।

 

ପ୍ରେତ ସମିତି–ବୁଢ଼ା ସାଥିରେ ସନ୍ଧ୍ୟାରେ ‘Spiritualists’ Meeting’ ବା ପ୍ରେତବାଦୀ ସମିତି କି ଗଲି । ଏଠି ଅନେକ ସ୍ତ୍ରୀ କାଳିଶୀର କାର୍ଯ୍ୟ କରନ୍ତି । ଏମାନଙ୍କୁ ଇଂରେଜୀରେ clairvoyant କହନ୍ତି । ଏମାନେ ପ୍ରେତାତ୍ମାମାନଙ୍କୁ ଦେଖି ପାରନ୍ତି ଓ ସେମାନଙ୍କର କଥା ବୁଝି ପାରନ୍ତି । ଏ ସବୁ ଆଖିରେ ନ ଦେଖିଲେ ତମେ ସହଜରେ ବିଶ୍ୱାସ ଯିବ ନାହିଁ । କାଲି ସଭାରେ ଜଣେ ସ୍ତ୍ରୀ-କାଳିଶୀ ବକ୍ତୃତା ଦେବାକୁ ଆସିଥିଲା; ବକ୍ତୃତା ତ ଭଲ ଦେଲା, ଏଇ ପ୍ରେତବାଦ ବିଷୟରେ; ତା’ ପରେ ଚମତ୍କାର ଭାବରେ ପ୍ରେତାତ୍ମାମାନଙ୍କର ସମ୍ବାଦ ସବୁ ଦେଲା । ସଭା ଶେଷରେ ସେ ମୋ ପାଖକୁ ବଳେ ଆସି କହିଲା-ତମ ନିକଟକୁ ଗୋଟିଏ ସମ୍ବାଦ ଅଛି । ମୁଁ ପ୍ରକାଶ୍ୟ ସଭାରେ କହିଲି ନାହିଁ, କାରଣ ତମ ବାପା ମା ବଡ଼ କରୁଣ ଭାବରେ ମରିଛନ୍ତି । ତମ ବୋଉଙ୍କର ଆତ୍ମା ମୋତେ ଦେଖା ଦେଲେ । ସେ ଭାରି ସୁନ୍ଦରୀ । ସେ ତମକୁ ବରାବର ସ୍ନେହ କରୁଛନ୍ତି । ମତେ ସେ କହିଲେ “ତମର ମନସ୍କାମନା ବରାବର ପୂର୍ଣ୍ଣ ହେବ । ମତେ ବର୍ତ୍ତମାନ ମାନସିକ ଅବସାଦ ଭୋଗୁଛ-ସେ ସବୁ ଚାଲିଯିବ । ସେ ସବୁକୁ ପକେଇ ଦେଇ କାମରେ ଲାଗି ରହ ।”

 

ଇଂଲାଣ୍ଡରେ ଶୀତାନ୍ତ

 

Students’ Union King’s College

New Castle on Tyne, ୧-୨-୩୯

 

ତମର ପତ୍ର ପାଇଲି । ବସନ୍ତ ଭାରତବର୍ଷରେ ଆରମ୍ଭ ହେବାର ଲେଖିଛ । ନୂଆ ଦକ୍ଷିଣା ପବନରେ ଆମ୍ବଗଛରେ ବଉଳ ଆସିଯିବଣି । ପାଚିଲା ଧାନରେ ଆମଦେଶର କେଦାରମାଳା ହସି ଉଠୁଥିବ । ଶୀତ ଶେଷରେ ସୂର୍ଯ୍ୟର ଅଳ୍ପ ତପ୍ତ କିରଣ ନୂଆ ଘାସ ଓ ବନସ୍ପତିର ନୂଆ ପତ୍ର ଉପରେ ଖେଳି ଖେଳି ଦିନ କାଟୁଥିବ । ଆମ୍ରକୁଞ୍ଜର ଅନ୍ତରାଳରେ ରହି କୋକିଳ କୋକିଳା ପରସ୍ପରର କଣ୍ଠ ପରୀକ୍ଷାରେ ପ୍ରକୃତିର ନୂଆଦରବାରକୁ ମୁଖରିତ ଓ ଆମୋଦିତ କରୁଥିବେ । ଏସବୁ ମୁଁ ମନଶ୍ଚକ୍ଷୁରେ ଦେଖି ପାରୁଛି ଏବଂ ମୋର ପକ୍ଷ ଥିଲେ ମୁଁ ଏହି ମୁହୂର୍ତ୍ତରେ ମୋ ଦେଶକୁ ଉଡ଼ିଯାଇ ମୋ ଦେଶର ନବୀନ ବସନ୍ତ ଉପଭୋଗ କରନ୍ତି । ଏଠି ବର୍ତ୍ତମାନ ଘୋର ଶୀତ । ଏଠି ମାର୍ଚ୍ଚ ଶେଷ ଆଡ଼କୁ ଯାଇ ବସନ୍ତ ଆସେ । ମଝିରେ କିଛି ଦିନ ଶୀତ କମି ଆସିଥିଲା, ଫେର ଶୀତ ମାଡ଼ି ଆସିଲା । ଏଠି ପାଗ ବଡ଼ ଖାମଖେୟାଲି । କେଉଁ ଦିନ କ’ଣ ହେବ ତା’ କେହି କହିପାରିବେ ନାହିଁ । ଦିନଗୁଡ଼ାକ ପ୍ରାୟ ମେଘୁଆ । ଖରା ଦେଖା ନାହିଁ । ଦିନେ ଦିନେ କିନ୍ତୁ ଉଜ୍ଜ୍ୱଳ ସୂର୍ଯ୍ୟ ମେଘଯୁକ୍ତ ଆକାଶରେ ହସି ଉଠେ ଓ ଏଠାର ଶୀତ କ୍ଳିଷ୍ଟ ପ୍ରକୃତି କେତେ ଘଣ୍ଟା ପାଇଁ ଜୀବନ୍ତ ହୋଇ ଉଠେ । ଖରା ପଡ଼ିଲେ ମଧ୍ୟ ଆମ ଆଡ଼ିକା ଖରା ପରି ନୁହେଁ । ଦିନଟା ଯାକ ଆମ ଆଡ଼ର ଶୀତଦିନିଆ ସକାଳ ପରି ଲାଗେ-ବଡ଼ କଅଁ ଳିଆ ଖରା । ଛୁଟୀ ଦିନରେ ଯଦି ଏହିପରି ପାଗ ହୁଏ, ତେବେ ପାର୍କ, ପଡ଼ିଆ ପ୍ରଭୃତିରେ ଯାଇ ଦେଖିବା ଯୋଡ଼ି ଯୋଡ଼ି ହୋଇ ତରୁଣ ତରୁଣୀ, ଦଳ ଦଳ ହୋଇ ପିଲାପିଲି, ଧୀର ଧୀର ହୋଇ ବୁଢ଼ାବୁଢ଼ୀ ଅନବରତ ଏଣେ ତେଣେ ଘୂରାଘୂରି କରୁଥିବେ । ଏମାନଙ୍କର ସମସ୍ତ ସମୟ ସହରର ସୀମାବନ୍ଧ ପରିସର ଭିତରେ କଟେକିନା; ପ୍ରକୃତିର ସ୍ପର୍ଶ ପାଇଁ ଏମାନେ ଆମ ଅପେକ୍ଷା ବେଶି ବ୍ୟାକୁଳ । ଆଉ ଏମାନେ ଏମାନଙ୍କର ଜୀବନର ସବୁ ପ୍ରୟୋଜନୀୟ ଦ୍ରବ୍ୟକୁ ଯେପରି ସଜେଇ ସୁନ୍ଦର କରନ୍ତି, ପ୍ରକୃତିକି ମଧ୍ୟ ସେଇପରି । ପାର୍କଗୁଡ଼ିକ କି ସୁନ୍ଦର ! ନଈ ବହିଯାଉଛି, ଗଛଲତା ସ୍ତରେ ସ୍ତରେ ସଜ୍ଜିତ ! ନାନା ବିହଙ୍ଗର କ୍ରୀଡ଼ା, ମଧ୍ୟେ ମଧ୍ୟେ ଘୋର ସବୁଜବର୍ଣ୍ଣ ଘାସର ଆସ୍ତରଣ । ଭୂମିର ସ୍ୱାଭାବିକ ବନ୍ଧୁରତା ରକ୍ଷାକରି କୃତ୍ରିମ ଉପତ୍ୟକା ସୃଷ୍ଟି, ଊର୍ଦ୍ଧ୍ୱରେ ଓ ନିମ୍ନରେ ରାସ୍ତା, ଛୋଟ ନଈଟି ଉପରେ ଛୋଟ ଛୋଟ ପୋଲ, ଛୋଟ ଛୋଟ ଜଳପ୍ରପାତ ମଧ୍ୟ; ସେ ଭିତରେ ବୁଲିରେ ବାସ୍ତବିକ ତମର ଦୁଃଖ ତମେ ଭୁଲିଯିବ । ଜୀବନକୁ ଉପଭୋଗ କରିବା ଲାଗି ଏମାନେ ପ୍ରକୃତିକି ଯେତେ ପ୍ରକାର ଦୁହାଁଯାଇ ପାରେ ତା’ କରିଛନ୍ତି । ଆମର କାମଧେନୁ ଆମ ପୁରାଣରେ, ୟାଙ୍କର କାମଧେନୁ-ସତ୍ୟ କାମଧେନୁ-ଅର୍ଥାତ୍ ପ୍ରକୃତି ଯାହା ମାଗିବ ତାହା ଦେଉଛି ।

 

ତମ ଚିଠିରେ ଦେଶର କଥା ଦେବା ଦରକାର ନାହିଁ । ତମେ କେବଳ ତମ କଥା, ଲାଲୁ କଥା, ଘରର ଅନ୍ୟ କଥା ଲେଖିବ । ତମେ ଯେଉଁ ସବୁ ଖବର ଲେଖିଛ, ତାହା ଆମେ ଏଠି ଆଗରୁ ଜାଣିଛୁ । ଆମର ଜଣେ ସାଙ୍ଗ ସାପ୍ତାହିକ ‘ଷ୍ଟେଟ୍‍ସମାନ୍’ ମଗାନ୍ତି-ଆମେ ତାଙ୍କଠୁଁ ସେଇଟି ଆଣି ଦେଶର ଖବର ମୋଟା ମୋଟି ବୁଝିନେଉ । ନେହେରୁ ଜନନୀଙ୍କର ମୃତ୍ୟୁକଥା ସେଥିରେ ଭଲ ଭାବରେ ବାହାରିଥିଲା ।

 

ଶକୁନ୍ତଳା ଅଭିନୟ–ଇତି ମଧ୍ୟରେ ଶକୁନ୍ତଳା ନାଟକ ଅଭିନୀତ ହୋଇ ସାରିଛି । ଆମେ ସମସ୍ତେ ଦେଖିବାକୁ ଯାଇଥିଲୁଁ । ଅଭିନୟ ଚମତ୍କାର ହୋଇଥିଲା । ସାହେବ ସାହେବାଣୀ ଭାରତୀୟ ଲୁଗାପଟା ପିନ୍ଧି ଠିକ୍ ଭାରତୀୟ ପରି ଦେଖା ଯାଉଥାନ୍ତି । ଅବଶ୍ୟ ଯେଉଁମାନେ ଅତି ଧଳା, ତାଙ୍କ ଦେହରେ ଗୋଟେ ପ୍ରକାର ରଙ୍ଗ ବୋଳି ମାଟିଆ କରିବାକୁ ହୋଇଥିଲା । ବିଦୂଷକ ଯେ ହୋଇଥିଲା, ସେ ଠିକ୍ ଭାରତୀୟ ପରି ଦେଖାଯାଉଥାଏ ଓ ଅଭିନୟ ବି ଚମତ୍କାର କଲା । ଶକୁନ୍ତଳା ଗୋଟିଏ ସୁନ୍ଦରୀ ବାଳିକା-ତା’ର ସଫେଦ ଗୋରା ଦେହରେ ରକ୍ତବର୍ଣ୍ଣର ଶାଢ଼ୀ ମନୋରମ ଦେଖାଗଲା । ଇଂରେଜୀରେ ଅବଶ୍ୟ ବଚନିକା-କିନ୍ତୁ ଭାବ ତ ସାର୍ବଜନୀନ, ଶକୁନ୍ତଳା ବିଦାୟ ମର୍ମ୍ମସ୍ପର୍ଶୀ ହୋଇଥିଲା । କିନ୍ତୁ ଆମ ପାଖରେ ବସିଥିବା ଶ୍ୱେତାଙ୍ଗ ଶ୍ୱେତାଙ୍ଗିନୀମାନେ ବୁଝି ପାରିଲେ ନି ଶକୁନ୍ତଳା ତ ବିଭାହୋଇ ଯାଉଛି, କାନ୍ଦୁଛି କାହିଁକି ? ତା’ର ସଖୀମାନେ ବା କାନ୍ଦୁଛନ୍ତି କାହିଁକି ? ମୁଁ ବୁଝେଇଲି ଯେ ଏହାହିଁ ଆମ ଦେଶର ବାସ୍ତବ ଚିତ୍ର-ଆମର ପରିବାରିକ ସମ୍ବନ୍ଧ ବଡ଼ ମଧୁର ଓ ଗଭୀର । ଆମେ ତମ ଅପେକ୍ଷା ବେଶି ଭାବପ୍ରବଣ ଆମର ଘରୁ ଆମ ଭଉଣୀଏ ଗଲାବେଲେ ଆମେ ପ୍ରାୟ ଅଶ୍ରୁପାତ କରି ପକାଉ-ଇତ୍ୟାଦି । ମୋ ପଛରେ ଜଣେ ଶ୍ୱେତାଙ୍ଗନୀ ବସିଥାଏ-ସେ ଏଠା ଥିଓସଫିକାଲ ସୋସାଇଟିର ସେକ୍ରେଟାରୀ । ତେଣୁ ଭାରତବର୍ଷ ସମ୍ବନ୍ଧରେ କିଛି କିଛି ଜାଣିଛି-ସେ ଅବଶ୍ୟ ମୋ କଥାରେ ରାଜି ହେଉଥାଏ ଓ କହୁଥାଏ “ଆମ ଅପେକ୍ଷା ତମର ବନ୍ଧୁତା ସବୁ ବଡ଼ ଗଭୀର ନିଶ୍ଚୟ, ନ ହେଲେ ଶକୁନ୍ତଳାର ସଖୀମାନେ ଏତେ ଦୁଃଖ ପ୍ରକାଶ କରନ୍ତେ କାହିଁକି ?” ଜଣେ ଜର୍ମାନ ବାଳିକା ପଚାରିଲେ “ଭାରତବର୍ଷରେ ସମସ୍ତେ କ’ଣ ଏହି ରାଜା (ଦୁଷ୍ମନ୍ତ) ପରି ଅନୁଭବ କରନ୍ତି ?” ମୁଁ ଉତ୍ତର ଦେଲି-“ଭାରତବର୍ଷରେ ସବୁ ପ୍ରେମିକ ଠିକ୍ ଏହିପରି ଭାବାକୁଳ ।” ସମସ୍ତେ ହସି ଉଠିଲେ ।

 

ଇଂଲଣ୍ଡରେ ଥିଓସଫିକାଲ୍ ସୋସାଇଟି

 

କିଙ୍ଗସ୍ କଲେଜ, ୧୫-୨-୩୯

ଏ ଦେଶରେ ବନ୍ଧୁ ନିମନ୍ତ୍ରଣ

 

ବର୍ତ୍ତମାନ ଏଠି ପୁଣି ବରଫପାତ-ପୃଥିବୀର ମୁଖ ଶୁଭ୍ରବସ୍ତ୍ରାବରଣ ଆବୃତ । ଭୟଙ୍କର ଥଣ୍ଡା, ଅବଶ୍ୟ ବରଫ ପ୍ରଥମେ ଯେପରି କୌତୂହଳ ଜାଗ୍ରତ କରିଥିଲା, ଏଥର ସେପରି କରୁନାହିଁ । ତଥାପି ଘର ଛାତ, ପ୍ରାନ୍ତର, ରାସ୍ତା, ଗଛପତ୍ରସବୁ ଯେତେବେଳେ ବରଫାବୃତ, ଚାରି ଆଡ଼ର ନିର୍ମଳ ଶୁଭ୍ର ରଜତ-ଶୋଭା ପ୍ରଶଂସା ନ କରି ରହିହୁଏ ନାହିଁ । ମୋ ଦେଶରେ ହେଲେ ଏପରି ହୋଇଥାନ୍ତା-ପ୍ରଖର ସୂର୍ଯ୍ୟ ଆମ ଦେଶର ମାଟିରୁ ଓ ଆମ ଦେହରୁ ସବୁ ରସ ଶୋଷି ନେଉଛି । ଆମେ ସେଥିପାଇଁ ନିର୍ଜୀବ । ଉତ୍ତର ଦେଶର ଶୀତ-ବର୍ଦ୍ଧିତ ଦୁର୍ଦ୍ଧର୍ଷ ଜାତିମାନେ ଆମକୁ ବାରବାର ଆକ୍ରମଣ ଓ ପରାସ୍ତ କରି ଆମ ଉପରେ ଶାସନ ଚଳେଇଛନ୍ତି ।

 

କ୍ରମେ କ୍ରମେ ମୋର ପରିଚିତ ଲୋକଙ୍କର ସଂଖ୍ୟା ବଢ଼ୁଛି । କାଲି ରବିବାର ଏଠାର ଥିଓସଫିକାଲ୍ (ବ୍ରହ୍ମତତ୍ତ୍ୱ) ସୋସାଇଟିର ସେକ୍ରେଟେରୀ ଘରେ କଟେଇ ଆସିଛି । ସେ ଜଣେ ତରୁଣୀ । ତା’ର ବାପା ମା ସମସ୍ତେ ସୋସାଇଟିର ମେମ୍ବର । ସେମାନେ ନିରାମିଷାଶୀ ସୁନ୍ଦର ନିରାମିଷ ଆହାର ଦେଇଥିଲେ । ଥିଓସଫି, ଭାରତୀୟ ଧର୍ମ ଉପରେ ପ୍ରତିଷ୍ଠିତ । ଭାରତବର୍ଷର ଧର୍ମ, ଦର୍ଶନ, ସଂସ୍କୃତି ପ୍ରତି ଏମାନଙ୍କର ପ୍ରଗାଢ଼ ଶ୍ରଦ୍ଧା । ଏମାନଙ୍କର ସଂଖ୍ୟା ଅବଶ୍ୟ ଏ ଦେଶରେ ବଡ଼ କମ୍; କିନ୍ତୁ ମୋ ଦେଶପ୍ରତି ସମ୍ମାନ ଦେଖାଉଥିବା ଯେକୌଣସି ଲୋକର ସାକ୍ଷାତ ହେଲେ, ପ୍ରାଣରେ ଆନନ୍ଦ ଆସିବାର ତ କଥା ।

 

ଏହି ଥିଓସଫିକାଲ୍ ସୋସାଇଟିର ଜଣେ ମେମ୍ବର ଆଉ ଏକ ରବିବାରକୁ ମତେ ନିମନ୍ତ୍ରଣ କରି ରଖିଛନ୍ତି । ଏମାନଙ୍କର ନିମନ୍ତ୍ରଣ ଓ ଆମର ନିମନ୍ତ୍ରଣ ଭିତରେ ପ୍ରଭେଦଟା ପୁଣି ଦେଖି ରଖ । ଆମର କେବଳ କୁଣିଆ ଚର୍ଚ୍ଚା, ଘରର ସ୍ତ୍ରୀଲୋକଙ୍କ ସଙ୍ଗେ ତ ଦେଖା ନାହିଁ । ସେମାନେ ରୋଷେଇ ଘରେ କୁଟିବାଟି ତରକାରୀ ବସେଇବା ଓହ୍ଲେଇବାରେହିଁ ଘର୍ମ୍ମାକ୍ତ । ଏହା ଏକ ବର୍ବର ପ୍ରଥା । ଏମାନେ ନିମନ୍ତ୍ରଣ କଲେ ବି, ଏମାନେ ସାଧାରଣତଃ ଯାହା ଖାନ୍ତି, ତାହାହିଁ ଦେବେ-ତାଙ୍କୁ ଅଧିକା ପରିଶ୍ରମ କରିବାକୁ ହୁଏ ନାହିଁ । ଅପର ପକ୍ଷରେ ଏମାନଙ୍କର ନିମନ୍ତ୍ରଣରେ ବୁଦ୍ଧି ଓ ମନର ଆନନ୍ଦ ଟେ । ଘରଣୀ, ତାଙ୍କର କନ୍ୟା, ଗୃହକର୍ତ୍ତା ପାଖରେ ଆସି ବସିବେ-ଖବର କାଗଜର କଥା, ଦେଶ ବିଦେଶର କଥା, ଅନ୍ୟାନ୍ୟ ଜ୍ଞାନଚର୍ଚ୍ଚା-ସବୁ କିଛିର ଆଲୋଚନା ହେବ, ସମସ୍ତେ ଯୋଗଦେବେ । ଖାଇଲାବେଳେ ବି ଚର୍ଚ୍ଚା ଚାଲିଥିବ । ଆମର କେବଳ ଗୁଡ଼ାଏ ଖାଇବା-ହାଉଁ ହାଉଁ କରି । ସେଇ ଆମର କୁଣିଆଚର୍ଚ୍ଚା । ଏଥିରୁ ଆମ ଭିତରେ ସଭ୍ୟତାର ତାରତମ୍ୟ ବୁଝି ପାରୁଥିବ । କାଲି ଯାହାଙ୍କ ଘରେ ଥିଲି ତାଙ୍କର ବ୍ୟବସାୟ ରାଜମିସ୍ତ୍ରୀ, ସେଇଥିରେ ସେ ପେଟ ପୋଷନ୍ତି; ଅଥଚ ବାପା, ମା, ଝିଅ ସମସ୍ତେ ଯାଇ ନାଇଟ୍‍ସ୍କୁଲରେ ପ୍ରାଚ୍ୟ ଦର୍ଶନ ପଢ଼ନ୍ତି-ଝିଅ ବୋଟାନୀ ପଢ଼େ ।

 

ଏଣେ ଥିଓସଫିକାଲ୍ ସୋସାଇଟିରେ ଯୋଗଦାନ । ମୋ ସାଥିରେ ଏକାକୀ ବସି ଝିଅ ଡରୋଥୀ ନାରୀ ସମସ୍ୟା, ଭାରତବର୍ଷର ସମସ୍ୟା, ଜାଗତିକ ସମସ୍ୟା ଇତ୍ୟାଦି କଥା ନିର୍ଭୀକ ଭାବରେ ବିନା ସଂକୋଚରେ ଆଲୋଚନା କଲା । ଆମ ଦେଶରେ ବଡ଼ଲୋକଙ୍କ ଝିଅମାଇପେ ଯଦି ପାଠ ଜାଣିଥିବେ, ତେବେ କେବଳ ପଚା ଉପନ୍ୟାସ ପଢ଼ୁଥିବେ । ଘରକୁ କୁଣିଆ ଆସିଲେ ସେମାନେ ତ କାହିଁ ଲୁଚିବେ । କୁଣିଆ ବିଚାରା କେବଳ ଖାଇବାବେଳକୁ ଅନେଇ ରହିଥିବ ଆଲୋଚନା କରିବ କା’ ସାଥିରେ ? ଏସବୁ ଆଲୋଚନା ସତ୍ତ୍ୱେ ଡରୋଥୀହିଁ ଆମକୁ ରାନ୍ଧି ଖାଇବାକୁ ଦେଲା । ଏଥିରୁ ବୁଝିବ, ଆମ ସମାଜ କିପରି ଓଲଟ୍ ପାଲଟ୍ ଦରକାର କରେ ।

Image

 

ବିଦେଶରେ ସ୍ୱଦେଶ ସେକାର ସ୍ୱପ୍ନ

 

ନିଉକାସ୍‍ଲ

୧୦-୦୩-୩୯

 

ତମର ମାର୍ଚ୍ଚ ଏକ ତାରିଖର ପତ୍ର ଆଜି ପାଇଲି । ଦଶ ଦିନ କିମିତି ଲାଗିଲା, ମୁଁ ବୁଝି ପାରୁନାହିଁ । ଖୁବ୍ ସମ୍ଭବତଃ ବ୍ୟୋମ-ଡାକର ଯିବା ଆସିବାରେ ଗୋଳମାଳ ହେଉଛି । ମୁଁ ତ ବରାବର ଚିଠି ଲେଖୁଛି ! ମୋ ଉପରେ ବିରକ୍ତ ହେବାର କୌଣସି କାରଣ ନାହିଁ । ଗତ ସପ୍ତାହରେ ତମର ଚିଠି ନ ପାଇଁ କେବଳ ଚିଠି ଲେଖି ପାରିନାହିଁ ।

 

ମୋ ପାଖରେ ମୋ ଫଟେ ର ବ୍ଳକ ନାହିଁ । ତେଣୁ ଶ୍ରୀ ଚକ୍ରଧର ମହାପାତ୍ରଙ୍କ ପାଖକୁ ପଠେଇବି କ’ଣ ? ତା’ଛଡ଼ା ମୁଁ ତ ନିକଟରେ ଯିବି-ତାଙ୍କର ଏତେ ଉଦ୍‍ବିଗ୍ନ ହେବାର କୌଣସି କାରଣ ନାହିଁ । ମୁଁ ଗତ ଚିଠିରେ ତାଙ୍କ ପାଖରୁ ପାଇଥିବା ଚିଠି ପଠେଇ ଦେଇଛି । ସେମାନଙ୍କର ଉତ୍ସାହକୁ ମୁଁ ପ୍ରଶଂସା କରେ, କିନ୍ତୁ ତାଙ୍କ କର୍ମ-ଯୋଜନାରେ ମିଳିତ ହେବାକୁ ସାହାସ କରୁ ନାହିଁ । ପ୍ରଥମ କଥା ମୋର ନିଜର ଦାରିଦ୍ର୍ୟ । ମୁଁ ମୋର କରଜତକ ସଂପୂର୍ଣ୍ଣ ପରିଶୋଧ ନ କଲା ଯାଏଁ ଅନ୍ୟ କୌଣସି ବ୍ୟୟସାଧ୍ୟ କର୍ମ୍ମରେ ହାତ ଦେବି ନାହିଁ । ଅନେକ ସମୟରେ ଇଚ୍ଛା ହୁଏ ଗଲେ ପ୍ରେସ୍ କରିବି, ଏହା କରିବି ତାହା କରିବି-କିନ୍ତୁ ସ୍ଥିରମନରେ ଭାବି ଦେଖୁଛି, ମୁଁ ଯେ କୌଣସି ପ୍ରକାର କାର୍ଯ୍ୟ-ଯେଉଁଥିରେ କି ଜନତାର ସଂପର୍କ ଅଛି, ସେଥିଲାଗି ସଂପୂର୍ଣ୍ଣ ଅନୁପଯୁକ୍ତ । ମୁଁ ଯାହା କିଛି କରି ପାରିବି ତାହା ଘର ଭିତରେ, ଗୋପନରେ, ଜନତାର ଅଗୋଚରରେ । ମୁଁ ଜନତାକୁ ଭୟକରେ; ନିକାଞ୍ଚନ ନିଃସଂଗତା ମତେ ଅନେକ ସମୟରେ ଭୟ ଲାଗେ । ନାରୀ ମନ୍ଦିରଟିଏ ଆରମ୍ଭ କରିବ-ଟଙ୍କାର ଅଭାବ, ନାନା ମନର ନାନା ଖେଳ-ସେଥିକି ମୁଁ ପାରିବି ନି । ଗାନ୍ଧିଜୀ ଦେଶପାଇଁ ଏତେ କଲେ, କିନ୍ତୁ ଗାନ୍ଧିଙ୍କ ପବିତ୍ର ଆଦର୍ଶ ଜୀବନ୍ତ ଥାଉ ଥାଉ ଦେଖ କଂଗ୍ରେସ କିମିତି କଳ୍ମଷରେ କଳା ପଡ଼ିବାକୁ ଆରମ୍ଭ କଲାଣି । ଗାନ୍ଧିଜୀଙ୍କ ସଂଗେ ଆମକୁ ତୁଳନା କଲେ, ଆମେ ବୁଝିପାରିବା ଆମେ ସାଧାରଣ ଅନୁଷ୍ଠାନ ସବୁ ଗଢ଼ିବାରେ କେତେ ପରିମାଣରେ ଅନୁପଯୁକ୍ତ । ଏସବୁ ବିଚାରି ମୁଁ ସ୍ଥିର କରିଛି ମୁଁ ବ୍ୟକ୍ତିଗତ ଜୀବନରେ ଯଦି କାହାରି-ଅବଶ୍ୟ ପରିବାରର ନୁହେଁ-କିଛି ସେବା କରିପାରିବି, ସେତିକି ଯଥେଷ୍ଟ; କିନ୍ତୁ ସାଧାରଣ ଅନୁଷ୍ଠାନ ସୃଷ୍ଟି କରି ସେ ଜଞ୍ଜାଳରେ ପଶିବା ମୋର ଆଦୌ ଉଚିତ ନୁହେଁ । ବର୍ତ୍ତମାନ ଦେଶରେ ଖବରକାଗଜ ପ୍ରଶଂସା, ନାମ, ଅଧିକାର ପାଇଁ ଜଘନ୍ୟ ଦଳାଦଳି ଚାଲିଛି । ପ୍ରହରାଜଙ୍କ ଭାଷାକୋଷଠୁଁ ପ୍ରଧାନମନ୍ତ୍ରୀଙ୍କ ପଦ ପର୍ଯ୍ୟନ୍ତ ସବୁ ଦେଶ-ସେବାର ଛଳନା ତଳେ ବ୍ୟକ୍ତିଗତ ଆକାଂକ୍ଷାର ଲୀଳା । ଆମେ ଏହି କୁତ୍ସିତ ପ୍ରତିଯୋଗିତାରେ ଯୋଗ ଦେବାର କି କାରଣ ଅଛି ? ମୁଁ ସେଥିପାଇଁ ଏବେ ଭାବୁଛି ଆମର ପ୍ରେସ୍-ଡ୍ରେସ୍, ଶାଡ଼ୀ-ବାଡ଼ୀ (ଘର) ଦରକାର ନାହିଁ କଟକରେ-ଆମେ ସୁଦୂର ପଲ୍ଲୀକି ଚାଲିଯିବା, ଦେଖିବା ସେଇ ଅରକ୍ଷିତ, ଦେବଚ୍ୟୁତ ଜନତାର ଯଦି କିଛି କରିପାରିବା । ଭାରତ ତ ପଲ୍ଲୀଦେଶ ଶିକ୍ଷିତ ଲୋକେ ଗାଁ ଛାଡ଼ି ସହରରେ ପଶି ସହରକୁ କଳୁଷିତ କରୁଛନ୍ତି, ଗାଁ ଜନଶୂନ୍ୟ ଓ ନିରାନନ୍ଦମୟ ହେଉଛି । ମୁଁ ମୋ ଦେଶକୁ ଯଦି ଭଲ ପାଏ, ତେବେ ମୁଁ ସେହି ପଲ୍ଲୀକି ସୁଶ୍ରୀ କରିବାରେ କିଛି ଯଦି କରିପାରେ, ତାହାହିଁ କରିବି । ସ୍ତ୍ରୀ-ସ୍ୱାଧୀନତା, ଦେଶ-ସ୍ୱାଧୀନତା ଦେଶ-ମିଶ୍ରଣ ଓ ଏକାମ ସେକାମ ପାଇଁ ସହରରେ ଗଣ୍ଡା ଗଣ୍ଡା ନେତା ବୁଲୁଛନ୍ତି; ଆମେ ସେଠି ଆଉ ଅଧିକା କଣ କରିବା ? କନକମଞ୍ଜରୀ ଓ * ଚକ୍ରଧରଙ୍କୁ ପଚାର ସେ ତାଙ୍କ ଗାଁ ଛାଡ଼ି ଆମ ଗାଁ ବା ତମ ଗାଁରେ ଦୁଃଖ ସହି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ? ଅଥବା ସେମାନେ ନିଜ ଗାଁରେ କାମ କରୁ ନାହାନ୍ତି କାହିଁକି ? କିନ୍ତୁ ଆମର ତାଙ୍କୁ ପରିଷ୍କାର କହିଦେବା ଉଚିତ, କରଜ ଶୁଝା ନ ହେଲା ଯାଏଁ ଆମେ କୌଣସି ପ୍ରକାର ସାଧାରଣ ଅନୁଷ୍ଠାନର କର୍ତ୍ତା ଭାବରେ ପରିଚିତ ହୋଇ ଜଞ୍ଜାଳଗ୍ରସ୍ତ ହେବାକୁ ପ୍ରସ୍ତୁତ ନୋହୁଁ । ମୁଁ ଗତ ଚିଠିରେ ତାଙ୍କୁ : ସେୟା କହିଛି ।

 

*

(ପଲ୍ଲୀକବିତା ସଂଗ୍ରାହକ ଶ୍ରୀ ଚକ୍ରଧର ମହାପାତ୍ର ଓ ତାଙ୍କର ପତ୍ନୀ)

 

ମୁଁ ମେ ମାସରେ ନ ଯାଇ ସମ୍ଭବତଃ ଜୁନ୍‍ରେ ଯିବି । ଭାବିଥିଲି ଇଷ୍ଟର ଛୁଟୀରେ ପରୀକ୍ଷା ଇତ୍ୟାଦି ହୋଇଯିବ, କିନ୍ତୁ ପରେ ବୁଝୁଛି ଛୁଟୀ ଭିତରେ କିଛି ହୋଇ ପାରିବ ନାହିଁ । ହଉ. ମାସକର ବ୍ୟବଧାନ ତ ପ୍ରଥମେ ମୁଁ ବଡ଼ ବ୍ୟସ୍ତ ହେଲି ! ଏବେ କୌଣସିମତେ ମନକୁ ମଙ୍ଗେଇ ଦେଇଛି ।

 

ଜଣେ ଇଂରେଜ କୃଷକର ଖମାର କ୍ଷେତ୍ରରେ *

 

ନିଉକାସଲ୍ ର ସହର ତଳି ଭିତର ଦେଇ ଯାଉଥିଲା ବେଳେ ମୋର ଇଂରେଜ-ବନ୍ଧୁ ପୃଥିବୀ-ବିଖ୍ୟାତ ଅସ୍ତ୍ରଶସ୍ତ୍ରନିର୍ମାଣକାରୀ ଭିକର୍ଜଆର୍ମଷ୍ଟ୍ରଙ୍କ କମ୍ପାନୀର ଫାକ୍‍ଟରୀ ଲମ୍ବା ଲମ୍ବା ଗୃହଶ୍ରେଣୀ ମତେ ଦେଖାଇ ଦେଲେ । ମୋ ମନରେ ହଠାତ୍ ଟିକିଏ ଧକ୍‍କା ଲାଗିଗଲା । କାରଣ ମୁଁ ମାରଣାସ୍ତ୍ର ନିର୍ମାତା ଇଂରେଜକୁ ଦେଖିବାକୁ ଚାହୁ ନ ଥିଲି; ମୁଁ ଯାଉଥିଲି ଗୋଟିଏ ଇଂରେଜ କୃଷକ-ଗୃହସ୍ଥର ସାଧାରଣ ଖମାର-କ୍ଷେତ୍ର ଦେଖିବାକୁ, ଯେଉଁଠି ବ୍ରିଟିଶର ବୀର୍ଯ୍ୟ ଏ ପର୍ଯ୍ୟନ୍ତ ଜନନୀ ବସୁନ୍ଧରାଠାରୁ ଜାତିର ପ୍ରାଣରସ ଆହରଣ କରିବାରେ ଲାଗି ରହିଛି । କିନ୍ତୁ ସହସା ସହରର କୁତ୍ସିତ, ସମ-ଦୃଶ୍ୟ ଘର ଓ ରାସ୍ତା ସବୁ ପଛରେ ପଡ଼ିଲା ଏବଂ ଇଂଲାଣ୍ଡର ମଧୁର ଶାରଦ ପ୍ରକୃତିର ଶୋଭା ରାଜ୍ୟରେ ପ୍ରବେଶ କଲୁ । ଉଚ୍ଚ ରାସ୍ତାକୁ ଆରମ୍ଭ କରି ବହୁ ନିମ୍ନରେ ପ୍ରବାହିତ ଟାଇନ୍ ନଦୀର ଧାର ପର୍ଯ୍ୟନ୍ତ ସମଗ୍ର ଉପତ୍ୟକା ବର୍ଣ୍ଣ-ବହୁଳ ଏକ ଉପରାଣ ଘୋଡ଼େଇ ହୋଇ ଶୋଇ ରହିଲା ପରି ଦେଖା ଯାଉଥିଲା । ଇଂଲାଣ୍ଡର ଗ୍ରୀଷ୍ମ ଋତୁର ଏଇ ମାତ୍ର ଅବସାନ ହୋଇଛି ଏବଂ ପଲ୍ଲୀ ପ୍ରକୃତିର ଶ୍ୟାମାଭରଣ କ୍ରମେ ହରିଦ୍ର ଓ ସ୍ୱର୍ଣ୍ଣାଭ ହୋଇ ଆସୁଛି । ବାଡ଼-ଘେରା ଲମ୍ବା ଲମ୍ବା କିଆରୀମାନଙ୍କରେ ଗହମର କ୍ଷେତ ଉପତ୍ୟକାର ଉପରୁ ତଳଯାଏ ପାଚି ପଡ଼ି ରହିଛି । ମନେ ହେଲା ଜଗତରେ ଘନାରମାନ ଦୈନନ୍ଦିନ ନୈରାଶ୍ୟ ଭିତରେ ସେ ସବୁ ଯେପରି ମା ବସୁନ୍ଧରାର ମୁଖରେ ଚିରନ୍ତନ ଆଶାର ସ୍ୱର୍ଣ୍ଣ-ହାସ୍ୟ ।

 

*

ମଡ଼ର୍ଣ୍ଣରିଭିଭର ୧୯୩୯, ସେପ୍‍ଟେମ୍ବର ସଂଖ୍ୟାରେ ଲେଖକର ପ୍ରକାଶିତ ‘With an English farmer’ ଲେଖାର ଅନୁବାଦ ।

 

ଆମେ ବସ୍‍ରୁ ଓହ୍ଲାଇ ଗୋଟିଏ ରାସ୍ତାରେ ଚାଲିବାକୁ ଲାଗିଲୁ ଯାହା ଦିନେ ସମ୍ରାଟ୍ ହେଡ଼୍ରିୟାନ ଓ ତାଙ୍କର ରୋମକବି ହିନୀମାନଙ୍କର ଯାତ୍ରାରେ ମୁଖରିତ ହୋଇଥିବ । କାରଣ ଏଇ ରାସ୍ତାହିଁ ଉତ୍ତର ଇଂଲାଣ୍ଡରୁ ସିଧା ଲଣ୍ଡନ ଓ ସେଠୁ ରୋମ ପର୍ଯ୍ୟନ୍ତ ଯାଇଥିଲା । ଆମେ ଯେଉଁ ଖମାରକୁ ଯାଉଥିଲୁ ତାହା ଏଇ ରାସ୍ତାକୁ ପାଏ ମାଇଲେ ଦୂରରେ ।

 

ଖମାରଟି ଗୋଟିଏ ଉଚ୍ଚ ସ୍ଥାନରେ ଅବସ୍ଥିତ, ଯେଉଁଠୁ ସମଗ୍ର କ୍ଷେତ୍ରଟି ସୁନ୍ଦର ଭାବରେ ଦେଖା ପଡ଼େ । ଗୋଟିଏ ଛୋଟ ପଦ-ପଥ ଦେଇ ଉପରକୁ ଉଠି ଉଠି ହଠାତ୍ ଯେତେବେଳେ ଖମାର ଘର ଆଗରେ ପହୁଁଚିଗଲୁ, ତା’ର ଆଧୁନିକତା ଓ ପରିପାଟିରେ ମୁଁ ବିସ୍ମିତ ହୋଇ ପଡ଼ିଲି । ଯାହାଙ୍କର ଆତିଥ୍ୟ ଗ୍ରହଣ କରିବୁ ତାଙ୍କ ସଙ୍ଗେ ଦେଖା ଓ ପ୍ରାରମ୍ଭିକ ଶିଷ୍ଟାଚାର ପରେ ଆମେ ସମସ୍ତେ ବାହାରେ ଶୋଭନୀୟ ଭାବରେ ସଜ୍ଜିତ ଗୃହ-ସମ୍ମୁଖରେ ଘାସ ଆସ୍ତରଣ ଉପରେ ବସି ଆଳାପ ଆରମ୍ଭ କଲୁ । କଥା ହେଲା ଇଣ୍ଡିଆ ଓ ଗାନ୍ଧି ନେଇ, କାରଣ ଏବେ ଜଣକ କଥା ପଡ଼ିଲେଇ ଅପରିହାର୍ଯ୍ୟ ଭାବରେ ଅନ୍ୟଟି ଆସି ପଡ଼େ । ଇତି ମଧ୍ୟରେ ଆମର କୃଷକ-ବନ୍ଧୁଙ୍କର ଛୋଟ କନ୍ୟା ଜୁନ୍ ତାର ସ୍ନାନ ସାରି ଉପସ୍ଥିତ ହେଲା । ମୋର ସହଗାମୀ ଇଂରେଜ ବନ୍ଧୁ ଜଣେ ଆର୍ଟିଷ୍ଟି୍, ସେ ଜୁନକୁ କହିଲେ ବୁଦ୍ଧ ପରି ବସିବାକୁ, କାରଣ ସେ ସେଇ ଭଙ୍ଗିରେ ତା’ର ଗୋଟିଏ ଛବି ଆଙ୍କିବାକୁ ଇଚ୍ଛା କରନ୍ତି । ପ୍ରଥମେ ଛୋଟ ଜୁନ୍ ଭାରି ଉତ୍ସାହିତ ହୋଇ ଉଠିଲା, କିନ୍ତୁ ଆମେ ଯେପରି ଚକା ପକେଇ ବସୁ ତା’ର ସେ ଅଭ୍ୟାସ ନ ଥିବାରୁ ତା’ର ଶୈଶବର ଚଞ୍ଚଳ, କୋମଳ ଅବୟନଗୁଡ଼ିକ କ୍ରମେ ଅସ୍ଥିର ହୋଇ ଉଠିଲା । ମୋର ବନ୍ଧୁଙ୍କୁ ଶେଷରେ ଚିତ୍ର ନେବାର ଚେଷ୍ଟା ଛାଡ଼ିବାକୁଇ ହେଲା । ଇତିମଧ୍ୟରେ ଜୁନ୍‍କୁ ଅସ୍ଥିର କରୁଥିବାର ଆଉ ଏକ ଉପଦ୍ରବ ମୁଁ ଲକ୍ଷ୍ୟ କଲି-ତାହା ମାଛି । ଆମ ଭାରତୀୟମାନଙ୍କର ଧାରଣା ଯେ ଇଂଲାଣ୍ଡରେ ମଶା ଓ ମାଛି ନାହାନ୍ତି-ଅନ୍ତତଃ ମୋର ସେଇ ଧାରଣା ଥିଲା । କିନ୍ତୁ ଆମର ପରିଚିତ ବନ୍ଧୁ ମଶକଙ୍କୁ ସେକ୍‍ସପିୟରଙ୍କ ଜନ୍ମସ୍ଥାନ ଷ୍ଟ୍ରାଟ୍‍ଫୋର୍ଡ଼-ଅନ୍-ଏଭନ୍‍ରେ ଭେଟିଥିଲି ଏବଂ ମାଛି ତ ଦେଖିଛି ଅନେକ ଜାଗାରେ, ବିଶେଷତଃ ଗ୍ରୀଷ୍ମ କାଳରେ । କିନ୍ତୁ ଏହା ସତ୍ୟ ଯେ ଭାରତବର୍ଷରେ ମାଛି ସେପରି ଭାବରେ ମନୁଷ୍ୟ ର ଖାଦ୍ୟ ଓ ବାସରେ ଭାଗୀଦାର ଭାବରେ ବଞ୍ଚେ, ଇଂଲାଣ୍ଡରେ ତା’ କରିବାକୁ ଦିଆଯାଏ ନାହିଁ । ଯେଉଁ କୁତ୍ସିତ ଭାବରେ ଆୟୁତାୟୁତ ମକ୍ଷିକା ଆମର ଗୃହ ଓ ବିପଣୀକୁ ମୁଖରିତ, କୃଷ୍ଣୀକୃତ ଓ ବିଷାକ୍ତ କରନ୍ତି ତାହା ସୁଏଜ କେନାଲ ଏ ପଟେ ଅଜ୍ଞାତ ଓ ଅଦୃଷ୍ଟ ।

 

(୨)

 

କୃଷି ଓ ଖମାରରେ ମୋର ଯେ ଆଗ୍ରହ ତାହା ବ୍ୟାବସାୟିକ ନୁହେଁ, ତାହା ଏକାନ୍ତ ପୈତୃକ । ଭାରତବର୍ଷରେ ଏକ କୃଷକ ପରିବାରରେ ମୋର ଜନ୍ମ, ତେଣୁ ଇଂଲଣ୍ଡକୁ ଆସିଲାଦିନୁଁ ମୁଁ ବ୍ରିଟିଶ କୃଷି ଓ କୃଷକକୁ ଜାଣିବା ପାଇଁ ବରାବର ଉତ୍ସୁକ । ମୁଁ ଅନେକ ବ୍ରିଟିଶ ଖମାର କ୍ଷେତ୍ରକୁ ଯାଇଛି ଏବଂ ଚାଷ ହେଉଥିବା ଜମିର ସିଆରରେ ସିଆରରେ ଚାଲି ନୂଆ ଓଲ୍‍ଟା ମୃତ୍ତିକାର ସୂକ୍ଷ୍ମ ସୌରଭ ଭୋଗ କରିଛି । କିନ୍ତୁ ଏ ଖମାର ଅନ୍ୟମାନଙ୍କଠାରୁ ଟିକିଏ ଭିନ୍ନ । ଏଠି ଯେ ଚାଷୀ ସେ କେବଳ ଜମିର ଶ୍ରମିକ ମାତ୍ର ନୁହନ୍ତି । ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କୃଷି-ବିଜ୍ଞାନର ଗ୍ରାଜୁଏଟ୍ । ଇଂଲାଣ୍ଡରେ କୃଷି ବିଜ୍ଞାନରେ ଟ୍ରେନିଂ ପାଇଲା ପରେ ଜଣେ ଭାରତୀୟ ଦେଶକୁ ଫେରି ନିଜ ପୈତୃକ ଜମିଜମାର ରକ୍ଷଣାବେକ୍ଷଣ କରିବାର ଆମେ କଳ୍ପନା କରି ପାରିବା କି ? ଯେତେ ଲାଞ୍ଛନା ଓ ଜଞ୍ଜାଳମୟ ହେଉ ପଛେ ଇଣ୍ଡିଆନ୍ ପକ୍ଷରେ ସରକାରୀ ଚାକିରିଟାଏ ପରି ଗୌରବମୟ ସଭ୍ୟ ପଦାର୍ଥ ଆଉ ନାହିଁ, କିନ୍ତୁ ଯାହା ଅର୍ଥ ଓ ସ୍ୱାଚ୍ଛନ୍ଦ୍ୟ ଆଣି ପାରିବ ଏପରି କୌଣସି କାମ ଇଂରେଜ ପକ୍ଷରେ ହେୟ ନୁହେଁ ।

 

ଇଂଲାଣ୍ଡରେ କୃଷି ଓ କୃଷକ ସମ୍ବନ୍ଧରେ ସମ୍ୟକ୍ ଧାରଣା ପାଇଁ ଆମକୁ ଇଂଲାଣ୍ଡ ଓ ଇଣ୍ଡିଆରେ ଯେଉଁମାନେ ମାଟିରେ କାମ କରନ୍ତି ସେମାନଙ୍କର ପରିବେଶ ଓ ପରମ୍ପରା ପାର୍ଥକ୍ୟଟା ପ୍ରଥମେ ବୁଝିବାକୁ ହେବ । ଇଂଲାଣ୍ଡରେ ଫାର୍ମର ବା କ୍ଷେତ୍ରପତି ଅଛନ୍ତି । କିନ୍ତୁ ଆମ ଭାରତବର୍ଷରେ ମୃତ୍ତିକାକର୍ଷଣକୁ ଜୀବନର ଏକମାତ୍ର ଆଶ୍ରୟ ଧରି ଗୋଟିଏ ଶ୍ରେଣୀର କୋଟି କୋଟି ଲୋକ ଯେପରି ସହସ୍ର ସହସ୍ର ବର୍ଷ ଧରି ମାଟି ସଙ୍ଗେ ଲାଗି ରହିଛନ୍ତି ସେପରି କୌଣସି ଶ୍ରେଣୀ ଏଠାରେ ନାହାନ୍ତି । ଭାରତବର୍ଷର ଏକ ଚଷା, ଚାଷ ଛାଡ଼ି ଅନ୍ୟ କୌଣସି ବୃତ୍ତି ଧରିବାର କଳ୍ପନା କରିବେ ନାହିଁ ଏବଂ ମାଟି ତାଙ୍କୁ ପ୍ରତିଦାନ ଦେଉ ବା ନ ଦେଉ ସେମାନେ ମାଟିକି ଛାଡ଼ିବେ ନାହିଁ । ଇଂଲାଣ୍ଡରେ କିନ୍ତୁ ବହୁ ବ୍ୟବସାୟ ଭିତରେ କୃଷି ଗୋଟିଏ ବ୍ୟବସାୟ ଏବଂ ଜଣେ ଇଂରେଜ କୃଷକ ହେବ, ଯଦି କେବଳ ସେ ଦେଖେ ଯେ କୃଷି ତାକୁ ଉଦ୍‍ବୃତ୍ତ ଲାଭ ଦେଇ ପାରିବ । କୃଷି ଏଠି କାହାପ୍ରତି ବାଧ୍ୟତାତ୍ମକ ବା କୌଳିକ ନୁହେ । ତେଣୁ ଇଂଲାଣ୍ଡରେ ଦର୍ଜି, ସ୍କୁଲ ମାଷ୍ଟର, ଦୋକାନୀ, କିରାନୀ ପରି ତଥା କଥିତ କୃଷକ ମଧ୍ୟ ଏକ ଚିର- ପରିବର୍ତ୍ତମାନ ଶ୍ରେଣୀ । ଭାରତୀୟ ଚାଷୀ ପରି ଏଠି ଇଂରେଜ ଚାଷୀ ଚିରକାଳ ଲାଗି ଅସହାୟ ଭାବରେ ମାଟି କାମୁଡ଼ି ପଡ଼ି ରହେ ନାହିଁ ।

 

ଆମକୁ ଆଉରି ଏକ ବଡ଼ ପ୍ରଭେଦ ମଧ୍ୟ ମନେ ରଖିବାକୁ ହେବ । ଇଂଲାଣ୍ଡରେ ୩୦୦ରୁ ୬୦୦ ଏକର ପର୍ଯ୍ୟନ୍ତ ବା ତାଠୁ ବେଶି ଜମିର ମାଲିକ ପ୍ରାୟଇ ଦେଖାଯାନ୍ତି । କୌଣସି କ୍ଷେତ୍ରପତିର ଏଠି ୬୦ ଏକରରୁ କମ୍ ଜମି ନ ଥାଏ । କିନ୍ତୁ ଭାରତବର୍ଷରେ ହାରାହାରି କୃଷି ଜମିର ପରିମାଣ ପାଞ୍ଚ ଏକରରୁ ମଧ୍ୟ କମ୍ । ଇଂଲାଣ୍ଡରେ ଜମିର ଆକାର ଏ ପର୍ଯ୍ୟନ୍ତ ବଡ଼ ରହିଛି ସେଠାର ଦର-ବିଧାନର ବିଶେଷତ୍ୱ ଯୋଗୁଁ, ଯା’ ଫଳରେ କେବଳ ବାପର ବଡ଼ପୁଅହିଁ ପୈତୃକ ସଂପତ୍ତିର ଅଧିକାରୀ ହୁଏ, ଆମ ଭାରତବର୍ଷ ପରି ସେ ସମ୍ପତ୍ତି ସବୁ ଭାଇଙ୍କ ଭିତରେ ଟିକି ଟିକି କରି ବାଣ୍ଟି ଦିଆ ହୁଏନାହିଁ । କୃଷି କ୍ଷେତ୍ରର ପରିସର ବଡ଼ ଥିବାରୁ ଇଂଲାଣ୍ଡର କୃଷକ କୃଷିର ନୂତନ ପରୀକ୍ଷା କରିପାରେ, ଶସ୍ୟର ପରିବର୍ତ୍ତନ କରିପାରେ ଏବଂ ଶସ୍ୟ ଜନ୍ମାଇବା ସଙ୍ଗେ ସଙ୍ଗେ ପଶୁପାଳନ ମଧ୍ୟ କରିପାରେ । ଭାରତବର୍ଷରେ ଜମି କ୍ରମାଗତ ଏପରି ଖଣ୍ଡବିଖଣ୍ଡିତ ହେବାରେ ଚାଲିଛି ଯେ ଶେଷକୁ ତାହା କେବଳ ହିଡ଼ମାଳାରେ ପରିଣତ ହେଉଛି, ଠିକ୍ ଯେମିତି ଆମର ଜାତିପ୍ରଥା ଆମକୁ ଏକ ବଳଶାଳୀ, ସଂହତ, ଏକୀଭୂତ ଜାତିରେ ପରିଣତ ହେବାକୁ ନ ଦେଇ, କରିଛି ଆମର ସମାଜକୁ କୋଟଧା ବିଭକ୍ତ ।

 

ବାସ୍ତବ ଦୃଷ୍ଟାନ୍ତକୁ ଆସାଯାଉ । ମୁଁ ବର୍ତ୍ତମାନ ଯାହାଙ୍କର ଅତିଥି ସେ ବହୁ ଭାଇଙ୍କ ଭିତରେ ମାତ୍ର ଜଣେ ଯେ କି କୃଷକ ହୋଇଛନ୍ତି ଅନ୍ୟ ଭାଇମାନେ ନିଜ ନିଜ ରୁଚି ଅନୁସାରେ ଅନ୍ୟ ବ୍ୟବସାୟ ସବୁ ଧରିଛନ୍ତି । ତାଙ୍କର କ୍ଷେତ୍ରର ପରିସର ପ୍ରାୟ ୪୦୦ ଏକର ଏବଂ ସେ ଭଲରେ ଅଛନ୍ତି । କିନ୍ତୁ ହୁଏତ ତାଙ୍କର କୌଣସି ପିଲା କୃଷିକୁ ଆଦରିବେ ନାହିଁ । ତାହେଲେ ତାଙ୍କର ଜ୍ୟେଷ୍ଠ ସନ୍ତାନ ୟାକୁ କୃଷି-ପ୍ରେମୀ କୌଣସି ଭଦ୍ରଲୋକଙ୍କୁ ବିକିଦେବ । ଏଇପରି ଭାବରେ ଇଂଲାଣ୍ଡର ଏଇ ଫାର୍ମ ବା ଖମାର-କ୍ଷେତ୍ର ଗୁଡ଼ିକ ଅଖଣ୍ଡିତ ଭାବରେ ପୁରୁଷ ପୁରୁଷ ଧରି ହାତରୁ ହାତକୁ ଆସୁଛନ୍ତି । ଅଖଣ୍ଡିତ ରହୁ ଥିବାରୁ ଏଇ ଖମାର-କ୍ଷେତ୍ର ଗୁଡ଼ିକ ଇଂଲାଣ୍ଡର ପଲ୍ଲୀ-ଅଞ୍ଚଳକୁ ଏକ ବିଶିଷ୍ଟ ସୌନ୍ଦର୍ଯ୍ୟ ଯୋଗାଇ ଥାନ୍ତି । ଆମେ ଭାରତବର୍ଷରେ ଧାଡ଼ି ଧାଡ଼ି ଘର ଏକାଠି ଜକାଜକି ହୋଇ ଠିଆ ହେବାର ଯେପରି ଦେଖୁ ଇଂଲାଣ୍ଡର ପଲ୍ଲୀ ଅଞ୍ଚଳରେ ତାହା ଦେଖିବାକୁ ମିଳେ ନାହିଁ । ଏଠି ସାଧାରଣ ଦୃଶ୍ୟ ହେଉଛି ଗୋଟିଏ ଗୋଟିଏ ବିଶାଳ ଖମାର-କ୍ଷେତ୍ର ଯାହାର ଚାରିପଟେ ସବୁଜ ବାଡ଼ ଘେରି ରହିଛି, ଏବଂ ତାରି ଭିତରେ ଠିଆ ହୋଇଛି କ୍ଷେତ୍ରପତିର ଉଷ୍ମ, ସୁନ୍ଦର, ସ୍ୱାଛନ୍ଦ୍ୟମୟ ଗୃହାବଳୀ । ଗୋଟିଏ ଖମାର ଅନ୍ୟଠାରୁ ଅଲଗା, ହୁଏତ କୋଶ କୋଶ ଧରି ଦୂର । ଏପରି ଗୋଟିଏ ଫାର୍ମ ବା ଖମାର-ଘରର ବାତାୟନରୁ ଚାରିଆଡ଼କୁ ଦୃଷ୍ଟି ଦେଲେ ଏକ ଅବିସ୍ମରଣୀୟ ଚିତ୍ର ଦେଖାଯାଏ । ଶାନ୍ତ ପଲ୍ଲୀ ଅଞ୍ଚଳ, ଏଠି ସେଠି ଶାନ୍ତ, ସୁନ୍ଦର କୁଟୀର ଯେଉଁଥିରୁ କୁଣ୍ଡଳୀକୃତ ଧୂମ୍ର ଚିମ୍‍ନୀ ଦେଇ ବାହାରି ଆସୁଛି ସବୁଜ ବାଡ଼ର ରେଖା ଉପରତଳ ହେଇ ଧାଡ଼ି ଧାଡ଼ି ଲମ୍ବି ରହିଛି, ସବୁଜ ଚିକ୍‍କଣ ଘାସ ଉପରେ ଗୋରୁ ଗାଈ ଚରୁଛନ୍ତି ଏବଂ ଏମ୍, ସିକାମୁର, ପାଇନ୍, ଫର୍ ଏବଂ ଚେଶ୍‍ନଟ୍ ପ୍ରଭୃତି ଶୀତକଟିବନ୍ଧର ବୃକ୍ଷମାନଙ୍କର ସମାହାର ସମଗ୍ର ଚିତ୍ରକୁ ଦେଉଛି ଏକ ସୁନ୍ଦର ନୀଳ-ଶ୍ୟାମଳ ପଶ୍ଚାତଭୂମି । ପର୍ଯ୍ୟଟକମାନଙ୍କ ପାଇଁ ଇଂଲାଣ୍ଡର ଶ୍ରେଷ୍ଠ ଆକର୍ଷଣ ତା’ର ଅକଳ୍ପନୀୟ ଭାବରେ ସୁନ୍ଦର ପଲ୍ଲୀ ଅଞ୍ଚଳ, ନୁହେଁ ତା’ର ଜନବହୁଳ ଶିଳ୍ପ ପ୍ରାଣ ସହର; ଯଦିଓ ଏଇ ପଲ୍ଲୀ, ପ୍ରାଣହୀନ ଓ ବିଚାରହୀନ ଶିଳ୍ପ-ସଂପ୍ରସାରଣ ଫଳରେ ଧ୍ୱସ୍ତ ଓ କ୍ଷତବିକ୍ଷତ ହୋଇ ସାରିଛି ଓ ଏବେ ବି ହେଉଛି ।

 

(୩)

 

କିନ୍ତୁ ଏସବୁ ସୁବିଧା ସତ୍ୱେ ଇଂଲାଣ୍ଡରେ କୃଷିର ଅବସ୍ଥା କଣ ? ବାସ୍ତବରେ ଏହା ଅତ୍ୟନ୍ତ ନୈରାଶ୍ୟଜନକ । ପଲ୍ଲୀ କ୍ରମେ ଜନଶୂନ୍ୟ ହେଉଛି ଏବଂ ସହରକୁ କ୍ରମାଗତ ଲୋକ-ପ୍ରବାହ ଗତି କରୁଛି ଅଧିକ ଉପାର୍ଜନ ଓ ଅଧିକ ସୁଖ ପାଇବା ଆଶାରେ । କିନ୍ତୁ ଏଣେ ସହର ଓ ମଫସଲ ଉଭୟ ମିଶେଇ ଇଂଲାଣ୍ଡରେ ବର୍ତ୍ତମାନ କୋଡ଼ିଏ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବେକାର ହୋଇ ବସିଛନ୍ତି । ଏଣେ କୋଡ଼ିଏ ଲକ୍ଷ ବେକାରଙ୍କୁ ସରକାର ‘ଡୋଲ୍’ ବା ପଡ଼ି ଦେଇ ବଞ୍ଚେଇଲାବେଳେ, ତେଣେ ଲକ୍ଷ ଲକ୍ଷ ଏକର ମନୁଷ୍ୟ ହସ୍ତର ସ୍ପର୍ଶ ନ ପାଇ ବନ୍ଧ୍ୟା ହୋଇ ପଡ଼ି ରହୁଛି । ଏହାଠାରୁ ଅଧିକ ଶୋଚନୀୟ କଣ ଥାଇପାରେ ? ପ୍ରସିଦ୍ଧ ଇଂରେଜୀ ପତ୍ରିକା ‘ଷ୍ପେକ୍‍ଟେଟର’ରେ ଜନୈକ ପାଠକ ଏଇ ପ୍ରଶ୍ନ ପଚାରିଥିଲେ ଯେ ପଡ଼ିଖିଆ ବେକାରମାନଙ୍କ ଦ୍ୱାରା ସରକାର ପନିପରିବା ହେଲେ କାହିଁକି ପରିବାଉତ୍ପନ୍ନ କରାଉ ନାହାନ୍ତି ? ଉତ୍ତର ମିଳିଲା ଯେ ଯଦି ଏମାନେ ସମସ୍ତେ ଉତ୍ପନ୍ନ କରିବାରେ ଲାଗିଯିବେ, ତେବେ ଯେଉଁମାନେ ଆଗରୁ ପରିବା ବ୍ୟବସାୟରେ ଅଛନ୍ତି ତାଙ୍କୁ ଆର୍ଥିକ ବିପତ୍ତି ଆସିବ । ମୋର ମନେ ହେଉଛି ଯେ ଏପରି ଗୋଟିଏ ଆର୍ଥିକ ବ୍ୟବସ୍ଥା ଯାହା ଚାହେ ଯେ କେତେକ ଲୋକ ଲାଭ ପାଇବା ପାଇଁ ଲକ୍ଷ ଲକ୍ଷ ଲୋକ ବେକାର ରହନ୍ତୁ, ତାହା କେବଳ ଯେ ପାପମୟ ନୁହେଁ, ମୂର୍ଖତା ମଧ୍ୟ ।

 

ଇଂଲାଣ୍ଡର କୃଷି ବ୍ୟବସ୍ଥାରେ ବେକାର ସମସ୍ୟା ମଧ୍ୟ ଏକମାତ୍ର ମନ୍ଦ ଫଳ ନୁହେଁ । ଇଂଲାଣ୍ଡରେ କୃଷକ ବ୍ୟୟସାଧ୍ୟ କୃଷି ଯନ୍ତ୍ର, ବୈଜ୍ଞାନିକ ସାର ବ୍ୟବହାର କରେ ଓ ଗଭୀର ବୈଜ୍ଞାନିକ ଜ୍ଞାନ ପ୍ରୟୋଗ କରେ । ଭାରତବର୍ଷର କୃଷକ ଏସବୁ କାହୁଁ ପାଇବ ? ତା’ର ଯନ୍ତ୍ରପାତି ବୈଦିକ ଯୁଗର, ମରହଟି । କିନ୍ତୁ ଏସବୁ ସତ୍ୱେ ଇଂଲାଣ୍ଡର କୃଷି ବ୍ୟବସାୟ ଏକାଦିନକେ ଭୁଷୁଡ଼ି ପଡ଼ିବ ଯଦି ତାହା ସରକାରୀ ସାହାଯ୍ୟ ବା ସବ୍‍ସିଡ଼ି ଓ ଶସ୍ୟ ବିକ୍ରି କରେଇ ଦେବାର ଗ୍ୟାରେଣ୍ଟି ନ ପାଏ । ଆଉ କୃଷି ଜାତ ଦ୍ରବ୍ୟର ଗୁଣ ଓ ପରିମାଣ କିପରି ? ମୁଁ ହିସାବ କିତାପର ଧନ୍ଦାରେ ପଶିବି ନାହିଁ, କେବଳ ସାଧାରଣ ଲୋକର ଦୃଷ୍ଟିରୁ କହିବି ଯେ ମୁଁ ଭାରତବର୍ଷରେ ଇଂଲାଣ୍ଡ ଅପେକ୍ଷା ଅଧିକ ବଡ଼ ଓ ସୁନ୍ଦର ଗୋଲ ଆଳୁ, ଟମାଟୋ ଓ ଫୁଲକୋବି ଦେଖି ଆସିଛି । ଭାରତବର୍ଷ ପରି ଇଂଲାଣ୍ଡରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ହୀନ ଖାଦ୍ୟର କୁଫଳ ଭୋଗ କରୁଛନ୍ତି । କମ୍ବରଲାଣ୍ଡ ଜିଲ୍ଲାର କୌଣସି ଏକ ସ୍ଥାନରେ କେତେଗୁଡ଼ିଏ ବାଳକ ବାଳିକାଙ୍କୁ ଅଣ୍ଡା ଦିଆ ଯାଇଥିଲା, କିନ୍ତୁ ଦେଖାଗଲା ଯେ ତାକୁ ନେଇ ସେମାନେ କ’ଣ କରିବେ ଜାଣି ପାରିଲେ ନାହିଁ । ମୁଁ ଗୋଟିଏ ନର୍ସରି ବା ପ୍ରାକ୍-ପ୍ରାଥମିକ ବିଦ୍ୟାଳୟ ଦେଖିବାକୁ ଯାଇଥିଲି । ତା’ର ହେଡ଼୍‍ ମିଷ୍ଟ୍ରେସ୍‍ଙ୍କଠୁ ଶୁଣିବାକୁ ପାଇଲି ଯେ କେତେକ ପିଲା ପ୍ରଥମେ ଯେବେ ସ୍କୁଲରେ ଭର୍ତ୍ତି ହେଲେ ଗ୍ଳାସରେ ଦୁଧ କିମିତି ଖାଇବାକୁ ହେବ ଜାଣି ନ ଥିଲେ । ଭାରତବର୍ଷ ଅପେକ୍ଷା ଇଂଲାଣ୍ଡରେ ସବୁ ଖାଦ୍ୟ ଦ୍ରବ୍ୟରଦା ମ ଚାରି ପାଞ୍ଚ ଗୁଣ ବେଶି ।

 

ଦରିଦ୍ର ଲୋକେ ତାଙ୍କର ଦୈନନ୍ଦିନ ଭୋଜନରେ ଦୁଧ ଓ ଅଣ୍ଡା ପରି, ପୁଷ୍ଟିକର ଦ୍ରବ୍ୟର ଆୟୋଜନ କରି ପାରନ୍ତି ନାହିଁ । ଇଂଲାଣ୍ଡରେ ଲକ୍ଷ ଲକ୍ଷ ଲୋକ କିପରି ଦାରିଦ୍ର୍ୟରେ ଥାନ୍ତି ଭାରତବର୍ଷର ଲୋକେ ତାହା କଳ୍ପନା କରି ପାରିବେ ନାହିଁ ।

 

ଅଳ୍ପ କଥାରେ ଏଇତ ଇଂଲଣ୍ଡର କୃଷିର ଚିତ୍ର । ବ୍ୟୟସାଧ୍ୟ ଯନ୍ତ୍ରପାତି, ସାର, ବୈଜ୍ଞାନିକ ଅନୁସନ୍ଧାନ ଏବଂ ସର୍ବୋପରି ଷ୍ଟେଟ୍‍ର ସାହାଯ୍ୟ ଓ ଗାରେଣ୍ଟି ସତ୍ତ୍ୱେ ଏଠି କୃଷି ଏପରି ଲାଭହୀନ ଯେ ଲୋକେ ୟାକୁ ଛାଡ଼ି ସହରକୁ ପଳାଉଛନ୍ତି, ଉତ୍‍ପାଦନ ଏତେ କମ୍ ଯେ ଏହା ଏ ଦେଶର ଲୋକଙ୍କୁ ମୋଟେ ୩ ମାସ ପୋଷିପାରେ ଏବଂ ଉତ୍ପନ୍ନ ଦ୍ରବ୍ୟ ପୁଣି ଏତେ ମହର୍ଗ ଯେ ଲକ୍ଷ ଲକ୍ଷ ଲୋକ ସେ ସବୁକୁ ବ୍ୟବହାରଇ କରି ପାରନ୍ତି ନାହିଁ । ଭାରତବର୍ଷ ସଙ୍ଗେ କି ପାର୍ଥକ୍ୟ । ସେଠି କୃଷକର ସେହି ଆଦିମ ମରହଟ୍ଟି ଧରଣର ଚାଷ ଏକ ବିରାଟ ଜାତିକି ପୋଷି ରଖିଛି ଏବଂ ଗୋଟିଏ ବିଦେଶୀ ସରକାର ଓ ଦଲାଲ ପୁଞ୍ଜିପତି ସବୁ ନ ଥିଲେ ସେ ଦେଶ ପ୍ରକୃତରେ ପ୍ରାଚୁର୍ଯ୍ୟ ଭୋଗ କରୁଥାନ୍ତା ଆଜି, ଯେପରି କରୁଥିଲା ସେ ପଚାଶ ବର୍ଷ ତଳେ ।

 

ମି : ଲଏଡ଼୍ ଜର୍ଜ ରାଷ୍ଟ୍ରନୈତିକ ନେତା ଭାବରେ ଯେପରି କୃତକାର୍ଯ୍ୟ ସେଇପରି ସିଦ୍ଧହସ୍ତ କୃଷକ ଭାବରେ । ଇଂଲାଣ୍ଡର କୃଷି ବ୍ୟବସ୍ଥାର ନୈରାଶ୍ୟଜନକ ପରିସ୍ଥିତି ବିରୁଦ୍ଧରେ ସେ ମଝିରେ ମଝିରେ ଜ୍ଜ୍ୱାଳାମୟୀ ବକ୍ତୃତା ଦେଇଥାନ୍ତି । ଏବେ ଗୋଟିଏ ସ୍କୁଲ ଶିକ୍ଷକଙ୍କ ସଭାରେ ସେ କହିଛନ୍ତି ଯେ ଫ୍ରାନ୍‍ସରେ ଶତକରା ୪୦, ଜର୍ମାନୀରେ ଶତକରା ୩୦ ଲୋକ ମାଟିରେ ନିଯୁକ୍ତ ଥିଲାବେଳେ ଇଂଲାଣ୍ଡରେ ମୋଟେ ଶତକରା ୫ । ଖାଦ୍ୟାଭାବହିଁ ପ୍ରଥମ ମହାଯୁଦ୍ଧରେ ବର୍ତ୍ତମାନ ଜର୍ମାନୀକୁ ପରାଜୟ ଆଣି ଦେଇଥିଲା । ଫଳରେ ଜର୍ମାନମାନେ ଏହି ଭିତରେ ଏପରି ଜମିକୁ ହଳାୟତ୍ତ କରିଛନ୍ତି ଯାହା କି କେବେ କେହି ଛୁଇଁ ନଥିଲେ କିନ୍ତୁ ବ୍ରିଟିଶ ଏ ପର୍ଯ୍ୟନ୍ତ ମାଟିକି ଉପେକ୍ଷା ଦେଖାଇ ଆସୁଛି । *

 

*

ଏହା ଭିତରେ ଲଏଡ଼୍‍ ଜର୍ଜଙ୍କର ମୃତ୍ୟୁ ହୋଇ ଯାଇଛି ଏବଂ ଦ୍ୱିତୀୟ ମହାଯୁଦ୍ଧରେ ଇଂରେଜ ନିଜ ମାଟିରୁ ନିଜ ଖାଦ୍ୟ ଉଠେଇବା ପାଇଁ ପ୍ରାଣାନ୍ତ ଚେଷ୍ଟା କରିଛି ଏଥିରେ ସନ୍ଦେହ ନାହିଁ ।

 

କିନ୍ତୁ ମୁଁ ମୋର କୃଷକବନ୍ଧୁଙ୍କ ଜମିରେ ଯାହାସବୁ ଦେଖିଲି ସେଥିରୁ ଯେ ଭାରତୀୟ କୃଷକର ଅନେକ କିଛି ଶିଖିବାର ଅଛି ଏଥିରେ ସନ୍ଦେହ ନାହିଁ ।

 

ଭାରତୀୟ କୃଷକର ଦାରିଦ୍ର୍ୟ ଏବଂ ତା’ର କୃଷିକ୍ଷେତ୍ରର ପରସ୍ପର ବିଚ୍ଛିନ୍ନତା ଓ କ୍ଷୁଦ୍ରତା ହେଉଛି ତା’ର ଉନ୍ନତିର ପ୍ରକୃତ ଅର୍ଗଳ । ତା’ର ଜମି ତା’କୁ ଓ ତା’ର ପରିବାରକୁ ଅତି କଷ୍ଟରେ ପୋଷେ । ମାଟିକୁ ଅଧିକ ଉତ୍ପାଦନକ୍ଷମ କରିବା ପାଇଁ ତା’ର ପୁଞ୍ଜି ନାହିଁ । ତେଣୁ ଅସୁବିଧା ଓ ଅଭାବର ପାପଚକ୍ର ଘୂରି ଚାଲିଛି । ୟା ସାଥିକି ତା’ର ନିଜ ମୂର୍ଖତାର ପାପ-ଚକ୍ର ବି ଅଛି । ମୋର ଇଂରେଜ କୃଷକବନ୍ଧୁଙ୍କ ପରି କୌଣସି ଭାରତୀୟ କୃଷକର ୩୬୦ ଏକର ଜମି ଥିଲେ ହୁଏତ ସେ କେବଳ ଗୋଟାଏ ଫସଲରେଇ ଜମିକି ଛାଡ଼ି ଦିଅନ୍ତେ । ଇଂରେଜ ବନ୍ଧୁ ମତେ କିନ୍ତୁ ଏକ ପତ୍ରରେ ଜଣାଇଛନ୍ତି ଯେ “ତାଙ୍କର ଏଇ ୩୬୦ ଏକରର ଇଷ୍ଟେଟ୍‍ରୁ ସେ କେବଳ ସାମାନ୍ୟ ଅଂଶ ଚାଷ କରନ୍ତି, କେତେକରେ ଜଙ୍ଗଲ ପଛି, କେତେକ ଭାଗ ଦିଆ ଯାଇଛି, କେତେକରେ ଲୋକେ ଭଡ଼ା ନେଇ ରହିଛନ୍ତି । ହାରାହାରି ପ୍ରତିବର୍ଷ ପ୍ରାୟ ୨୫ ଏକର ହିଁ ଶସ୍ୟ ପାଇଁ ଚାଷ କରାଯାଏ, ୬ ଏକର ମୂଳ-ଫସଲ (ଗୋଲ ଆଳୁ ଇତ୍ୟାଦି) ପାଇଁ ଚାଷ ଏବଂ ବାକୀତକରେ ଘାସ ବଢ଼େ । ଘାସ କିଆରୀଗୁଡ଼ିକ ମଝିରେ ମଝିରେ ଚାଷ କରି ପୁଣି ସେଇ ଘାସକୁ ବୁଣି ଦିଆଯାଏ, ଯା’ ଫଳରେ ଜସି ଉର୍ବର ରହେ ।”

 

ମାତ୍ର ୩୦ ଏକର ଜମି ଉପରେ ଦୃଷ୍ଟି ଦେବା ଫଳରେ ଏଇ ଇଂରେଜ କୃଷକ ପ୍ରତି ଏକରକୁ ୨୫ ରୁ ୩୦ ହନ୍ଦର ଗହମ, ୩୦ ହନ୍ଦର ଯବ, ୬ରୁ ୧୦ ଟନ୍ ଗୋଲ ଆଳୁ ଏବଂ ୧୫ ଟନ୍ ଟର୍ଣିପ୍ ପାଆନ୍ତି । ଯେଉଁମାନେ ଚାଷରେ ଅଛନ୍ତି ସେମାନେ ଏହା ସହିତ ଭାରତବର୍ଷରେ ଏକର ପିଛା ଉତ୍ପାଦନ ସଙ୍ଗେ ୟାକୁ ତୁଳନା କରିପାରନ୍ତି । ମୋ ପ୍ରଶ୍ନର ଉତ୍ତରରେ ଇଂରେଜ କୃଷକ ଜଣାଇଛନ୍ତି ଯେ ସେ ଏକର ପିଛା ନିମ୍ନଲିଖିତ ଭାବରେ ଖର୍ଚ୍ଚ କରନ୍ତି-

 

ମୂଲିଆ ଖର୍ଚ୍ଚ

୩ ପାଉଣ୍ଡ

ଭଡ଼ା

୨ ପାଉଣ୍ଡ

ପଶୁ ଖାଦ୍ୟ

୩ ପାଉଣ୍ଡ

ଯାନବାହନ ଖର୍ଚ୍ଚ

୧୫ ଶିଲିଂ

ସାର

୧୫ ଶିଲିଂ

ଅନ୍ୟାନ୍ୟ ଖର୍ଚ୍ଚ

୧ ପାଉଣ୍ଡ

ମୋଟ

୧୦ ପାଉଣ୍ଡ

(ପ୍ରାୟ ଟ୧୫୦)

 

ଅବଶ୍ୟ ଭାରତରେ କୌଣସି ଶ୍ରେଣୀର କୃଷକ ହିଁ ଏକ ଏକର ଜମିରେ ୧୫୦ ଟଙ୍କା ଖର୍ଚ୍ଚ କରିବା ସମ୍ଭବପର ନୁହେଁ । କିନ୍ତୁ ଏହା ତାହାର ଶକ୍ତିସାଧ୍ୟ ଥିଲେ ମଧ୍ୟ କେତେ ଜଣ ନୂତନ ଧରଣର କୃଷି ପ୍ରଣାଳୀ ପରୀକ୍ଷା କରିବାକୁ ଉତ୍ସାହ ପ୍ରକାଶ କରିବେ ?

 

ଏଇ ଇଂରେଜ କୃଷକ ମିଶ୍ରିତ-ଚାଷ କରନ୍ତି-ଶସ୍ୟ ଉତ୍ପାଦନ ଓ ପଶୁପାଳନ ଏକତ୍ର ହୁଏ-। ତାଙ୍କର ପ୍ରଧାନ ଆୟ ହେଉଛି ପଶୁପାଳନରୁ । ମୁଁ ତାଙ୍କର ଗୁହାଳ ବୁଲି ଦେଖିଲି । ଭାରତବର୍ଷର ଗାଈମାନଙ୍କ ଅପେକ୍ଷା ତାଙ୍କ ଗାଈ ଯେ ବୃହତ୍ତର ଓ ସୁସ୍ଥତର ଏଥିରେ ସନ୍ଦେହ ନାହିଁ-। କେତେକ ଗାଈର ପହ୍ନା ଦୁଗ୍‍ଧର ପ୍ରାଚୁର୍ଯ୍ୟରେ ଭୂଇଁକି ପ୍ରାୟ ଲାଗି ଓହଳି ପଡ଼ିଥାଏ । ଆମର-ଗୁହାଳ ପରି ତାଙ୍କ ଗୁହାଳ ଗନ୍ଧ ହେଉଥିଲେ ମଧ୍ୟ, ଆମ ଅପେକ୍ଷା ଢେର ପରିଛନ୍ନ ଥିଲା । ମୁଁ ଗଲାବେଳେ ଗାଈ ସବୁ ବୈଦ୍ୟୁତିକ ଶୋଷକ ଯନ୍ତ୍ର ସାହାଯ୍ୟରେ ଦୁହାଁ ହେଉଥିଲେ ।

 

ମୋର ବନ୍ଧୁ ଦୁଇ କିସମର ଗୋରୁ ପୋଷୁଛନ୍ତି-ଦୁଧ ପାଇଁ ଜର୍ସି-ଗାଈ ଏବଂ ମାଂସ ପାଇଁ ଆଙ୍ଗସ-ଜାତି । ସେ ଜଣାଇଛନ୍ତି ଜର୍ସିଗୋଠ ସେ ୭୦ ଟି ଗୋରୁ ଭିତରୁ ୩୦ଟି ହେଉଛନ୍ତି ଗାଈ, ଆଙ୍ଗସ୍-ଗୋଠରେ ୨୫ ମାତ୍ର ଗାଈ । ଗ୍ରୀଷ୍ମକାଳରେ ତାଙ୍କର ୨୫ ବାଛୁରୀ ଓ ୪ଟି ଷଣ୍ଢକୁ ରଖାଯାଇଥାଏ କେବଳ ଶୀତ କାଳରେ ମାଂସ ପାଇଁ ବିକ୍ରି କରିଦେବା ଲାଗି ।”

 

ଭାରତବର୍ଷରେ ମଣିଷଙ୍କ ପରି ଗୋରୁଗାଈ ମଧ୍ୟ ବିନା ଚିନ୍ତା, ବିନା ଯୋଜନାରେ ବଢ଼ି ଚାଲିଛନ୍ତି । ସେମାନଙ୍କର ପରିପାଟି ପାଳନ ଓ ରକ୍ଷଣ-ଭକ୍ଷଣର କଥା କେହି ଭାବନ୍ତି ନାହିଁ । ହିନ୍ଦୁ ଗୋମାତାକୁ ହତିଆରରେ ମାରେନା, କିନ୍ତୁ ଆଉରି ନିଷ୍ଠୁର ଭାବରେ ଉପାସ ରଖେଇ ମାରେ । ହାଣି ଦେବା ଅପେକ୍ଷା, ମୋ ମତରେ, ଏ ମରଣ ଅଧିକ ପାପାବହ । ମୋର ମତରେ ଆର୍ଥିକ ଓ ରାଜନୈତିକ ଉଭୟ କାରଣରୁ ହିନ୍ଦୁ ଗୋରୁ ପ୍ରତି ତାଙ୍କର ଦୃଷ୍ଟିକୋଣ ବଦଳାଇ ଅଦରକାରୀ ବଳକା ଗୋରୁଙ୍କୁ ହତାର ଦୟାମୟ ବ୍ୟବସ୍ଥା କରିବା ଉଚିତ । ବର୍ତ୍ତମାନ ହିନ୍ଦୁ ଗୋଟିଏ ପ୍ରାଣୀ,-ଗୋରୁ-ପାଇଁ ଗୋଟିଏ ମନୁଷ୍ୟ-ମୁସଲମାନକୁ ହତ୍ୟା କରିବାକୁ ପ୍ରସ୍ତୁତ । ଆମର ଦେଶରେ ରାଜନୈତିକ ଲକ୍ଷ୍ୟ ଆଡ଼କୁ ଦୃଷ୍ଟି ଦେଲେ ହିନ୍ଦୁର ଗୋରୁ ପ୍ରତି ଅତ୍ୟଧିକ ଭକ୍ତି ଅଯୌକ୍ତିକ ନିଶ୍ଚୟ । ଗାଈ ମାଛ ବା ଛେଳି ପରି ଗୋଟିଏ ପ୍ରାଣୀ ମାତ୍ର ଏବଂ ଯଦିବା ତାହା ପବିତ୍ର ବୋଲି ଧରାଯାଏ, ତେବେ ଶାସ୍ତ୍ରର ବାକ୍ୟ ଓ ଉଦ୍ଦେଶ୍ୟକୁ ପ୍ରକୃତ ସମ୍ମାନ ଦେଖାଇବାକୁ ହେଲେ ହୁଏତ ଆମକୁ ଜନ୍ମ ନିୟନ୍ତ୍ରଣ କରି ଗୋରୁଙ୍କ ସଂଖ୍ୟା ନିୟନ୍ତ୍ରିତ କରିବାକୁ ହେବ, ନଚେତ୍ କେତେକଙ୍କୁ ହତ୍ୟା କରିବାକୁ ହେବ, ଯେପରିକି ଅବଶିଷ୍ଟ ସୁସ୍ଥ ସବଳ ହୋଇ ବଞ୍ଚି ପାରିବେ । ମୋର ପ୍ରଶ୍ନରେ ଇଂରେଜ ବନ୍ଧୁ ଉତ୍ତର ଦେଲେ ଯେ “ତାଙ୍କ କ୍ଷେତ୍ରରେ କେବଳ ନିର୍ଦ୍ଦିଷ୍ଟ ସଂଖ୍ୟକ ଗୋରୁ ରହିବାକୁ ଦିଆଯାନ୍ତି । କାରଣ ତା’ଠୁ ବେଶି ସଂଖ୍ୟା ଏଠି ପୋଷିବା ଅସମ୍ଭବ । ବଳକାତକ ପ୍ରତି ବର୍ଷ ବିକ୍ରି କରି ଦିଆଯାଏ- ମାଂସ ପାଇଁ ।”

 

ମୋର ମନେ ହୁଏ ଭାରତବର୍ଷର ଚାଷୀ ପାଇଁ ଏଥିରୁ କିଛି ଚିନ୍ତା କରିବାର ଅଛି ।

 

ଇଂରେଜ କୃଷକ ବନ୍ଧୁଙ୍କ କ୍ଷେତ୍ରରେ ଦୁଇଜଣ ମୂଲିଆ ସ୍ଥାୟୀ ଭାବରେ କାମ କରନ୍ତି । ସେମାନଙ୍କୁ ଘର ଦିଆଯାଇଛି । ସପ୍ତାହରେ ପାଆନ୍ତି ୪୫ ସିଲିଙ୍ଗ କରି ଉତ୍ପନ୍ନ ଶସ୍ୟ ସବୁର କିଛି କିଛି ଅଂଶ । ଭାରତବର୍ଷରେ କେଉଁ ବିଲ-ମୂଲିଆ ସପ୍ତାହରେ ୪୫ ସିଲିଙ୍ଗ ପାଇବାର ଆଶା କରିପାରେ ? ବଡ଼ ବେଶି ହୁଏତ ସେ ଦୁଇ ସିଲିଙ୍ଗ ଆଶା କରିପାରେ । * ମୁଁ ଏଇଠି କାମ କରୁଥିବା ଇଂରେଜ ମଜୁରିଆର ଘର ଦେଖିବାକୁ ଯାଇଥିଲି, ଦେଖିଲି ଭାରତବର୍ଷରେ ଜଣେ ଉଚ୍ଚ ମଧ୍ୟବିତ୍ତ ପରିବାରର ଘର ଅପେକ୍ଷା ତା’ର ସାଜସଜ୍ଜା ଓ ଆସବାବ ଉତ୍ତମତର । ଅଛି ତା’ର ପିଆନୋ, ଗଦିଦିଆ କୁର୍ଚି ଓ ସୋଫା, ବେତାରସେଟ୍ ଏବଂ ଅନ୍ୟାନ୍ୟ ସମସ୍ତ ଆଧୁନିକତା ।

 

*

ଦ୍ୱିତୀୟ ମହାଯୁଦ୍ଧ ଭିତରେ ଓ ପରେ ଇଂଲାଣ୍ଡ ଓ ଭାରତବର୍ଷ ଉଭୟତ୍ର ଶ୍ରମିକମାନଙ୍କର ମଜୁରୀ ଅପ୍ରତ୍ୟାଶିତ ଭାବରେ ବଢ଼ି ଯାଇଛି ।

 

ଇଷ୍ଟେଟ୍‍ରେ ବୁଲିବା ଭିତରେ ଦେଖିଲି ମଧ୍ୟ କୃଷକବନ୍ଧୁଙ୍କର ଜଙ୍ଗଲ । ଇଂଲଣ୍ଡର ଅନ୍ୟ ସବୁ ବନାନୀ ପରି ଏ ମଧ୍ୟ ରୋପିତ ଅରଣ୍ୟ । ଭାରତବର୍ଷରେ କୃଷକ ବୃକ୍ଷରୋପଣ ପ୍ରତି ଆଉ ଦୃଷ୍ଟି ଦେଉ ନାହିଁ । ଇଂଲାଣ୍ଡଠାରୁ ଭାରତବର୍ଷ ଆଜି ଏ ଦିଗରେ ଶିଖିବାର ଅଛି । ଇଂଲାଣ୍ଡର ପଲ୍ଲୀ ଅଞ୍ଚଳକୁ ବୈଶିଷ୍ଟ୍ୟ ଦିଏ ତା’ର ସୁନ୍ଦର ରୋପିତ ଅରଣ୍ୟମାଳା ।

Image

 

Unknown

ଲେଉଟାଣି

(କେମ୍ବ୍ରିଜ୍, ଲଣ୍ଡନ୍, ପାରିସ୍, ଭେନିସ୍)

 

ଇଂଲଣ୍ଡ ଭୂସ୍ୱର୍ଗ ହେଲେ ମଧ୍ୟ ନିଜ ଜନ୍ମମାଟିର ଆକର୍ଷଣଠାରୁ କି ତା’ ଆକର୍ଷଣ ବଡ଼ ହେବ ?

 

ଅନେକ ଭାରତୀୟ ଛାତ୍ରଙ୍କଠୁଁ ବୁଝିଛି ଓ ମୋ ନିଜ ଅଭିଜ୍ଞତା ମଧ୍ୟ ସେଇୟା ଯେ, ପ୍ରାୟ ଛ’ମାସ ଖଣ୍ଡେ ରହି ଇଂଲାଣ୍ଡ ସଙ୍ଗେ ପରିଚିତ ହୋଇଗଲା ପରେ ଭାରତୀୟମାନଙ୍କର ମନ ଘରମୁହାଁ ହୋଇ ପଡ଼େ ସେଠି ରହି ସେଇକଥା ଦେଖିବାକୁ ମନ ଆଉ ଚାହେଁ ନାହିଁ । ଇଂଲାଣ୍ଡର ପ୍ରଚଣ୍ଡ ଶୀତ, ପବନ ଓ ଚିରମେଘୁଆ ପାଗରେ ଭାରତୀୟ ଉଜ୍ଜ୍ୱଳ-

 

କର-ପରିଚିତ ମନ ତା’ର ସେହି ଚିର ସୋରକରୋଦ୍ଭାସିତ ଦେଶଟିକି ଫେରିଯିବାକୁ ଆନ୍ଦୋଳିତ ହୁଏ ।

 

ମୁଁ ତ ସେଠି ପହଞ୍ଚିଲାକ୍ଷଣି ଭାବିଥିଲି ଦେଶକୁ ଫେରି ଆସିବି । ସ୍ୱଭାବ ମୋର ଘରପଶା । ଏତେ ଦୂର ଦେଶରେ ବନ୍ଧୁବାନ୍ଧବହୀନ ଅବସ୍ଥାରେ, ଅର୍ଥର ଅସ୍ୱଚ୍ଛଳତା ଭିତରେ, ଅସହ୍ୟ ଜଳବାୟୁ ସଙ୍ଗେ ଯୁଦ୍ଧକରି ମୁଁ କାହିଁକି ରହନ୍ତି ? ଖାଲି ଲୋକେ କ’ଣ କହିବେ, ଏହି ଭୟରେ ମୁଁ ରହିବାକୁ ନିଜକୁ ବାଧ୍ୟ କଲି ମାତ୍ର । ଏକବର୍ଷ ପୁରାହେଲା ପରେ, ମେଘଦୂତର ଯଷ-ପତ୍ନୀ ଯେପରି ଦିନ ଗଣୁଥିଲା, ମୁଁ ସେହିପରି କେବେ ଦେଶକୁ ଫେରିବି ତା’ର ମାସ ଗଣିବାକୁ ଲାଗିଲା । ପି. ଏଚ୍. ଡ଼ି. କୋର୍ସ୍ ପ୍ରାୟ ତିନି ବର୍ଷରେ ସାରିବାର କଥା । ମୁଁ କିନ୍ତୁ ଦିନରାତି ଲାଗି ଦୁଇ ବର୍ଷରେ ଖତମ୍ କରିବାକୁ ଚେଷ୍ଟା କଲି । ମୋର ପ୍ରଫେସର ବାସ୍ତବିକ୍ କହିଲେ, “ଆମ ପିଲେ ସାଧାରଣତଃ ପି. ଏଚ୍. ଡ଼ି. ଥେସିସ୍ ତିଆରି କରିବା ପାଇଁ ପ୍ରାୟ ତିନି ବର୍ଷ ନିଅନ୍ତି । ତମେ ଯେ ଦୁଇବର୍ଷରେ ଶେଷ କରି ପାରିଲ, ଏହା ! ତମର ବାହାଦୂରୀ ।” ନିଜର ବୁଦ୍ଧି ବିଦ୍ୟାର ତାରିଫ୍ ମୁଁ କେବେହେଲେ କରି ପାରିନାହିଁ । ଯାହା କିଛି ହୋଇଛି, ତାହା ମାଟିର ଆକର୍ଷଣ ଯୋଗୁଁ ।

 

ମୁଁ କୌଣସି ନିର୍ଦ୍ଦିଷ୍ଟ ଡିଗ୍ରୀ ପାଇବା ପାଇଁ ଇଂଲଣ୍ଡ ଯାଇ ନଥିଲି । ବିଶ୍ୱବିଦ୍ୟାଳୟର ଡିଗ୍ରୀ ମୋ ଜୀବନର ଦୁଃଖର ସ୍ମାରକ । ତେଣୁ ମୁଁ ମନେ ମନେ ସେଗୁଡ଼ିକୁ ଘୃଣା କରେ ଏବଂ ଏକାନ୍ତ ବାଧ୍ୟ ନ ହେଲେ, ଏହି ବିଚିତ୍ର ବର୍ଣ୍ଣମାଳା ନାମ ପଛରେ ଯୋଡ଼େ ନାହିଁ । (ଇଂରେଜମାନେ ସାଧାରଣତଃ ସେମାନଙ୍କ ନାମ ପଛରେ ବିଶ୍ୱବିଦ୍ୟାଳୟ ଦତ୍ତ ବର୍ଣ୍ଣମାଳା ବ୍ୟବହାର କରନ୍ତି ନାହିଁ, ଯେପରି ଭାରତୀୟମାନେ ବ୍ୟବହାର କରନ୍ତି, ଯାହା ସୂଚାଏ ଯେ ଆମମାନଙ୍କର ଅନ୍ୟ ପୌରୁଷର ଅଭାବ । ନ ହେଲେ କେବଳ ଡିଗ୍ରୀ ଜୋରରେ ଆମର ତରୁଣପୁଙ୍ଗବମାନେ କାମିନୀ ଓ କାଞ୍ଚନ ଦାବୀ କରନ୍ତେ କିପରି ?) ମୋର ଇଂଲଣ୍ଡ ଯିବାର ପ୍ରଧାନ କାରଣ ହେଉଛି, ଇଂଲଣ୍ଡ ଓ ଇଉରୋପ ଦେଖି ଆସିବା, ଡିଗ୍ରୀ ଲାଭ ଗୌଣ ଉଦ୍ଦେଶ୍ୟ । ପିଲାଦିନରୁ ମୁଁ ଭ୍ରମଣକାହାଣୀର ଅତ୍ୟନ୍ତ ଭକ୍ତ । ଓଡ଼ିଆ, ବଙ୍ଗଳା, ଇଂରାଜୀରେ ଭ୍ରମଣ ବୃତ୍ତାନ୍ତ ଆଖିରେ ପଡ଼ିଲେଇ, ମୁଁ ପଢ଼ିବି ପଢ଼ିବି । ଏବେ ବି ପଢ଼େ । ଏସବୁ ପଢ଼ି ପଢ଼ି ଏ ଯୁଗର ମାନବିକ ସଭ୍ୟତାର ପୀଠସ୍ଥଳ ପଶ୍ଟିମ ଦେଶ ଥରେ ନିଜ ଆଖିରେ ଦେଖି ଆସିବାକୁ ବହୁକାଳରୁ ବାସନା ଥିଲା ।

 

ମୋର ବନ୍ଧୁ ଶ୍ରୀମାନ୍ ଦୁର୍ଗାମାଧବ ବେହୁରା (ବର୍ତ୍ତମାନ ଓଡ଼ିଶାର କୃଷି ବିଭାଗର ଆସିଷ୍ଟାଣ୍ଟ୍ ଡିରେକ୍‍ଟର) ଇତିମଧ୍ୟରେ ଇଂଲଣ୍ଡ ଯିବାରୁ ମୋର ଅନ୍ତନିର୍ହିତ ବାସନା କ୍ରମେ ବାହାରକୁ ଆସିବାକୁ ଲାଗିଲା । ବେହୁରା ଯେତେବେଳେ ଇଂଲଣ୍ଡରୁ ଲେଖିଲେ ଯେ, ସେଠି ଶସ୍ତାରେ ଏତିକି ଟଙ୍କା ଭିତରେ ଚଳି ହେବ, କୌଣସିମତେ ଟଙ୍କା ଯୋଗାଡ଼ କରି ଚାଲି ଆସ; ମୁଁ ବିନା ବିଚାରରେ ଲମ୍ଫ ପ୍ରଦାନ କରିବାକୁ ବସିଲି ।

 

ପ୍ରକୃତରେ ଶସ୍ତାରେ ଚଳି ଆସିଲି; କିନ୍ତୁ ଅର୍ଥାଭାବ ଯୋଗୁଁ ବନ୍ଧୁ ବେହୁରାଙ୍କୁ ଅସୁବିଧାରେ ପକାଇବା ସଙ୍ଗେ ସଙ୍ଗେ ସେହି ବ୍ୟୟବହୁଳ ଦେଶରେ ମୁଁ ନିଜେ ଯେପରି ଅସୁବିଧାରେ ଚଳି ଆସିଛି, ତାହା ସ୍ମରଣ କଲେ, ଅନ୍ୟ କୌଣସି ତରୁଣକୁ ମୋ ପରି ଅବିମୃଶ୍ୟକାରୀ ନ ହେବା ପାଇଁ ବାରମ୍ବାର ସାବଧାନ କରାଇବି । ଅସୁବିଧା ଅପେକ୍ଷା ବଡ଼ ବିପଦ ଅସମ୍ମାନ । ଏଠି ଭାରତବର୍ଷରେ ତ ଦରିଦ୍ରର ସମାଜରେ ସ୍ଥାନ ନାହିଁ, ସେଠି ଇଂଲଣ୍ଡରେ ଦାରିଦ୍ର୍ୟ ଲୋକକୁ କି ନିଷ୍ପୀଡ଼ିତ ମନୋବୃତ୍ତି ଦେଇ ପାରେ ସହଜରେ କଳ୍ପନେୟ । ଦେଶକୁ ଫେରିବାର ପାଞ୍ଚବର୍ଷ ଭିତରେ ଧାର ଉଧାର ଅଧିକାଂଶ ଭାବରେ ପରିଶୋଧ କରିଦେଲେ ମଧ୍ୟ ସେ ଦିନର ହାତ ପତେଇବାର କରୁଣ ଅଭିଜ୍ଞତା ମୋ ମନରୁ ଯାଉ ନାହିଁ । ମୋ ଦେଶର ତରୁଣମାନଙ୍କ ପ୍ରତି ମୋର ଏକ ଉପଦେଶ-“ସ୍ୱର୍ଗଭୋଗ ପାଇଁ ମଧ୍ୟ ହାତ ପାତ ନାହିଁ । ନିଜ ପରିଶ୍ରମରେ ଅର୍ଜିତ ମାଟିର କୁଡ଼ିଆ, ଛିଣ୍ଡା ପଟି, ପଥର ବାସନହିଁ ତମର ସ୍ୱର୍ଗ ହେଉ ।” ଦେଶରେ ପ୍ରତ୍ୟେକ ଯୁବକ ଯୁବତୀ ପ୍ରାଣରେ ଏହି ତୀବ୍ର ଆତ୍ମସମ୍ମାନ ଜାଗ୍ରତ ନ ହେଲା ଯାଏ ଆମର ଦୁଃଖର ଶେଷ ନାହିଁ ଓ ଆମର ହୃତଗୌରବ ଆମେ କେବେ ହେଲେ ଫେରି ପାଇବା ନାହିଁ ।

 

ପୂର୍ବରୁ କହିଛି, କେବଳ ଶସ୍ତା ପଡ଼ିବ ବୋଲି ଲଣ୍ଡନ-ବାସର କଳ୍ପନା ପରିତ୍ୟାଗ କରି ଗଲି ଏଡ଼ିନ୍‍ବରା । ସେଠି ପ୍ରାୟ ରହିଥିଲି ମାସେ ଦେଢ଼ମାସ । କିନ୍ତୁ କଣ ପଢ଼ିବି କିଛି ଠିକ୍ କରି ପାରୁ ନ ଥାଏ । ପ୍ରଥମେ ଭାବିଥିଲି ଏଡ଼ୁକେସନ୍ ଡିଗ୍ରୀ ନେବି; ଦିନେ ଦୁଇଦିନ ଟ୍ରେନିଂ କଲେଜକୁ ଗଲି ମଧ୍ୟ । ଅନେକ ଭାରତୀୟ ନୂଆ ନାଁ ଲେଖାଉଥାନ୍ତି । ପରେ ଭାବିଲି, ମୁଁ ତ ଭାରତବର୍ଷରେ ଏଡ଼ୁକେସନ ଡିଗ୍ରୀ ନେଇଛି । ଏଠି ପୁଣି ଚର୍ବିତ ଚର୍ବଣ କରିବି ନା କଣ ? କଣ ଗୋଟାଏ ଡିଗ୍ରୀ ପାଇଁ ମୋର ଆସିବା ? ତାକୁ ଛାଡ଼ି ଦିନା କେତେ ୟୁନିଭରସିଟିର ଏମ୍. ଏ. କ୍ଳାସରେ ଯାଇ ବସିଲି-। ଏଡ଼ିନ୍‍ବରା ବିଶ୍ୱବିଦ୍ୟାଳୟରେ ଆଇ. ଏ., ବି. ଏ. କିଛି ନାହିଁ । ମାଟ୍ରିକ୍ୟୁଲେସନ ପାଶ୍ କରି ସେଠି ପିଲେ ଏମ୍. ଏ. ପଢ଼ନ୍ତି । ସିଲାବସ୍ ଓ ଅଧ୍ୟାପନାର ରୀତି ଦେଖିଲେ ସ୍ପଷ୍ଟ ଜଣାପଡ଼ିବ ଯେ, ନାମ ସିନା ଏମ୍. ଏ. କାର୍ଯ୍ୟତଃ ତାହା ସାଧାରଣ ବି. ଏ. ଅନର୍ସ କୋର୍ସ ସଙ୍ଗେ ସମାନ, ଯଦିବା ଆମ ପାଟଣା, କଲିକତା ପ୍ରଭୃତିର ବି. ଏ.ର ସ୍ତର ଅପେକ୍ଷା ତା’ର ସ୍ତର ଯଥେଷ୍ଟ ଉଚ୍ଚ ଯିବ ନିଶ୍ଚୟ-

 

ଦିନା କେତେ ସେ କ୍ଳାସରେ ବସିଲି । କିନ୍ତୁ ଦେଖିଲି ମୋର ଚାରିପାଖେ ସଦ୍ୟ ମାଟ୍ରିକ୍ ପାଶ୍‍କରା ଶ୍ୱେତାଙ୍ଗ ଟୋକା ଟୋକୀ । ପାଠ ବି ମୋର ପରିଚିତ । ମନରେ ଏକ ପ୍ରତିକ୍ରିୟା ଆସିଲା । ଭାବିଲି, ମୁଁ ଭାରତବର୍ଷରେ ଏଇମିତି ଟୋକାଙ୍କୁ ପଢ଼େଇ ଆସିଛି । ଏ ପାଠ ସମ୍ବନ୍ଧରେ ବି ମୁଁ ତ ଏକାବେଳେକେ ଅଜ୍ଞ ନୁହେ, ମୁଁ ମୋର ଛାତ୍ର ବୟସର ପିଲାଙ୍କ ସାଥିରେ ଚର୍ବିତ ଚର୍ବଣ କରିବି ଛାର ଡିଗ୍ରୀଟାଏ ପାଇଁ ? ଫିସ୍ ବି ପ୍ରଚୁର । ଯାହା ପାଣ୍ଠି ଥାଏ, ସେତକ ଛାଡ଼ିବାକୁ ମୁଁ ନାରାଜ, କାଳେ କଣ ହେବ ଭାବି । ଫିସ୍ ଦେବାକୁ ଆଉ ଦିନେ ନା ଦି’ଦିନ ଥାଏ, ସେ ପନ୍ଥା ତ୍ୟାଗ କଲି ।

 

ଏଇ ସମୟରେ ସେଠାରେ ବିଜ୍ଞାନ କଲେଜର କେମିଷ୍ଟ୍ରୀ ଅଧ୍ୟାପକ ଡକ୍‍ଟର ଲଡ଼ଲାମ୍‍ଙ୍କ ସଙ୍ଗେ ପରିଚୟ ହୁଏ । ତାଙ୍କର କଥା ପତ୍ରାବଳୀରେ କୁହା ହୋଇଛି । କଥା ପ୍ରସଙ୍ଗରେ ମୋର ସାମ୍ପ୍ରତିକ ଅସୁବିଧା ସବୁ ତାଙ୍କୁ ଜଣେଇବାରୁ ସେ କହିଲେ, “ତମେ ତ ଭାରତବର୍ଷରେ ଏମ୍. ଏ. ପାଶ୍ କରିଛ, ଏଠି ପୁଣି ଏମ୍. ଏ. ବା ଅନ୍ୟ ଡିଗ୍ରୀପାଇଁ ପଢ଼ିବାର କି ଦରକାର ଅଛି ? ଏମ୍. ଏ. ଠାରୁ ଉଚ୍ଚତର ଡିଗ୍ରୀ ପି. ଏଚ୍. ଡ଼ି. ପାଇଁ ଚେଷ୍ଟାକରୁ ନାହଁ ? “ସେ ଯାଏ. ପି. ଏଚ୍. ଡ଼ି. କଣ ମୁଁ ଜାଣି ନ ଥିଲି । ସେ ବୁଝେଇ ଦେବାରୁ ମୁଁ ପୁଣି ପ୍ରଶ୍ନ କଲି, “ମୁଁ କି ବିଷୟରେ ରିସର୍ଚ କରିପାରେ ? ମତେ ତ କିଛି ବିଷୟ ଆଖିକି ଦିଶୁ ନାହିଁ ।” ସେ କହିଲେ, “ତମେ ସଂସ୍କୃତ ଜାଣ ?” ମୁଁ ହଁ କରିବାରୁ ସେ କହିଲେ, “ଜଣେ ସଂସ୍କୃତ କବି ସଙ୍ଗେ ଜଣେ ଇଂରେଜ କବି ବା ସଂସ୍କୃତ ନାଟକ କିମ୍ବା ଉପନ୍ୟାସ ସଙ୍ଗେ ଇଂରେଜ ଉପନ୍ୟାସ ବା ନାଟକର ତୁଳନା କରି ଥେସିସ୍ ଲେଖିପାର ।” କଥାଟା ମନ ପ୍ରକୃତରେ ଘେନିଲା । ଭାବିଲି ଡିଗ୍ରୀ ତ ସମସ୍ତେ ପାଉଛନ୍ତି, ମୁଁ ଯଦି ଏଠି ଦୁଇବର୍ଷ ଦୁଃଖରେ କଟାଇ କିଛି ରିସର୍ଚ କରିପାରେ, ତାହା ନାମ ପଛରେ ଦୁଇଟି ବର୍ଣ୍ଣଯୋଜନା କରିବା ଅପେକ୍ଷା ନିଶ୍ଚୟ ବଡ଼ କାମ ହେବ । ଡକ୍‍ଟର ଲଡ଼ଲାମ୍ ସେଇଠି ଗୋଟିଏ ଦରଖାସ୍ତ ଲେଖି ଦେଲେ ଏଡ଼ିନ୍‍ବରା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ, ମତେ ରିସର୍ଚ ଛାତ୍ର ଭାବରେ ଗ୍ରହଣ କରିବାକୁ । କିନ୍ତୁ ସେତେବେଳେକୁ ସେଠି ସମୟ ଚାଲି ଯାଇଥିଲା । ନିକଟତମ ବିଶ୍ୱବିଦ୍ୟାଳୟ ଡରହାମ୍‍କୁ ଲେଖିଲି ଓ ତାର କଲି । ଡରହାମ୍‍ରେ ବନ୍ଧୁ ଶ୍ରୀ ବେହୁରା ପଢ଼ୁଥାନ୍ତି । ସେ ବି ଏକ ଆକର୍ଷଣ । ଭାଗ୍ୟକୁ ଉତ୍ତର ଆସିଲା ଆଶାପ୍ରଦ । ଏଡ଼ିନ୍‍ବରା ଛାଡ଼ି ଚାଲିଲି ନିଉକାସଲ୍-ଡିଗ୍ରୀର କୋଇଲା ବୋହିବାକୁ ।

 

ଦେଶକୁ ଫେରିଲି ଡିଗ୍ରୀ ଧରି । ଭାରତବର୍ଷର ବଜାରରେ ବିଲାତୀ ଡିଗ୍ରୀ ଲୋକଙ୍କୁ ଯେ ସୁବିଧା ଓ ସମ୍ପଦ ଦିଏ, ତାହା ଲାଭ ବରିବା ମୋ ପକ୍ଷରେ ଅବଶ୍ୟ ସହଜସାଧ୍ୟ ହୋଇନାହିଁ । ଯା’ର ଜୀବନରେ ସବୁ କିଛି କଷ୍ଟ-ସାଧ୍ୟ ଓ କଷ୍ଟ ଲବ୍‍ଧ, ଏଠି ବା ସେ ନିୟମର ବ୍ୟତିକ୍ରମ ହୁଅନ୍ତା କିପରି-? ସେଥିପାଇଁ ଦୁଃଖ ନାହିଁ । ମୋ ଦେଶରେ, ମୋ ନିଜ ଗ୍ରାମରେ ବି ଲୋକେ ଅନାହାରରେ, ନିର୍ବସ୍ତ୍ର, ନିର୍ବାସ, ରୁଗ୍‍ଣ, ଋଣୀ ହୋଇ କାଳ କାଟିବାର ମୁଁ ଆଖି ଆଗରେ ଦେଖୁଛି । ମୁଁ ତାଙ୍କରି ପରି ଜଣେ ହେଲେ ବିଧାତାର କେଉଁ ନିୟମଟା ଭାଙ୍ଗିଗଲା ବୋଲିବାକୁ ହେବ ? ଗଲି ଦେଶ ଦେଖିଲି, ଆସିଲି । ଏହି ଅଭିଜ୍ଞତା ଏକ ମହତ୍ ସମ୍ପଦ, ଯଦି ମୁଁ ସେହି ଅଭିଜ୍ଞତା ଅନୁସାରେ ନିଜକୁ ଗଢ଼ି ପାରିଥାଏ । ଅନ୍ୟ ପକ୍ଷରେ ଏଇ ଭ୍ରମଣ-କାହାଣୀ ଯଦି ମୋର ଦେଶବାସୀଙ୍କି ଆନନ୍ଦ ଦେଇପାରେ ତେବେ ବି ମୋର ସକଳ ଦୁଃଖକୁ ସାର୍ଥକୁ ମନେ କରିବି ।

 

ନିଉକାସ୍‍ଲ୍‍ରେ ଅନେକ ମାସ ହୋଟେଲ୍‍ରେ, କିଛିକାଳ ନିଜ ହାତରେ ରୋଷେଇ କରି, କିଛିକାଳ ବେହୁରାଙ୍କ ସାଙ୍ଗରେ, କିଛିକାଳ ଏକାକୀ, ଏପରି ଭାବରେ ପ୍ରାୟ ଏକବର୍ଷ ଦଶମାସ କଟାଇଲି । ମୋପରି ଆଉରି ଅନେକ ଭାରତୀୟ ଛାତ୍ର ସେଠି ଥାନ୍ତି । ଆମ୍ଭମାନଙ୍କର ଗୋଟିଏ ‘ଭାରତୀୟ ଛାତ୍ର ସଂଘ’ ବି ଥାଏ । ମୁଁ ଫେରିଲା ବର୍ଷ ତା’ର ସେକ୍ରେଟାରୀ ଥିଲି । କିନ୍ତୁ ଦୁଃଖର ବିଷୟ ଭାରତୀୟମାନେ ବିଲାତରେ ବି ନିଜ ସ୍ୱଭାବ ଛାଡ଼ନ୍ତି ନାହିଁ- ପରସ୍ପର ଭିତରେ ଈର୍ଷା, ଚୁଗୁଲି । ସାମ୍ପ୍ରଦାୟିକତାର କୌଣସି ଅଭାବ ସେଠି ନ ଥାଏ । କେମ୍ବ୍ରିଜରେ ମୁଁ ଓଡ଼ିଶୀ କଳା ବିଷୟରେ କିଛି କହିବା ପରେ, ଭାରତୀୟ ଛାତ୍ରମାନଙ୍କ ଭିତରେ ମୋ ଆଖି ଆଗରେ ଏକ ହିନ୍ଦୁ-ମୁସଲମାନ ବିବାଦ ଘଟିଗଲା ।

 

ଅର୍ଥାଭାବବଶତଃ ଯେତେ ଜାଗା ବୁଲିବା ମୋର ଇଚ୍ଛା ଥିଲା, ତା’ ବୁଲି ପାରିଲି ନାହିଁ । ଥରେ ଯାଇଥିଲି ଗ୍ଳାସ୍ ଗୋ, ସେଠି ହେଉଥିବା ‘ସାମ୍ରାଜ୍ୟ-ପ୍ରଦର୍ଶନୀ’ ଦେଖିବାକୁ । ଦେଖିଲି ବହ୍ୱାଡ଼ମ୍ବର ଲଘୁକ୍ରିୟା । ଥରେ ଗଲି ସେକ୍‍ପିୟରଙ୍କ ଜନ୍ମ ସ୍ଥାନ ଷ୍ଟ୍ରାଟ୍‍ଫୋର୍ଡ଼ରେ ତାଙ୍କର ନାଟକମାନଙ୍କର ଅଭିନୟ ଦେଖିବାକୁ । ଯାହା ଦେଖିଲି ସେଥିରେ ଶ୍ରମ ସାର୍ଥକ ହେଲା ।

 

ମୋର ଭାରି ଇଚ୍ଛା ଥିଲା ଇଂଲାଣ୍ଡର କୌଣସି କୃଷକ ପରିବାରରେ ରହି ମାସେ ବା ଦୁଇମାସ କୃଷି କାର୍ଯ୍ୟ କରିବାକୁ, କିନ୍ତୁ ତା ସମ୍ଭବ ହେଲା ନାହିଁ । କାରଣ ପ୍ରଥମ ଗ୍ରୀଷ୍ମାବକାଶରେ ମୁଁ ଗଲି ସେକ୍‍ସପିୟରଙ୍କ ଜନ୍ମ ସ୍ଥାନକୁ । ଦ୍ୱିତୀୟ ଗ୍ରୀଷ୍ମାବକାଶ ବେଳକୁ ଏକପ୍ରକାର ଗଣ୍ଠିରା ବାନ୍ଧିଲିଣି । କିନ୍ତୁ ମୁଁ ଇଂରେଜ କୃଷକ ପରିବାର ସଙ୍ଗେ ଦିନ କଟେଇ ଆସିଛି । ଏ ସମ୍ବନ୍ଧରେ ଏ ମୋର ଷ୍ଟ୍ରାଟ୍‍ଫୋର୍ଡ଼ ଅଭିଜ୍ଞତା ନେଇ ମୁଁ ପ୍ରସିଦ୍ଧ ଇଂରାଜୀ ମାସିକ ପତ୍ର ‘ମଡ଼ର୍ଣ୍ଣ ରିଭୂ’ରେ ଦୁଇଟି ଲେଖା ଲେଖିଥିଲି ।

 

ନିଉକାସ୍‍ଲ୍‍ର କଳା ବିଦ୍ୟାଳୟରେ ଜଣେ ମହିଳା ଅଧ୍ୟାପିକା ଅଛନ୍ତି । ତାଙ୍କର ନାମ ମିସେସ୍ ଡାଏନା ଲାଲ । ସେ ଜଣେ ପଞ୍ଜାବୀ ବାରିଷ୍ଟରଙ୍କୁ ତରୁଣ ବୟସରେ ବିବାହ କରି ଭାରତବର୍ଷରେ ଅନେକ ଦିନ ଥିଲେ । ପରେ ସ୍ୱାମୀ ମରିଯିବାରୁ ଦେଶକୁ ଫେରି ଚାକିରୀ କରି ଜୀବିକାର୍ଜନ କରିବାକୁ ଲାଗିଲେ । ତାଙ୍କର ବୌବାହିକ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥିଲା ବୋଲି ସେ ମତେ କହିଥାନ୍ତି ଏବଂ ଭାରତର କଳା, ସଂସ୍କୃତି ଓ ଜୀବନଯାପନ ପ୍ରତି ତାଙ୍କର ଶ୍ରଦ୍ଧା ଏକାବେଳକେ ଅକୃତ୍ରିମ । ଅନେକ ସମୟରେ ତାଙ୍କ ସଙ୍ଗେ ଭାରତୀୟ କଳା ସମ୍ବନ୍ଧରେ ଆଳାପ ହୁଏ । କିନ୍ତୁ ଦେଖିଲି ଓଡ଼ିଶା, ଯାହା କି ହିନ୍ଦୁ କଳାର ଶ୍ରେଷ୍ଠ ପୀଠ ତା’ ସମ୍ବନ୍ଧରେ ସେ କିଛି ଜାଣନ୍ତି ନାହିଁ । ମତେ ଏ କଥା ସହ୍ୟ ହେଲା ନାହିଁ । ମୁଁ ବାରମ୍ବାର ତାଙ୍କୁ ଓଡ଼ିଶାର କଳା, ସ୍ଥାପତ୍ୟ ବିଷୟରେ କହିବାରୁ ସେ ଦିନେ କହିଲେ, “ତମେ ଏ ବିଷୟରେ ଗୋଟିଏ ଟକ୍ (ଭାଷଣ) ଦିଅ । ତମେ କ’ଣ ଚାହଁ କହିଲେ ଆମେ ତା’ର ସବୁ ବନ୍ଦୋବସ୍ତ କରିଦେବୁ ।” ମୁଁ କେତେକ ବହିର ନାମ ଦେଲି, ସେ ବହି ସବୁ ଲଣ୍ଡନରୁ ମଗାଇ ଦିଆଗଲା । ସେ ସବୁ ବହିରୁ ବାଛି ବାଛି ଓଡ଼ିଶା କଳାର ଛବି ତକର ସ୍ଳାଇଡ଼ କରିବାକୁ କହିଲି, ତା’ବି ସେ କଲେଜ୍ ଟଙ୍କାରେ କରେଇ ନେଲେ । ତା’ ପରେ ସେ ସ୍ଳାଇଡ଼୍ ସାହାଯ୍ୟରେ ମୁଁ ଓଡ଼ିଶାର ମନ୍ଦିର ଓ ମୂର୍ତ୍ତିମାନଙ୍କ ବିଷୟରେ ଯାହା ଜାଣିଥିଲି ବା ପଢ଼ିଥିଲି, ତାକୁଇ ସମ୍ବଳ କରି ଗୋଟିଏ ଭାଷଣ ଦେଲି । ଏଇ ଭାଷଣ ପରେ ଆଉରି ଅନେକ ଜାଗାରୁ ନିମନ୍ତ୍ରଣ ଆସିଲା, ସେଇ ବକ୍ତୃତା ଦେବାକୁ । ନିଉକାସ୍‍ଲ୍‍ରେ ଥିଲାବେଳେ ବହୁ ଜାଗାରୁ ଲୋକେ ମତେ ଡାକି ନେଉଥିଲେ, ଗାନ୍ଧିଙ୍କ ବିଷୟରେ କିଛି ଶୁଣେଇବାକୁ । ଯୁଦ୍ଧପରେ ଯେ ଇଂଲାଣ୍ଡର ଜନସାଧାରଣ ଚର୍ଚ୍ଚିଲ୍ ଦଳକୁ ତଡ଼ି ଶ୍ରମିକମାନଙ୍କ ଶାସନ-ପୀଠରେ ଥୋଇଲେ, ତା’ର ସୂଚନା ମୁଁ ସେଇଠି ଥିଲାବେଳେ ବରାବର ପାଉଥିଲି । କାରଣ ଭାରତବର୍ଷ ଓ ପତିତ ଦଳିତ ଜାତିମାନଙ୍କ ପାଇଁ ସହାନୁଭୂତି ଇଂଲାଣ୍ଡରେ ଚାରିଆଡ଼େ ଦେଖିବାକୁ ମିଳୁଥିଲା ।

 

ଫେରିବା ବାଟରେ ମତେ କେମ୍ବ୍ରିଜ ଆସିବାକୁଇ ପଡ଼ିଲା । କାରଣ ସେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ମୋର ଥେସିସ୍‍ର ପରୀକ୍ଷକ । ତାଙ୍କ ସାକ୍ଷାତରେ ବାଚନିକ ପରୀକ୍ଷା ହେବାର ନିୟମ ।

 

ପରୀକ୍ଷାର ଫଳ ନ ଜାଣି ମଧ୍ୟ, ମୁଁ ନିଉକାସଲ୍ ଛାଡ଼ିଥାଏ ଘରମୁହା ହୋଇ । ଫେଲ ପାସ୍ ଯାହା ହୋଉ, ମୁଁ ଦେଶକୁ ଫେରିବି । ପରୀକ୍ଷକଙ୍କ ନିକଟକୁ ଗଲାବେଳକୁ ଛାତି ଧଡ଼୍‍ପଡ଼୍ ହେଉଥାଏ । କିନ୍ତୁ ମୋର ପରୀକ୍ଷକ ଡକ୍‍ଟର ଟମାସ୍ ମତେ ଦେଖି ପରୀକ୍ଷା କରିବା ଦୂରେ ଥାଉ, ମୋ ସଙ୍ଗେ ଭାରତୀୟ ବିଷୟର ବାଜେ ଚର୍ଚ୍ଚା କରିବାକୁ ଲାଗିଲେ । କଥାବାର୍ତ୍ତା ଭିତରେ ଖାଲି ଜଣେଇ ଦେଲେ ଯେ “ଅନ୍ୟ ପରୀକ୍ଷକଙ୍କ ସହିତ ମୁଁ ଏକମତ ହୋଇ ସାରିଛି ଯେ ତମର ଥେସିସ୍ ପି. ଏଚ. ଡ଼ି.ର ସଂପୂର୍ଣ୍ଣ ଉପଯୁକ୍ତ !” ତା’ପରେ ସେଠୁ ଫେରି ସେଇ କେମ୍ବ୍ରିଜରୁ ଘରକୁ ସାଫଲ୍ୟସୂଚକ ଏକ କେବଲ ପଠାଇ ଆନନ୍ଦ ଚିତ୍ତରେ ଲେଉଟା ବାଟରେ ଅଗ୍ରସର ହେଲି । ଆସିଲି ଅକ୍‍ସଫେର୍ଡ଼ ଓ ପୁଣି ଲଣ୍ଡନ । ଘୂରି ଘୂରି ବହୁତ ଦେଖିଲି । ହୁଏତ ଅନେକ କିଛି ଯାହା ଦେଖିବାର କଥା, ତାହା ଦେଖି ପାରିଲି ନାହିଁ । କିନ୍ତୁ ଚିନ୍ତା ନାହିଁ । ମୋର ପାଣ୍ଠି ଅନୁସାରେ ମୁଁ ଯାହା କରିବାର କଥା ତା’ କରିଛି ଭାବି ନିର୍ବିକାର ଥାଏ ।

 

ଲଣ୍ଡନର ପ୍ରସିଦ୍ଧ ହାଇଡ଼୍ ପାର୍କର କଣମାନଙ୍କରେ ପେଶାଦାରୀ ରାଜନୈତିକ ବକ୍ତାମାନଙ୍କର ବକ୍ତୃତା ଶୁଣିବାର କଥା ନୁହେଁ, ଦେଖିବାର କଥା । ଏମାନେ ନିଜେ ନିଜେ ଟୁଲ ବହିଆଣି ତା’ପରେ ଠିଆ ହୋଇ ତଣ୍ଟି ପଡ଼ିଲାଯାଏଁ ବକ୍ତୃତା କରୁଥାନ୍ତି । ଜଣେ ଏଠି, ଦଶହାତ ଦୂରରେ ଆଉ ଜଣେ । ତା ପାଖକୁ ଆଉ ଜଣେ । ସମସ୍ତଙ୍କର ବାକ୍ୟସ୍ରୋତ ଅନର୍ଗଳ ଚାଲିଛି । ହୁଏତ ଜଣେ ଏଠି ଯାହା କହୁଛି, ତା’ ପାଖ ଜଣକ ଠିକ୍ ତାର ଓଲଟା କହୁଛି । ଶ୍ରୋତାର ଦଳ ଆସୁଛନ୍ତି, ଏଠି କିଛି ସମୟ ସେଠି କିଛି ସମୟ ଶୁଣି ଶୁଣି ଚାଲି ଯାଉଛନ୍ତି । ଶ୍ରୋତା କେହି ନ ଥିଲେ ବି ବକ୍ତୃତା ଶୂନ୍ୟେ ଶୂନ୍ୟେ ଚାଲିଥାଏ । କିନ୍ତୁ ବରାବର ଡିସିପ୍ଳିନ୍‍ର ବାୟୁମଣ୍ଡଳ । ଆମେ ଯେଉଁ କଥାଟା ପସନ୍ଦ କରୁ ତା’ର ବିରୋଧ କଥାଟା ଟେକା ପଥର ଫିଙ୍ଗି କୁହାଇ ନ ଦେବାର ଚେଷ୍ଟା ଆଦୌ ନାହିଁ । ପ୍ରତ୍ୟେକ ଲୋକର ଏଠି ନିଜର ମତ ବ୍ୟକ୍ତ କରିବାର ପୁରା ଅଧିକାର, ନିତାନ୍ତ ଅଶ୍ଳୀଳ ଓ ଅନୈତିକ ନହେଲେ ପୋଲିସ ବା କର୍ତ୍ତୃପକ୍ଷ କୌଣସି ମତବାଦକୁ ପଚାରି ଯିବେ ନାହିଁ । ଲୋକେ ଗ୍ରହଣ କଲେ, ନ ହେଲେ ନାହିଁ । ସାର୍ ଓ୍ୱାଜ୍‍ଓ୍ୱାଲଡ଼୍ ମସ୍‍ଲେ ବ୍ରିଟିଶ ଫାସିଷ୍ଟନେତା । ସେ ବକ୍ତୃତା ଦେଲା ବେଳେ ଲୋକେ ଟେକା ପଥର ଫୋପାଡ଼ିଥିବାରୁ ଦେଶସାରା ଚହଳ ପଡ଼ିଯାଇଥିଲା; ଖବରକାଗଜମାନେ ତୀବ୍ର ପ୍ରତିଦାନ କରିଥିଲେ । ଇଂଲାଣ୍ଡ ବ୍ୟକ୍ତିଗତ ସ୍ୱାଧୀନତାର ଲୀଳାଭୂମି ।

 

ତୋଭର୍ ପ୍ରଣାଳୀ ପାରି ହୋଇ ପାରିସ୍‍ରେ ରାତିରେ ପହଞ୍ଚିଲି । ଜଣେ ପୋଲ୍-ବଂଧୁଙ୍କ ଚିଠି ପାଇ ଦୁଇ ଜଣ ପୋଲ୍ ଭଦ୍ରଲୋକ ଷ୍ଟେସନକୁ ମତେ ଭେଟିବାକୁ ଆସିଥିଲେ ଓ ମୋର ରହିବାର ବନ୍ଦୋବସ୍ତ କରି ଦେଇ ଗଲେ ଏବଂ ପାରିସ୍‍ରେ ଥିଲାତକ ମତେ ଖୁବ୍ ସାହାଯ୍ୟ କରିଥିଲେ । ଏ ଦୁହେଁ ଇଂରେଜୀ ଜାଣନ୍ତି । କିନ୍ତୁ ଗୋଟିଏ ପ୍ରଣାଳୀର ବ୍ୟବଧାନ ଥିଲେହେଁ ଫ୍ରାନ୍‍ସରେ ଇଂରେଜୀ-ଜାଣିବା ଲୋକ ଗୋଟିଏ ଖୋଜି ପାଇବା ସହଜ ନୁହେ । ଅଥଚ ଇଂଲାଣ୍ଡର୍ ସାତହଜାର ମାଇଲ ଦୂରରେ ବିରାଟ ଭାରତବର୍ଷର ସହସ୍ର ସହସ୍ର ବାଳକ ବାଳିକା ଇଂରାଜୀ ନ ଶିଖିଲେ ସଭ୍ୟ ବୋଲି ଗଣା ହେବନି ବୋଲି ଭୟ । ମୁଁ ଯେଉଁ ହୋଟେଲରେ ଥିଲି, ତା’ର ଲାଣ୍ଡଲେଡ଼ି ସଙ୍ଗେ କେବଳ ଠରା ଠରିରେ ଭାବବିନିମୟ କଲି ।

 

ପାରିସ୍‍ରେ ତିନି ଦିନ ଥିଲି । ଆପେ ଆପେ ଘୂରା ଘୂରି କରି ଯାହା କିଛି ଦେଖିଲି । ଲଣ୍ଡନ ଅପେକ୍ଷା ପାରିସ୍ ସୁନ୍ଦର ସହର-ଢେର ସୁନ୍ଦର । ଖୁବ୍ ଚଉଡ଼ା ରାସ୍ତା, ରାସ୍ତାର ଦୁଇକଡ଼ରେ ବଗିଚା । ଲୋକେ ବି ଇଂରେଜମାନଙ୍କ ଅପେକ୍ଷା-ବିଶେଷତଃ ସ୍ତ୍ରୀ ଲୋକେ, ଅଧିକ ଲାଳିତ୍ୟମୟ । ପାରିସ୍‍ର ପୃଥିବୀ ବିଖ୍ୟାତ ରାସ୍ତା ଶାଁସ ଏଲୀଜେର ମୁଣ୍ଡରେ ବିରାଟ ବିଜୟ-ତୋରଣ । ତା ତଳେ ଫରାସୀ ଜାତିର ଶାଶ୍ୱତ ସ୍ୱାଧୀନତାର ପ୍ରତୀକ ରୂପେ ଅଲିଭା ଅଗ୍ନି ଜଳୁଛି । ପାଖରେ ପ୍ରଥମ ମହାଯୁଦ୍ଧରେ ମୃତ ଅଜ୍ଞାତ ସୈନିକର ସମାଧି, ଯେଉଁଠି କେହି ନା କେହି ପ୍ରତ୍ୟହ ସଜ ଫୁଲର ଉପହାର ଥୋଇ ଯାଉଛି; କିନ୍ତୁ ଦ୍ୱିତୀୟ ବିଶ୍ୱ-ଯୁଦ୍ଧରେ ଫରାସୀ ଜାତିର ହିଟଲର ପଦତଳେ ଆତ୍ମସମର୍ପଣ ସଙ୍ଗେ ଏସବୁ ବାହ୍ୟାଡ଼ମ୍ବର ଅର୍ଥହୀନ ହୋଇ ଉଠୁଛି । ପୋଲ୍ ବଂଧୁଙ୍କ ସଙ୍ଗେ ମୁଁ ଦିନେ ପାରିସର ‘ଲାଟନ୍-କ୍ୱାଟର’-ଯେଉଁ ଅଞ୍ଚଳରେ ଶିଳ୍ପୀ ଓ କବିମାନ ସେମାନଙ୍କର ଦରିଦ୍ରମୟ ସାଧନାରେ ଲାଗିଥିବାର ମୁଁ ପଢ଼ିଥିଲି, ସେଠାକୁ ବୁଲିବାକୁ ଗଲି । କୌଣସି ଆର୍ଟିଷ୍ଟକୁ ଭେଟିଲି ନାହିଁ । କିନ୍ତୁ ସେତେବେଳେ ବିଶ୍ୱବିଦ୍ୟାଳୟର ପରୀକ୍ଷା ଶେଷ ହୋଇଥାଏ । ରାସ୍ତାରେ ଦଳ ଦଳ ଛାତ୍ର ବୁଲୁଥାନ୍ତି । ସେମାନେ ଗ୍ରାମାଗତ ପଲ୍ଲୀବାଳିକାମାନଙ୍କ ପ୍ରତି ଯେପରି ବ୍ୟବହାର କରୁଥାନ୍ତି, ସେଥିରୁ ମୁଁ ଭାବୁଥାଏ ଏ ଜାତିର ମେରୁଦଣ୍ଡ ଟାଣ ଅଛି ନା ଜୀର୍ଣ୍ଣ ହେବାକୁ ବସିଲାଣି ।

 

ବିଶ୍ୱପ୍ରସିଦ୍ଧ ଲୁଭ୍ର ମ୍ୟୁଜିୟମ୍ ଓ ପାରିସ୍‍ରୁ କୋଡ଼ିଏ ମାଇଲ ଦୂରସ୍ଥ ବୋରବୋ ସମ୍ରାଟ୍‍ମାନଙ୍କର ବିଳାସ- ପ୍ରାସାଦ ଭେର୍ସାଇଲ ମଧ୍ୟ ଯାଇ ବାରମ୍ବାର ବୁଲି ଦେଖିଲି । କିନ୍ତୁ ପୁସ୍ତକଗତ ବର୍ଣ୍ଣନା ଓ ଛବିଠାରୁ ବାସ୍ତବଟା ନିକୃଷ୍ଟ ବୋଧ ହେଲା । ବିସ୍ମୟାଭିଭୂତ ହେବାର ମୁଁ କିଛି ଦେଖିଲି ନାହିଁ । ଲୁଭ୍ର ମ୍ୟୁଜିୟମ୍‍ରେ ଡା’ ଭିନ୍‍ଚିଙ୍କର ସୁପ୍ରସିଦ୍ଧ ଛବି ମନୋଲିସାର ମୌଳିକତା ଦେଖିବାକୁ ପାଇଲି । କିନ୍ତୁ ମନେ ହେଲା ମୌଳିକ ଅପେକ୍ଷା ତା’ର ପ୍ରିଣ୍ଟ୍ ଗୁଡ଼ାକ ସୁନ୍ଦର ।

 

ପାରିସ୍‍ରୁ ଭେନିସ୍ ପର୍ଯ୍ୟନ୍ତ ଏକ ଥ୍ରୁଟ୍ରେନ୍ ଚାଲେ । ଏକ ଅପରାହ୍ନରେ ସେଇ ଟ୍ରେନ୍‍ରେ ଚଢ଼ିଲି । ଦିଲ୍ଲୀ ସେଣ୍ଟ୍‍ଷ୍ଟିଫେନ୍‍ସ କଲେଜର ଇତିହାସ ଅଧ୍ୟାପକ ଡକ୍‍ଟର କ୍ୟୁରେସୀ ବି ଦେଶକୁ ଫେରୁଥିଲେ । ସେ ମୋ କୋଠରୀରେ ଉଠିଲେ । ପରେ ପରିଚୟ ଓ ବଂଧୁତା ହେଲା ।

 

ବାଟରେ ବିଶେଷ କିଛି ଘଟି ନାହିଁ । କେବଳ ଗାଡ଼ି ସୁଇଜରଲାଣ୍ଡ ଦେଇ ଗଲାବେଳେ ଭୟଙ୍କର ଶୀତ ହେଲା-ଯଦିଓ ସେଟା ଗ୍ରୀଷ୍ମକାଳ । ବାଟରେ କୌଣସି ଜାଗାରେ କଷ୍ଟମ୍‍ସ କର୍ମଚାରୀମାନେ ଆମକୁ ନିଦରୁ ଉଠେଇଥିବାର ମନେ ପଡ଼େ । ଆମ୍ଭେମାନେ ତୃତୀୟଶ୍ରେଣୀରେ ଯାଉଥିଲୁଁ । ଇଂଲଣ୍ଡର ତୃତୀୟଶ୍ରେଣୀ ଭାରତବର୍ଷର ପ୍ରଥମ ଶ୍ରେଣୀ ପରି । କଣ୍ଟିନେଣ୍ଟଲ କିନ୍ତୁ ଅବସ୍ଥା ସେତେ ଭଲ ନୁହେଁ । ସେଠାରେ ତୃତୀୟ ଶ୍ରେଣୀ ଆମର ଇଣ୍ଟର ଶ୍ରେଣୀ ପରି ।

 

ତହିଁ ଆରଦିନ ସକାଳ ନଟା ଦଶଟା ବେଳେ ଭେନିସରେ ପହଞ୍ଚିଲୁ । ଡକ୍‍ଟର କ୍ୟୁରେଶୀ ସାମାନ୍ୟ ଇଟାଲିୟାନ୍‍ ଜାଣନ୍ତି । ବହୁକଷ୍ଟରେ ଏକ ହୋଟେଲ ମିଳିଲା । ସେଠି ଏକରାତ୍ରି ଯାପନ କଲୁ ।

 

ଭେନିସ୍ ହେଲା କରୁଣ-ପୁରୀ । କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପ ଉପରେ ସହରଟି ତିଆରି । ଏକ ଦ୍ୱୀପ ଓ ଅନ୍ୟ ଦ୍ୱୀପ ଭିତରେ ସାମୁଦ୍ରିକ ଜଳ । ଜଳର ଲହରୀ ଘରର ପାହାଚ ଉପରେ ଓ ବାତାୟନମାନଙ୍କର ଠିକ୍ ନିମ୍ନରେ ଭାଙ୍ଗି ପଡ଼ୁଛି । ଆଦ୍ରିଅଟିକ୍ ଏକ ଜୁଆର-ହୀନ ଓ ଉତ୍ତାଳତରଙ୍ଗ ହୀନ ସାଗର । ଜଳ ସବୁବେଳେ ଶାନ୍ତ ଥିବାରୁ ଏ ପ୍ରକାର ନଗର ରଚନା ସମ୍ଭବ ହୋଇ ପାରିଛି । ଚିଲିକାରେ ବାର୍ଷିକ ବନ୍ୟା ନ ଥିଲେ ଓ ଜଳ ଶାନ୍ତ ଥିଲେ, ଆମ ପାରିକୁଦରେ ଏ ପ୍ରକାର ବସତି ଖୁବ୍ ସମ୍ଭବ ହୋଇ ପାରନ୍ତା । ବର୍ତ୍ତମାନ ମଧ୍ୟ ଆମଗାଁର ବାରିପଛ ଆଡ଼େ ଚିଲିକା ।

 

ମୋର ଧାରଣା ଥିଲା, ଭେନିସ୍ ସହରରେ ଆଦୌ ରାସ୍ତା ନାହିଁ । ରାସ୍ତା ପରିବର୍ତ୍ତରେ ଅଛି କେବଳ କେନାଲ । କିନ୍ତୁ ତା ନୁହେଁ । ଏକ ଦ୍ୱୀପ ଓ ଅନ୍ୟ ଦ୍ୱୀପ, ଅର୍ଥାତ୍ ଏକ ନଗରାଂଶ ଓ ଅନ୍ୟ ନଗରାଂଶ ଭିତରେ ସମୁଦ୍ର-ନାଳୀ । ସେସବୁ ଉପରେ ଶଙ୍ଖ ଅଛି । ଦୂରସ୍ଥାନକୁ ଗଲେ ନୌକା ଦରକାର । ସେକ୍‍ସପିଅରଙ୍କ ପ୍ରସିଦ୍ଧ ନାଟକ ‘ଭେନିସ୍-ବଣିକ’ରେ ଆମ୍ଭେମାନେ ରିଆଲ୍ ଟୋର କଥା ପଢ଼ୁଁ-ଯେଉଁଠି ଆଣ୍ଟନିଓ ଓ ସାଇଲକ୍‍ର କଳି ହେଉଥାଏ, ତାହା ଏହିପରି ଏକ ପୋଲ ମାତ୍ର- ଅପେକ୍ଷାକୃତ ବଡ଼ ଓ ପ୍ରଶସ୍ତ ।

 

ଭେନିସ୍‍ର ନୌକାଗୁଡ଼ିକୁ ଗଣ୍ଡୋଲା କୁହାଯାଏ । ପୃଥିବୀର ସର୍ବାଞ୍ଚଳର ବିଳାସୀମାନେ ଭେନିସ୍‍କୁ ଆସନ୍ତି ଏହି ଗଣ୍ଡୋଲାରେ ବସି ଜଳକ୍ରିଡ଼ା କରିବା ପାଇଁ । ମୁଁ ଓ ମୋର ବନ୍ଧୁ ହୋଟେଲରୁ ଏକ ଗଣ୍ଡୋଲାରେ ବସି ଜାହାଜ ଧରିବାକୁ ଗଲୁଁ । କୌଣସି ସ୍ୱର୍ଗସୁଖ ଅନୁଭବ ବୋଲି ମନେ ନାହିଁ । କିନ୍ତୁ ମୁଁ ଦେଖୁଥାଏ ଇଟାଲୀୟ କେଉଟମାନଙ୍କୁ । ସେମାନଙ୍କ ଚେହେରା, ଭାବଭଙ୍ଗୀ ସମସ୍ତଇ ଆମ ଚିଲିକା କେଉଟଙ୍କ କଥା ମତେ ମନେ ପକେଇ ଦେଉଥାଏ ।

 

ଭେନିସ୍‍ରେ ଦେଖିବାର କଥା ପ୍ରାଚ୍ୟରୀତିରେ ତିଆରି ସେଣ୍ଟମାର୍କ ଗୀର୍ଜାଘର ଓ ତାହାର ପ୍ରାଙ୍ଗଣରେ ଚିର-କୂଜନରତ ଅସଖ୍ୟ ପାରାବତ । ଲଣ୍ଡନର ଟ୍ରାଫାଲ୍‍ଗାର ସ୍କୋୟାରରେ ନେଲସନ୍ ସ୍ତମ୍ଭ ତଳେ ବି ଏହିପରି ପାରାବତମାନଙ୍କର ସମାବେଶ ଦେଖିଥିଲି । ଗଣ୍ଡୋଲାରେ ବସି ଭେନିସ୍‍ର ପ୍ରଧାନ ପୟଃପ୍ରଣାଳୀ ଗ୍ରାଣ୍ଡ୍ କେନାଲରେ ଜଳକ୍ରିଡ଼ା କରୁଥିଲାବେଳେ ସେଣ୍ଟମାର୍କ-ମୁକୁଟିତ ଏହି ନଗରୀ-ରାଣୀର ସାୟନ୍ତନ ଶୋଭା ଅନେକ ଇଉରୋପୀୟ କବି ଓ ଶିଳ୍ପୀଙ୍କୁ ମୁଗ୍‍ଧ କରିଛି । କରିବାର କଥା ଏକା ।

 

ମୁଁ ଯାଇଥିଲି ଏକ ଜାପାନୀ ଜାହାଜରେ । ଭେନିସ୍‍ରେ ଉଠିଲି ଏକ ଇଟାଲୀୟାନ୍ ଜାହାଜରେ । ଅବଶ୍ୟ ଏଥିପାଇଁ ଇଂଲଣ୍ଡରୁ ମତେ ଟିକଟ୍ କାଟିବାକୁ ହୋଇଥିଲା ଓ ତାର ପାତ୍ରାରମ୍ଭ ଦିନକୁ ଲକ୍ଷ୍ୟ ରଖି ମୁଁ ଇଂଲଣ୍ଡରୁ ବାହାରିଥିଲି । ଏଇ ଜାହାଜଟିର ନାମ ‘କଣ୍ଟି ରସୋ’-ଦ୍ୱିତୀୟ ମହାସଂଗ୍ରାମରେ ଏହା ଆରବସାଗରରେ ଜଳ ସମାଧି ଲାଭ କରିଥିବାର ସଂବାଦପତ୍ରରେ ପଢ଼ିଛି । ହୁଏତ କାଶୀମା ବି ବର୍ତ୍ତମାନ ସମୁଦ୍ର ଗର୍ଭରେ । ଯେଉଁ ଇଟାଲୀୟାନ ଓ ଜାପାନୀ ନାବିକ ଏବଂ ଅଫିସରମାନଙ୍କୁ ଦେଖିଥିଲି ତାଙ୍କ ଭିତରୁ କେତେଜଣ ବା ବଞ୍ଚିଥିବେ ?

 

ଭେନିସ୍‍ରେ ମୋର ଜିନିଷପତ୍ର ନେଇ କଷ୍ଟମ ଅଫିସରେ ମୁଁ ଯାହା ହଇରାଣ ହୋଇଛି, ତାହା ସାରା ଇଉରୋପରେ କାହିଁ ହେଇନାହିଁ । ମୁଁ କେତେ ଖଣ୍ଡ ଇଂଲିଶ୍‍ ରେକର୍ଡ଼ ସାଥିରେ ଧରି ଫେରୁଥିଲି । କେଜାଣି କାହିଁକି ଇଟାଲୀୟାନ୍ କର୍ମଚାରୀମାନେ ତାକୁଇ ନେଇ ମତେ ପ୍ରାୟ ଘଣ୍ଟେକାଳ ଏପଟ ସେପଟ, ଏଠାକୁ ସେଠା ଚଳେଇବାକୁ ଲାଗିଲେ । ରେକର୍ଡ଼ ବଜା ହେବା ପର୍ଯ୍ୟନ୍ତ ଗଲା । ସେଠୁ ଫେରି ପୁଣି ଅଟକିଲି, ବନ୍ଦରର ବରକନ୍ଦାଜ ନିକଟରେ । କଣ୍ଟିରସୋ ମୋର ସମ୍ମୁଖରେ ଠିଆ ଥାଏ । ମୁଁ ଇଟାଲୀୟାନ ଜାଣି ନ ଥିବା ହେତୁ କାହାକୁ ପରିଷ୍କାର ଭାବରେ କିଛି ବୁଝାଇ ପାରୁ ନ ଥାଏ । ଇଟାଲୀୟାନ୍‍ମାନେ ବି ବୁଝିବାକୁ ଚେଷ୍ଟା କରୁ ନ ଥାନ୍ତି ସେମାନେ ହଇରାଣ କରି ଲାଞ୍ଚର ଅପେକ୍ଷାରେ ଥାନ୍ତି । ଶେଷରେ ବରକନ୍ଦାଜ ପରିଷ୍କାର ବିଅର-ପାନ ପାଇଁ କିଛି ମାଗିଲା । ମୁଁ ସାମାନ୍ୟ କେତେ ଲୀରା ଦେବାରେଇ, ମସୋଲିନୀର କଷ୍ଟମ୍‍ସ-ଅର୍ଗଳ ସହସା ମୁକ୍ତ ହୋଇଗଲା । ମୁଁ ନିଃଶ୍ୱାସ ଛାଡ଼ି ଜାହାଜରେ ଉଠିଲି ଏବଂ ବୁଝିଲି ଯେ ମସୋଲିନୀର ସକଳ ବାଗାଡ଼ମ୍ବର ସତ୍ତ୍ୱେ, ଇଟାଲୀୟାନ୍ ଜାତି ନୈତିକ ମେରୁଦଣ୍ଡହୀନ । ଗତ ଦ୍ୱିତୀୟ ମହାଯୁଦ୍ଧ ତାହାହିଁ ପ୍ରମାଣ କରାଇ ଯାଇଛି । କଣ୍ଟିରସୋ ଭେନିସ୍ ଛାଡ଼ିଲା ପରେ ଆଡ଼୍ରିୟାକ୍‍ର ଦକ୍ଷିଣ ବନ୍ଦର ବ୍ରିଣ୍ଡିସିରେ କେତେ ଘଣ୍ଟା ଅପେକ୍ଷା କରିଥିଲା । ଆମ୍ଭେମାନେ ସହର ବୁଲିଗଲୁଁ । ସେ ସମୟ ଗ୍ରୀଷ୍ମକାଳ । ଦକ୍ଷିଣ ଇଟାଲୀ ଆମରି ଭାରତବର୍ଷ ପରି ଗରମ ବୋଧହେଲା ଏବଂ ବ୍ରିଣ୍ଡିସି ସହର ଓ ସେଠାର ଇଟାଲୀୟ ଅଧିବାସୀ ଆମରି ପରି ନୋଂରା ଓ ଅଳସୁଆ ବୋଧ ହେଲେ ।

 

ଶ୍ରୀଯୁକ୍ତ ବେହୁରା ଓ ମୁଁ ବର୍ଷେ ଏକାଠି ରହିଲା ପରେ ସେ ନିଉକାସଲ ଛାଡ଼ି ଉତ୍ତର ଓ୍ୟେଲସ୍‍କୁ ଚାଲିଗଲେ ଫଳ-ଚାଷର ରିସର୍ଚ କରିବାକୁ । ତା ପରେ ତାଙ୍କର ମୋର ପ୍ରାୟ ସଂପର୍କଇ ନ ଥିଲା । ଭେନିସ୍‍ରେ କଣ୍ଟିରସୋ ଜାହାଜରେ ଚଢ଼ି ଟିକିଏ ଏପଟ ସେପଟ ହେଉଛି, ଏହି ସମୟରେ ଜଣେ ବଙ୍ଗାଳୀ ଛାତ୍ର ମୁଁ ଓଡ଼ିଶାର ଜାଣିପାରି ମତେ ଖବର ଦେଲେ ଯେ, ଓଡ଼ିଶାରୁ ମି. ବେହୁରା ବି ଏଇ ଜାହାଜରେ ଯାଉଛନ୍ତି । ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲି ଓ ଖୋଜି ଖୋଜି ମି. ବେହୁରାଙ୍କୁ ଡେକ୍ ଉପରେ ଭେଟିଲି ।

 

ଏଇ ଜାହାଜରେ ଅନେକ ଭାରତୀୟ ଛାତ୍ର, ଅଧ୍ୟାପକ ଓ ବ୍ୟବସାୟୀ ଫେରୁଥିଲେ । ସେମାନେ ଇଉରୋପର ସର୍ବାଞ୍ଚଳରୁ ଫେରୁଥିଲେ ଓ ଭାରତର ସର୍ବାଞ୍ଚଳକୁ ଯିବେ । ତାଙ୍କ ଭିତରେ ଆମେ ଦୁଇଜଣ କେବଳ ଓଡ଼ିଆ । ଆଉ ଭାରତୀୟ ବ୍ୟବସାୟୀମାନଙ୍କ ଭିତରୁ କେତେକ ପଶ୍ଚିମ ଆଫ୍ରିକା ଓ ଦକ୍ଷିଣ ଆମେରିକାରୁ ଫେରୁଥିଲେ । ଭେନିସ୍ ଓ ବ୍ରିଣ୍ଡିସିଠାରେ ଅନେକ ଇହୁଦୀ ସ୍ତ୍ରୀ ପୁରୁଷ, ବାଳକବାଳିକା ଉଠିଲେ-ଏମାନେ ହିଟ୍‍ଲର ଦ୍ୱାରା ଜର୍ମାନୀରୁ ବିତାଡ଼ିତ, ଯାଉଥିଲେ ସାଂଘାଇ । ଦୁଇଟି ବାଳକ ଜର୍ମାନୀରୁ ଲୁଚି ଲୁଚି ଆସି ଇଟାଲୀରେ ପଶିଥିଲେ । ମସୋଲିନୀର ପୋଲିସ୍ ତାଙ୍କୁ ଧରିଆଣି ବ୍ରିଣ୍ଡିସିଠାରେ ଏଇ ଜାହାଜରେ ଉଠାଇ ଦେଇଥିଲେ । ଏପରି ଗୃହ-ତାଡ଼ିତ, ସଂପଦ-ଚ୍ୟୁତ ଅବସ୍ଥାରେ ଆମେ ଭାରତୀୟମାନେ ଯେପରି ମୁଣ୍ଡରେ ହାତମାରି ଜୀବନକୁ ଧିକ୍‍କାର କରୁଥାନ୍ତୁ, ଏମାନଙ୍କଠାରେ ସେ ଅପୌରୁଷ ଲକ୍ଷଣ କିଛି ହେଲେ ଦେଖାଯାଉ ନ ଥିଲା । ସାଂଘାଇରେ ସେମାନଙ୍କର ଭବିଷ୍ୟତ ଅନିର୍ଦ୍ଦିଷ୍ଟ ଥିଲେହେଁ ଏବଂ ଅତୀତ ତାଙ୍କର ସମସ୍ତ ସଞ୍ଚୟ ଛଡ଼ାଇ ନେଇଥିଲେ ହେଁ, ସେମାନେ ଆମମାନଙ୍କ ସାଥିରେ ହସ, ଗପ, ଖିଆ, ଖେଳ, ନାଚକୁଦରେ ପ୍ରାଣର ସହିତ ଯୋଗ ଦେଉଥିଲେ । ସେମାନଙ୍କର ବସନର ପରିପାଟୀ ଓ ଉଠାବସାର ସୌଖୀନତା ଦେଖିଲେ । କିଏ କହିବନି ଯେ, ସେମାନେ ସର୍ବହରା । ଏ ସମସ୍ତର ମୂଳରେ, ମୁଁ ମନେକରେ, ଅଛି ଆତ୍ମପ୍ରତ୍ୟୟ । ସେଥିପାଇଁ ଇହୁଦୀ, ପୃଥିବୀର ଯେଉଁ ଜାଗାକୁ ରିକ୍ତ ହସ୍ତରେ ଗଲେହେଁ, କେତେଟା ବର୍ଷ ଭିତରେ, ସେ ଯେଉଁ ବିଭାଗରେ ଢୁକିଥିବ, ତାର ଶିଖରରେ ଆସନ ପକେଇବାର ଦେଖାଯାଏ ।

 

ଫେରିବାର ପଥ ବର୍ତ୍ତମାନ ଯିବାର ପଥପରି । କେବଳ ସହଯାତ୍ରୀ ଭିନ୍ନ ମାତ୍ର । ଇଟାଲୀୟ ଜାହାଜରେ ଭଲ ଭାରତୀୟ ଭୋଜନର ବ୍ୟବସ୍ଥା ଥାଏ । ଇଣ୍ଡିଆନ୍ ଖାନସମା ଥାନ୍ତି । ଜଣେ ମହୀଶୂରୀୟ ଇଞ୍ଜନିୟର୍ ମାଞ୍ଚେଷ୍ଟର୍‍ରୁ ଶିକ୍ଷା ସମାପ୍ତ କରି ଫେରୁଥାନ୍ତି । ପ୍ରତିଦିନ ସେ ଓ ମୁଁ ଏକା ଟେବୁଲ୍‍ରେ ବସୁ । ବଡ଼ ଥଟ୍ଟାଳିଆ ଲୋକ । ପିଲେ ମିଠେଇ ଦେଖିଲେ ଯେମିତି ହୁଅନ୍ତି, ସେ ଭାତ ଦେଖିଲେ ସେଇମିତି ହୁଅନ୍ତି ।

 

ସେଇ ପୋର୍ଟସଏଦ୍, ସୁଏଜ କେନାଲ, ଲୋହିତ ସାଗର, ଏଡ଼େନ୍ ବନ୍ଦର । ଆରବସାଗରରେ ମୌସୁମୀର ଉଦ୍ଦାମ ନର୍ତ୍ତନରେ ଆମେ କଠିନ ସମୁଦ୍ର-ପୀଡ଼ା ପାଇଲୁଁ । ତିନିଦିନ ଧରି ମୁଁ ଶେଯରୁ ଉଠି ପାରିଲି ନାହିଁ । ବମ୍ବେ ପାଖ ହେବାରୁ ଜାହାଜ କ୍ରମେ ଶାନ୍ତ ହେଲା, ଆମର ପୀଡ଼ା ମଧ୍ୟ ଅପସାରିତ ହେଲା ।

 

ବମ୍ବେ

 

ଶ୍ରୀଯୁକ୍ତ ହରୀଶ ବଡ଼ାଳଙ୍କ ଚିଠି ଷ୍ଟେସନରେ ପାଇଲି । ନିମନ୍ତ୍ରଣ ଅଛି ଭୂସାଓ୍ୱାଲରେ ଓହ୍ଲାଇ ତାଙ୍କ ଆତିଥ୍ୟ ଗ୍ରହଣ କରିବାକୁ । କିନ୍ତୁ ମୁଁ ଘରମୁହାଁ ହୋଇ ଦଉଡ଼ିଛି । ବାଟରେ ଅଟକିବାକୁ ତର କାହିଁ ? ଭୂସାଓ୍ୱାଲ୍ ନ ଯାଇ କିନ୍ତୁ ମୁଁ ଅନୁଚିତ କଲି । ବଡ଼ାଳଙ୍କୁ ମୁଁ ଏ ଯାଏଁ ସାକ୍ଷାତରେ ଦେଖିନାହିଁ । କିନ୍ତୁ ବିଲାତରେ ଥିଲାବେଳେ ମୋଠୁ ପତ୍ର ପାଇଲା ମାତ୍ରେ ସେ ମତେ ଯେପରି ଆର୍ଥିକ ସାହାଯ୍ୟ କରିଥିଲେ, ତାହା ଓଡ଼ିଶା ପରି ଅନୁଦାର ପରଶ୍ରୀକାତର ଦେଶରେ ଅତ୍ୟନ୍ତ ବିରଳ । କ୍ରମେ ତାଙ୍କ ଅର୍ଥ ଅବଶ୍ୟ ତାଙ୍କୁଫେରାଇ ଦେଇ ପାରିଛି ।

 

........ଝାରସୁଗୁଡ଼ା-.......ପ୍ରଥମେ ଓଡ଼ିଆ କଥା ଏଠି ଶୁଣି ମନରେ ଏକ ଆଶ୍ୱାସନା ଆସିଲା ଯେ, ମୋର ଜନ୍ମମାଟି, ମୋର ମାତୃ ଭାଷାଭାଷୀ ଜାତିର କୋଳକୁ ଫେରି ଆସିଛୁଁ ।

 

ଓଡ଼ିଶା ମାଟିରେ ପାଦ ଦେଇ କଳ୍ପଲୋକର ବୁଦ୍‍ବୁଦ ସବୁ ଗୋଟି ଗୋଟି କରି ଫାଟିବାକୁ ଲାଗିଲା । ସେଇ କ୍ଷୁଦ୍ରତା, ପରଶ୍ରୀକାତରତା ସ୍ୱାର୍ଥ, ନୀଚତା...କୀଟ ଚାହେଁ କୀଟଠାରୁ ଭୟ ଓ ସମ୍ମାନ ! ରେଭେନ୍‍ସା କଲେଜରୁ ଗ୍ରାଜୁଏଟ୍ ହୋଇ ବାହାରିଲା ଦିନୁଁ ଆଜିକି ପନ୍ଦର ବର୍ଷ ହେଲା ମୁଁ କେବଳ ଏହାହିଁ ଦେଖୁଛି ଓ ଭୋଗୁଛି । ବିଦେଶୀଙ୍କଠୁ ଯେ ଆଦର, ଯେ ଉତ୍ସାହ, ଯେ ସମବେଦନା ମିଳୁଛି, ନିଜର ଜ୍ଞାତିଠାରୁ ତା’ ମିଳୁନାହିଁ । ତଥାପି ଯେଉଁମାନେ ଦେଶର ଓ ଜାତିର କଲ୍ୟାଣ ଚାହାନ୍ତି, ସେମାନେ ଏସବୁକୁ ଭ୍ରୂକ୍ଷେପ ନ କରି ସାଧନା କରିଯିବା ଉଚିତ ।

Image

 

Unknown

ଆମେ ଓ ଇଂରେଜ

 

ଏ ଦେଶରେ ଇଂରେଜୀ ଭାଷା ଓ ଶିକ୍ଷାପ୍ରଣାଳୀର ପ୍ରବର୍ତ୍ତନ କରାଇ ଲର୍ଡ଼ ମେକ୍‍ଲେ କହିଥିଲେ ଯେ “ଏହି ନୂତନ ରୀତିରେ ଶିକ୍ଷିତ ଓ ଦୀକ୍ଷିତ ହୋଇ ଯେଉଁଦିନ ଭାରତୀୟମାନେ ଇଂଲଣ୍ଡୀୟ ଅନୁଷ୍ଠାନ ସବୁ ଦାବି କରିବେ, ସେହିଦିନ ହେବ ଇଂଲାଣ୍ଡର ଶ୍ରେଷ୍ଠତମ ଗୌରବଦିବସ-।”

 

ସେ ଦିନ ଆଗତପ୍ରାୟ । ଦୁଇଶତ ବର୍ଷର ପରିଚିତ ଶାସନ-ଦଣ୍ଡକୁ ଭାରତୀୟମାନଙ୍କ ହାତକୁ ଫେରାଇ ଦେଇ ଇଂରେଜ ହିନ୍ଦୁସ୍ଥାନ ଛାଡ଼ି ନିଜ ରାଜ୍ୟକୁ ଫେରିଯିବା ଉପରେ ।

 

ବର୍ତ୍ତମାନ ପ୍ରଶ୍ନ ହୋଇପାରେ ଯେ, ଦୁଇଶ ବର୍ଷ ଭିତରେ ଆମେ ଇଂରେଜଠୁ କଣ ଶିଖିଲେ ? ଶିଖିବାର କିଛି ଗୁଣ ତାଙ୍କଠି ଅଛି ? ନାଁ ଗତ ପଚାଶ ବର୍ଷଧରି ଆମ୍ଭେମାନେ ଇଂରେଜକୁ ଶୋଷକ, ବଦ୍‍ମାୟେସ୍, ମିଥ୍ୟାବାଦୀ; ଠକ ଇତ୍ୟାଦି କହି ଯେସବୁ ଗାଳି ଦେଇ ଆସିଛୁ, ସେ ତାହାର ଏକାନ୍ତ ଉପଯୁକ୍ତ ? ଆମର ତା’ଠୁ କିଛି ଶିଖିବାର ନାହିଁ ?

 

ଭାରତବର୍ଷର ସ୍ୱାଧୀନତା ପାଇଁ ଇଂରେଜ ଓ ଭାରତୀୟମାନଙ୍କ ଭିତରେ ଯେଉଁ ସଂଗ୍ରାମ ଚାଲିଛି ତା’ର ଶେଷ ସମାଧାନ ନ ହେଲା ପର୍ଯ୍ୟନ୍ତ ଆମ୍ଭେମାନେ ଇଂରାଜର ପ୍ରକୃତ ଚିତ୍ର କେବେହେଲେ ଦେଖି ପାରିବା ନାହିଁ । ସେହି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଇଂରାଜ ଆମ ଆଖିରେ ବଦମାୟେସ୍ ବୋଲି ଦେଖାଯିବା ନିତାନ୍ତ ସ୍ୱାଭାବିକ ।

 

କିନ୍ତୁ ମୋର ବିଶ୍ୱାସ, ହିନ୍ଦୁସ୍ଥାନ ସ୍ୱାଧୀନ ହୋଇ ସାରିଲା ପରେ ଓ ସାମ୍ପ୍ରତିକ ସଂଘର୍ଷର ମାନସିକଉତ୍ତେଜନାମୟ ଧୂଳିପଟଳ ଅପସାରିତ ହୋଇଗଲା ପରେ ଇଂରେଜ ଜାତିର ପ୍ରକୃତ ମହତ୍ତ୍ୱର ଛବି ଆମ୍ଭମାନଙ୍କ ସମ୍ମୁଖରେ ସ୍ପଷ୍ଟତର ହୋଇ ଉଠିବ । କେତେ ବର୍ଷ ପରେ ଆମରି ଚିନ୍ତା-ନାୟକମାନେ ବାଧ୍ୟ ହୋଇ କହିବେ ଯେ, ଭାରତବର୍ଷର ସମୂହ-କଲ୍ୟାଣ ଓ ରାଷ୍ଟ୍ରୀୟ ସମ୍ମାନର ପୁନରୁତ୍‍ଥାନ ପାଇଁ ଆଙ୍ଗ୍‍ଲୋ-ସାକ୍ସନ୍ ଜାତିର ଶାସନ, ସଂପର୍କ ଓ ସହାନୁଭୂତି ଭାରତବର୍ଷର ଏକାନ୍ତ ଦରକାର ଥିଲା । ଇଂରେଜ ଛଡ଼ା ପୃଥିବୀର ଅନ୍ୟ କୌଣସି ଜାତି ଭାରତବର୍ଷର ରାଷ୍ଟ୍ରୀୟ, ଜାତୀୟ ଓ ସାମାଜିକ ଅଭାବ ସବୁ ଶାନ୍ତ, ନୀରବ ଭାବରେ ଦୁରୀଭୂତ କରି ପାରି ନଥାନ୍ତା । ଭାରତବର୍ଷ ପୃଥିବୀର ଅପରାପର ଅନେକ ଜାତିକି ଧର୍ମ ଓ ସଭ୍ୟତା ଦେଇଛି । ପ୍ରତିଭା ଓ ବିଚକ୍ଷଣତାରେ ଭାରତବର୍ଷର ଲୋକେ ପୃଥିବୀର ଅନ୍ୟ ଯେକୌଣସି ଜାତିର ସମକକ୍ଷ ତ ନିଶ୍ଚୟ, କେତେକ ଦିଗରେ ଭାରତୀୟ ଅନ୍ୟ ସକଳ ଜାତିଠାରୁ ଶ୍ରେଷ୍ଠତର । ତଥାପି ଭାରତୀୟର ଜାତୀୟ ଚରିତ୍ରରେ ଅନେକ କିଛି ଦୋଷ, ଦୁର୍ବଳତା ରହିଛି । ନଚେତ୍ ଏ ଦେଶ ଶତ ଶତ ବର୍ଷ ଧରି ପରାଧୀନ ରହିଥାନ୍ତା କିପରି ? ଏହି ଦୋଷ ଗୁଡ଼ିକର ନିରାକରଣ ପାଇଁ ଅନ୍ୟ ଜାତିମାନଙ୍କ ଅପେକ୍ଷା ଇଂରେଜହିଁ ଆମର ପ୍ରକୃଷ୍ଟ ଆଦର୍ଶ ।

 

ଜର୍ମାନ, ଫ୍ରେଞ୍ଚ୍ ପ୍ରଭୃତି ଜାତି ଇଂରେଜ ଅପେକ୍ଷା ବହୁ ଗୁଣରେ ବିଚକ୍ଷଣ । ଇଂଲଣ୍ଡ୍ ଏକ କ୍ଷୁଦ୍ର ଦ୍ୱୀପ, ଯାହାକି ଜାତିକି ମାତ୍ର ତିନିଟି ମାସର ଖାଦ୍ୟ ଯୋଗାଇ ପାରେ । କିନ୍ତୁ ଏଇ ସ୍ୱଳ୍ପକ୍ଷୀରା ଜନନୀର ସନ୍ତାନ, ଧରଣୀ ପୃଷ୍ଠରେ ମାନବଇତିହାସର ବୃହତ୍ତମ ସାମ୍ରାଜ୍ୟ ସ୍ଥାପନ କରି ପାରିଛି, ଯେଉଁଥିରେ ସୂର୍ଯ୍ୟାସ୍ତ ହୁଏ ନାହିଁ । ଏହି ସାମ୍ରାଜ୍ୟ କେବଳ ଶୋଷଣ ଓ ଅତ୍ୟାଚାରର ପ୍ରତୀକ ହୋଇଥିଲେ, ଇଂଲିଶ୍ ପାର୍ଲିମେଣ୍ଟକୁ ଲୋକେ ପାର୍ଲିମେଣ୍ଟ୍-ପ୍ରସବିନୀ ବୋଲି କହୁ ନ ଥାନ୍ତେ-। କାରଣ ଇଂଲିଶ୍ ଆର୍ଲିମେଣ୍ଟର ଆକ୍‍ଟ ଫଳରେ କାନଡ଼ା, ନିଉଜିଲାଣ୍ଡ, ଅଷ୍ଟ୍ରେଲିଆ ପ୍ରଭୃତି ବହୁ ଦେଶ ନିଜ ନିଜର ପାର୍ଲିମେଣ୍ଟ୍ ପାଇ ବର୍ତ୍ତମାନ ସୁଖୀ ଓ ସ୍ୱାଧୀନ । ଭାରତବର୍ଷରେ ମଧ୍ୟ ଏହା ହେବାଉପରେ ବା ହେବ । ପାର୍ଲିମେଣ୍ଟାରୀ ବା ଲୋକପ୍ରତିନିଧି ଶାସନ ବିଷୟରେ ଇଂଲାଣ୍ଡ ସମଗ୍ର ଜଗତର ଗୁରୁ । ପ୍ରସିଦ୍ଧ ଫରାସୀ ରାଷ୍ଟ୍ରବିପ୍ଳବବେଳେ ବିପ୍ଳବର ନେତାମାନେ ଇଂଲାଣ୍ଡ ଓ ଇଂରେଜ ଜାତିକୁ ଦୃଷ୍ଟାନ୍ତ ସ୍ୱରୂପ ଲୋକସମ୍ମୁଖରେ ଥୋଇଥିଲେ । ଫରାସୀ-ରାଷ୍ଟ୍ର-ବିପ୍ଳବର ଅବ୍ୟବହିତ ପୂର୍ବରୁ ଏଲ ଆଙ୍ଗ୍‍ଲୋ-ସାକ୍‍ସନ୍ ଜାତିହିଁ ଆମେରିକାର ଯୁକ୍ତରାଷ୍ଟ୍ରରେ ଏକ ସାଧାରଣତନ୍ତ୍ର ଶାସନ ଆରମ୍ଭ କରିସାରି ଥିଲେ; ଯାହା କି ଏବେ ସମଗ୍ର ପୃଥିବୀର ଭାଗ୍ୟ ନିୟନ୍ତ୍ରଣ କରୁଛି । ସୋଭିଏଟ୍ ରୁଷିଆରେ ଆଜି କେହି ବେକାର ନ ଥାଇ ପାରନ୍ତି; କିନ୍ତୁ ଇଂଲାଣ୍ଡ ବା ଯୁକ୍ତରାଷ୍ଟ୍ରରେ ସାଧାରଣ ନାଗରିକ ଯେପରି ଅନାଶଙ୍କିତ, ଅଭୟ ବାହୁମଣ୍ଡଳରେ ବାସ କରେ, ସେଠି ତା’ ଅସମ୍ଭବ । ସେଠି ବ୍ୟକ୍ତିର ସ୍ୱାଧୀନତା ନାହିଁ, ବାଣୀର ସ୍ୱାଧୀନତା ନାହିଁ । ରୁଷ୍ ବା ଜର୍ମାନ୍‍ମାନଙ୍କର ଇତିହାସରେ ଏ ସବୁ ଅପରିଚିତ କଥା । କିନ୍ତୁ ବ୍ୟକ୍ତି-ସ୍ୱାଧୀନତା ଓ ବାଣୀ-ସ୍ୱାଧୀନତା ପାଇଁ ଇଂରେଜ ଜାତି ତା’ର ସମଗ୍ର ଇତିହାସକୁ ନିଜ ରକ୍ତରେ ରଞ୍ଜିତ କରି ଆସିଛି ।

 

ଆମେ କହୁଁ ଇଂରେଜ୍ ଆମକୁ ଏକ୍‍ସପ୍ଳଏଟ୍ ବା ଶୋଷଣ କରିହିଁ ପେଟ ମୋଟା କରିଛି-। କିନ୍ତୁ ଆଫ୍ରିକା, ଅଷ୍ଟ୍ରେଲିୟା, ଆମେରିକାରେ, ଯେଉଁଠି କେବଳ ଜଙ୍ଗଲ, ଜଙ୍ଗଲୀ ଓ ଜନ୍ତୁହିଁ ସହସ୍ର ସହସ୍ର ବର୍ଷ ଧରି ଥିଲେ, ସେଠି ଆଙ୍ଗ୍‍ଲୋ-ସାକସନ୍ ଯେ ତା’ର ରକ୍ତ ଓ ସ୍ୱେଦ ଢାଳି ମାତ୍ର ଶହେ ଦୁଇଶହ ବର୍ଷ ଭିତରେ ବିରାଟ ସଭ୍ୟତା ସବୁ ଠିଆ କରେଇ ପାରିଛି ତାହା କ’ଣ କେବଳ ପ୍ରବଞ୍ଚନା ବା ଶୋଷଣର ଚିହ୍ନ ନା ସୁଦୃଢ଼ ପୌରୁଷର ? ପୌରୁଷବନ୍ତ ଇଂରେଜର ଦୃଢ଼ ହସ୍ତ ଧରାପୃଷ୍ଠର ସହସ୍ର ସହସ୍ର ମାଇଲ ବନ୍ଧ୍ୟା ରୋଗାକୀର୍ଣ୍ଣ ମାଟିକୁ ଆଜି ସ୍ୱର୍ଣ୍ଣପ୍ରସୂ ଓ ସଭ୍ୟତାର ଲୀଳାସ୍ଥଳୀ କରି ପାରିଛି । ତାହାହିଁ ଆଜିର ଅଷ୍ଟ୍ରେଲିଆ, ଆଫ୍ରିକା, ନିଉଜିଲାଣ୍ଡ, କାନଡ଼ା, ଆମେରିକା । ଏଥିରୁ ଯେକୌଣସିଟିର ଇତିହାସ ପଢ଼ିଲେ ସାଧାରଣ ଇଂରେଜରେ ବୀର୍ଯ୍ୟ, ଧୈର୍ଯ୍ୟ, ଗଭୀର ଧର୍ମବିଶ୍ୱାସ ଓ କର୍ତ୍ତବ୍ୟ ପରାୟଣତାରେ ଚିତ୍ତ ଅଭିଭୂତ ହୋଇ ପଡ଼େ । ଏ ପ୍ରତ୍ୟେକଟିର ମାଟି ସହସ୍ର ସହସ୍ର ଅଜ୍ଞାତ ଇଂରେଜର ସାଧୁ, ସାହସିକ, ନିଃସ୍ୱାର୍ଥ କର୍ତ୍ତବ୍ୟନିଷ୍ଠାର ସ୍ୱର୍ଣ୍ଣରେଣୁରେ ରଞ୍ଜିତ । ସେ ପ୍ରକାର ଗୋଟିଏ ହେଲେ ଜୀବନ ଆମ ସମାଜରେ ଦୁର୍ଲ୍ଲଭ । ତା ନ ହେଲେ କି ସହସ୍ର ସହସ୍ର ବର୍ଷ ଧରି ଆମେ ପ୍ରକୃତିର କ୍ରୀଡ଼ନକ ମାତ୍ର ହୋଇ ରୋଗ, ଦୁର୍ଭିକ୍ଷ, ବନ୍ୟା, ମହାମାରୀରେ ଅର୍ଦ୍ଧମୃତ ହୋଇ ସଢ଼ୁଥାନ୍ତେ ? ଆମ ପରି ଇଂରେଜ ବିଶ୍ୱସଭ୍ୟତାକୁ କୌଣସି ଧର୍ମ ବା ଦର୍ଶନ ନ ଦେଇଥାଇ ପାରେ, କିନ୍ତୁ ଆମପରି ସେ ଜୀବନର ସମସ୍ୟାମାନଙ୍କୁ ଡରି ସନ୍ନ୍ୟାସର ବ୍ୟବସ୍ଥା ପସନ୍ଦ କରେ ନାହିଁ ବା କପାଳରେ ହାତମାରି ବସିଯାଏ ନାହିଁ । ସେ ଧୀରେ ଅଥଚ ଦୃଢ଼ତା ସହକାରେ ପ୍ରକୃତିର ବିଷଦାନ୍ତ ଉପାଡ଼ି ତାକୁ ବଶ କରି ନିଜର ଭୃତ୍ୟ କରି ପାରିଛି, ପୃଥିବୀର ସର୍ବତ୍ର । ଇଂରେଜ ଯଦି ଗୋଟାଏ କାମ କରିବ ବୋଲି ଧରିଲା, ଜାଣ ଯେ ସେ ତା କରିବଇ-କରିବ । ପ୍ରାଣ ଯିବ ପଛେ ସେ ଛାଡ଼ି ଆମ ପରି ପଳେଇ ଯିବନି । ଜଣକର ଅର୍ଦ୍ଧସିଦ୍ଧ କାମ ଆଉ ଜଣେ ଇଂରେଜ ଧରି ନେଇ ସେଇ ନିଷ୍ଠାର ସହିତ ପୁଣି କାମ ଚଳେଇବ । ଏହି କର୍ତ୍ତବ୍ୟନିଷ୍ଠା ଇଂରେଜର ରକ୍ତଗତ । ସେଥିପାଇଁ ଇଂରେଜକୁ ସାଧାରଣତଃ ବୁଲ୍ ଡଗ୍ ସାଥିରେ ତୁଳନା ଦେଇଥାନ୍ତି ।

 

ଇଂରେଜ ଏ ଦେଶ ଛାଡ଼ି ଚାଲି ଗଲେଇ ଯେ ଆମର ସର୍ବପ୍ରକାର କଲ୍ୟାଣ ଆପେ ଆପେ ସମ୍ଭବ ହୋଇ ପଡ଼ିବ, ଏହା ଭାବିବା ଘୋର ଆତ୍ମ-ପ୍ରତାରଣା । ଇଂରେଜର ଅନୁକରଣରେ ଆମର ପାର୍ଲିଆମେଣ୍ଟ, ହାଇକୋର୍ଟ, ଇଉନିଭରସିଟି, ମ୍ୟୁନିସିପାଲଟି ହେଲା ସତ, କିନ୍ତୁ ଇଂରେଜର ଯେଉଁ ଯେଉଁ ଚାରିତ୍ରିକ ବୈଶିଷ୍ଟ୍ୟରୁ ଏ ଗୁଡ଼ିକର ଜନ୍ମ ଓ ଅଭିବୃଦ୍ଧି ହୋଇଥିଲା, ସେହି ଗୁଣଗୁଡ଼ିକ ଆମ ରକ୍ତରେ ନ ମିଶେଇବାଯାଏ ସେଗୁଡ଼ିକ ପ୍ରକୃତ କଲ୍ୟାଣ ପ୍ରସବ କରିବା ବିଷୟ ସନ୍ଦେହଜନକ ବୋଲି ଆମର ବିଶ୍ୱାସ । ଏହି ଅଭାବ ଯୋଗୁହିଁ ଭାରତବର୍ଷରେ ସ୍ଥାନୀୟ ସ୍ୱାୟତ୍ତଶାସନ, ଯୌଥ କାରବାର ଓ ସହଯୋଗ ଆନ୍ଦୋଳନ ପ୍ରଭୃତି, ଯାହା କି ଅନ୍ୟାନ୍ୟ ଦେଶମାନଙ୍କରେ ଅଶେଷ ଲୋକକଲ୍ୟାଣ କରି ପାରିଛି, ଏ ଦେଶରେ ତାହା ଲାଞ୍ଚ, ମିଛ, ଅକର୍ମଣ୍ୟତା ଓ ସ୍ୱାର୍ଥପରତାର ପୀଠସ୍ଥଳୀ ହୋଇ ଆସିଛି ।

 

ଖରାପ ଓ ଭଲ ମଣିଷ ସବୁ ଜାତିରେ ସମାନ ଭାବରେ ବଣ୍ଟା ହୋଇଛନ୍ତି । ବିଧାତା କୌଣସି ଜାତି ପ୍ରତି ପକ୍ଷପାତୀ ନୁହନ୍ତି । ତେବେ ‘ଭଲ’ କଣ, ତା’ର ଆଦର୍ଶ ନେଇ ବ୍ୟକ୍ତି ଓ ଜାତିର ଉତ୍କର୍ଷ ଓ ଅପକର୍ଷ ଘଟେ । ଆମ ଦେଶରେ ଯେଉଁ ବାପ ପୁଅକୁ ବା ପୁଅମାନଙ୍କୁ ବଞ୍ଚି ଥାଉ ଥାଉ ଖୁବ୍ ଭୋଜିଭାତ, ଜାକ୍‍ଜମକ୍ ଭିତରେ ବିବାହ ଦେଇ ପାରିଲା, ସମାଜରେ ସେ କୃତାର୍ଥ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ଅଶେଷ ଅନିଷ୍ଟର କାରଣ ହୋଇଥାଏ । ଇଂରେଜ ବାପ କିନ୍ତୁ ପୁଅକୁ ବିବାହ କରେଇବା କଥା କଳ୍ପନାଇ କରିବନି । ସେ ଦାୟିତ୍ୱ ନିତାନ୍ତ ଭାବରେ ପୁଅର । ବାପ ଯଦି ଏ ଦିଗରେ କିଛି ଚାପ ପ୍ରୟୋଗ ବା ଅନୁରୋଧ ଉପରୋଧ ଆରମ୍ଭ କରେ, ସେ ଲୋକନିନ୍ଦାର ଭାଗୀ ତ ହେବ, ତା’ର ସ୍ୱାଧୀନତାରେ ବାପ ବାଧା ଦେଉଛି ବୋଲି ପୁଅ ବିଦ୍ରୋହୀ ହୋଇ ଉଠିବ-। କିନ୍ତୁ ଇଂରେଜ ବାପର ଆପାତତଃ ନିର୍ମମତାରେ ଇଂରେଜ ଜାତିର କଲ୍ୟାଣର ବୀଜ ନିହିତ ରହିଛି । ଇଂରେଜ ପୁଅ ଏହା ଦ୍ୱାରା ନିଜ ଗୋଡ଼ରେ ଠିଆ ହୁଏ, ଆତ୍ମବଳରେ ବଳୀୟାନ୍ ହୋଇ ଦୁର୍ଦ୍ଧର୍ଷ ହୋଇ ଉଠେ ।

 

ଯେଉଁ ଯେଉଁ ଗୁଣର ଅଭାବ ଆମ ଜାତୀୟ ଜୀବନକୁ ବିକଳାଙ୍ଗ କରି ପକାଉଛି ଓ ଯେଉଁ ଗୁଣ ଇଂରେଜର ଜାତୀୟ ଜୀବନର ବୈଶିଷ୍ଟ୍ୟ ଏବଂ ଆମର ସର୍ବଥା ଅନୁକରଣୀୟ ଏହିପରି କେତେଗୁଡ଼ିଏ ଗୁଣର କଥା ବର୍ତ୍ତମାନ କହେଁ ।

 

ଇଂରେଜର ପ୍ରଥମ ବଡ଼ ଗୁଣ ହେଉଛି, ମଜ୍ଜାଗତ ଦେଶାତ୍ମବୋଧ । ଇଂରେଜମାନଙ୍କ ଭିତରେ ଧନ ଓ ଧର୍ମର ବୈଷମ୍ୟ ନେଇ ଅନେକ ଦଳ ଓ ଗୋଷ୍ଠୀ ଅଛି । ତାଙ୍କ ଭିତରେ ଭେଦାଭେଦ ଶୁଦ୍ର-ବ୍ରାହ୍ମଣର ଭେଦା ଭେଦଠୁଁ କମ୍ ନୁହେ । କିନ୍ତୁ କେଜାଣି କି ମନ୍ତ୍ରବଳରେ ଦେଶର ସମୂହକଲ୍ୟାଣ ବା ବିପଦ ବେଳେ, ସର୍ବଦଳ ଓ ସର୍ବ ଗୋଷ୍ଠୀର ଇଂରେଜ ଗୋଟିଏ ମଣିଷ ପରି କାମ କରିବାର ଦେଖାଯାଏ । ବ୍ୟକ୍ତିଗତ ଜୀବନରେ ମଧ୍ୟ ଇଂରେଜର ଅର୍ଦ୍ଧେକ ଚେତନା ନିଜ ଜୀବନ ପାଇଁ ଓ ଆର ଅଧକ ତା’ର ଦେଶ ଓ ଜାତିପାଇଁ ଜାଗ୍ରତ ରଖିଥାଏ । ପ୍ରତିଦିନ ଓ ପ୍ରତିମୁହୂର୍ତ୍ତର କଥା ଭାଷା, କ୍ରୀଡ଼ା କର୍ମ ଭିତରେ ବି ସେ ଭୁଲିଯାଏ ନା ଯେ, ସେ ‘ଇଂରେଜ’, ସେ ସାମାନ୍ୟ ଟମ୍, ଡିକୀ, ହାରୀ ନୁହେଁ-ତା’ର ପ୍ରତ୍ୟେକ କଥା, ଆଦେଶ, ବ୍ୟବହାର ଉପରେ ଇଂରେଜ ଜାତିର ସମ୍ମାନ ଯେ ନିର୍ଭର କରେ, ସେ ବିଷୟରେ ସେ ବରାବର ସଚେତନ । ନଚେତ୍ ବ୍ରାଉଟନ୍ ନାମକ ଏକ ଅପ୍ରସିଦ୍ଧ ଇଂରେଜ ବୈଦ୍ୟ, ସାହାଜାହାନଙ୍କ କନ୍ୟାର ରୋଗୋପଶମ କରି ସାରିଲା ପରେ, ନିଜ ପାଇଁ କିଛିମାତ୍ର ପାରିତୋଷିକ ନ ଚାହିଁ, ତା’ର ଜାତି ହିନ୍ଦୁସ୍ଥାନରେ କିପରି ବାଣିଜ୍ୟର ସୁବିଧା ପାଇବ ତାହାହିଁ ମାତ୍ର ଚାହିଁ ଥାନ୍ତା କିପରି ?

 

କିନ୍ତୁ ଆମେ ? ଆମେ ଚିରକାଳ ଜୟଚନ୍ଦ୍ର ଓ ଶିଖୀ, ମନାଇର ଜାତି । ଆମେ ଏଡ଼େ ନିମ୍ନସ୍ତରର ମଣିଷ ଯେ ନିଜର ସ୍ୱାର୍ଥ ପାଇଁ ଆମେ ଜାତି, ଧର୍ମ, ଦେଶ ଓ ଈଶ୍ୱରଙ୍କୁ ମଧ୍ୟ ଭୁଲିଯାଉଁ । ନିଜେ ବା ନିଜର ପୁଅ, ପୁତୁରା, ଦାଦୀ, ମଉସା କିମିତି ଭଲରେ ରହିବେ ଏଇ ଆମର ଚିନ୍ତା ଦେଶ ଓ ଜାତି ଆମର ଦୈନନ୍ଦିନ ଭାବନା ଭିତରେ ସ୍ଥାନ ପାଏ ନାହିଁ । ସାମାନ୍ୟ ଅନ୍ନସଂସ୍ଥାନ ପାଇଁ ଆମେ ଆମରି ଲୋକଙ୍କର ଅନିଷ୍ଟ ଓ ଅହିତ କରିବାକୁ ସାନନ୍ଦରେ ପ୍ରସ୍ତୁତ । ନଚେତ୍ ଇଂରେଜ ସାମ୍ରାଜ୍ୟ ଏତେଦିନ ତିଷ୍ଠନ୍ତା କିପରି ?

 

ଯେଉଁଠି ଇଂରେଜ ନାହିଁ, ସେଠି ହିନ୍ଦୁ ସ୍ୱାର୍ଥ, ମୁସଲମାନ ସ୍ୱାର୍ଥ, ବଙ୍ଗାଳୀ ସ୍ୱାର୍ଥ, ଓଡ଼ିଆ ସ୍ୱାର୍ଥ । ମହାଜାତିର ଉନ୍ମୁକ୍ତ ଉଦାର ଆକାଶର ବିଶୁଦ୍ଧ, ନିର୍ମଳବାୟୁ ଆମକୁ ସହ୍ୟ ହେଉ ନାହିଁ । ଛୋଟ ଛୋଟ ଗୋଷ୍ଠୀର ଆବଦ୍ଧ, କଳୁଷିତ, ସଂକୀର୍ଣ୍ଣ ବାୟୁ ମଣ୍ଡଳରେ ଆଶ୍ରୟ ନେବା, ତେଣୁ ଆମର ମଜ୍ଜାଗତ ଅଭ୍ୟାସ ।

 

ବର୍ଣ୍ଣାଶ୍ରମର ପାଚେରୀ, ଧର୍ମର ପାଚେରୀ ଓ ଧନର ପାଚେରୀ ସବୁ ଚୂନା ହୋଇ ଦେଶମୟ ଯଦି ସାମ୍ୟବାଦ ପ୍ରତିଷ୍ଠା ହୁଏ, ତେବେ ଯାଇ ଭାରତୀୟ ଚରିତ୍ରର ଏହି ବ୍ୟାଧି ନିରାକୃତ ହେବାର ଆଶା କରାଯାଏ; ନଚେତ୍ ନୁହେଁ । ଏହି ବାସନା ଶୀଘ୍ର ସଫଳ ହେଉ । ଭାରତମାତାର କଲ୍ୟାଣ ପାଇଁ ଏଇ ଔଷଧ ଏକାନ୍ତ ଲୋଡ଼ା ।

 

ଇଂରେଜ ଚରିତ୍ରର ଦ୍ୱିତୀୟ ବୈଶିଷ୍ଟ୍ୟ ହେଉଛି ସ୍ୱାବଲମ୍ବନ । ଜଣେ ନରଓ୍ୱେଜୀୟ ବନ୍ଧୁର ସ୍ୱାବଲମ୍ବନ କଥା ପତ୍ରାବଳୀ ଭିତରେ ବର୍ଣ୍ଣିତ ଅଛି । ତାହା ଯେକୌଣସି ଇଂରେଜ ବାଳକ ପକ୍ଷରେ ସତ୍ୟ । ଥରେ ମୁଁ ଗୋଟିଏ ବୃଦ୍ଧ ଇଂରେଜ ଦମ୍ପତିର ଆତିଥ୍ୟ ଗ୍ରହଣ କରି ତାଙ୍କ ଘରକୁ ଯାଇଥିଲି । ବୁଢ଼ାବୁଢ଼ୀଙ୍କର ପୁଅ ଝିଅ ସାତଟି । ସମସ୍ତେ ସ୍ୱାଧୀନ ଭାବରେ ନିଜ ନିଜର ବ୍ୟବସାୟ କରନ୍ତି ଓ ସେହି ଏକ ସହରର ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ଅଲଗା ରହନ୍ତି । ବୁଢ଼ାବୁଢ଼ୀ ମଧ୍ୟ ଥାନ୍ତି ଅଲଗା । ଏକା ସହରରେ ସାତ ପୁଅଝିଅ ଅଲଗା ଅଲଗା ଏ ବୁଢ଼ା ବୁଢ଼ୀ ଅଲଗା, ଏହା ଆମ ଭାରତୀୟ ଆଖିକି କେବଳ ବିଚିତ୍ର ନୁହେଁ, ବିଭତ୍ସ ଲାଗିବାର କଥା । ବୁଢ଼ା ଜଣେ ପ୍ରସିଦ୍ଧ ଡାକ୍ତର ଥିଲେ, ଏବେ ରିଟାୟାର୍ କରି ଘରେ ବସିଛନ୍ତି । ବେଳେ ବେଳେ ପୁଅମାନଙ୍କ ପାଖକୁ ଯାଇ ସେମାନଙ୍କୁ ନିଜ ନିଜ ବ୍ୟବସାୟରେ ସାହାଯ୍ୟ ଦିଅନ୍ତି, କିନ୍ତୁ କେବେ ସେମାନଙ୍କ ଘରେ ରହିବେ ନି-। ବୁଢ଼ୀ ନିୟମ କରି ଦେଇଛି ଯେ, ଅମୁକ ଝିଅ ସୋମବାର ଦିନ, ଅମୁକ ଝିଅ ବୁଧବାର ଦିନ ଆସି ତାକୁ ଘର କାମ ଯଦି କିଛି ଥାଏ ସେଥିରେ ସାହାଯ୍ୟ କରିଯିବ ଓ ଅପରାହ୍ନର ଚା’ ଖାଇଯିବ-। ଯାହା ନିୟମ କରା ହୋଇଛି, ଠିକ୍ ତାହାହିଁ ମାନି ଚଳିବେ । ଆମ ଦେଶ ପରି ମା-ଘର ବୋଲି ଝିଅମାନେ ଯେତେବେଳେ ଇଚ୍ଛା ସେତେବେଳେ ଆସି ଯିବେନାହିଁ ।

 

ବାପା-ମା-ପୁଅ-ଝିଅ ସମନ୍ୱିତ ଏକାସ୍ଥାନାସ୍ଥିତ ଗୋଟିଏ ପରିବାରର ଏ ପ୍ରକାର ଭିନ୍ନତା-ମୂଳକ ବ୍ୟବସ୍ଥା ଦେଖି ମୁଁ ପ୍ରଥମେ ବିସ୍ମାୟାଭିଭୂତ ହୋଇ ପଡ଼ିଲି । ହେବାର କଥା । ଭାରତବର୍ଷରେ ଏପରି ତ ଘଟିବ ନାହିଁ, ଘଟିଲେ ସମାଜ ସେପରି ପୁଅ ଝିଅ ବା ବାପା ମାଙ୍କୁ କି ବାଟ ଚଲେଇ ଦେବ ?

 

ମୁଁ ବାଧ୍ୟହୋଇ ବୃଦ୍ଧା ଭଦ୍ରମହିଳାଙ୍କୁ ପଚାରିଲି, “ତମର ଏତେ ପୁଅ ଝିଅ ଏଇ ସହରରେ ଅଛନ୍ତି, କାହାରି ସାଥିରେ ନ ରହି ଏକା ଏକା ରହୁଛ କାହିଁକି ? ନିଜ ହାତରେ ଘର ସଫା କରିବା, ରୋଷେଇବାସ, ବଜାର ସଉଦା କରିବା କଣ କଷ୍ଟ କଷ୍ଟକର ବୋଧ ହେଉ ନାହିଁ ?”

 

ବୃଦ୍ଧା ଉତ୍ତର ଦେଲେ, “ଆମେ ସ୍ୱାଧୀନ ହୋଇ ରହିବାକୁ ଚାହୁଁ । ଅନ୍ୟ ଘରେ ଅଳସୁଆ ହୋଇ ସ୍ୱାଚ୍ଛନ୍ଦ୍ୟ ଭୋଗ କରିବା ଅପେକ୍ଷା ଏ କଷ୍ଟ ବହୁତ ସୁଖକର ।”

 

ମୁଁ କହିଲି, “ତମ ପୁଅ ବା ଝିଅ ସାଥିରେ ତ ରହନ୍ତି । ‘ଅନ୍ୟ’ର କଥା ଏଠି କାହିଁ ?”

 

“ହେଲେ କଣ ହେଲା । ତାଙ୍କ ଜୀବନ, ତାଙ୍କ ସ୍ୱାଚ୍ଛନ୍ଦ୍ୟ ତାଙ୍କର । ଆମର ଜୀବନ ଅଲଗା ।”

 

ମୁଁ ପୁଣି କହିଲି, “ବର୍ତ୍ତମାନ ପର୍ଯ୍ୟନ୍ତ ନିଜ କାମ ନିଜେ ନିଜେ କରି ପାରୁଛ । ଭଗବାନ ନ କରନ୍ତୁ, ଦିନେ ଯଦି ଗୋଡ଼ ହାତ ନ ଚଳେ ?

 

ବୃଦ୍ଧାର ଉତ୍ତର ପ୍ରତ୍ୟେକ ଭାରତୀୟର ବେଦବାକ୍ୟ ପରି ମନେ ରଖିବାର କଥା । ବୃଦ୍ଧା ଅଭିନୟର ସହିତ କହିଲା, “ସେତେବେଳେ ପର ଉପରେ ଗଳଗ୍ରହ ହେବା ଅପେକ୍ଷା, ନିଜେ ଗୁଳିଖାଇ ମରିଯିବା ଶ୍ରେୟସ୍କର ।”

 

ଆମ ଦେଶରେ କିନ୍ତୁ ପର ଉପରେ ନିର୍ଭର କରି ଚଳିବା ଏକ ସୁଖସ୍ୱପ୍ନ । ପୁଅ ଆଶା କରେ ଓ ପାଏ ବାପର ଟଙ୍କା ଉଡ଼େଇବାକୁ । ଜ୍ୱାଇଁ ଆକାଶରେ ଶ୍ୱଶୁର ଟଙ୍କାରେ ଜୀବନଟା ଗଢ଼ି ନେବାକୁ, ଦୂର ନିକଟର ବନ୍ଧୁବାନ୍ଧବ ଦଦା-ମଉସା, ନିଜ ଗୋଷ୍ଠୀ ଭିତରୁ ଜଣେ କେହି ରୋଜଗାରିଆ ବାହାରିଲେ ତା’ ପକେଟ କଣା କରିବାକୁ ଦାବି ବୋଲି ମନେ କରନ୍ତି । ଏହା ସମଗ୍ର ଜାତିର ପୌରୁଷ, ମନୁଷ୍ୟତା ଓ ଆତ୍ମସମ୍ମାନର ଅଭାବ ସୂଚିତ କରେ ।

 

ତିନୋଟି ସାମାଜିକ ଅନୁଷ୍ଠାନ ଏହି ସ୍ୱାବଲମ୍ବନ ଭାବକୁ ଇଂରେଜ ରକ୍ତରେ ମିଶେଇ ଦେଇଛି । ସେ ତିନୋଟି ହେଉଛି-

 

ଆତ୍ମ ଚେଷ୍ଟାରେ ବିବାହ, ସ୍ୱାନ୍ନ ପରିବାର, ଏକମାତ୍ର ଜ୍ୟେଷ୍ଠପୁତ୍ରର ପୈତୃକ ସମ୍ପତ୍ତି ଲାଭ ।

 

ଆମ ଦେଶରେ ତରୁଣ ତରୁଣୀଙ୍କୁ ଛନ୍ଦାଛନ୍ଦି କରିବାର ଦାୟିତ୍ୱ ପିତାମାତାଙ୍କର । କ୍ରମେ ଏହା ଏପରି ଅବସ୍ଥାକୁ ଆସିଛି ଯେ, ପୁଅ ବା ଝିଅକୁ ବିବାହ ନ କରେଇ ପାରିଥିଲେ, ବାପ ବା ମା ଶାନ୍ତିରେ ମରି ପାରନ୍ତି ନାହିଁ । ବାପ ମା କେବଳ ଯେ ଦାୟିତ୍ୱ ତୁଲେଇବା ପାଇଁ ପିଲାଙ୍କୁ ବିବାହ ଦେଇ ଦିଅନ୍ତି ତାହା ନୁହେଁ, ନାତି ନାତୁଣୀ ଦେଖିଯିବାର ଏକ ଅବାଞ୍ଛନୀୟ ବାସନା ମଧ୍ୟ ଏଥିରେ ନିହିତ । ଏପରି ଦେଖାଯାଉଛି ଯେ ଏକ ଚାଳତଳେ ବାପ, ମା ଓ ପୁଅଝିଅଙ୍କର ବଂଶବୃଦ୍ଧି ସମାନ ଗତିରେ ଚାଲିଛି ଏବଂ ସର୍ବମୁଖରେ ଆହାର ଦେବାର ଦାୟିତ୍ୱ ମୂଳ ଗୃହସ୍ଥର । ଆମ୍ଭେମାନେ ଏ ସବୁଥିରେ ଏତେ ଅଭ୍ୟସ୍ତ ଯେ ଏ ସବୁ ଲଜ୍ଜାକର ବୋଲି ମନେ ହୁଏ ନାହିଁ । କିନ୍ତୁ ଭଦ୍ରଲୋକର ପିଲାକୁ ନିଜ ଘରପାଇଁ ବଜାରରୁ ବିଡ଼େ ଶାଗ କିଣି ଆଣିବାକୁ ପଡ଼ିଲେ, ସେ ଲଜ୍ଜା ସେ ସହ୍ୟକରି ପାରେ ନା । ଯେଉଁ ସମାଜ ଏପରି ବ୍ୟାଧିଗ୍ରସ୍ତ, ସେଠି କି ଉନ୍ନତି, କି ମନୁଷ୍ୟତା ସମ୍ଭବ ହୋଇପାରେ ?

 

ସମଗ୍ର ଶ୍ୱେତାଙ୍ଗ ଜାତି ମଧ୍ୟରେ, କିନ୍ତୁ ବିବାହ ବିଷୟଟା ତରୁଣ ତରୁଣୀମାନଙ୍କର ନିଜର ଦାୟିତ୍ୱ । ସେମାନେ ନିଜେ ନିଜେ ବଛାବଛି ହୋଇ ବିଭା ହେବେ, ପୁଣି ଉପାର୍ଜ୍ଜନକ୍ଷମ ନ ହେଲା ପର୍ଯ୍ୟନ୍ତ ଆଦୌ ବିବାହ କରିବେ ନାହିଁ । ଦେଖାଯାଇଛି ଯେ, ଗୋଟିଏ ଯୁବକ ଓ ଯୁବତୀ ପାରସ୍ପରିକ ପ୍ରେମରେ ପଡ଼ି ବିବାହ କରିବାର ସ୍ଥିର କଲେ । କିନ୍ତୁ ଯୁବକର ଉପାର୍ଜ୍ଜନ ଏତେ ହୋଇନାହିଁ, ଯେଉଁଥିରେ ଦୁହେଁ ସୁଖରେ ଅଲଗା ଘରକରି ରହି ପାରିବେ । ଏପରି ସ୍ଥଳରେ ଯୁବତୀ ଯୁବକଟିର ଉପାର୍ଜ୍ଜନ ବଢ଼ିଲା ଯାଏ ଅପେକ୍ଷା କରି ରହେ । ଏହିପରି ବାଗ୍‍ଦତ୍ତ ଯୁବକ ଯୁବତୀ ଦଶବାର ବର୍ଷ ଯାଏଁ ପରସ୍ପରକୁ ଅପେକ୍ଷା କରି ରହିବାର ଦେଖାଯାଇଛି । ପ୍ରେମର ଏ ଦୃଢ଼ତାର ମହିମାମୟ ଆଦର୍ଶ ଏ ଦେଶରେ କାହିଁ ?

 

ଖ୍ରୀଷ୍ଟାନ୍‍ ସଂପ୍ରଦାୟ ଓ ଭାରତର ଆଦିମ ଅଧିବାସୀମାନଙ୍କ ଭିତରେ ମଧ୍ୟ ନିଜେ ନିଜେ ବଛାବଛି ବିବାହ ପ୍ରଥା ପ୍ରଚଳିତ । ସେଥିପାଇଁ ଏହି ଏହି ସଂପ୍ରଦାୟ ସଭ୍ୟମ୍ମନ୍ୟ ହିନ୍ଦୁ ଓ ମୁସଲମାନଙ୍କ ଅପେକ୍ଷା ଅଧିକ ସୁଖୀ ଓ ସ୍ୱାବଲମ୍ବନଶୀଳ । ଆମ୍ଭମାନଙ୍କର ପ୍ରତ୍ୟେକ ଯୁବକ ଯୁବତୀ ଉପାର୍ଜ୍ଜନକ୍ଷମ ନ ହେଲାଯାଏଁ ବିବାହ କରିବେ ନାହିଁ ବୋଲି ପ୍ରତିଜ୍ଞା କଲେଇ ଆମ ସମାଜର ପଙ୍ଗୁତ୍ୱ ଅନେକ ପରିମାଣରେ ଉଭେଇଯାନ୍ତା ।

 

ଶ୍ୱେତାଙ୍ଗ ଯୁବକ ଯୁବତୀ ବିବାହ କଲା ପୂର୍ବରୁ ନିଜର ଘର ଠିକ୍ କରିଥାନ୍ତି । କଲା ମାତ୍ରେ, ବାପ ମା’ର ଘରକୁ ନ ଆସି, ଯାଆନ୍ତି ନିଜର ଘରକୁ । ତେଣୁ ଆମ ଦେଶପରି ଗୁଡ଼ାଏ ମରଦ, ଗୁଡ଼ାଏ ସ୍ତ୍ରୀ ଓ ସେମାନଙ୍କର ପଲେ ପିଲା ଏକାଠି ରହି ଚିରକଳି-କନ୍ଦଳମୟ, ବିଶୃଙ୍ଖଳ, ହାଉଯାଉ ଜୀବନ ଯାପନ କରିବାର ଦୃଶ୍ୟ ଯେ ଦେଶରେ ଏବେ ନାହିଁ କି କେବେ ନ ଥିଲା । ପ୍ରତ୍ୟେକ ସ୍ତ୍ରୀ, ପୁରୁଷ ନିଜ ଘରର ଦାୟିତ୍ୱ ନିଜ ମୁଣ୍ଡରେ ନେବାରୁ ଜୀବନରେ ସ୍ୱାତନ୍ତ୍ର୍ୟ, ଆତ୍ମ ନିର୍ଭରତା, ସଂଯମ, ମିତାଚାରିତା ପ୍ରଭୃତି ଗୁଣ ଆପେ ଫୁଟି ଉଠେ ଓ ପୁଅ ଝିଅମାନେ ଯତ୍ନ, ସୁଶିକ୍ଷା ଓ ଶୃଙ୍ଖଳାମୟ ଜୀବନ ଭିତରେ ବଢ଼ିବାକୁ ପାଆନ୍ତି ।

 

ଆମ ଦେଶରେ ବାପର ସବୁ ପୁଅ ସ୍ଥାବରାସ୍ଥାରବ ସମ୍ପତ୍ତିକୁ ଟିକି ଟିକି କରି ବାଣ୍ଟି ନିଅନ୍ତି । ଫଳରେ ଚାଷଜମିସବୁ ହିଡ଼ମାଳ ହେବା ଉପରେ ଏବଂ ଭାଇ ଭାଇର କଳିରେ ଓକିଲମାନଙ୍କ ପକେଟ ପୁଷ୍ଟିଲାଭ କରେ । ଇଂଲଣ୍ଡରେ କିନ୍ତୁ ବାପର ସମ୍ପତ୍ତି ବଡ଼ପୁଅର ପାଏ, ଅନ୍ୟ ପୁଅମାନେ କେବଳ ଜୀବିକାର୍ଜନର ଯୋଗ୍ୟତା ପାଇଁ ଯେତିକି ସାହାଯ୍ୟ ଦରକାର ତାହାହିଁ ପାଆନ୍ତି । ଏହା ଫଳରେ ସେ ଦେଶରେ ଚାଷଜମି ସବୁ ବହୁଶତ ବର୍ଷ ଧରି ଅଖଣ୍ଡିତ ବିସ୍ତୃତି ଭୋଗକରି ଆସୁଛି । ପୁଣି ଜ୍ୟେଷ୍ଠେତର ସନ୍ତାନମାନେ ମାଟିକି ଆଶା ନ କରି, ଜୀବିକାନ୍ୱେଷଣରେ ପୃଥିବୀବ୍ୟାପ୍ତ ହୋଇ ପଡ଼ିଛନ୍ତି । ଆଜି ଯେ ସଗର ରାଜାର ଷଷ୍ଠି ସହସ୍ର ସର୍ବଗ୍ରାସୀ ସନ୍ତାନମାନଙ୍କ ପରି ଇଂରେଜ ଧରାପୃଷ୍ଠର ସର୍ବତ୍ର ଦୁଃସାହସିକ କର୍ମରେ ଲାଗିଥିବାର ଦେଖାଯାଏ, ତା’ର ମୂଳ କାରଣ ଏହିଠାରେ ।

 

ଆମ ଦେଶରେ ଏ ପ୍ରକାର ଉତ୍ତରାଧିକାରୀତ୍ୱ ପ୍ରଚଳିତ ହେଲେ ଜାତିରସମୂହ କଲ୍ୟାଣ ହୁଅନ୍ତା ସନ୍ଦେହ ନାହିଁ । ତେବେ ହେବା ସମ୍ଭବ ନୁହେଁ । ନିଜ-ନିର୍ଭରତାର ଗୌରବାବହ, ସୁଖପ୍ରଦ ଅହଙ୍କାର ଆମ ରକ୍ତରେ ନାହିଁ ।

 

କର୍ତ୍ତବ୍ୟପରାୟଣତା ଇଂରେଜ ଜାତିର ଆଉ ଏକ ପ୍ରଧାନ ବୈଶିଷ୍ଟ୍ୟ । ସାଧାରଣ ଇଂରେଜ ଭାବପ୍ରବଣ ନୁହେ । ସେ ଉନ୍ମାଦନାକୁ ନାପସନ୍ଦ କରେ, ଯାହା ସେ କରେ, ତାହା ଭାବିଚିନ୍ତି କରେ । କିନ୍ତୁ ଯଦି ସେ କୌଣସି କାର୍ଯ୍ୟ କରିବ ବୋଲି ‘ହଁ’ ଭରିଛି, ସେ ପ୍ରାଣଦେଇ ତାହା କରିବ ଏବଂ ତାହା ସୁସମ୍ପନ୍ନ କରିବ । ଆମ୍ଭେମାନେ ଇଂରେଜକୁ ଜଗତର ସର୍ବବୃହତ୍ ସାମ୍ରାଜ୍ୟର ଶାସକ ଭାବରେହିଁ ଜାଣୁ । କିନ୍ତୁ କୌଣସି ପତ୍ରିକାରେ ପଢ଼ିଥିଲି ଯେ, ଇଉରୋପରେ ଇଂରେଜ ଚାକରମାନଙ୍କର ଚାହିଦା ବେଶି, କାରଣ ଚାକର ଭାବରେ ମଧ୍ୟ ଇଂରେଜ ତା’ ପ୍ରଭୁର ଯେପରି ମନତୃଷ୍ଟି କରିପାରେ, ଅନ୍ୟ ଜାତିର ଲୋକେ ସେପରି ପାରନ୍ତି ନାହିଁ । ଅନ୍ୟ ଜାତିର ଲୋକେ ଏଟା ସେଟା କରିବାକୁ କୁଣ୍ଠା ବୋଧ କରନ୍ତି, କିନ୍ତୁ ଇଂରେଜ ଚାକର କୌଣସି ହେଲେ କାମକୁ କୁଣ୍ଠିତ ହେବେ ନାହିଁ । ଏଥିପାଇଁ କଣ୍ଟିନେଣ୍ଟ୍‍ରେ ସେମାନେ ଏତେ ପ୍ରିୟ । ଆମେ ବି ଦେଖିଛୁ ଇଂଲିଶ୍‍ ଲାଣ୍ଡଲେଡ଼ିଗୁଡ଼ିକ ଯେପରି ଖାଟନ୍ତି ଓ ସବୁ କାମଗୁଡ଼ିକ ଯେପରି ସୁସମ୍ପନ୍ନ କରି ରଖନ୍ତି, ତାହା ଦେଖିବାର ଜିନିଷ । ଦିବା ବା ରାତ୍ରିର ଯେକୌଣସି ସମୟରେ ଅମୁକ କାମଟି କରିଦେବାକୁ ଆଗରୁ ସେମାନଙ୍କୁ କହି ରଖିଥିଲେ, ଠିକ୍ ସେହି ସମୟରେ ସେହି କାମଟି ନିଶ୍ଚୟ କରା ହୋଇଥିବାର ଦେଖିବ । ଇଂଲଣ୍ଡର ମୋର ଲାଣ୍ଡ୍ ଲେଡ଼ିଟା ଏପରି ଶିକ୍ଷିତା ଯେ, ସେ ଥିଓସଫିକାଲ୍ ସୋସାଇଟିର ମେମ୍ବର । ମୁଁ ଦିନେ ଥିଓସଫିକାଲ୍ ସୋସାଇଟିରେ ଯୋଗ ଦେବାକୁ ଯାଇ ଦେଖେ ତ, ସେଠି ମୋର ଲାଣ୍ଡ୍ ଲେଡ଼ି । ଅଥଚ ସେ ପ୍ରତିଦିନ ମୋର ରୁମ୍ ସଫାକରେ, ଅଇଣ୍ଠାବାସନ ଧୁଏ, ମୁତ୍ର-କୁଣ୍ଡ ବି ସଫା କରେ, ବିଛଣା କରିଦିଏ, ବହିପତ୍ର ସଜାଡ଼ି ଦିଏ, ଅଗ୍ନିକୁଣ୍ଡରେ ନିଆଁ କରି ଯାଏ-ମୋଟ ଉପରେ ମୋ ଜୀବନକୁ ସ୍ୱଚ୍ଛନ୍ଦ କରିବା ପାଇଁ ଯାହା ଯାହା ଦରକାର ସେ ତାହା କରିବାକୁ ସବୁବେଳେ ପ୍ରସ୍ତୁତ ଥାଏ । ଏ ଦେଶରେ ଶିକ୍ଷିତ ଓ ଶିକ୍ଷିତା ହେଲେ ଲୋକେ ହାତ ପାଇଟିକି ଘୃଣା କରନ୍ତି ଓ ତାସ୍, ପଶା, ଚୁଗୁଲି, ଥିଏଟର ଓ ସିନେମାରେ ଅବସର ସମୟ କଟାନ୍ତି । କିନ୍ତୁ ଇଂଲାଣ୍ଡରେ ଯେଉଁ ସ୍ତ୍ରୀ ଏପରି ଶିକ୍ଷିତ ଯେ ସେ ଭାରତୀୟ ଦର୍ଶନ ଚର୍ଚ୍ଚା କରେ, ଅଥଚ ସେ କର୍ତ୍ତବ୍ୟାନୁରୋଧରେ ଅଇଣ୍ଠାବାସନ ମାଜିବା ବା ମୂତ୍ର-କୁଣ୍ଡ ସଫା କରିବାକୁ ବି କୁଣ୍ଠା ବୋଧ କରେ ନାହିଁ । ଏହି ବୟସ୍କା ଲାଣ୍ଡଲେଡ଼ି ପ୍ରତି ତେଣୁ ମୋର ଶ୍ରଦ୍ଧା ଜାଗ୍ରତ ହେଲା ଓ ମୁଁ ଅନେକ ସମୟରେ ତାକୁ ରୁମ୍‍କୁ ଡାକି ତା ସଙ୍ଗେ କଥାବାର୍ତ୍ତା ହୁଏ । ସେ ମତେ ଅନେକ ସମୟରେ ସୁନ୍ଦର ଉପଦେଶ ଦେଇଥାଏ, ବେଳେ ବେଳେ ଥଟ୍ଟା କରି ହସାଏ ମଧ୍ୟ । ଆମେ ସମସ୍ତେ ଏଇ ନଗଣ୍ୟା ଇଂରେଜ ମହିଳାର କର୍ତ୍ତବ୍ୟବୋଧ ଯଦି ନିଜ ଚରିତ୍ରର ଅଙ୍ଗୀଭୂତ କରିବା ତେବେ ଯାଇ ନିଜକୁ ସଭ୍ୟ ମନେ କରିବା, ସୁଖୀ ବି ହେବା ।

 

ଆମର ଜାତୀୟ ଦୋଷ ହେଉଛି ଏହି ଯେ କୌଣସି କାମ କରି ବସିଲେ ହୁଏତ ଆମେ ନ ବୁଝି ନ ବିଚାରି କରୁ ବା ବାଧା ଓ ଅସୁବିଧାର ଛଳନା କରି ପଛେଇ ଯାଉ । ଇଂରେଜ ବୁଝି ବିଚାରି କାମରେ ହାତ ଦିଏ, ବଧା, ଅସୁବିଧା ଥିବ ବୋଲି ନିଏ; କିନ୍ତୁ ପଛେଇ ନ ଯାଇ ମାଡ଼ି ଚାଲେ । ତାର ଆଖି ବାଟରେ ଥିବା ବାଧା ଅସୁବିଧା ଉପରେ ନ ଥାଏ, ଥାଏ ଶେଷ ଲକ୍ଷ ଉପରେ-। ଆମର ଆଖି କେବଳ ବାଧା ଗୁଡ଼ିକ ଉପରେ ଘୂରି ବୁଲେ ।

 

କାର୍ଣ୍ଣାଟିକ୍ ସମର ବେଳେ ଥରେ ଟିପୁ ସୁଲତାନ୍ ଅନେକ ଶତ ଇଂରେଜଙ୍କୁ ବନ୍ଦୀ କରି ନେଇଥିଲେ । ସେମାନେ ପ୍ରାୟ ବାରବର୍ଷ କାଳ ରହିଲେ । ଏମାନଙ୍କ ଉପରେ ଏପରି ଅମାନୁଷିକ ଅତ୍ୟାଚାର ହୋଇଥିଲା ଯେ ଏମାନେ ହୁଏତ ମଲେ ବା ପାଗଲ ହେଲେ । ଇଂରେଜମାନଙ୍କର ସୈନ୍ୟ ସମାବେଶରେ ସନ୍ଧାନ କହି ଦେଇଥିଲେ, ଏମାନଙ୍କୁ ସମସ୍ତ ପ୍ରକାର ସ୍ୱାଚ୍ଛନ୍ଦ୍ୟ ଦିଆ ଯାଇଥାନ୍ତା । କିନ୍ତୁ କୌଣସି ମତେ ତାହା ନ କହି, ଏହି ଅଶିକ୍ଷିତ ଓ ଅଳ୍ପ ଶିକ୍ଷିତ ଇଂରେଜ ସିପାହୀ ଦୀର୍ଘ ବାରବର୍ଷ କାଳ ଅକଥନୀୟ ଅତ୍ୟାଚାର କରି ନେଲେ ।

 

ଏଇ ପ୍ରକାର ମାନସିକ ଦୃଢ଼ତା ଓ କର୍ତ୍ତବ୍ୟପରାୟଣତା ଆମର ପ୍ରତ୍ୟେକ ଯୁବକ ଓ ଯୁବତୀଠାରୁ ଯେ ପର୍ଯ୍ୟନ୍ତ ଆଶା ନ କରିଛୁଁ, ସେ ପର୍ଯ୍ୟନ୍ତ ଆମର ରାଷ୍ଟ୍ରୀୟ ଦୃଢ଼ତା ଅସମ୍ଭବ ।

 

ଭଦ୍ରତା ଓ ଭଦ୍ର ବ୍ୟବହାର ଇଂରେଜ ଜାତିର ଆଉ ଏକ ମଧୁର ବୈଶିଷ୍ଟ୍ୟ । ଏହା କେବଳ ବହୁଗୁଣ ଭିତରୁ ଗୋଟିଏ ଗୁଣ ନୁହେଁ, ଏହାହିଁ ଇଂରେଜ-କୃଷ୍ଟିର ଆଦର୍ଶ । ଆମର ଆଦର୍ଶ ଯେପରି ନିରାସନ୍ତି, ଇଂରେଜର ଇହ ଜୀବନର ଆଦର୍ଶ ହେଲା ଜେଣ୍ଟେଲ୍ ମ୍ୟାନ୍ ହେବା । ଏହି ଜେଣ୍ଟେଲମ୍ୟାନ୍ ଶବ୍ଦକୁ ଆମେ ‘ଭଦ୍ରଲୋକ’ ବୋଲି ଅନୁବାଦ କରୁଛିଁ ସତ; କିନ୍ତୁ ସେ ଶବ୍ଦର ଯାଥାର୍ଥ୍ୟ ‘ଭଦ୍ରଲୋକ’ ଶବ୍ଦରେ ପ୍ରକାଶ ପାଉ ନାହିଁ । ‘ଜେଣ୍ଟେଲ୍ ମ୍ୟାନ୍’ ଆଦର୍ଶର ମୂଳ ଭାବ ହେଲା କାହାରି ମନରେ କଷ୍ଟ ନ ଦେବା । ଏଇ ଆଦର୍ଶକୁ ସାଧାରଣ ଇଂରେଜର ମିଠା ବ୍ୟବହାରର ଜନ୍ମ । ଇଂରେଜ ପୁଅ ଝିଅଙ୍କୁ ମୂଳରୁ ଏହି ଆଦର୍ଶରେ ଯତ୍ନର ସହିତ ଗଠିତ କରାଯାଏ । ସେମାନେ ପରସ୍ପର ପ୍ରତି ଓ ଅପରିଚିତଙ୍କ ପ୍ରତି ଭଦ୍ର ବ୍ୟବହାର କରିବାକୁ ବାଧ୍ୟ । ଏଥିପାଇଁ ଦୈନନ୍ଦିନ ଜୀବନରେ ନାନାଭାବରେ ସଂଯମ ଦରକାର । କିନ୍ତୁ ପିଲାଦିନରୁ ଅଭ୍ୟାସ କରି କରି ଏ ସଂଯମ ସବୁ ଇଂରେଜମାନଙ୍କର ସହଜାତ ହୋଇଯାଏ । ଜଣଜଣ ଭାରତୀୟ ଏକାଠି ହେଲେ କେହି କାହା କଥାକୁ ଅପେକ୍ଷା ନ କରି ଏପରି ଉଚ୍ଚସ୍ୱରରେ କଥା କହିବେ ଯେ, ମନେ ହେବ ମାଡ଼ଗୋଳ ହେଉଛି । କିନ୍ତୁ ସହସ୍ର ଇଂରେଜଙ୍କୁ ଏକାଠି ରଖିଦିଅ, କୌଣସି ଶବ୍ଦଇ ହେବ ନାହିଁ । ଯେଉଁଠି ଜନତା ଭିତରେ କଥା କହିବାର ଦରକାର ପଡ଼େ, ଇଂରେଜମାନେ ପରସ୍ପରକୁ ଅତ୍ୟନ୍ତ ନିମ୍ନସ୍ୱରରେ କହିଥାନ୍ତି, ଯେପରି ଅନ୍ୟ ପ୍ରତିବେଶୀମାନେ ବିରକ୍ତ ହେବେ ନାହିଁ । ମୋର ଇଂଲଣ୍ଡ-ବାସର ପ୍ରଥମ ଦିନ ବନ୍ଧୁ ଚମନଲାଲ ମତେ ଗୋଟିଏ ରେଷ୍ଟୁରାଣ୍ଟ୍‍କୁ ନେଇଗଲେ । ଦରଜା ଖୋଲି ଘରେ ପଶିଯାଏ ତ ଦେଖେଁ, ପ୍ରକାଣ୍ଡ ହଲ୍ ଓ ତା’ର ପାର୍ଶ୍ୱ ଦେଶମାନଙ୍କରେ ଭିନ୍ନ ଭିନ୍ନ କକ୍ଷ । ସବୁଆଡ଼େ ପ୍ରାୟ ପାଞ୍ଚ ଶତରୁ ଅଧିକ ପୁରୁଷ ସ୍ତ୍ରୀ ମଧ୍ୟାହ୍ନ ଭୋଜନରତ । ପରିବେଷଣକାରିଣୀମାନେ ଖାଦ୍ୟ ଯୋଗେଇ ଦେଉଛନ୍ତି- ଖାଲି ପ୍ଳେଟ୍ ନେଇ ଯାଉଛନ୍ତି, ନୂଆ ଲୋକ ଖାଇବାକୁ ଆସୁଛନ୍ତି । ପୂର୍ବରୁ ଆସିଥିବା ଲୋକ ଖାଇ ଓ ଦେୟ ବୁଝେଇ ଦେଇ ଚାଲି ଯାଉଛନ୍ତି । କିନ୍ତୁ ଚାରିଆଡ଼ ତୁନ୍‍ତାନ୍ । ଦୁଆର ଆରପାଖେ କେହି କଳ୍ପନା କରିପାରିବ ନାହିଁ ଯେ ଘରେ ପଚାଶ ଲୋକ ଖିଆପିଆ କରୁଛନ୍ତି । ଏହା ସମ୍ଭବ ହୁଏ କେବଳ ଏହି କାରଣରୁ ଯେ, ପ୍ରତ୍ୟେକ ଇଂରେଜ କାଳେ ଅନ୍ୟର କିଛି ଅସୁବିଧା ହେବ, କଥାରେ ହେଉ ବା କାମରେ ହେଉ, ଏ ବିଷୟରେ ଚିରଜାଗ୍ରତ । ପ୍ରତ୍ୟେକେ ଅପରର ସ୍ୱାଚ୍ଛନ୍ଦ୍ୟ ପ୍ରତି ସମ୍ମାନ ଦେଖାଇବାକୁ ଚେଷ୍ଟା କରିବାରୁ ଭଦ୍ରତା ସମଗ୍ର ଜାତିର ରକ୍ତର ଅଙ୍ଗୀଭୂତ ହୋଇ ପଡ଼ିଛି । ତେଣୁ ଦ୍ୱନ୍ଦ୍ୱଯୁନ୍ଧ ପରେ ଇଂରେଜ ଜେତା ଓ ବିଜେତା ସସ୍ମିତ ବଦନରେ ପରସ୍ପରର କର ମର୍ଦ୍ଦନ କରି ଘରକୁ ଫେରନ୍ତି, ଅଥଚ ଏ ଦେଶରେ ଫୁଟବଲ୍ ମ୍ୟାଚ୍ ପରି ଅବସର ବିନୋଦନରୁ ମୁଣ୍ଡ ଫଟାଫଟି ଆରମ୍ଭ ହୁଏ । ଇଂରେଜ, ଶତ୍ରୁକୁ ମଧ୍ୟ ହସି କଥା କହେ । ଦୋକାନକୁ ଗଲେ ପ୍ରତ୍ୟେକ ବିକ୍ରେତୀ ବାଳିକା ‘କଅଣ ଆପଣଙ୍କର ଦରକାର, ଏହି ପ୍ରଶ୍ନଟିକୁ ଶୁଭ୍ର ସ୍ମିତରେ ମନୋହରଣ କରି କ୍ରେତା ଆଗରେ ପରିବେଷିତ କରିବେ । ଶୁଣିଛି, କୌଣସି ଦୋକାନରେ ଜଣେ ବାଳିକା ବିକ୍ରେତୀ ସ୍ମିତାଭିନୟ କରି ପାରିଲା ନାହିଁ; ତେଣୁ ଦୋକାନର ମାଲିକ ତାକୁ ବାହାର କରିଦେଲା । ଅପରିଚିତ ଲୋକଙ୍କ ପ୍ରତି, ପଥିକମାନଙ୍କ ପ୍ରତି, ଇଂରେଜର ଭଦ୍ରତା ଓ ସାହାଯ୍ୟର କଥା ଏହି ପୁସ୍ତକରେ ଅନ୍ୟତ୍ର ବର୍ଣ୍ଣିତ ଅଛି-

 

ଆମ ଦେଶର କଥା କିନ୍ତୁ ଭାବିଲେ ବଡ଼ ଦୁଃଖ ହୁଏ । ଏ ଦେଶରେ ଅଭଦ୍ରଟାକୁ ଅନେକେ, ବିଶେଷତଃ ତଥାକଥିତ ଶିକ୍ଷିତ ଲୋକେ ପୌରୁଷ ଓ ପ୍ରାଧାନ୍ୟର ଚିହ୍ନ ବୋଲି ମନେ କରନ୍ତି । ଏହାଠାରୁ ଅଧିକ ପରିତାପର କଥା କଣ ହୋଇପାରେ ? ବଡ଼ମାନଙ୍କର ଆଦର୍ଶ ଛୋଟମାନେ ଗ୍ରହଣ କରୁଛନ୍ତି । ତେଣୁ ଆଜି ସମଗ୍ର ଭାରତବର୍ଷରେ ଛାତ୍ର ସମାଜରେ ଶିକ୍ଷକମାନଙ୍କ ପ୍ରତି ଔଦ୍ଧତ୍ୟ ଓ ଅଭଦ୍ରତା ପରିଲକ୍ଷିତ ହେଉଛି ଓ ତାହା ନେତାମାନଙ୍କର ମଧ୍ୟ ଚିନ୍ତାର ବିଷୟ ହେଲାଣି । ବାଟରେ ଗଲାବେଳେ ମୁଁ ଦେଖେଁ ବେଳେ ବେଳେ ଛାତ୍ରମାନେ ସାରା ରାସ୍ତାର ଏପାଖ ସେପାଖ ମାଡ଼ି ହାତ ଧରାଧରି ହୋଇ ଚାଲିଥିବେ, ଅନ୍ୟ ପଥିକ ଆଡ଼ ହୋଇଯିବ, କିନ୍ତୁ ସେମାନେ ଆଡ଼ ହୋଇ ଯିବାଟାକୁ ବା ରାସ୍ତାର ଏକ ପାଖରେ ଚାଲିବାଟାକୁ କର୍ତ୍ତବ୍ୟ ମନେ କରନ୍ତି ନାହିଁ । ଏମାନେ ପରସ୍ପର ଭିତରେ କଥାଭାଷା ହେଲାବେଳେ ମନେ କରନ୍ତି ନାହିଁ ଯେ, ଜଗତରେ ଆଉ କାନ-ଥିବା ଲୋକ ଅଛନ୍ତି । ଛାତ୍ରମାନଙ୍କର ଭୋଜନ ବେଳର ହଟ୍ଟଗୋଳ ତ ଅସହ୍ୟ । ମନୁଷ୍ୟର ସମଗ୍ର ଚରିତ୍ରର ଗଠନ ଦୈନନ୍ଦିନ ଜୀବନରେ ଏହିପରି ଶତ ଶତ ଛୋଟ ଛୋଟ ଘଟାଣାରୁହିଁ ଧରାପଡ଼େ । ମୁଁ ଛାତ୍ରମାନଙ୍କ କଥା ଏଠାରେ ବିଶେଷ ଭାବରେ ଉଲ୍ଲେଖ କଲି ଏହି ଉଦ୍ଦେଶ୍ୟରେ ଯେ, ସେହିମାନେ ପରା ଭବିଷ୍ୟତ ଜାତି । ମୁଁ ଏହି ଅଧ୍ୟାୟରେ ଯେତେ କଥା କହି ଆସୁଛି, ସବୁ ତାଙ୍କରି ଉଦ୍ଦେଶ୍ୟରେ ଲିଖିତ । ବଡ଼ମାନେ ତ ମୃତ୍ୟୁ ପଥର ପଥିକ, ତାଙ୍କର ଦୋଷ ଯାକ ଅନୁକରଣ ନ କରି, ତାଙ୍କର ଗୁଣ ଓ ଇଂରେଜମାନଙ୍କର ଗୁଣ ସବୁର ଅଭ୍ୟାସ କଲେ ଏହି ଛାତ୍ରମାନେ କାଲିର ସ୍ୱାଧୀନ ଭାରତର ସମାଜ ଓ ରାଷ୍ଟ୍ରକୁ ସୁନ୍ଦର ଓ ସୁଦୃଢ଼ କରି ଗଢ଼ି ପାରିବେ । ସେମାନେ ଆତ୍ମପରୀକ୍ଷା କରି ଦେଖନ୍ତୁ, ଆମକୁ ଇଂରେଜ କାହିଁକି ଶାସନ କରୁଛି ? ଆମ ଅପେକ୍ଷା ଇଂରେଜର କି ବୈଶିଷ୍ଟ୍ୟ ଅଛି ? ବୈଶିଷ୍ଟ୍ୟ ବୁଦ୍ଧିରେ ନାହିଁ, ଦୈହିକ ବେଳରେ ନାହିଁ, ଧନରେ ନାହିଁ । ଏ ତିନିଟି କଥା ଆମ ଜାତି ଏ ଦେଶର ଯଥେଷ୍ଟ ଅଛି । କିନ୍ତୁ ଅଭାବ ରହି ଯାଉଛି ଜାତିର ଚରିତ୍ରରେ । ସେହି ଅଭାବ ସବୁ ଦୂର କରିବା ପାଇଁ ଆମକୁ ଇଂରେଜ ଶୂନ୍ୟ ଭାରତରେ ମଧ୍ୟ, ଇଂରେଜକୁ ଗୁରୁ ରୂପେ ମାନି ନିଜକୁ ଚାଳିତ କରିବାକୁ ହେବ ।

 

ଜୟ ହିନ୍ଦ୍ !